Unknown

 

 

 

 

 

 

 

 

 

ଅମଡ଼ା ବାଟ

ବସନ୍ତ କୁମାରୀ ପଟ୍ଟନାୟକ

 

 

 

 

 

 

ପରମ ପୂଜନୀୟ ବାପା ଶ୍ରୀବତ୍ସ ପଟ୍ଟନାୟକ ଆଜି ବଞ୍ଚିଥିଲେ ଖୁସି ହୋଇଥାନ୍ତେ ଯେ ବସନ୍ତର ପ୍ରଥମ ଉପନ୍ୟାସ ‘ଅମଡ଼ା ବାଟ’ ଛପା ହେଲା ।

 

ବିଧିର ନିର୍ଦ୍ଦେଶରେ ସେ ତେରଶହ ଚଉଷଠି ସାଲ ଶ୍ରାବଣ ଶୁକ୍ଳ ଦଶମୀରେ (୧୯୫୬, ଅଗଷ୍ଟ ୧୬) ଚାଲିଗଲେ । ତେଣୁ ସେ ଆଶା ପୂରଣ ହେଲାନାହିଁ ।

 

ଆଜି ତାଙ୍କରି ପାଦତଳେ ଏ ବହିଟି ଥୋଇ ଆଶୀର୍ବାଦ ମାଗୁଛି ।

 

ବସନ୍ତ

•••

 

ଭୂମିକା

 

ଭାରତୀୟ ନାରୀ ଜୀବନ ଦ୍ୱିଧା ବିଭକ୍ତ । ବିବାହ ହିଁ ବିଭାଜକ ରେଖା । ପ୍ରଥମ ଭାଗରେ ସେ କନ୍ୟା ଓ ଭଗ୍ନୀ; ଦ୍ୱିତୀୟ ଭାଗରେ ସେ ପତ୍ନୀ, ବଧୂ ଓ ଜନନୀ । ପ୍ରଥମାର୍ଦ୍ଧରୁ ଦ୍ୱିତୀୟାର୍ଦ୍ଧକୁ ଉଚ୍ଚାରଣ ଏବଂ ସମତାନିକ ଜୀବନ ଯାପନ ସଂଶୟାଚ୍ଛନ୍ନ । ବାଲ୍ୟ, କୈଶୋର ଓ ଯୌବନରେ ଗୋଟିଏ ଧାରାରେ ଗତି ଏବଂ ବିବାହିତ ଅବସ୍ଥାରେ ଅନ୍ୟ ଏକ ଧାରାରେ ଗତି ମଧ୍ୟରେ ଅନିଶ୍ଚିତତା ନାରୀ ଜୀବନର ଏକ ବିରାଟ ବିଡ଼ମ୍ୱନା । ମହାକବି କାଳିଦାସ ସେ ଯୁଗରେ ମଧ୍ୟ ଏହା ଉପଲବ୍‍ଧି କରି ଶକୁନ୍ତଳାଙ୍କ ପତି-ଗୃହ ଗମନ କାଳରେ କଣ୍ୱ ମୁନିଙ୍କ ମୁଖରେ କହିଛନ୍ତି–‘‘ଅଧୋହି କନ୍ୟା ପରକୀୟ ଏବଂ ତାମଦ୍ୟ ସଂପ୍ରେଷ୍ୟ ପରିଗ୍ରହୀତୁଃ ଜାତୋ ମମାୟଂ ବିଶଦଃ ପ୍ରକାମଂ ପ୍ରତ୍ୟର୍ପିତନ୍ୟାସ ଇବାନ୍ତରାତ୍ମା ।’’ (କନ୍ୟା ବାସ୍ତବରେ ପରଧନ । ଆଜି ତାକୁ ପତିଗୃହକୁ ପଠାଇ ମୋର ଆତ୍ମା ଏପରି ଶାନ୍ତ ଯେପରି ପରଧନ ପ୍ରତ୍ୟର୍ପଣ କରିପାରିଛି ।) ଏବଂ ତା’ପରେ ଶକୁନ୍ତଳାକୁ ବିଦାୟକାଳୀନ ଉପଦେଶ ଦେଇଛନ୍ତି–

 

‘‘ଶଶ୍ରୂଷସ୍ୱ ଗୁରୁନ୍‍ କୁରୁ ପ୍ରିୟ ସଖୀ ବୃତ୍ତିଂ ସପତ୍ନୀଜନେ ।

ଭର୍ତ୍ତୃ ବିପ୍ର କୃତାପି ରୋଷଣତୟା ମାସ୍ମ ପ୍ରତିପଂ ଗମଃ ।

ଭୂୟିଷ୍ଟଂ ଭବ ଦକ୍ଷିଣା ପରିଜନେ ଭାଗ୍ୟେ ଷ୍ୱନତ୍ସେକିନୀ ।

ଯାନ୍ତ୍ୟେତ୍ୱଂ ଗୃହିଣୀ ପଦଂ ଯୁବତୟୋ ବାମାଃ କୁଳସ୍ୟାଧୟଃ ।

 

(ଗୁରୁଜନଙ୍କୁ ସେବା କର, ସପତ୍ନୀକୁ ସଖୀପରି ଦେଖ, କ୍ରୋଧରେ ସ୍ୱୀମୀଙ୍କୁ ଅସମ୍ମାନ କର ନାହିଁ, ପରିଜନଙ୍କ ପ୍ରତି ଦୟାଶୀଳ ହୁଅ, ସୌଭାଗ୍ୟ ପାଇଁ ଗର୍ବ କରନାହିଁ । ଏପରି ଯେଉଁ କନ୍ୟାଗଣ କରନ୍ତି, ସେମାନେ ଗୃହିଣୀ ପଦ ପାଇଁ ଉପଯୁକ୍ତା, ଅନ୍ୟଥା ସେମାନେ ହୁଅନ୍ତି ପରିବାର ପ୍ରତି ଅଭିଶାପ ।)

 

‘ଅମଡ଼ା ବାଟ’ ଉପନ୍ୟାସ ଆଖ୍ୟାନ-ବସ୍ତୁ ମୂଳତଃ ପ୍ରକାଶ କରେ ନାରୀ ଜୀବନର ଦୁଇଟି ପର୍ଯ୍ୟାୟରେ ବିରୋଧାଭାସ । ଉପନ୍ୟାସର ନାୟିକା ‘ମାୟା’ ଘରର ଅଲିଅଳି ଝିଅ, ଗୋଟିଏ ବଡ଼ଭାଇ ଓ ତିନୋଟି ସାନଭାଇଙ୍କର ଏକମାତ୍ର ଭଉଣୀ । ସାଧାରଣ ମଧ୍ୟବିତ୍ତ ପରିବାର-। ସମସ୍ତଙ୍କ ସ୍ନେହ ଆଦର ପାଇ ‘ମାୟା’ର ଜୀବନ ଚଳଚଞ୍ଚଳ । ରାଗ, ଅଭିମାନ, ଦୁଷ୍ଟାମି ପରିପୂର୍ଣ୍ଣ ସେ ଏକ ରୁଦ୍ର ସୁନ୍ଦର ପ୍ରତିମା । ପରିବାରର ଗତାନୁଗତିକ ଧାରାରେ ପ୍ରଥମ ପରିବର୍ତ୍ତନ ହୋଇଛି, ଭାଇର ବାହାଘର । ଭାଉଜ ବୋହୂ ହୋଇ ଆସିଛି ‘କାବେରୀ’ । ନଣନ୍ଦ-ଭାଉଜ ସଂପର୍କର ମାଧୁର୍ଯ୍ୟ କ୍ରମଶଃ ଅମ୍ଲ ହୋଇଛି । ଘରେ ଓ ସ୍ୱାମୀ ଉପରେ କାବେରୀର କର୍ତ୍ତୃତ୍ୱ ବଢ଼ିବା ସଙ୍ଗେ, ମାୟାର ସାବଲୀଳ ଜୀବନଧାରା ବିକ୍ଷୁବ୍‍ଧ ହୋଇଛି । କାବେରୀକୁ ଦେଖି ଶାଶୁ ଘରେ ବୋହୂର ଭୂମିକା ଉପଲବ୍‍ଧି କରି, ନିଜର ବିବାହ ପ୍ରତି ତା’ର ଆସିଛି ବିରକ୍ତି । କିନ୍ତୁ ଶେଷରେ ବାପା-ମା’ଙ୍କ ସମାଜରେ ଅପଦସ୍ତ ନ କରିବା ପାଇଁ ସେ ଆତ୍ମବଳି ଦେଲା ଭଳି, ସେମାନଙ୍କ ମନୋନୀତ ପାତ୍ର ଅଜଣା ଅଶୁଣା ‘ଶଶୀଭୂଷଣ’କୁ ବିବାହ କରିଛି । କନ୍ୟା ବିଦାୟ ବେଳେ ଏକାନ୍ତରେ ମାୟାକୁ ମା’ କରିଛନ୍ତି ଶେଷ ଅନୁରୋଧ–‘‘ଶାଶୁ ଶ୍ୱଶୁରଙ୍କ ପାଦ ସେବା କରିବୁ, ବଂଧୁବାଂଧବଙ୍କୁ ନିଜର କରି ଦେଖିବୁ, ସାନସାନଙ୍କ ଆଦର କରିବୁ..... ସେଇତ ହେଲା ତୋ ଘର..... ମୋ ମୁଣ୍ଡ ଛୁଇଁ କହ, କରିବୁତ ?’’ ମନ୍ତ୍ରବତ୍‍ ମନରେ ଧାରଣ କରି ସେ ପାଦ ଦେଇଛି, ନାରୀ ଜୀବନର ଦ୍ୱିତୀୟ ପର୍ବର ଅମଡ଼ା ବାଟରେ ।

 

ଶାଶୁଘର କାମଚଳା ସଂସାର । ସ୍ୱାମୀ ସ୍ୱଳ୍ପ ଉପାର୍ଜନକ୍ଷମ । ଶାଶୁ ଦୃଢ଼ ଶାସକ । ସେଠି ମାୟାର ଆତ୍ମା ବିଦ୍ରୋହ କରିଉଠେ । ଅତୀତ ବର୍ତ୍ତମାନକୁ କରୁଣ ଓ ଅସହ୍ୟ କରିଦିଏ । କିନ୍ତୁ ପ୍ରତି ମୁହୂର୍ତ୍ତରେ ବାପା ମା’ଙ୍କ ଶେଷକଥା ତାକୁ ମନ୍ତ୍ରବଶ ନାଗୁଣୀ ପରି ନିଃସାଡ଼ କରିଦିଏ । ସମୟ ଗଡ଼ିଚାଲେ । ଶାଶୁ ବ୍ୟାଧିଗ୍ରସ୍ଥା ହୁଅନ୍ତି । ମାୟା ନାକ-ଆଖି ବୁଜି ସେବା କରିଚାଲେ । ହଠାତ୍‍ ଦିନେ ଦେଖାଦିଏ ଏକ ବିଷମ ସଂକଟ-ଚିଠି ପାଏ, ବାପା ଶଯ୍ୟାଶାୟୀ ଏବଂ ତାର ଯିବା ଦରକାର-। କ’ଣ କରିବ ସେ ? ଏକ ପକ୍ଷରେ ଶାଶୁ, ଅନ୍ୟ ପକ୍ଷରେ ବାପା । ଏହି ସନ୍ଧିକ୍ଷଣରେ କନ୍ୟା ଓ ବଧୂ ଭୂମିକା ମଧ୍ୟରେ ପ୍ରଚଣ୍ଡ କର୍ତ୍ତବ୍ୟ ବିରୋଧ । ତା’ପରେ ଉପନ୍ୟାସର ଶେଷ ତିନୋଟି ବାକ୍ୟ-‘‘ଦୁଇ ଆଡ଼େ ଡୋର ଲାଗିଛି । ଗୋଟାକୁ ନ ଛିଣ୍ଡାଇଲେ ନ ଚଳେ । କାହାକୁ ଛିଣ୍ଡାଇବ ? କିଏ ତା’ ପାଖରେ ବଡ଼ ??’’

 

କାହାଣୀ ଅତି ସଂକ୍ଷିପ୍ତ ଏବଂ ଗୋଟିଏ ଚରିତ୍ରାଶ୍ରୟୀ । ଗୋଟିଏ ଅଲିଅଳି, ରାହାବାଳୀ, କନ୍ୟାର ଅନୁଗତା ବଧୂ ଭାବରେ ରୂପାନ୍ତର ଏବଂ ନିଜର ଭାତୃବଧୂ ‘କାବେରୀ’ ସହ ତା’ର ବୈଷମ୍ୟ-ମୂଳକ ସ୍ଥାପନା ମଧ୍ୟରେ ମାୟା ଚରିତ୍ରର ବିକାଶ ଓ ପ୍ରକାଶ ଉଭୟ କାହାଣୀର ଓ ଚରିତ୍ରର ବୈଶିଷ୍ଟ୍ୟ । ଏହାହିଁ ଓଡ଼ିଶା ସାହିତ୍ୟରେ ଏକ ପୂରାପୂରି ପାରିବାରିକ ଓ ନାରୀ କୈନ୍ଦ୍ରିକ ଉପନ୍ୟାସ ଭାବରେ ‘ଅମଡ଼ା ବାଟ’କୁ କରିଛି ଅନ୍ୟାନ୍ୟ ।

 

ମାୟା ଜୀବନ କଥାର ‘ଅମଡ଼ା ବାଟ’ ପରବର୍ତ୍ତୀ ପର୍ଯ୍ୟାୟର ବିବରଣୀ ଦିଆଯାଇଛି ୧୯୭୩ରେ ପ୍ରକାଶିତ ‘ଚୋରାବାଲି’ ଉପନ୍ୟାସରେ । ଏଥିରେ ପ୍ରଧାନ ଘଟଣାଗୁଡ଼ିକ ହେଉଛି-ମାୟାର ବାପାଙ୍କ ମୃତ୍ୟୁ, ଶାଶୁଙ୍କ କ୍ୟାନସର ଚିକିତ୍ସା ପାଇଁ ମାୟାର ସର୍ବସ୍ୱ ଦାନ, କାବେରୀର ଅହଂକାରିତା ଯୋଗୁଁ ମାୟାର ମାଆଙ୍କର ଗ୍ରାମରେ ବସବାସ, ମୋହନର ମନରେ ମାଆ ଓ ଭାଇମାନଙ୍କ ଦୁର୍ଦ୍ଦଶା ପାଇଁ ପଶ୍ଚାତାପ ଏବଂ ଶେଷରେ ମାୟାର ଏକ ଜନ୍ମାନ୍ଧ ପୁତ୍ରର ଜନ୍ମ । ମାୟା ଚରିତ୍ରର ଶକ୍ତି ଓ ସଂହତି ଏହି ପ୍ରତ୍ୟେକ ଘଟଣା ଓ ସଂଘର୍ଷରେ ଅବଦମନୀୟ ଭାବେ ପରିସ୍ଫୁଟ । କିନ୍ତୁ ତା ଜୀବନକୁ ବିକ୍ଷୁବ୍ଧ ବିଡ଼ମ୍ୱିତ କରିଥିବା ପ୍ରତ୍ୟେକଙ୍କ ପ୍ରତି ଅଭିମାନରେ ଜର୍ଜରିତ ମାୟା ସବୁ ସହିନେଇ ପ୍ରତ୍ୟେକଙ୍କ କଲ୍ୟାଣ କାମନା କରିଛି ଏବଂ ଜଣେ ଭାରତୀୟ ନାରୀର କର୍ତ୍ତବ୍ୟବୋଧ ଓ ସାମାଜିକ ମର୍ଯ୍ୟାଦା ପ୍ରତିପାଦନ କରିଛି । ଅମଡ଼ା ବାଟରେ ଯେତେ ଚୋରାବାଲି ଆସଛି, ମାୟା ସେଥିରେ ଲୀନ ହୋଇ ଯାଇନାହିଁ । ବାରମ୍ୱାର ଉପରକୁ ଉଠି ପୁଣି ଚାଲିଛି । ଶେଷକୁ ସବୁ କୃତିତ୍ୱରେ ବିଧାତା ପୁରସ୍କାର ହେଇଛନ୍ତି ଏକ ଜନ୍ମାନ୍ଧ ପୁତ୍ର । ମାୟା ତାକୁ ମଧ୍ୟ ମାନି ନେଇଛି ନାରୀ ଜୀବନର ତୃତୀୟ ପର୍ଯ୍ୟାୟରେ ମାତାର ଭୂମିକାରେ । କନ୍ୟା, ବଧୂ ଓ ଜନନୀ ଭାବରେ ମାୟା ସତରେ ଅତୁଳନୀୟା ।

 

ବସନ୍ତ କୁମାରୀ ପଟ୍ଟନାୟକ (୧୯୨୩) ପ୍ରଧାନତଃ ଗଳ୍ପ ଓ ଉପନ୍ୟାସ ଲେଖିକା । ତାଙ୍କର ପ୍ରକାଶିତ ଗଳ୍ପ ସଂକଳନ ‘ସଭ୍ୟତାର ସାଜ’ (୧୯୫୦) ‘ପାଲଟାଢେଉ’ (୧୯୫୨) ଏବଂ ଉପନ୍ୟାସ ‘ଭଉଁରୀ’ (୧୯୫୫) ‘ଚୋରାବାଲି’ (୧୯୭୩) । ଏହା ବ୍ୟତୀତ କବିତା ସଂକଳନ (ଚତାନଳ) ଏବଂ ଦୁଇଟି ଏକାଂକିକା (ଜୁଆରଭଟ୍ଟା, ମୃଗତୃଷ୍ଣା) ତାଙ୍କର ସାହିତ୍ୟିତ ସିଦ୍ଧି । ଏହି ସୃଷ୍ଟି ସମ୍ଭାର ମଧ୍ୟରେ ଅମଡ଼ାବାଟ (୧୯୫୭) ତାଙ୍କର ଏକ ଅମ୍ଲାନ କୃତି ଏବଂ ‘ମାୟା’ ଚରିତ୍ର ଏକ ଅମର ସୃଷ୍ଟି ।

 

ଓଡ଼ିଆ ଉପନ୍ୟାସ ସାହିତ୍ୟର ଇତିବୃତି ଶତାଧିକ ବର୍ଷ ପ୍ରସାରିତ । ଖ୍ରୀ ୧୮୭୭-୭୮ରେ ଆତ୍ମପ୍ରକାଶ କରିଥିଲା ପ୍ରଥମ ଓଡ଼ିଆ ଉପନ୍ୟାସ ‘ସୌଦାମିନୀ’ । ଏହି ଶୁଭାରମ୍ଭ ଦୁଇଟି ଦଶକର କାଳାନ୍ତରରେ ପୂର୍ଣ୍ଣତା ପ୍ରାପ୍ତ ହେଲା, ଯେତେବେଳେ ୧୮୮୮ରେ ଉମେଶ ଚନ୍ଦ୍ର ସରକାର ଲେଖିଲେ ‘ପଦ୍ମମାଳୀ’ ଏବଂ ୧୮୯୮ରେ ଫକୀର ମୋହନ ଆରମ୍ଭ କଲେ ‘ଛମାଣ ଆଠଗୁଣ୍ଠ’ । ଖ୍ରୀ ୧୯୧୮ରେ ଫକୀର ମୋହନଙ୍କ ତିରୋଧାନ ସଂଗେ ତାଙ୍କ ଯୁଗର ବିକ୍ରମାବସାନ ଘଟିଲା । ତୃତୀୟ ଦଶକରେ ଓଡ଼ିଆ ଉପନ୍ୟାସର ଗତିପଥ ପରିବର୍ତ୍ତିକ ହେବାକୁ ଲାଗିଲା । ନୂତନ ପରୀକ୍ଷାର ସ୍ୱାକ୍ଷର ବହନ କରି ପ୍ରକାଶିତ ହେଲା ସପ୍ତ ଲେଖକଙ୍କ ସହଯୋଗୀ ସୃଷ୍ଟି ‘ବାସନ୍ତୀ’ (୧୯୨୪-୨୬) ମନୋବିଶ୍ଳେଷଣାତ୍ମକ ‘ମନେ ମନେ’ (୧୯୨୮) ସାମାଜିକ ସମସ୍ୟା ଆଧାରିତ ‘ମଲାଜହ୍ନ’ (୧୯୨୯) ଓ ସାମାଜିକ ରାଜନୈତିକ ପୃଷ୍ଠଭୂମିରେ ଆଧାରିତ ଜାତୀୟତାବୋଧ ଅନୁପ୍ରେରିତ ‘ମାଟିର ମଣିଷ’ (୧୯୩୧) । ଏହି ସମୟ ପରିଧିରେ ‘ମୁକୁର ଉପନ୍ୟାସମାଳା,’ ‘ଆନନ୍ଦ ଲହରୀ ଉପନ୍ୟାସମାଳା’ ଆଦି ସଂଘବଧ ପ୍ରକାଶନ ସଂସ୍ଥା ପୃଷ୍ଠପୋଷକତାରେ ଓଡ଼ିଆ ଉପନ୍ୟାସର ଗୁଣାତ୍ମକ ଓ ପରିମାଣାତ୍ମକ ଅଭିବୃଦ୍ଧି ସଂଘଟିତ ହେଲା । ଓଡ଼ିଆ ଉପନ୍ୟାସର ଏହି ଦ୍ୱିତୀୟ ପର୍ଯ୍ୟାୟରେ ଜଣେ ପ୍ରଧାନତମ ଲେଖକ ରୂପରେ କାହ୍ନୁଚରଣଙ୍କର ଅଭ୍ୟୁଦୟ ହେଲା । ଦୁର୍ଭିକ୍ଷ ପୃଷ୍ଠଭୂମିରେ ଲିଖିତ ତାଙ୍କର ‘ହା ଅନ୍ନ’ ଉପନ୍ୟାସ ୧୯୩୫ ରେ ପ୍ରକାଶିତ ହେଲାପରେ ସାମାଜିକ ବାସ୍ତବତାବାଦ ଅଭିମୁଖରେ ଓଡ଼ିଆ ଉପନ୍ୟାସର ଅଭିଯାତ୍ରା ଆରମ୍ଭ ହେଲା । ତା’ପରେ ଆସିଲେ ତାଙ୍କର ଅନୁଜ ମହାନ କ୍ରାନ୍ତିକାରୀ ଲେଖକ ଗୋପୀନାଥ ମହାନ୍ତି । ଏହି ସମୟରେ ଅନ୍ୟ ଯେଉଁମାନେ ଓଡ଼ିଆ ଉପନ୍ୟାସ ସାହିତ୍ୟକୁ ରୁଦ୍ଧିମନ୍ତି କରିଥିଲେ ସେମାନଙ୍କ ମଧ୍ୟରେ ବିଶେଷ ଉଲ୍ଲେଖନୀୟ–ରାଜକିଶୋର ପଟ୍ଟନାୟକ, ନିତ୍ୟାନନ୍ଦ ମହାପାତ୍ର, ସୁରେନ୍ଦ୍ର ମହାନ୍ତି, ପ୍ରାଣକୃଷ୍ଣ ସାମଲ, ଜ୍ଞାନୀନ୍ଦ୍ର ବର୍ମା, କମଳାକାନ୍ତ ଦାସ, ଶାନ୍ତନୁ କୁମାର ଆଚାର୍ଯ୍ୟ ପ୍ରମୂଖ ଔପନ୍ୟାସିକଗଣ ।

 

ଓଡ଼ିଆ ସାହିତ୍ୟରେ ଲେଖିକା ସ୍ୱଳ୍ପ । ପ୍ରାଚୀନ ଯୁଗରୁ ଗଣନା କରି ଆସିଲେ ଦେଖାଯାନ୍ତି. ମଧ୍ୟଯୁଗରେ ମାଧବୀ ଦାସୀ, ବୃନ୍ଦାବତୀ ଦାସୀ ଓ ନିଶଙ୍କ ରାୟରାଣୀ ଏବଂ ଆଧୁନିକ ଯୁଗରେ ରେବା ରାୟ, ସରଳା ଦେବୀ, କୁନ୍ତଳା କୁମାରୀ ସାବତ୍‍ ପ୍ରମୁଖ କେତେ ଜଣ ସୁନାମଧନ୍ୟା-। କଥା-ସାହିତ୍ୟରେ ବସନ୍ତ କୁମାରୀ ପଟ୍ଟନାୟକଙ୍କ ସମସାମୟିକ ଯେଉଁ କେତେଜଣ ଆବିର୍ଭୂତା ହୋଇଛନ୍ତି, ସେମାନଙ୍କ ମଧ୍ୟରେ ଉଲ୍ଲେଖନୀୟା-ପୀତାମ୍ୱରୀ ଦେବୀ, ଲବଙ୍ଗଲତା ଦେବୀ, ସୀତାଦେବୀ ଖାଡ଼ଙ୍ଗା, କ୍ଷୀରୋଦ୍ରା ପରିଜା, କଳ୍ପନା କୁମାରୀ ଦେବୀ, ଅମୂଲ୍ୟ କୁମାରୀ ଦେବୀ, ବନଜ ଦେବୀ, ସୁର ତରଙ୍ଗିଣୀ ଦେବୀ, ରାଜଲକ୍ଷ୍ମୀ ପଟ୍ଟନାୟକ, ହେମଲତା ମାନସିଂ, ନନ୍ଦିନୀ ଶତପଥୀ, କୁନ୍ତଳା କୁମାରୀ ଆଚାର୍ଯ୍ୟ, ବୀଣାପାଣି ମହାନ୍ତି ଓ କୁମୁଦ ଲତା ଦାସ । ଏମାନଙ୍କ ପରେ ଯଥେଷ୍ଟ ପ୍ରତିଭାଶଳିନୀ ଲେଖିକା ଭାବରେ ଦେଖାଦେଇଛନ୍ତି–ପ୍ରତିଭା ରାୟ, ବିଜୟିନୀ ଦାସ, ଶ୍ୱେତପଦ୍ମାସିନୀ ମହାନ୍ତି, ଶାନ୍ତିଲତା ମହାପାତ୍ର, ସୁକାମିନୀ ନନ୍ଦ ଓ ଗାୟତ୍ରୀ ବସୁ ମଲ୍ଲିକ । ଯା’ହେଉ, ଏମାନଙ୍କ ମଧ୍ୟରେ ବସନ୍ତ କୁମାରୀ ଅତ୍ୟନ୍ତଃ ଅମଡ଼ା ବାଟ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରିଣୀ । ଫକୀର ମୋହନ ସେନାପତି, ନନ୍ଦକିଶୋର ବନ, କୁନ୍ତଳା କୁମାରୀ ସାବତ, କାହ୍ନୁଚରଣ ମହାନ୍ତିଙ୍କ ପ୍ରବର୍ତ୍ତିତ ପରଂପରାର ସେ ଜଣେ ସୁଯୋଗ୍ୟ ଉତ୍ତରାଧିକାରିଣୀ ।

 

‘ଅମଡ଼ାବାଟ’ ଗୋଟିଏ ଏକରୈଖିକ ଉପନ୍ୟାସ ହେଲେହେଁ ଏଥିରେ ପ୍ରସଂଗାନୁକ୍ରମେ ଓଡ଼ିଆ ପରିବାର ଓ ସାମାଜିକ ଚଳଣିର କେତେକ ବିଶ୍ୱସ୍ତ ଚିତ୍ର ପ୍ରତିଫଳିତ ହୋଇଛି । ବିଶେଷତଃ ମାୟାର ମା’ ଓ ଶାଶୁଙ୍କ ସଂଗିନୀମାନଙ୍କ ସାମାଜିକ ଚଳଣି ସଚେତନତା, ପ୍ରରଚର୍ଚ୍ଚା ଓ ପ୍ରବାଦ ପ୍ରବଚନପୂର୍ଣ୍ଣ ସଂଳାପ, ନବବଧୂ ‘କାବେରୀ’ ଚରିତ୍ରର ସ୍ୱାର୍ଥନ୍ୱେଷାରେ କ୍ରମବିବର୍ତ୍ତନ, ମାୟାର ସାନଭାଇ ତିନିଜଣଙ୍କ ସହ କୌତୁକପୂର୍ଣ୍ଣ ସଂପର୍କ, ମୋହନର କନ୍ୟା ଦେଖା ଓ ବିବାହ, ମାୟାର ବିବାହ ବେଦୀରେ ଯୌତୁକ ଦାବୀ, ଦେଖଣାହାରୀ ନାରୀ ମେଳରେ କାବେରୀ ଓ ମାୟାର ବୋହୂପଣିଆର ମୂଲ୍ୟାୟନ, ମହୀବୋଉଙ୍କ ବାପଘର ପରିଭ୍ରମଣ ମାୟା ଶାଶୁଙ୍କର ସ୍ନେହ ଓ ଶାସନ ମିଶା ବ୍ୟବହାର ପ୍ରଭୃତି ପ୍ରସଂଗଗୁଡ଼ିକରେ ମଧ୍ୟବିତ୍ତ ଶ୍ରେଣୀୟ ଓଡ଼ିଆ ଘରର ହାଲଚାଲ ପ୍ରତିବିମ୍ୱିତ ହୁଏ ।

 

ବସନ୍ତ କୁମାରୀଙ୍କ ରଚନାର ଏକ ବିଶେଷ ମହତ୍ତ୍ୱ ତାଙ୍କର ଭାଷାଶୈଳୀ, ବର୍ଣ୍ଣନା ରୀତି ଓ ବକ୍ରୋକ୍ତିପୂର୍ଣ୍ଣ ସଂଳାପ, ସହଜ ସରଳ କଥ୍ୟ ଭାଷାରେ ହାସ୍ୟ କରୁଣ ରସର ପୁଟଦେଇ ସେ ପ୍ରତ୍ୟେକ ଚରିତ୍ର ଓ ଘଟଣାକୁ ହୃଦୟଗ୍ରାହୀ କରିଛନ୍ତି । ଏକ ପକ୍ଷରେ ମାୟାର ଚଗଲିପଣ ଓ ଅନ୍ୟ ପକ୍ଷରେ କାବେରୀର ଚତୁରିପଣ ବହୁ ଆମୋଦଦାୟକ ଘଟଣା କ୍ରମରେ ଅଭିବ୍ୟକ୍ତି ହୋଇଛି । ଏହିସବୁ ଘଟଣା ମାଧ୍ୟମରେ ଚରିତ୍ରର ବିଭିନ୍ନ ପ୍ରକୃତି ଉପରେ ଆଲୋକ ସଂପାତ ସ୍ୱାଭାବିକ ଭାବରେ ସେମାନଙ୍କ ସ୍ୱରୂପର ପରିଚୟ କିଏ । ମାୟା ଚରିତ୍ର ମାୟାଚ୍ଛନ୍ନ । ତା ଚରିତ୍ରର ପ୍ରକୃତ ସତ୍ତା ତାର ବାପାଙ୍କ ମନରେ ଯେପରି ଅଙ୍କିତ ହୋଇଛି, ତାହାହିଁ ସତ୍ୟ । ସମସ୍ତେ ତାକୁ ଖୁଣନ୍ତି, କିନ୍ତୁ ପିତାମ୍ୱର ବାବାଙ୍କ ବିଚାରରେ–‘‘ଏଇ ମାୟା, କିଏ କହେ ସେ ଅଣ୍ଡିରୀଚଣ୍ଡୀ, କିଏ କହେ କଳିହୁଡ଼ି, ଆଉ କିଏ ହୁଏତ କହେ ଉଦ୍ଧତ । ଗୋଟିଏ ଜିନିଷକୁ ବିଶ୍ଳେଷଣ କରି ଦେଖିବାର ଶକ୍ତି ଏ ଦେଶର ଲୋକଙ୍କ ପାଖରେ କାହିଁ ? ଏତେ କଷ୍ଟ କରି ଭିତର ଦେଖୁଛି କିଏ ? ବାହାରଟା ଦେଖିଲେ ସମସ୍ତେ ସନ୍ତୁଷ୍ଟ । ଏଇ ତାଙ୍କର ଝିଅ ମାୟା । କେହି କଣ ସତରେ ତାକୁ ଚିହ୍ନିଛି ? ତାତିଲା ନଈବାଲି ପରି ତାର କଥାରେ, ବ୍ୟବହାରରେ ଲୋକଙ୍କର ମୁହଁ ପୋଡ଼ିଯାଏ । କିନ୍ତୁ ତାଙ୍କର ମନେହୁଏ, ସେ ନିଜେ ବଡ଼ ଭାଗ୍ୟବାନ । ଏମିତି ଝିଅ କେଇଟା ଲୋକଙ୍କର ଅଛି ? ଭିତରର ନୀଚତାକୁ ଯେଉଁ ଝିଅମାନେ ଭଦ୍ରତାର ଢାଙ୍କୁଣୀରେ ଢାଙ୍କି ରଖନ୍ତି, ତା’ ଅପେକ୍ଷା କ’ଣ ଏହା ଯଥେଷ୍ଟ ଭଲ ନୁହଁ ?’’ ନିଜର ମାନସ କନ୍ୟା ସଂପର୍କରେ ସମ୍ଭବତଃ ଏହାହିଁ ଲେଖିକାଙ୍କ ନିର୍ଦ୍ଧାରଣ ।

 

ପ୍ରଖ୍ୟାତ ଓଡ଼ିଆ ନେତ୍ରୀ ଓ ସାହିତ୍ୟିକା ସରଳା ଦେବୀଙ୍କର ବସନ୍ତ କୁମାରୀ ଓ ଅମଡ଼ା ବାଟ ସମ୍ୱନ୍ଧୀୟ ଗୋଟିଏ ମନ୍ତବ୍ୟ ଏକାନ୍ତ ସ୍ମରଣୀୟ । ସେ କହିଛନ୍ତି ‘‘ନାରୀ ସାହିତ୍ୟ କହିଲେ ମୁଁ ଯାହା ବୁଝେ, ବସନ୍ତ କୁମାରୀ ସେହି ନାରୀ ହସ୍ତର ନାରୀ ଚିତ୍ତର ସାହିତ୍ୟ ଲେଖିବାରେ ଏ ଯୁଗରେ ଯଶସ୍ୱିନୀ ହୋଇଛନ୍ତି ।’’ (ଓଡ଼ିଆ ଉପନ୍ୟାସ ସାହିତ୍ୟର ପରିଚୟ, ୧୯୬୯) । ଅମଡ଼ା ବାଟ ବାସ୍ତବରେ ନାରୀ ଲେଖିକାଙ୍କର ନାରୀ ଜୀବନ ଚିତ୍ରଣ ପାଇଁ ଆକର୍ଷଣୀୟ । ସମୁଦାୟ ଉପନ୍ୟାସରେ ମାୟାର ବାପା, ବଡ଼ଭାଇ ଓ ସ୍ୱାମୀ–ଏହି ତିନିଜଣ ପୁରୁଷଙ୍କୁ ଛାଡ଼ିଦେଲେ ବାକି ସବୁ ମୁଖ୍ୟ ଓ ଗୌଣ ଚରିତ୍ରଗଣ ନାରୀ । ସମାନ୍ତରାଳ ଭାବରେ ଅଛନ୍ତି ମାଆ ଓ କାବେରୀ ଏବଂ ମହୀବୋଉ ଓ ମାୟାଶାଶୁ, ଏମାନଙ୍କୁ ପରିବୃତ୍ତ କରିଛନ୍ତି ଯଦୁବୋଉ, ମିନିବୋଉ, ଆଈବୁଢ଼ୀ, ସୁରମା, ବିନ୍ଦୁ, ପାର, ବିଜୁବୋଉ, ମାଳଦେଈ, ଇନ୍ଦୁମତୀ, ଦମୟନ୍ତୀ, ଖୁସୀବୋଉ ଇତ୍ୟାଦି ଅନେକ ନାରୀ ଏବଂ କେତୋଟି ଶିଶୁ । ବସନ୍ତ କୁମାରୀ ଫମିନିଷ୍ଟ (ନାରୀବାଦୀ) ନୁହନ୍ତି, ଫେମିନାଇନ୍‍ (ନାରୀଧର୍ମୀ) ଲେଖିକା । ନାରୀ ଚରିତ୍ର ଚିତ୍ରଣରେ ପୁରୁଷ ଲେଖକଙ୍କ ସିଦ୍ଧିର ଭିତ୍ତି ଆନୁମାନକତା, କିନ୍ତୁ ବସନ୍ତ କୁମାରୀଙ୍କ ପରି ଲେଖିକାଙ୍କ ଶକ୍ତି ଆନୁଭାବିକତା । ଏଣୁ ମାୟା ଏତେ ପ୍ରାଣବନ୍ତୀ, ସ୍ୱଭାବ ସୁନ୍ଦର ଘରୋଇ ଏବଂ ଏକ ଶାଶ୍ୱତ ସତ୍ୟ ।

 

ଖଗେସ୍ୱର ମହାପାତ୍ର

 

କଟକ ସହରର ଅସଂଖ୍ୟ ଘର ଭିତରୁ ସେ ବି ଗୋଟିଏ–ଦୋ’ତାଲା କୋଠା । ଦେଖିଲେ ମନେ ହୁଏ ବହୁତ ପୁରୁଣା ।

 

ଖଣ୍ଡେ ତେଲଚିକିଟା ଆରାମଚୌକି ଉପରେ ଗୋଡ଼ହାତ ମେଲେଇ ପୀତାମ୍ୱରବାବୁ ବସି ମନର ଖିଆଲରେ ପାଟିରୁ ଧୂଆଁ ଛାଡ଼ୁଥିଲେ । ଚୌକିର ହାତ ଉପରେ ଅଧାଖିଆ ଚା’ ବାଟି । ଗୋଡ଼ ପାଖରେ ଘରର ପୋଷା କୁକୁରଟି ବସି ସେହି ବାଟିକୁ ଏକଲୟରେ ଚାହିଁ ରହିଥିଲା । ପୀତାମ୍ୱରବାବୁ ଭାବୁଥିଲେ ନିଜ ପରିବାରର କଥା.....ଏଇ କାଲିପରି ଲାଗୁଛି–ବଡ଼ ପୁଅ ମୋହନର ଜନ୍ମ । କିନ୍ତୁ ଆଜି ସେ ନିଜ ଗୋଡ଼ରେ ଠିଆହୋଇ ଶିଖିଲାଣି । ତା’ରି କଥା ମନରେ ଆସିଲେ ତାଙ୍କର ଭାରୀ ମନଟା ହଠାତ୍ ହାଲୁକା ହୋଇଯାଏ । ଆଉ ମାୟା–ତାଙ୍କର ଗୋଟିଏ ବୋଲି ଝିଅ । ତା କଥାର ଚାତୁରୀରେ ସେ ନିଜ କେଜାଣି କେତେଥର ବାନ୍ଧିହୋଇ ଯାଇଛନ୍ତି । ଏଇ ବର୍ଷ ମାଟ୍ରିକ୍ ପାସ୍ କରିଯିବ । ଆଉ ଦି’ଚାରିଟା ବର୍ଷ ପରେ ସେ ବି ଏକକରମ ପାରିଯିବ । ବାକି ରହିଲେ ସାନ ପୁଅ ତିନୋଟି–ପ୍ରତାପ, ରଞ୍ଜନ ଓ ପହଲି । ବଡ଼ ହେବାକୁ ସେମାନଙ୍କର ଆହୁରି ଅନେକ ଡେରି । ସବୁଠୁ ସାନ ପୁଅ ପହଲିକୁ ଆଉ କେଇଟା ମାସରେ ଛ’ ପୂରିଯିବ । ଏମାନେ ପାରିଉଠିଲା ବେଳକୁ ସେ ନିଜେ ହୁଏତ ଦୁନିଆରୁ ବିଦାୟ ନେଇ ସାରିଥିବେ ।

 

ବେଳେବେଳେ ତାଙ୍କ ମନରେ ଦୁଃଖ ହୁଏ–ଏଇ ପିଲା ତିନୋଟିଙ୍କ ପାଇଁ ସେ କିଛି କରି ପାରିନାହାନ୍ତି । କିନ୍ତୁ ସେ ଦୁଃଖ ବେଶି ବେଳ ରହିପାରେ ନାହିଁ । ଗେହ୍ଲାଝିଅ ମାୟାର ପଦେ କଥାର ଦମକା ପବନରେ ମନର ସବୁ ମେଘ କାହିଁ ଦୂରକୁ ଭାସିଯାଏ । ସାରା ଜୀବନ ଖଟି ଖଟି ମୁଠା ମୁଠା ଟଙ୍କା ତାଙ୍କୁ ଯାହା ଦେଇପାରି ନଥିଲା, ଆଜି ଏ ବୁଢ଼ା ବୟସରେ ମନେହୁଏ ଏହି ପିଲାମାନଙ୍କ ଭିତରେ ତାହା ପାଇପାରିଛନ୍ତି ।

 

ପୀତାମ୍ୱରବାବୁଙ୍କୁ ଛାଡ଼ିଦେଲେ ବଡ଼ ପୁଅ ମୋହନ ହେଉଛି ପିଲାମାନଙ୍କ ଭିତରେ ମୁରବୀ । ତା’ପାଖରେ ସମସ୍ତଙ୍କର ଅଳିଝଳି, କଳିକଜିଆ ମେଣ୍ଟା ମେଣ୍ଟି ହୋଇଥାଏ । ତା’ର ପ୍ରଧାନ କାରଣ ହେଉଛି ସେ କାହାରି ଉପରେ ରାଗେ ନାହିଁ । କିନ୍ତୁ ମୋହନ ମନ ଭିତରେ ବୁଝେ ଯେ, ତା’ ଅପେକ୍ଷା ମାୟାର ଆଧିପତ୍ୟ ପିଲାମାନଙ୍କ ଉପରେ ବେଶି । କହିବାକୁ ଗଲେ ମାୟା ହେଉଛି ଏ ତିନୋଟି ସୈନ୍ୟଙ୍କର ସେନାପତି ।

 

ଆଉ ଗୋଟିଏ କଥା ପିଲାମାନେ ଭଲରକମ ମନେ ରଖିଥାନ୍ତି । କିଛି ମାଗିବା ଦରକାର ପଡ଼ିଲେ ମୋହନ ସକାଳୁ କାମରେ ଗଲାବେଳେ କେବେହେଲେ ମାଗନ୍ତି ନାହିଁ । ସେତେବେଳେ ମୋହନ ବଡ଼ ଗମ୍ଭୀର ଦେଖାଯାଏ–କଣ ଯେମିତି ଭାବୁଥାଏ । ସେତେବେଳେ କେହି ଯଦି କିଛି କହେ, ତେବେ ସାଙ୍ଗେ ସାଙ୍ଗେ ହାତ ହଲେଇ ହଲେଇ ଚାଲି ଯିବାକୁ ଇଙ୍ଗିତ ଦିଏ-। ତଥାପି ଯଦି ନ ଯିବ, ତେବେ ଅତି ବେଶିରେ ଦି’ପଦ କଥା–‘ଅଫିସରୁ ଫେରିଲେ ।’ ସେତିକିରେ ପିଲାଏ ଫେରିଯାନ୍ତି ।

 

ପିଲାମାନେ ମଧ୍ୟ ଲକ୍ଷ୍ୟ କରିଛନ୍ତି, ଅଫିସରୁ ଫେରିବା ସଙ୍ଗେ ସଙ୍ଗେ ଯଦି ସେମାନଙ୍କ ‘ଦାବୀ’ ମୋହନ ଆଗରେ ଜାହିର କରାଯାଏ, ତେବେ ସେଥିରୁ ଆଠ ପଣ କଟିଯାଏ । ତେଣୁ ପିଲାମାନେ ଅତି କଷ୍ଟରେ ତଣ୍ଟିକୁ ଚାପି ସମ୍ଭାଳି ନିଅନ୍ତି ମୋହନ ଖାଇସାରିବା ଯାଏଁ । ମୋହନ ଖାଇଲାବେଳେ ପିଲାମାନଙ୍କର ଗୋଡ଼ ଦି’ଟା ଅଲକ୍ଷ୍ୟରେ ସେମାନଙ୍କୁ ଟାଣି ନେଇଯାଏ ଖାଇବା ଘରକୁ, ପାଟି ମେଲା ହୋଇଯାଏ କ’ଣ କହିବାକୁ, ହୁଏତ ଗୋଟାଏ ଅଧେ ପଦ ବି କେତେବେଳେ କେମିତି ବାହାରିପଡ଼େ । କିନ୍ତୁ ତାକୁ ରୋକି ନେଇ ସେମାନେ ମୋହନର ବଖରା ବାହାରେ ବସି ଅପେକ୍ଷା କରନ୍ତି । ମଝିରେ ମଝିରେ ଜଣେ ଯାଇ ଦେଖିଆସେ ଖିଆ ସରିଲାଣି କି ନାହିଁ । ଅଫିସ ଫେରନ୍ତି ମୋହନର ଚୁଡ଼ା ପରି ସେମେଟା ମନ, ଖାଇସାରି ବୁଲି ବାହାରିଲାବେଳେ ହୁଡ଼ୁମ ପରି ଫୁଲିଯାଏ । ଶଙ୍କରାଚାର୍ଯ୍ୟଙ୍କର ‘ମୋହମୁଦ୍‌ଗର’ ସ୍ୱର ଲମ୍ବେଇ ବୋଲି ବୋଲିକା ସେ ନିଜ ବଖରା ଭିତରକୁ ପଶେ । ସେଇ ହେଉଛି ‘ଦାବୀ’ ଜଣେଇବାର ପ୍ରକୃଷ୍ଟ ସମୟ । ମୋହନର ମୁହଁ ଦେଖି ସମସ୍ତେ ସେତକ ବୁଝି ନଅନ୍ତି ।

 

ସେଦିନ ଅଫିସ୍‌ରୁ ଫେରି ଖାଇସାରି ମୋହନ ଯେମିତି ଘରେ ପଶିଛି ମାୟା ଆସି ପାଖରେ ଠିଆ ହେଲା । ପଛଆଡ଼େ ପ୍ରତାପ, ରଞ୍ଜନ ଓ ପହଲି ।

 

–ଭାଇ, ଇସ୍କୁଲରେ ମୋତେ କହିଲେ, ତୋର ବାପା ବଡ଼ ଲୋକ, ଭାଇ ଡାକ୍ତର, ତୁ ଗଣେଶ ପୂଜା ପାଇଁ ପାଞ୍ଚଟଙ୍କା ଚାନ୍ଦା ଦେବୁ ।

 

–ତୁ ତ ଆଗ ବଳିପଡ଼ି କହିଥିବୁ ।

–ଭାଇ ବିଦ୍ୟାରାଣ, ସେମାନେ ମୋତେ ଆଗେ କହିଲେ ।

 

–ତେବେ ତୁ ଗୋଟାଏ କାମ କର । ଟଙ୍କାଏ ଚାନ୍ଦା ଦେଇ କହିବୁ ଯେ, ଘରେ କହିଲେ ଏତେ ଛୋଟ ପିଲା ପାଞ୍ଚ ଟଙ୍କା ଦେଇପାରିବ ନାହିଁ । କହି ମୋହନ ଥରେ ମାୟା ମୁହଁକୁ ଚାହିଁଲା ।

 

–ବାଃ’ରେ ମୁଁ କାଇଁ ସେ କଥା କହିବାକୁ ଯିବି ? ଆମର ତ ସବୁଠୁ ବଡ଼ କ୍ଳାସ । ପିଲାଏ ତ ଦଶ ଟଙ୍କା ବି ଦଉଛନ୍ତି– ରଜାଝିଅମାନେ ।

 

–ଆଉ ତେବେ କ’ଣ କହୁଛୁ ?

–ଟଙ୍କାଟା ଦେଇ ଦିଅ ।

ମାୟା ପଛଆଡ଼ୁ ପ୍ରତାପ ବାହାରି ଆସିଲା । ଭାଇ ଆମର ଦୁଇ ।

–ଏଁ ! ଦୁଇ ! ତୋର କେଉଁ କ୍ଳାସ ହେଲା ?

ସେଭେନ୍‌ ! ଛାତି ଫୁଲେଇ ପ୍ରତାପ ଠିଆ ହେଲା । ପାଖରେ ରଞ୍ଜନ ।

 

ଟଙ୍କା ନେଇ ବାହାରି ଯାଉ ଯାଉ ଅଧା ବାଟରୁ ମାୟା ପୁଣି ଫେରିଆସିଲା । ‘‘ଭାଇ, ସେ କାହିଁକି ଦୁଇ ନବ ? ଏତେ ଛୋଟ କ୍ଳାସ ? ମୁଁ ସେଭେନ୍‌ଥ୍‌ କ୍ଳାସରେ ପଢ଼ିଲାବେଳେ ତ ଏକ୍‌ ଦେଇଥିଲି ।’’

 

ଚିଡ଼ି ଉଠି ପ୍ରତାପ ଜବାବ ଦେଲା–ଛୋଟ କ୍ଳାସ କଣ ? ଆମର ତ ସବୁଠୁ ଉପର ଶ୍ରେଣୀ । ପିଲାମାନେ ଆଉରି ବେଶି ଦଉଛନ୍ତି । ମୁଁ ତ କମ୍‌ କରି ନେଉଛି ।

 

–ଇସ୍ ଲେଣ୍ଟି ସ୍କୁଲରେ ପୁଣି ଦି’ଟଙ୍କା ଚାନ୍ଦା ! ଭାଇ, କହିଦଉଛି ଜାଣିଥା ତାକୁ ଯଦି ଦି’ଟଙ୍କା ଦବ ମୁଁ ଆଉ ଗୋଟିଏ ଟଙ୍କା ନେବି ।

 

–ଇସ୍‌ ! ଲେଣ୍ଟି ସ୍କୁଲ ! କହନା ମ ଆଉ । ତମରି ଇସ୍କୁଲ ଧତ୍‌ତଡ଼ା ।

ମୋହନ ମୁଣିରୁ ଟଙ୍କା ବାହାର କରି ପ୍ରତାପ ଓ ରଞ୍ଜନକୁ ଦେଲା ।

–ସେମିତି ହେଲେ ମତେ ଆଉ ଗୋଟିଏ ଦିଅ ।

–ନା’ ମୋହନର ସ୍ୱରରେ ଦୃଢ଼ତା ।

–ତାହାହେଲେ ତମ ଟଙ୍କା ଫେରେଇ ନେଇଯାଅ….. ଦରକାର ନାହିଁ ମୋର । ଟଙ୍କାତକ ଫିଙ୍ଗିଦେଇ ରାଗରେ ମାୟା ଚାଲିଗଲା ।

 

ତଳେ ପଡ଼ିଥିବା ଟଙ୍କାକୁ ମହା ଉତ୍ସାହରେ ପହଲି ଗୋଟେଇବାରେ ଲାଗିଗଲା– ଇଏ ମୋର, ଇଏ ମୋର ।

 

–ନାଇଁ ସେ ଅପାର । ତାକୁ ରଖି ଦେ । ଆଚ୍ଛା ପହଲି, ତୋ’ର ତ ଇସ୍କୁଲ ନାହିଁ । ତୁ କୋଉଠି କରିବୁ ? ପହଲିକୁ ଚାହିଁ ମୋହନ କହିଲା ।

 

–ଘରେ କରିବି ।

–ତୋର କେତେ ?

ପହଲି ପତୁ ଭାଇ ଆଡ଼କୁ ଚାହିଁଲା । ମୋହନ ପଛରେ ଠିଆ ହୋଇ ପ୍ରତାପ ଗୋଟିଏ ଆଙ୍ଗୁଠି ଦେଖେଇଥାଏ ।

 

–‘‘ମୁଁ ଗୋଟାଏ ନେବି’’, ପହଲି କହିଲା ।

ଟଙ୍କିକିଆ ନୋଟ ଖଣ୍ଡେ ପହଲି ହାତରେ ଧରେଇ କଦେଇ ମୋହନ ପାଟିକଲା ‘‘ଧାଇଁ ପଳା ସମସ୍ତେ । ମୋର ସେଣେ ଡେରି ହେଇଗଲାଣି ।’’ ସମସ୍ତେ ଚାଲିଗଲେ ଏକା ପହଲିକି ଛାଡ଼ି-

 

–କିରେ, ତୋର ପୁଣି କ’ଣ ହେଲା ?

–ମୁଁ ୟାକୁ ନେବି ନାଇଁ । ମତେ ଗୋଟିଏ ଗୋଲ ଟଙ୍କା ଦିଅ ।

–ଆଃ

ଓଠ ଫଟେଇ ପହଲି ସଙ୍ଗେ ସଙ୍ଗେ କାନ୍ଦିବାକୁ ଆରମ୍ଭ କଲା ।

–ଆଛା, ଆଛା, ଦଉଛି... ଗୋଲ ଟଙ୍କା ତ ନାହିଁ, ଦି’ଟା ଆଠଣି ଦେଲେ ହବ ?

–ହଁ ।

 

ଦି’ଟା ଆଠଣି ବଦଳ କରି ମୋହନ କହିଲା, ‘‘ଯା ନହେଲେ ଏଥର ମୁଁ ରାଗିଯିବି ।’’ ମୋହନ ତରତର ହେଇ ଘରୁ ବାହାରିଗଲା ।

 

ବୁଲିସାରି ସନ୍ଧ୍ୟାବେଳକୁ ମୋହନ ଘରକୁ ଫେରିଆସି ଦେଖିଲା ଦାଣ୍ଡଘରେ ରୋଗୀ ଅପେକ୍ଷା କରି ବସିଛନ୍ତି । ରୋଗୀ ଦେଖିବାକୁ ଯାଇ ମୋହନ ଏଠିସେଠି କ’ଣ ଖୋଜିବା ଭଳି ହେଲା । ଟେବୁଲ ଉପର, ହାତ ବ୍ୟାଗ ଖୋଜିସାରି ଘର ଭିତରକୁ ପଶିଯାଇ ଅଗଣାରେ ଡାକ ଛାଡ଼ିଲା, ‘‘ପତୁ !’’

 

ଦୋ’ତାଲା ବାରଣ୍ଡାରୁ ଜବାବ ଆସିଲା– ଆ– ଗି–ଆଁ –?

–ମୋ ଷ୍ଟେଥୋ କିଏ ନେଇଛି ?

ପ୍ରତାପ ରଞ୍ଜନକୁ ଚାହିଁ ଟିକିଏ ବେଳ ରହିଯାଇ କହିଲା, ‘‘ଆମେ ଜାଣିନୁ ।’’

ମୋହନ ଚିଡ଼ି ଉଠିଲା ‘‘ଏ ଘରେ କିଏ ପଶିଥିଲା ?’’

–ଆମେ ପଶିନୁ ।

ମୋହନ ପୁଣି ଡାକ ଛାଡ଼ିଲା– ‘‘ମାୟା’’ !

 

ମାୟାଠାରୁ କୌଣସି ଉତ୍ତର ନ ପାଇ ଚିଡ଼ିଯାଇ ପୁଣି କହିଲା–ଏ ମାୟା ସେଇଠି ବସିଚୁ ତତେ ଶୁଭୁ ନାହିଁ ?

 

ସମାନ ତୋଡ଼ରେ ପାଲଟା ଢେଉ ଆସିଲା– ‘‘କାହିଁକି ଡାକୁଛ ?’’

–ମୋ ଷ୍ଟେଥୋ ଦେଖିଚୁ ?

–ତମ ଜିନିଷ ମୁଁ ଛୁଏଁ ନାଇଁ ।

–ଉଃ, ମଣିଷକୁ ଆଉ ଏ ଘରେ ରଖେଇ ଦେବେ ନାହିଁ ।

 

ମୋହନ ଜାଣେ ମାୟା ତାକୁ କୋଉଠି ଲୁଚେଇ ଦେଇଛି । କିନ୍ତୁ ଚିଡ଼ିଲେ କାମ ଚଳିବ ନାହିଁ । ଟିକିଏ ନରମି ଯାଇ କହିଲା–‘‘ତେବେ ଆସ ଖୋଜି ଦେଇଯିବ ।’’

 

ଲଙ୍କାରେ ମାଙ୍କଡ଼ସେନା ପଶିଲା ପରି ପତୁ, ରଞ୍ଜୁ ଓ ପହଲି ମୋହନ ବଖରା ଉଦ୍ଦେଶ୍ୟରେ ଧାଇଁଲେ । ନିଜ ଜାଗାରେ ସେମିତି ବସିରହି, ମୁଣ୍ଡକୁ ସାମାନ୍ୟ ବଙ୍କେଇ ମାୟା ବୈଠକଖାନା ଦୁଆରମୁହଁକୁ କଣେଇ କଣେଇ ଚାହିଁଥାଏ, ଆଉ ଥରକୁ ଥର ଦାନ୍ତରେ ଦାନ୍ତ ଚିପି କହୁଥାଏ–ଠିକ୍‌ ହେଇଚି, ଠିକ୍‌ ହେଇଚି । କେମିତି ମଜା !

 

ମୋହନ ବଖରାରେ ପଶିବାର ସୁବିଧା ମିଳିଛି । ଘରେ ପଶୁ ନ ପଶୁନୁ ପିଲାଙ୍କର ଆଖି ଯାଇ ପଡ଼ିଲା ଟେବୁଲ ଉପରେ ଗଦା ହୋଇଥିବା ଚିଠିପତ୍ର ଉପରେ । ଷ୍ଟେଥୋ ଖୋଜିବା କଥା ଭୁଲିଯାଇ ପିଲାମାନେ ଚିଠି ଝାଡ଼ିବା ବାହାନାରେ ଡାକଟିକଟ ଖୋଜିବାରେ ଲାଗିପଡ଼ିଲେ ।

 

–କିରେ ଚିଠି ଭିତରେ କ’ଣ ଷ୍ଟେଥୋ ପଶିଛି ?

ଚମକିପଡ଼ି ବଡ଼ ଦିହେଁ କହିଲେ, ‘‘ନାଇଁ ଆମେ ଟେବୁଲ ଦେଖୁଛୁ, କାଳେ ରହିଯାଇଥିବ-।’’

–ଏଠି ନାହିଁ ଅନ୍ୟ ଆଡ଼ ଖୋଜ ।

କିଛି ବେଳ ଖୋଜିବା ପରେ ଘର କାନ୍ଥ ଓ ଔଷଧ ଆଲମାରୀ ସନ୍ଧି ଭିତରୁ ଷ୍ଟେଥୋ ମିଳିଲା । ସେଇ ଷ୍ଟଥୋ ହାତରେ ମୋହନକୁ ରୋଗୀଙ୍କ ନିକଟକୁ ଯିବା ଦେଖି ମାୟାର ରାଗ ଯେମିତି ଆହୁରି କୁହୁଳି ଉଠିଲା ।

 

ତେଣିକି ଦେଖାଗଲା ମୋହନର ବହିପତ୍ର ଓ ଔଷଧ ଆଲମାରୀ ବାରମ୍ୱାର ଖେଳାମେଳା ହୋଇ ପଡ଼ୁଛି ।

 

ଗଣେଶ ପୂଜାର ଦିନ ଯେତେ ପାଖେଇ ଆସିଲା ମାୟାର ରାଗ ସେତେ ବଢ଼ି ବଢ଼ି ଚାଲିଲା । ଶେଷକୁ ଅବସ୍ଥା ଏମିତି ଅସମ୍ଭାଳ ହେଲା ଯେ, ଦିନେ ବାଧ୍ୟହୋଇ ମୋହନ ବୁଲିସାରି ଫେରିଲାବେଳେ ଟଫି ଓ ଲଜେନ୍‌ସ କିଣିଆଣି ମାୟାର ଟେବୁଲ ଉପରେ ଠୁଙ୍ଗାଟା ରଖିଦେଇ କହିଲା–‘‘ଗଣେଶ ପୂଜା ପାଖ ହୋଇଗଲା–ତୁ ଚାନ୍ଦା ଦେବୁ ନାହିଁ ?’’

 

ଲଜେନ୍‌ସ ନ ଦେଖିଲା ଭଳିଆ, ବହିକି ଚାହିଁ ମୁହଁ ଫୁଲେଇ ମାୟା ଜବାବ ଦେଲା ‘‘ନା-।’’

–ନାଇଁ, ନାଇଁ ରାଗୁଚୁ କାହିଁକି ? ଚାନ୍ଦା ଦେଇ ଦେ ।

ପଇସା ମୁଣିରୁ ଟଙ୍କା କାଢ଼ି ମୋହନ ଟେବୁଲ ଉପରେ ରଖି କହିଲା–‘‘ପାଞ୍ଚ ଟଙ୍କା ।’’

–ମୁଁ ନେବି ନାହିଁ କହୁଛି ।

–ଆଚ୍ଛା ହଉ । ଆଉ ଗୋଟିଏ ଟଙ୍କା ତୋ ରାଗପାଇଁ ସୁଧ ଦେଲି ।

 

ମାୟା ସେମିତି ବହିକି ଚାହିଁ ବସିଥାଏ । ମୋହନ ଚାଲିଗଲା । ମାଙ୍କଡ଼ ପରି ହୁଙ୍କିପଡ଼ି ମାୟା ଭଲ କରି ଦେଖିଲା ମୋହନ ଆଖି ଆଗରେ ଦିଶୁଛି କି ନାହିଁ । ତା’ପରେ ଟଙ୍କାଟା ନିଜେ ଥରେ ଗଣିନେଇ ବହି ଭିତରେ ରଖି ଠୁଙ୍ଗାରୁ ଗୋଟିଏ ଲଜେନ୍‌ସ ବାହାର କରି ପାଟିରେ ପୂରେଇ ଦେଇ ଆଖିବୁଜି ବସିଲା–ଜିନିଷଟା ପ୍ରକୃତରେ ଭଲ ଲାଗୁଛି କି ନାହିଁ ଧ୍ୟାନରେ ବୁଝିବାକୁ । ତା’ପରେ କହିଲା–ବାଜେ, ବାଜେ । ପରମ ଅନାଶକ୍ତିର ଭାବ ଦେଖେଇ ଠୁଙ୍ଗାଟା କାଖକୁ ଟାଣି ଆଣି ଥରେ ଭିତରକୁ ଚାହିଁଲା । ଚକ୍‌ଚକିଆ ଲଜେନ୍‌ସରୁ ଗୋଟିଏ ପାଟିରେ ପୂରାଇ ଦେଇ ଛେପ ଢୋକି ତାକୁ ବିରକ୍ତିରେ ଭାଡ଼ୁ ଭାଡ଼ୁ କରି ଚୋବେଇ ପକେଇ ନିଜକୁ ଶୁଣାଇଲା ଭଳି ବଡ଼ ପାଟିରେ କହିଲା, ‘‘ଖାଲି ଚିନି….. ହୁଁ, ମୁଁ ଛୁଆଟିଏ ହେଇଚି ନା । ମତେ ଠକା ହେଉଚି !’’

 

ପ୍ରତାପ, ରଞ୍ଜନ ଓ ପହଲି ଦୂରରୁ ଚାହିଁଛନ୍ତି । ପାଖକୁ ଆସିଲେ ମାୟା ବାଡ଼େଇବ–ସେମାନଙ୍କ ଉପରେ ସେଇ ଚାନ୍ଦା କଥାରୁ ଚିଡ଼ିକରି ରହିଛି । ଏଣେ ମୋହନ ଗଳାବେଳେ ସେମାନଙ୍କୁ ଚୁପ୍‌ ଚୁପ୍‌ କହିଦେଇ ଯାଇଛି, ‘‘ଲେବନ୍‌ଚୁସ୍ ମାୟାକୁ ଦେଇ ଆସିଛି–ସେ ତମକୁ ଆପେ ଦେବ, ତାକୁ ମାଗିବ ନାହିଁ ।’’ କ’ଣ କରିବେ ପିଲାଗୁଡ଼ାକ ବୁଝିପାରିଲେ ନାହିଁ । ମାୟା ପାଖକୁ ଯାଇ ଜୋର କଲେ ସେ ରାଗିଯିବ–ମୋଟରୁ ଦେବ ନାହିଁ । ଏଣେ ନ ଗଲେ ମାୟା ଚାଖୁ ଚାଖୁ ଯଦି ସବୁ ଚାଖି ଦିଏ ? ଏତେ ବସି କଣ ଚାଖୁଛି ? ପିଲାମାନେ ମନେ ମନେ ପ୍ରମାଦ ଗଣିଲେ ।

 

ଠୁଙ୍ଗାରୁ ଖୋଜି ଖୋଜି ମାୟା ଯେତିକି ବେଶି ଚାଖିଲା, ତା ମୁହଁରେ ସେତିକି ବିରକ୍ତିର ଚିହ୍ନ ଫୁଟି ଉଠିଲା । ଶେଷରେ ନିରାଶ ହୋଇ ପାଟିରେ ଗୋଟିଏ ପୂରେଇ ଠୁଙ୍ଗାଟାକୁ ପେଲି ଦେବାକୁ ଯାଉଛି, ହଠାତ୍‌ ତା ମୁହଁର ଚେହେରା ବଦଳିଗଲା । କଳରେ ସେଇଟା ଯାକି ମାୟା ଚୌକି ଉପରେ କିଛିବେଳ ଆଉଜି ବସିଲା । ଯେତିକି ଥର ଛେପ ଢୋକୁଥାଏ, ତା’ମୁହଁର କୁଞ୍ଚିତ ରେଖାଗୁଡ଼ିକ ସେତିକି ଶୀଘ୍ର ମିଳେଇ ଯାଉଥାଏ । ଆଖି ଦୁଇଟା ମେଲା ରହିଛି, କିନ୍ତୁ ସେ ବାହାରର କିଛି ଦେଖୁନାହିଁ । ଜିଭ ଉପରେ ସେଇ ଲଜେନ୍‌ସର ଯେଉଁ ପ୍ରତିକ୍ରିୟା ଚାଲିଛି, ତାର ଗୋଟାଏ ଗୋଟାଏ ଗାର ଯାଇ ଟାଣି ହୋଇଯାଉଛି ମନ ଉପରେ । ମାୟା ଏକଲୟରେ ମନର ସେହି ଅଦେଖା ଗାରଗୁଡ଼ାକ ପଢ଼ିଯାଉଛି । ପାଟି ଖାଲି ହେବାପରେ ସେଇଥିରୁ ଆଉ ଗୋଟାଏ କଳରେ ଯାକି ପିଲାମାନଙ୍କ ଆଡ଼କୁ ଚାହିଁଲା ।

 

–କିହୋ ବାବୁମାନେ, ସେମିତି ରାକ୍ଷସଙ୍କ ଭଳିଆ ଚାହିଁଛ କାହିଁକି ?

–‘‘ଭଲ ?’’ ପ୍ରତାପ ପଚାରିଲା ।

 

–ବେଶି ବାଜେ ଅଳ୍ପ ଭଲ । ଆଚ୍ଛା ସମସ୍ତେ ଏଠିକି ଆସ । ମାୟା ପାଟିରୁ କଥା ନ ସରୁଣୁ ସମସ୍ତେ ଧାଡ଼ିବାନ୍ଧି ଆସି ଛିଡ଼ା ହୋଇଗଲେ ।

 

ଟେବୁଲ ଉପରେ ଠୁଙ୍ଗାଟା ଅଜାଡ଼ି ଦେଇ, ଚେହେରା ଅନୁସାରେ ସେଗୁଡ଼ିକୁ ଅଲଗା ଅଲଗା ଜମା କରି ବଡ଼ ଛୋଟ କରି, ଚାରୋଟି ଭାଗ କଲା । ତିନିଖଣ୍ଡ କାଗଜରେ ତିନି ପିଲାଙ୍କର ନାଁ ଲେଖି ତହିଁରେ ଗଣା ହୋଇଥିବା ଲଜେନ୍‌ସ ପୂରେଇ ତିନୋଟି ପୁଡ଼ିଆ କଲା । ସେଗୁଡ଼ିକ ଟେବୁଲ ଉପରେ ଅଲଗା ରଖିଦେଇ ପଚାରିଲା, ‘‘ତମକୁ ଲେବନ୍‌ଚୁସ୍‌ ଦେଲି । ତମେ ମୋର ଗୋଟାଏ କାମ କରିଦେବ ନାହିଁ ?’’ ତୁଚ୍ଛା ପାଟିରୁ ଏକ ସାଙ୍ଗରେ ଶୁଖିଲା ଉତ୍ତର ଆସିଲା ‘‘ହଉ’’ ।

 

ଦି ହାତରେ ପିଲାଙ୍କର ପିଠି ଥାପୁଡ଼େଇ ମାୟା କହିଲା– ବାଃ, ସାବାସ୍ ! ଏମିତି ହେଲେ ଯେ କହନ୍ତି ଭଲ ପିଲା । ସବୁବେଳେ ବଡ଼ଙ୍କର କଥା ମାନିବ..... । ଆଚ୍ଛା ପତୁ, ତୁ ଯା’କି, ଗୋଟାଏ ପ୍ଲେଟ୍ ଆଉ ଗୋଟାଏ ଚାମୁଚ ନେଇ ରୋଷେଇ ଘରେ ପୂଝାରୀ କଦଳୀ ଭଣ୍ଡା ଚପ୍‌ ଭଜୁଛି ତା’ଠାରୁ ଦି’ଟା ତୋ’ର ନାଁ କହି ମାଗି ଆଣିବୁ….. ଆଉ ରଞ୍ଜୁ ତୁ ଭଣ୍ଡାର ଘରକୁ ଯିବୁ । ଆଜି ଖରାବେଳେ ବୋଉ ଯେଉଁ ତେନ୍ତୁଳି ଆଚାର କରିଥିଲା ସେଥିରୁ ପୁଳାଏ ଆଣିବୁ । ଧରାପଡ଼ିଗଲେ ମୋ ନାଆଁ କହିବୁ ନାହିଁ, ତୋରି ନାଆଁ କହିବୁ, ବୁଝିଲୁ ? ତୁ ଖାଇବୁ ବୋଲି କହିବୁ । ତୁ ଖାଇବୁ..... ତୁ ଖାଇବୁ...... ମନେ ରହିଲା ?

 

ତା’ପରେ ଗୋଟାଏ ଲମ୍ୱା ନିଃଶ୍ୱାସ ଛାଡ଼ି ନପାରିଲା ଲୋକକୁ ମଣିଷ ଯେମିତି କରୁଣା ଚକ୍ଷୁରେ ଦେଖେ, ସେମିତି ଆଖିରେ ପହଲି ଆଡ଼କୁ ଚାହିଁ କହିଲା । ତୁ ବା କି କାମଟାଏ କରିପାରିବୁ ? ଆଚ୍ଛା ତୁ ମୋ ପାଇଁ ଗିଲାସେ ଥଣ୍ଡା ପାଣି ଆଣିବୁ । ଖବରଦାର ! ଅଧ ଗିଲାସେ ଆଣିବୁ, ବାହାଦୁରୀ ଦେଖେଇ ଗିଲାସେ ଭର୍ତ୍ତି କରି ସିଡ଼ି ଗୋଟାକଯାକ ଢାଳି ଢାଳିକା ଆଣିବୁ ତ’ ପୁଣି ଦେଖିବୁ ! ଯାଆ ।

 

ସେନାଦଳ ଚାଲିଗଲେ–ଏକା ସେନାପତି ବସି ରହିଲେ ଟେବୁଲ ପାଖରେ ବହିକି ଚାହିଁ-। ପ୍ରିଟେଷ୍ଟ ପରୀକ୍ଷା ମୋଟେ ପନ୍ଦର ଦିନ ଅଛି । ଆଖି ଆଗରେ ରାତିଟା ନଷ୍ଟ ହୋଇଗଲା । ଗୋଟାଏ ମିନିଟ୍ ଗୋଟାଏ ଯୁଗ ଭଳି ଲାଗୁଛି–ଥରକୁ ଥର କାନଡେରି ଶୁଣୁଛି ସିଡ଼ିରେ ପାଦଶବ୍ଦ ଶୁଭିଲା କି ନାହିଁ । ଶେଷକୁ ଚିଡ଼ିଉଠି କହିଲା–ନାଃ– ଯାହା ଜଣାଗଲାଣି ପାହାନ୍ତିଆ ବେଳକୁ ଯାଇ ଆଣିବେ । ସାମନାରେ ମେଲା ହୋଇଥିବା ଜ୍ୟାମିତି ବହିଟାକୁ ରାଗରେ ପେଲିଦେଲା । ବସିଲେ ତ ଚଳିବ ନାହିଁ–ପରୀକ୍ଷା ପାଖେଇ ଆସିଲାଣି । ଭୂଗୋଳ ପଢ଼ା ହୋଇନାହିଁ । ହାତ ବଢ଼ାଇ ଭୂଗୋଳ ବହିଟା ଭିଡ଼ି ଆଣିଲା । ମଝିରୁ ମେଲେଇ ଆଠ ଦଶ ଧାଡ଼ି ପଢ଼ିଛି କି ନାହିଁ ତାକୁ ବି ପେଲିଦେଲା । ଧତଡ଼ା ବହିଟାଏ ଏତେବେଳଯାଏ କେହି ଆସିଲେ ନାହିଁ । କ’ଣ କରିବ ? ମିଛରେ ଖାଲି ସମୟ ଯାହା ନଷ୍ଟ ହେଉଛି । ଇଂଲିଶ୍ ବହି ବାହାର କଲା । ପାଞ୍ଚମିନିଟ୍ ପରେ ସେ ବହିର ଦଶା ମଧ୍ୟ ଅନ୍ୟ ବହି ପରି ହେଲା । ସେନାପତି ଚିନ୍ତିତ ହୋଇ ପଡ଼ିଲେ । ସବୁଗୁଡ଼ାକ ସୈନ୍ୟ କଣ ମରିଗଲେ ନା ବନ୍ଦୀ ହୋଇଛନ୍ତି ? ଉତ୍କଣ୍ଠାରେ ସେନାପତି ଛଟ୍‌ପଟ୍‌ ହେଇ ପାଟିର ଲଜେନ୍‌ସଟା ଜୋରରେ ଚୋବାଇବାରେ ଲାଗିଲେ ।

 

କିଛିବେଳ ପରେ ରଞ୍ଜନ ଆଚାର ଧରି ପହଞ୍ଚିଲା । ସେନାପତିଙ୍କ ପିଣ୍ଡରେ ପ୍ରାଣ ପଶିଲା । କିନ୍ତୁ ଉପରେ ଉତ୍କଣ୍ଠା ଦେଖେଇବା ଉଚିତ ନୁହେଁ । ଚୌକିରେ ସିଧା ବସି ଗମ୍ଭୀର ଭାବରେ ପଚାରିଲା– ଏତେ ଡେରି ହେଲା ଯେ ? ବୋଉ ଦେଖି ନାହିଁ ତ !

 

ବୋଉ ଆସିଲା ବେଳକୁ ମୁଁ ପ୍ୟାଣ୍ଟ ପକେଟରେ ନୁଚେଇ ଦେଲି ।

–ସେଗୁଡ଼ାକ ଗଲେ କୁଆଡ଼େ ?

–ଆସୁଛନ୍ତି ।

 

ଆଚାରରୁ ଟିକିଏ ଚାଖି, ମାୟା ରଞ୍ଜନର ଲଜେନ୍‌ସ ଆଡ଼କୁ ହାତ ବଢ଼ାଇ ଦେଲା–ନେଇଯା ।

 

ପ୍ରତାପ ପହଞ୍ଚିଲା । ହାତରେ ପ୍ଳେଟ ।

 

–କିରେ ଏତେ ଡେରି କଲୁ ? କଣ କଦଳୀଗଛ ପୋତି ତା ଭଣ୍ଡା ବାହାରିବା ଯାଏ ଚାହିଁ ରହିଥିଲୁ ? ଅଳସୁଆଟା !

 

–ପୂଝାରୀ ଦେଲେ ଆଣିବି ସିନା । ସିଏତ ହେଇ ହେଲା ହେଲା ବୋଲି କହି ଏତେ ଡେରି କରିଦେଲା ।

 

–କେହି କିଛି ପଚାରୁଥିଲେ କି ?

–ନା ।

–‘ହଉ ଯା’ । ପୁଡ଼ିଆଟା ପ୍ରତାପ ଆଡ଼କୁ ବଢ଼େଇ ଦେଲା ।

 

ମନରେ ଶାନ୍ତି ଫେରି ଆସିଲା । ହସି ହସି ଭାବିଲା, ବାକି ରହିଲା ପହଲି–ସେଇଟା ଆସିଲେ ଯାହା ନ ଆସିଲେ ସେଇଆ । ଯଦିବା ଧରାପଡ଼ିଯାଏ, ଖାଲି ପାଣି ଆଣିବାକୁ କହିଛି ତ, କିଏ ମୋତେ ଫାଶୀ ଦେଇ ପକେଇବ ?

 

ଟେବୁଲ ଉପରେ ଲଜେନ୍‌ସ, ଚପ୍‌ ଆଉ ଆଚାରକୁ ପାଖାପାଖି ସଜେଇ ରଖି ମାୟା କପାଳ କୁଞ୍ଚେଇ ଭାବିଲା କଣ ପଢ଼ିବ ? ଥରେ ଲଜେନ୍‌ସ, ଚପ୍ ଓ ଆଚାରକୁ ଚାହିଁଲା । ଆଉଥରେ ଟେବୁଲ ଉପରେ ମେଲା ହୋଇ ପଡ଼ିଥିବା ଜ୍ୟାମିତି, ଭୂଗୋଳ, ଇଂଲିଶ୍‌ ବହି ଆଡ଼କୁ ଚାହିଁଲା । ମନ ତା’ର ମାନିଲା ନାହିଁ । ଚାରିଆଡ଼କୁ ଥରେ ଚାହିଁ, ଚୌକି ଛାଡ଼ି ବହିଥାକରେ ଲୁଚିଥିବା ‘ପ୍ରେତପୁରୀରେ ଗୋଏନ୍ଦା’ ବହିଟି ଅତି ଯତ୍ନରେ ବାହାର କରିଆଣି ପୁଣି ଚୌକିରେ ବସିଲା । ଟେବୁଲ ଉପରେ ରହିଥିବା ଛୋଟ କାଲେଣ୍ଡରଟା ଥରକୁ ଥର ମନେ ପକାଇ ଦେଉଛି–ପରୀକ୍ଷା ରହିଲା ପନ୍ଦର ଦିନ । ବିରକ୍ତିରେ ମାୟା କାଲେଣ୍ଡରଟା କାନ୍ଥ ଆଡ଼କୁ ବୁଲେଇ ଦେଲା । କିନ୍ତୁ ଯେତେ କଲେ କ’ଣ ହେବ, ତାର ମନେହେଲା ଯେମିତି କାଲେଣ୍ଡରର ପଛ ମୁହଁଟା ତାକୁ କହୁଛି ‘ପଢ଼ି ପକାଅ–ପରୀକ୍ଷା ରହିଲା ମୋଟେ ପନ୍ଦର– ।’

 

–କଅଣ ହୋଇଗଲା ସେଠୁ ? ଏତେବେଳକୁ ମୁଁ ତ ଟେବୁଲ ଉପରେ ଶୋଇଥାନ୍ତି । ନ ହେଲା ଏବେ, ମୋ ଶୋଇବାରୁ କାଟି, ଗପ ବହିଟା ପଢ଼ିଦେବି । ଆଣିଚି ଯେତେବେଳେ ନ ପଢ଼ିକରି ତ ଆଉ ଫେରାଇ ଦେଇପାରିବି ନାହିଁ ! ମାୟା ମନକୁ ସାନ୍ୱନା ଦେଲା ।

 

ଚପ୍‌ରୁ ଅଧେ ଚାମଚରେ କାଟି ପାଟିରେ ଭର୍ତ୍ତିକରି ମାୟା ବହିଟା ଖୋଲିଲା । ତା’ପରେ ଆଖି ଆଉ ପାଟି ଭିତରେ ପ୍ରତିଯୋଗିତା ଚାଲିଲା । ଆଖି ଜୋରରେ ଗଲେ ପାଟି ଧିମେଇଯାଏ, ପାଟି ଜୋରରେ ଚାଲିଲେ ଆଖି ଧିମେଇଯାଏ । ଦୁହେଁ ପ୍ରାଣପଣେ ଧାଇଁଛନ୍ତି । ଏତିକିବେଳେ କଅଣ କାମରେ ସ୍ତ୍ରୀଙ୍କୁ ଖୋଜି ଖୋଜିକା ମାୟାର ବାପା ଆସି ସେଠି ପହଞ୍ଚିଗଲେ । ମାୟା ଆଚାର ଚାପି ଚାପି ପଢ଼ି ଚାଲିଛି–ବାପା ଯେ କେତେବେଳେ ଆସି ପଛରେ ଠିଆ ହେଲେଣି ସେ ଆଡ଼କୁ ତାର ନଜର ନାହିଁ ।

 

ପୀତାମ୍ୱରବାବୁ ମାୟାକୁ କଅଣ କହିବାକୁ ଯାଉଥିଲେ, ଟେବୁଲ ଉପରେ ଆଖି ପଡ଼ିଯାଇ ତୁଣ୍ଡର କଥା ତୁଣ୍ଡରେ ଅଟକିଗଲା । ସାମନାକୁ ଆସି କହିଲେ–ଏମିତି ପଢ଼ିଲେ ମନେ ରହୁଛି ?

 

ସେତେବେଳକୁ ଗୁଇନ୍ଦା ଏମିତି ଗୋଟାଏ ଜାଗାରେ ଆସି ପହଞ୍ଚିଛି ଯେ ସେଠି ଖାଲି ଢୋ’ ଢୋ’ ବନ୍ଧୁକ ଫୁଟୁଛି, ରକ୍ତର ନଈ ବହୁଛି–ଆଉ ‘‘ରକ୍ଷାକର ରକ୍ଷାକର’’ ଚିତ୍କାରରେ ଆକାଶ କମ୍ପିଉଠୁଛି । ମାୟା କାନରେ ଢୋଲ ପିଟିଲା ପରି ସେ ଚିତ୍କାର ଆସି ବାଜିଛି । ଏମିତି ଅବସ୍ଥାରେ ବହି ଉପରୁ କିଏ ଆଖି ଫେରେଇପାରେ ? ପୀତାମ୍ୱର ବାବୁଙ୍କ ପ୍ରଶ୍ନ ମାୟାକାନରେ ବାଜିଲା, ପୁଣି ବାଜିଲା ନାହିଁ । ତେବେ ସେ ଏତିକି ବୁଝିଲା କିଏ ଜଣେ ତାକୁ କଅଣ କହୁଛି । କିଏ ଆଉ ହୋଇଥିବ ? ସବୁଦିନ ରାତିରେ ଚାକର ଆସି ଭାତ ଖାଇବା ପାଇଁ ଡାକିଯାଏ । ସେଇ ଆସିଥିବ ତ ପଢ଼ୁଥିବା ଧାଡ଼ି ଉପରେ ଆଖି ରଖି ହାତ ହଲାଇ ମାୟା କହିଲା, ‘ପଳା, ପଳା, ମୋର ପଢ଼ା ଅଛି । ମୁଁ ଅବିକା ଖାଇବି ନାହିଁ–ଯା ।’’

 

–କଣ ଏମିତି ମନଦେଇ ପଢ଼ା ହଉଛି ଦେଖେଁ.....

 

ବାପାଙ୍କ ପାଟି ଶୁଣି ଚମକିପଡ଼ି ବହିଟା କେମିତି ଲୁଚେଇବ ଠିକଣା କରି ନପାରି ମାୟା ପାଟି କରି କହିଲା–‘‘ଖାଇଲାବେଳକୁ ସମସ୍ତେ ଖାଇଦେବେ, ଏଣେ ଅଇଁଠା ଉଠେଇବି ମୁଁ ।’’

 

ପୀତାମ୍ୱର ବାବୁଙ୍କ ହାତ ନ ପାଇଲା ଭଳି ଜାଗାରେ ବହିଟା ପିଠିବାଗିଆ ରଖିଦେଇ ଗୋଟିଏ ହାତରେ ପ୍ଲେଟ୍, ଅନ୍ୟ ହାତରେ କାଗଜଟା ଧରି ବହି ଓ ପୀତାମ୍ୱର ବାବୁଙ୍କ ମଝିରେ ପାଚେରୀ ଭଳି ଠିଆ ହେଲା ।

 

–କି ବହି ପଢ଼ା ହେଉଥିଲା ?

ମାୟା ଚଟ୍‌କରି ଜବାବ ଆସିଲା–ସାହିତ୍ୟ ବହି ।

 

ଟେବୁଲ ଉପର ଭଲକରି ଦେଖି ପୀତାମ୍ୱର ବାବୁ କହିଲେ, ‘‘ସବୁ ରକମର ବହି ତ ଏଠି ମେଲା ହୋଇ ରଖାହୋଇଛି, ସେଇଟା କାହିଁକି ସେଠି ରହିଲା ? ଦେଖେଁ ବହିଟା ।’’

 

ମୁହଁ ଫୁଲେଇ ମାୟା ଜବାବ ଦେଲା, ‘‘ତମ ସାଙ୍ଗରେ ମୁଁ ମୋଟେ କଥା କହିବି ନାହିଁ ଯେ । ଗୋଟାଏ ରିଷ୍ଟ୍‌ଓ୍ୟାଚ୍‌ ଦବ ଦବ କହି ଆଜିଯାଏ ଦଉନା–ପରୀକ୍ଷାରେ ଫେଲ୍‌ ହୋଇଗଲେ ମତେ ଆଉ ଦୋଷ ଦେବ ନାହିଁ । ସମୟ ଜାଣିଲେ ସିନା ଲେଖିବି । ଏଡ଼େବଡ଼ ସ୍କୁଲ୍‌ଟାରେ ତ ମୋଟେ ଗୋଟାଏ ବୋଲି କାନ୍ଥଘଣ୍ଟା ।’’

 

–ଘଡ଼ି ପାଇଁ ଏତେ ଭାବନା କାହିଁକି ? ତୋ ଘଣ୍ଟା ନ ଆସିଲେ ମୋରି ଘଣ୍ଟାଟା ପିନ୍ଧିକରି ଯିବୁ ।

 

–ବାପା, ତମର ଯୋଉ ବୁଦ୍ଧି ! ଶୁଣିଲେ ହସ ମାଡ଼େ । ତମେ ଏଡ଼େ ମୋଟା ! ଟିକିଏ ଭାବିଲ ଆଗେ, ତମର ଘଡ଼ିଟା ମୋ ହାତକୁ ହେବ ? ପ୍ରାଣ ଖୋଲା ହସରେ ମାୟା ଫାଟି ପଡ଼ିଲା-

–ସମୟ ଜାଣିବା କଥା ତ ?

–ଛିଆ, ସେ ଭୋଡ଼ଙ୍ଗା ଘଣ୍ଟାଟା ମୁଁ କେବେହେଲେ ପିନ୍ଧି ଯିବି ନାହିଁ । ପରୀକ୍ଷା ପଛକେ ନ ଦିଆହେଲେ ନାହିଁ; ଆଉ ବାପା, ମୋ ଘଣ୍ଟାଟା ସାଇଜରେ କଇଆଁ ମଞ୍ଜିଠୁ ଯେମିତି ବଡ଼ ନ ହୁଏ-। ଏତକ ଭଲକରି ମନେ ରଖିଥାଅ । ନ ହେଲେ ପୁଣି ସେତେବେଳକୁ ବଡ଼ ଘଣ୍ଟାଟାଏ ଆଣିଦେଇ କହିବ, ‘‘ମାଆଲୋ, ମୁଁ ବୁଢ଼ା ହେଇଗଲିଣି । ମୋର ମନେ ରହୁନାହିଁ ।’’

–ପରୀକ୍ଷା କେଇ ଦିନ ରହିଲା ?

–ଯେତେଦିନ ଥାଉ, ତମେ ତ ଘଣ୍ଟା ଦେଲେ ଗଲା ।

–ପାସ୍‌ ହବଟି ?

–‘‘ଘଣ୍ଟା ମିଳିଲେ ଜରୁର୍‍ ପାସ୍ ହେବ ।’’ ମାୟା ଭଲ ରକମ ଜାଣେ ପନ୍ଦର ଦିନ ଭିତରେ ଘଣ୍ଟା ଆସିବ ନାହିଁ–ତେଣୁ ଫେଲ୍ ହୋଇଗଲେ ତା’ର ଦୋଷ ନାହିଁ ।

 

ଏତିକିବେଳେ ପାଣିରେ ଟୁଳୁଟୁଳୁ ଗୋଟିଏ ଗିଲାସ ଦୁଇ ହାତରେ ମୁଠେଇ ଧରି, ତାକୁ ଏକଲୟରେ ଚାହିଁ, ସିଢ଼ି ଗୋଟାଯାକ ପାଣି ଢାଳି ଢାଳିକା, ପାଦ ଚିପି ଚିପିକା ଅତି ସାବଧାନରେ ପହଲି ଘରେ ପଶିଲା । ଏତେଗୁଡ଼ାଏ ପାହାଚ ଉଠିବା ପରିଶ୍ରମରେ ସଁ ସଁ ହେଉଛି । ତାର ଗୋଟାଏ ପଟ ଗାଲରେ ଆଚାର ଲାଗିଛି । ଓଠ ଚାରିଆଡ଼େ ତେଲ । ପାଟିରୁ ଚପ୍‌ର ବାସନା ବାହାରୁଛି । କୁଆଡ଼କୁ ନ ଚାହିଁ ଏକ ମନରେ ପହଲି ଗ୍ଲାସଟା ମାୟାର ଟେବୁଲ ଉପରେ ରଖିବାକୁ ଯାଉଛି, ଏତିକିବେଳେ ଦାନ୍ତ କଡ଼ମଡ଼ କରି ମାୟା ଚିହିଁକି ଆସିଲା । ‘‘ତଳେ ଆଚାର, ଚପ୍‌ ଖାଇ, ସାହେବ ମୋ ବଖରାକୁ ଆସିଲେ ପାଣି ପିଇବାକୁ । କାହିଁକି, ସେଠି ପାଣିଟା ତୋ ତଣ୍ଟିରେ ଗଳିଲା ନାହିଁ ବୋଲି ଏଠିକି ଆଣିଚୁ ? ଯା-ନେଇଯା, କହୁଛି, ତଳେ ପିଇକରି ଆସିବୁ ।’’

ପହଲି ଆଶ୍ଚର୍ଯ୍ୟ ହୋଇ ମାୟା ମୁହଁକୁ ଚାହିଁଲା ।

–ଯାଉଛୁ ନା ଦେଖିବୁ ଅବିକା ?

‘ମୋ ଲେବନ୍‌ଚୁସ୍‌’ କହି ପହଲି ତା ପୁଡ଼ିଆ ଆଡ଼କୁ ହାତ ବଢ଼େଇଲା ।

‘‘ତୋର କି ଲେବନ୍‌ଚୁସ୍‌ରେ ? ଭାଇ ଆଣି ମତେ ଦେଇଥିଲେ, କହିଲା ମୋ ଲେବନ୍‌ଚୁସ୍‌ !’’ ଛଞ୍ଚାଣ ଶିକାରକୁ ଝାମ୍ପ ମାଇଲା ପରି ମାୟା ଟେବୁଲ୍‍ ଉପରୁ ପୁଡ଼ିଆଟା ନେଇ ହାତରେ ମୁଠେଇ ଧରିଲା ।

 

ପହଲି ଆଉ ସମ୍ଭାଳି ହୋଇପାରିଲା ନାହିଁ । ସେଇଠି ତଳେ ବସିପଡ଼ି ରଡ଼ି ଛାଡ଼ିଲା । ‘‘ବୋଉ ଲୋ... ଅପା ମୋ ଲେବନ୍‌ଚୁସ୍‌ ଦେଉନାଇଁ ।’’

 

ପଦେ ବି କଥା ନ କହି ପୀତାମ୍ୱରବାବୁ ଦିହିଁଙ୍କୁ ଲକ୍ଷ୍ୟ କରୁଥିଲେ, ଏଥର ମୁହଁ ଖୋଲିଲେ । ‘‘ଏମିତି ତାହାହେଲେ ତୋ ପଢ଼ା ହେଉଛି ! ତୁ ଯେ ଏଥର ପାସ୍‌ କରିପାରିବୁ ନାହିଁ, ତା ମୁଁ ବୁଝିପାରୁଛି ।’’

–ହଁ, ତା ଆଉ ବୁଝନ୍ତ ନାହିଁ ?

–ଜାଣୁ, ମୁଁ ତୋର ବାପା ?

‘‘ଇସ୍କୁଲଯାକ ସମସ୍ତେ ଜାଣନ୍ତି ତମେ ମୋର ବାପା । ଆଉ ମୁଁ ତମର ଝିଅ ହୋଇ ଏତିକି ଜାଣେ ନାଇଁ ?’’ କଥାର ଗୁରୁତ୍ୱ ଏଡ଼େଇ ଦେବାକୁ ମାୟା ପ୍ରାଣପଣେ ଚେଷ୍ଟା କଲା ।

–‘‘ଫାଜିଲାମି ବନ୍ଦ କର ।’’

‘‘ଲୋକଙ୍କୁ ଥଟ୍ଟା କଲେ ଫାଜିଲାମି ହୁଏ ବୋଲି ଆଜିଯାଏଁ ଜାଣିଥିଲି; କିନ୍ତୁ ତମେ ୟାରି ଭିତରେ ମୋତେ ଗୋଟାଏ ନୂଆ କଥା ଶିଖେଇ ଦେଇସାରିଲଣି । ସତ କହିଲେ ବି ଫାଜିଲାମି ହୁଏ’’, ରାଗ ଓ ଅଭିମାନ ମିଶା ସ୍ୱରରେ ମାୟା କହିଲା ।

 

‘‘ମାୟା ! ଆଦର ପାଇ ପାଇ ଏକବାରେ ନଷ୍ଟ ହେଇଗଲୁଣି ଦେଖୁଛି ।’’ ଗମ୍ଭୀର ହୋଇ ପୀତାମ୍ୱରବାବୁ କହିଲେ ।

 

‘‘ହଁ, କହିଯାଅ..... ବନ୍ଦ କଲ କାହିଁକି ? ଘରେ ଦଶଟା ମଣିଷ ରଖିଛ ମତେ ଆଦର କରିବା ପାଇଁ….. କହିଯାଅ କହିଯାଅ–ଏଣେ ପଛକେ ଖାଇବାକୁ ମାଗି ମାଗି କେହି ଗଣ୍ଡାଏ ଦେବେ ନାହିଁ... ଭୋକ କରି କରି ପେଟରେ ଏସିଡ଼୍‌ ହୋଇଯାଏ–ପୂଝାରୀ ଖାଇବାକୁ ଦେଲାବେଳକୁ ଆଉ ଖାଇ ହୁଏ ନାହିଁ–ଜିନିଷ ଗୋରୁହାଣ୍ଡିରେ ପଶେ... ଯେତେବେଳେ ପେଟ ଅତି ଚକଟିମନ୍ଥି ହୁଏ, ତାକୁଇ ରୋକିବା ପାଇଁ ଧାପେନାକୁ କିଛି ପାଟିରେ ଦେଇ ଦେଲେ ଚକଟିମନ୍ଥି ହେବାଟା ଠକ୍‌ କିନା ରହିଯାଏ….. ତା’ବି କଣ ସହଜରେ ମତେ କେହି ଦିଅନ୍ତି ? ଘଣ୍ଟାଏ କାଳ ପଢ଼ା ନଷ୍ଟ କରି ଧାରଣା ଦେଇ ପଡ଼ିରହିଲେ ଯାଇ ଅବା ମିଳିପାରେ । କିନ୍ତୁ ପରୀକ୍ଷା ବେଳେ ପଢ଼ା ନଷ୍ଟ କରି ମୁଁ ଏତେ ସମୟ ସେଣେ ଦେବି କୁଆଡ଼ୁ ? ଦେହ ପଛକେ ନ ରହିଲେ ନାହିଁ । ସମସ୍ତେ ମୋରି ନାଁରେ ପୂଝାରୀଠୁଁ ମାଗିଆଣି ଲୁଚେଇ ଖାଉଥିବେ–ଖାଇଲାବେଳେ କଥା ପଡ଼ିଲେ ପୂଝାରୀ କହିବ କଣ ନା, ‘ଦେଈ ଖାଇଚନ୍ତି’ । ମୁଁ ତ ଏ ଘରେ ମଣିଷଟାଏ ନୁହଁ–ଯେମିତି ଛେଳି କି କୁକୁରଟାଏ । ଡାକି ଡାକି ପଛକେ ପାଟି ପଡ଼ିଯିବ, ସେଇଠି ବସିଥିବେ, କେହି ପଦେ ଜବାବ ଦେବେ ନାହିଁ ।’’

 

ମାୟା ପୀତାମ୍ବରବାବୁଙ୍କ ଆଖିକି ଚାହିଁଲା–ସେ ଆଖିରେ ସହାନୁଭୂତି ନାହିଁ–ଅଛି କଡ଼ା ଶାସନ । ତେବେ ମାୟାର କାନ୍ଦିବା ଛଡ଼ା ଆଉ ଉପାୟ ନାହିଁ । କିନ୍ତୁ ଆଖିକି ଯେ ମୋଟେ ଲୁହ ଆସୁନାହିଁ । ସେ କରିବ କଣ ? ତା’ ନିଜ ଉପରେ ରାଗ ହେଲା–ଏହି ଘଡ଼ିସନ୍ଧି ବେଳରେ ଯଦି ଆଖିରୁ ଟୋପାଏ ଲୁହ ନ ଗଡ଼ିଲା, ତେବେ ସେ ଆଖି ଥିବାଠାରୁ ଫୁଟିଯିବା ଭଲ ।

 

ମାୟା କାନ୍ଦ କାନ୍ଦ ହୋଇ କହିଲା, ‘‘ବୋଉ ଯେ କାହିଁକି ମତେ ଏନ୍ତୁଡ଼ିଶାଳରେ ତଣ୍ଟି ଚିପି ମାରି ନଦେଲା ?’’ ଦୁଇ ହାତରେ ଲୁଗାକାନି ଧରି ମାୟା ଆଖିପୋଛିବା ବାହାନାରେ ଆଚାର ହାତଟା ଜାଣି ଜାଣି ଆଖିରେ ମାଡ଼ିଦେଲା । ‘‘ହଁ କାହିଁକି ମାରିଦେଇଥାନ୍ତା..... ଏମିତିରେ ଯେ ଘରର ଚାକର ବାକର, କୁକୁର ବିଲେଇ ସୁଦ୍ଧା ପ୍ରତିଦିନ ଟିକିଏ ଟିକିଏ କରି ମୋ ତଣ୍ଟି ଚିପୁଛନ୍ତି–ସେତକ ଦେଖିବା ସୁଖ ଆଉ ପାଆନ୍ତା କୁଆଡ଼ୁ ? ହେଲେ ଆଉ କାହା ଘରେ ଜନ୍ମ ହୋଇଥାନ୍ତି, ଆଉ କିଛି ନ ଥିଲେ ବି ନିଜର ଗୋଟିଏ ସ୍ୱାଧୀନତା ଥାନ୍ତା ତ–ଏଠି କ’ଣ ଅଛି ?’’ ଆଖି ଆଗରୁ କାନି କାଢ଼ି ଦେଇ ମାୟା ପୀତାମ୍ୱର ବାବୁଙ୍କୁ ଚାହିଁଲା । ଭଲକରି ଚାହିଁ ହେଉନାହିଁ–ଆଖି ପୋଡ଼ି ଉଠି ଆପେ ଆପେ ବୁଜି ହେଇଯାଉଛି । କ’ଣ କରିବ, ଦୁଇ ହାତରେ ଢାଙ୍କି ତା’ରି ଭିତରେ ଆଖି ବନ୍ଦ କଲା । ଦୁଇପଟେ ଗାଲ ତିନ୍ତେଇ ଝର ଝର ହୋଇ ଲୁହଧାରା ବୋହିଯାଉଛି ।

 

ମୁହୂର୍ତ୍ତକ ଆଗରୁ ଝିଅର ଡାହା ମିଛ କଥାରେ ଜମାଟ ବାନ୍ଧି ଆସୁଥିବା ପୀତାମ୍ୱରବାବୁଙ୍କର ଲହୁଣୀପରି କୋମଳ ପିତୃ ହୃଦୟ ପୁଣି ସେହି ଝିଅର ଆଖି ଲୁହର ଉଷ୍ଣତାରେ ତରଳିଗଲା । ସେ ଜାଣନ୍ତି, ମାୟା ନାକ କାନ୍ଦୁରୀ ନୁହେଁ । ସେମିତି ଜୋରରେ ଆଘାତ ନ ପାଇଲେ ତା’ ଆଖିରୁ ଲୁହ ବାହାରେ ନାହିଁ । ତେବେ କଣ ସତରେ ତା’ର ଅଯତ୍ନ ହେଉଛି ? ତା’ର ଖାଇବା କଥା କେହି ବୁଝୁନାହାନ୍ତି ? ଭାରୀ ଗଳାରେ ପୀତାମ୍ୱରବାବୁ କହିଲେ, ‘‘ଛି ଆଉ କାନ୍ଦନା ମା, ଆଜି ମୁଁ ତୋ ବୋଉକୁ କହିବି, ତା’ର ଏମିତି କି କାମ ବଳେଇ ପଡ଼ୁଛି ଯେ କେଇଟା ଛୁଆଙ୍କର ଖାଇବା ଖବର ସେ ନିଜେ ବୁଝିପାରୁ ନାହିଁ ?’’

 

ମାୟା ଆଖିରୁ ଲୁହ ବନ୍ଦ ହେବାକୁ ନାହିଁ । ତଥାପି ଓଠରେ ହସ ଫୁଟେଇ ମୁରବିଆନା ସ୍ୱରରେ କହିଲା, ‘‘ବାପା, ତମର କେବେ ବୁଦ୍ଧି ହେବ ? ବୋଉ ଆସି ବୁଢ଼ୀ ହେଲା, ତାକୁ ଏତେବେଳେ ସିନା ଟିକିଏ ବିଶ୍ରାମ ଦେବ । ତା ନ କରି ତା’ ଉପରେ ଆଉରି ଚପଟ ଦେବାକୁ ବସିଛ ! ସହଜେ ତ ଭାଇ ବାହା ହଉ ନାହାନ୍ତି ବୋଲି ତା ମନ ଖରାପ । ତା’ ଅପେକ୍ଷା ବରଂ ତମେ ପୂଝାରୀ ଚାକରଙ୍କୁ ତାଗିଦା କରିଦିଅ ଯେ, ମାୟା ଯେତେବେଳେ ଯାହା କହିବ ଅନ୍ୟ କାମ ବନ୍ଦ ରଖି ଯେମିତି ଆଗ ତା’ କାମ କରି ଦିଆହୁଏ । କାହିଁକି ନା ସମୟ ନଷ୍ଟ ମାନେ ପଢ଼ା ନଷ୍ଟ । ମୋ ପଢ଼ା ନଷ୍ଟମାନେ ତମରି ଟଙ୍କା ନଷ୍ଟ । ନୁହେଁ ବାପା ? ଘରଟାଯାକର ଯେତେ ଯାହା ହାନିଲାଭ ହେଉଛି–ସବୁ ସେଇ ତମରି ମୁଣ୍ଡରେ ଯାଉଛି ନା ଆଉ କାହା ମୁଣ୍ଡରେ ଯାଉଛି ? ଠିକ୍‌ କଥା ନୁହେଁ ?’’

 

–ହଁ ମା, ଠିକ୍ କହିଛୁ । ମନେ କର ତୁ ଯଦି ପରୀକ୍ଷାରେ ଖରାପ କରୁ ତେବେ ମୁଁ ଆଉ ଲୋକଙ୍କ ଆଗରେ ମୁହଁ ଦେଖାଇ ପାରିବି ?

 

–ନାଇଁ ବାପା, ଲୋକଙ୍କ କଥା ଛାଡ଼ିଦିଅ– ପରୀକ୍ଷାଟା ପୂରା ଭାଗ୍ୟ । ତାକୁ କାହାରି ଲଗା ନାହିଁ କି ପଘା ନାହିଁ । ତମେ ତ ପୁଣି ନିଜେ କହୁଥିଲ, ତମେ ନିଜେ ଏତେ ଭଲ ଛାତ୍ର ହେଇ ବି ପରୀକ୍ଷାରେ କେମିତି ଫେଲ୍‌ ହେଇଯାଇଥିଲ ?

–ଆହା, ସେ ଭିନ୍ନ କଥା ।

–ଭିନ୍ନ କଥା କ’ଣ ? ସବୁ ପରୀକ୍ଷା ତ ସମାନ ।

–ତା ବୋଲି ତୁ ଫେଲ୍ ହେବୁ ନା କଣ ?

ମୁଣ୍ଡ ହଲାଇ ମାୟା କହିଲା, ‘‘ନା, ନା, ମୁଁ ଅବଶ୍ୟ ଫେଲ୍ ହେବି ନାହିଁ….. ମୁଁ ମୋର ସାଧ୍ୟମତେ ଚେଷ୍ଟା କରୁଛି । କିନ୍ତୁ ମୋ ହାତରେ ତ କିଛି ନାହିଁ ।’’ ପୀତାମ୍ୱରବାବୁ ଆଉ ଅଧିକ ଯୁକ୍ତି ନକରି ସେଠୁ ବାହାରି ଯିବାକୁ ବସିଲେ । ତାଙ୍କୁ ସେଠୁ ଚାଲିଯାଉଥିବାର ଦେଖି ପହଲିର କାନ୍ଦ ଆହୁରି ବଢ଼ିଗଲା । ତାକୁ କୋଳକୁ ଉଠେଇ ନେଇ ପୀତାମ୍ବରବାବୁ କହିଲେ, ‘‘ଦେଇ ଦେ ମା, ତା ଲଜେନ୍‌ସତକ ତାକୁ ଦେଇ ଦେ । ଛୋଟ ଭାଇଟା । ତା ସାଙ୍ଗରେ ବାଦ କଲେ ଲୋକେ ହସିବେ ଯେ’’–

 

–ସିଏ ବାପା, ତା ଲଜେନ୍‌ସ ନୁହେଁ, ମୋରି । ସେଇଟା ଏଡ଼େ ବୋକା ହୋଇଛି ଯେ ତାକୁ ଦବାକୁ ମୋର ଇଚ୍ଛା ହେଉ ନାହିଁ ।

–ବୋକା ହେଲେ ବି ତାକୁ ଦେଇଦେ ।

–ବାପା, ତମେ ଜାଣିନା, ବୋକାମାନେ ଯେତେବେଳେ ଯାହା ମାଗିବେ, ତାଙ୍କୁ ଦେଇ ଦେଉଥିଲେ ତାଙ୍କର ବୋକାମି ଖାଲି ବଢ଼େ । ନିଜ ମୁଣ୍ଡରୁ ବୁଦ୍ଧି ଖର୍ଚ୍ଚ କରି କେମିତି ପାଇବାକୁ ହୁଏ, ସେମାନେ କେବେହେଲେ ବୁଝିବାକୁ ଚେଷ୍ଟା କରିବେ ନାହିଁ । ଆଚ୍ଛା ତମେ ଯେତେବେଳେ କହୁଛ, ମୁଁ ତାକୁ ଦେଇ ଦେଉଛି । କିନ୍ତୁ ଜାଣିଥା, ଏ ମୋରି ଲଜେନ୍‌ସ ।

–ହଁ, ହଁ, ତୋରି ।

–ମାୟା ପହଲିକି ଚାହିଁ କହିଲା, ‘‘ବେଶ୍, ହେଇଚି ନେ । ୟାକୁ ଯେ ଖାଇବ ସେ ଗୋଟିଏ ଗଧ ।’’

ମନ ଖୁସିରେ ଲଜେନ୍‌ସ ପୁଡ଼ିଆଟି ମାୟା ହାତରୁ ନେଇ ପହଲି ପୀତାମ୍ୱରବାବୁଙ୍କ କୋଳରୁ ଓହ୍ଲେଇ ପଡ଼ି ତାଙ୍କ ପଛେ ପଛେ ଘରୁ ବାହାରିଗଲା ।

ପରଦିନ ସକାଳେ ମହୀବୋଉ ପୂଜା ସାରି ଫେରିବାବେଳେ ବୈଠକଖାନାରୁ ପୀତାମ୍ୱରବାବୁ ତାଙ୍କୁ ଡାକ ଛାଡ଼ିଲେ, ‘ହଇହେ ଶୁଣୁଛ ?’

‘କଣ ?’ ମହୀବୋଉ ଆସି ପାଖରେ ଠିଆ ହେଲେ ।

–ବସ ଗୋଟାଏ କଥା ଅଛି । ଖବର କାଗଜଟା ଟେବୁଲ ଉପରେ ରଖିଦେଇ, ବାଁ ହାତରେ ଆଖିରୁ ଚଷମାଟା କାଢ଼ି ପୀତାମ୍ବରବାବୁ କହିଲେ, ‘ଏଇ ଆମ ମାୟା କଥା’–ତାପରେ ହଠାତ୍ ସ୍ତ୍ରୀଙ୍କ ମୁହଁ ଉପରେ ଆଖି ପଡ଼ିଯିବାରୁ ଚୁପ୍ ହୋଇଗଲେ ।

–ତମର ଦେହ ଭଲ ନାହିଁ କି ?

‘ଅଛି, କାହିଁକି ?’ ସ୍ୱାଭାବିକ ଗଳାରେ ମହୀବୋଉ କହିଲେ ।

ସ୍ତ୍ରୀଙ୍କର ସଦ୍ୟସ୍ନାତ ପରିଷ୍କାର ମୁହଁରେ ଶ୍ରାନ୍ତିର ସ୍ପଷ୍ଟ ଛାପ ପୀତାମ୍ବରବାବୁଙ୍କ ଆଖିରେ ଧରାପଡ଼ିଗଲା । ଅନେକ ଦିନ ହୋଇଗଲାଣି ସେ ନିଜ ସ୍ତ୍ରୀ ମୁହଁକୁ ଭଲକରି ଚାହିଁ ନାହାନ୍ତି । ଯେତେବେଳେ ସେମାନଙ୍କ ଭିତରେ କୌଣସି କଥାବାର୍ତ୍ତା ହୁଏ, ପୀତାମ୍ବରବାବୁ ହୁଏତ ବହିକି ଚାହିଁ, ନ ହେଲେ ମନ ଭିତରେ ଅନ୍ୟ କଥା ଭାବି ଜବାବ ଦିଅନ୍ତି । ଘରର କାମ ସୁରୁଖୁରୁରେ ଚଳୁଥିବାରୁ ତାଙ୍କର ଧାରଣା ସ୍ତ୍ରୀ ବେଶ୍‌ ସମର୍ଥ ଅଛନ୍ତି ।

 

–ମାୟା କଥା କ’ଣ କହୁଥିଲ ପରା, ରହିଗଲ କାହିଁକି ?

–ନାଇଁ କ’ଣ କହୁଥିଲି କି, ମୋହନ ବାହା ହବାକୁ ରାଜି ହେଲା ?

 

–ମୁଁ ଏ ଘରେ କ’ଣ ମଣିଷ ଭିତରେ ଗଣାଯାଏ ଯେ, ମୁଁ କହିଲେ ମୋ କଥା କିଏ ଶୁଣିବ ? ତମକୁ ତ ଏତେ ଦିନ ହେଲା କହୁଛି ଯେ, ତମେ କହୁଚ ତାକୁ ଗୋଟାଏ ମଣିଷ ସଙ୍ଗେ ଛନ୍ଦିଦେବା ଯାହା, ତାର ଭବିଷ୍ୟତକୁ ଛନ୍ଦିହେବା ସେଇଆ । ପ୍ରଥମେ କହିଲ, ପାସ୍‌ କରିସାରୁ, ତା’ବି ସରିଲା । ତା ପରେ କହିଲ, ନିଜ ଗୋଡ଼ରେ ଠିଆ ହେଉ, ତା’ବି ହେଲା– ଆଉ ତେବେ କାହିଁକି ବସିଛ ? ଆମର କ’ଣ ଆଉ ଦିନକାଳ ଆସୁଛି ? ଏଣିକି ତାଙ୍କୁ ହାତକୁ ଦି’ହାତ କରିଦେଇ ଆମେ ନିଶ୍ଚିନ୍ତରେ ଆଖି ବୁଜିବା କଥା ।

 

–ଆଚ୍ଛା, ମୁଁ ତାକୁ ବୁଝେଇ କହିଦେବି ।

 

–ହଁ, କହିଦିଅ । କହିବ ‘‘ବୋଉର ଆଉ ବଳ ବୟସ ଆସୁନାହିଁ ଯେ ଘରଟାଯାକର ସମସ୍ତେ ଫୁଲାଫାଙ୍କିଆ ହୋଇ ବୁଲୁଥିବେ ଆଉ ବୋଉ ଖଟି ଖଟି ମରୁଥିବ । ମଣିଷ ବଡ଼ ହେଲାକ୍ଷଣି ଜଞ୍ଜାଳ ଫେର ବଢ଼ୁଚି ତ ?’’

 

ହସି ହସି ପୀତାମ୍ବରବାବୁ କହିଲେ, ‘‘ତମେ ଓଲଟା କଥା କହୁଛ । ମଣିଷ ବଡ଼ ହେଲେ ଜଞ୍ଜାଳ ସିନା କମେ–’’

 

ପୀତାମ୍ବରବାବୁଙ୍କ ପାଟିର କଥା ଅଧାରେ ରୋକି ଦେଇ ମହୀବୋଉ ପାଟିକରି ଉଠିଲେ–‘‘ତମେ ଛୁଆମାନଙ୍କୁ ଯାହା ଦବ, ତା’ ଖାଇଦେଇ ଯିବେ । ବଡ଼ଙ୍କୁ ତ ତା’ ଦେଇ ହେବ ନାହିଁ ? ତାଙ୍କର ମାଛ ସାଙ୍ଗକୁ ମାଉଁସ ଲୋଡ଼ା, ମାଉଁସ ସାଙ୍ଗକୁ କାନିକା ଲୋଡ଼ା–ଏମିତି ଲମ୍ବି ଲମ୍ବି ଚାଲିଥିବ । ତା ଉପରେ ପୁଣି ବନ୍ଧୁଚର୍ଚ୍ଚା ଅଛି । ଦିନକୁ କୋଡ଼ିଏ ଥର–ବେଳ ନାହିଁ, ଅବେଳ ନାହିଁ, କ’ଣ ନା ଚା’ ତିଆରି କର । ପୂଝାରୀ, ଚାକର ଗଣ୍ଡାଏ ରାନ୍ଧିଦେଇ ଯାଇଁ ବାହାରେ ଆଡ଼୍ଡ଼ା ମାରିବେ । ଶେଷକୁ ସେଇ ମତେ ଆସି କରିବାକୁ ପଡ଼େ ନା ଆଉ କିଏ କରେ ?’’

 

–ଆଚ୍ଛା, ଆଚ୍ଛା, ତମେ ବ୍ୟସ୍ତ ହୁଅ ନାହିଁ । ମୁଁ ତାକୁ କହିଦେବି ।

 

–ଆଉ କହିଦେବ ଯେ, ବାହା ନ ହେଲେ ସେ ତା’ର ଯାଇ କୋଉଠି ରହୁ । ମୁଁ ମୋ ବାପଘରକୁ ଚାଲିଯିବି । ଡରିଯିବା ଭଙ୍ଗୀରେ ପୀତାମ୍ୱରବାବୁ କହିଲେ–‘‘ଇରେ ବାବା, ମତେ ପୁଣି ସାଙ୍ଗରେ ଯିବାକୁ ପଡ଼ିବ ନା କ’ଣ ?’’

 

ମୁହଁ ବୁଲେଇ ନେଇ ମହୀବୋଉ ଜବାବ ଦେଲେ–‘‘ହୁଁ, ଜୀଅନ୍ତାରେ ଦେଲି ଖୁଦକୁଣ୍ଡା ନା ମଲାପରେ ଦେବି ଗଜମଣ୍ଡା’’..... ଯେତେବେଳେ ସାଙ୍ଗରେ ନେବା କଥା ସେତେବେଳେ ତ କୋଉଠିକି ନେଇ ଯାଇନା, ଆଉ ଆଜି ଏ ବୁଢ଼ୀ ଦିନରେ ତମକୁ ସାଙ୍ଗରେ ନେଇ ବାପଘରକୁ ଗଲେ ମତେ ନିଜକୁ ଲାଜ ମାଡ଼ିବ ।

 

–ରକ୍ଷା କର ।

–ତମ ବେହିଆ ମୁହଁକୁ ଲାଜ ନାହିଁ ଯେ, କଥା କହୁଛ ।

ଆଉ କିଏ ହେଇଥିଲେ–

 

‘ଗଳାରେ ଦଉଡ଼ି ଦେଇ ମରିସାରନ୍ତାଣି’ ମହୀବୋଉଙ୍କୁ କଥା ସାରିବାକୁ ନ ଦେଇ ପୀତାମ୍ୱରବାବୁ କହିଲେ ।

 

–ଉହୁଁ, ଦଉଡ଼ି ଜିନିଷଟା କଣ ତମମାନଙ୍କ ପାଇଁ ଅଛି କି ? ସେଇଟା ପରା ଖାଲି ମାଇକିନିଆମାନଙ୍କର । କି ଦୁଃଖରେ ତମେମାନେ ବେକରେ ଦଉଡ଼ି ଦବାକୁ ଯିବ ? ହୁଁ, କ’ଣ ଆଉ କହିବିଟି ! ନିଜେ ପଛକେ ଅଫିସରେ ଗଦା ଗଦା ଭୁଲ କରି ଆସୁଥିବେ, ଏଣେ ଘରେ ଯଦି କାହାର ପାନରୁ ଚୂନ ଟିକିଏ ଖସିଗଲା ତ ଏଡ଼େ ଏଡ଼େ ନାଲି ଆଖି ଦେଖାଇ ସ୍ୱର୍ଗକୁ ଯିବାର ସିଧା ବାଟ ବତାଇ ଦେବେ ।

 

–‘‘ଆହା, ମିଛରେ ରାଗୁଛ କାହିଁକି ? ତମକୁ ମୁଁ କେବେ ସେ କଥା କହିଛି ?’’ ଆଖି ମିଟିମିଟି କରି ପୀତାମ୍ୱରବାବୁ କହିଲେ ।

 

ହଠାତ୍‌ ତେଜି ଉଠି ମହୀବୋଉ ଜବାବ ଦେଲେ–‘‘ମରିଯାଉଥାଏଁ ଟି ! ନିଜେ ଏମିତି କୋଉ ଭଲ ଶୁଣେ ? ମୁଁ ଭୁଲ କରିବି କାହିଁକି, କାହାର ପଦେ କଥା ଶୁଣିବାକୁ ଯିବି କାହିଁକି ? ନିଜର ଜୀବନ, ମନ-ସବୁ ମାଟି କରି ୟାଙ୍କରି ସେବାରେ ଲାଗିଲି, ସେତକରେ ହେଲା ନାହିଁ ଯେ ପୁଣି ଛାତିଫୁଲା ହେଉଛି ଗାଳିଦେଇ ନାହାନ୍ତି ବୋଲି !’’

 

–‘‘କି ଜିନିଷଟା ତମେ ଅଧିକା କରିଥାନ୍ତ, ମୁଁ କଲିନାହିଁ ଶୁଣେ ?’’ ପୀତାମ୍ୱରବାବୁ ମହୀବୋଉଙ୍କ ମୁହଁକୁ ଚାହିଁଲେ ।

 

–ବହଳିଆ ମୁହଁରେ ଆଉରି କଥା କହୁଚ ? କି ଜିନିଷଟା ଦେଇଚ ଶୁଣେ ? ମୁଁ ତ ମୂର୍ଖ ନଥିଲି କି ବୋକା ନ ଥିଲି । ଅଳ୍ପ ବହୁତ ହେଉ, ବାପା ବୋଉ ତାଙ୍କ ପାରୁପର୍ଯ୍ୟନ୍ତ ମୋତେ ପଢ଼େଇଥିଲେ । ସଭାସମିତିକୁ ମତେ କେତେଥର ଛାଡ଼ିଚ ?

 

–ତମେ ସେଠିକି ସବୁବେଳେ ଯାଇ କଣ ବା କରିବ ? ସେ ତ ପାଠୁଆ ଲୋକଙ୍କ ଆଡ଼୍‌ଡ଼ା ।

 

–ପାଠୁଆ ଲୋକଙ୍କ ଆଡ଼୍‌ଡ଼ା ! ଯାଇ ଦେଖିଥିଲ କେବେ ? ଯେତକ ପାଠୋଈ ସମସ୍ତେ ପଛରେ ଚୁପ୍‌କରି ବସିଥାନ୍ତି । ଆଉ ଯେତେକ ଅପାଠୋଈ, ଦରପାଠୋଈ, ଯାହାର ମୁହଁ ଅଛି କି ପଇସା ଜୋର ଅଛି–ସେହିମାନେ ସଭା ଚଳାନ୍ତି, ବକ୍ତୃତା ଦିଅନ୍ତି ।

 

–‘‘ତେବେ ସେମାନେ ଯାହା କହୁଥିବେ ତାକୁ ଶୁଣିବାଠୁ ନଶୁଣିବା ଭଲ, ନୁହେଁ ? ତମେ ତ ବରଂ ନିୟମିତ ଭାବରେ ଖବରକାଗଜ ପଢ଼ୁଛ’’ । ମହୀବୋଉଙ୍କୁ ସାନ୍ତ୍ୱନା ଦେବାର ଚେଷ୍ଟା କରି ପୀତାମ୍ୱର ବାବୁ କହିଲେ ।

 

–କାହିଁକି ? ସେମାନେ ତାଙ୍କର ବାବୁମାନଙ୍କଠୁ ବୁଝି ଖଣ୍ଡେ ଖଣ୍ଡେ କାଗଜରେ ଲେଖି ଆଣିଥାନ୍ତି । କହିଲାବେଳେ କାଗଜକୁ ଦେଖି ଦେଖି କହନ୍ତି । ସେମାନଙ୍କର ବାବୁମାନେ ତମ ଭଳିଆ ହେଇନାହାନ୍ତି ଯେ କୋଉ କଥା ପଚାରିଲେ, ଜବାବ ଦେବେ ‘‘ଆଗ ନିଜ ସଂସାରଟିକୁ ସଜାଡ଼ି ସାର, ତା’ପରେ ଦୁନିଆ କଥା ଭାବିବ’’ ।

 

ମୁରୁକି ହସି ପୀତାମ୍ୱରବାବୁ କହିଲେ–‘‘ଓହୋ, ମୁଁ ତେବେ ଭୁଲ କହିଥିଲି ? ଆଚ୍ଛା ସେଥିପାଇଁ ଦୁଃଖିତ ।’’

 

–ସେ ସାହେବୀ କାଇଦାରେ କଥା କହିବା ଅଭ୍ୟାସଟା ଛାଡ଼ିଦିଅ । ଘରେ ପଛକେ ନିଜର ସ୍ତ୍ରୀକୁ ମଫସଲିଆଣୀ କରି ରଖିଛନ୍ତି; ଲୋକ ଦେଖାଣିଆ ଠାଣିତକ ମାଜିମୁଜି ଚକ୍‌ଚକ୍‌ କରାହେଇଛି ।

 

–ମୁଁ ଆଉ ତମ ସାଙ୍ଗରେ କଳି କରିପାରିବି ନାହିଁ । ତମେ ସଭାକୁ ଯାଅ । ଆଜି ମୋ ମନର ସନ୍ଦେହ ଘୁଞ୍ଚିଗଲା । ମୁଁ ବୁଝୁଛି ପ୍ରକୃତରେ ନାରୀମାନଙ୍କର ଜାଗରଣ ହୋଇଛି ।

 

ପୀତାମ୍ୱର ବାବୁଙ୍କର ଏହି ପରିହାସ ମହୀବୋଉ ଗ୍ରହଣ କରିପାରିଲେ ନାହିଁ । ତାଙ୍କର ବ୍ୟର୍ଥ ଜୀବନର ପୁଞ୍ଜିଭୂତ ବେଦନା ଏତେ ଦିନକେ ଆଜି ଯେପରି ତାର ବିଷାକ୍ତ ଫଣା ମେଲେଇ ଦଂଶିବାକୁ ଠିଆ ହୋଇଛି । ସେ ସହଜରେ ଆଜି ପୀତାମ୍ୱରବାବୁଙ୍କୁ ଛାଡ଼ିଦେବେ ନାହିଁ । ସଂସାରର ଚକ ଚାଲୁ ଚାଲୁ ଗୋଟିଏ ମଣିଷର ଜୀବନ ଯେ ଏଣେ ହାଣ୍ଡିଶାଳ କଣରେ ପେଷି ହୋଇଗଲା–ସେ କ୍ଷତିପୂରଣ କରିବାକୁ ପୃଥିବୀରେ କାହାରି ଶକ୍ତି ନାହିଁ । କାହିଁକି ଏମିତି ହେଲା ? ତାହା କ’ଣ ରୋକି ହେଇ ନଥାନ୍ତା ? ତେବେ ? କିନ୍ତୁ କିଏ ରୋକିଥାନ୍ତା ? ସାମନାରେ ବସିଛନ୍ତି ତାଙ୍କ ସ୍ୱାମୀ ପିତାମ୍ୱରବାବୁ । ଛାତ କଡ଼ିକୁ ଚାହିଁ ମନକୁ ମନ ମରୁକି ମୁରୁକି ହସୁଛନ୍ତି । ଯେଉଁ ସ୍ୱାମୀଙ୍କର ଚେହେରାକୁ ଲକ୍ଷ୍ୟ କରି ଅତୀତରେ ମହୀବୋଉ ମନ ଭିତରେ ଅସଂଖ୍ୟ ଥର ପ୍ରଶଂସା କରିଛନ୍ତି, ସେଇ ଚେହେରା ଆଜି ଅତି କଦାକାର ବୀଭତ୍ସ ରୂପ ନେଇ ତାଙ୍କରି ସାମନାରେ ଠିଆ ହେଇଚି ।

 

ପଶୁବଳି ଦେଇସାରି ପୂଜକର ବୀଭତ୍ସ ମୂର୍ତ୍ତି ଯେମିତି ହସି ହସି ଠାକୁରାଣୀଙ୍କ ମୁହଁକୁ ଚାହେଁ ତୃପ୍ତି ପାଇଲେ କି ନାହିଁ ଜାଣିବାକୁ, ସେମିତି ପୀତାମ୍ବରବାବୁ ନିଜ ଗଢ଼ା ସଂସାର ଭିତରେ ଆପଣାର ସ୍ତ୍ରୀକୁ ବଳି ଦେଇ ଆଜି ସମଗ୍ର ପୁରୁଷ ସମାଜକୁ ହସିଲା ମୁହଁରେ ଫେରିଚାହିଁ ସତେ ଯେପରି ପଚାରୁଛନ୍ତି, ସେ ଠିକ୍ କରିଛନ୍ତି କି ଭୁଲ୍‌ କରିଛନ୍ତି ?

 

ଚୌକି ଉପରେ ବସି ମହୀବୋଉ ସ୍ଥିର ଦୃଷ୍ଟିରେ ସ୍ୱାମୀଙ୍କ ମୁହଁକୁ ଚାହିଁଛନ୍ତି । ମନେ ମନେ ଯେମିତିକି ସେ କହୁଛନ୍ତି–‘‘ତମକୁ ମୁଁ ବାହା ହେଇଥିଲି କିନ୍ତୁ ତୁମରି ହାତରେ ମଲି । ଏ ମରିବା ଦୁଃଖ ପୁରୁଷଜାତି କେବେହେଲେ ବୁଝିପାରିବ ନାହିଁ । ଏ ତିଳ ତିଳ ହୋଇ ମରିବା–ଜୀଅନ୍ତା କବର । ପ୍ରତିଦିନ ମୋରି ଭଳି କେତେ କେତେ ଅଭାଗୀଙ୍କ ଭବିଷ୍ୟତ ଯେ ସେଇମାନଙ୍କ ସ୍ୱାମୀମାନଙ୍କ ପାଦତଳେ ଏମିତି ପେଷି ହେଇଯାଉ ନଥିବ, ସେ କଥା କିଏ କହିବ ?’’ ମହୀବୋଉ ଅନ୍ୟଆଡ଼କୁ ଚାହିଁ ଝରିଆସୁଥିବା ଲୁହ ଆଖିରେ ଶୁଖେଇ ଦେବାକୁ ପ୍ରାଣପଣେ ଚେଷ୍ଟା କଲେ ।

 

ପୀତାମ୍ୱର ବାବୁ ମନରେ ଆଘାତ ପାଇଲେ । ସାରୁ ଖୋଳୁ ଖୋଳୁ ମହାଦେବ ବାହାରି ଆସିଛନ୍ତି, କିନ୍ତୁ ସେ ଆଉ ଅଧିକ କ’ଣ କରିପାରିଥାନ୍ତେ ? ସାଧାରଣତଃ ସ୍ତ୍ରୀମାନେ ଯାହା ଚାହାନ୍ତି–ସ୍ୱାମୀର ପାଖରେ ସେ ଅକାତରେ ଅଜାଡ଼ି ଦେଇଛନ୍ତି । କିନ୍ତୁ କେବେହେଲେ ସ୍ତ୍ରୀର ମନ ଗହୀରର ଏଇ ଅପୂର୍ଣ୍ଣ ଆକାଂକ୍ଷାର ମୃଦୁ ଗୁଞ୍ଜନ ତାଙ୍କ କାନରେ ପହଞ୍ଚି ନାହିଁ କିମ୍ବା ଅଲକ୍ଷ୍ୟରେ ହୁଏତ ସେ ଏଡ଼ି ଦେଇ ଯାଇଛନ୍ତି । ସେହି ଗୁଞ୍ଜନ ବଢ଼ି ବଢ଼ି ଆଜି ହାହାକାରରେ ପରିଣତ ହୋଇଛି ।

 

ଅତୀତର ସେଇ ମୃଦୁ ଗୁଞ୍ଜନ ଶୁଣିବାକୁ ପୀତାମ୍ୱରବାବୁ ତାଙ୍କର ସବୁ ଇନ୍ଦ୍ରିୟ ଏକାଠି ଠୁଳ କରି କାନ ପାରିଲେ । ଘର ଭିତରେ ହାହାକାର । ବାହାରେ ଆକାଶକୁ ଚାହିଁଲେ, ସେଠି ବି ସେଇଆ । ବାୟୁମଣ୍ଡଳଟା ଯେମିତି ଏଇ ନାରୀମାନଙ୍କର ଛାତିଫଟା ଆର୍ତ୍ତ ହାହାକାରରେ ଅତି ବିକଟ ଶବ୍ଦ କରି କାନ ବଧୀରା କରିଦେଉଚି । ଇଏତ କେବଳ ମହୀବୋଉଙ୍କ ଅପୂର୍ଣ୍ଣ ଆକାଂକ୍ଷାର ମୃଦୁ ଗୁଞ୍ଜନ ନୁହେଁ–ଅସଂଖ୍ୟ ନାରୀଙ୍କର ଅଶରୀର ଆତ୍ମା ବାୟୁମଣ୍ଡଳର ଚାରିଆଡ଼େ ଘୁରିବୁଲି ଆଖିରୁ ଲୁହ ଢାଳି ଯେମିତି କହୁଚି–‘‘ଆମର ଜୀବନ ବ୍ୟର୍ଥ ହୋଇଗଲା ।’’

 

ଦୁହେଁ ବସି ବାହାରକୁ ଚାହିଁଛନ୍ତି–ମଝିରେ ଅସହ୍ୟ ନିରବତା । ଯେତେ ଯାହା ଭାବିଲେ ବି ପୀତାମ୍ୱରବାବୁ ନିଜକୁ ଦୋଷୀ ମନେକରିପାରୁ ନାହାନ୍ତି । କିନ୍ତୁ ସ୍ତ୍ରୀ ଆଖିରେ ସେ ପୂରା ଦୋଷୀ-। ଅନ୍ୟ କିଛି ଉପାୟ ନାହିଁ । ଶେଷକୁ ନିରବତା ଭାଙ୍ଗି ସେ କହିଲେ, ‘‘ଶୁଣ, ତମେ ମନ ଠିକ୍‌ ରଖି ଟିକିଏ ଭାବ । କ’ଣ ବା ଆମେ ଅଧିକା କରିଗଲୁ, ଯାହା ପାଇଁ ତମେ ଏତେ ଦୁଃଖ କରୁଚ ? ହଁ ଠିକ୍‌ କଥା, ମୁଁ ରୋଜଗାର କରିଚି ଯାହା ତମେ କରିପାରିନା; କିନ୍ତୁ ତମେ ଯେ, ଗୋଟାଏ ସଂସାର ଗଢ଼ିଚ, ସେତକ ଭୁଲିଯାଉଛ କାହିଁକି ? କେଇଟା ଟଙ୍କା ଆଣିବାଠାରୁ କେଇ ଜଣ ମଣିଷଙ୍କ ଜୀବନ ଗଢ଼ିବା କ’ଣ ବଡ଼ କଥା ନୁହେଁ ?’’

 

–‘‘ଥାଉ, ଥାଉ । କଅଁଳେଇ ହବାରେ ଆଉ କିଛି ଦରକାର ନାହିଁ । ଯାହା ମୋର ଯାଇଛି–ଯାଇଛି । ଏଠି ତମ ସାଙ୍ଗରେ ବସି ଜ୍ଞାନଚର୍ଚ୍ଚା କଲେ ସେ ଆଉ ଫେରିଆସିବ ନାହିଁ ।’’ କଠୋର କଣ୍ଠରେ ଏତକ କହିଦେଇ ମହୀବୋଉ ଚୌକି ଛାଡ଼ି ଯିବାକୁ ବାହାରିଲେ ।

 

–ଆହା, ପୁଣି ତ ସେଇ ଭୁଲ୍ ବୁଝିଲ ।

 

‘‘ବୁଝିଲେ ବୁଝିଲି । ଆମର ଦିନକାଳ ତ ସରିଗଲା’’ କହି ଉଠିଗଲେ । ପୀତାମ୍ୱରବାବୁ ମହୀବୋଉଙ୍କ ଯିବାବାଟକୁ ଚାହିଁ ଭାବିଲେ ସେ କଣ ସତରେ ଭୁଲ କରିଛନ୍ତି ?

 

ଶୀତଦିନିଆ ଖରାବେଳ । ଆଖି ପିଛଡ଼ାକେ ଖରା ଚାଲିଯାଏ । ବାରଣ୍ଡାରେ ଅଧା ଖରା ଛାଇରେ ପିଢ଼ା ଉପରେ ବସି ମହୀବୋଉ ଅନ୍ୟମନସ୍କ ଭାବରେ ବତୁରା ବିରିରୁ ଚୋପା ଧୋଇ ସଫା କରୁଥିଲେ; ଏତିକିବେଳେ ପଡ଼ୋଶୀ ଯଦୁବୋଉ ଆସି ଅଗଣାରେ ଠିଆହେଲେ ।

 

–କଣ କରୁଚୁ କିଲୋ ମହୀବୋଉ ?

 

–ଆଲୋ କେତେବେଳେ ଆସିଲ ବା ? ଆସ–ଓଦା ଆଙ୍ଗୁଠି ଟିପରେ ପିଢ଼ାଖଣ୍ଡିକ ଯଦୁବୋଉଙ୍କ ଆଡ଼କୁ ପେଲିଦେଇ ମହୀବୋଉ ନିଜେ ତଳେ ବସିଲେ ।

 

–‘‘କ’ଣ କରୁଚୁ ? ପିଠା କରିବୁ କି ?’’ ବତୁରା ବିରିକୁ ଚାହିଁ ଯଦୁବୋଉ ପ୍ରଶ୍ନ କଲେ ।

 

–ନାଇଁମ ମୋର କିଏ ପିଠା କରୁଚି ? ଦି’ଟା ପାଣିକଖାରୁ କିଣିଥିଲି ଯେ, ଆଜି ଦେଖିଲାବେଳକୁ ଗୋଟାକାର ଡେମ୍ଫଆଡ଼ୁ ସଢ଼ି ଆସିଲାଣି । ସେଥିପାଇଁ ବିରି ଦି’ଟା ତିନ୍ତେଇ ଦେଇଥିଲି । ଯେତେହେଲେ ତ ସେଇ ମତେ କରିବାକୁ ପଡ଼ିବ । ଶୀତ ଚାଲିଗଲେ ଖାଲି ହଇରାଣ ହବା କଥା । କଖାରୁ ଦି’ଟା କୋରିବାକୁ ପରା ମୋତେ ବଜରା ତିନି ଘଣ୍ଟା ଲାଗିଗଲା– କିଏ ଟିକିଏ ମିଶିଲେ ସିନା ହୁଅନ୍ତା ।

 

–ଆଲୋ ଗୋଟାଏ କାମ କର । ଘରକୁ ବୋହୂଟିଏ ଆଣ ଯେ ତତେ ଏ ସବୁଥିରୁ ଛୁଟି ମିଳିବ ।

 

–ବାଛି ବାଛି କଥାଟାଏ କହିଲ ଯାହା ! ଆଜିକାଲିର ଝିଅବୋହୂ ପୁଣି ଆସିବେ ବଡ଼ି ପାରିବାକୁ ! ଆଗୋ, ସେମାନଙ୍କର ପଛକେ ବଡ଼ିଖିଆ ନ ହେବ, ସେମାନଙ୍କୁ ଶିଳ ପାଖରେ ଆଣି ବସେଇବ କିଏ ? ସେଥିରେ ତାଙ୍କ ହାତର ମୁନିଆ ନଖଗୁରାକ ଘୋରି ହେଇଯିବ ନାଇଁ ? ମଣିଷ ଧିଅ ଧରି ସେମାନେ ଏତକ ସହିବେ ? ତାଙ୍କର ବଡ଼ିଖିଆ ପଛକେ ନ ହେଲା ନାହିଁ–କଥା ବନ୍ଦ ରଖି ମହୀବୋଉ ଚୋପା ଓ କଷ ପାଣିତକ ଅଲଗା ରଖାହୋଇଥିବା ଗୋଟିଏ କୁଣ୍ଡରେ ଢାଳିଲେ-

 

କଥାରେ ପାଳି ଧରି ଯଦୁବୋଉ କହିଲେ–ଯାହା କହିଲୁ ! ଘଣ୍ଟା ଘଣ୍ଟା ଧରି ସମୟ ନଷ୍ଟ କରି, ନଖ ଉପରେ ଯୋଉ ପାଲିସ୍‌ ବସେଇଥାନ୍ତି, ଏକା ଭାରିକେ କାହିଁ ଉଡ଼ି ଚାଲିଯିବ । ଆଲୋ, ସିଏ ତ ନଖ ନୁହଁ । ଦଶ ଆଙ୍ଗୁଠିରେ ରକ୍ତମୁହାଁ ଦଶଖଣ୍ଡ ଛୁରୀ–ଯାହାର ବେକକୁ ଧରିନେବ, ନିଜେ ଯମ ଆସିଲେ ବି ତାକୁ ରଖିପାରିବ ନାହିଁ । ଏଇ ଆମ ସାନବୋହୂକୁ ସେଦିନ କହିଲି, ‘‘ଆଲୋ ବୋହୂ, ଏଡ଼େ ଏଡ଼େ ନଖଟାମାନ ରଖିଚୁ । କଅଁଳା ଛୁଆଟା ଦିହରେ ରାତିବିକାଳି ନିଦବାଉଳାରେ କେତେବେଳେ ବାଜିଯିବ । ତାକୁ ମୂଳେଇ କାଟିପକା ।’’ ହେଲାନାହିଁ । କହିଲା କ’ଣ ନା ‘‘ନାତି ପାଇଁ ଯଦି ଏତେ ଡର ହଉଚି, ତାକୁ ନେଇ ତମରି ପାଖରେ ଶୁଆଉନା ?’’ ଶୁଣିଲୁ ? ଏଇ ହେଲା କାକ ! ପଦକୁ ପଦେ । ଆମ ବେଳେ ଶାଶୁ ଆମ ନାକ କାଟି ପକେଇଲେ ବି ପାଟିରୁ ‘‘ଉଁ, ବୋଲି ବାହାରୁ ନଥିଲା ।’’

 

ମହୀବୋଉ ମୁଣ୍ଡ ହଲେଇ ନିଜର ସମର୍ଥନ ଜଣେଇ କହିଲେ ‘‘ସେ କଥା ଆଉ କାହିଁକି କହୁଛ ଅପା ? ଆମେ ଯାହା ସହିଥିଲୁ, ଆଜିକାଲିର ବୋହୂ ତା’ର କାଣିଚାଏ ସହିପାରିବେ ?’’

 

‘‘ସହିବେ ନା ଆଉକିଛି ! ଯୋଉ ଯୁଗ ହେଇଚି, ଶାଶୁ ପଦେ ଆକଟି କହିଦେଲେ ଆଉ ଯାଏ କୁଆଡ଼େ ? ବର ଆଗରେ ଆଖିରେ ଲଙ୍କାମରିଚ ମାଡ଼ି ଫେରାଦ ହେବେ ଯେ ଶାଶୁ ତାଙ୍କୁ ବିଷ ଆଖିରେ ଦେଖୁଚି । ଆଲୋ, ବରମାନଙ୍କ ଆଗରେ ଗଡ଼େଇବାକୁ ସେମାନେ ପୁଣି ଏତିକି ଲୁହ ସାଇତି ରଖିଛନ୍ତି । କଥାରେ ଅଛି, ‘‘ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି’’; କିନ୍ତୁ ଏମାନେ କଣ ସହିବେ ? ଏମାନଙ୍କର ଦେହ ପରା ଲହୁଣୀରେ ଗଢ଼ା । ସବୁବେଳେ କାକରରେ ରହିଥିବେ–ଟିକିଏ ଖରା ବାଜିଲେ ପରା ତରଳିଯିବେ । ମହୀବୋଉଙ୍କର ସମର୍ଥନ ପାଇବାକୁ ଯଦୁବୋଉ ତାଙ୍କ ମୁହଁକୁ ଚାହିଁଲେ ।

 

ନିଜର ଅତୀତ କଥା ମନେ ପକାଇ ମହୀବୋଉ ଗୋଟିଏ ଦୀର୍ଘନିଃଶ୍ୱାସ ଛାଡ଼ି କହିଲେ, ‘‘ଯାହା କୁହ ଅପା, କାହାରି ଦୁଃଖ କେହି ଘୁଞ୍ଚେଇପାରିବେ ନାହିଁ–ସେ ଶାଶୁ ହେଇଥାଉ କି ବଉ ହେଇଥାଉ କି ପୁଅ ହେଇଥାଉ । ଯେମିତି ଆମେ ଏକାଟିଆ ଆସିଚୁ, ସେମିତି ଆମକୁ ନିଜର ବୋଝ ମୁଣ୍ଡେଇ ଏକାଟିଆ ଫେରିଯିବାକୁ ପଡ଼ିବ । କିଏ କାହାର ଦୁଃଖ ନେବ ? ଆପଣା ସାଥିକା ଦୁନିଆ ପରା ।’’

 

–ଆଲୋ କାହାର ଦୁଃଖ କ’ଣ ସତରେ କିଏ ନିଏ ? ଖାଲି ମନ ବୁଝିବା କଥା । ଦୂର ଜାଗାକୁ ବୋଝ ନେଇ ଗଲାବେଳେ ଲୋକ ସାଙ୍ଗସାଥି ଖୋଜେ କାହିଁକି ? ଦି’ଟା କଥା କହି ବାଟ ଚାଲିଲେ ବାଟ ଜଣାପଡ଼ିବ ନାହିଁ ବୋଲି ତ ? ସେମିତି ନିଜେ ଗୋଟିଏ ଘର କଲେ କେତେ ତ ଦୁଃଖକଷ୍ଟ ରହିଚି କିନ୍ତୁ ତା’ରି ଭିତରେ ଯଦି ମନରେ ମନ ମିଶିଲା, ଜଣକର ଦୁଃଖରେ ଆଉ ଜଣେ ‘‘ଆହା’’ ବୋଲି କହିଲା, ତେବେ ସେଇ କ’ଣ ସୁଖ ନୁହେଁ ?

 

କଥାଟା କିନ୍ତୁ ମହୀବୋଉଙ୍କ ମନକୁ ପାଇଲା ନାହିଁ । ସେ କହିଲେ–‘‘ଅପା ତମେ ସିନା ସେ କଥା କହୁଚ, ହେଲେ ପର ଉପରେ ବୋଝ ହୋଇ କେହି କେବେ ସୁଖୀ ହୋଇପାରେ ନାହିଁ... ଆମର ସାରା ଜୀବନ ତ ଜଣକ ଉପରେ ବୋଝ ଭଳିଆ ନଦି ହୋଇ କଟିଗଲା–ଆମେ ସୁଖର କ’ଣ ବୁଝିବୁ ? ଆମ ଝିଅକାଳରେ ମାଇପେ ନିଜ ଗୋଡ଼ରେ ଠିଆହେବା କଥା ମନକୁ ବି ଆଣିପାରୁ ନ ଥିଲେ । ସେତେବେଳେ ଭଗବାନଙ୍କୁ ଦୋଷ ଦେଉଥିଲେ ଆମକୁ କାହିଁକି ମରଦ କରି ସଂସାରକୁ ନ ପଠେଇଲେ । ସେଇ ଆମରି ଆଖି ତ ପୁଣି ଦେଖିଲା ମରଦଙ୍କ ଭଳି ମାଇପେ ବି ନିଜ ଗୋଡ଼ରେ ଠିଆ ହୋଇପାରନ୍ତି । ସେଥିପାଇଁ ବେଳେ ବେଳେ ମୁଁ ମନରେ କରେ ଆଉ କିଛି ବର୍ଷ ପରେ ହେଲେ ଜନ୍ମ ହୋଇଥାନ୍ତି !’’

 

ଏସବୁ କଥାରୁ ଯଦୁବୋଉ କିଛି ରସ ପାଇଲେ ନାହିଁ । ଗୋଟାଏ ଦି’ଟା ହାଇ ମାରି ପ୍ରସଙ୍ଗ ବଦଳେଇବା ଉଦ୍ଦେଶ୍ୟରେ କହିଲେ–‘‘ଏଇ ବର୍ଷ ପୁଅକୁ ବାହା କରୁଚୁଟି ? ପାଠୋଈ ବୋହୂ ଦେଖି ଆଣିବୁ ଯେ ତୋ ଦୁଃଖ ଘୁଞ୍ଚିଯିବ ।’’ ଶେଷ କଥାଗୁଡ଼ାକ ମହୀବୋଉଙ୍କ ଗାଲରେ ଚଟକଣା ବସେଇଲା ପରି ଲାଗିଲା ।

 

–ଆଣିବି ତ । ଆଉ କଣ ମନେ କରିଛ ଆମରି ଭଳି ଆଖିରୁ ଲୁହ ଗଡ଼େଇବାକୁ ଅଧା ମୂର୍ଖମାନଙ୍କୁ ଘରକୁ ବୋହୂ କରି ଆଣିବି ?

 

ହସି ହସି ଯଦୁବୋଉ କହିଲେ– ‘‘ଭଲ କଥାଟିଏ ମନେ କରେଇ ଦେଲୁ । ଦିନେ ସଙ୍ଗାତ ଘରକୁ ଯାଇଥିଲି–’’

 

–କୋଉ ସଙ୍ଗାତ ମ ? କଥାରେ ବାଧା ଦେଇ ମହୀବୋଉ ପଚାରିଲେ ।

–ଆଲୋ ମୁରଲୀବାବୁଙ୍କ ଘର ବା... ସବା ତଳି ପୁଅଟିକି ଏଇ ଗଲା ତିଥିରେ ବାହା କରିଚି ।

 

ଯଦୁ ବୋଉଙ୍କୁ କଥା ସାରିବାକୁ ନ ଦେଇ ମହୀବୋଉ କହିଲେ–‘‘ହଁ, ହଁ, କଣ ହେଲା ? ମୁଁ କଣ ଏ ଯାଏଁ ତାକୁ ଦେଖିଲିଣି କି ? ସେତେବେଳକୁ ତ ଆମ ଗାଁରେ ଝିଆରୀର ବାହାଘର । ମୁଁ ଏଠି ନଥିଲି । ବୋହୂଟି କେମିତି ?’’

 

ଆଉ ଟିକିଏ ଭଲକରି ଆସନ ଜମେଇ ଯଦୁବୋଉ ହସି ହସି କହିଲେ–‘‘ବୋହୂ ସୁନ୍ଦର ବୋଲି ପୂରିଚି ମହୀ, କେହି ନ ଜାଣେ ତା’ର ଭିତର ଗଇ ।’’

 

ପ୍ରକୃତରେ କହିବାକୁ ଗଲେ ବୋହୂର ରୂପ ବର୍ଣ୍ଣନା କରିବାକୁ ଯଦୁବୋଉଙ୍କର ଯେତେ ଇଚ୍ଛା ନ ଥିଲା, ତା’ଠାରୁ ବେଶି ଇଚ୍ଛା ଥିଲା ତାର ଗୁଣ ବଖାଣିବାକୁ, କିନ୍ତୁ ମହୀବୋଉଙ୍କୁ ସନ୍ତୁଷ୍ଟ ରହିବାର ଦେଖି ଆପେ ବଳିପଡ଼ି କହିଲେ–ସଙ୍ଗାତ କହୁଥିଲା ବୋହୂର ଜାଣି ଖଣ୍ଡେ ନାଜ ଅଛି ।

 

ଗୋଟାଏ ସ୍ୱସ୍ତିର ନିଃଶ୍ୱାସ ଛାଡ଼ି ମହୀବୋଉ କହିଲେ–‘ଯା’ ହେଉ, ଆଜିକାଲିକା ବୋହୂ ଭୂଆସୁଣୀଙ୍କ ଠେଇଁ ଏତକ ମିଳିବା ସପନ । ଏତେଦିନକେ ଠାକୁରେ ମିନିବୋଉଙ୍କ କଥା ଶୁଣିଲେ-। ଆଗ ବୋହୂ ଲାଜ କରୁ ନ ଥିଲେ ବୋଲି ତାଙ୍କର ଯୋଉ ଦୁଃଖ ! ଯେତେହେଲେ ତ ଯା’ ଦେଢ଼ଶୁର ଘର–,

 

ପାଟିରୁ କଥା ଛଡ଼େଇ ନେଇ ଯଦୁବୋଉ କହିଲେ–‘‘ଆଉ ! ତା ନାଜ ଦେଖି ତ ମୋ ମନ ଏକାଥରକେ ଥଣ୍ଡା । ଯାହା କହନ୍ତି, ‘‘ବାଇଗଣ ଫୁଲ ତଳକୁ, ଉଠ ଦେଢ଼ଶୁର ଦୁଆର ମୁହଁରୁ ଭାଇବୋହୂ ଯିବେ ଘରକୁ ।’’

 

–ଅପା, ତମର ଯୋଉ କଥା ! ମହୀବୋଉ ହସି ପକେଇଲେ ।

 

ମହୀବୋଉଙ୍କୁ ଟିକିଏ ଠେଲିଦେଇ ହସି ହସି ଯଦୁବୋଉ କହିଲେ–‘‘ତୁ ଥରେ ଚାଲୁନୁ ଦେଖିଆସିବୁ । ବଡ଼ ବୋହୂଟାର ଅଣ୍ଡିରୀପଣ ତୁ ତ ଜାଣୁ । ମରଦ ନାହିଁ, ମାଇକିନିଆ ନାହିଁ– ସମସ୍ତିଙ୍କ ସାଙ୍ଗରେ ଦାନ୍ତ ଦେଖେଇ ହେଁ ହେଁ, ଫେଁ ଫେଁ ହୁଏ । ସେଥିପାଇଁ ମଝିଆଁ ବୋହୂକୁ ଦେଖି ଚାହିଁ ଆଣିଲା ଯେ ଷୋଳ ମଙ୍ଗଳା ବାସିଦିନ ବୋହୂ ପୁଣି ଶାଶୂକୁ ଆଡ଼େଇ ଦେଇ ଦାଣ୍ଡରେ ଠିଆ ହୋଇ ପରିବାବାଲାଠୁ ମୂଲ କରି ପରିବା କିଣିଲା । ଏବେ ସାନବୋହୂ ଆସିଲା ଯେ ଚଉଠି ବାସିଦିନ ସେ କୁଆଡ଼େ ଦେଢ଼ଶୁର ଆଗରେ ମୁଣ୍ଡରୁ ଓଢ଼ଣା ଖସେଇ ଡାକଘରକୁ ଗଲା ଚିଠି ପକେଇବାକୁ । ସାହି ଗୋଟାକାର ମରଦ ସାତମଙ୍ଗଳା ନ ଯାଉଣୁ ବୋହୂର ମୁହଁ ଦେଖିଲେ । ମାଇକିନିଆମାନେ କେତେ ଛି ଛାକର କଲେ । ସଙ୍ଗାତ ବଡ଼ ବ୍ୟସ୍ତ ହେଇ ପଡ଼ିଲା । ମାସେକାଳ ଦେଖିଲା, ବୋହୂ ଖାଇବା ଶୋଇବା ବେଳତକ ଛାଡ଼ିଦେଲେ ବାକି ସମୟ ଦାଣ୍ଡରେ । ଶେଷକୁ ସଙ୍ଗାତ କୁଆଡ଼େ ପୁଅ ପାଖରେ ଫେରାଦ ହେଲା ।

 

–‘‘ସତରେ ? ପୁଅ କଣ କହିଲା ?’’ ମହୀବୋଉଙ୍କ ମୁହଁରେ କୌତୂହଳୀ ପ୍ରଶ୍ନ ।

 

–ପୁଅ ତା ମାଇପ ପଟ ନ ନେଇ ଆଉ କ’ଣ ମାଆ ପଟ ନବ ? ପୁଅ କୁଆଡ଼େ କହିଲା, ‘‘ତୋ ବୋହୂ କିଛି ଖରାପ କାମ କରିନାହିଁ ତ ? ଘରେ ନ ଲୁଚି ସେ ପଦାକୁ ଯାଉଛି । ଏଥିରେ ହାଣକାଟର କଣ ଅଛି ? ଆଜିକାଲି ଯୁଗ ତ ସେଇଆ ଚାହୁଁଛି– ନିଜ ଗୋଡ଼ରେ ସମସ୍ତେ ଠିଆ ହେବେ ।’’

 

ହସିଲା ମୁହଁରେ ମହୀବୋଉ କହିଲେ–ସେଇଠୁ ?

 

–ସେଇଠୁ ଆଉ କଣ ? ସବୁଠି ଯାହା ହୋଇଥାଏ ସେଇଆ ହେଲା । ମା’ ପୁଅ ଭିତରେ ଠେଲାପେଲା ଲାଗିଲା । ସଙ୍ଗାତ କି ଛାଡ଼ିବା ମଣିଷ ? ମୁହଁ ଖୋଲି ସଫା କହିଦେଲା, ‘‘ଆରେ ଅଲାଜୁକ, ୟାକୁଇ କ’ଣ କହନ୍ତି ନିଜ ଗୋଡ଼ରେ ଠିଆ ହେବା ? ଘରେ କୁଟା ଖଣ୍ଡକ ଦି’ଖଣ୍ଡ କରିବେ ନାହିଁ । ମୁଁ ବୁଢ଼ୀମଣିଷଟା ଯାଇ ତାର ଖିଆ ଖବର ବୁଝିବି–ତା’ର କଣ ସେତକ ବୁଦ୍ଧି ନାହିଁ, ନିଜେ ଆସି ଖାଇଦେଇ ଯିବ ?’’ ଡେଇଁକି ପୁଅ ଥାଇ କୁଆଡ଼େ କହିଲା, ‘‘ତୁ କାହିଁକି ତାକୁ ରୋଷେଇଘରକୁ ଯିବାକୁ ମନାକରିଚୁ ?’’

 

ଏତିକିବେଳେ ଗୋଟାଏ କାଉ ବିରି ଲୋଭରେ ପାଖକୁ ଚାଲି ଆସିବାର ଦେଖି ହାସ୍‌ ହାସ୍‌ କରିଦେଇ ମହୀବୋଉ ଟିକିଏ ମୁରୁକି ହସା ଦେଇ କହିଲେ–‘‘ସେଇଠୁ ? ସଙ୍ଗାତେ କଣ କହିଲେ ?’’

 

–ସଙ୍ଗାତ କୁଆଡ଼େ କହିଲା, ‘‘ମନା କରିବି ନାହିଁ ? ହାଣ୍ଡିଶାଳରେ ବଡ଼ବଡ଼ୁଆ ଅଛନ୍ତି । ସେଠି ଜୋତା ପୂରେଇ ମୋ ହାଣ୍ଡି ମାରା କରିବ ? ତେଇଁକି ସାଆନ୍ତାଣୀ ବୋହୂ କୋଉଠି ଥିଲେ ବାହାରିଆସି କୁଆଡ଼େ କହିଲେ, ‘‘ଚମଡ଼ା ଜୋତାରେ ସିନା ହାଣ୍ଡିଶାଳ ମାରା ହୁଏ । ମୁଁ ତ କନାର ଜୋତା ପିନ୍ଧିବି ।’’ ହସି ହସି ଯଦୁବୋଉ ପାନ ସିଠାତକ ଅଗଣାକୁ ଫିଙ୍ଗିଦେଇ କାନି ଫିଟେଇ ଆଉ ଖଣ୍ଡେ ପାନ ପାଟିରେ ପୂରେଇ କହିଲେ, ‘‘ଥରେ ଚାଲୁନୁ, ସଙ୍ଗାତ ଘରକୁ ଯିବା ।’’

 

ମହୀବୋଉ କଣ କହିବାକୁ ଯାଉଥିଲେ, ଏତିକିବେଳେ ପହଲିର କାନ୍ଦଣା ଶୁଭିଲା, ‘‘ବୋଉଲୋ ଅପା ମୋତେ ମାରିପକାଇଲା ।’’

 

–‘‘ଆଃ, ଶୋଇଲା ପିଲାଟାକୁ ଉଠେଇ ବାଡ଼ୋଉଚି । ତାକୁ ମୁଁ ଆଉ ପାରିଲି ନାହିଁ..... ଏ ମାୟା, କାହିଁକି ତାକୁ ମାରୁଛୁ କିଲୋ ?’’ ବିରକ୍ତ ହେଇ ମହୀବୋଉ ଡାକ ଛାଡ଼ିଲେ ।

 

ଦୁଇ ତିନି ଡାକ ପରେ, ଗୋଟାଏ ହାତରେ କାନ, ଆର ହାତରେ ପହଲିର ଗୋଟିଏ ହାତ ଧରି ଭିଡ଼ିଭିଡ଼ିକା ମାୟା ଆସିଲା । ଦେହରେ ସ୍କୁଲପିନ୍ଧା ଲୁଗା, ତେଲିଆ ମୁହଁରେ ସ୍କୁଲ ଫେରନ୍ତି କ୍ଳାନ୍ତି । ରାଗରେ ଫଁ ପଁ ହଉଥାଏ । ଛେଳିକୁ ପାଣିକୁ ନେଲାବେଳେ ସେ ଯେମିତି ମେଁ ମେଁ ହୋଇ ପଛକୁ ଟାଣିଓଟାରି ହୁଏ, ପହଲି ସେମିତି ମାୟା ହାତରୁ ନିଜକୁ ମୁକୁଳେଇବାକୁ ଚେଷ୍ଟା କରି ଭେଁ ଭେଁ ରଡ଼ି ଛାଡ଼ିଥାଏ । ମହୀବୋଉ ଆଉ ସମ୍ଭାଳି ପାରିଲେ ନାହିଁ । ଚିଡ଼ିଯାଇ କହିଲେ, ଛାଡ଼ିଦେ ତାକୁ..... ଏତେ ବଡ଼ ପିଲାଟାଏ ହେଲାଣି, ସାନ ଭାଇଭଉଣୀମାନଙ୍କୁ ଟିକିଏ ଆଦର ସ୍ନେହ କରିବ କ’ଣ ନା ଦିନରାତି ଖାଲି ମାଡ଼ ଦେଇ ଜାଣିଚି ।’’

 

ଖତେଇ ହେଲା ପରି ମାୟା କହିଲା, ‘‘ଆଦର କରିବି ! ଏଇ ଚୋରଙ୍କୁ ଆଦର କରିବି-?’

 

–‘‘ସେ ତୋର କ’ଣ ଚୋରି କଲା ?’’ ଆଉ ଟିକିଏ ଚଢ଼ା ଗଳାରେ ମହୀବୋଉ ପଚାରିଲେ ।

 

–‘‘ତାକୁ ପଚାରୁନୁ, ମତେ କାହିଁକି ପଚାରୁଛୁ ? ତା ଦେହରେ ଟିକିଏ ହାତ ଦଉ ଦଉ ତ ତୋ ଦେହରେ ଲାଗିଯାଉଛି, ଯେତେବେଳେ ଜେଲଖାନାକୁ ଯାଇ ଘଣା ପେଲିବ ସେତିକିବେଳେ ବୁଝିବୁ ଯେ ।’’ ମାୟାର ରାଗଯାକ ଯାଇ ମହୀବୋଉଙ୍କ ଉପରେ ଠୁଳ ହେଲା ।

 

ପହଲିର କାନ୍ଦ କେତେବେଳୁ ବନ୍ଦ ହୋଇଗଲାଣି । ସଁ ସଁ ହୋଇ ଦାନ୍ତ କାମୁଡ଼ି ସେ ମାୟା ହାତମୁଠାରୁ ଖସିଯିବାର ଚେଷ୍ଟାରେ ଲାଗିଥାଏ ।

 

–‘‘ତୁ କହୁନୁ, ସେ ତୋର କ’ଣ ଚୋରି କରିଛି ?’ ମାୟାକୁ ଚାହିଁ ଯଦୁବୋଉ କହିଲେ ।

 

ନ ଶୁଣିଲା ପରି ଫଁ ଫଁ ହୋଇ ମାୟା କହିଲା, ‘‘ସିନ୍ଧିଆ ଚୋର ! ଇସ୍କୁଲରୁ ଫେରି ଭୋକ କରେ ବୋଲି ଆରିସା ପିଠାଟା ନ ଖାଇ ମୁଁ ରଖି ଯାଇଥିଲି । ଚୋର କଣ କରିଚି ନା ଟେବୁଲ ଉପରେ ଚଢ଼ି ଆଲମାରୀ ଫିଟାଇ ସେତକ ଚଳୁ କରିଦେଇଛି । ବାମନ ଭଳିଆ ସିନା ହେଇଚି, ନଇଲେ ସେ ଅସୁରର ଆଖି ଆଉ ପେଟ ପାଇଚି । ମୁଁ ଏଇକ୍ଷଣି ଆଲମାରୀ ଫିଟାଇ ଦେଖେ ତ ପିଠା ନାହିଁ । ମୁଁ ଖୋଜି ହଉଚି ପିଠାଟା କେଉଁଠି ରହିଗଲା ବୋଲି । ଦେଖିଲା ବେଳକୁ ଟେବୁଲ ଉପରେ ବାବୁଙ୍କର ପାଦଚିହ୍ନ ପଡ଼ିଛି । ଶୋଇବା ଘରେ ଦେଖେ ତ ତା ବିଛଣାଯାକ ଘିଅ ଆଉ ପିଠାର ଗୁଣ୍ଡ ପଡ଼ିଚି । ପଚାରିଲାବେଳକୁ ପୁଣି ମନା କରୁଚି ନା ।’’

–ହଉ ଖାଇ ତ ସାରିଲାଣି, ଘରେ ପିଠା ଅଛି ତୁ ଯାଇ ଖା ।

–‘‘ନା, ସେଇଟା ମୋ ପିଠା । ସେ ଚୋରିକଲା କାହିଁକି ?’’ ରାଗଟା ଶୁଝେଇବାକୁ ମାୟା ପହଲି ଗାଲରେ ଗୋଟାଏ ଜବର ଚଟକଣା ବସାଇଦେଲା ।

ତୁ ମୋଟେ ଚୋରି କରୁନାହିଁ ? ତତେ ପିଠା ଦେଲା କିଏ ?

ଅନ୍ୟ କିଛି ବାଟ ନ ପାଇ ଖତେଇ ହେଲାଭଳି ମାୟା କହିଲା, ‘‘ନାଇଁରେ ପହଲି, ଚୋରି କର । ବୋଉର ମନ ପରା ମାନୁନାହିଁ–ଚୋରର ମା ନ ହେଲେ ତେବେ ଗୋଟାଏ କି ମା ସେ ହେଲା, ବୁଝିଲୁ ? ଯା’ ବଳକା ରାଗତକ ଶୁଝେଇବାକୁ ଜୋରରେ ପହଲିକୁ ପେଲିଦେଲା ।

–ହଁ, ମୁଁ ଚୋରର ମା ହେଲେ ହେଲି ଯା ।

–ତୋ’ରି ଭଳି ମା’ମାନଙ୍କ ଯୋଗୁଁ ପରା ଆମ ଦେଶରେ ଏଡ଼େ ବେଗି ଉନ୍ନତି ହେଉଛି-। ପିଲାଟି ଯଦି ନିଜର ଛୁଆମାନଙ୍କୁ ଚୋରି କରିବା ନ ଶିଖାଇଲେ, ତେବେ ସେ ଆଉ କି ମା ହେଇଛନ୍ତି ?

କିଛି ଉତ୍ତର ନ ପାଇ ଟିକିଏ ବେଳ ଗୁମ୍‌ମାରି ବସି ମାୟା କହିଲା, ‘‘ହଉ, ମତେ ଜଲଦି ଖାଇବାକୁ ଦେ–ପଢ଼ିବାକୁ ଯିବି ।’’

–ଘରେ ପିଠା ଅଛି ଯା ଖାଇବୁ ।

–ମୁଁ ପିଠା ଖାଇବି ନାହିଁ– ମତେ ପଖାଳ ଦେ ।

–ପଖାଳ କୁଆଡ଼ୁ ଆସିବ ? ଶୀତ ଦିନୁଟାରେ–

 

‘‘ମୁଁ ସେସବୁ ଜାଣିନାହିଁ । ତୁ କୁଆଡ଼ୁ ହେଲେ ମାଗି କରି ଆଣି ଦେ ।’’ ମାୟା ଜିଦି କରି ବସି ରହିଲା ।

 

–‘‘ଆଲୋ ଇଏ କି କଥା କହୁଚି ? ମୁଁ ପଖାଳ ମାଗିବାକୁ ଯିବି କାହା ଘରକୁ ?’’ ଝିଅର ପାଗଳାମି ଶୁଣି ମହୀବୋଉ ହସିଲେ । ‘‘ପିଠା ଖାଇବାକୁ ଇଚ୍ଛା ନ ହଉଚି ତ ଘରେ ଅନ୍ୟ ଜଳଖିଆ ଅଛି ଖା ।’’

 

–ମୁଁ ପଖାଳ ଖାଇବି ନଇଲେ ଉପାସ ରହିବି ।

 

‘‘ଯାହା ତୋ ଇଚ୍ଛା ହେଉଛି କର । ମତେ ଆଉ କହୁଛୁ କାହିଁକି ?’’ କହି ମହୀବୋଉ ଗପରେ ମନ ଦେଲେ ।

 

ଆଉ କିଛି ନ କହି ମାୟା ଉଠି ଚାଲିଗଲା । ଦାଣ୍ଡଘର ସାମନା ଭିତରପଟ ବାରଣ୍ଡାର କବାଟକୁ ଆଉଜି ଚକା ପକେଇ ବସି ପହଲି କାନ୍ଦୁଚି । ପାଟିର ଶବ୍ଦ ଓ ଆଖିର ଲୁହ କମି କମି ଆସୁଛି । କୌଣସି ପ୍ରକାରେ ତାର କେର ଟାଣି ଟାଣି ପହଲି କାନ୍ଦି ଚାଲିଛି । ଆଖି ରହିଚି ନିଜ ହାତପାପୁଲିର ପଛପଟେ–ଆଠ ଦଶଟା ଆମ୍ପୁଡ଼ା ଜାଗାରୁ ରକ୍ତ ଜକେଇ ଆସୁଛି । ସେ ଖଣ୍ଡିଆକୁ ଆଉ ଟିକିଏ ବଡ଼ କରିଦବାକୁ ପହଲିର ଇଚ୍ଛା । ଚାରିଆଡ଼କୁ ଚାହିଁ, କେହି ନ ଥିଲାବେଳେ ନିଜ ନଖରେ ଟିକିଏ ଉଖାରି ଦଉଥାଏ, ତାପରେ ଇଁ... ଇଁ...ଇଁ... । ଥରକୁ ଥର ଆଖି ଟାଣିହୋଇ ଯାଉଚି ଦାଣ୍ଡକବାଟ ଆଡ଼କୁ–ମୋହନ ଆସିଲା କି ନାହିଁ ।

 

ମାୟା ସିଡ଼ିରେ ଉଠିବାକୁ ଯାଇ ଦେଖିଲା ପହଲି କାନ୍ଦୁଚି । ଭୋକିଲା ପେଟରେ ରାଗ ପୁଣି ତାଳୁକୁ ଉଠିଲା । ଦାନ୍ତ ଦେଖେଇ କହିଲା, ‘‘ରାକ୍ଷସ, ସବୁ ତ ଖାଇଲୁ, ଆଉ କାହିଁକି କାନ୍ଦୁଛୁ-?’’ ଏତିକି କଥାରେ ପହଲିର କୋହ ଦି ଗୁଣ ହୋଇଗଲା । ଆଖିରେ ସାନି ଲୁହ ବି ଦେଖାଦେଲା-। ପହଲି ତ ସେଇୟା ଖୋଜୁଥିଲା । କେହି ନ ଦେଖୁଣୁ ଲୁହ ଖୁଖିଯିବାଟା ଶୁଭ ଲକ୍ଷଣ ନୁହେଁ । ବର୍ତ୍ତମାନ ମାୟାର ଏଇ କଥାତକ ମନେ ପକେଇ କିଛି ସମୟ ଜୋର୍‌ରେ କାନ୍ଦିହେବ । ତାରି ଭିତରେ କେହି ନା କେହି ଆସି ନିଶ୍ଚେଁ ପହଞ୍ଚିଯିବେ । ସେଠୁ ବାହୁନି ବାହୁନି କାନ୍ଦିଲା–‘‘ମତେ ଆମ୍ପୁଡ଼ି ପକେଇଲା, ଇଁ.... ଇଁ.... ଇଁ, ଅପା ମତେ ଆମ୍ପୁଡ଼ି ପକେଇଲା.... ।’’

 

ମାୟା ମନରେ ସନ୍ଦେହ ହେଲା । ପାଖକୁ ଯାଇ ଧମକେଇଲା ପରି ପଚାରିଲା– ‘‘କାହିଁ ଦେଖେ କଣ ହେଇଚି ?’’

 

ଆହୁରି ଜୋରରେ କାନ୍ଦିଉଠି ପହଲି ଦୁଇ ହାତ କୋଳ ଭିତରେ ସାବଧାନରେ ରଖିଲା–ଯଦି ମାୟା ରକ୍ତଟିକକ ପୋଛିଦେବ ତେବେ ସେ କାହାକୁ ଆଉ କଣ ଦେଖାଇବ ? ମନେ ମନେ ଛାନିଆ ହେଲାଣି, ଭାଇ କି ବାପା ଫେରୁ ନାହାନ୍ତି କାହିଁକି ?

 

–ଦେଖେଁ ?

–ଇଁ...ଇଁ...ଇଁ ।

 

‘‘ହଉ ନ ଦେଖା । ଭାସିଗଲା... ତୁ କ’ଣ ମତେ କାମୁଡ଼ିନୁ କି ?’’ ମାୟା ଚାଲିଗଲା । ଚାଲିଯାଇ ପଢ଼ା ଟେବୁଲ ପାଖରେ ବସି ନିଜ ନଖକୁ ଥରେ ଭଲକରି ଚାହିଁଲା ।

 

–ଝିଅଟା ଉପାସରେ ରହିଲା, ତା ପାଇଁ ଗଣ୍ଡେ ପଖାଳ କରିଦେଲୁ ନାହିଁ ?

 

‘‘ପଖାଳ କ’ଣ ହଉନଥିଲା ଅପା ? ଏଇକ୍ଷଣି କୋଇଲା ଚୁଲିରେ ରନ୍ଧାହେଉଚି–ପାଖାଳ କିଏ ଖାଇବ ? ଯାହା ଭାତ ବଳିଥାଏ ଚାକରାଣୀ ବାସନ ମାଜିବାକୁ ଆସି ନେଇଯାଏ ।’’ ମହୀବୋଉ କହିଲେ ।

 

–ହଇଲୋ, ତୁ ଆଜିକାଲି କୋଇଲା ଚୁଲିରେ ରାନ୍ଧିଲୁଣି ? କାହିଁ ମତେ ସେ କଥା କହିନୁ ତ ?

 

–ତମକୁ ଆଉ କହିବି କ’ଣ ? କାଠବାଲାଟା ହଇରାଣ କଲାରୁ ଏବେ ପରା କୋଇଲା ଚୁଲିରେ ରନ୍ଧା ହେଉଚି ।

 

ବଡ଼ ବଡ଼ ଆଖି କରି ଯଦୁବୋଉ କହିଲେ– ‘‘ହଇଲୋ’’ ଡେକ୍‌ଚି ରନ୍ଧା ତୋ ପେଟରେ ଯାଉଚି ? ସୁଆଦ ତ ଲାଗୁ ନଥିବ ?

 

–ଅସରଣକୁ ଖାଇବା କଥା–ସୁଆଦ ଅସୁଆଦ କଥା କିଏ ପଚାରେ ? ଯଦୁବୋଉ ନିଜକୁ ସାନ୍ୱନା ଦେଇ କହିଲେ–‘‘ଯେତେ କହ କାଠଚୁଲିର ମାଟିହାଣ୍ଡି ରନ୍ଧା ଯେମିତି ସୁଆଦ, ପେଟକୁ ବି ସେମିତି ଥଣ୍ଡା । କଣ କହନ୍ତି ପରା କୋଇଲା ଚୁଲିର ରନ୍ଧା ଖାଇଲେ ବଦହଜମି ହୁଏ-?’’

 

ହସି ହସି ମହୀବୋଉ ଜବାବ ଦେଲେ ‘‘ମୁଁ ସେ କଥା କହିଲାରୁ ପରା ଘରେ ସମସ୍ତେ ହସିଲେ । କହିଲେ କ’ଣନା ଦୁନିଆଁ ଯାକର ଲୋକେ କୋଇଲା ରନ୍ଧା ଖାଇ ବଦହଜମି ବେମାରୀରେ ମରି ଯାଉଛନ୍ତି ! ଖାଲି ଆମରି ଲୋକେ କାଠଚୁଲିର ମାଟିହାଣ୍ଡି ରନ୍ଧା ଖାଇ ଭୀମ ଭଳିଆ ଚେହେରା କରିଛନ୍ତି । ଆଉ ମୁଁ ବି ନିଜେ ଦେଖିଲି ମାଟିହାଣ୍ଡି ରନ୍ଧାରେ ବଡ଼ ବେଶି ଝିଂଝଟ-। ଖାଲି ଗୋଡ଼ ହାତ କଳା ହୁଏ । ତା’ ପରେ ପୁଣି ପୂଝାରୀ ଚାକରମାନେ କଣ କମି ହାଣ୍ଡି ଭାଙ୍ଗନ୍ତି-? ମାଟିହାଣ୍ଡି ମାଇପଙ୍କୁ ପୋଷାଏ–ଧୋଇଧାଇ ଯତ୍ନ କରି ରଖନ୍ତି । ମରଦଙ୍କ ହାତରେ ସେ ଟେକିବ କେଉଁଠୁ ? ହାଣ୍ଡିରେ ବିଧେ ବହଳର କଳା-ବାର ବର୍ଷରେ ହାଣ୍ଡିରେ ପାଣି ପଡ଼ିବ ନାହିଁ, ତାପରେ ହାଣ୍ଡିବାଲୀ, କାଠାବାଲାଙ୍କୁ ବାର ଖୁସାମତ । ଏସବୁଠୁଁ କୋଇଲା ଚୁଲି ଢେର ଭଲ–ଅସୁଆଦ ଲାଗୁ ପଛକେ ।’’

 

ଟିକିଏ ବେଳ ବସି ଯଦୁବୋଉ ଯିବାକୁ ବାହାରିଲେ । ତାଙ୍କୁ ଉଠିବାର ଦେଖି ମହୀବୋଉ କହିଲେ, ‘‘ଆଉ ଇଏ ଗୋଟିଏ କଥା ! ପାନ ନେଇନା, ଏଇ ମୋର ସଇଲାଣି ଯେ ।’’ ମହୀବୋଉ ଚୋପାଛଡ଼ା ବିରିରେ ଭଲ ପାଣି ପୂରେଇ ଘର ଭିତରେ ରଖିଲେ । ଜାଗାଟାକୁ ସଫା କରିଦେଇ ଯଦୁବୋଉଙ୍କୁ ସାଥିରେ ଧରି ପାନ ଭାଙ୍ଗିବାକୁ ଗଲେ ।

 

ପାନ ଦି’ଖଣ୍ଡ ହାତରେ ଧରି ଯଦୁବୋଉ ରୁଷିଲା ଭଳି କହିଲେ–‘‘ତୁ ଆମ ଘରକୁ ମୋଟେ ଯାଉନୁ, ଏଣିକି ମୁଁ ଆଉ ଆସିବି ନାହିଁ ।’’

 

ମହୀବୋଉ ଜବାବ ଦେଲେ–‘‘ଦେଖୁଚ ତ ମୋ ଅବସ୍ଥା । ମତେ ମରିବାକୁ ତର ନାହିଁ, ବେଳ ହେଲେ ଦିନେ ଯିବି ।’’

 

–ପୁଅ ବାହା ନ କରିବାଯାଏ ତୋର ବେଳ ହବ ନାହିଁ ।

 

–ପୁଅ ବାହା କରିବାକୁ ମୁଁ କଣ ନାହିଁ କଲି ? ଆଚ୍ଛା ଅପା, ତମ ଦେଖାନ୍ତିରେ କିଏ ସବୁ ଭଲ ପାତ୍ରୀ ଥିବେ ଟିକିଏ ନଜର ରଖିଥିବ ।

 

ଯଦୁବୋଉ ଖୁସିଟାଏ ହେଇ କହିଲେ, ‘‘ହଉ ।’’

 

ଯଦୁବୋଉଙ୍କୁ ଛାଡ଼ିବାକୁ ଯାଇ ମହୀବୋଉ ଦେଖିଲେ ପହଲି କାନ୍ଦୁଚି । ମହୀବୋଉ ପାଖକୁ ଆସିଲେ । କାନିରେ ତାର ଝାଳ ପୋଛିଦେଇ କହିଲେ–‘‘ଛି, ଆଉ କାନ୍ଦନା, ଆ, ମୋ ପାଖକୁ ଆ । କାହିଁକି ଭଲା ଅପାର ପିଠାଟା ଖାଇଦେଲୁ ? ମତେ ମାଗିଲୁ ନାହିଁ ?’’ ବୋଉ ପାଖକୁ ଯିବାକୁ ପହଲି ଏକବାରେ ନାରାଜ । ବାହୁନି ବାହୁନି ହାତ ଦେଖେଇ କହିଲା, ‘‘ଅପା ମତେ ଆମ୍ପୁଡ଼ି ପକେଇଚି ।’’

 

‘‘ଇସ୍ ମାୟାଟା ମଣିଷ ନୁହେଁ ।’’ ବିରକ୍ତ ହୋଇ ମହୀବୋଉ କହିଲେ ।

 

ଦୋତାଲା ବାରଣ୍ଡାରେ ଠିଆ ହୋଇ ମାୟା ସବୁ ଦେଖୁଥିଲା । ମହୀବୋଉଙ୍କ କଥା ଶୁଣି ଗାରୁ ଗାରୁ ହୋଇ କହିଲା, ‘‘ମଣିଷ ହବାକୁ ଆଉ ଦଉଚ କୋଉଠି ? ଟିକିଏ ଖାଇ ମଣିଷ ହବାକୁ ବସିଲାବେଳେ ସେତକ ଅନ୍ୟମାନେ ଖାଇଦେଇ ମଣିଷ ହେଇଯାଉଛନ୍ତି ।’’

 

ଯଦୁବୋଉଙ୍କୁ ଦାଣ୍ଡଦୁଆରେ ଛାଡ଼ିଆସି ମହୀବୋଉ ପହଲିକି ବୋଧଶୋଧ କରିବାକୁ ଚେଷ୍ଟା କଲେ, କିନ୍ତୁ ପହଲି ମହୀବୋଉଙ୍କୁ ତା ଦେହ ଛୁଇଁବାକୁ ଦେଲା ନାହିଁ ।

 

ପ୍ରତାପ ଓ ରଞ୍ଜନ ସ୍କୁଲରୁ ଫେରିଲେ । ପହଲି କାନ୍ଦି କାନ୍ଦି ସେମାନଙ୍କୁ ହାତର ଖଣ୍ଡିଆ ଦେଖେଇଲା । ଅଧଘଣ୍ଟା ପରେ ମୋହନ ଅଫିସ୍‍ରୁ ଫେରିଲା ।

 

–କିରେ କାନ୍ଦୁଛୁ କାହିଁକି ?

–‘‘ଅପା ମତେ ଆମ୍ପୁଡ଼ି ପକେଇଛି ।’’ କାନ୍ଦି କାନ୍ଦି ପହଲି ହାତ ଦେଖେଇଲା ।

–କାହିଁକି ଆମ୍ପୁଡ଼ିଲା ? ତୁ ତାର କଣ କରିଥିଲୁ ?

–ମୁଁ କିଛି କରିନାହିଁ । ସେମିତି ଆମ୍ପୁଡ଼ି ଦେଲା, ଇଁ...ଇଁ...ଇଁ ।

 

–ଆଚ୍ଛା ତୋ ପେଇଁ ଆଜି ଗୋଟାଏ ବଲ୍ ଆଣିଦେବି । ତୁ ସେଥିରେ ଏକା ଖେଳିବୁ । ଆଉ କାହାକୁ ଦବୁ ନାହିଁ– ବୁଝିଲୁ । ମୁଁ ଅବିକା ଅପାକୁ ଗାଳି ଦେବି ଯାଉଚି ।

 

–‘‘ଇଁ... ଇଁ.... ଇଁ’’

–ଆଉ କଣ ପଇସା ନେବୁ ? କେତେ ପଇସା ? ମୋହନ ପଇସା ମୁଣି କାଢ଼ିଲା ।

–‘‘ଅପା ମତେ ନଅଟା ଆମ୍ପୁଡ଼ିଚି ।’’ ଆଖି ପୋଛି ପହଲି କହିଲା ।

–ହଉ ତେବେ ନଅଟା ପଇସା ନେ । ହେଲା ଏଥର ?

ହାତରେ ପଇସା ଧରି ମୁଣ୍ଡ ହଲେଇ ପଚାରିଲା, ‘‘ବଲ୍‍ କେତେବେଳେ ଦବ ?’’

–ମୁଁ ବଜାରକୁ ଗଲେ ଆଣିଦେବି ।

ପହଲିର ହାତ ଧରି ମୋହନ ଆସି ଅଗଣାରେ ଠିଆହୋଇ ଡାକ ଛାଡ଼ିଲା, ‘‘ମାୟା !’’

–କ’ଣ ?

–ତୁ ଆଉ ମଣିଷକୁ ରଖିଦେବୁ ନାହିଁ । ଭଲ ଯୋଗ ଯଦି ଅଛି ସେ ବାଘନଖ ଆଜି କାଟିପକା ।

 

–ଇସ୍ କହିଲେ ଖାଲି କାଟି ପକେଇବି ! ଇଏ କଣ ତମ ନଖ ହେଇଚି କି ? ତା ଦିହରେ ଟିକିଏ ବାଜିଯାଇଛି ବୋଲି ତ ମତେ ନଖ କାଟିପକେଇବାକୁ କହୁଚ । ଏଣେ ସିଏ ଯେ ମତେ କାମୁଡ଼ି ପକେଇଚି ? ତା ଦାନ୍ତଗୁଡ଼ାକ ଭାଙ୍ଗି ପକେଇବାକୁ କହୁନ ? ସେ ଦାନ୍ତ ଭାଙ୍ଗିଲେ ମୁଁ ନଖ କାଟିବି ।

 

ମାୟା କଥା ଶୁଣିବାକୁ ନ ଦେଇ ପହଲି ପାଟିକରି ଉଠିଲା, ‘‘ଅପା ତତେ ମୁଁ କାମୁଡ଼ିଛି-? କି ମିଛକଥା !’’

 

–କାମୁଡ଼ିନୁ ? କହି ମାୟା ଧମକେଇ ଉଠିଲା ।

–ହଉ ଯା, ହକ ଥିଲେ ବଳେ ପୋକ ବାହାରିବ ।

 

କଳି ସେତିକିରେ ଭାଙ୍ଗିଦବାକୁ ଯାଇ ମୋହନ କହିଲା, ‘‘ତୁ କାହିଁକି ସ୍ୱାସ୍ଥ୍ୟରକ୍ଷା ପଢ଼ୁଥିଲୁ ଲୋ ?’’

 

–ଭଲ ହେଇଚି ଯା–ମୋ ଇଚ୍ଛା ହେଲା, ମୁଁ ନଖ ରଖିବି ।

 

–ହଉ ତା’ହେଲେ ରଖ । ଆଉ କିଛି କହିବୁ ଯଦି ଗୋଟିଏ ଭଣ୍ଡାରୁଣୀ ଯୋଗାଡ଼ କରିଦେବି । ପ୍ରତିଦିନ ସେ ଯେତେ ନଖ କାଟୁଥିବ ତାକୁ ଫୋପାଡ଼ି ନଦେଇ ତତେ ଆଣି ଦେଇଯିବ-। ସେଗୁଡ଼ାକ ତୋରି ନଖରେ ଯୋଡ଼ିଦେବୁ– ବଡ଼ ସୁନ୍ଦର ଦିଶିବ ।

 

‘‘ହଁ କହିଦେବ’’ ଆଦେଶ ଦେଲାଭଳି ମାୟା କହିଲା ।

କୃତାର୍ଥ ହେଲାପରି ‘ହଉ’ ଟିଏ ମାରି ମୋହନ ନିଜ ବଖରାକୁ ଚାଲିଗଲା ।

 

ଟିକିଏ ବେଳ ପରେ ମୋହନକୁ ଖାଇବାକୁ ଦେଇ ମହୀବୋଉ କହିଲେ, ‘‘ହଇରେ, ତୁ କଣ ଆଉ ବାହା ହବୁ ନାହିଁ ?’’

 

ବିରକ୍ତ ହୋଇ ମୋହନ କହିଲା, ‘‘ତୋ ମୁଣ୍ଡରେ ଖାଲି ସେଇ ଗୋଟିଏ କଥା ପଶିଛି–ବାହାଘର । ମୁଁ ବାହା ହେଲେ ତୋର କି ସୁଖଟା ବଢ଼ିଯିବ ଶୁଣେ ? ଏହିକ୍ଷଣି ତ ବେଶ୍ ଭଲରେ ଅଛୁ ।’’

 

ଟିକିଏ ଆଶ୍ଚର୍ଯ୍ୟ ହେଲାପରି ମହୀବୋଉ କହିଲେ, ‘‘ଇଏ କୁଆଡ଼ର କଥା କହୁଛୁ ? ଘରକୁ ବୋହୂ ଆସିଲେ ମୋ ସୁଖ ବଢ଼ିବ ନାହିଁ ? କାମଧନ୍ଦା ସବୁଥିରେ ମୋତେ ସାହାଯ୍ୟ କରିବ, ତୋ ଦେହ ମୁଣ୍ଡକୁ ଦେଖିବ ।’’

 

–‘‘ହଁ ହଁ ।’’

 

‘‘ହଁ ହଁ କଣ ? କିଛି ନ କହିଲାରୁ ତୋର ମୁହଁ ପାଇ ଯାଉଚି । ଏଣିକି ତୁ ତୋ ହାତରେ ରାନ୍ଧି ଖା । ଘରେ ସମସ୍ତଙ୍କୁ ଶସ୍ତା ପାଇଛୁ ନା ? ବାହା ହବାର ନାଁ ଗନ୍ଧ ନାଇଁ–’’

 

‘ହଉ’ କଥା ଏଡ଼େଇବାକୁ ମୋହନ ଶୀଘ୍ର ଶୀଘ୍ର ଖାଇବାକୁ ଲାଗିଲା ।

‘‘ବାହା ହବୁ ? ତେବେ ମୁଁ ପାତ୍ରୀ ଦେଖୁଚି ?’’ ଖୁସିହୋଇ ମହୀବୋଉ ପୁଅ ମୁହଁକୁ ଚାହିଁଲେ ।

‘‘ବାହା !’’ ମୋହନର ଆଖି ତାଳୁରେ ଖୋସି ହୋଇଗଲା ।

କହିଲୁ ପରା ‘‘ହଉ’’

‘‘ହାତରେ ରାନ୍ଧି ଖାଇବି ବୋଲି କହିଲି ସିନା’’–ଜଳଖିଆ ଗିଳିପକେଇ ମୋହନ ପାଣି ପିଇଲା ।

 

‘‘ଓଃ, କୁଳ ନାଶ ବେଳକୁ ଘୋଡ଼ାମୁହାଁ ପୁଅ ଜାତ । ମୋର ସେଇଆ ହେଇଚି । ରହ, ଯାଉଚୁ କୁଆଡ଼େ ?’’ ହାତ ଦେଖେଇ ମହୀବୋଉ ଅଟକେଇବାକୁ ଚେଷ୍ଟାକଲେ ।

 

‘‘ଆରେ ବାଟ ଛାଡ଼ । ସେଣେ କାମ ଡେରି ହୋଇଯାଉଚି ଯେ’’–ମୋହନ ଧମକ ଦେଲା ।

 

ମହୀବୋଉ ସନ୍ଦେହରେ ପଡ଼ିଲେ । ସତରେ କିଛି କାମ ଅଛି ନା ଫାଙ୍କି ଦେବାର ଏ ଗୋଟାଏ ବାଟ ? ପୁଅ ମୁହଁକୁ ଚାହିଁଲେ–ସେଥିରୁ ବି କିଛି ଠିକଣା ପାଇଲେ ନାହିଁ । ଶେଷକୁ ବାଟ ଛାଡ଼ି ଦେଇ କହିଲେ, ‘‘ବାହା ନ ହେବାଯାଏ ତୋର ତୁ ଅନ୍ୟ ବ୍ୟବସ୍ଥା କର । ମୁଁ ଆଉ ଏ ଜଞ୍ଜାଳରେ ପଶିପାରିବି ନାହିଁ କହିଦେଉଚି ।’’

 

‘‘ଜଞ୍ଜାଳରେ ପଶି ପଶି ତୋ ଅଣ୍ଟା ପିଠି ଲାଗିଯିବଣି । ଚାରିଟା ବୋଳକୁ ଥଣ୍ଡା ଡାଲି ତରକାରୀ ଦେଇ ପୁଣି କହୁଛି କଣ ନା ଜଞ୍ଜାଳ !’’ ପଳେଇ ଯାଉ ଯାଉ ମୋହନ କହିଲା ।

 

–ଏଁ, କଣ କହିଲୁ ? ତୁ ମଣିଷ ନୋହୁଁରେ ମଣିଷ ନୋହୁଁ..... ତା ନ ହେଇଥିଲେ ତୁ, କଥା କହନ୍ତୁ ? କାହିଁକି ତୁ ଆଗରୁ ଆସୁନୁ ? ସବୁ ଡାକ୍ତର ଗୋଟାଏ ଦେଢ଼ୁଟାକୁ ଫେରନ୍ତି–ତୋର କାହିଁକି ଚାରିଟା ବାଜେ ? ସେମାନଙ୍କଠୁଁ ତୁ ବେଶି ରୋଗୀ ଦେଖୁ ? ତୋର ସବୁ ବାବୁଆନି ଏଥର ଛଡ଼େଇ ଦଉଚି ରହ !

 

ମହୀବୋଉଙ୍କ କଥାକୁ କାନ ନ ଦେଇ ମୋହନ ଚାଲିଗଲା ।

 

ସଞ୍ଜବେଳକୁ ପୀତାମ୍ୱରବାବୁ ଫେରିଲେ । ପହଲି ଖେଳ ବନ୍ଦ କରି ପାଖକୁ ଆସି କାନ୍ଦ କାନ୍ଦ ହୋଇ କହିଲା, ‘‘ବାପା, ଅପା ମତେ ଆମ୍ପୁଡ଼ି ପକାଇଲା !’’

 

–ଆହା, ଆମ୍ପୁଡ଼ି ପକେଇଲା !

 

‘‘ହଁ, ଦେଖିବ ଆସ ।’’ ପୀତାମ୍ବର ବାବୁଙ୍କ ହାତ ଧରି ଆଲୁଅ ତଳକୁ ନେଇ ପହଲି ହାତ ଦେଖେଇଲା । ହାତ ଦେଖାଉ ଦେଖାଉ ଆଖି ଲୁହରେ ଛଳ ଛଳ ହେଲା ।

 

–ଆଚ୍ଛା ଅପାକୁ ମୁଁ ଗାଳିଦେବି ।

ପହଲି ଧାଇଁଗଲା ମାୟାର ପଢ଼ାଘରକୁ । ‘‘ବାପା ଡାକୁଛନ୍ତି ଆ ।’’

ଦାନ୍ତ ରଗଡ଼ିକରି ମାୟା ଚିହିଁକି ଆସିଲା, ‘‘ଗେଟ୍ ଆଉଟ୍ ।’’

ପହଲି କାନ୍ଦ କାନ୍ଦ ହେଇ ଫେରିଗଲା–ବାପା, ଅପା ମତେ ‘ଗେଟାଟ୍’ କହିଲା ।

 

–‘‘ଆଚ୍ଛା ମୁଁ ଯାଉଚି’’ । ପୀତାମ୍ବରବାବୁ ପୋଷାକ ପାଲଟିଲେ । ମୁହଁହାତ ଧୋଇଲେ । ପହଲି ଛାଇପରି ପଛରେ ଲାଗିରହିଥାଏ । ପୂଝାରୀକୁ ଚା’ର ବରାଦ ଦେଇ ପୀତାମ୍ବରବାବୁ ପୁଅର ହାତ ଧରି ମାୟା ବଖରାକୁ ଗଲେ । ମୁଣ୍ଡରେ ‘ଅମୃତାଞ୍ଜନ’ ଘଷି ମାୟା ଏକ ମନରେ ପଢ଼ୁଥିଲା । ଦୁହିଁଙ୍କୁ ଘର ଭିତରେ ପଶିବାର ଦେଖି ବି ନ ଦେଖିଲା ପରି ସେ ପଢ଼ି ଚାଲିଥାଏ । ଟିକିଏ ବେଳ ଅପେକ୍ଷା କରି ପୀତାମ୍ୱରବାବୁ କହିଲେ,–ମାୟା, ପହଲିକୁ ତୁ ଆମ୍ପୁଡ଼ି ଦେଇଚୁ ? ତୁ ସିନା ତାକୁ ବୁଝେଇ ଦେଇଥାନ୍ତୁ । ତୁ ପରା ତା’ର ବଡ଼ ଭଉଣୀ ।

 

–ମୁଁ କୋଉ ଚୋରର ଭଉଣୀ ନୁହେଁ ।

 

‘‘ଆଚ୍ଛା ସେ ଆଉ ଚୋରି କରିବ ନାହିଁ । ଆଉ ତୁ ବି ତାକୁ ମାରିବୁ ନାହିଁ’’ କହି ପୀତାମ୍ବରବାବୁ ପହଲିକୁ ପୂଝାରୀ ପାଖକୁ ଗପ ଶୁଣେଇବାକୁ ପଠେଇ ଦେଲେ ।

 

ମାୟା ମୁହଁ ଫୁଲେଇ ବସି ବହିକି ଚାହିଁଥାଏ । ନୀରବତା ଭାଙ୍ଗି ପୀତାମ୍ବରବାବୁ ପଚାରିଲେ, ‘‘ତୋ ଟେଷ୍ଟ ପରୀକ୍ଷା କେବେ ?’’

 

–ଏଇ ସୋମବାର ଦିନ ଆରମ୍ଭ ହେବ । ଗୋଳମାଳ କର ନାହିଁ ।

–ପ୍ରିଟେଷ୍ଟ ପରୀକ୍ଷାରେ କେମିତି ନମ୍ବର ରହିଲା ?

 

–ଫଳ ବାହାରି ନାହିଁ । ଘଡ଼ି ନଥିଲା । ଖରାପ ତ ହେଇଥିବ, ଏଡ଼େ ଲମ୍ବା ଲମ୍ବା ପ୍ରଶ୍ନସବୁ ପଡ଼ିଥିଲା । ମାୟା ପୁଣି ପଢ଼ାରେ ମନ ଦେଲା ।

 

–ଆଜିଯାଏଁ ଫଳ ବାହାରି ନାହିଁ ? କେବେ ଏ କଥା ହେଲାଣି ?

 

–ଆଉ କଣ ମୁଁ ମିଛ କହୁଛି ? ଦି’ ଜଣ ମାଷ୍ଟରଙ୍କ ଦେହ ଖରାପ–ଛୁଟି ନେଇଛନ୍ତି । ସେମାନେ ଆସିଲେ ଫଳ ବାହାରିବ ।

 

–ସେମାନେ ନିଶ୍ଚେ ଏ ବର୍ଷ ଆସିବେ ନାହିଁ ? ପୀତାମ୍ୱରବାବୁ ଗମ୍ଭୀର ମୁହଁରେ ପ୍ରଶ୍ନ କଲେ ।

–ସେ କଥା ମୁଁ କେମିତି କହିବି ? ତେବେ ଆସିଯିବେ ବୋଲି ଆଶା କରାଯାଏ ।

 

ମାସେ ହେଲା ପୀତାମ୍ବରବାବୁ ଲକ୍ଷ୍ୟ କରୁଚନ୍ତି ମାୟା ଖୁବ୍ ମନଦେଇ ପାଠ ପଢ଼ୁଛି । ସକାଳେ କେହି ଉଠିବା ଆଗରୁ ମାୟା ପୀତାମ୍ବରବାବୁଙ୍କ ଶୋଇବା ଘର ସାମନା ବାରଣ୍ଡାରେ ବସି ପଢ଼ୁଥାଏ । ତା’ରି ପାଟିରେ ଏଇ କେଇଦିନ ହେଲା ପୀତାମ୍ବରବାବୁଙ୍କ ନିଦ ବଡ଼ି ପାହାନ୍ତାରୁ ଭାଙ୍ଗିଯାଉଚି । ସେଇ କଥା ମନେ ପକେଇ କହିଲେ, ‘‘ଆଜିକାଲି ତୁ ଯେମତି ପଢ଼ୁଚୁ ସେମିତି ପଢ଼ିଲେ ନିଶ୍ଚେଁ ପରୀକ୍ଷାରେ ଭଲ କରିବୁ ।’’

 

‘‘ମୁଁ ସବୁଦିନେ ସେମିତି ପଢ଼େ’’, ମାୟା କହିଲା ।

 

ଟିକିଏ ବେଳ ଠିଆ ହୋଇ ମାୟାକୁ ପଢ଼ିବାପାଇଁ କହି ପୀତାମ୍ବରବାବୁ ତଳକୁ ଓହ୍ଲାଇ ଆସି ଦେଖିଲେ ମହୀବୋଉ ଚା’ ଟେବୁଲ ପାଖରେ ଜଗି ବସିଛନ୍ତି । ଢୋକେ ଚା’ ପିଇଛନ୍ତି କି ନାହିଁ, ମହୀବୋଉ ଆରମ୍ଭ କଲେ– ମୋହନକୁ କହିଲ ?’’

 

‘‘କଣ ?’’ ପୀତାମ୍ବର ବାବୁ ଆଖି ଟେକି ଚାହିଁଲେ ।

 

‘‘କଣ ! ଇଆରି ଭିତରେ ଭୁଲି ସାଇଲଣି ? ହଁ, ତମର ଆଉ କାହିଁକି ମନେ ରହିବ ? ଖାଇବା ଗଣ୍ଡାକ ଠିକ୍ ବେଳରେ ମିଳି ଯାଉଥିଲେ ତମର ହେଲା । ତେଣିକି ପୁଅ ବାହା ହେଲେ କେତେ ନ ହେଲେ କେତେ ?’’

 

–ଓ, ମୋହନ ବାହାଘର କଥା କହୁଚ ? ସେ ପରା କହିଲା, ବର୍ତ୍ତମାନ ବାହାଘର ହେଇପାରିବ ନାହିଁ । ବଡ଼ ପରୀକ୍ଷାଟା ଦେଲାପରେ ଯାଇଁ ସେ କଥା ବୁଝାଯିବ ।

 

–ଆଃ, ସେ ଯାଇଁ କେବେ ସେ କଥା କହିଥିଲା ନା, ଏବେ ତାକୁ ପଚାରିଛ ?

 

-ଆଉ କାହିଁକି ପଚାରିବି ? ପରୀକ୍ଷାଟା ଦେଇନାହିଁ । ପୀତାମ୍ବର ବାବୁ ଚା ପିଇବାରେ ମନ ଦେଲେ ।

 

ବିରକ୍ତ ହୋଇ ମହୀବୋଉ କହିଲେ–‘‘ପରୀକ୍ଷାଟା ଯଦି ବୁଢ଼ା ହେଲା ବେଳକୁ ଦିଏ, ତେବେ ସେତିକିବେଳକୁ ସେ ବାହା ହେବ ? ଲୋକେ କଣ ବାହାହୋଇ ପରୀକ୍ଷା ଦଉନାହାନ୍ତି ?’’

 

–ଲୋକେ ତ ସବୁକଥା କରୁଚନ୍ତି । ଆମର ସେଥିରେ କ’ଣ ଯାଏ ଆସେ ? ସେ ନିଜେ ଯେତେବେଳେ କହୁଚି ବାହା ହବା ଆଗରୁ ପଢ଼ା ସାରିବ, ଆମର ସେଇଟା ଦେଖିବା କଥା ।

 

–ତା ପଢ଼ାଟା ଆଖିରେ ଦୁଶୁଚି–ଦେହଟା ଦିଶୁନାହିଁ । ଆଜି ମୁଁ ମରିଗଲେ, କାଲି ତାକୁ ଦେଖିବାକୁ କିଏ ଅଛି ? ମଣିଷକୁ ଟିକିଏ ଶାନ୍ତିରେ ମରିବାକୁ ବି କେହି ଦେବେ ନାହିଁ ଏ ଘରେ । ରାଗରେ ମହୀବୋଉ ଚୌକି ଖଣ୍ଡକ ପେଲିଦେଇ ଉଠିଯିବାକୁ ବସିଲେ ।

 

–ଆହାଃ ! ଶୁଣ, ଶୁଣ, ହଉ ତମ ମନରେ ଯଦି ଏତେ ଅଶାନ୍ତି, ତେବେ ତାକୁ ମୁଁ କହିଦେବି । ପରୀକ୍ଷାଟା ପରେ ଦବ ପଛକେ ସେ ବାହାଟା ହେଇପଡ଼ୁ ।

 

ମୁହଁ ବୁଲେଇ ମହୀବୋଉ ଜବାବ ଦେଲେ–‘‘ସେ ବାହା ହେଲେ କଣ ମତେ ନେଇ ସ୍ୱର୍ଗରେ ବସେଇ ଦବ କି ? ତା’ରି ନିଜପାଇଁ ଭାବିବା କଥା । ବୋହୂଟିଏ ଆସିଲେ ତା ଦେହ ମୁଣ୍ଡକୁ ଦେଖନ୍ତା । ଘର ସମ୍ଭାଳନ୍ତା । ମୋର ତ ଆଉ ବଳ ବୟସ ଆସୁନାହିଁ ? ମୁଁ ମଲେ ଏ ଛୋଟ ଛୁଆଙ୍କୁ ଦେଖିବାକୁ କିଏ ଅଛି ?’’

 

ଟିକିଏ ଅନ୍ୟମନସ୍କ ଭାବରେ ପୀତାମ୍ବରବାବୁ ଖାଲି ଗୋଟାଏ ‘ହୁଁ’ ମାରିଲେ ।

 

ମହୀବୋଉ ଚୌକି ସିଧା କରି ସାମନାସାମନି ବସି କହିଲେ–‘‘ତମେ ଆଉ ହେଳା କର ନାହିଁ । ଭଲ ପାତ୍ରୀ କୋଉଠି ଅଛନ୍ତି ଖୋଜଖବର ନିଅ ।’’

 

–ନା, ନା ତା’ ମୁଁ କରିପାରିବି ନାହିଁ । ସେ ଯଦି କୋଉଠି ବାହା ହବାକୁ ଠିକ୍ କରିଥାଏ-? ମାନେ, ଏଇ ଡାକ୍ତରିଆଣୀ କି–

 

–ଡାକ୍ତରିଆଣୀ !

–ହଁ, ଚମକି ପଡ଼ୁଛ ଯେ ?

 

–ଚମକିବି କାହିଁକି ? ଡାକ୍ତରିଆଣୀ ବାହାହେଲେ ଯଦି ସେ ସୁଖରେ ରହିବ ତେବେ ହଉ–ମୁଁ ମନା କରିବି କାହିଁକି ?

 

ଏତିକିବେଳେ ମୋହନ ବୁଲିସାରି ଫେରିଲା । ହାତରେ ଦୁଇଟା କାଗଜ ପୁଡ଼ିଆ । ପହଲି ଧାଇଁଗଲା ପାଖକୁ–‘‘ଭାଇ, ବଲ୍‌ ଆଣିଚ ?’’

 

କାମିଜ ପକେଟ୍‌ରୁ ବଲ୍‌ଟି କାଢ଼ି ପହଲି ହାତରେ ଦେଲାବେଳେ ପହଲି ପୁଡ଼ିଆ ଆଡ଼କୁ ହାତ ବଢ଼େଇଲା ।

–ନା, ନା, ସେ ତୋର ନୁହେଁ ।

–ଆଉ କଣ ପତୁଭାଇ ହେରିକାଙ୍କର ? ଜବାବକୁ ଅପେକ୍ଷା ନ କରି ପହଲି ଧାଇଁଗଲା ପ୍ରତାପକୁ ଖବର ଦବାକୁ । ‘‘ଭାଇ ମୋ ପେଇଁ ଏ ବଲ୍‌ଟା ଆଣିଚନ୍ତି । ଆଉ ଆମ ସମସ୍ତଙ୍କ ପାଇଁ ଏ-ତେ ଚକ୍‌ଲେଟ୍ ବିସ୍କୁଟ ଆଣିଚନ୍ତି । ଜଲଦି ଆସ–ଖାଇବାକୁ ଡାକୁଚନ୍ତି ।’’

 

‘‘ମୋହନ, ଟିକିଏ ଶୁଣିଗଲୁ ?’’ ପୀତାମ୍ବରବାବୁ ଚା’ ଟେବୁଲ ପାଖରୁ ଡାକିଲେ । ଗୋଟିଏ ପୁଡ଼ିଆ ତଳେ ରଖିଦେଇ ଓ ଗୋଟିଏ ହାତରେ ଧରି ମୋହନ ଠିଆ ହେଲା–ମତେ କହୁଛନ୍ତି ?

 

ମହୀବୋଉଙ୍କୁ ହାତ ଦେଖାଇ ପୀତାମ୍ୱରବାବୁ କହିଲେ, ତୋ ବୋଉ କାନ୍ଦୁଚି, ତା’ର ବୟସ ହୋଇଗଲାଣି । ସେ ଆଉ କାମକୁ ପାରୁନାହିଁ..... ମୁଁ ଭାବୁଚି ତୁ ବାହା ହୋଇଗଲେ ଭଲ ହୁଅନ୍ତା..... ମୋର ବି ବୟସ ହେଲାଣି..... ଆଉ କାହିଁକି ହେଳା କରିବା ?’’

 

ପିଲାମାନେ ପହଞ୍ଚିଗଲେ । ପୁଡ଼ିଆଟା ମୋହନ ହାତରୁ ଟାଣିନେଇ ମାୟା ଖୋଲିବସିଲା । ପୁଡ଼ିଆ ଖୋଲା ସରିଲା । ପିତାମ୍ବରବାବୁ କଥା ବନ୍ଦ ରଖି ପୁଡ଼ିଆରୁ କଣ ବାହାରିବ ଦେଖୁଛନ୍ତି । ମହୀବୋଉଙ୍କ ଆଖି ବି ପୁଡ଼ିଆ ଉପରେ । ପିଲାଙ୍କ ଭିତରେ ବାଜି ପଡ଼ିସାରିଲାଣି ସେଥିରେ କଣ ଅଛି–ଚକୋଲେଟ୍‌ କି ବିସ୍କୁଟ୍‌ ?

 

କାହିଁ ବିସ୍କୁଟ୍‌ ? କାଗଜ ବାକ୍‌ସରୁ ବାହାରିଲା ଗୋଟାଏ ଷ୍ଟୋଭ୍‌ ଆଉ ଦୁଇଟା ସାନ ବଡ଼ ଡେକ୍‌ଚି ।

–‘‘ୟାକୁ କାହିଁକି ଆଣିଚୁ ?’’ ପୀତାମ୍ବରବାବୁଙ୍କ ଆଖିରେ ପ୍ରଶ୍ନ ।

‘‘ମୁଁ ହାତରେ ରାନ୍ଧି ଖାଇବି ।’’ ଶାନ୍ତ ଭାବରେ ମୋହନ ଜବାବ ଦେଲା ।

–ସେ ପୁଡ଼ିଆରେ କ’ଣ ଅଛି ?

–ସ୍ପିରିଟ୍ ।

ପୀତାମ୍ବରବାବୁ ମହୀବୋଉଙ୍କ ମୁହଁକୁ ଚାହିଁଲେ । ଷ୍ଟୋଭ୍‌ର ତାତିଲା ‘‘ଚକତି’’ ପରି ସ୍ତ୍ରୀଙ୍କ ମୁହଁ ରାଗରେ ଟହ ଟହ ଦିଶୁଚି ।

–ଅଲାଜୁକ କେତେ ଥର ହାତରେ ରାନ୍ଧି ଖାଇଥିଲୁରେ ? ମହୀବୋଉ ମୋହନ ମୁହଁକୁ ଚାହିଁଲେ ।

–ଆଜିଠୁଁ ଖାଇଲେ ତ ଗଲା । ମୋହନ ମୁହଁରେ ହସ ।

–ତୁ ଏସବୁ ପାରିବୁ ନାଇଁରେ ମୋହନ, ପୀତାମ୍ବରବାବୁ କହିଲେ ।

–କାହିଁକି ପାରିବି ନାହିଁ । ଖାଡ଼ିମରା ଭାତରେ ଚାଉଳ ଉପରେ ଚାରି ଆଙ୍ଗୁଳି ପାଣି ଦେଲେ ଠିକ୍‌ ହେଇଯିବ । ମୂର୍ଖମାନେ ରାନ୍ଧି ପାରୁଛନ୍ତି ଆଉ ଆମେ ପାରିବୁ ନାହିଁ । ମୋହନ ସ୍ୱରରେ ଦୃଢ଼ତା ।

–ସେଇଥିପାଇଁ ତ କହୁଚି ମୂର୍ଖମାନେ ଯାହା ପାରିବେ ତମେ ତାହା ପାରିବ ନାହିଁ–ପଢ଼ା ତମମାନଙ୍କୁ ନିକମା କରିଦେଇଚି ।

–ହ, ଆମକୁ କଣ ସିଝେଇ ଆସିବ ନାହିଁ ? ମୁଁ ସେଇ ସିଝା ଖାଇବି ।

–ଆହା ମରି ଯାଉଥାଏଁଟି ! ଗୋଟାଏ ରକମର ରନ୍ଧା ଦି’ଦିନ ଖାଇଲେ ଯାହାର ପାଟି ଅରୁଚି ହୋଇଯାଏ, ସେ ପୁଣି ଆଣିଚି ଷ୍ଟୋଭ–ସିଝା ଖାଇବାକୁ ! ବେହିଆ । ରାଗରେ ଗର ଗର ହେଇ ମହୀବୋଉ ଅନ୍ୟ ଆଡ଼କୁ ଚାହିଁଲେ ।

–ଆହା, ସେ ତ ଖାଇବ । ତମକୁ କାହିଁକି ଅଚୁଚି ଲାଗୁଛି ? ପୀତାମ୍ବରବାବୁ ସ୍ତ୍ରୀଙ୍କୁ କହିଲେ ।

ଖାଉ ଖାଉ । ବିଧାଏ ଖାଇଲେ ବୁଦ୍ଧିଏ ଆସେ । ନିଜେ ନ ରାନ୍ଧିଲେ ଏମାନେ ଚେଙ୍କିବେ ନାହିଁ, ଯା–ଏହିକ୍ଷଣି ରାନ୍ଧିବୁ ଯା । ଖତେଇ ହେଲାପରି ମହୀବୋଉ କହିଲେ ।

ମୋହନ ମହୀବୋଉଙ୍କ ମୁହଁକୁ ଚାହିଁ ହସିଲା । –ଏହିକ୍ଷଣି କେତେବେଳେ ରାନ୍ଧିବି ? ଦାଣ୍ଡରେ ପରା ରୋଗୀ ଅଛନ୍ତି । ଡେକ୍‌ଚି ଦୁଇଟା ହାତରେ ଧରି ମୋହନ ଚାକର ଟୋକାକୁ ଡାକି କହିଲା, ୟାକୁ ଭଲ କରି ମାଜି ମୋରି ବଖରାର ରଖିଦେଇଥିବୁ । ତା ପରେ ଷ୍ଟୋଭ୍ ଓ ବୋତଲ ହାତରେ ଧରି ନିଜ ବଖରାକୁ ଚାଲିଗଲା ।

–‘‘ଟ୍ରିଂ..... ଟ୍ରିଂ’’ ଟେବୁଲ ଘଣ୍ଟାର କାନଫଟା ଚିତ୍କାରରେ ଘର ବଉଁଶ ଗୋଟାକର ନିଦ ଭାଙ୍ଗିଗଲା ।

–କିଏ, ମ ? ଘଡ଼ିଟା ବନ୍ଦ କରି ଦଉନାଇଁ ? ନିଜ ନିଜର ବିଛଣା ଭିତରେ ଥାଇ ସମସ୍ତେ ଦାନ୍ତ କଡ଼ମଡ଼ କଲେ ।

–ମଣିଷକୁ ଟିକିଏ ଶୁଆଇ ଦେବେ ନାହିଁ ଏ ଘରେ ।

ମହୀବୋଉ ଉଠି ଦେଖିଲେ । ମୋହନ ବଖରାରେ ଘଣ୍ଟି ବାଜୁଛି । ମୁଣ୍ଡରୁ ଗୋଡ଼ଯାକେ ରେଜେଇ ଭିତରେ ଢାଙ୍କିଦେଇ ନିଘୋଡ଼ ନିଦରେ ମୋହନ ଘୁଙ୍ଗୁଡ଼ି ମାରୁଛି । ଘଣ୍ଟି ବାଜି ବାଜି ଆପେ ଆପେ ବନ୍ଦ ହୋଇଗଲା ।

–‘‘ମହୀ, ଏ ମହୀ !’’ ମହୀବୋଉ ମୁହଁ ଉପରୁ ରେଜେଇ ଖୋଲିଦେଇ କହିଲେ– ଏଇଟାକୁ ମୁଁ ମିଛରେ ଡାକ୍ତରୀ ପଢ଼େଇ ଥିଲି ।

–ଉଁ ?

–ଆରେ ଉଠ୍‌ ।

–ହଁ ଉଠିଲିଣି, ଆଲୁଅଟା ଜାଳିଦେ ।

ଆଲୁଅ ଜାଳିଦେଇ ମହୀବୋଉ ଫେରିଗଲେ । ଗାଧୁଆ ପାଧୁଆ ସାରି ଯେତେବେଳେ ମହୀବୋଉ ପୁଣି ଘର ଭିତରେ ପଶିଲେ ମୋହନର ଘୁଙ୍ଗୁଡ଼ି ତାଙ୍କ କାନକୁ ଗଲା । ବିରକ୍ତ ହୋଇ କହିଲେ ‘‘ଶୋଇଥାଉ, ମୁଁ ଉଠେଇ ପାରିବି ନାହିଁ ।’’

ସକାଳ ହେଲା । ସମସ୍ତେ ଉଠିଲେ ଏକା ମୋହନକୁ ଛାଡ଼ି । ପିଲାଙ୍କ ଡିଆଁ କୁଦାରେ ଘରଟା ଦୁଲୁକି ଉଠିଲା । ମୋହନର ନିଦ ଭାଙ୍ଗିଗଲା । ହଠାତ୍‌ ବିଛଣା ଛାଡ଼ିବାକୁ ମନ ହେଲାନାହିଁ-। ଶୋଇ ଶୋଇ ଟିକିଏ ଆରାମ ଟାଣିଲେ କ୍ଷତି କ’ଣ ? ଗଲା ରାତିର ଘଟଣା ମନକୁ ଆସିବାମାତ୍ରେ ଏକା କୁଦାକେ ମୋହନ ଆସି ବାହାରେ ଠିଆହେଲା । ‘‘ମଣିଷକୁ ଆଉ ଏ ଘରେ ରଖେଇ ଦେବେ ନାହିଁ ! ହାତରେ ରାନ୍ଧିବି, ବାସନ ମାଜିବି, ଡାକ୍ତରଖାନା ଯିବି–ସବୁ ଏଇ ଦି’ଟା ହାତ, ଦି’ଟା ଗୋଡ଼ରେ କରିବି । ଖାଲି ଟିକିଏ ସକାଳୁ ଜଲଦି ଉଠେଇ ଦିଅ–ନାଃ, ତା ଆଉ ହେବ ନାହିଁ ଏ ଘରେ କାହାରି ଦ୍ୱାରା ।’’ ଚାଲିରେ ମେଜିଆ ଦୁଲୁକିଲା, ପାଟିରେ ଛାତ କମ୍ପିଲା, ବାଟ ଛାଡ଼ି ପିଲାମାନେ ଘର କଣରେ ଖେଳିଲେ କାଳେ ଭାଇ ଦେଖି ନପାରି ମାଡ଼ି ପକେଇବେ । କାମ ଫାଙ୍କରୁ ମହୀବୋଉ ମଝିରେ ମଝିରେ ମୁଣ୍ଡଟେକି ଚାହିଁଲେ । ସମସ୍ତଙ୍କର ଅଲକ୍ଷ୍ୟରେ ପୀତାମ୍ୱରବାବୁ ପାରିଲା ପୁଅର କାଣ୍ଡ ଦେଖି ମୁରୁକି ମୁରୁକି ହସିଲେ ।

 

ବଡ଼ ବଡ଼ ଖୋଜ ପକେଇ କୌଣସି ପ୍ରକାରେ ନିଜର କାମତକ ସାରିଦେଇ ମୋହନ ନିଜ ବଖରାରେ ଷ୍ଟୋଭ ସଜାଡ଼ିବାକୁ ବସି ଡାକ ଛାଡ଼ିଲା, ‘‘ପତୁ, ଦି ନୋଟା ପାଣି ଆଣ..... ରଞ୍ଜନ, ତୁ ଜଲଦି ପୂଝାରୀଠୁଁ କିରାସିନି ବୋତଲଟା ଆଣ । ଆଉ ପହଲି, ତୁ ବାପାଙ୍କ ପାଖକୁ ଯା ଦିଆସିଲିଟା ମାଗି ଆଣିବୁ । ସବୁ ଆସିଲା । ଷ୍ଟୋଭ୍‌ ଜଳାଇ ବଡ଼ ଡେକ୍‌ଚିରେ ପାଣି ବସାଇ ମୋହନ ଗଲା ମହୀବୋଉଙ୍କ ପାଖକୁ–ହାତରେ ଛୋଟିଆ ଡେକ୍‌ଚି ।

 

–ବୋଉ, ଏ ବୋଉ, ଜଲଦି ଚାଉଳ ଦେ ।

–‘‘ପୂଝାରୀଠୁଁ ମାଗିନେ’’, ବେପରୁଆ ଭାବରେ ମହୀବୋଉ କହିଲେ ।

 

–ପୂଝାରୀ ଦେଇ ଜାଣିବ ନାହିଁ । ତୁ ଆଜିକ ଦେଇଯା, କାଲିଠୁଁ ମୁଁ ନିଜେ ନେଇଯିବି । ଟିକିଏ କଅଁଳେଇ ମୋହନ କହିଲା ।

 

ମହୀବୋଉ ଆସିଲେ । ଅରୁଆ ଚାଉଳ ଦେଇସାରି ଡାଲି ପାଇଁ ଜାଗା ଆଣିବାକୁ କହିଲେ ।

 

–ସେଇଥିରେ ଦେଇଦେ । ଡାଲି ନେଇସାରି ମୋହନ ନିଜ ହାତରେ ବାଛି ବାଛି ପରିବା ନେଇ ଚାଲିଗଲା ।

 

ସବୁ ଧୋଇଧାଇ ଏକାଠି ଡେକ୍‌ଚିରେ ପକାଇ ଢାଙ୍କି କିଛି ବେଳ ତାକୁ ଚାହିଁ ରହିଲା । ତେଣେ ଅଫିସ ବେଳ ଡେରି ହୋଇଯାଉଛି । ଆଉ ଜଗି ବସିଲେ ଚଳିବ ନାହିଁ । ତରବର କରି ପୋଷାକ ପିନ୍ଧି ଘରର ତାଲା ଦେଇ ମୋହନ ଚାଲିଗଲା ।

 

ଅଫିସରୁ ଫେରି ମୋହନ କବାଟ ଖୋଲିଲା । ମହୁମାଛି ପରି ସାନପିଲା ତିନୋଟି ନିଭିଲା ଷ୍ଟୋଭ୍‍ ଚାରିପଟେ ଘେରିଗଲେ । ସମସ୍ତଙ୍କ ଆଖି ଆଶାରେ ଚକ୍‌ ଚକ୍‌ କରୁଛି । ଆଃ କେଡ଼େ ବଢ଼ିଆ ଲାଗିବ । ସେହି ଅଧୁଆ ହାତରେ ମୋହନ ଢାଙ୍କୁଣୀ ଟେକି ଦେଖିନେଲା ।

 

ପୋଷାକ ବଦଳାଇ ପିଲାମାନଙ୍କୁ ସେ ସାଙ୍ଗରେ ତଳକୁ ଡାକିନେଲା । ତା ପରେ ଯେତେବେଳେ ସମସ୍ତେ ଆସି ପୁଣି ସେହି ବଖରାରେ ପଶିଲେ, ଦେଖାଗଲା କାହା ହାତରେ ଥାଳି ଗିନା ତ କାହା ହାତରେ ଦହି, ଚିନି । କିଏ ଘିଅ ଲୁଣ ଧରିଚି ତ କିଏ ପାଚିଲା କଦଳୀକୁ ଚାହିଁ ଓଠ ଚାଟୁଛି ।

 

ଚାମଚରେ ଘାଣ୍ଟି ଘାଣ୍ଟି ମୋହନ ଗୋଟା ଗୋଟା ବାଇଗଣ, ପୋଟଳ, ଆଳୁ, ଦି’ମୁଣ୍ଡା ଫୁଲକୋବି, ତିନି ଚାରିଟା ବନ୍ଧାକୋବି ପତ୍ର ବାହାର କରି ଥାଳିରେ ରଖିଲା । ସମସ୍ତଙ୍କୁ ଅଲଗା ଅଲଗା ଜାଗାରେ ବାଢ଼ିଦେଇ ମୋହନ କହିଲା–‘‘ଏଥର ଆରମ୍ଭ କର ।’’

 

ମୋହନ ହୋଇଥାଏ ପରଷୁଣିଆ । ନା, ନା, ଏଇଟା ହେଲା ସାହେବୀ ଖାନା । ଘରର କର୍ତ୍ତ୍ରୀ ପରଷିବା ଆଉ ଖାଇବା କାମ ଏକାଠି କରୁଛନ୍ତି । ମୋହନ ହେଇଚି କର୍ତ୍ତ୍ରୀ ।

 

‘‘କେମିତି ଲାଗୁଚି ?’’ ମୋହନ ଜଣ ଜଣ କରି ସମସ୍ତଙ୍କୁ ପଚାରିଲା ।

‘‘ବଢ଼ିଆ’’–ଆଖି ନଚେଇ, ମୁଣ୍ଡ ହଲେଇ ସମସ୍ତେ ଏକମତ ଦେଲେ ।

 

ପ୍ରଥମ ଗୁଣ୍ଡାଟା ଖାଇଦେଇ ସବୁଥିରୁ ଟିକିଏ ଚାଖି ମୋହନ ପିଲାଙ୍କ ମୁହଁକୁ ଚାହିଁଲା–ସେ ଭୁଲ ଶୁଣିନାହିଁ ତ ? ବାଇଗଣ କଇଁଥା, ପାଟି ଗଲୁ କରୁଚି, ପୋଟଳ ପାଣିଚିଆ, ଫୁଲକୋବିରୁ କେମିତି ଗୋଟାଏ ଗନ୍ଧ ଛାଡ଼ୁଛି, ଆଉ ବନ୍ଧାକୋବି ତଣ୍ଟି ପାଖରୁ ଭାତକୁ ଫେରାଇ ଆଣୁଛି । ଏକମାତ୍ର ଆଶାଭରସା ସ୍ଥଳ ହେଉଛି କଦଳୀ ଓ ଦହି । ଭଗବାନ ! ସେତକ ଯଦି ନଥାନ୍ତା ତେବେ ଆଜି ସେ କେମିତି ବୋଉ ଆଗରେ ମୁହଁ ଦେଖେଇଥାନ୍ତା ?

 

ବୁଲିଯିବା ବେଶରେ ମାୟା ଆସି ସେମାନଙ୍କ ଖିଆ ପାଖରେ ଅଣ୍ଟାରେ ହାତଦେଇ ଠିଆ ହେଲା । ଗମ୍ଭୀର ମୁହଁରେ ମୋହନ କହିଲା, ‘‘ତୋ ପାଇଁ ଗୋଟାଏ ଜାଗା ଆଣ୍ ଖାଇବୁ ।’’

 

–ଇସ୍‌, ରନ୍ଧାର ଯୋଉ ରୂପ ହେଇଚି, ସେଥିରେ ପୁଣି ନିମନ୍ତ୍ରଣ କରାହେଉଛି ! ସେ ଭୋଜିଖିଆ ମୋର ଦରକାର ନାହିଁ । ମୁଁ ତ ଖାଇଦେଇ ବାନ୍ତି କରିବି । କିନ୍ତୁ ଖାଇବାକୁ ଦେଇ ତା ବଦଳରେ ତମେ ମୋଠି ଦଶ ଦିନ କାମ ଆଦାୟ କରି ନେଇ ଚାଲିଯିବ । ବାବା, ଜୁହାର ତମର ଏ ନିମନ୍ତ୍ରଣକୁ । ରନ୍ଧାର ରୂପ ଦେଖିସାରି ମାୟା ଦାଣ୍ଡକୁ ଚାଲିଗଲା ।

 

ମହୀବୋଉଙ୍କ ମନ କାମରେ ଲାଗୁନାହିଁ । ମନ ଯାଇ ଉଙ୍କି ମାରୁଛି ମୋହନ ବଖରାର ଚାରିପଟେ–କୋଉଠି ଟିକିଏ ଫାଙ୍କ ମିଳିଲେ ଦେଖି ନିଅନ୍ତେ ମୋହନ କେମିତି ଖାଉଚି । ତାରି ଖିଆ ଉପରେ ନିର୍ଭର କରୁଚି ତାଙ୍କର ଭାଗ୍ୟ ଓ ଭବିଷ୍ୟତ । ସେଥିପାଇଁ ଦହି ଓ କଦଳୀ ନ ଦେବାକୁ ସେ କେତେ ଫିକର କାଢ଼ିଥିଲେ–କଦଳୀ ନଉଚୁ କାହିଁକି । ଓ ! ଭାତ ଉଠିବ ନାହିଁ ବୋଲି-? ଦହି ଥାଉ । ମାୟା ଖାଇବାକୁ ରଖିଚି । ସେ ଆଉ କିଛି ଖାଇବ ନାହିଁ–ଖାଲି ଦହି ଖାଇବ କହିଚି-। ତାର ପେଟ ଆଜି ଭଲ ନାହିଁ ।

 

ମହୀବୋଉ ଖାଲି ଏପଟ ସେପଟ ହେଉଛନ୍ତି ଆଉ ଭାବି ଚାଲିଛନ୍ତି ସେମାନଙ୍କ ଖିଆ ପାଖକୁ ଯିବେ ? ଯଦି ଭଲ ଲାଗୁଥିବ... ? ଭୋକିଲା ପାଟିକି ତ ସବୁ ସୁଆଦ ଲାଗେ–ସେତେବେଳେ ତାଙ୍କ ମୁହଁ ରହିବ କୋଉଠି ? ପୁଣି ନିଜ ମନକୁ ସାନ୍ତ୍ୱନା ଦିଅନ୍ତି, ହଅ, ଦି’ଦିନ ଏଇ ରନ୍ଧା ଖାଇଲେ ତିନି ଦିନକୁ ବାପାଲୋ ମାଆଲୋ ଡାକିବ–ଯିବ କୁଆଡ଼େ ? ତଥାପି କେମିତି ଖାଉଛନ୍ତି ଦେଖିବାକୁ ମହୀବୋଉ ମୋହନ ବଖରା ଆଡ଼େ ଚାଲିଲେ ।

 

ସିଝା ପରିବା ଦେଖି ସେ ସଙ୍ଗେ ସଙ୍ଗେ ବୁଝିନେଲେ ରନ୍ଧା କେମିତି ଲାଗୁଥିବ । ହସି ହସି କହିଲେ– ‘‘କିହୋ ବାବୁ, ପେଟକୁ ଯାଉଚି ?’’

 

–କାହିଁକି ଯିବ ନାହିଁ ? ତମ ଲୁଣିଆ ପୋଡ଼ାଠୁଁ ଯଥେଷ୍ଟ ଭଲ ହେଇଚି !

–ଏଇକ୍ଷିଣା ତୋ ପାଟିଟା କୋଉଠି ଅଛି ? କହିଲା ଯଥେଷ୍ଟ ଭଲ ହେଇଚି !

–ମୁଁ ଏବେ ମିଛ କହିଲି, ତୁ ପିଲାଙ୍କୁ ପଚାରି ବୁଝୁନୁ ? ମୋହନ ପିଲାଙ୍କ ମୁହଁକୁ ଚାହିଁଲା-

 

ପିଲାମାନଙ୍କ ମୁହଁକୁ ଥରେ ଚାହିଁ ଦେଇ ମହୀବୋଉ ବୁଝିନେଲେ ସେମାନଙ୍କ ମନର କଥା । କହିଲେ–‘‘ପିଲାଙ୍କୁ କ’ଣ ପଚାରିବି ? ତାଙ୍କର କ’ଣ ପାଟି ଅଛି ? ରନ୍ଧା ଯାହାହେଉ, ମେଞ୍ଚାଏ ଚିନି ଦେଇଦେଲେ ତାଙ୍କର ହେଲା..... କିରେ ପିଲାଏ, ଖେଚେଡ଼ି ଭାରି ମିଠା ହେଇଚି, ନା-?’’

 

ସମସ୍ତେ ଏକା ସାଙ୍ଗରେ ମୁଣ୍ଡ ହଲାଇ ସମ୍ମତି ଜଣାଇଲେ ।

–ମିଠା ହେବ ନାହିଁ ଆଉ କ’ଣ ପିତା ହେବ ? ମୋହନ ମହୀବୋଉଙ୍କୁ ଚାହିଁଲା ।

 

–ନାଇଁ, ନାଇଁ, ଚିଡ଼ୁଛୁ କାହିଁକି ? ତୁ ଖାଆ । ଏମିତି ଖାଇଲେ ତ ଭଲ । ଏଥିରେ ତମର ସେଇ, କଣଚି, ଭିଟାମିନି, କାଲିସିମ୍‌ ସବୁ ରହିଲା– ଆମେ ରାନ୍ଧିଲେ ସିନା ସେଗୁଡ଼ାକ ଉଡ଼ିଯାଏ ।

 

ଖିଆ ବନ୍ଦ ରଖି ମୋହନ ଚିଡ଼ି ଉଠି କହିଲା–‘‘ତୁ କ’ଣ ମଣିଷକୁ ଖୁଆଇ ଦବୁ ନାହିଁ ?’’

 

ମୁରୁକି ହସି ମହୀବୋଉ କହିଲେ–‘‘ରନ୍ଧା ଯାହା ହେଇଚି, ମୁଁ ଜାଣିପାରୁଚି, ତୁ ଖାଇପାରୁ ନଥିବୁ । ସେଇ କଥାଟା ଖୋଲା ଖୋଲି ନ କହି ମୋ ଉପରେ ମିଛ ଦୋଷ ଲଦି କାହିଁକି ଛାଡ଼ି ଦେଉଛୁ ? ହଉ ମୁଁ ଯାଉଚି, ତୁ ଏଥର ଖାଆ ।’’ ଗଡ଼ ଜିତିଲା ପରି ହସି ହସି ମହୀବୋଉ ଚାଲିଗଲେ ।

 

ସେଇ ଦିନ ସନ୍ଧ୍ୟାରେ ମୋହନ ପିଲା ତିନୋଟିଙ୍କୁ ନେଇ ନିଜ ବଖରାରେ ଗୋଟିଏ ସଭା ଡକାଇଲା । ମାୟାକୁ ସଭାପତି ହେବାର ଲୋଭ ଦେଖେଇଲେ ସୁଦ୍ଧା ସେ ସଭାରେ ଯୋଗ ଦେବାକୁ ରାଜି ହେଲା ନାହିଁ । ତେଣୁ ମାୟାର ଆଶା ଛାଡ଼ି ଦେଇ ମୋହନ ଅନ୍ୟମାନଙ୍କୁ ନେଇ ସଭା କାମ ଚଳାଇଲା ।

 

–ଆଚ୍ଛା ପିଲାଏ, ତମକୁ ସବୁଠୁଁ ବେଶୀ ଭଲପାଏ କିଏ ? ‘‘ତମେ’’ । ଟିକିଏ ହେଲେ ନ ଭାବି ସମସ୍ତେ ଏକା ସାଙ୍ଗରେ ପାଟିକରି ଉଠିଲେ ।

 

–କେମିତି ଜାଣିଲ ?

 

–‘‘ଏଇ..... ତମେ ଆମକୁ ଖେଚେଡ଼ୀ ଦିଅ ।’’ ମୁରୁକି ମୁରୁକି ହସି ଆଗପଛ ହୋଇ ସମସ୍ତେ କହିଲେ-

 

–ଆଚ୍ଛା ମୁଁ ଗୋଟିଏ କଥା କହିବି ମୋ ପାଇଁ କରିଦେବ ?

–ହଁ ।

 

–ତେବେ ଶୁଣ, ଆଜି ସକାଳେ ରାନ୍ଧିଲାବେଳେ ତମେସବୁ ମୋ ପାଇଁ ଯାହା ଯାହା କରିଦେଲ, ସବୁଦିନେ ସେତକ କରି ଦେଲେ ମୁଁ ତମକୁ ଖେଚେଡ଼ୀ ଖାଇବାକୁ ଦେବି ।

 

‘‘ଖେଚେଡ଼ୀ ଆମେ ଖାଇବୁ ନାହିଁ ।’’

–ଆଚ୍ଛା ଚକଲେଟ୍, ଲେବନ୍‌ଚୁସ୍‌ ଦେଲେ ହେବ ?

–ହଁ, ହଁ ।

 

ନିଃଶ୍ୱାସ ମାରି ମୋହନ କହିଲା, ‘‘ଆଉ ସବୁ ଦିନେ ସକାଳେ ମତେ ଯିଏ ସବା ଆଗରୁ ଉଠେଇ ଦେବ ତାକୁ ମୁଁ ଅଣାଏ କରି ପଇସା ଦେବି । ଦେଖ ଯଦି ମୁଁ ନ ଉଠେ ତେବେ ମତେ ମନେ ପକାଇଦେବ ରାନ୍ଧିବା କଥା । ମୁଁ ଉଠିପଡ଼ିବି ।’’

 

–ମୁଁ ଉଠେଇ ଦେବି, ମୁଁ ଉଠେଇ ଦେବି । ସମସ୍ତେ ଏକା ସାଙ୍ଗରେ ପାଟିକରି ଉଠିଲେ-

 

–ସଭା ଭାଙ୍ଗିଗଲା । ମୋହନ ଗଲା ମାୟା ପଢ଼ା ଘରକୁ । ପଛରେ ପିଲା ତିନି ଜଣ ।

‘‘ମାୟା ମତେ ଟିକିଏ ସାହାଯ୍ୟ କରିବୁ ନାହିଁ ?’’ କଅଁଳେଇ ମୋହନ କହିଲା ।

–‘‘ମୋଠୁ କିଛି ସାହାଯ୍ୟ ଆଶା କରିବା ବୃଥା ।’’ ମାୟାର ମୁହଁ ଗମ୍ଭୀର ।

 

–ସାହାଯ୍ୟ ନୁହେଁ ମ, ଏଇ ସବୁଦିନେ ଷ୍ଟୋଭଟା ଲଗେଇ ଦେଇ ଟିକିଏ ଚାଉଳ ପରିବା ଧୋଇଧାଇ କାଟିକୁଟି ଖାଲି ଡେକ୍‌ଚିରେ ପକେଇଦେବା କଥା ।

 

‘‘ଅପା, ଭାଇ ଚକଲେଟ୍ ଦେବେ କହୁଚନ୍ତି ।’’ ରଞ୍ଜନ କହିଲା ।

 

–ପରୀକ୍ଷାରେ କିଛି ନ ଆସିଲେ କଣ ଖାତାରେ ଲେଖି ଦେଇ ଆସିବି ଭାଇଙ୍କ ପାଇଁ ଖେଚେଡ଼ୀ ରାନ୍ଧୁଥିଲି, ତେଣୁ ମତେ ପାସ୍‌ କରେଇ ଦିଅ ? ମୁଁ ଟିକିଏ ହେଲେ କିଛି ସାହାଯ୍ୟ କରିପାରିବି ନାହିଁ । ମାୟା ବହିକି ଚାହିଁଲା ।

 

–ଓଃ, ଏଇ ତ ଖାଲି ପରୀକ୍ଷାରେ ତାଡ଼ି ପକେଇବ ! ଚିଡ଼ିଯାଇ ମୋହନ କହିଲା ।

 

–ହଁ, ତାଡ଼ିବି କି ନାହିଁ, ଦେଖିବ । ଯାଅ, ମୋ ଘରୁ ଆଗେ ଗଲ । ମାୟାର ଧମକରେ ସମସ୍ତେ ବାହାରି ଚାଲିଗଲେ ।

 

ସେଇଦିନ ରାତି ଦୁଇଟାବେଳେ ପହଲି ଉଠିଲା ପରିସ୍ରା କରିବାକୁ । ପରିସ୍ରା କରିସାରି ଶୋଇବାକୁ ନ ଯାଇ ଟଳି ଟଳି ସିଧା ଚାଲିଲା ମୋହନ ବଖରା ଭିତରକୁ ।

 

ମହୀବୋଉ କହିଲେ–କିରେ ସେଣେ କୁଆଡ଼େ ଯାଉଚୁ ?

 

–ଭାଇ ଉଠାଇ ଦବାକୁ କହିଥିଲେ ପରା ? ମହୀବୋଉ ଆଉ କିଛି କହିବା ଆଗରୁ ପହଲି ମୋହନ ବଖରା ଭିତରକୁ ପଶିଗଲା । ମୋହନକୁ ହଲେଇ ଦେଇ କହିଲା– ‘‘ଭାଇ... ଭାଇ, ଖେଚେଡ଼ି ରାନ୍ଧିବ ପରା ? ଉଠ । ଭାଇ... ?’’

 

–ଉଁ

–ଉଠ । ମୁଁ ଆଗେ ଉଠେଇଲି । ମୋତେ ଅଣାଏ ଦେବ ।

–ହୁଁ ।

ପହଲି ଫେରିଗଲା ।

 

ପାହାନ୍ତିଆରେ ପ୍ରତାପ ଓ ରଞ୍ଜନ ଦୌଡ଼ିଦୌଡ଼ି ହୋଇ ଗଲେ । ମୋହନକୁ ଜୋରରେ ହଲେଇ ଦେଇ କହିଲେ, ‘‘ଭାଇ, ଭାଇ, ଖେଚେଡ଼ି ରାନ୍ଧିବ ପରା– ଉଠ । ସକାଳ ହେଲାଣି ।’’

 

–ହୁଁ ।

 

ପ୍ରତାପ ଥରେ ଡାକିଲା ବେଳକୁ ରଞ୍ଜନ ନିଜର ସ୍ୱର ଶୁଣେଇବା ପାଇଁ ଥରେ ଡାକୁଥାଏ-

 

–ହଁ, ମୁଁ ଉଠିଲିଣି, ତମେ ଯାଅ ।

 

କଳି କରିକରିକା ଦିହେଁ ଫେରିଆସିଲେ । ସେମାନଙ୍କ ପାଟିରେ ଉଠି ପହଲି ଖଟ ଉପରେ ବସିପଡ଼ି କହିଲା– ମୁଁ ଆଗ ଉଠେଇଚି ।

 

–କେତେବେଳେ, କେତେବେଳେ ?

 

–ହଁ, ମୁଁ ରାତିରେ ଉଠିଥିଲି– ତମେ ସମସ୍ତେ ଶୋଇଥିଲ । ମୁଁ ଯାଇ ଉଠେଇଦେଇ ଆସିଲି । ଯେମିତି ଉଠେଇବା ପାଉଣାଟା ତାଠୁ କେହି ଛଡ଼େଇ ନେଉଛି !

 

–ମିଛ କଥା ।

 

–ବୋଉକୁ ପଚାର..... ଏ ବୋଉ ! ମୁଁ ଭାଇଙ୍କି ଉଠେଇ ନାହିଁ । ବ୍ୟସ୍ତ ହୋଇ ପହଲି ମହୀବୋଉଙ୍କୁ ଚାହିଁଲା ।

 

–ହଃ, ଆମକୁ କ’ଣ ସେମିତି ଉଠେଇ ଆସି ନଥାନ୍ତା କି ? ଭାଇ କହିଥିଲେ ପାହାନ୍ତିଆରେ ଉଠେଇ ଦେବାକୁ ସିନା ?

 

ମୋହନ ଉଠିବାମାତ୍ରେ ତିନିଜଣ ଯାକ ହାଜର ହେଲେ ।

 

–ଭାଇ, ଆଗ ମୁଁ ଉଠେଇଚି–ସମସ୍ତେ ଏକାସାଙ୍ଗରେ ପାଟି କରି ଉଠିଲେ । ତା ପରେ ତିନିଙ୍କ ଭିତରେ ଠେଲାପେଲା, ଭେଁ ଭାଁ ରଡ଼ି । କଳି ଛିଡ଼ିଗଲା । ତିନି ଜଣ ତିନି ଅଣା ପଇସା ନେଲେ । ପଇସା ହାତରେ ଧରି ପହଲି ଆଡ଼କୁ ଚାହିଁ ପ୍ରତାପ କହିଲା–ରହ, ତେତେ ଆଜି ମୁଁ ଦେଖୁଛି ।

 

ସେଇଦିନ ରାତିରେ ଶୋଇବାକୁ ଯିବା ଆଗରୁ ରଞ୍ଜନ ଯାଇ ହାଜର ହେଲା ମୋହନର ବୈଠକଖାନାରେ । ଚାରିପଟେ ରୋଗୀ ବସିଛନ୍ତି–ସେମାନଙ୍କର ମଝିରେ ଆଖିରେ ହାତଦେଇ ବୋଧହୁଏ ମୋହନ ଭାବୁଛି, କି ଔଷଧ ଦେବ । ରଞ୍ଜନ ଆସି ପାଖରେ ଠିଆ ହେଲା ।

 

–ଭାଇ, ଉଠ ।

–ଏଁ ?

‘‘ମୁଁ ଉଠେଇ ଦେଇଗଲି’’ କହି ରଞ୍ଜନ ଧାଇଁ ଚାଲିଗଲା ।

–ଯାଃ, ହେଲା ତ ଏଥର ? ପହଲିକୁ ଚାହିଁ ରଞ୍ଜନ କହିଲା ।

 

–‘‘ଏଇଟା ହବ ନାହିଁ । ଭାଇ ତ ମୋଟରୁ ଶୋଇବାକୁ ଯାଇ ନାହାନ୍ତି ।’’ ପହଲି କହିଲା-

 

–ହଁ ହଁ ହବ । ଭାଇ ଶୋଇ ପଡ଼ିଥିଲେ ।

Unknown

 

ପହଲି ଚିନ୍ତାରେ ପଡ଼ିଗଲା । କଣ ଆଉ କରିବ ? ରଞ୍ଜୁଭାଇ ତ ଏକା ପଇସା ନେଇ ଚାଲିଯିବ । ବସି ବସି ଉପାୟ ଚିନ୍ତା କଲା ।

 

ତା’ ପରଠୁ ସଞ୍ଜ ହେବାମାତ୍ରେ ତିନିଜଣ ଟାକି କରି ବସିଥାନ୍ତି । ମୋହନ ବୁଲିସାରି ଘରେ ଗୋଡ଼ ଦେବାକ୍ଷଣି ସମସ୍ତେ ପାଟିକରି ଉଠନ୍ତି–‘‘ଭାଇ ଉଠ, ଖେଚେଡ଼ି ରାନ୍ଧିବ ପରା ? ଆଗ ମୁଁ କହିଛି ।’’ ରାତିରେ କାଳେ ନିଦ ଭାଙ୍ଗିବ ନାହିଁ ବୋଲି ଶୋଇବାକୁ ଯିବା ଆଗରୁ ଶୀତ ଦିନଟାରେ ପେଟେ ପେଟେ ପାଣି ପିଇ ଯିଏ ଯେତେବେଳେ ପରିସ୍ରା କରି ଉଠେ, ଥରେ ମୋହନ ଖଟ ପାଖରେ ଠିଆ ହୋଇ ପାଟି କରେ- ଭାଇ, ଭାଇ, ଉଠ..... ଖେଚେଡ଼ି ରାନ୍ଧିବ ପରା ? ଜାଣିଥାଅ, ମୁଁ ଉଠେଇଲି ।

 

ବେଶ୍, ସେତିକିରେ ସମସ୍ତଙ୍କର ଦାୟିତ୍ୱ ଶେଷ । ସକାଳେ କେହି ଉଠାନ୍ତି ନାହିଁ, କାରଣ ସେତେବେଳେ ଉଠାଇବା ଅର୍ଥ ସବୁଠୁ ପଛରେ ସେମାନେ ଡାକୁଛନ୍ତି ବୋଲି ଜଣାପଡ଼ିବ । ରାତିରେ ଅନେକଥର ନିଦ ଭାଙ୍ଗି ଦେଉଥିବାରୁ ମୋହନ ବି ସକାଳୁ ଉଠିପାରେ ନାହିଁ ।

 

କାମରେ ଗୋଳମାଳ ଓ ରାତିରେ ଏହି ଧରଣର ଉତ୍ପାତରେ ବ୍ୟତିବ୍ୟସ୍ତ ହୋଇ ଚାରି ପାଞ୍ଚ ଦିନ ପରେ ମୋହନ ବିରକ୍ତ ହୋଇ କହିଲା, ‘‘ତମମାନଙ୍କର ମତେ ଉଠେଇବା ଆଉ ଦରକାର ନାହିଁ । ତମେ ମୋ ନିଦ ପତଳା କରି ଦେଲଣି । ଏଣିକି ମୁଁ ଆପେ ଉଠିପାରିବି ।’’

 

–‘‘କିଏ ତମ ନିଦକୁ ପତଳା କରେଇଦେଲା ଆଗ କୁହନା ?’’ ପ୍ରତାପ ପଚାରିଲା ।

–‘‘ତମେ ସମସ୍ତେ କରେଇଚ ବାବା । ଆଉ ମୋର ଦରକାର ନାହିଁ ।’’ ମୋହନ ହାତ ଯୋଡ଼ିଲା ।

‘‘ହଇହୋ ଶୁଣୁଛ ?’’ କହି ମହୀବୋଉ ପୀତାମ୍ୱରବାବୁଙ୍କ ଘରକୁ ପଶିଗଲେ ।

–‘‘କଣ ?’’ ପୀତାମ୍ୱରବାବୁ ଚଷମା ଭିତରୁ ଚାହିଁଲେ ।

–ଏଇ ମୋହନ କଥା... ଦେଖୁନା ଦିନ କେଇଟାରେ କେମିତି ଝଡ଼ି ଗଲାଣି ?

–କାହିଁକି ?

 

‘‘କାହିଁକି ଆଉ କଣ ? ନିଜ ହାତରେ କଣ ଦି’ଟା ସିଝେଇ ଖାଇ ଦଉଚି–ସେଥିରେ ମଣିଷର ଦିହ ରହିବ ? ତା‘ର ତ ଏସବୁ ଅଭ୍ୟାସ ନାହିଁ ।’’ ମହୀବୋଉ କଅଣ ଭାବି ଅଟକିଗଲେ-

 

–ତମେ ପରା ତାକୁ ସେଇଆ କରିବାକୁ କହିଛ ?

 

–କଣ ସବୁଦିନେ ହାତରେ ରାନ୍ଧିବାକୁ କହିଥିଲି ? ସେ ଚାକିରି କରିବ ନା ନିଜପାଇଁ ବସି ରାନ୍ଧିବ ? ଡାକ୍ତରଖାନାରେ ରୋଗୀ ଦେଖିଲାବେଳେ ମନ ତ ଯାଇଁ ରହିଥିବ ନିଜର ଖେଚେଡ଼ି ପାଖରେ–ପୋଡ଼ିଗଲା କି ଜାଉ ହେଇଗଲା..... କି ଷ୍ଟୋଭ ନିଭିଗଲା....

 

‘‘ସେ ତମକୁ କହୁଥିଲା ?’’ ପୀତାମ୍ୱର ବାବୁ ପଚାରିଲେ ।

 

‘‘ସେ କଥା କଣ ଖୋଲି କହିବା ଦରକାର ହୁଏ ? ଅଫିସ ଫେରନ୍ତି ତାକୁ ମୁଁ ଦେଖୁଚି ତା ମୁହଁ ଗୋଟାଏ କେମିତି ଦିଶୁଚି । ଆଗେ ତ ଏମିତି ଦିଶୁ ନ ଥିଲା ?’’ ମହୀବୋଉଙ୍କ ଆଖି ଛଳ ଛଳ ହୋଇଆସିଲା ।

 

–ନାଇଁ ଡାକ୍ତରଖାନାରେ କୋଉ ରୋଗୀର ଅବସ୍ଥା ଖରାପ ଥିବ... ତାରି କଥା ଭାବୁଥିବ ।

 

–ଆଗେ କଣ ରୋଗୀଙ୍କ ଅବସ୍ଥା ଖରାପ ହଉ ନ ଥିଲା ? ମୁଁ ଠିକ୍‌ ଜାଣେ ତାର ଖାଇବା କଷ୍ଟ ହେଉଚି... ହବ ନାଇଁ ? ସକାଳ ବେଳା କଣ ଚୁଡ଼ା ଫୁଡ଼ା ଖାଏ.... ଅଫିସ ଫେରନ୍ତି ସେଇ ଖେଚେଡ଼ି, ରାତିରେ ପାଉଁରୁଟି ଦୁଧ–ଏଥିରେ ଦିହ ରହିବ ? ନାହିଁ ବୋଲି ତ ରୋଗ ଆସି ମାଡ଼ି ବସିବ ।

 

ଆଶ୍ଚର୍ଯ୍ୟ ହେଲାପରି ପୀତାମ୍ବରବାବୁ କହିଲେ, ‘‘କାହିଁ ସେ ଝଡ଼ିଗଲା ପରି ତ ମେତେ ଦିଶୁନାହିଁ ?’’

 

ଚିଡ଼ି ଉଠି ମହୀବୋଉ ଜବାବ ଦେଲେ । ‘‘ଅନ୍ଧ ଲେଖାରେ ଚନ୍ଦ୍ର ସୂର୍ଯ୍ୟ ନାହାନ୍ତି । ତମକୁ ତ ଚାଖଣ୍ଡେ ଦୂରରେ ବହି ଦିଶୁନାହିଁ ଚଷମା ପିନ୍ଧୁଚ–ଦଶ ହାତ ଦୂରର ଜିନିଷ ଦେଖିବ କେମିତି ?

 

–ତମେ ପଢ଼ିଲା ବେଳେ ଚଷମା ପିନ୍ଧ ନାହିଁ ?

 

–ପିନ୍ଧିଲେ କଣ ହେଲା ? ମତେ ତ ଦିଶୁଚି ସେ ଝଡ଼ି ଯାଉଚି–ତମକୁ କାହିଁକି ଦିଶୁନାହିଁ-? ଆରେ ! ଏଇଥିପାଇଁ ମହୀଟା ମୋଟେ ଉଧଉ ନାହିଁ... ମୁଁ ବୁଝିବି କଣ ? ଯେତେହେଲେ ପରା ଗଛର ଛାଇ, ମଣିଷର ହାଇ ଏକା ଜିନିଷ ।

 

ବିରକ୍ତ ହେଇ ପୀତାମ୍ବରବାବୁ ଖବରକାଗଜ ପଢ଼ାରେ ମନ ଦେଲେ । ଟିକିଏ ବେଳ ତାଙ୍କୁ ଚାହିଁ ମହୀବୋଉ କହିଲେ, ‘‘କଣ ପୁଣି ପଢ଼ି ବସି ଗଲଣି ? ତାକୁ ପଢ଼ିଲେ କଣ ତମ ପେଟ ପୂରିବ ?’’

 

–ଆଉ କଣ କରିବାକୁ ମତେ କହୁଛ ?

 

–ମୁହଁ ଖୋଲି ସେଇ ଏକାକଥା ମୁଁ ହଜାରେ ଥର କହି ପାରିବି ନାହିଁ– ତମର କଣ ଆଖି ନାହିଁ ? ମହୀବୋଉ ରାଗରେ ଗର ଗର ହେଲେ ।

 

–ନାଇଁ, ମୋର ଆଖି ନାହିଁ । ପୀତାମ୍ୱରବାବୁ ଅନ୍ୟ ଆଡ଼କୁ ମୁହଁ ବୁଲାଇଲେ ।

–ସେ କଥା ମୁଁ ଜାଣେ । କିନ୍ତୁ ପାଟିଟା ତ ଅଛି, କାନ ତ ଅଛି ?

–ହଁ ।

 

–ଏଥର ମହୀବୋଉ ଜୋର ଦେଇ କହିଲେ, ‘‘ତେବେ ଶୁଣ, ମହୀକୁ କହିବ ସେ ବାହା ନ ହେଲେ ମୁଁ ଆଉ ଏ ଘରେ ରହିବି ନାହିଁ ।’’

 

–ତମେ ନିଜେ ତାକୁ କହୁନ ?

 

–ନ କହି କଣ ମୁଁ ଚୁପ୍ ହେଇ ବସିଛି ? ମୋ ପରି ମୂର୍ଖ ମା’ର କଥା ସେ ଶୁଣିବ ନାହିଁ... ଭଗବାନ ମୋ କପାଳରେ କେତେ ଦହଗଞ୍ଜ ଲେଖିଛନ୍ତି କେଜାଣି । ମହୀବୋଉ ସୁକୁସୁକୁ ହୋଇ କାନ୍ଦିବାକୁ ଆରମ୍ଭ କଲେ ।

 

‘‘ହଉ ତମେ ଯାହା କହିଲ, ସେ କଥା ମୁଁ ତାକୁ କହିଦେବି ।’’ ପୀତାମ୍ୱରବାବୁ ସାନ୍ତ୍ୱନା ଦେଲେ ।

 

–ତାକୁ ବୁଝେଇ କହିଲେ ସିନା ହବ–ଏମିତି କହିଲେ ସେ ଶୁଣିବ କାହିଁକି ?

 

–ଛୋଟିଆ ଛୁଆଟିଏ ହେଇନାହିଁ ଯେ, କୋଳରେ ବସେଇ ଦି’ଟା ମିଠେଇ ଧରେଇ ଦେଲେ ବୁଝିଯିବ । ବଡ଼ ହେଲାଣି, ତା’ର ବୁଦ୍ଧିଶୁଦ୍ଧି ହେଲାଣି । ନିଜର ବିଚାର କରିବା ଶକ୍ତି ହେଲାଣି... ଅନ୍ୟମାନଙ୍କ କଥା ନିଜେ ଥରେ ନ ଭାବି ସେ ମାନିଯିବ କେମିତି ?

 

–‘‘ଓ ! ବାପା ମା ହେଲେ ଅନ୍ୟ ଲୋକ ! ତମର ଏଇ ଚୋପାଛଡ଼ା କଥା ଶୁଣିଲେ ମୋ ହାଡ଼ ଶୂଳେଇ ହୁଏ ।’’ ରାଗରେ ମହୀବୋଉ ମୁହଁ ବୁଲେଇ ନେଲେ ।

 

କଥା ଏତିକିରେ ବନ୍ଦ ରହିଲା । କିଏ ଜଣେ ଭଦ୍ରଲୋକ ଆସିଛନ୍ତି ପୀତାମ୍ୱରବାବୁଙ୍କ ସାଥିରେ ସାକ୍ଷାତ୍‌ କରିବାକୁ । ଚାକର ଆସି ଖବର ଦେଇଗଲା । ମହୀବୋଉଙ୍କୁ ଆଉ କିଛି ନ କହି ପୀତାମ୍ୱରବାବୁ ଉଠି ଚାଲିଗଲେ ।

 

ମହୀବୋଉ ଲକ୍ଷ୍ୟକଲେ ଧୀରେ ଧୀରେ ରନ୍ଧାର ଉନ୍ନତି ହେଉଛି । ଖେଚେଡ଼ିରେ ଗୋଟା ପିଆଜ, ଗୋଟା ଲଙ୍କା, ହଳଦୀ, ଲୁଣ ପଡ଼ିଲାଣି । ତା ଛଡ଼ା ଗୋଟାକୁ ଗୋଟା ଡବା-ବାଲା ବିଲାତି ଚଟଣୀ ଚାଲି ଆସୁଛି । କିନ୍ତୁ ଗୋଟାଏ କଥା ଭାବି ମହୀବୋଉ ମନରେ ସାନ୍ତ୍ୱନା ପାଆନ୍ତି ଯେ, ରନ୍ଧା ନିଶ୍ଚେଁ ଖରାପ ହେଉଛି । ନ ହେଲେ ମହୀ କାହିଁକି ଏତେ ଆଡ଼େ ମୁଣ୍ଡ ଘୂରାନ୍ତା ? ଦିନ ଦିନ କରି ଦଶ ଦିନ ମହୀବୋଉ ଚୁପ୍‌ ରହିଲେ । ଏଗାର ଦିନ କହିଲେ, ‘‘ହଇରେ, ତୋ ପଇସାଗୁଡ଼ାକ ଏମିତି ଉଡ଼େଇ ଦଉୁଚୁ ?’’

 

‘‘ଉଡ଼େଇ ଦଉଛି !’’ ଆଶ୍ଚର୍ଯ୍ୟ ହୋଇ ମୋହନ ମହୀବୋଉଙ୍କ ମୁହଁକୁ ଚାହିଁଲା ।

 

–ଉଡ଼ାଉନୁ ତ ଆଉ କଣ ? ଏଇ ଚଟଣୀଗୁଡ଼ାକ ଦିନକୁ ଗୋଟାଏ ଗୋଟାଏ ଡବା ସରିଯାଉଛି । ଗୋଟାଏ ଗୋଟାଏ ଡବାର ଦାମ୍ କେତେ ?

 

–ଏଇ...ଟଙ୍କାଏ, ପାଁସୁକା ।

 

–ହଇରେ ତୁ ଏତେଗୁଡ଼ାଏ ଟଙ୍କା ପାଣିରେ ପକେଇ ଦଉଚୁ ? ତା ଅପେକ୍ଷା ବରଂ ବାହାଟିଏ ହେଇପଡ଼ିଲେ ୟାର ଅଧା ଖର୍ଚ୍ଚରେ ତମେ ଦିହେଁଯାକ ଆହୁରି ଭଲ ଖାଇବାପିଇବା କରିପାରନ୍ତ ।

 

‘‘ଯେମିତି ତୁ ଖାଉଚୁ !’’ ଛିଗୁଲେଇ ମୋହନ କହିଲା ।

 

–ନାଇଁରେ ପୁଅ, ଆମେ ତ ହେଲୁ ମୂର୍ଖ । ପୁରୁଣାକାଳିଆ ଲୋକ । ଦେହର ଯତ୍ନ କେମିତି ନବାକୁ ହୁଏ ଜାଣି ନଥିଲୁ । ଆଜିକାଲି ତ ଆଉ ସେ କଥା ନାହିଁ, ନିଜ ନିଜ ହାତରେ ସମସ୍ତେ ଚଉଦ ପା ।

 

–ହଉ ଥାଉ, ବନ୍ଦ କର । ମୋର କାମ ଡେରି ହୋଇଗଲାଣି । ମୁଁ ଯାଉଛି ।

–ଅଃ, ଏଇ ତ ଏକା କାମ କରୁଚି, ଆଉ ସମସ୍ତେ ବସିଛନ୍ତି !

 

ମୋହନ ଚାଲିଗଲା । ମହୀବୋଉ ଟିକିଏ ବେଳ ଚୁପ୍‌କରି ଠିଆହୋଇ ଭାବିଲେ, କଣ କଲେ ଏ ଅବାଗିଆ ଟୋକାଟା ବାଟକୁ ଆସିବ, ବାହା ହବାକୁ ରାଜି ହେବ ।

 

‘‘ଆ–ମରିଗଲି ଲୋ ବୋଉ ।’’ ପାଟିଟାଏ କରି ମହୀବୋଉ ଗୋଡ଼ ଧରି ପାହାଚ ଉପରେ ବସି ପଡ଼ିଲେ ।

 

ରାତି ନ’ଟା ବେଳ । ଅଳ୍ପ ବହୁତ ସମସ୍ତଙ୍କ କାନରେ ଡାକଟା ବାଜିଲା । ଚାକର ପୂଝାରୀ ସାଙ୍ଗେ ସାଙ୍ଗେ ଆସି ପହଞ୍ଜିଲେ । ବୈଠକଖାନାରୁ ପୀତାମ୍ୱର ବାବୁ ଉଠି ଆସିଲେ, ମାୟା ଓ ପିଲାମାନେ ଦୋତାଲାରୁ ଓହ୍ଲାଇ ଆସିଲେ । ଆଉ ମୋହନ ରୋଗୀ ଦେଖାଛାଡ଼ି ଉଠି ଆସିଲା । ସମସ୍ତଙ୍କ ମୁହଁରେ ଗୋଟିଏ କଥା–କଣ ହେଲା ? କଣ ହେଲା ?

 

ଅନ୍ଧାର ବାଟରେ ମହୀବୋଉ ଅଗଣା ପାହାଚ ଉପରେ ବାଁ ଗୋଡ଼କୁ ଚିପିଧରି କୁନ୍ଥେଇ ହେଉଛନ୍ତି । ମୋହନ ଭାବିଲା, ବୟସ ହୋଇଗଲାଣି । ଯଦି କିଛି ହେଇଯାଏ, ତେବେ ସେ ନିଜକୁ ହିଁ ଦୋଷୀ ମନେ କରିବ । ତରବରରେ ଆଲୁଅଟା ଜାଳିଦେଇ କହିଲା, ‘‘ତତେ ଯଦି ବାଟ ଦିଶୁ ନାହିଁ, ତେବେ ଅନ୍ଧାରରେ ଯିବାଆସିବା କରୁଚୁ କାହିଁକି ?’’

 

–ଉଃ, ଆଉ ବଞ୍ଚିବି ନାହିଁ ଲୋ ବୋଉ.....

 

–ବୋଉ, ବୋଉ, କଣ ହେଲା ଦେଖେଁ ? କହି ମାୟା ଓ ପିଲାମାନେ ମହୀବୋଉଙ୍କ ଉପରେ ହାମୁଡ଼େଇ ପଡ଼ିଲେ ।

 

ଗୋଡ଼କୁ ଲୁଗାରେ ଅଧା ଢାଙ୍କିଦେଇ ଦୁଇ ହାତରେ ଚିପିଧରି କୁନ୍ଥେଇ କୁନ୍ଥେଇ ମହୀବୋଉ କହିଲେ, ‘‘କିଛି ହେଇ ନାହିଁରେ... ଉଃ... ଯା.... ତମେସବୁ ଯା ଏଥର ।’’

 

–କଣ ହେଇଚି ଦେଖେଇଲେ ସିନା ହେବ ?

 

–ତୁ ପାଟି କରିବୁ ନାହିଁ ମୋ ସାଙ୍ଗରେ । ନିଜର କଷ୍ଟ ଭୁଲିଯାଇ ମହୀବୋଉ ମୋହନ ମୁହଁକୁ ରାଗରେ ଚାହିଁଲେ ।

 

–ମହୀ, ତୁ ତୋ କାମରେ ଯା । ମୁଁ ଦେଖୁଚି । ପୀତାମ୍ୱରବାବୁ ପୁଅକୁ ଆଡ଼େଇ ଦେଇ ଆଗକୁ ଆସିଲେ । ମୋହନ କିନ୍ତୁ ଗଲା ନାହିଁ–ସେମିତି ଠିଆହୋଇ ରହିଲା ।

 

‘‘ବଡ଼ ଜୋର୍‍ରେ ବାଜିଛି ବୋଧହୁଏ...କେମିତି ବାଜିଲା ?’’ କଅଁଳେଇ ପୀତାମ୍ବର ବାବୁ ପଚାରିଲେ ।

 

ଉଃ..... ନାଇଁମ... ଭଣ୍ଡାର ଘରଟା ବନ୍ଦକରି ଅଗଣାକୁ ଯାଉଥିଲି..... ଆଃ..... ପାହାଚରେ ଗୋଇଠିଟା ମୋଡ଼ି ହୋଇପଡ଼ିଲା ଯେ ପଡ଼ିଗଲି...... ଉଃ..... ଅଇକ୍ଷଣା ଟିଣଗୁଡ଼ାକ..... ଚାରିଆଡ଼େ ତ ପଡ଼ିଛି । ଉଃ..... ସେଇ ପାହାଚରେ ଗୋଟାଏ ପଡ଼ିଥିଲା..... ମୁଁ ତାକୁ ଅନ୍ଧାରଟାରେ ଦେଖିପାରିଲି ନାହିଁ, ଗୋଡ଼ଟାକୁ କାଟିଦେଲା..... ଉଃ..... ।

 

ଟିକିଏ ଚୁ ଚୁ ମାରି ପୀତାମ୍ୱର ବାବୁ କହିଲେ, ‘‘ପିଲାଏ ଟିଣଗୁଡ଼ାକ ଚାରିଆଡ଼େ କାହିଁକି ଏମିତି ପକାଉଛ ଭଲା ? କାହିଁ ଟିଣଟା ଦେଖେଁ ?’’

 

ମହୀବୋଉ ଟିଣଟା ପୀତାମ୍ୱରବାବୁଙ୍କ ଆଡ଼କୁ ପେଲିଦେଲେ । ଦେଖିସାରି ପୀତାମ୍ୱରବାବୁ ମୋହନକୁ ଚାହିଁ କହିଲେ, ‘‘ଖାଇସାରିବା ସାଙ୍ଗେ ସାଙ୍ଗେ ଉପରର ଏଇ କଟା ଅଂଶତକ ତଳକୁ ପେଲି ଦେଉଥିବୁ ଯେ, ବାଜିଗଲେ ବିଶେଷ କ୍ଷତି କରିବ ନାହିଁ । ଦେଖୁନୁ କେମିତି ଧାରୁଆ ହୋଇଛି ?’’

 

–ହଉ, ଏଣିକି ମୁଁ ସେମିତି କରିବି । ଦୋଷୀ ଭଳି ମୋହନ କହିଲା ।

 

‘‘ଖବରଦାର କହି ଦଉଚି, ସେ ଟିଣ ଆଉ ମୋ ଘରେ ପଶିବ ନାଇଁ । ଚଟଣୀ ଖାଇବ ବୋଲି ମଣିଷର ଜୀବନ ନବ ନା କଣ ?’’ ମହୀବୋଉ ତେଜି ଉଠିଲେ ।

 

–ହଉ, ତେବେ ଏଣିକି ଟିଣବାଲା ଜେଲି ଆଣିବି ନାହିଁ । ବୋତଲ ଆଣିବି ।

 

‘‘ମୂଳରୁ ସେ ଜେଲି କି ଚୁଲି ମୋ ଘରକୁ ଆସିବ ନାହିଁ, କହିଦେଲି । ଖାଇବାକୁ ଯଦି ଏତେ ଇଚ୍ଛା, ତମେ ଭଡ଼ାଘର କରି ରହ । ମୋ ଘରକୁ ସେ ଜିନିଷ ପଶିବ ନାହିଁ... ଉଃ’’ କହି ପୁଣି ନିଜ ଗୋଡ଼କୁ ଚାହିଁଲେ ।

 

ମୋହନ ଯିବା ପରେ ମହୀବୋଉ ପୀତାମ୍ୱରବାବୁଙ୍କୁ ବାଁ ଗୋଡ଼ ପେଣ୍ଡାରେ ଖଣ୍ଡିଆ ଦାଗଟା ଦେଖେଇଲେ । ଟିଣରେ ଆଞ୍ଚୁଡ଼ି ହୋଇଯାଇଛି ।

 

–ମାୟା, ଗଲୁ ମା ଟିକିଏ ଔଷଧ ନେଇ ଆସିବୁ ?

 

‘‘ନାଇଁ ନାଇଁ, ତମର ସେ ଆଇଡ଼ିନ୍‌ ମୁଁ ଲଗେଇବି ନାହିଁ । ମୋର ସେମିତି ଭଲ ହୋଇଯିବ । ଏ ବୋଝ ଉପରେ ନଳିତାବିଡ଼ା ମୋର ଆଉ ଦରକାର ନାହିଁ ।’’ ଛୋଟେଇ ଛୋଟେଇ ମହୀବୋଉ ଘରଆଡ଼କୁ ମୁହାଁଇଲେ ।

 

ପୀତାମ୍ବରବାବୁ ଫେରିଗଲେ । ତାଙ୍କ ପଛେ ପଛେ ଅନ୍ୟମାନେ ମଧ୍ୟ ଯେ ଯାହା କାମରେ ବାହାରିଲେ ।

 

ପରଦିନ ଅଫିସରୁ ଫେରି ଖାଇ ବସିଲାବେଳେ ପିଲାମାନଙ୍କର ପାଟି ଶୁଣି ମହୀବୋଉ ମୋହନ ବଖରା ଭିତରକୁ ଗଲେ–ଖୁସିର କାରଣଟା ବୁଝିବା ପାଇଁ । ମନରେ ସନ୍ଦେହ, ବୋଧହୁଏ ପୁଣି ନୂଆ ରକମର କିଛି ଚଟଣୀ ଆସିଛି ।

 

–ଏଁ ! ମାଉଁସ କୁଆଡ଼ୁ ଆସିଲା ? ମହୀବୋଉଙ୍କ ଆଖି ତାଳୁରେ ଖୋସି ହୋଇଗଲା ।

‘‘ହୋଟେଲରୁ କିଣି ଆଣିଚି ।’’ ଖାଉ ଖାଉ ମୋହନ କହିଲା ।

 

ଦୁଇ ଖେପାରେ ଦୁଆରମୁହଁ ସେପଟକୁ ଚାଲିଯାଇ ନାକରେ ଲୁଗା ମାଡ଼ି ମହୀବୋଉ ପାଟି କରିଉଠିଲେ– ଖୁସିରେ କ’ଣ ଲକ୍ଷ୍ମୀ ଘର ଛାଡ଼ି ଚାଲିଯାଆନ୍ତି ? ହଇରେ ତୁ ଗୋରୁ ମାଉଁସ ଆଣି ଘରେ ପୂରେଇ ଖାଉଚୁ ! ଛି, ଛି... ତୁମେସବୁ ଡାକ୍ତର ହେଇଚ ବୋଲି କଣ ଧର୍ମ କର୍ମ ଆଉ କିଛି ନାହିଁ ? ଗୋ-ମାତା ! ସେ ମାଉଁସ ପୁଣି ତୁ ସମସ୍ତଙ୍କୁ ଖୁଆଇଲୁ ?

 

–ଏହେ ଲୋ, ଏଗୁଡ଼ାକ ଗାଈ ମାଉଁସ ? ଅ– ପିଲାଙ୍କ ଭିତରୁ ଜଣେ ଅଧେ ବାନ୍ତି କରିବାକୁ ଚେଷ୍ଟା କଲେ । ପ୍ରତାପ ବାହାରିପଡ଼ି କହିଲା, ‘‘ମୁଁ ଆଗରୁ ଜାଣିପାରିଥିଲି ଏଇଟା ଗୋରୁ ମାଉଁସ । କେମିତି ଗୋଟାଏ ଲାଗୁଥାଏ ।’’

 

‘‘ତୁ ଜଲଦି ସେ ମାଉଁସ ବାହାରେ ନେଇ ଫୋପାଡ଼େ ।’’ ମହୀବୋଉ ଧମକେଇ ଉଠିଲେ । ମୋହନ କାବା ହୋଇ ମହୀବୋଉଙ୍କ ମୁହଁକୁ ଚାହିଁଥାଏ ।

 

‘‘କଣ ଖାଇବୁ ତାକୁ ?’’ ସନ୍ଦିଗ୍‌ଧ ଆଖିରେ ମହୀବୋଉ ପ୍ରଶ୍ନ କଲେ ।

 

–ତମେ ସବୁ କଣ ପାଗଳ ହୋଇଗଲ ? ଏ ପରା କୁକୁଡ଼ା ମାଂସ । ମୁଁ ହିନ୍ଦୁ ହୋଟେଲରୁ କିଣି କରି ଆଣିଛି । ହେଇ ଦେଖୁନା କେତେ ସରୁ ହାଡ଼ । ଗାଈ ମାଂସରେ ଏ ହାଡ଼ ଆସିବ କୁଆଡ଼ୁ ?

 

–ହିନ୍ଦୁ ହୋଟେଲ ? ତମ ବାପା କହୁଥିଲେ ସବୁ ହୋଟେଲରେ ତ ଖାନସମା ରାନ୍ଧନ୍ତି । ଗୋରୁ ମାଉଁସରେ ଦି’ଟା କୁକୁଡ଼ା ହାଡ଼ ପୂରାଇଦେଲେ ତୁ ବୁଝିବୁ କଣ ? ଆଉ ଗାଈର ସରୁ ହାଡ଼ ନାହିଁ ବୋଲି ତତେ କିଏ କହିଲା ?

 

–ତାହାହେଲେ ୟାକୁ ଫୋପାଡ଼ି ଦେବାକୁ କହୁଚୁ ?

 

‘‘ଆଣିଚୁ ଯେତେବେଳେ ତୋ ଆଶା ପଡ଼ିଥିବ..... ତୁ ଖଆ..... ମୁଁ ମନା କରୁନାହିଁ..... କିନ୍ତୁ ଖାଇସାରିଲା ପରେ ପୂରା ଘରଟା ଧୁଆ ହେବ ।’’ ଆଉ କିଛି ନ କହି ମହୀବୋଉ ଚାଲିଗଲେ-

 

ମୋହନ ମନର ସବୁ ସରାଗ ମରିଗଲା । ଯାହା କଲେ ବି ତା ପାଇଁ ଅନ୍ୟ ବାଟ କିଛି ନାହିଁ । ଏ ଘରେ ଜେଲି ପଶିବ ନାହିଁ, ମାଂସ ପଶିବ ନାହିଁ, ହୋଟେଲର ଖାନସମା ରନ୍ଧା ମାତ୍ରେ ଘରେ ପଶିବ ନାହିଁ । ତା ଉପରେ ପୁରି ଏଇ କନକନିଆ ଶୀତଦିନଟାରେ ସନ୍ଧ୍ୟାବେଳେ ଘରଧୁଆ..... ମୋହନର ମନ ଶୀତେଇ ଉଠିଲା ।

 

ବୁଲି ବାହାରିଲା ବେଳେ ଚାକରକୁ ପାଣି ଧରି ଯାଉଥିବା ଦେଖି ମୋହନ କହିଲା, ‘‘କିରେ ଏତେ ପାଣି କ’ଣ କରିବୁ ?’’

 

–ସବୁଗୁରାକ ଘର ଧୁଆହବ ବୋଲି ମା କହିଲେ ।

–ତଳ ମହଲା ?

–ଉପର ସରିଲା ପରେ ତଳ ଖଞ୍ଜା ଧୁଆହେବ ।

 

‘‘ବୋଉ ! ଏ ବୋଉ !’’ ଡାକି ଡାକି ମୋହନ ମହୀବୋଉଙ୍କ ପାଖକୁ ଗଲା । ‘‘ଛୁଆଗୁଡ଼ାଙ୍କୁ ନିମୁନିଆଁରେ ପକେଇବୁ ନା କଣ ? ଏଇ ଶୀତ ରାତିରେ ଓଦା ଘରେ ଶୋଇ କଣ ଜାଣି ଜାଣି ରୋଗକୁ ଡାକି ଆଣିବ ?’’

 

–ତୋରି ସେ ମାଉଁସ ଖାଇ ଦେହ ଖରାପ ହେବ, ମୁଁ ଜାଣେ । ଘର ଧୁଆ ହେଲେ କାହାରି ଦେହ ଖରାପ ହୁଏ ନାହିଁ ।

 

‘‘ହଉ ତୋର ଯାହା ଇଚ୍ଛା କର । କିନ୍ତୁ କାହାରି ଦେହ ଖରାପ ହେଲେ ମତେ ଆଉ କିଛି କହିବୁ ନାହିଁ ।’’ ବିରକ୍ତ ହୋଇ ମୋହନ ଘରୁ ବାହାରି ଚାଲିଗଲା ।

 

ମହୀବୋଉ ଟିକିଏ ବେଳ ଭାବିଲେ । ସତରେ, ଯଦି ପିଲାଙ୍କର ଦେହ ଖରାପ ହୁଏ ? ପୀତାମ୍ୱରବାବୁ ତ ବୁଢ଼ା ହେଲେଣି । ତାଙ୍କର ଟିକିଏ କିଛି ହୋଇଗଲେ ନେଇଆଣି ଥୋଇ ହବ ନାହିଁ । ଆଉ ମୋହନ ଯେମିତି ରାଗିଛି ସେ ବି ସାହାଯ୍ୟ କରିବ ନାହିଁ । କୁଆଡ଼ୁ କିଛି ଠିକଣା କରି ନ ପାରି ଅଗଣାରେ ଠିଆହୋଇ ମହୀବୋଉ ଚାକରକୁ ଡାକ ଛାଡ଼ିଲେ ।

 

–ଭିକାରେ, ସବୁଗୁରାକ ଘର ଧୁଅ ନାହିଁ... ଖାଲି ମହୀବାବୁ ଶୋଇବା ଘର, ଯୋଉ ବାରଣ୍ଡାରେ ଖାଉଥିଲେ ସେଇଟା, ବୈଠକଖାନା ଆଉ ଅଗଣଟା ଧୋଇ ପକା । ଅନ୍ୟ ଘରଗୁଡ଼ାକରେ ମୁଁ ଗଙ୍ଗାପାଣି ନଉଚି, ଛିଞ୍ଚିଦେବି..... ବୁଝିଲୁ ?

 

–ହଉ ।

 

ପ୍ରଥମେ ପ୍ରରସ୍ତେ ଗୋବର ପାଣି ଛିଞ୍ଚା ହୋଇଗଲା । ତାପରେ ଚାଲିଲା ଘରଧୁଆ ପାଲା । ଚାକର ଧୋଇ ଚାଲିଥାଏ– ଦୂରରେ ମହୀବୋଉ ଠିଆହୋଇ ବତେଇ ଦେଉଥାନ୍ତି । ଆଲମାରୀ ତଳକୁ ପାରି ଯାଇନାହିଁ..... ଚୌକିର ଗୋଡ଼ଗୁଡ଼ାକ ଧୋଇପକା..... ଟେବୁଲ ତଳଟା ଭଲ କରି ଧୁଅ..... ।

 

ଏମିତି ଘରଧୁଆ ଚାଲିଥିଲା ବେଳେ ପୀତାମ୍ୱରବାବୁ ଆସି ପହଞ୍ଚିଲେ ।

–ତମର ଆଜି କଣ କି ? ସଞ୍ଜବେଳଟାରେ ଘର ଧୋଉଚ ।

–ତମ ବଡ଼ ପୁଅ ଆଜି ହୋଟେଲରୁ ଗୋରୁ ମାଉଁସ ଆଣି ଏ ଘରେ ଖାଇଥିଲେ ।

–ଗୋରୁ ମାଉଁସ ? କପାଳ କୁଞ୍ଚେଇ ପୀତାମ୍ବରବାବୁ ପ୍ରଶ୍ନ କଲେ ।

–ନୁହେଁ ତ ଆଉ କଣ ଛେଳି ମାଉଁସ ?

–ସେଥିପାଇଁ ତମେ ଏ ଶୀତରେ ପୂରା ଘରଟା ଧୋଉଚ ?

 

–ପୂରା ଘରଟା କାହିଁକି ଧୋଇବି ? ଯୋଉଠି ଯୋଉଠି ସବୁ ମାଉଁସ ପଡ଼ିଥିଲା, ଖାଲି ସେଇ ଜାଗାଗୁଡ଼ାକ ଧୂଆ ହଉଚି ।

 

‘‘ଯାହା ଇଚ୍ଛା ହଉଚି କର’’, କହି ପୀତାମ୍ୱରବାବୁ ସେଠାରୁ ଚାଲିଗଲେ ।

 

ମହୀବୋଉଙ୍କ ମୁହଁରୁ ଜଣାଗଲା ଯେମିତି ତାଙ୍କର ଅଧା ଉତ୍ସାହ କମିଗଲା । ଚାକର ଉପରେ ଘର ଧୋଇବା କାମ ଛାଡ଼ିଦେଇ ମହୀବୋଉ ପୀତାମ୍ୱରବାବୁଙ୍କ ପଛେ ପଛେ ଭିତରକୁ ଗଲେ ।

 

ରାତିରେ ମୋହନ ବୁଲିସାରି ଫେରିବା ମାତ୍ରେ ଘରର ଅବସ୍ଥା ଦେଖି ମୁଣ୍ଡରେ ହାତ ଦେଲା । କାହାକୁ କିଛି ନ କହି ଷ୍ଟେଥୋ ହାତରେ ଧରି ଘର ଭିତରକୁ ଗଲା ।

 

–ବାପା କାହାନ୍ତି ?

‘‘ସେଇ ଘରେ’’–ହାତ ଦେଖାଇ ପୂଝାରୀ ଠାରିଦେଲା ।

 

ପୀତାମ୍ୱରବାବୁ ଆରାମ ଚୌକିରେ ଶୋଇ ଛାତ କଡ଼ିକୁ ଚାହିଁଥିଲେ । ମୋହନକୁ ଦେଖି ପଚାରିଲେ ‘କଣ ?’

 

‘‘ବାପା, ଏମିତି କଲେ ମୁଁ ଏ ଘରେ ରହିବି କେମିତି ?’’ ଧୁଆ ହୋଇଥିବା ଜିନିଷ ମୋହନ ପୀତାମ୍ବରବାବୁଙ୍କ ଆଖି ସାମନାରେ ଧରିଲା ।

 

ଦୂରରୁ ମହୀବୋଉ ପାଟିକଲେ, ‘‘ଧୋଇବାକୁ କ’ଣ କାହାକୁ ଖୁସି ଲାଗୁଥିଲା କି ? ସେଥିରେ ଝୋଳ ଭଳିଆ କ’ଣ ସବୁ ଲାଗିଥିଲା । ଏଇ ଭିକା ତ ନିଜେ ଧୋଇଚି । ତାକୁ ପଚାରୁନୁ-?’’

 

ପୀତାମ୍ୱରବାବୁଙ୍କ ସମର୍ଥନ ପାଇବାକୁ ମୋହନ କହିଲା, ‘‘ଯୋଉଠି ଖିଆ ହେଉଥିଲା, ସେ ଜାଗା ଧୋଇବା ଭିନ୍ନ କଥା । ଏ ଘର ଗୋଟାକଯାକ ଏମିତି ଧୋଇଲେ ମୁଁ ଏହିକ୍ଷଣି ରୋଗୀ ଦେଖିବି କୋଉଠି ? ଚାରିଆଡ଼ଯାକ କଣ ମାଂସ ଲାଗିଯାଇଥିଲା ? ତା’ର କଣ ହାତ ଗୋଡ଼ ଅଛି-?’’

 

–ମାଉଁସର ସିନା ହାତ ଗୋଡ଼ ନାହିଁ, ଖାଇବା ଲୋକର ତ ଅଛି ? ତମ ଗୁଣବନ୍ତ କୁକୁରର ତ ଅଛି ? ହାଡ଼ ଖଣ୍ଡେ ଆଣି ଘର ଗୋଟାଯାକ ବୁଲି ବୁଲି ଖାଉଥିଲା ।

 

ଧୀରେ ଧୀରେ ଚୌକି ଉପରେ ଉଠିବସି ପୀତାମ୍ୱରବାବୁ ମୋହନକୁ କହିଲେ, ‘‘ଘରେ ଏମିତି ଅଶାନ୍ତି ବଢ଼େଇବାଠାରୁ ମୋ ମତରେ ତୁ ବାହା ହେଇପଡ଼ିବା ଭଲ ।’’ ମୋହନ କୌଣସି ଜବାବ ନଦେଇ ଚୁପ୍‌ଚାପ୍‌ ହୋଇ ଠିଆହୋଇ ରହିଲା । ପୀତାମ୍ୱରବାବୁ ପୁଣି କହିଲେ, ‘‘ସେ ତୋର ମା..... ତୋ ପାଇଁ ଅନେକ କରିଛି । ତାକୁ ଏ ବୟସରେ ଦୁଃଖ ଦେବାଟା ତୋର ଠିକ୍ ହେଉନାହିଁ । ତା’ଛଡ଼ା ମୁଁ ନିଜେ ବି ଦେଖୁଛି, ତୁ ବାହାହେଲେ ତୋ’ ଦେହର ଯତ୍ନ ନେବାକୁ ଜଣେ ବରାବର ରହିବ । ତୋ ବୋଉ ମତେ କହୁଥିଲା ତୁ ବଡ଼ ଝଡ଼ି ଯାଉଛୁ’’ ।

 

–ବୋଉ ଆଖିରେ ତ ସବୁ ଦିଶୁଛି ।

 

‘‘ଆହା ତୁ ବୁଝୁନୁ । ଅନ୍ୟ ଲୋକେ ମାସ ମାସ ଦେଖି ଯାହା ଠଉରେଇ ପାରିବେ ନାହିଁ, ଗୋଟିଏ ମିନିଟ୍ ଦେଖି ମା ସେତକ ଠଉରେଇ ନିଏ । ପିଲାର ସୂତାଏ ଏପଟସେପଟ ହେଲେ ବି ମା’ ଆଖିରେ ଧରା ପଡ଼ିଯାଏ, କାହିଁକି ? ସେ ପରା ଜନ୍ମ ଦେଇଚି ! ଯୋଉଠି ଥାଉ, ଯୋଉ କାମ କରୁଥାଉ ପଛକେ, ମା’ର ମନ ସବୁବେଳେ ପିଲାର ଚାରିପଟେ ଘୁରୁଥାଏ ।’’ ପୀତାମ୍ୱରବାବୁ ଟିକିଏ ଦମ୍‌ ମାରିଲେ ।

 

ଏଇ ସୁବିଧାରେ କିଛି ନ କହି ମୋହନ ଖସିଯିବାକୁ ବସିଲା । କିନ୍ତୁ ସାଙ୍ଗେ ସାଙ୍ଗେ ତା ମୁହଁକୁ ଥରେ ଚାହିଁଦେଇ ପୀତାମ୍ୱରବାବୁ କହିଲେ, ‘‘ତୁ ନିଜେ ଭାବି ମତେ କହିବୁ । ମୁଁ ତତେ ଜୋର କରୁନାହିଁ କିନ୍ତୁ ସାନ ସାନ ଭାଇ ଭଉଣୀଙ୍କ କଥା, ତୋ ବୋଉ କଥା ଟିକିଏ ଭାବିବୁ... ତୁ ରାଜି ହେଲେ ଯେ, ସାଙ୍ଗେ ସାଙ୍ଗେ ବାହାଘର ହେଇଯିବ, ତା ନୁହେଁ... ପାତ୍ରୀ ଖୋଜିବାକୁ ହେବ... ବାହାଘର ହେଉ ହେଉ ଏହିକ୍ଷଣି କେତେ ଡେରି... ତୁ ଧୀରେ ସୁସ୍ଥରେ ଭାବିକରି ମୋତେ କହ.... ବୁଝିଲୁ ?’’

 

‘ହଉ’ କହି ମୋହନ ଚାଲିଗଲା ।

 

ଅଳ୍ପ ସମୟ ପରେ ମହୀବୋଉ ଆସି ପହଞ୍ଚିଲେ–କଣ ଏତେ କଥା ଦିହିଁଙ୍କ ଭିତରେ ହଉଥିଲା କି ?

 

–ବାହା ହବା ପାଇଁ ତାକୁ ବୁଝାଉଥିଲି ।

–‘ହଁ’ କଣ କହିଲା ? କୌତୁହଳ ଦବେଇ ନିର୍ଲିପ୍ତ ଭାବରେ ମହୀବୋଉ ପ୍ରଶ୍ନ କଲେ ।

–କହିଛି ଭାବି କରି ପରେ କହିବ ।

 

ଆଉ କିଛି ନ କହି ମହୀବୋଉ ଚାଲିଗଲେ । ଅନ୍ଧାରିଆ ଜାଗାରେ କାନ୍ଥରେ ମୁଣ୍ଡ ଲଗେଇ ବାପଘର ଆଡ଼ର ଠାକୁରାଣୀଙ୍କି ସ୍ମରଣ କରି ଆସ୍ତେ ଆସ୍ତେ କହିଲେ, ‘‘ମା ଶାରଳା, ମୋ ଅବାଗିଆ ପୁଅଟାକୁ ବାହାହବାକୁ ରାଜି କରେଇ ଦେ ମା ! ତତେ ଗୋଟାଏ ବୋଦା ବଳି ଦେବି । ମାଲୋ, ମୋ ଗରିବ ଗୁହାରୀ ଟିକିଏ ଶୁଣ... ଗୋଟାଏ ବୋଦା ଦେବି । ପାଟଶାଢ଼ୀ ଚଢ଼େଇବି-।...ମା...ମା ।’’ ତା’ପରେ ମନ ଭିତରେ ଭାବିଲେ, ବୋଧହୁଏ ଏତକ ଯଥେଷ୍ଟ ହେଲା ନାହିଁ । ପୁଣି କହିଲେ, ‘‘ପୁଅର ବାହାରାତ୍ର ଫିଟିଲେ ତୋ ମୁଣ୍ଡରେ ସୁନାର ମୁକୁଟ ଚଢ଼େଇବି.... ।’’ ମନର କଥା ଜଣାଇସାରି ଲୁଗା କାନିରେ ଆଖି ପୋଛି ମହୀବୋଉ ଚାଲିଗଲେ ।

 

ରାତିରେ ଯେତେବେଳେ ସମସ୍ତେ ଖାଇବସିଲେ, ମହୀବୋଉ ପୂଝାରୀକୁ ବରାଦ ହେଲେ, ‘‘ମହୀବାବୁ ପାଇଁ ସବୁ ରଖିଥା..... ସେ ଆଜି ରାତିରେ ଭାତ ଖାଇବ ।’’ ଟିକିଏ ବେଳ ଅପେକ୍ଷା କରି ଦେଖିଲେ କେହି କିଛି କହିଲେ ନାହିଁ । ସେଠୁ ପୀତାମ୍ୱରବାବୁଙ୍କୁ ଶୁଣେଇ ଶୁଣେଇ କହିଲେ, ‘‘ସେ ଆଜି ଏକରକମ ଉପାସ ରହିଚି କହିଲେ ଚଳେ... ବାବୁ ସିନା କୁକୁଡ଼ା ମାଉଁସ ମନେକରି ହକ ହକ ହେଇ ନେଇ ଆସିଥିଲେ, ଘରେ ଦେଖିଲାବେଳକୁ ଗୋରୁ ମାଉଁସ । ଅସନା ଲାଗିବ ନାହିଁ ? ମୋରି ଆଗରେ ମୁହଁ ଟାଣ କରି କହୁଥିଲା କୁକୁଡ଼ା ମାଉଁସ... ମୁଁ ଆସିବା ପରେ ସେତକ ଛାଡ଼ିଦେଇ ଚୋର ପରି ପଳେଇଚି... ଯାହାର ଅଭ୍ୟାସ ଥାଏ ସେ ସିନା ଖାଇପାରିବ....।’’

 

–‘‘ଥାଉ ବନ୍ଦ କର । ସେ ଡାକ୍ତର, କୁକୁଡ଼ା ମାଂସ ଗାଈ ମାଂସର ପ୍ରଭେଦ ଆଜିଯାଏ କଣ ବୁଝିନାହିଁ ?’’

 

ପୀତାମ୍ବରବାବୁଙ୍କ କଥା ଶୁଣି ମହୀବୋଉ ଅଭିମାନ କରି ସେଠୁ ଉଠିଗଲେ ।

 

ସମସ୍ତେ ଶୋଇ ପଡ଼ିଲେଣି । ଏକା ମହୀବୋଉ ବସି ଅପେକ୍ଷା କରିଛନ୍ତି ପୁଅ କେତେବେଳକୁ ଆସିବ । ଚାକର ପୂଝାରୀ ସେମିତି ଅଖିଆ ଶୋଇପଡ଼ିଛନ୍ତି । ଅନେକ ବେଳ ପରେ ମୋହନ ଆସିଲା । ଅନ୍ଧାରରେ ଛପି ଛପି ମହୀବୋଉ ରୋଷେଇ ଘରକୁ ଗଲେ । ନିଜ ହାତରେ ସବୁ ବାଢ଼ି ବୁଢ଼ି ପୂଝାରୀ ହାତରେ ମୋହନ ପାଖକୁ ପଠାଇଦେଲେ । ଭାତଥାଳି ଦେଖି ମୋହନ ଆଶ୍ଚର୍ଯ୍ୟ ହୋଇଗଲା ।

 

–ଇଏ କଣ ?

ପୂଝାରୀ କଣ ଜବାବ ଦେବ ଶୁଣିବାକୁ ରୋଷେଇଘରୁ ମହୀବୋଉ କାନ ପାରିଛନ୍ତି ।

 

–ନାଇଁ ଆଜ୍ଞା, ଆପଣ ଆଜି ଉପାସ ରହିଛନ୍ତି.... ଭାତ ଖଇବେ ବୋଲି ମା କହିଥିଲେ-

 

‘‘ନାଇଁ ମୁଁ ଭାତ ଖାଇବି ନାହିଁ, ନେଇଯା’’, କହି ମୋହନ ଛୁରୀରେ ପାଉଁରୁଟି କାଟିବାକୁ ବସିଗଲା । କିଛି ବେଳ ପରେ ମୋହନଠୁ ଆଉମୋଟେ ଧମକ ଖାଇ ପୂଝାରୀ ଥାଳି ଧରି ଫେରିଗଲା ।

 

‘‘କଣ ଖାଇଲା ନାହିଁ ?’’ ମହୀବୋଉ ଯେମିତି କିଛି ଶୁଣିନାହାନ୍ତି ସେମିତି ପଚାରିଲେ ।

–‘‘ନାଇଁ, ବାବୁ ପାଉଁରୁଟି କାଟୁଛନ୍ତି । ଭାତ ଖାଇବେ ନାହିଁ ବୋଲି କହିଲେ ।’’

 

‘ହୁଁ ! ଆଚ୍ଛା; ତମେ ଦିହେଁ ଖାଇନିଅ । ମତେ କେମିତି ଜରୁଆ ଜରୁଆ ଲାଗୁଛି, ମୁଁ ଖାଇବି ନାହିଁ ।’’ ମହୀବୋଉ ଚାଲିଗଲେ ।

 

ପରଦିନ ଗୋଟାଯାକ ମହୀବୋଉ ଉପାସ ରହିଲେ । ଉପରବେଳା ଜଳଖିଆ ଖାଇବାକୁ ଦେଇ ପୂଝାରୀ ମାୟାକୁ କହିଲା, ‘‘ଦେଈ, ମା କାଲିଠୁଁ ଉପାସ କରିଛନ୍ତି ।’’

 

–କାହିଁକି ?

 

–କାଲି ରାତିରେ ସାନବାବୁ ଭାତ ଖାଇବାକୁ ମନା କଲାରୁ ମା ରାଗ କରି ସେତିକିବେଳୁ ଉପାସ ଅଛନ୍ତି ।

 

ଜଳଖିଆ ଥାଳିଟା ହାତରେ ଧରି ମାୟା ଉଠିଗଲା । ପୀତାମ୍ୱରବାବୁଙ୍କ ପାଖରେ ବସି ମହୀବୋଉ ଜଳଖିଆରୁ ମାଛି ତଡ଼ୁଥିଲେ ।

 

–ବାପା ! ବୋଉ କାଲିଠାରୁ ଉପାସ ରହିଛି । ଆଜି ବି କିଛି ଖାଇନାହିଁ ।

ପୀତାମ୍ୱରବାବୁ ଚାହିଁଲେ ମହୀବୋଉଙ୍କ ମୁହଁକୁ ।

 

ଶୁଖିଲା ମୁହଁରେ ମହୀବୋଉ ହସ ଟାଣି କହିଲେ, ‘‘ଉପାସ କାହିଁକି ରହିବି ? ମୋ ଦେହଟା ଭଲ ଲାଗୁନାହିଁ ।’’

 

–ପୁଣି ମିଛ କହୁଚୁ ? କାଲି ରାତିରେ ଭାଇ ଭାତ ଖାଇଲେ ନାହିଁ ବୋଲି ତ ତୁ ରୁଷିଛୁ ।

 

ବୁଝେଇଲା ଭଳି ପୀତାମ୍ୱରବାବୁ କହିଲେ, ‘‘ତମେ ତ ଆଚ୍ଛା ମଣିଷ ? ସେ ସିନା ଭାତ ଖାଇଲା ନାହିଁ । ଅନ୍ୟ ଜିନିଷ ତ ଖାଉଛି ? ତା ସଙ୍ଗରେ ପାଳିଆ ଧରି ତମେ ଉପାସ ରହିଲେ, ଏ ବୟସରେ ଦେହ ସହିବ ? ଯାଅ, ଖାଇବ ଯାଅ ।’’

‘ନା’ ମହୀବୋଉ ବସି କାନ୍ଦିବାକୁ ଲାଗିଲେ ।

‘‘ନା କ’ଣ ? ସବୁଦିନ ଏମିତି ଉପାସ ରହିଥିବ ?’’ ପୀତାମ୍ୱରବାବୁ ମହୀବୋଉଙ୍କ ମୁହଁକୁ ଚାହିଁଲେ ।

‘‘ସେ ବାହାହବାକୁ ରାଜି ହେଲେ, ମୁଁ ଏ ଘରେ ପାଣି ଛୁଇଁବି–ନଇଲେ ସେମିତି ଶୁଖି ଶୁଖି ମରିବି । ଦେଖିବି ସେ କେମିତି ବାହାହେବ ନାହିଁ ।’’

‘‘ତମେ ତ ମଣିଷକୁ ଆଚ୍ଛା ହଇରାଣରେ ପକାଇଲ’’, ପୀତାମ୍ବରବାବୁ ଟିକିଏ ଚିନ୍ତିତ ହେଲେ ।

ମୋହନ ବୁଲିସାରି ଘରେ ଗୋଡ଼ ଦଉ ଦଉ ମାୟା ଚଣ୍ଡୀମୂର୍ତ୍ତି ଦେଖାଇ କହିଲା, ‘‘ଭାଇ, ତମେ କଣ ବୋଉକୁ ଜୀବନରେ ମାରିଦେବାକୁ ବସିଛ ?’’

–ଏଁ !

–ଏଁ କଣ ? ସେ ଦି’ଦିନ ହେଲା ଖାଡ଼ା ଉପାସ ରହିଛି । ତମେ ବାହାହବାକୁ ରାଜି ହେଲେ ଯାଇ ଏ ଘରେ ପାଣି ଛୁଇଁବ ବୋଲି ସେ କହୁଛି... ବାହା ହୋଇପଡ଼ିଲେ ତ ଆଉ ଏତେ ଗୋଳମାଳ ଲାଗନ୍ତା ନାହିଁ... ଭିତରେ ପଛେ ଷୋଳପଣ ଇଚ୍ଛା ଥିବ, ବାହାରକୁ ଯେତେକ ଫୁଟାଣି-

‘‘ବୋଉ କାହିଁ ?’’ କହି ମୋହନ ସିଧା ମହୀବୋଉଙ୍କ ପାଖରେ ଯାଇଁ ହାଜର ହେଲା ।

‘‘ବୋଉ, ତୁ କାହିଁକି ଉପାସ ରହିଛୁ ?’’ କହି ମୋହନ ପାଖରେ ବସିଲା ।

–ମତେ ନ କହିଲେ ମୁଁ ବୁଝିବି କେମିତି ?

–ତୋର କ’ଣ ଆଖି ନାହିଁ ? ସୁଁ ସୁଁ ହୋଇ ମହୀବୋଉ କାନ୍ଦିବାକୁ ଲାଗିଲେ ।

–ହଉ, ମୁଁ ବାହାହେବି, ତୁ ଖାଇନେ । ଏ ମାୟା, ବୋଉ ପାଇଁ କଣ ଅଛି ଆଣ ।

କିଛି ନ କହି ମହୀବୋଉ ସେମିତି ବସି କାନ୍ଦୁଥାନ୍ତି ।

–କହିଲି ପରା ବାହାହେବି, ଆଉ କଣ ?

–ନାଇଁ, ତୁ ମୋ ଦେହ ଛୁଉଁ ।

‘‘ହଉ, ଛୁଇଁଲି’’ କହି ମହୀବୋଉଙ୍କ ବଢ଼େଇଥିବା ହାତକୁ ଛୁଇଁଲା ।

ପୀତାମ୍ୱରବାବୁଙ୍କୁ ଡକେଇ ସାକ୍ଷୀ ରଖି ମହୀବୋଉ ଅନଶନ ଭାଙ୍ଗିଲେ ।

ତା ପରଠାରୁ ଦେଖାଗଲା ମହୀବୋଉ ମୋହନ ଖିଆପିଆର ଦୁଇଗୁଣ ଯତ୍ନ ନେଉଛନ୍ତି-। ଯେ ଯେତେବେଳେ ଘରକୁ ବୁଲି ଆସିଲା, ତାଙ୍କର ପ୍ରଥମ କଥା–‘‘ପୁଅ ବାହାହେବା ପାଇଁ ରାଜି ହେଇଚି । ତମ ଦେଖାନ୍ତରେ କେହି ଭଲ ପାତ୍ରୀ ଅଛନ୍ତି ?’’ ତାପରେ ନିଜ ଅନଶନର ବର୍ଣ୍ଣନା ।

ଘରେ ଚୁପ୍‌ ହୋଇ ବସି ରହିଲେ ଚଳିବ ନାହିଁ । ତେଣୁ ଘର ଘର ବୁଲି ବୋହୂମାନଙ୍କୁ ଦେଖିବା ଦରକାର । କାହା ବୋହୂ କେମିତି ଚଳୁଛନ୍ତି, ସେତକ ଆଗରୁ ଭଲ କରି ନ ଦେଖିଲେ ହୁଏତ ସେ ନିଜେ ହଇରାଣରେ ପଡ଼ିଯିବେ । କି ଧରଣର ବୋହୂ ଆଣିବେ, ସେ ବି ଗୋଟାଏ ସମସ୍ୟା । ବହୁତ ଦିନ ଆଗର କଥା ମନେପଡ଼ିଲା–ଯଦୁବୋଉ କହୁଥିଲେ ମୁରଲୀବାବୁଙ୍କ ଘର ବୋହୂମାନଙ୍କ କଥା । ଥରେ ତାଙ୍କ ଘରକୁ ଗଲେ ହୁଅନ୍ତା ।

ସେହିଦିନ ଖୁସିରେ ମହୀବୋଉ ଯଦୁବୋଉଙ୍କୁ ସାଥିରେ ଧରି ମୁରଲୀବାବୁଙ୍କ ଘରକୁ ବୁଲିବାବୁ ଗଲେ । ସେଠି ପହଞ୍ଚିଲା ବେଳକୁ ସଞ୍ଜ ଗଡ଼ିଗଲାଣି । ମୁରଲୀବାବୁ ସ୍ତ୍ରୀ ଓରଫ ମିନିବୋଉ ବଡ଼ ଓ ମଝିଆଁ ପୁଅଙ୍କର ତିନିଟା ଛୁଆଙ୍କୁ ଏକାଠି ବସେଇ ଖୋଇ ଦେଉଛନ୍ତି ଆଉ ମନକୁ ମନ ଭଟର ଭଟର ହେଉଛନ୍ତି ।

ହସି ହସି ଯଦୁବୋଉ କହିଲେ–ଆମେ ତମ ଘରକୁ କୁଣିଆ ଆସିଛୁ ସଙ୍ଗାତ । ତା’ ପରେ ଚାରିଆଡ଼କୁ ଟିକିଏ ଚାହିଁଦେଇ କହିଲେ–ସାନବୋହୂ ନାହିଁକି ?

–ଅଛି ।

–ଯା’ ହଉ ! ଯଦୁବୋଉ ହସିଲେ ।

‘‘କିଏ ଅଛ ଲୋ, ଗୋଟାଏ ମଶିଣା ପାରିଦେଇ ଯିବଟି’’ କହି ମିନିବୋଉ ମହୀବୋଉଙ୍କ ମୁହଁକୁ ଚାହିଁଲେ–ସୂର୍ଯ୍ୟ ଆଜି କୁଆଡ଼େ ଉଇଁଥିଲେ କି, ତମେ ଆଜି କେମିତି ଗଡ଼ି ପଡ଼ିଲ ?

ତମର ସିନା ତିନି ତିନିଟା ବୋହୂ ଯେ ହାତରେ କିଛି କରିବାକୁ ପଡ଼ୁନାହିଁ । ବୋହୂ–ପରଷା ଖାଇ ମନ ଖୁସିରେ ହେଣ୍ଡି ମାରି ବୁଲୁଚ । ମୋର ସେ ଭାଗ୍ୟ କାହିଁ ? ସବୁ ନିଜେ ନ ଦେଖିଲେ ଘଡ଼ିଏ ଚଳିବ ନାହିଁ ।

ସଙ୍ଗାତକୁ ଟିକିଏ ଚୁମୁଟି ଦେଇ ହସି ହସି ଯଦୁବୋଉ କହିଲେ–ଆଲୋ, ଏଣେ ବାଙ୍କ ବାଟରେ କାଇଁକି ଯାଉଚୁ ? ସଳଖ କଥା କହିଦଉନୁ–‘‘ତୋର ଦେଖି, ମୋର ଡେଉଁଚି ଡାହାଣ ଆଖି...’’

ଯଦୁବୋଉଙ୍କ କଥା ନ ଶୁଣିଲାପରି ମିନିବୋଉ କହିଲେ– ଆଲୋ, କଲେ ସବୁ ହବ । ତମେ ଚୁପ୍‌ ହୋଇ ବସିଯାଅ, ଦେଖିବ ସବୁ ଠିକ୍‌ ଚାଲିବ । ରଜା ମରିଗଲେ ରାଜ୍ୟ ଚଳୁଛି । ଆଉ ତମେ ଘଡ଼ିଏ ଛୁଟି ନେଲେ ଘର ଅଚଳ ହେଇଯିବ ?

–ହଅ ଛୁଟି ନେବି ! ଯମ ନେଲାପରେ ଯାଇ ମୋର ଛୁଟି–ତା ଆଗରୁ ନୁହେଁ ।

–ତମ ପୁଅ ବାହା ହବାକୁ ରାଜି ହେଲା ?

–ଆମେ ତ ପାତ୍ରୀ ପାଉନୁ, ରାଜି ଅରାଜି କଥା କିଏ ପଚାରେ ?

–ତମର ଯୋଉ କଥା ! ତମ ପୁଅକୁ ପୁଣି ପାତ୍ରୀ ଅପୂର୍ବ ! ମିନିବୋଉ ଯଦୁବୋଉଙ୍କ ମୁହଁକୁ ଚାହିଁଲେ ।

ଯଦୁବୋଉ ଆଗ ବଳିପଡ଼ି କହିଲେ– ଜାଣିନା କି ସଙ୍ଗାତ, ସେ ପରା ପାଠୋଈ ବୋହୂ କରିବ... ।

ଗୋଡ଼ ଖସି ପଡ଼ିଯାଉଥିବା ଲୋକକୁ ହାତ ଦେଇ ରୋକି ନେଲାଭଳି ମିନିବୋଉ କହିଲେ–ସେ ଭୁଲ କରନା ମହୀବୋଉ..... ମୋ ସାନକୁହା ମାନ, ବେଶି ପଢ଼ୁଆ ଝିଅ କେବେହେଲେ ବୋହୂ କରି ଆଣିବୁ ନାହିଁଟି । ଆଲୋ ‘‘ଶିମିଳି ଗଛର ଡାଳମୂଳ କଣ୍ଟା ଫୁଲ ଫୁଟିଥାଏ ରଙ୍ଗ, ଚହକଚାନ୍ଦୀର ମଥାରେ ସିନ୍ଦୁର ଦୂରକୁ ଦିଶଇ ଢଙ୍ଗ’’.... ତାଙ୍କ ଭିତରେ କଡ଼ାକର କିଛି ଅଛି ? ଖାଲି ଦେଖାସୁନ୍ଦର କଖାରୁ ବଡ଼ି..... ମୂର୍ଖଙ୍କ ଭିତରେ ହେଲେ ଟିକିଏ ଦୟାମୟା ଅଛି, ଏମାନଙ୍କଠି କ’ଣ ସେତକ ପାଇବ ? କହୁନ– ?

କଥାଟାକୁ ଷୋଳ ଅଣାରେ ସମର୍ଥନ କରି ଯଦୁବୋଉ କହିଲେ–ଆଗୋ, ପାଠ ସାଙ୍ଗରେ ପରା ସେତକ ବି ଖାଇ ଦେଇଥାନ୍ତି । ଆଉ ରାଇଜଯାକର ଯେତେ ବାଦ ଛେଦ, ସବୁ ତାଙ୍କଠି ବସା ବାନ୍ଧିଥାଏ । ମୂର୍ଖଗୁଡ଼ା ପାଠ ପଢ଼ି ନ ଥାନ୍ତି ବୋଲି ଗଛକୁ ମଝିରୁ ହାଣି ଧରା ପଡ଼ନ୍ତି, ଆଉ ଏମାନେ ମୂଷାଭଳି ଶିଏ ଶିଏ ଯାଇ ମୂଳରୁ କାଟି ଦିଅନ୍ତି । ସେ ତ ଆଗରୁ କଥା ଅଛି–‘‘ଫରଫର ହେଇ ଡିଅନ୍ତି ମୀନ, ବଡ଼ ମାଛଙ୍କର ନ ଦିଶେ ଚିହ୍ନ’’ ।

ମହୀବୋଉଙ୍କ ମୁହଁରୁ ଜଣାପଡ଼ୁଥାଏ ଯେମିତି କଥାଗୁଡ଼ାକ ତାଙ୍କ ମନକୁ ଆସିଲା ନାହିଁ-। କହିଲେ–ଆଜିକାଲି ତ ସମସ୍ତେ ପାଠ ପଢ଼ିଲେଣି–ଅପାଠୋଈ ହେଇ କିଏ ଅଛି ମତେ କହିଲ ?

ମହୀବୋଉଙ୍କ କଥା ଶୁଣି ଯଦୁବୋଉ କହିଲେ–ଆଲୋ, ସଙ୍ଗାତ ସେ କଥା କହୁନାହିଁ; ସେ ବେଶି ପଢ଼ୁଆଙ୍କ କଥା କହୁଚି ନା ।

–କାହିଁ, ମୋ ଦେଖାନ୍ତରେ କେଇଟା ଝିଅଙ୍କୁ ଦେଖିଚି... ଭଲରେ ଘର ଚଳାନ୍ତି ତ ? ତମ ଆମ ଘରଠୁ ତାଙ୍କ ଘରେ ତ ଆଉରି ବେଶି ସଣ୍ଠଣା । ଗୋଟାଏ ଅଧେ ଠିକା ଚାକର ରଖି ସବୁ କଥା ହାତେ ହାତେ କରି ପକାନ୍ତି । ଦେଖିଲେ ଭାରି ଭଲ ଲାଗେ ।

ଟିକିଏ ତାତିଉଠି ମିନିବୋଉ କହିଲେ–ତା’ କାହିଁକି କରିବେ ନାହିଁ ? ଶାଶୁଘରେ ସିନା ଗାଧୋଇ ସାରିଲେ ଶାଢ଼ୀ ହକାଳିବାକୁ ଚାକର ଲୋଡ଼ା, ବିଛଣା ପରା, ବିଛଣା ଝଡ଼ା, ରନ୍ଧାରନ୍ଧି–ସବୁଥିକୁ ଚାକର ଦରକାର । କଥା କ’ଣ ନା ବଡ଼ଲୋକର ଝିଅ, ପାଠ ପଢ଼ୁଥିଲେ, ପିଲାଦିନରୁ କେବେ ଏସବୁ ହାତେ ହାତେ କରିନାହାନ୍ତି । ତାଙ୍କୁ ତମେ ଅବିକା ବିଦେଶ ପଠେଇଦିଅ, ଦେଖିବ ତାଙ୍କଠାରୁ ପାରଧାରୀ ଆଉ କେହି ନାହାନ୍ତି.....

କଥା ଛଡ଼େଇ ନେଇ ଯଦୁବୋଉ କହିଲେ, –କିନ୍ତୁ ସେ ଅଳ୍ପ କେଇଟା ଦିନ ପାଇଁ ନା ! ଆଲୋ, ସେତେବେଳେ ପରା ତାଙ୍କ କାମ ଦେଖିଲେ ତମ ଆଖି ତାଳୁରେ ଖୋସି ହେଇଯିବ । ବିଦେଶରେ ବେଳାଏ ରାନ୍ଧିଦେଇ...ଦି’ବେଳା ଖାଇଲେ....ହୋଟେଲ ଅଛି... ଶାଶୁଘରେ ଏସବୁ ଚଳିବ କୁଆଡ଼ୁ ? ସେ ତ ପାଞ୍ଚ ଭାଇ ଆଖଡ଼ା... ନୁହେଁ ?

ବଡ଼ ଜୋରରେ ମୁଣ୍ଡ ହଲେଇ ମିନିବୋଉ କହିଲେ–‘‘ଯାହା କହିଲ, ଶାଶୁଘରେ ଏସବୁ ଚଳିବ କୋଉଠୁ ? ସେଥିପାଇଁ ଦେଖିବ ଆଜି ଜଣକର ମୁଣ୍ଡ ବଥେଇଲେ କାଲି ଆଉ ଜଣକର ପେଟ ବଥାଏ, ପରଦିନ ଆରକର ହାତ ବିନ୍ଧେ..... କହିଲ ଦେଖି ମୂର୍ଖମାନଙ୍କ ପରି ଏ ପାଠୋଈମାନେ ସାନ ସାନ ନଣନ୍ଦ ଦିଅରଙ୍କର ଅଳିଝଳି ଦଡ଼ିଦମଡ଼ ସହିପାରିବେ ?’’

ଯଦୁବୋଉ ଥରେ ମହୀବୋଉଙ୍କ ଆଡ଼କୁ ଚାହିଁ କହିଲେ–ଅଳିଝଳି ସହିବେ ! ତାଙ୍କର ଗରଜ ସରୁନଥିଲା ! ତାଙ୍କ ଧୋବ ଲୁଗାରେ ମଳି ଲାଗିଯିବ ବୋଲି ପଛକେ ଛୁଇଁବେ ନାହିଁ, ସେମାନେ ପୁଣି ଅଳିଝଳି ସହିବେ !..ଆଗୋ, ଯିଏ ଶାଶୁଘରେ କାମ ନ କଲା, ସେ ଗୋଟାଏ କି ବୋହୂରେ ଗଣା ?

–ଆଉ ତେବେ ? ମୂର୍ଖଙ୍କଠୁ ସେମାନେ କୋଉ ହିସାବରେ ଭଲ ହେଲେ ? ମୂର୍ଖମାନଙ୍କୁ ସାତଖୁଣ୍ ମାଫ–ସେମାନେ ପାଠ ପଢ଼ିନାହାନ୍ତି, ମୂର୍ଖ । କିନ୍ତୁ ଏମାନେ ପାଠୋଈ ହୋଇ ତାଙ୍କୁ କଣ ଶିଖେଇଲେ ? ଏ ପାଠୋଈମାନେ ଖାଲି ଗୋଟିଏ କଥା ଜାଣନ୍ତି–ବିଦେଶରେ ରହି ଶାଶୁ ନଣନ୍ଦଙ୍କ ପାଖକୁ ବାଗେଇ ବାଗେଇ ଖଣ୍ଡେ ଖଣ୍ଡେ ଚିଠି ଛାଡ଼ନ୍ତି–ଚିଠି ତ ନୁହେଁ, ଗୋଟିଏ ଗୋଟିଏ ମୁନିଆଁ ତୀର । ପାଠପଢ଼ା ତାଙ୍କର ପାଣିରେ ପଡ଼େ ନାହିଁ । ଏଇ ଦେଖ ଅଲଖବାବୁଙ୍କ ଘର କଥା । ତାଙ୍କ ବୋହୂ ଏଇ କେଇଟା ମାସ ହେଲା ବିଦେଶ ଯାଇଚି । ତାରି ଶାଶୁ ପରା ମତେ ତା’ ଚିଠି ଦେଖଉଥିଲେ ।

ଯଦୁବୋଉ ସଳଖି ବସି ପଚାରିଲେ, ‘‘ତାଙ୍କ ବୋହୂ କେବେ ବିଦେଶ ଗଲା ବା ?’’

‘‘ଏଇ ଦୋଳବେଳକୁ ଗଲା ତ... ହଁ, କଣ କହୁଥିଲିଟି ବୋହୂ ଚିଠି କଥା ପରା ?’’ ମିନିବୋଉ ମହୀବୋଉଙ୍କୁ ଠିକିଏ ଠେଲି ଦେଇ ଆରମ୍ଭ କଲେ–ତାଙ୍କ ବୋହୂ ଲେଖିଥାଏ, ଶାଶୁ ଶ୍ୱଶୁରଙ୍କ କଥା ଭାବି ତା ମନଟା ସବୁବେଳେ ଗୋଳେଇ ଘାଣ୍ଟି ହଉଚି.....ନଣନ୍ଦ ଦିଅରଙ୍କ ମୁହଁ ସବୁବେଳେ ଆଖି ଆଗରେ ନାଚୁଚି..... ସମସ୍ତଙ୍କ କଥା ଭାବି ଭାବି ରାତିରେ ନିଦ ହଉନାଇଁ, ଦେହ ଶୁଖିଯାଉଚି... ଏମିତି ଆଉରି କଥା । ଏଣେ ଘରେ ଶାଶୁର ପାଲା ଦେଖିବ କଣ ? ଥରକୁ ଥର ସମସ୍ତଙ୍କୁ କେଞ୍ଚୁଥାଏ ଯାଇ ବୋହୂକୁ ନେଇ ଆସିବାକୁ । ଏଇ ପୂଜାଛୁଟିରେ ଆସିବାପାଇଁ ଶାଶୁ କୁଆଡ଼େ ଚିଠି ଲେଖିଥିଲା । ବୋହୂ ବି ରାଜି ହୋଇଥିଲା । ଦେଖୁ ଦେଖୁ ଛୁଟି ସରିଗଲା, ପୁଅ ବୋହୂଙ୍କର ଦେଖା ନାହିଁ । କଥା କଣ ନା ପୁଅ କୁଆଡ଼େ ଜୋର କରି ତାକୁ ବମ୍ବେ ନେଇଗଲା ହାଓ୍ୱା ବଦଳେଇବାକୁ ।

ବୋହୂ ଫେରିବାର ଶୁଣି ଶାଶୁଙ୍କ ଠେଲାପେଲାରେ ଶ୍ୱଶୁର ଆଣିବାକୁ ଗଲେ । ସେଠି ପହଞ୍ଚି ଦେଖିଲେ ପୁଅବୋହୂ ଆଉ ପୁଅର ଦି’ଜଣ ସାଙ୍ଗ ବସି ତାସ ଖେଳୁଛନ୍ତି । ଶ୍ୱଶୁରଙ୍କୁ ଦେଖି ବୋହୂ ଯାଇ ଘର ଭିତରେ ଲୁଚିଲା । ଯିଏ ଯୁଆଡ଼େ ପଳେଇଲା । ବୋହୂକୁ ଆଣିବା କଥା କହିଲାକୁ ପୁଅ କୁଆଡ଼େ ତଳକୁ ମୁହଁ ପୋତିଲା । ତେଇଁକି ସେ ବୋହୂ କୁଆଡ଼େ ବାହାରିଆସି ଶ୍ୱଶୁର ସାଙ୍ଗରେ ପୁଅପାଇଁ ଜବାବ ସୁଆଲ କଲା....

କଥାରେ ବାଧାଦେଇ ଯଦୁବୋଉ ଶୁଣେଇ ଶୁଣେଇ କହିଲେ– ‘‘ଗାଈ ନ ବୋବାଏ ଖାଉନ୍ଦ ଚିହ୍ନି, ଖାଉନ୍ଦ ଧାଉଁଛି ଛନ୍ଦଣୀ ଘେନି’’.....

ଯଦୁବୋଉଙ୍କ କଥାକୁ କାନ ନଦେଇ ମହୀବୋଉ କହିଲେ– ହଁ, ଶ୍ୱଶୁର ସେଠୁ କ’ଣ କଲେ ?

–‘ସେଠୁ’ ଆଉ କଣ ? ଶ୍ୱଶୁର କାନମୁଣ୍ଡା ଆଉଁସି ଏକାଟିଆ ଫେରିଲେ... ଏଇ ହେଲା ବେଶି–ପଢ଼ା ବୋହୂଙ୍କ କଥା । ବିରାଡ଼ି ବୈଷ୍ଣବ ପରି ମୁହଁରେ କଅଁଳ କଥା, ଏଣେ ଭିତରେ ଭିତରେ ଶିଅ କାଟୁଥିବେ ।

 

ମହୀବୋଉ ଆଉ ଚୁପ୍ ହୋଇ ରହିପାରିଲେ ନାହିଁ, କହିଲେ–ତୁଚ୍ଛାଟାରେ ପର ଝିଅମାନଙ୍କୁ କାହିଁକି ଦୋଷୀ କରୁଛ ଭଲା ? ତମେ ନିଜେ କହିଲ ଦେଖି, ଯଦି ତମର ଗୋଟିଏ ଝିଅ ବାହା ହବାକୁ ଥା’ନ୍ତା, ତମେ ଏମିତି କହୁଥାନ୍ତ ?

ମିନିବୋଉ ସଙ୍କୁଡ଼ି ହାତ ଧୋଉ ଧୋଉ କହିଲେ–ହେ, ‘‘ପାଣିରେ ବୋରଝାଞ୍ଜି ଯାଉଚି ସଢ଼ି, ପେଟରେ ଦୁଃଖ ଅଛି କୋଲପ ପଡ଼ି’’.... ମୋ ଝିଅ କଥା କହୁଚ ଯେ, ସେ ତ ସହଜେ ରୋଗୀଣିଟାଏ..... ଆଖି ଲାଲ ହେଇ ଗେଣ୍ଡା ଭଳି ଫୁଲି ଯାଇଥିବ, ଚାହିଁ ହେଉ ନଥିବ, ସେଥିରେ ରନ୍ଧାବଢ଼ା ସବୁ କରି, ଘର ଗୋଟାକଯାକର ମଣିଷଙ୍କୁ ସେ ଖାଇବାକୁ ଦବ । ଜୋଇଁ ବି ସେମିତିକା ମଣିଷ । ନିଜର କିଛି ଅସୁବିଧା ନ ହେଲେ ଘରର ହାନିଲାଭ ତାଙ୍କ ଆଖିରେ ପଡ଼େ ନାହିଁ । ଶାଶୁ କୁଆଡ଼େ ଥରେ ଯାଇ ମିନି ପାଇଁ ଔଷଧ କଥା କହିଥିଲା ଯେ, ପୁଅ ଜବାବ ଦେଲେ, ‘‘କେତେ ଲୋକଙ୍କ ଆଖି ଏମିତି ହୁଏ ନା, ଏଥିରେ ଗୋଟାଏ ଡରୁଚୁ କଣ ?’’

–ଇଏ କୁଆଡ଼ର କଥା ବା ? ମହୀବୋଉ ଯଦୁବୋଉଙ୍କ ମୁହଁକୁ ଚାହିଁଲେ ।

–ଆଉ ? ଯେତେବେଳେ ଅବସ୍ଥା ଆଉ ସମ୍ଭାଳି ହେଲା ନାହିଁ, ଡାକ୍ତର ଆସି ଓଷଦ ଲେଖି ଦେଇଗଲେ । ତେଣେ ଡାକ୍ତର ରାସ୍ତାରେ ଗୋଡ଼ ଦେଇଥିବେ କି ନାହିଁ ଏଣେ ଜୋଇଁ ଝିଅକୁ ମୋର ଚା’ ପାଇଁ ବରାଦ କଲେଣି ।

ଯଦୁବୋଉ ଆଉ ସମ୍ଭାଳି ପାରିଲେ ନାହିଁ, କହିଲେ– ଇଲୋ ମା, ଏଇ ତ ଯମ ଘରକୁ ବଳି ! ତା’ର ପରା ଶାଶୁ ଅଛି ?

–ଶାଶୁ ଥିଲେ କେତେ ନ ଥିଲେ କେତେ ? ସ୍ତ୍ରୀର ଭଲମନ୍ଦ ସିନା ସ୍ୱାମୀର ବୁଝିବା କଥା-! ଶାଶୁଟା ତ ବୁଢ଼ୀ ମଣିଷ । ଆଖିକି ଦୁଶିବ ନାହିଁ । ଆଉ ରାନ୍ଧିବ କିଏ ? ଏଣେ ଖାଇପିଇ ପେଟ ଥଣ୍ଡା କରି ଜୋଇଁ ଓଲଟି ମିନିକୁ ମୋର ଗାଳିଦେବ, ‘‘ଡାକ୍ତର ମନା କରିଗଲେ ନିଆଁ ପାଖକୁ ଯିବାକୁ..... ଯାଉଥା ଯାଉଥା–ଆଖିଟା ଫୁଟିଗଲା ପରେ ବସିଥିବ ଯେ’’ ।

–ଇଲୋ, ଇଏ କି କଥା ? ଯଦୁବୋଉ ହସିବାରେ ଲାଗିଲେ ।

–ଆଲୋ, ହସୁଚ କଣ ବା ? ସେଇ ଆଖିରେ ପରା ଭାତଠୁ ଆରମ୍ଭ କରି ଚା ଜଳଖିଆ–କିଛି ବାଦ ଯିବ ନାହିଁ । ଭାତ ସାଙ୍ଗରେ ମାଛ ଦେଖିଲେ ଜୋଇଁ ଆମର ମାଉଁସ ରାନ୍ଧିବାକୁ ଫରମାସ୍‌ ଦେବେ । ସବୁ ଖାଇବେ । ପୁଣି ଶେଷକୁ ସେଇ ଧମକ ‘‘କରୁଥା..... କରୁଥା..... ଆଖିଟା ଫୁଟିଗଲା ପରେ ବସିଥିବ ଯେ ।’’ କହୁଚି ପରା ସେଇ ଆଖିରେ ଜୋଇଁଙ୍କର ଯେତେକ କାମ ସବୁ କରିବ । ଜୋଇଁ ତ ମୋର ଶାଳଗ୍ରାମ । ଯୋଉଠି ବସେଇ ଦେଇଥିବ, ସେଇଠି । ଝିଅ ନ ଦେଖିଲେ ଆଉ କିଏ ଦେଖିବ ?

କଥାଟାକୁ ଭାଙ୍ଗିଦେଇ ମହୀବୋଉ କହିଲେ–ତମେ କଣ ମୋ କଥାକୁ ଧଇଲ କି ମିନିବୋଉ ? ମୁଁ କଣ ମିନିକୁ ଚିହ୍ନି ନାଇଁ ? ତମ ମିନି ଯଦି ବେଶିଗୁରାଏ ପଢ଼ିଥାନ୍ତା, ତେବେ କଣ ସେ ବଦଳି ଯାଇଥାନ୍ତା ? ଯିଏ ଭଲ ସିଏ ଭଲ ।

‘‘ହଁ, ସେଇଆ ନୁହଁ ତ ଆଉ କଣ ? ହେଇତି, ଗୋଟିଏ ବୋହୂ କଥା ଶୁଣ’’ କହି ଯଦୁବୋଉ ଆରମ୍ଭ କଲେ–ବାପା ମା’ଙ୍କର ସେ ଗୋଟିଏ ବୋଲି ପୁଅ । ବୋହୂ ଆସିବାର ଦି ବର୍ଷ ପରେ ଗାଁ ଘରପୋଡ଼ିରେ ତାଙ୍କ ଘରଟି ପୋଡ଼ିଗଲା । କ’ଣ ଆଉ କରିବେ ? ସମସ୍ତେ ଯାଇ ଗଛମୂଳରେ ରହିଲେ । ଏ ଖବର ପାଇ ଝୁଅର ବାପ ଆସିଲା ତାକୁ ନେଇଯିବାକୁ । ଝୁଅ ଯେମିତି ବାପଠୁଁ ସବୁ କଥା ଶୁଣିଲା, କୁଆଡ଼େ କହିଲା, ବାପା ! ଶାଶୁ ଶ୍ୱଶୁରଙ୍କୁ ଏ ବୁଢ଼ା ବୟସରେ ଗଛତଳେ କାନ୍ଦିବାକୁ ଛାଡ଼ିଦେଇ, ମୁଁ କେମିତି ତମ ସାଙ୍ଗରେ ପକ୍‌କା ଘରେ ବସି ଡାଲି ଭାତ ଖାଇବି ?’’ ବାପ ଆଉ କଣ କରିବ ? ଝୁଅର କଥା ଶୁଣି ମୁହଁ ଲୁଚେଇ ପଳେଇଯିବାକୁ ପରା ତାକୁ ବାଟ ଦୁଶିଲା ନାହିଁ ! କହିଲ ଦେଖି, ଆଜିକାଲିର ପାଠୋଈ ବୋହୂଙ୍କ ଜିଭରେ ଏ କଥା ଲେଉଟିବ-?

ଯଦୁବୋଉଙ୍କୁ ସମର୍ଥନ କରି ମିନିବୋଉ କହିଲେ–ଗଛମୂଳେ ରହିବା ତ ଦୂରର କଥା, ଶାଶୁଘର ଯଦି ମାଟିଘର ହୋଇଥାଏ, ତେବେ ଝିଅର କଷ୍ଟ ସହିନପାରି, ବାପ ମା ଝିଅ ଜୋଇଁଙ୍କ ମାନିଆ ଗୋଟିଏ ବଖରା ପକ୍‌କା ଘର କରିଦିଅନ୍ତି । ଦେଖିଲା ଲୋକର ଆଖିକି ତ ଅଡ଼ୁଆ ଲାଗେ, ବୋହୂ ସେଇ ଘରେ ଚଳପ୍ରଚଳ ହେଇ କଣ ସେତକ ବୁଝିପାରେ ନାହିଁ ? ତାଙ୍କୁ ଟିକିଏ ବି ସଙ୍କୋଚ ଲାଗେ ନାହିଁ ? ଏ ପଟେ ଶାଶୁ ଶ୍ୱଶୁର ମାଟିରେ ଚାଲୁଥିବା ବେଳେ ଆରପଟେ ପୁଅବୋହୂ ପକ୍‌କା ଘରେ ସତରଞ୍ଜି ବିଛେଇ ତା ଉପରେ ଚାଲନ୍ତି..... ଅଲାଜୁକ ମୁହଁକୁ ଆଉରି ଲାଜ ଲାଗେ ନାହିଁ ଯେ, ପୁଣି ଫୁଲେଇ ହେଇ କହନ୍ତି, ‘‘ୟାକୁ ମୋ ବାପା ତୋଳେଇ ଦେଇଛନ୍ତି ।’’

କଥା ଛିଣ୍ଡୁନାହିଁ । ବେଳ ବଢ଼ି ବଢ଼ି ଯାଉଛି । ବ୍ୟସ୍ତ ହୋଇ ମହୀବୋଉ କଥା ଭାଙ୍ଗିବାକୁ କହିଲେ–ଭାଗ୍ୟ ଗୁଣରେ ବୋହୂ ମିଳେ । ଯିଏ ଯେମିତି କରିବ ସେ ସେମିତି ଫଳ ପାଇବ । ଏଥର ତମ ବୋହୂକୁ ଟିକିଏ ଡାକ, ଦେଖିଦେଇ ଯିବା । ରାତି ବେଶି ହେଲାଣି, ସେଣେ ଘରେ ମତେ ଖୋଜୁଥିବେ । ତମର ସିନା କାମଦାମ ନାହିଁ ଯେ ଯୋଉଠି ବସିବ ରାତି ପାହିବ । ହସିହସି ମହୀବୋଉ ଅଳସ ଭାଙ୍ଗିଲେ ।

ମୁଲରୀବାବୁଙ୍କ ସ୍ତ୍ରୀ କଥା ଇହସରେ ପାନ କଥା ଭୁଲି ଯାଇଥିଲେ । ମହୀବୋଉଙ୍କୁ ଉଠିବାର ଦେଖି ଚିଡ଼ିଯାଇ ପାଟିକଲେ–ଆଲୋ ଦି’ଖଣ୍ଡ ପାନ ଦବାକୁ ତମକୁ ଯୁଗେ ଲାଗିଲାଣି ।

–ନଉଛି । ଘର ଭିତରୁ ଉତ୍ତର ଆସିଲା ।

–ଥାଉ ବା, ଦରକାର ନାହିଁ.....କାନିରେ ପାନ ଅଛି । ମହୀବୋଉ ଉଠି ଠିଆ ହେଲେ ।

–ଏତେ ଦିନକେ ଆସିଛ, ଖିରୀହାଣ୍ଡିରେ ଗୋଡ଼ ପୂରେଇଲା ପରି କାହିଁକି ଏମିତି ତରବର ହଉଚ ମ ? ଆଉ ଟିକିଏ ବସ । ମୁରଲୀବାବୁଙ୍କ ସ୍ତ୍ରୀ ମହୀବୋଉଙ୍କ ହାତ ଧରି ପୁଣି ମସିଣାରେ ବସେଇ ଦେଲେ ।

–ପରକୁ କହିଦବାଟା ସହଜ । ତମେ ନିଜେ କେତେ ଥର ଗଲଣି ?

–ଏଥର ଯିବି ।

ଯଦୁବୋଉ ହାଇ ମାରି ମସିଣା ଉପରେ ଗଡ଼ପଡ଼ ହେବାକୁ ଯାଇ କହିଲେ, ‘‘ଦେଖିବା ସଙ୍ଗାତ କେତେ ସତ କହେ ।’’

ଏତିକିବେଳେ ‘‘ସାନବୋହୂ ଗୋଟିଏ ଥାଳିଆରେ କିଛି ପାନ ଆଉ ଗୁଣ୍ଡି ଆଣି, ମସିଣା ଉପରେ ରଖି ଦୁହିଙ୍କୁ ହାତ ଉଠେଇ ନମସ୍କାର କଲା ।

ମହୀବୋଉ ବୋହୂର ମୁହଁ ଟିକିଏ ଭଲ କରି ଦେଖିବାକୁ ଚେଷ୍ଟା କରୁଥିବା ବେଳେ ଛାଟ ମାରିଲା ପରି ଯଦୁବୋଉ ଉଠି ପଡ଼ିଲେ । ମୁହଁ ମୋଡ଼ି କହିଲେ, ‘‘ମୁଁ ଯାଉଛି ଲୋ, କେତେ ରାତି ହେଲାଣି ।’’ କାହାରି ଉତ୍ତରକୁ ଅପେକ୍ଷା ନ କରି ଯଦୁବୋଉ ଆଗେ ଆଗେ ଚାଲିଲେ ।

‘‘ଆରେ, ଆରେ, ପାନ ନେଇ ନା.....’’ ମୁରଲୀବାବୁଙ୍କ ସ୍ତ୍ରୀ ଦି’ଖଣ୍ଡ ପାନ ମହୀବୋଉଙ୍କ ହାତରେ ଗୁଞ୍ଜି ଦେଉ ସଙ୍ଗାତକୁ ଡାକ ଛାଡ଼ିଲେ ।

–ତମେ ଖା, ମୋର ପାନ ଅଛି । ଯଦୁବୋଉ ଯାଇ ଦାଣ୍ଡରେ ଉଠିଲେ ।

ଗାଡ଼ିରେ ବସି ଯଦୁବୋଉଙ୍କୁ ଚାହିଁ ମହୀବୋଉ ମୁରୁକି ହସିଲେ । ଯଦୁବୋଉଙ୍କୁ କାହିଁକି ଯେ ରାତିଟା ହଠାତ୍‌ ବେଶୀ ଜଣାପଡ଼ିଲା, ତାର କାରଣ ତାଙ୍କୁ ଅଛପା ନାହିଁ । ତଥାପି କଥାର ଖିଅ ଧରି କହିଲେ, ‘‘ବେଶ୍‌ ସୁନ୍ଦରିଆ ବୋହୂଟିଏ ।’’

ମୁହଁମୋଡ଼ି ଯଦୁବୋଉ କହିଲେ–‘‘ଯୋଉ ସୁନ୍ଦର ! ମୁହଁରେ ଆଉ ତ କିଛି ନାହିଁ, ଖାଲି ଦି’ ପାଟି ନିଶ ଅଛି ।’’

–ଅପା, ଏମିତି ଜୀରାରୁ ଶିରା କାଢ଼ିଲେ ଏ ଯୁଗରେ ଚଳି ହବ ? ମହୀବୋଉ ହସିଲେ-

ଚିଡ଼ିଉଠି ଯଦୁବୋଉ କହିଲେ, ‘‘ତେବେ ଯାଉନୁ ସେ ଓଟ ମୁହୀଁର ଗୋଡ଼ ଧୋଇ ପାଣି ପିଇବୁ ?’’

ବାକି ବାଟତକ ଦିହେଁ ଚୁପ୍‌ଚାପ୍‌ ରହିଲେ । ଯଦୁବୋଉ ଭାବୁଥିଲେ ତାଙ୍କର ଯଦି ଏମିତି ଗୋଟାଏ ବୋହୂ ଥାଆନ୍ତା, ତେବେ ତାକୁ କେବେଠୁ ଥଣ୍ଡା କରି ସାରନ୍ତେଣି । ଆଉ ମହୀବୋଉ ବସି ଭାବୁଥିଲେ, ତାଙ୍କ ନିଜ ବୋହୂଟି କେମିତି ପଡ଼ିବ–ସେଇ କଥା ।

‘‘ହଇହୋ, ଶୁଣୁଛ ? ମାୟାର ହାତ ଘଡ଼ି ଆସିଛି... ନେଇଯାଅ ତାକୁ ଦେଇଦେବ ।’’ ମହୀବୋଉଙ୍କୁ ଡାକି ପୀତାମ୍ବରବାବୁ କହିଲେ ।

ଘଡ଼ିଟା ଥରେ ଦେଖିନେଇ ମହୀବୋଉ ଭିତର ଖଞ୍ଜାକୁ ଗଲେ ।

–ମାୟା, ତୋ ଘଣ୍ଟା ନେ ।

–ଏଁ, କଣ କହିଲୁ ?

ଆଉ କିଛି ନ କହି ମହୀବୋଉ ଟେବୁଲ ଉପରେ ଖୋଳ ସହିତ ଘଡ଼ିଟି ଥୋଇଦେଲେ-। ଘଡ଼ିଟିକୁ ହାତରେ ଉଠେଇ ନେଇ ମାୟା କହିଲା, ‘‘ମୁଁ ଠିକ୍‌ ଜାଣିଥିଲି ଏମିତି କିଛି ଗୋଟାଏ ହବ..... ମୁଁ ବାଛିଲି ଗୋଟାଏ, ବାପା ଆଣିଲେ ଗୋଟାଏ.....ଏ ଘଣ୍ଟା ମୁଁ ନେବି ନାହିଁ..... ମଫସଲିଆଙ୍କ ଭଳିଆ ହେଇଛି..... ନିଜେ ପିନ୍ଧିବେ ନାହିଁ ବୋଲି ଶସ୍ତା ଦେଖି ନେଇ ଆସିଛନ୍ତି ।’’

 

ପଢ଼ା ସେତିକିରେ ବନ୍ଦ ରହିଲା । ବହିଥାକ ଖୋଜି ଘଣ୍ଟାର କାଟାଲଗ୍‌ ବାହାର କରି, ମାୟା ପୀତାମ୍ୱର ବାବୁଙ୍କ ପାଖରେ ହାଜର ହେଲା ।

 

‘‘ବାପା, ତମେ ଏ ଘଣ୍ଟା ନେଇଯାଅ । ମୁଁ କହିଥିଲି ତେନ୍ତୁଳିମଞ୍ଜି ଭଳିଆ ଚାରିକୋଣିଆ ଆଣିବାକୁ–ତମେ ଗୋଲ୍‍ଟାଏ ଆଣିଲ କାହିଁକି ? ହେଇ, ମୁଁ ତ ଏଇଟା ବାଛିଥିଲି’’ କହି ନାଲି ପେନ୍‌ସିଲ୍‌ରେ ଜୋରରେ ତିନିଥର ଗାର ଟଣାହୋଇଥିବା ଗୋଟିଏ ଘଣ୍ଟାର ଛବି ପାଖରେ ମାୟା ଆଙ୍ଗୁଠି ଦେଖାଇଲା ।

 

–କାହିଁ, ଏଇଟା ତ ବେଶ୍‌ ଭଲ ହେଇଛି ।

 

–ନାହିଁ, ୟାକୁ କେବେହେଲେ ପିନ୍ଧିବି ନାହିଁ । ପୀତାମ୍ବର ବାବୁଙ୍କ ସାମନାରେ ଘଡ଼ିଟା ରଖିଦେଇ ମାୟା ମୁହଁ ଫୁଲେଇ ବସିଲା ।

 

–ତୁ ପିଲାଲୋକ । ବୁଝିପାରୁନୁ..... ଏ ଘଣ୍ଟାଟା ତୋ ହାତକୁ ବେଶି ମାନିବ ।

–ତମେ ପିନ୍ଧ, ମୁଁ ପିନ୍ଧିବି ନାହିଁ ।

 

‘‘ହଉ ତେବେ ଦେ, ମୁଁ ଫେରେଇ ଦେବି..... କିନ୍ତୁ ତୋ ବରାଦ ଘଣ୍ଟା ଆସୁ ଆସୁ ପୁଣି କେତେ ଦିନ ଯିବ କହି ଦେଉନାହିଁ’’, କହି ଘଣ୍ଟା ଆଡ଼କୁ ପୀତାମ୍ୱରବାବୁ ହାତକୁ ବଢ଼େଇଲେ ।

 

ମାୟା ଜାଣେ ଥରେ ହାତରୁ ଖସିଲେ ଆଉ ମିଳି ନ ପାରେ, ତେଣୁ ମୁହଁ ଉପରେ ଅନିଚ୍ଛାର ଭାବ ଦେଖାଇ କହିଲା, ‘‘ହଉ, ଥାଉ ଥାଉ । ଯୋଉ କାମଟା ଥରକରେ ହବ, ତମେ ତାକୁ ଦଶ ଥରରେ କରିବ ।’’ ମାୟା ଗୋଡ଼ ଛାଟି ଛାଟି ଘଣ୍ଟା ନେଇ ଚାଲିଗଲା ।

 

ମାଟ୍ରିକ୍‌ ପରୀକ୍ଷା ପାଖ ହୋଇ ଆସିଲାଣି । ମାୟାର ପଢ଼ାପଢ଼ି ଦେଖି ପୀତାମ୍ୱରବାବୁ ଚିନ୍ତିତ ହୋଇପଡ଼ିଛନ୍ତି । ମୁହଁ ଖୋଲି ଥରେ ଦି’ ଥର କହିସାରିଲେଣି । ସେ କେତେଥର ଲକ୍ଷ୍ୟ କଲେଣି ନିଜେ ନ ପଢ଼ି ମାୟା ପହଲିକୁ ଇଂରେଜି ଶିଖେଇବାରେ ବ୍ୟସ୍ତ । ଆଉ ବେଶି ହେଳା କଲେ ଚଳିବ ନାହିଁ । ତେଣୁ ପୀତାମ୍ୱରବାବୁ ମଝିରେ ମଝିରେ ଆସି ମାୟା ପଢ଼ୁଛି କି ନାହିଁ ଦେଖିଯିବାକୁ ଲାଗିଲେ ।

 

ଦିନେ ରାତିରେ ମାୟା ବଖରାକୁ ପଶିଯାଇ ପୀତାମ୍ୱରବାବୁ ଦେଖିଲେ ପଢ଼ୁ ପଢ଼ୁ ଟେବୁଲ ଉପରେ ସେ ଢୁଳେଇ ପଡ଼ିଛି । ‘ମାୟା’ ‘ମାୟା’ ଡାକିଲେ । ସେ ଶୁଣିଲା ନାହିଁ, ତେଣୁ ତା କାନ୍ଧକୁ ହଲେଇ ଦେଇ ପୁଣି ଡାକିଲେ–ମାୟା ! ଏ ମାୟା ! ନିଦ ଭାଙ୍ଗିବାକୁ ନାହିଁ । ପାଟି ମେଲା କରି ଶୋଇପଡ଼ିଛି–ଖୋଲା ବହି ଉପରେ ମଞ୍ଚାଏ ନାଳ । ଟେବୁଲ ଉପରେ ଅଇଁଠା ଚା’ ବାସନ, ଥର୍ମୋଫ୍ଳାସ୍କ ଓ ନାସ ଭଳି କଣ ଗୋଟାଏ ଶୁଙ୍ଘିବା ଜିନିଷ ରଖା ହେଇଚି । କେତେ ଡକାଡକି ପରେ ମାୟା ଭୁଷ୍‌କିନା ଉଠିପଡ଼ିଲା । ଲାଲ ଆଖିରେ ପ୍ରଥମେ କିଛି ବେଳ କାବା ହୋଇ ଚାହିଁଲା । ପୀତାମ୍ୱରବାବୁ କିଛି କହିବା ଆଗରୁ କଳି କଲାପରି କହିଲା, ‘‘କଣ ? ମୁଁ ମୋ ପଢ଼ା କଥା ଭାବୁଥିଲି । ପଢ଼ିଦେଇ ଥରେ ନ ଭାବିଲେ ମନେ ରହେ ନାହିଁ ।’’

 

–ହଁ, ତୋ ଆଖି କହିଦଉଚି, ତୁ ଭାବୁଥିଲୁ ।

 

–ନ ହେଲା ନାହିଁ । ଏମିତି ଚମକେଇ କରି ଡାକୁଥିଲ କାହିଁକି ? ତମେ ପରା ନିଜେ କହୁଥିଲ ଶୋଇବା ଲୋକକୁ ହଠାତ୍‌ ଉଠେଇ ଦେଲେ ତା’ର ହାର୍ଟଫେଲ୍‌ ହୋଇଯାଏ ? ଏହିକ୍ଷଣି ଯଦି ମୁଁ ମରି ଯାଇଥାନ୍ତି ?

 

ବହି ଉପରେ ଆଖି ପଡ଼ିଯିବା ମାତ୍ରେ ଲାଳତକ ଲୁଗା କାନିରେ ପୋଛି ଦେଇ ମାୟା ଏକ ମନରେ ପଢ଼ିବାରେ ଲାଗିପଡ଼ିଲା ।

 

ମାୟାର ପରୀକ୍ଷା ଯେତିକି ପାଖେଇ ଆସିଲା, ଘର ଲୋକେ ସେତିକି ବ୍ୟତିବ୍ୟସ୍ତ ହୋଇପଡ଼ିଲେ । କାହାରି ସାଥିରେ କେହି ପଦେ କଥା କହିବାର ‘ଯୁ’ ଆଉ କହିଲା ନାହିଁ । ଅନ୍ୟ ବଖରାରେ କେହି କଥା କହିଲେ, ମାୟା ଯାଇ ପାଖରେ ଠିଆହୁଏ । –କଣ, ପଢ଼େଇ ଦେବ ନାହିଁ-? ବାରଣ୍ଡାରେ କେହି ହସିଲେ ମାୟା ଆସି ଦୁଆର ମୁହଁରେ ଠିଆ ହୁଏ–ଏଇଟା ହସିବାର ଜାଗା ? ଏମିତି ବଢ଼ି ବଢ଼ି ପରୀକ୍ଷା ଆଗଦିନ ପାଦ ଶବ୍ଦରେ ବି ତା’ର ପଢ଼ା ଗୋଳମାଳ ହେଲା । ଅନ୍ୟ ଉପାୟ ନ ଦେଖି ଶେଷକୁ ଘରର ଖିଡ଼ିକି କବାଟ ବନ୍ଦ କରି ମାୟା ପଢ଼ିଲା ।

 

ପରୀକ୍ଷା ଦିନ–

 

ମୋହନ ଦୁଇ ଥର କହିଦେଇ ଗଲାଣି, ‘‘ମାୟା, ସବୁ ଜିନିଷ ମନେକରି ନେଇଛୁ ତ ? ଆଡ଼ମିଟ୍ କାର୍ଡ଼ ?... କଲମ ଭଲ ଚାଲୁଛି ତ ? କେଇଟା କଲମ ନେଇଛୁ ?’’

 

ଧୀରସ୍ଥିର ଭାବରେ ମାୟା ସବୁ କଥାର ଜବାବ ଦେଇଛି । ଆଗର ମାୟା ଓ ଆଜିର ମାୟା ଭିତରେ ବହୁତ ତଫାତ୍‌ ।

 

ଗାଧୋଇସାରି ପୁଳାଏ ଧୂପକାଠି ଠାକୁରଙ୍କ ପାଖରେ ଜାଳି ଦେଇ ମାୟା କିଛିବେଳ ଭୁଟ୍‍ଭୁଟ୍‍ ହେଇ କ’ଣ ସବୁ କହିଲା । ତା ପରେ ତରତର ହୋଇ ଅଳ୍ପଦି’ଟା ଖାଇଦେଇ ସ୍କୁଲକୁ ବାହାରିବାକୁ ସଜ ହେଲା । ଥରକୁ ଥର ନାକର ଦୁଇପୁଡ଼ା ମଝିରେ ହାତ ପାପୁଲି ରଖି ଦେଖୁଥାଏ ନିଃଶ୍ୱାସଟା କୋଉପଟେ ଯାଉଛି ।

 

ପାଞ୍ଚ ମିନିଟ୍‌ ଗଲା..... ଦଶ ମିନିଟ୍‌ ଗଲା..... ମାୟା ବ୍ୟସ୍ତ ହୋଇପଡ଼ିଲା, ନିଃଶ୍ୱାସଟା ଠିକ୍‌ ପଟେ ଯାଉନାହିଁ । କ’ଣ କରାଯିବ ? ଏଣେ ହାତବନ୍ଧା ଘଡ଼ିର କଣ୍ଟା ଆଗେଇ ଚାଲିଛି । ଆଉ ବେଶି ବେଳ ରହିଲେ ସେଣେ ପରୀକ୍ଷାରେ ଡେରି ହୋଇଯିବ ।

 

ଦାଣ୍ଡଘର ଦୁଆରବନ୍ଧ ଡେଇଁବାକୁ ଯାଇ ଦେଖିଲା ତାର ଚିହ୍ନା ଯୋଗୀଟି ହାତରେ ଥାଳ ଧରି ବସିଛି । ମାୟାର ଅନୁକୂଳଟା ହଠାତ୍‌ ବିଗିଡ଼ିଗଲା । ଚିଡ଼ିଯାଇ କହିଲା–‘‘ତତେ ଆଉ ଜାଗା ମିଳିଳା ନାହିଁ ? ତୁ କାମ କରି ଖାଉନୁ ? କିଛି ମିଳିବ ନାହିଁ ଯା ।’’ ତା ପରେ କ’ଣ ଭାବି ଗୋଟିଏ ଦୋ’ପଇସି ତା ଥାଳରେ ପକେଇ ଦେଇ ବ୍ୟସ୍ତ ହୋଇ ତଳ ଉପର ଚାରିଆଡ଼କୁ ଚାହିଁଲା–କୋଉଠି ଟିକିଏ ଶୁଭ ଚିହ୍ନ ଦେଖିଦେଲେ ସେ ଅନୁକୂଳ କରିବ । ଆଖିରେ ପଡ଼ିଗଲା ପଡ଼ିଶାଘର ଛାତ ଉପରେ ଦି’ଟା ବଣି ବସିଛନ୍ତି । ମନ ଖୁସିରେ ଆଉ କୁଆଡ଼େ ନ ଚାହିଁ ମାୟା ରିକ୍‌ସାରେ ଉଠିବସି ନିଜକୁ ଥରେ ସଜାଡ଼ି ନେଲା । ତା ପରେ ଘଣ୍ଟା ପିନ୍ଧିଥିବା ହାତଟିକୁ ଅତି ଯତ୍ନରେ ଗାଲରେ ରଖି ନିଜର ପଢ଼ା ବିଷୟ ଭାବିବାକୁ ଚେଷ୍ଟା କଲା । କିନ୍ତୁ ରାସ୍ତାର ଗଲା ଅଇଲା ଲୋକଙ୍କୁ ଦେଖି ତାର ମନେହେଲା ସତେ ଯେପରି ସମସ୍ତେ ତାରି ଘଣ୍ଟାକୁ ଚାହୁଁଛନ୍ତି । ଫଳରେ ନିଜ ପରୀକ୍ଷା କଥା ଭୁଲିଯାଇ ସେ କେବଳ ଗଣିବାରେ ଲାଗିଲା କେତେ ଜଣ ମଣିଷ ତା ଘଣ୍ଟାକୁ ଚାହୁଁଛନ୍ତି ।

 

ପରୀକ୍ଷା ଦେଇସାରି ଫେରି ମାୟା ଦେଖିଲା ପୀତାମ୍ୱରବାବୁ ବାହାର ଘରେ ବସିଛନ୍ତି । ମାୟାକୁ ଦେଖି ପଚାରିଲେ, ‘‘କେମିତି ହେଲା ?’’

 

–ସେମିତି । ମାୟା ଚାଲିଯିବାକୁ ବସିଲା ।

ବାଧାଦେଇ ପୀତାମ୍ୱରବାବୁ କହିଲେ, ‘‘ସେମିତି କଣ ? ଭଲ ନା ଖରାପ ?’’

 

–କହିଲି ପରା, ଭଲ ନୁହେଁ କି ଖରାପ ନୁହେଁ । ଆଉ କିଛି ନ କହି ମାୟା ଘରକୁ ପଶିଲା-

 

ସାଙ୍ଗେ ସାଙ୍ଗେ ସାନ ଭାଇ ତିନୋଟି ଘେରିଗଲେ ।

–ଅପା, ଭଲ ହୋଇଛି ?

 

ଚାଲି ଯାଉ ଯାଉ ଗମ୍ଭୀର ହୋଇ ମାୟା କହିଲା, ‘‘ତମେ ଗୁଡ଼ାକ ପିଲାଲୋକ । କଣ ବୁଝିବ ୟୁନିଭର୍‌ସିଟି ପରୀକ୍ଷା କଥା ? ଖେଳିବ ଯାଅ ।’’

 

ମାୟାର ସ୍ୱର ଶୁଣିପାରି ମହୀବୋଉ ଆସିଲେ–ଭଲ ହେଇଚିଟି ? ମାୟା ଖାଲି ମୁଣ୍ଡ ହଲେଇଲା ।

ବୁଲିଯିବା ପୋଷାକ ପିନ୍ଧି ଶେଷରେ ମୋହନ ମୁହଁ ଦେଖାଇଲା ।

–କେମିତି ହେଇଛି ? ପ୍ରଶ୍ନ ଦେଖେଁ.....

 

ହସି ହସି ପ୍ରଶ୍ନ କାଗଜ ଦି’ଟା ବଢ଼େଇ ଦେଲାବେଳେ ମାୟା କହିଲା, ‘‘ତମେ ପରୀକ୍ଷା ଦେଉଥିଲା ବେଳେ ମୁଁ କ’ଣ ତମ ପ୍ରଶ୍ନ ଦେଖିବାକୁ ମାଗୁଥିଲି ?’’

 

–ଏତେଗୁଡ଼ାଏ ଛାଡ଼ି ଦେଇଛୁ ?

–କିଛି ଛାଡ଼ି ନାହିଁ । ତରବରିଆରେ ଏଥିରେ ଦାଗ ଦେଇପାରି ନାହିଁ ।

–ଏଇଟା କ’ଣ ଲେଖିଛୁ ? ଗୋଟିଏ ପ୍ରଶ୍ନ ଉପରେ ହାତ ଦେଖେଇ ମୋହନ ପଚାରିଲା ।

 

ମାୟାର ଉତ୍ତର ଶୁଣି ମୋହନ ହସିବାରୁ ଚିଡ଼ିଯାଇ ମାୟା କହିଲା– ଏହିକ୍ଷଣି ମୋର ଆଉ ମନେ ନାହିଁ । କିନ୍ତୁ ଖାତାରେ ମୁଁ ଠିକ୍‌ ଲେଖିଦେଇ ଆସିଛି ।

 

–ହଁ, ହଁ, ଜଣାପଡ଼ୁଛି । ମୋହନ ପୁଣି ହସିଲା ।

 

–ବେଶ୍ ଭଲ ହେଲା ଯା..... ମୋ ପ୍ରଶ୍ନ ଦେଇଦିଅ । ହାତରୁ ପ୍ରଶ୍ନ କାଗଜ ଦି’ଟା ଭିଡ଼ିନେଇ ମାୟା ଦୁମୁ ଦୁମୁ ହେଇ ଚାଲିଗଲା ।

 

ସେଦିନ ଅଙ୍କ ପରୀକ୍ଷା । ମାୟା ତରତର ହୋଇ ଯାଉଥିବାବେଳେ ମୋହନ ଆସି ପାଖରେ ଠିଆ ହେଲା ।

 

–ଆଜି ବୋଧହୁଏ ଅଙ୍କ ପରୀକ୍ଷା ଅଛି ? ମାୟାର ଓଦା ବାଳ ଦେଖି ମୋହନ ପଚାରିଲା ।

–ହଁ । କାହିଁକି ?

–ନାଇଁ, ମୁଁ ଏମିତି ପଚାରୁଥିଲି ନା । ମୁଣ୍ଡଟା ଥଣ୍ଡା ଲାଗୁଛି ତ ? ଆଜି ନିଶ୍ଚେ ଖୁବ୍ ଭଲ କରିବୁ ।

–ତମେ ତ ସବୁଦିନେ ମୁଣ୍ଡ ଧୁଅ । ପରୀକ୍ଷାରେ କେତେ ଭଲ କରୁଥିଲ ?

 

–ଆମର କ’ଣ ତମ ଭଳିଆ ବାଳ ଥିଲା ? ଆଖି ଆଗରେ ଦି’ଟା ବାଳ ନ ପଡ଼ିଲେ ପରା ଭଲ ଭାବି ହୁଏ ନାହିଁ ? ଭଲ କରିଚୁ ମୁଣ୍ଡ ଧୋଇ ପକେଇଚୁ ।

 

–ତମ ଆଖିରେ ତ ଆସି ପଡ଼ୁନାହିଁ ? ତମକୁ କାହିଁକି ବ୍ୟସ୍ତ ଲାଗୁଛି ?

–‘‘ସତ କଥା ତ, ମୋର ମନେ ନଥିଲା ।’’ ମୋହନ ଚାଲିଗଲା ।

 

ମୋହନକୁ ଶୁଣେଇ ଶୁଣେଇ ମାୟା କହିଲା–ଟିକିଏ ପଢ଼େଇ ଦବାର ତ ନାଁ ଗନ୍ଧ ନାହିଁ, ଖାଲି କିଏ ମୁଣ୍ଡ ଧୋଇଲା, କିଏ ଦହି ଖାଇଲା ଏୟା ଦେଖି ଜାଣିଛନ୍ତି ।

 

ପରୀକ୍ଷା ସରିଗଲା । ଏକା ମାୟାର ପରୀକ୍ଷା ସରିଲା ବୋଲି ନୁହେଁ ଯେ, ମନେ ହେଲା ଯେମିତି ଘରର ଚାକର ପୂଝାରୀଙ୍କଠୁଁ ଆରମ୍ଭ କରି ପୀତାମ୍ୱରବାବୁଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ପରୀକ୍ଷା ସରିଗଲା ।

 

ତା ପରେ ଦେଖାଗଲା ମାୟା ନିଜ ବଖରା ଭିତର କବାଟ କିଳି ଏକା ଏକା ବଡ଼ ପାଟିରେ କହେ ‘‘ମାୟା ଦାସ–ଫାଷ୍ଟ ଡିଭିଜନ୍‌ ।’’ ନିଜେ ଦୁଇ ତିନି ଥର ତାଳି ବଜେଇଦିଏ । ଅଙ୍କରେ ଶହେରୁ ଶହେ । ପୁଣି ହାତ ତାଳି ଶୁଭେ.....

 

ପତୁ, ପହଲି ବାହାରେ ଛପିଥାନ୍ତି ଭିତରେ କ’ଣ ହେଉଛି ଶୁଣିବାକୁ । ଥରକୁ ଥର ଶୁଣି ସେମାନଙ୍କର ବି ମନେ ରହିଯାଏ । ବାହାଦୁରୀ ଦେଖେଇ ସେମାନେ ପୀତାମ୍ୱରବାବୁ, ମହୀବୋଉ ଓ ମୋହନ ଆଗରେ ସବୁ ବଖାଣି ଯାନ୍ତି । ପୀତାମ୍ୱରବାବୁ ହସନ୍ତି, ମହୀବୋଉ ଖୁସି ହୁଅନ୍ତି, ଆଉ ମୋହନ ମାୟାକୁ ଦେଖି ଥଟ୍ଟା କରେ ‘‘ଆହା, ମାୟା ଦାସ ଖାଲି ଫାଷ୍ଟ ଡିଭିଜନ ? ରେକର୍ଡ଼ ଦେବ-।’’

 

–ହଁ, ଦେବି ତ ।

–ତଳ ଆଡ଼ୁ ନା ଉପରଆଡ଼ୁ ?

 

–‘‘ପାଟି କର ନାହିଁ ।’’ ରାଗରେ ଦୁମ୍‌ ଦୁମ୍‌ ହେଇ ଚାଲିଯାଇ ମାୟା ଗୋଟିଏ ଚଟକଣା ବସେଇଦିଏ ପତୁ ଗାଲରେ– ଏଇ ଫଡ଼ଫଡ଼ାର ସବୁ ଗୁଣ ।

 

ଥରକୁ ଥର ମୋହନଠୁ ଏହିପରି ଥଟ୍ଟା ଶୁଣି ମଧ୍ୟ ମାୟା ତା ଅଭ୍ୟାସ ଛାଡ଼ିପାରେ ନାହିଁ-

 

ମହୀବୋଉଙ୍କୁ ତର ନାହିଁ । ମାୟାର ପରୀକ୍ଷା ପରେ ମୋହନର ବାହାଘର ଚିନ୍ତା । ମୋହନ ପାଇଁ ଯେଉଁଠୁ ଯେଉଁ ପ୍ରସ୍ତାବ ଆସେ, ଝିଅଟିକୁ ଥରେ ଦେଖିବାକୁ ସେ ବାହାରି ପଡ଼ନ୍ତି ! ହଠାତ୍‌ ଯେପରି ‘ବାହା-ବଜାର’ ରେ ତାଙ୍କର ମୂଲ୍ୟ ବଢ଼ିଯାଇଛି । ଘରକୁ ବୋହୂଟିଏ ଆଣିବେ–ଏ ତ କମ୍‌ ଗର୍ବର କଥା ନୁହେଁ ।

 

କେତେ ଜାଗାରୁ ମୁଣ୍ଡିଆ ପା’ନ୍ତି । ଆଉ କେତେ ଜାଗାରୁ ହାତ–ଟେକା ନମସ୍କାର । ମାଙ୍କଡ଼ ପଛରେ ଲାଞ୍ଜ ପରି ମହୀବୋଉଙ୍କ ସାଥିରେ ମାୟା–ତା’ର ବି ସବୁ ଝିଅମାନଙ୍କୁ ଥରେ ଦେଖିବା ଦରକାର !

 

କୋଉ ଝିଅକୁ ମହୀବୋଉ ବୋହୂ କରିବାକୁ ରାଜି ହେଲା, ମାୟାର ମନକୁ ପାଏ ନାହିଁ-। ଆଉ କାହାକୁ ମାୟା ପସନ୍ଦ କଲେ, ମହୀବୋଉ ନାପସନ୍ଦ କରିଦିଅନ୍ତି । ଏମିତି କରି ଦିନ ଗଡ଼ି ଚାଲିଥାଏ । ବୋହୂ ଦେଖି ଦେଖି ସେମାନଙ୍କ ମନରେ ଟିକିଏ କ୍ଳାନ୍ତି ବି ଆସେ ନାହିଁ–ପ୍ରତି ଥର ନୂଆ ପ୍ରେରଣା ନେଇ ବାହାରନ୍ତି ।

 

ଦିନେ ଏମିତି ବୋହୂ ଦେଖି ଫେରିଲା ପରେ ପୀତାମ୍ୱରବାବୁ ପଚାରିଲେ, ‘‘କେମିତି ? ମନକୁ ପାଇଲା ?’’

 

ଗମ୍ଭୀର ଭାବରେ ମାୟା ଜବାବ ଦେଲା, ‘‘ମନ୍ଦ ନୁହଁ ।’’

 

ଓଠ ନେଫେଡ଼ି ମହୀବୋଉ କହିଲେ, ‘‘ଘୁଙ୍ଗି ମୁହିଁଟାଏ .. ଆସି ପାଖରେ ବସିଲା ଯେ, ଟିକିଏ ହସିଲା ବି ନାହିଁ ।’’

 

–‘‘ହସ କଥା ପଡ଼ିଲେ ହସିବ ନା ! ଖାଲିଟାରେ ତୋ ତୋ ମୁହଁକୁ ଚାହିଁ ପାଗଳଙ୍କ ପରି ହସୁଥିବ ?’’ ମହୀବୋଉଙ୍କ କଥାକୁ କାଟିଦେଇ ମାୟା କହିଲା ।

 

–ତା ମା ପୁଣି ହସୁଥିଲା ତ ? ସେ କ’ଣ ପାଗଳ ?

 

–‘‘ଅସଲ କଥାଟା କହି ଦଉନୁ ? ଜାଣିଛ ବାପା, ସେ ବୋଉକୁ ହାତ ଉଠେଇ ନମସ୍କାର କଲା ।’’ ହସି ହସି ମାୟା ମହୀବୋଉଙ୍କ ମୁହଁକୁ ଚାହିଁଲା ।

 

–‘‘ନାଇଁ..... ସେମିତି ଧରି ବସିଲେ ଚଳିବ ନାଇଁ’’ ଭାବି ଭାବି ପୀତାମ୍ୱରବାବୁ କହିଲେ-

 

ରାଗରେ ମହୀବୋଉଙ୍କ ମୁହଁ ଲାଲ ପଡ଼ିଗଲା । ‘‘ନମସ୍କାର ପେଇଁ କାଇଁକି ମୁଁ କହିବାକୁ ଯିବି ? ଆଜିକାଲି ତ ସମସ୍ତେ ହାତ ଉଠେଇ ନମସ୍କାର କରୁଛନ୍ତି..... ମୁଣ୍ଡିଆ ମାଇଲେ କ’ଣ ଅଧିକା କିଛି ହୋଇଯାଏ ? ଏକା ଜିନିଷ ତ !’’

 

–ତୁ ଯେତେ କହିଲେ ମୁଁ ମାନିବି ? ମାୟା ପୁଣି ହସିଲା ।

 

–ନାଇଁ ତୋରି ଭଳିଆ ମୁଁ ହେଇଚି ? ଏତେ ଝିଅ ଦେଖିଲାଣି, କୋଉଟା ତା ମନକୁ ପାଉନାଇଁ । ତା ଆଖିରେ କାହା ନାକଟା ଚେପଟା, କାହା ଓଠଟା ବଙ୍କା, ଆଖିଟା ତେଢ଼ା, ମୁହଁଟା ରୁମୁରୁମିଆଁ– ସବୁ ଦିଶୁଚି । ସେ ଝିଅମାନେ ତ ପୁଣି ବାହାହେବେ ନା ୟାରି କଥାରେ ଅଭିଆଡ଼ି ରହିଯିବେ ?

 

–କରୁନୁ, ସେମାନଙ୍କୁ କର..... ତତେ କିଏ ମନା କରୁଛି ?

–କରିବି ତ । ରାଗରେ ମହୀବୋଉ ମୁହଁ ବୁଲେଇ ନେଲେ ।

 

କଳି ଭାଙ୍ଗିବାକୁ ପୀତାମ୍ବର ବାବୁ କହିଲେ–ମୋ ଦେହଟା କାହିଁକି ଭଲ ଲାଗୁନାହିଁ । ମୁଣ୍ଡଟା ଧରିଚି, କପେ ଚା’ ଦିଅନ୍ତ କି ?

 

ସଙ୍ଗେ ସଙ୍ଗେ ମହୀବୋଉଙ୍କ ମୁହଁର ଭାବ ବଦଳିଗଲା । ନିଜର ଡାହାଣ ହାତଟା ନେଇ ପୀତାମ୍ୱରବାବୁଙ୍କ କପାଳ ଉପରେ ରଖି କହିଲେ, ‘‘ଆରେ ସତେ ତ ଦେହ ଏତେ ତାତିଚି ! ତମେ ଆଗରୁ କହିଲ ନାହିଁ କାହିଁକି ?’’ ବେକରେ ହାତ ମାରି ମାୟା ମୁଣ୍ଡ ହଲେଇ ନିଜର ସମ୍ମତି ଜଣାଇଲା–‘‘ହଁ, ଜର ହେଇଚି ।’’

 

–ଆଜି ରାତିରେ କ’ଣ ଖାଇବ ? ଚିନ୍ତିତ ମୁହଁରେ ମହୀବୋଉ ପଚାରିଲେ ।

–କିଛି ଖାଇବି ନାହିଁ ବୋଲି ଭାବିଚି ।

 

–ନାଇଁ ନାଇଁ ବାପା, ଉପାସ ରହ ନାହିଁ । ଦୁର୍ବଳ ହେଇପଡ଼ିବ । ବରଂ କିଛି ଫଳ ଖାଅ-। ଉପଦେଶ ଦେଇ ମାୟା ଚାଲିଗଲା ।

 

ମହୀବୋଉ ଆଉ ଲୁଗା ପାଲଟିବାକୁ ନ ଯାଇ ସେଇଠି ଚୌକି ହାତ ଉପରେ ବସିପଡ଼ି ମୁଣ୍ଡ ଚିପିବାରେ ଲାଗିଲେ । ଅଳ୍ପ ସମୟ ଭିତରେ ହାତରେ ଚା’ କପ୍ ଧରି ମାୟା ପୁଣି ଘରେ ପଶିଲା ।

 

–ବାପା, ଚା’ ନିଅ ।

ପୀତାମ୍ୱରବାବୁ ଉଠି ବସିଲେ । ଟିକିଏ ଖାଇ କପ୍‌ଟା ଆଡ଼େଇ ଦେଇ ପୁଣି ଶୋଇ ପଡ଼ିଲେ ।

–ବାପା ଚା’ ଖାଇଲ ନାଇଁ ଯେ ?

–ଭଲ ଲାଗୁନାହିଁ ।

–ଭଲ ଲାଗୁନାହିଁ ! ମୁଁ ନିଜେ କରିଥିଲି ! ମାୟା ସେହି ଅଇଁଠା ଚା’ ରୁ ଟିକିଏ ଚାଖିବାକୁ ବସିଲା ।

–ନାଇଁ ନାଇଁ, ଚା’ ଖୁବ୍‌ ଭଲ ହୋଇଛି ଯେ, ମୋ ପାଟିକି କିଛି ଭଲ ଲାଗୁନାହିଁ ।

–‘‘ସେଇଆ କୁହ । ମୁଁ ଭାବିଲି...’’ ଚା’ ବାଟିଟା ହାତରେ ଧରି ମାୟା ଚାଲିଗଲା ।

 

ଦିନେ...ଦୁଇ ଦିନ... ତିନି ଦିନ । ମହୀବୋଉ ବେଳକୁ ବେଳ ବେଶି ଚିନ୍ତିତ ହୋଇପଡ଼ିଲେ । କି ଜରଟା ହେଲା କେବେ ଭଲ ହେବ, ମୋଟରୁ ଭଲ ହେବ କି ନାହିଁ କିଏ ଜାଣେ ? ତାଙ୍କ ନିଜ ଖାଇବାର ମଧ୍ୟ ଠିକଣା ନାହିଁ ।

 

ଚିନ୍ତାର ବଉଦ କଟିଗଲା । ଚାରିଦିନ ଦିନ ପୀତାମ୍ବରବାବୁଙ୍କ ଦେହରେ ହାଡ଼ଫୁଟି ବାହାରିଲା । ମୋହନର ପରାମର୍ଶ ନେଇ ମହୀବୋଉ ଓ ମାୟା ସାଧ୍ୟମତେ ସେବା କରିବାରେ ଲାଗିଲେ ।

 

ବାର ଦିନ ପରେ ଯେତେବେଳେ ପୀତାମ୍ବରବାବୁ ଭଲ ହୋଇ ଆସିଲେ ଦିନେ ମାୟା କହିଲା, ‘‘ବାପା, ତମ ଭାଗ୍ୟଟା ଭାରି ଭଲ– ନୁହେଁ ?’’

 

–କାହିଁକି ?

 

–ଏଇ..... ମୋ ପରୀକ୍ଷା ସରିଲା ପରେ ତମର ହାଡ଼ଫୁଟି ହେଲା । ଆଗରୁ ହେଇଥିଲେ କ’ଣ କରିଥାନ୍ତ ଟିକିଏ ଭାବିଲ ?

 

–ହଁ ଲୋ ମା, ଠିକ୍‌ କଥା । ପୀତାମ୍ୱରବାବୁ ହସିଲେ ।

–ଆଗରୁ ହୋଇଥିଲେ ତମେ ବି ହଇରାଣ ହେଇଥାନ୍ତ, ମୁଁ ବି ହଇରାଣ ହୋଇଥାନ୍ତି ।

–ହଁ ।

 

–‘ହଁ’ କ’ଣ ମ ? ତମେ ଗୋଟାଏ କି ହଇରାଣ ହେଇଥାନ୍ତ ? ଯାହା ହେଇଥାନ୍ତୁ ମୁଁ ଆଉ ବୋଉ । ତମେ ତ ଆରାମରେ ଶୋଇଥାନ୍ତ–ମାୟା ନିକ କଥାର ପ୍ରତିବାଦ କଲା ।

 

ତା’ ଠିକ୍‌ କଥା... । ଭାବିଲା ଭଳି ପୀତାମ୍ୱରବାବୁ କହିଲେ ।

 

–ନାଇଁ ନାଇଁ, ମୁଁ ମିଛରେ କହିଲି ନା ! ତମେ ପୁଣି ହଇରାଣ ହେଇ ନଥାନ୍ତ ! ତମର ଏତେ କଷ୍ଟ ହେଉଥିଲା, ଆମେ କିଛି କମ୍‌ କରିଦେଇ ପାରିଲୁ ?

 

ପୀତାମ୍ୱରବାବୁଙ୍କୁ ନିରୁତ୍ତର ରହିବାର ଦେଖି ମାୟା ପୁଣି କହିଲା ।

–ବାପା, କିଛି କହୁନ ଯେ ? ତମ କଷ୍ଟ ଆମେ କିଛି କମ୍ କରିଦେଇ ପାରିଲୁ ?

–ମୁଁ କଷ୍ଟ ଆଉ ଜାଣିପାରିଲି କୋଉଠି ?

 

ମନ ଭିତରେ ଖୁସି ହେଲେ ବି ଉପର ମୁହଁରେ ଗମ୍ଭୀର ହୋଇଯାଇ ମାୟା କହିଲା–ଇଏ ତୁଚ୍ଛା ମିଛ କଥା । କଷ୍ଟ ହଉ ନଥିଲା ତ ‘ବାପାଲୋ’ ‘ମାଆଲୋ’ ହଉଥିଲ କାହିଁକି ?..... ଆମକୁ ଡରଉଥିଲ ?

 

–ତୁ ଅବିକା ଯା, ମୁଁ ଟିକିଏ ଶୁଏଁ । ପୀତାମ୍ୱରବାବୁ କଡ଼ ଲେଉଟାଇ ଶୋଇଲେ ।

–ହେଃ, ସକାଳେ ପରା କହୁଥିଲ ଶୋଇ ଶୋଇ ଚିଟା ଲାଗିଲାଣି ?

 

କୌଣସି ଜବାବ ନ ପାଇ ମାୟା ଟିକିଏ ଅଭିମାନ କଲା ପରି ଚାଲି ଯାଉ ଯାଉ କହିଲା, ‘‘ହଉ ତମେ ଚେଇଁ ରହ, ମୁଁ ଯାଉଛି ।’’

 

ପୀତାମ୍ୱରବାବୁ ଆଖି ବୁଜି ଭାବିବାକୁ ଲାଗିଲେ.....ଏଇ ମାୟା । କିଏ କହେ ସେ ଅଣ୍ଡିରାଚଣ୍ଡୀ, କିଏ କହେ କଳିହୁଡ଼ି, ଆଉ କିଏ ହୁଏତ କହେ ଉଦ୍ଧତ । ଗୋଟିଏ ଜିନିଷକୁ ବିଶ୍ଳେଷଣ କରି ଦେଖିବାର ଶକ୍ତି ଏ ଦେଶର ଲୋକଙ୍କ ପାଖରେ କାହିଁ ? ଏତେ କଷ୍ଟକରି ଭିତର ଦେଖୁଛି କିଏ ? ବାହାରଟା ଦେଖିନେଇ ସମସ୍ତେ ସନ୍ତୁଷ୍ଟ । ଏଇ ତାଙ୍କରି ଝିଅ ମାୟା । କେହି କ’ଣ ସତରେ ତାକୁ ଚିହ୍ନିଛି ? ତାତିଲା ନଈବାଲି ପରି ତାର କଥାରେ, ବ୍ୟବହାରରେ ଲୋକଙ୍କର ମୁହଁ ପୋଡ଼ିଯାଏ । କିନ୍ତୁ ତାଙ୍କର ମନେହୁଏ ସେ ନିଜେ ବଡ଼ ଭାଗ୍ୟବାନ । ଏମିତି ଝିଅ କେଇଟା ଲୋକଙ୍କର ଅଛି ? ଭିତରର ନୀଚତାକୁ ଯେଉଁ ଝିଅମାନେ ଭଦ୍ରତାର ଢାଙ୍କୁଣୀରେ ଢାଙ୍କି ରଖନ୍ତି, ତା ଅପେକ୍ଷା କ’ଣ ଏହା ଯଥେଷ୍ଟ ଭଲ ନୁହେଁ ?

 

ଦିନ ଗଡ଼ି ଚାଲିଲା । ପୀତାମ୍ୱରବାବୁ ଭଲ ହୋଇଯିବାର ପନ୍ଦର ଦିନ ପରେ ପ୍ରତାପକୁ ହାଡ଼ଫୁଟି ହେଲା । ଚିଡ଼ିଯାଇ ମହୀବୋଉଙ୍କୁ ମାୟା କହିଲା, ‘‘ଯାହା ଜଣାଗଲାଣି, ଏମାନେ ପାଳି କରି ମୋ ଛୁଟିଟାକୁ ଖାଇଦେବେ । ମଣିଷ ପରୀକ୍ଷା ପରେ ମନ ଖୁସିରେ କୁଆଡ଼େ ଟିକିଏ ଯିବ କ’ଣ ନା ଖାଲି ଦେହ ଖରାପ, ଦେହ ଖରାପ ! ପରୀକ୍ଷା ଫଳ ବାହାରିଗଲେ ଆଉ କ’ଣ କୁଆଡ଼େ ଯାଇ ହବ ?’’

 

–ତୁ ଯାଉନୁ, ତତେ କିଏ ଅଟକେଇଚି ?

–ହଁ ! ତୁ ଖାଲି ଏକୁଟିଆ ତାଡ଼ି ପକେଇବୁ ।

–ଆମେ ମୂର୍ଖ, ତାଡ଼ିପାରିବୁ କୋଉଠି ? ଯେତକ ତାଡ଼ିବୁ ତୁଇ ।

–ହଉ, ହେଲା ତ ! ଏ କଥା କହୁଚୁ ବୋଲି ଯେମିତି ମନେ ଥାଏ ।

 

ସେଦିନ ଗୋଟାକଯାକ ମାୟା ରୁଷି ବସିଲା । ଖାଇଲା ନାହିଁ କି କାହା ସାଙ୍ଗରେ କଥା କହିଲା ନାହିଁ । ଖଣ୍ଡେ ଦୂରରେ ଚୌକି ପକେଇ ବସି ମହୀବୋଉଙ୍କ କାମ ଦେଖୁଥାଏ । ଟକିଏ କିଛି ସାହାଯ୍ୟ ପାଇଁ ମହୀବୋଉ କାହାକୁ ଡାକିଲେ, ମାୟା ଶୁଣେଇ ଶୁଣେଇ କହୁଥାଏ– ‘‘ଏକା କରିବ ବୋଲି କହୁଥିଲା, କରୁନାହିଁ ? ଅନ୍ୟମାନଙ୍କୁ ଡାକୁଚି କାହିଁକି ?’’

 

ପରୀକ୍ଷାଫଳ ବାହାରିବାର ଦିନ ଯେତେ ପାଖ ହୋଇ ଆସୁଥାଏ, ମାୟା ଏକରକମ ନିଜକୁ ଘର ଭିତରେ ସେତିକି ଲୁଚେଇ ଲୁଚେଇ ରଖୁଥାଏ । ସବୁବେଳେ ସକାଳୁ ଉଠି ମହୀବୋଉଙ୍କ ସାଙ୍ଗରେ ଲାଗେ–ବୋଉ କଳା ଗାଈଟିଏ ସପନ ଦେଖିଚି–ଭଲ ନା ଖରାପ ? ନଇଲେ ବୋଉ, ଆଜି ସପନ ଦେଖିଲି–କିଏ ଜଣେ ଆସି ଦଉଡ଼ିରେ ମୋ ବେକକୁ ବାନ୍ଧି ଦଉଚି– ଭଲ ନା ଖରାପ ?

 

ସ୍ୱପ୍ନ ଶୁଣି ଶୁଣି ମହୀବୋଉ ବ୍ୟତିବ୍ୟସ୍ତ ହୋଇପଡ଼ିଲେ । ଠାକୁରଙ୍କ ପାଖରେ ମାୟା ଘିଅ ଦୀପ ବସାଇଲା–ତା’ର ଫାଷ୍ଟ ଡିଭିଜନ୍‌ ଦରକାର ନାହିଁ । ଗୋଟାଏ ସେକେଣ୍ଡ ଡିଭିଜନ୍‌ ହୋଇଗଲେ ବି ଚଳିଯିବ ।

 

ପରୀକ୍ଷାଫଳ ବାହାରିଲା । କାଗଜର ଉପରଆଡ଼ୁ ପଢ଼ିଗଲା । ଫାଷ୍ଟ ଡିଭିଜନ୍‌ରେ ତା ନାଁ ନାହିଁ–ହଅ ! ନଥାଉ । ସେକେଣ୍ଡ ଡିଭିଜନ୍‌ରେ ବି ନାହିଁ । ଏଁ ! କୋଉଠି ଭୁଲରେ ଛାଡ଼ିଯାଇ ନାଇଁ ତ ? ଥାର୍ଡ଼ ଡିଭିଜନ୍‌ରେ ନାଁ ଗୁଡ଼ାକ ମଧ୍ୟ ସରିବା ଉପରେ ହେଲାଣି । ତା ନାଁର ପତ୍ତା ନାହିଁ । ଆଉ ଫେଲ୍‌ ହୋଇଯାଇ ନାହିଁ ତ ? ଭାବିଲା–‘‘ହେ ଭଗବାନ୍ ! ଟଙ୍କାକର ରସଗୋଲା ଭୋଗ ଦେବି–ଖାଲି ସାଦା ପାସ୍‌ଟାଏ କରିଯାଏ ।’’ ସବୁଯାକ ରକ୍ତ ଆସି ମୁହଁରେ ଠୁଳ ହେଇଚି । ଗୋଟାକ ପରେ ଗୋଟାଏ ନାଁ ଆଖି ଖୋଜି ଚାଲିଚି ନା, ନା, ସେ ପାସ୍‌ କରିଛି–ଶେଷଆଡ଼କୁ ତା ନାଁଟା ରହିଯାଇଛି । ମାୟା ପିଣ୍ଡରେ ପ୍ରାଣ ପଶିଲା ।

 

–ଏଁ ! ମାୟା ଦାସ । ଏ କାଗଜବାଲାଙ୍କର ଆଖି ଥାଏ ନା ନାହିଁ ମ ? ମାୟା ବୋଲି କିଛି ଗୋଟାଏ ନାଁ ଆର କାହାର ଅଛି ? ଛିଆ–ମାୟା, ମାୟା, ମାୟା–‘ମାୟା’ ମାନେ କଣ ? ରାଗରେ କାଗଜକୁ ଗୋଟାଏ ଗୋଇଠା ମାରି, ସେ ଘର ଭିତରେ ଯାଇ ରୁଷି କରି ଶୋଇଲା । କେତେ କଥା ମନେ ପଡ଼ିଲା । କେତେ ପିଲା ଭଲ କରିଗଲେ । ଆଉ ଶେଷରେ ସେ ଥାର୍ଡ଼ ଡିଭିଜନରେ ପାସ୍‌ କଲା । ଇସ୍, ଛି, ଛି..... ମାୟା ଶୋଇ ଶୋଇ କାନ୍ଦିଲା ।

 

ପରଦିନ ସକାଳେ ଚା’ ଟେବୁଲ ପାଖରେ ବସି ମାୟା କହିଲା– ବାପା ମୁଁ କ’ଣ ପଢ଼ିବି-?

 

–ଯାହା ତୋର ଇଚ୍ଛା ।

–ଭାଇ କଣ କହୁଛନ୍ତି ଜାଣ ? କହୁଛନ୍ତି ତୁ ଅଙ୍କ ପାରିବୁ ନାହିଁ । ଆଇ.ଏ. ପଢ଼ ।

–ସେ ଅବଶ୍ୟ ଭୁଲ କହୁନାହିଁ.....

–ମୁଁ ଅଙ୍କ ନେବି ନାହିଁ ।

–ଅନ୍ୟଗୁଡ଼ାକରେ ଯେ ଅଙ୍କ ଦରକାର ହୁଏ ।

 

–ହଉ ପଛକେ । ମୁଁ ନିଶ୍ଚେ ଆଇ.ଏସ୍‌.ସି. ପଢ଼ିବି । ଆଇ.ଏ. ପଢ଼ି କଣ କରିବି ? ଏମିତିରେ ଡାକ୍ତରୀ ପଢ଼ିବି । ଭାଇ ଡାକ୍ତର ବୋଲି ତାଙ୍କର ବହୁତ ଗର୍ବ ହୋଇଯାଇଚି ।

 

ମାୟାର କଥା ରହିଲା–ସେ ଆଇ.ଏସ୍‌.ସି. ପଢ଼ିଲା । ତେଣିକି ପ୍ରତାପ କି ରଞ୍ଜନ ମାୟାକୁ ଟିକିଏ କିଛି କହିଲେ, ସେ ଜବାବ ଦିଏ–ତମେ ସବୁ ସ୍କୁଲ ଛୁଆ । ଦଣ୍ଡିକିରି ମାଛ ପରି ଅଳପ ପାଣିରେ ଫକର ଫକର ହେଉଛ । ଆଗେ ମାଟ୍ରିକ୍ ପାସ୍‌ କରିସାରି ହାତରେ ଖଣ୍ଡେ ସାର୍ଟିଫିକେଟ୍ ରଖ, ତା ପରେ କଥା କହିବ ।

 

ଦିନ ଯେତିକି ଗଡ଼ି ଚାଲିଲା, ମହୀବୋଉଙ୍କର ଚିନ୍ତା ସେତିକି ବଢ଼ିଲା । ଏତେ ଖୋଜିଲେଣି, ଗୋଟିଏ ଭଲ ପାତ୍ରୀ ଆଖିରେ ପଡ଼ୁନାହିଁ । କ’ଣ ଆଉ କରିବେ ? ବନ୍ଧୁବାନ୍ଧବମାନେ ଯେଉଁ ପାତ୍ରୀ ଆଣି ଜୁଟାଉଛନ୍ତି, ସେସବୁ ନାକଚ୍‌ ହୋଇଯାଉଛି । ମୋହନକୁ କହିଲେ ସେ ଖାଲି ହସୁଛି । କୁଆଡ଼ୁ କିଛି ଉପାୟ ନ ପାଇ ମହୀବୋଉ ଶେଷରେ ପୀତାମ୍ୱରବାବୁଙ୍କୁ ଧରିଲେ ।

 

ଦିନେ ପୀତାମ୍ୱରବାବୁ ମହୀବୋଉଙ୍କୁ ଡାକି ଗୋଟିଏ ଝିଅର ଫଟୋ ଦେଖେଇ କହିଲେ, ହେଇ ଦେଖ, ତମ ପୁଅ ପାଇଁ ପ୍ରସ୍ତାବ ଆସିଛି । ଝିଅଟି ବି.ଏ. ପାସ୍‌ କରିଛି ।

 

ଫଟୋ ଖଣ୍ଡିକ ଧରି ମହୀବୋଉଙ୍କ ଆଖି ଉଜଳି ଉଠିଲା, ପଚାରିଲେ, ‘‘ଇଏ କୋଉ ଗାଁ ଝୁଅ ବା ?’’

 

–ତମରି ଏଇ କଟକ ଜିଲ୍ଲାର ଲୋକ । ଏବେ କେତେ ବର୍ଷ ହେଲା ବାରିପଦାରେ ଅଛନ୍ତି । ଆଗ ପସନ୍ଦ ହେଲା କି ନାହିଁ କହ । ଗାଁ ନାଁରୁ ତମକୁ କ’ଣ ମିଳିବ ?

 

ମହୀବୋଉ ଫଟୋ ଖଣ୍ଡିକ ହାତରେ ଧରି ଏପଟ ସେପଟ ତଳ ଉପର ସବୁଆଡ଼ୁ ବୁଲେଇ ବୁଲେଇ ଦେଖିଲେ । ମୁହଁରୁ ଜଣାଗଲା ସେ ପସନ୍ଦ କରିଛନ୍ତି । କହିଲେ–ସୁନ୍ଦର ଯେ.....

 

–‘ଯେ’ ପୁଣି କଣ ?

 

ମୁଁ କହୁଥିଲି କ’ଣ କି ଫଟୋରେ ତ ଆଉ ରଙ୍ଗ ଜଣାପଡ଼ିବ ନାହିଁ । ରୂପରେଖ ବି ଏତେ ଭଲ କରି ଜଣାପଡ଼ିବ ନାହିଁ । ସେଥିପାଇଁ ଅସୁନ୍ଦର ଝିଅମାନେ ଫଟୋରେ ସୁନ୍ଦର ଦିଶନ୍ତି । ଆଉକିଛି ନ କହି ଫଟୋଟି ହାତରେ ଧରି ମହୀବୋଉ ଭିତରକୁ ଚାଲିଲେ ।

 

–‘‘ମାୟା, ଗୋଟାଏ କଥା ଦେଖିବୁ ଆ’’, ଘର ଭିତରେ ଗୋଡ଼ ଲମ୍ୱେଇ ଫଟୋଟିକୁ ଚଷମା–ପିନ୍ଧା ଆଖିରେ ଆଉ ଥରେ ଦେଖୁ ଦେଖୁ ମହୀବୋଉ ଡାକ ଛାଡ଼ିଲେ ।

 

ଦେଖେଁ, ଦେଖେଁ ? ମହୀବୋଉଙ୍କ ହାତରୁ ମାୟା ଫଟୋ ଖଣ୍ଡିକ ଝାମ୍ପିନେଲା ।

ଘଡ଼ିଏ କାଳ ଏକ ଲୟରେ ଚାହିଁବା ପରେ ମନକୁ ମନ କହିଲା– ଭଲ ଝିଅଟିଏ... ତା ନାଁ କଣ ?

–ମୁଁ ପଚାରି ନାହିଁ । ରଙ୍ଗ କେମିତି ହେଇଥିବ କହିଲୁ ?

–ଗୋରା ହୋଇଥିବ ମନେ ହେଉଛି । କ’ଣ ପଢ଼ିଛି ?

 

–କଣ କହୁଥିଲେ ତ ବି.ଏ. ପାସ୍ କରିଛି ବୋଲି । ତେବେ ସେ ଯାହା ପଢ଼ିଥାଉ ମୋର କ’ଣ ଅଛି ? ମୁଁ ସେଇଠି କରିବି ।

 

–ଭାଇଙ୍କୁ ମୁଁ ଦେଖେଇବି, ତୁ କିଛି କହିବୁ ନାହିଁ ।

 

ମୋହନ ଅଫିସରୁ ଫେରି ଦେଖିଲା ତା ଖଟ ଉପରେ ଗୋଟିଏ ଝିଅର ଫଟୋ ରଖାହୋଇଛି । ସେ ଜାଣେ ଏଇଟା ମାୟାର ଫିକର । କିଛି ନ ଜାଣିଲା ପରି ପୋଷାକ ବଦଳାଇବା ବେଳେ କଣେଇ କଣେଇ ଫଟୋଟିକୁ ସେ ଦେଖିଲା । ପୋଷାକ ପାଲଟିସାରି ମୋହନ ଚାରିଆଡ଼କୁ ଚାହିଁଲା–କେହି ନାହାନ୍ତି । ଫଟୋ ଖଣ୍ଡିକ ହାତରେ ଧରି କିଛି ବେଳ ଭଲ କରି ଦେଖିଲା ପରେ ତାକୁ ଖଟ ଉପରେ ରଖିଦେଇ ବାହାରକୁ ଚାଲିଆସିଲା ।

 

ଦୂରରୁ ମାୟା ସବୁ ଲକ୍ଷ୍ୟ କରୁଥିଲା । ବାହାରିଆସି କହିଲା–ଭାଇ କେମିତି ହେଇଛି ?

–କ’ଣ ?

–ଇସ୍‍, ମୋଟେ ଜାଣିଥିବ କି ? ଏତେ ଗମ୍ଭୀର ହୁଅନାହିଁ ମ !

–କ’ଣ ?

–ଯାହାକୁ ଦେଖୁଥିଲ ।

–ଦେଖିଲେ କ’ଣ ହେଲା ?

–କିଛି ହେଲା ନାହିଁ ଯେ ଲୁଚଉଛ କାହିଁକି ? ତା ନା କ’ଣ ଜାଣ ?

–ମୋର ଜାଣିବାର କିଛି ଦରକାର ନାହିଁ । ମୋହନ ଚାଲିଗଲା ।

 

ପଛରୁ ଡାକି ମାୟା କହିଲା– ଭାଇ ତା ନାଁ ‘କାବେରୀ’ ମନେ ରଖିଥା କହିଦେଉଛି । ପଛରେ ଆସି ମତେ ଆଉ ପଚାରିବ ନାହିଁ । ମୁଁ ସେତେବେଳକୁ ଭୁଲିଯାଇଥିବି ।

 

ଖାଇସାରି ବୁଲି ଗଲାବେଳେ ମୋହନ ପୁଣି ଥରେ ଫଟୋଟିକୁ କଣେଇ କଣେଇ ଦେଖିନେଲା, ସେଦିନ ସେ ବାହାରକୁ ଗଲା ସତ କିନ୍ତୁ ମନ ତାର ପଡ଼ି ରହିଲା ସେହି ଖଟ ଉପରେ-। ନାଁଟା ମଧ୍ୟ ବେଶ୍ ସୁନ୍ଦର...କାବେରୀ... କା-ବେ-ରୀ । ଯେମିତି ଭାବରେ କହିଲେ ମଧ୍ୟ କାନକୁ ସୁନ୍ଦର ଶୁଭୁଛି । ଏଇ ନାଁ ଆଗରୁ ସେ କେଜାଣି କେତେଥର ଶୁଣିଛି କିନ୍ତୁ ଆଜିକାର ମାଧୁର୍ଯ୍ୟ କାହିଁ ସେଥିରେ ତ ନଥିଲା ?

 

ମୋହନ ଫେରିବା ପରେ ମାୟା କହିଲା–ଭାଇ ଫଟୋଟା ନେଇଯାଉଛି ?

–ନଉନୁ, ମୋର କଣ ହେବ ?

–କୋଉଠୁ କହୁଛ ? ତଣ୍ଟିରୁ ନା ପେଟରୁ ?

–ମାୟା ! ତୁ ଗୋଟାଏ ଅତି ମୁହଁବଢ଼ିଆ ହେଇଚୁ ।

 

–ବାପଲୋ– ଫଟୋ ଦେଖୁ ଦେଖୁ ତ ଏତେ ଗାଳି ଦେଲଣି । ଭାଉଜ ଆସିବା ପରେ ଆମକୁ ଆଉ ବାକି ରଖିବ ନାହିଁ ଜଣାଯାଉଛି ।

 

ମହୀବୋଉଙ୍କ ଅନୁରୋଧରେ ଦେଖାଚାହାଁଟା କଟକରେ ହେବାର ସ୍ଥିର ହେଲା । ଯୋଗକୁ ସେତେବେଳେ ଗୋଟାଏ ପ୍ରଦର୍ଶନୀ ଚାଲୁଥାଏ । ଝିଅଘର ଆସିଲେ । ସେହି ପ୍ରଦର୍ଶନୀରେ ଦେଖାହେବାର ବ୍ୟବସ୍ଥା ହେଲା ।

 

ଝିଅଦେଖା ଦିନ ମହୀବୋଉ ଏକରକମ ଜୋର କରି ମୋହନକୁ ସାଙ୍ଗରେ ନେଇଗଲେ । ନ ଯିବାପାଇଁ ସେ କେତେରକମ ଫିକର କାଢ଼ିଥିଲା । ତାର କାମ ଅଛି । ସେ ମାଇକିନିଆ ପଲରେ ପଶିପାରିବ ନାହିଁ ଇତ୍ୟାଦି ଯେତେ ରକମର ଆଳ, ପଦେ କଥାରେ ମହୀବୋଉ ସବୁ କାଟିଦେଲେ–ତୋରି ଜୀବନ-ସଉଦା....ତୁ ଦେଖିବୁ ନାହିଁ ତ ଆଉ କିଏ ଦେଖିବ-? ଏମିତି କଳି ଭାଙ୍ଗି ଯାଉ ଯାଉ ଘଣ୍ଟାଏ ଡେରି ହୋଇଗଲା ।

 

ପ୍ରଦଶର୍ନୀ ପାଖରେ ପହଞ୍ଚିଲା ବେଳକୁ ଝିଅଘର ପ୍ରଦର୍ଶନୀରୁ ବାହାରି ଆସୁଛନ୍ତି । ମହୀବୋଉ ଓ ମୋହନକୁ ଦେଖି ତାଙ୍କ ସାଙ୍ଗରେ ଆସିଥିବା ପୁରୁଷଜଣକ କହିଲେ–‘‘ହେଇ ଆସିଗଲେଣି ।’’ ଏତକ ଶୁଣିବା ଆଗରୁ ମହୀବୋଉ, ମୋହନ ଓ ମାୟା କାବେରୀକୁ ଦେଖି ନେଇଥିଲେ ।

 

ଲୋକଟିର କଥା ଶୁଣି କାବେରୀ ମୁହଁରେ କିଏ ଯେମିତି ପୂଳାଏ ଅବିର ଛାଟିଦେଲା । କ’ଣ କରିବ ବୁଝି ନ ପାରି ସେ ନିଜର ମା’ ପଛଆଡ଼େ ମୁହଁ ଲୁଚେଇଲା । ତାଙ୍କ ସାଙ୍ଗରେ ଥିବା ଆଉ ଜଣେ ବୟସ୍କା ସ୍ତ୍ରୀଲୋକ କହିଲେ–ତା ପଛଟାରେ ଲୁଚୁଛୁ କାହିଁକି ? ଆ । ତା ହାତ ଧରି ଭିଡ଼ିଆଣିଲେ ।

 

ଅନ୍ୟମନସ୍କ ହେବାର ଯେତେ ଚେଷ୍ଟା କଲେ ସୁଦ୍ଧା ମୋହନ ଆଖିରେ ସବୁ ଦିଶିଯାଉଥାଏ ।

 

କାବେରୀ ଲାଜ ଲାଜ ହୋଇ ମହୀବୋଉଙ୍କ ପାଦରେ ମୁଣ୍ଡ ଲଗେଇଲା । ମୋହନକୁ ଅଶ୍ୱସ୍ତି ଲାଗିଲା–ସେ ସଳଖି ଠିଆହେଲା ।

 

ଦୁଇହାତରେ କାବେରୀକୁ ତଳୁ ଉଠାଇ ମହୀବୋଉ କହିଲେ–ସମୁଦୁଣୀ, ଏ ଲକ୍ଷ୍ମୀ ପ୍ରତିମାକୁ ଏତେଦିନ ଯାଏ କଣ ମୋରି ପାଇଁ ସାଇତି ରଖିଥିଲ ? କାବେରୀର ମା’ ଖାଲି ଟିକିଏ ହସିଲେ ।

 

ଚାରିଆଡ଼େ ଲୋକ । ମୋହନର ମନେହେଲା ଯେମିତି କାବେରୀର ଏଇ ମୁଣ୍ଡିଆମରା ଦେଖି ସବୁ ଲୋକ ଠରାଠରି ହେଇ ହସୁଛନ୍ତି । ମାୟା ଚାହିଁ ଚାହିଁ କାବେରୀକୁ ଦେଖୁଥାଏ । ସେ ଯେ ପ୍ରଦର୍ଶନୀ ପଡ଼ିଆରେ ଠିଆ ହେଇଛି–ଏ କଥା ଯେମିତି ତାର ଆଉ ମନେନାହିଁ ! ବୁଡ଼ିଲା ସୂର୍ଯ୍ୟର ମେଞ୍ଚାଏ ଲାଲ କିରଣ ଆସି କାବେରୀ ମୁହଁରେ ପଡ଼ିଥାଏ, ଆଉ ମାୟା ଭାବି ଚାଲିଥାଏ..... ଏଇ ଯେଉଁ ଝିଅଟି ତାରି ଆଗରେ ଠିଆହୋଇ ଲାଜରେ ଆଖି ତଳକୁ କରିଛି, ସେଇ ହେବ ତାର ଭାଉଜ..... ବଳିଲା ବଳିଲା ପରି ଦେହ ହାତ, ଚମ୍ପା କଢ଼ି ପରି ସୁନ୍ଦର ଆଙ୍ଗୁଠି, ପୂରିଲା ମୁହଁରେ ଗୋଲାପର ଆଭା, ଚିକ୍‌କଣ ଗାଲ ଦି’ଟା ଦର୍ପଣ ପରି ଝଟକୁଛି–ଚାହିଁଦେଲେ ମୁହଁ ଦିଶିଯିବ ପରା !

 

ମାୟାର ମନେହେଲା ସେ ଅନେକ ସୁନ୍ଦର ମୁହଁ ଦେଖିଛି, କିନ୍ତୁ ଏମିତି ପ୍ରତ୍ୟେକଟା ଅଙ୍ଗକୁ କାଟି କାଟି ଅଲଗା ଅଲଗା କରି ଦେଖିଲେ ସୁନ୍ଦର ଦିଶିବ, ଏମିତି ମୁହଁ ସେ ଜୀବନରେ କେବେ ଦେଖି ନଥିଲା ।

 

ଭିଡ଼ ବଢ଼ିବା ଦେଖି ମୋହନ ମହୀବୋଉଙ୍କୁ କହିଲା–ଭିତରକୁ ଯିବୁ ତ ଯା, ନ ହେଲେ ଘରକୁ ଯା.... ଏମିତି ବାଟଟାରେ ଠିଆ ହୋଇ ଆଉ ତୋ ପାଲା ଦେଖାନା । ସ୍ୱର ଶୁଣି ମହୀବୋଉ ତା ମୁହଁକୁ ଚାହିଁଲେ । ଚମକିପଡ଼ି ମାୟା ବି ଚାହିଁଲା । ମୋହନ କାନରେ ତା ନିଜ ସ୍ୱର ବି କେମିତି ଅଦ୍ଭୁତ ଶୁଣାଗଲା । ସେ ନିଜେ ମଧ୍ୟ ଟିକିଏ ଅପ୍ରତିଭ ହେଇ ପଡ଼ିଲା । କାହିଁକି ତାର ଏ ବିରକ୍ତି ? ମହୀବୋଉ କ’ଣ କହିବାକୁ ଯାଉଥିଲେ, ମାୟା ଆଗ ବଳିପଡ଼ି କହିଲା–ଆମେ ଦେଖିବାକୁ ଆସିଥିଲୁ ନା ନ ଦେଖି ଘରକୁ ଫେରିଯିବାକୁ ଆସିଥିଲୁ ? ଚାଲ ଭିତରକୁ ।

 

–ମୁଁ ଯିବି ନାହିଁ । ତମେ ଯାଅ । ମୋହନ ମୁହଁ ବୁଲେଇ ଚାଲିଯିବାକୁ ବସିଲା । ଖରାରେ ଯେମିତି ଖଣ୍ଡେ କାଚ ଝଲସି ଉଠିଲା ! ମୁହୂର୍ତ୍ତକ ପାଇଁ ଆଖି ଆପେ ଆପେ ଟାଣି ହୋଇଗଲା କାବେରୀ ମୁହଁ ଉପରକୁ–ଚାହିଁଛି, ସୁନ୍ଦର ଆଖି ଦିଓଟିରେ ଦୁନିଆଯାକର କୌତୂହଳ ନେଇ ସେ ତା’ରି ମୁହଁକୁ ଚାହିଁଛି ।

 

ସେଇଦିନ ରାତିରେ ମହୀବୋଉ ପୀତାମ୍ୱରବାବୁଙ୍କୁ କହିଲେ– ବଡ଼ ସୁନ୍ଦରିଆ ଝିଅଟିଏ-। ଯାହାକୁ କହନ୍ତି ‘‘ଗୋଟିଏ ଚାଉଳରେ ଗଢ଼ା ।’’ କାଲିକି ଚାଲ, ତମେ ଥରେ ଦେଖି ଆସିବ ।

 

–ମୁଁ ଦେଖି ଅଧିକା ଆଉ କ’ଣ କରିବି ? ଫଟୋରୁ ତ ଦେଖିଛି..... ଆଚ୍ଛା ମହୀ ପସନ୍ଦ କଲା ତ ?

–ତାକୁ ଦେଖି ପୁଣି ନାପସନ୍ଦ କରିବ କିଏ ? ମୁଁ ପରା କାବା ହଉଚି... ଏମିତି ଝିଅ ଆଜିଯାଏ, ବାହା ନହୋଇ କାହିଁକି ରହିଛି !

–ଯୌତୁକ ଦବାର ଶକ୍ତି ହୁଏତ ବାପର ନ ଥିବ ।

–ହେଇଥିବ ।

ପୀତାମ୍ୱରବାବୁଙ୍କ କଥାକୁ ଦାବିଦେଇ ମାୟା କହିଲା–ହଁ ! ଯେ ବନାରସୀ ଶାଢ଼ୀ ସାଙ୍ଗକୁ ବାହାରେ ଅନନ୍ତ ପିନ୍ଧି, ହାଇହିଲ ଯୋତା ମାଡ଼ି ବାଟ ଚାଲୁଛି, ତା’ର ପୁଣି ଝିଅକୁ ଯୌତୁକ ଦବାର ଶକ୍ତି ନାହିଁ ! ଜାଣିଛ ବାପା, ସେହି ବେଶରେ ଓଠର ଦି’ ସନ୍ଧିରୁ ପାନଛେପ ବୁହାଇ ଯେତେବେଳେ ସେ ମୁଣ୍ଡ ହଲେଇ ବୋଉକୁ କ’ଣ କହୁଥିଲା, ମୁଁ ତ ଚମକପଡ଼ି ଦି’ହାତ ପଛକୁ ହଟିଗଲି । ତା’ର ସେ ରୂପକୁ ସେ ବେଶ ଏକଦମ୍‌ ଖାପ ଖାଇ ଯାଉଥିଲା–ମାୟା ହସି ହସି ମହୀବୋଉଙ୍କ ମୁହଁକୁ ଚାହିଁଲା ।

ଚିଡ଼ିଉଠି ମହୀବୋଉ ଜବାବ ଦେଲେ–ସମସ୍ତଙ୍କୁ ଖୁଣିବା ତୋର ଗୋଟାଏ ଅଭ୍ୟାସ ହୋଇଗଲାଣି । ମା’ଠି ମୋର କଣ ଅଛି ? ବୋହୂ ମୋର ସୁନ୍ଦର ହେଲେ ହେଲା ।

ପରଦିନ ସକାଳେ ମୋହନ ପାଖରେ ଠିଆ ହୋଇ ମାୟା କହିଲା–ଭାଇ, ତମେ ବାହାହବାକୁ ଗଲାବେଳେ ଗୋଟିଏ କବଚ ପିନ୍ଧିଯାଇଥିବ.... ସତରେ କହୁଚି । ନ ହେଲେ ତମେ ଭେଟଣା ହୋଇଯିବ.... ଯୋଉ ଶାଶୁ ମୂର୍ତ୍ତି !

ମୋହନକୁ କୌଣସି ଜବାବ ନ ଦେବାର ଦେଖି ମାୟା ପୁଣି କହିଲା–ଆଚ୍ଛା ଭାଇ, କାଲି ଏମିତି ପାଗଳାଙ୍କ ପରି ହେଲ କାହିଁକି ? ଜାଣ କାବେରୀ କ’ଣ କହିଲା ?

 

–ମୋର ଜାଣିବା ଦରକାର ନାହିଁ । କୁଆଡ଼ର ମଫସଲିଆଣୀ ଗୁଡ଼ାଏ । ମୋହନ ରାଗିବାର ଛଳନା କଲା ।

 

–ସେଇକଥା ସେ କହୁଥିଲା ପରା । କହିଲା–ତମ ଭାଇ ଏଡ଼େ ଯୋଗ୍ୟ, ଏଡ଼େ ସୁନ୍ଦର, ମୁଁ ତାଙ୍କର ପାଦଧୂଳିକି ସୁଦ୍ଧା ସମାନ ହେବି ନାହିଁ ।

 

–ଭୁଲ ତ କିଛି କହିନାହିଁ । ଗମ୍ଭୀର ହୋଇ ମୋହନ କହିଲା ।

 

–ଭୁଲ କହିଚି ବୋଲି କଣ ମୁଁ କହୁଛି ? ମୋର ବି ଇଚ୍ଛା ହେଉଥିଲା କହିଦେବାକୁ–ଆଉ ଭାଇଙ୍କର ଆହୁରି ଅନେକ ଯୋଗ୍ୟତା ଅଛି... ସେ କଇଁଥା ପରିବାରେ ବଢ଼ିଆ ଖେଚେଡ଼ି ରାନ୍ଧିପାରନ୍ତି, ଲୁଚେଇ ଲୁଚେଇ ଫଟୋ ଦେଖନ୍ତି..... ।

 

–ଯାହା ଦେଖୁଛି, ତୋ ପାଇଁ ଖାଲି ବେତ ଦରକାର ।

 

–ତେବେ ପୁଲିସ ଚାକିରି କଲ ନାହିଁ ? ଡାକ୍ତର ହେଲ କାହିଁକି ? କାବେରୀ ମତେ ପଚାରୁଥିଲା–ତମ ଭାଇଙ୍କ ଡାକ୍ତରୀହାତ କେମିତି ? ମୁଁ କ’ଣ କହିଲି ଜାଣ ? କହିଲି–ମୋ ଭାଇଙ୍କ ହାତରେ ଥରେ ପଡ଼ିଲେ ରୋଗୀମାନେ ସିଧା ସ୍ୱର୍ଗକୁ ଯା’ନ୍ତି । ମର୍ତ୍ତ୍ୟରେ ନରକରେ ଘାଣ୍ଟି ହବାଟା ଭାଇ ମୋଟେ ପସନ୍ଦ କରନ୍ତି ନାହିଁ ।

 

–‘‘ହଉ, ଯା, ଯା’’, ମୋହନ କହିଲା ।

 

–ଓ, ଭୁଲ କହିଦେଲି ! ମୋର କହିବା ଉଚିତ ଥିଲା ଭାଇଙ୍କର ପାନେ ଔଷଧରେ ରୋଗୀମାନେ ଭଲ ହୋଇଯାନ୍ତି ।

 

–ତୁ ଗଲୁ ଏଠୁ ? ଟିକିଏ ଚିଡ଼ିଯାଇ ମୋହନ କହିଲା ।

 

ମୋହନକୁ ସତରେ ରାଗିଯିବାର ଦେଖି ମାୟା ନରମି ଯାଇ କହିଲା– ଭାଇ, ସତରେ କୁହ, ଭାରି ଭଲ ଝିଅଟିଏ.... ନୁହେଁ ? ବୋଉ ତ ଏକା ଜିଦ୍‍ ଧରି ବସିଛି, ସେଇଠି ଯେମିତି ହେଲେ ବାହାଘର କରିବ । ମୁଁ ବି ସେଇୟା କହୁଛି ।...ଜାଣ, କାଲି ତମେ ଚାଲିଗଲା ପରେ, ସେ ତମ ଆଡ଼କୁ କଣେଇ କଣେଇ ଚାହୁଁଥିଲା । ତମେ ତାକୁ ବାହା ନହେଲେ ସେ ସତରେ ଭାରି ଦୁଃଖ କରିବ ।

 

–ତତେ ଆସି କହୁଥିଲା !

 

–ମତେ କ’ଣ କହନ୍ତା ? ତା ମୁହଁ ଦେଖି ମୁଁ ବୁଝିଗଲି । ତମେ ଚାଲିଯିବା ପରେ ତା ମୁହଁ ଏକବାରେ ଶୁଖିଗଲା । ବିଚାରି ଭାବିଲା ତମେ ବୋଧହୁଏ ତାକୁ ପସନ୍ଦ କଲ ନାହିଁ । ତଳୁ ଖଣ୍ଡେ କାଗଜ ଗୋଟାଇବା ବାହାନାରେ ମୋହନକୁ ଲୁଚେଇ ମାୟା ଟିକିଏ ହସିନେଲା ।

 

ଶେଷରେ ସେଇଠି ବାହାଘର ହେବାର ଠିକଣା ହେଲା । ଦେବାନେବାର ପ୍ରଶ୍ନ ଉଠିଲା ନାହିଁ । ମହୀବୋଉଙ୍କର ଜିନିଷରେ ଲୋଡ଼ା ନାହିଁ । ମୁଣ୍ଡରୁ ସବୁଠାରୁ ବଡ଼ ଚିନ୍ତା ଯାଇଛି–ମନଲାଖି ପାତ୍ରୀ ସେ ପାଇଛନ୍ତି । ତାଙ୍କ ବୋହୂ ସୁନ୍ଦରୀ ଓ ପାଠୋଈ–ସେହି ଯଥେଷ୍ଟ । ଦୂରରେ ଥିବା ବନ୍ଧୁବାନ୍ଧବଙ୍କୁ ସେ ନିଜେ ଚିଠି ଲେଖି ମୋହନର ବାହାଘର କଥା ଜଣାଇଦେଲେ ।

 

ତାଙ୍କ ଦିନଗୁଡ଼ାକ କୋଉ ଛଟକରେ ଗଡ଼ିଯାଉଛି, ସେ ବୁଝିପାରୁ ନାହାନ୍ତି । ପୀତାମ୍ୱରବାବୁଙ୍କୁ ଟିକିଏ ଚୁପ୍‌ କରି ବସିବାର ଦେଖିଲେ, ତାଙ୍କୁ ବାହାଘର ତାଲିକା କଥା ମନେ ପକେଇଦେଇ ବ୍ୟସ୍ତକରି ପକାଉଥାନ୍ତି ।

 

ମହୀବୋଉଙ୍କର ଏପ୍ରକାର ଠେଲାପେଲାରେ ଘରର ସମସ୍ତେ ବ୍ୟତିବ୍ୟସ୍ତ ହୋଇଉଠିଲେ । ତାଙ୍କ ମୁହଁରେ ଖାଲି ଗୋଟାଏ କଥା–‘‘ହାତ ଗୋଡ଼ ଯୋଡ଼ି ସବୁ ବସିଛ ଯେ, ଆଉ କେଇଟା ଦିନ ରହିଲା ?’’ ଶେଷରେ ତାଙ୍କର ଏଇ ଧରଣର ଉତ୍ପାତରେ ବ୍ୟତିବ୍ୟସ୍ତ ହୋଇ ସମସ୍ତେ ମନେ ମନେ ପ୍ରାର୍ଥନା କଲେ କେମିତି ବାହାଘରଟା ଶୀଘ୍ର ହୋଇ ସେମାନଙ୍କୁ ଏ ଜଞ୍ଜାଳରୁ ମୁକ୍ତି ମିଳୁ ।

 

–ହେ ଉଠ ମ ! ସକାଳ ହୋଇ ଗଲାଣିଟି । ନୂଆ ହୋଇ ଶାଶୂଘରକୁ ଆସିଥିବା କାବେରୀ ମାୟାକୁ ହଲେଇ ଦେଲା ।

 

ବାପା ମାଆଙ୍କର ଅଲିଅଳି ଝିଅ ମାୟା–ଦିନ ଦି’ ଘଡ଼ିରେ ବିଛଣା ଛାଡ଼େ । ଆଖିରେ ନିଦ ନଥିଲେ ସେମିତି ଘାଲିପାରି ପଡ଼ିଥିବ ପଛକେ ବିଛଣା ଛାଡ଼ି ପଦାକୁ ଆସିବ ନାହିଁ । ଯଦି ଦୈବାତ୍ କେହି ସକାଳୁ ଡାକି ଦେଇଛି ତ ସେଦିନ ଘରେ ଲଙ୍କାକାଣ୍ଡ ଲାଗିଯାଏ । ଦୁମ୍‌ଦୁମ୍‌ ଚାଲିରେ ଘର ଦୁଲୁକି ଉଠେ । ବାଟ ଛାଡ଼ି ଅବାଟରେ ପଶି ପୋଷା କୁକୁର ବିଲେଇଙ୍କୁ ମାଡ଼ିପକାଏ-। କୁକୁରଛୁଆ କୁଁ କୁଁ ହୋଇ ଲାଞ୍ଜ ଟେକି ମାୟାଠାରୁ ଦୂରରେ ଅଗଣାର ଅନ୍ୟ କୋଣରେ ଆଶ୍ରୟ ନିଏ । ଶଙ୍ଖୀ ବିଲେଇ ମିଆଉଁ ମିଆଉଁ କରି ଲାଞ୍ଜ ଟେକି ଘର ଭିତରକୁ କୁଦାମାରେ । କିନ୍ତୁ କାବେରୀକୁ ଏସବୁ ସମ୍ପୂର୍ଣ୍ଣ ଅଜଣା ।

 

–ହେ ଉଠ ମ ! କେତେ ବେଳ ହେଲାଣି ଦେଖିଲଣି ? କାବେରୀ ଏଥର ଟିକିଏ ଜୋର୍‍ରେ ମାୟାକୁ ହଲେଇ ଦେଲା ।

 

ବିରକ୍ତିରେ ମାୟା ଆଖିଖୋଲି ଚାହିଁଲା । ତା’ ନିଦୁଆ ଆଖିରେ ବୈଶାଖୀ ଝଡ଼ର ସୂଚନା । ହଠାତ୍ ମନେ ପଡ଼ିଗଲା ଆଗ ଦିନ ରାତିରେ ଏଇ ନୂଆ ବୋହୂ ତାଙ୍କ ଘରକୁ ଆସିଛି । ନୂଆ ଲୋକଟା ନିଜକୁ ଏତେ ଶୀଘ୍ର ଚିହ୍ନା ପକେଇ ଦେବାକୁ ମାୟାର ମନ ଟିକିଏ ଇତସ୍ତତ ହେଲା-। ଶୋଇ ରହି ମନେ ମନେ ଭାବିଲା– ସତରେ ଭାଉଜଟା ତା’ର ଦେଖିବାକୁ ଭାରି ସୁନ୍ଦର ।

 

–ଉଠିବ ନାହିଁ ? ହସିଲା ଆଖିରେ କାବେରୀ ଚାହିଁଛି ।

–କ’ଣ କହୁନ ?

–ଆଗ ମୁହଁ ଧୋଇଆସି, ତମକୁ ଗୋଟାଏ କଥା କହିବି ।

 

ମହୀବୋଉ ଅନ୍ୟ ପୁରୁଖା ସ୍ତ୍ରୀ ଲୋକମାନଙ୍କ ଆଗରେ ବୋହୂ ଆଣିଥିବା ଜିନିଷପତ୍ର ଦେଖାଉଥିଲେ । ମାୟା ଆସି ଦୁଆରବନ୍ଧରେ ଠିଆ ହୋଇ ଡାକିଲା– ବୋଉ, ବୋଉ ଲୋ !

 

–କ’ଣ କହୁନୁ ?

–ଏଇ ମ... ଆମ ଭାଉଜଟା... ଦେଖିବାକୁ ବଡ଼ ସୁନ୍ଦର... ନୁହେଁ ଲୋ ବୋଉ ?

–ତୁ ବିଛଣା ଛାଡ଼ିବା ଆଗରୁ ସିଏ ଗାଧୋଇ ପଡ଼ିଚି ବୋଲି ? ଅଳ୍ପ ହସି ମହୀବୋଉ କହିଲେ ।

 

–ତୋର ଖାଲି ସେଇ କଥା । କିଏ ସୁନ୍ଦର ହୋଇଥିଲେ ତାକୁ ସୁନ୍ଦର କହିବ ନାହିଁ ? ମାୟା ଚାଲିଗଲା ।

 

ତୁଣ୍ଡରେ କିଛି ନ କହିଲେ ବି ମହୀବୋଉଙ୍କ ଆଖି କହିଦେଲା ଯେମିତି ତାଙ୍କରି ନିଜ ରୂପକୁ କିଏ ପ୍ରଂଶସା କରିଦେଇଗଲା । ବାଛି ବାଛି ଏତେଦିନକେ ମନଲାଖି ବୋହୂଟିଏ ଘରକୁ ଆଣିଛନ୍ତି । ଚାହିଁଦେଲେ ମନର ସବୁ ଦୁଃଖ ଭୁଲି ହୋଇଯିବ । ଭଗବାନ ତାକୁ ସେମିତି ରୂପକୁ ଚାହିଁ ଗୁଣ ଦିଅନ୍ତୁ । ବୋହୂ ମୁହଁ ଦେଖିସାରି ସାହି ମାଇପଙ୍କ ମୁହଁ ଫିକା ପଡ଼ିଯାଇଛି । ତାଙ୍କ ବୋହୂମାନେ କାବେରୀର ପାଦ ନଖକୁ ମଧ୍ୟ ସରିହେବେ ନାହିଁ ।

 

ଦେବବାବୁଙ୍କ ସ୍ତ୍ରୀ ଯେ ତିଳ ପରିମାଣ ଦୋଷକୁ ତାଳ ଆକାରରେ ଦେଖନ୍ତି, ସେ ମଧ୍ୟ ଆଜି ସକାଳେ ବୋହୂର ମୁହଁ ଦେଖିସାରି, ହାତ ଟାଣିନେଇ ଆଙ୍ଗୁଠି, ନଖ, ବାହା ପରୀକ୍ଷା କରି, ପାଉଁଜି ଦେଖିବା ବାହାନାରେ ଲୁଗା ଟେକି ପାଦ ଦେଖିନେଲେ । ତା’ପରେ ମନ୍ତ୍ରମୁଗ୍‌ଧ ପରି ଗଭୀର ପ୍ରଶଂସା ଦୃଷ୍ଟିରେ କିଛି ବେଳ କାବେରୀ ମୁହଁକୁ ଚାହିଁ କହିଲେ–ଏତେ ଦିନକେ ବୋହୂଲାଖି ବୋହୂଟିଏ ମୁଁ ଆଖିରେ ଦେଖିଲି ।

 

ସେଇ କଥା କେଇପଦ ଘର ଭିତରେ ଜମା ହୋଇଥିବା ଅନ୍ୟାନ୍ୟ ସ୍ତ୍ରୀଲୋକମାନଙ୍କ କଲିଜାରେ ଛୁରି ଚଳେଇଦେଲା । ମୁହଁ ଉପରେ ସମସ୍ତେ ସମର୍ଥନ କଲେ ମଧ୍ୟ ମହୀବୋଉ ଲକ୍ଷ୍ୟ କଲେ ଏହି କଥା ଶୁଣି ଗୋଟି ଗୋଟି କରି ସବୁଗୁଡ଼ିକ ମୁହଁ ଶୁଖିଗଲା–ଭିତରେ ଭିତରେ ଯେମିତି ସେମାନେ ପୋଡ଼ି ପାଉଁଶ ହୋଇଗଲେ । ଅତି ମୁହଁଖୋର ଜଣେ ଅଧେ କହିଦେଲେ–ହଁ ଲୋ ମା, ରୂପକୁ ଚାହିଁ ଗୁଣ ହେଲେ ସବୁ ଭଲ । ଖାଲି ରୂପକୁ ତ କେହି ଘୋରି ବାଟି ପିଇବେ ନାହିଁ ।

 

ମହୀବୋଉଙ୍କ ମୁହଁରୁ ହଠାତ୍‌ ସବୁ ଆଲୁଅ ଲିଭିଗଲା । କାବେରୀକୁ ଚାହିଁ ଭାବିଲେ–ଏ ଅମୃତରେ କ’ଣ କେବେ ହେଲେ ବିଷ ମିଶିପାରେ ? ନା ନା ଅସମ୍ଭବ.... ଭଗବାନ କେବେ ଏଡ଼େ ନିଷ୍ଠୁର ହେବେ ନାହିଁ ।

 

ବୋହୂର ରୂପକୁ ଖୁଣି ନପାରି, ବୋହୂ ଆଣିଥିବା ଜିନିଷପତ୍ରରେ ହଜାର ରକମର ଦୋଷ ଦେଖେଇ ସାଇପଡ଼ିଶା ମନର ଓରିମାନ ଶୁଝେଇ ଦେଲେ । କିନ୍ତୁ ମହୀବୋଉ ନିର୍ବିକାର–ସେ ଘର ଦେଖି ଆଣି ନାହାନ୍ତି, ବୋହୂ ଦେଖି ଆଣିଛନ୍ତି । ବୋହୂ ବି.ଏ. ପାସ୍ କରିଛି ଦେଖିବାକୁ ସୁନ୍ଦର–ଆଉ ତାଙ୍କର କ’ଣ ଲୋଡ଼ା ?

 

–କି କଥା କହିବ ପରା, ଏଥର କହ । କାବେରୀ ପାଖରେ ଠିଆ ହୋଇ ମାୟା ପଚାରିଲା ।

 

କହିବ କି ନାହିଁ ଟିକିଏ ଭାବି ନେଇ ଅଳ୍ପ ହସି ରହି ରହି କାବେରୀ କହିଲା–ଶୁଣ, ଯଦି ବୋଉ ଗାଧୋଇ ସାରିଥାନ୍ତି, ତେବେ ଗୋଟିଏ ଗିନାରେ ପାଣି ନେଇ... ସେଥିରେ ବୋଉଙ୍କର ଗୋଡ଼ ନଖ ବୁଡ଼େଇ ଘେନି ଆସିବ, ବୁଝିଲ ?

 

–ବୋଉର ଗୋଡ଼ ନଖ କହିଁକି ବୁଡ଼େଇବି ? ଆଶ୍ଚର୍ଯ୍ୟ ହୋଇ ମାୟା ପଚାରିଲା ।

ଅଳ୍ପ ହସି ଲାଜ ଲାଜ ହୋଇ କାବେରୀ କହିଲା–ଶାଶୁଙ୍କର ଗୋଡ଼ଧୁଆ ପାଣି ପାଆନ୍ତି ପରା ।

 

ବଡ଼ ବଡ଼ ଆଖି ଆହୁରି ବଡ଼ କରି, ପାଟି ମେଲେଇ ମାୟା ପ୍ରଥମେ ଟିକିଏ ବେଳ କାବେରୀକୁ ଚାହିଁଲା ଏ କି କଥା ଆଜି ସେ କାବେରୀ ମୁହଁରୁ ଶୁଣିଲା ? ଏଇ ତେବେ ବାହାଘର ! ବୋହୂପଣିଆ ! ଛିଃ ଛିଃ... । ମୁହୂର୍ତ୍ତକ ମଧ୍ୟରେ ପୀତାମ୍ବରବାବୁଙ୍କ ଅଲିଅଳି ଝିଅ ମାୟାର ବେପରୁଆ କୋମଳ ମନ କାହାର ସୂକ୍ଷ୍ମ ସ୍ପର୍ଶରେ ସଙ୍କୁଚିତ ହୋଇ ନିଜ ସ୍ୱଭାବର ରୁକ୍ଷତା ଭିତରେ ଅତି ସଙ୍କୋଚରେ ଆତ୍ମଗୋପନ କଲା । ପାଖରେ ଠିଆ ହୋଇଥିବା ଏହି ଅଧାଚିହ୍ନା ଝିଅଟି ପ୍ରତି ହଠାତ୍‌ ତା’ର ମନରେ ଦୟା ଆସିଲା । କିନ୍ତୁ କ’ଣ କହି ତାକୁ ସାନ୍ତ୍ୱନା ଦେବ ଭାବି ନପାରି ଘୃଣାରେ ନାକ ଟେକି କହିଲା,–ତମକୁ ଅସନା ଲାଗିବ ନାହିଁ ? କେମିତି କରି ସେ ପାଣି ପିଇବ ? ମୁଁ ହୋଇଥିଲେ ବାନ୍ତି କରି ପକାନ୍ତି ।

 

ହସି ପକେଇ କାବେରୀ କହିଲା–ନାଇଁ... ମତେ ଅସନା ଲାଗିବ ନାହିଁ ।

 

ମାୟା ଭୁଲିଗଲା କାବେରୀ ତା’ର ଗୋଟିଏ ଦିନର ଚିହ୍ନା । ତା’ଠାରୁ ସବୁ ବିଷୟରେ ବଡ଼– ବୟସ, ବିଦ୍ୟା ଓ ରୂପ । ସାପଭଳି ଗର୍ଜିଉଠି କହିଲା– ମତେ ଅସନା ଲାଗିବ । ମୁଁ ଆଣିପାରିବି ନାହିଁ ଯା.... ଅତି ଭକ୍ତି ଚୋରର ଲକ୍ଷଣ । ମାୟା ଦୁମ୍‌ ଦୁମ୍‌ ହୋଇ ସେ ଘର ଛାଡ଼ି ଚାଲିଗଲା । ଚାଲିଯାଉଥିବା ମାୟାକୁ ପଛରୁ ଏକ ଲୟରେ ଚାହିଁ କାବେରୀ ଦାନ୍ତରେ ଦାନ୍ତ ଚିପିଲା-। ଘର ଭିତରେ ଜମିଥିବା ଛୋଟ ଛୋଟ ଛୁଆ ମାୟାର ରାଗ ଦେଖି ଉଠିଆସି କାବେରୀ ସାମନାରେ ଠିଆହୋଇ ତା ମୁହଁକୁ ବଲ ବଲ କରି ଚାହିଁଲେ । କାବେରୀ ଆଖିରେ ଲୁହ ଢଳ ଢଳ ହେଲା । ନିଃସହାୟ ଦୃଷ୍ଟିରେ ଥରେ ଘରର ଛାତକୁ ଚାହିଁ କାବେରୀ ଆପଣା ଜାଗାରେ ଯାଇ ଚୁପ୍‌ହୋଇ ବସିଲା ।

 

ଘରେ ଜମା ହୋଇଥିବା ଛୋଟ ଛୋଟ ଛୁଆଗୁଡ଼ିକ ଠେଲାପେଲା କରି ତଳେ ଲେପଟେଇ ପଡ଼ି, ଅଧା ଓଢ଼ଣା ଭିତରୁ କାବେରୀ ଆଖିକି ଚାହିଁଲେ । ‘‘ସତେ ତ କାନ୍ଦୁଛନ୍ତି..... କିଏ ମାଇଲା ? ମାଉସୀ ?’’ ଗୋଟି ଗୋଟି କରି ସବୁଗୁଡ଼ିକ କଅଁଳ ମୁହଁରେ ଆସ୍ତେ ଆସ୍ତେ ସମବେଦନାର କୋମଳ ଚାହାଣି ଫୁଟିଉଠିଲା । ଏଡ଼େ ବଡ଼ ମଣିଷଟାଏ କାନ୍ଦୁଛି–ତାକୁ କଣ କହି ବୁଝେଇହବ କେହି ଠିକ୍‌ କରି ପାରିଲେ ନାହିଁ । କିଛି ବେଳ ଆପଣା ଆପଣା ଭିତରେ ମୁହଁ ଚାହାଁଚୁହିଁ ହେବାପରେ ଜଣେ ଉଠିପଡ଼ି କହିଲା–‘‘ମୁଁ ଯାଉଛି ମା’କୁ କହିଦେବି ।’’ ଝଡ଼ପରି ସେ ଘରୁ ବାହାରି ଚାଲିଗଲା । ବିଜୁଳି ଗତିରେ ସମସ୍ତଙ୍କ ମୁଣ୍ଡକୁ ବୁଦ୍ଧି ଜୁଟିଗଲା । ‘‘ମୁଁ ବି ଯାଉଛି କହିବି’’ ‘‘ମୁଁ ବି କହିବି’’ କହି ଗୋଟି ଗୋଟି କରି ସମସ୍ତେ ତା ପଛରେ ଧାଇଁ ଚାଲିଗଲେ । ଖୁବ୍‌ ସାନ ଦୁଇଟା ଛୁଆ ଦୁଆରବନ୍ଧକୁ ଝୁଣ୍ଟିପଡ଼ି ଉଠିବାକୁ ଚେଷ୍ଟା ନ କରି କାନ୍ଦିବାରେ ଲାଗିଲେ ।

 

ଅଧା ବାଟରେ ପ୍ରତାପ ଗୋଟିଏ ମୂଷା ଗୋଡ଼ରେ ସୁତୁଲି ବାନ୍ଧି ପାଣି କୁଣ୍ଡରେ ବୁଡ଼ାଉଥିଲା । ସେଇଠି ସମସ୍ତେ ଅଟକିଗଲେ । ମାୟା ନାଁରେ ଫେରାଦ ହେବା ଆଉ କାହାରି ମନେରହିଲା ନାହିଁ । ସମସ୍ତଙ୍କ ପାଟିରେ ଗୋଟିଏ କଥା–‘‘ମତେ ଦେ’’ ‘‘ମତେ ଦେ’’ ।

 

ପିଲା ଦୁଇଟାଙ୍କୁ କେହି ଉଠେଇବାକୁ ଆସୁନାହାନ୍ତି ଦେଖି କାବେରୀ ନିଜେ ଉଠିଗଲା । ଦେହଯାକ ଝାଳ ଧୂଳି । ନାକରେ ସିଙ୍ଗାଣି । ଓଢ଼ଣା ଭିତରେ କାବେରୀ ନାକ ଟେକିଲା । ବାଁ ହାତରେ ଗୋଟିଏ ପିଲାର ଝାଳୁଆ ବାହୁ ଟାଣି ଉଠେଇବାକୁ ଗଲାବେଳେ, କାବେରୀ ଦେଖିଲା–କିଏ ଗୋଟିଏ ସ୍ତ୍ରୀଲୋକ ସାଙ୍ଗରେ ପିଲାଟିଏ ଧରି ତଳ ଖଞ୍ଜା ଆଡ଼ୁ ଆସୁଛି । ସାଙ୍ଗେ ସାଙ୍ଗେ କାବେରୀ ନିଜର ଡାହାଣ ହାତଟା ନେଇ ପିଲା ମୁଣ୍ଡରେ ରଖି ଆଦର କଲାଭଳି ଟିକିଏ ପାଖକୁ ଟାଣିନେଲା । ଆଦର ପାଇ ପିଲାଟି କାବେରୀ କୋଳରେ ମୁହଁ ଲୁଚେଇବାକୁ ବସିଲା । ଏ ବିପଦରୁ ରକ୍ଷାପାଇବାକୁ କାବେରୀ ଡାହାଣ ହାତର ଦୁଇଟା ଟିପରେ ପିଲାର ଚିବୁକ ଟେକି ଧରି ଆସ୍ତେ ଆସ୍ତେ କହିଲା–ପଡ଼ିଗଲେ ଦେହରେ ବେଶି ଜୋର ହୁଏ.....ତମେ କାନ୍ଦୁଛ କାହିଁକି ?

 

ଜଣକୁ ଉଠେଇବାର ଦେଖି ଆର ପିଲାଟି କାବେରୀକୁ ଚାହିଁ ଆହୁରି ଜୋରରେ କାନ୍ଦିବାକୁ ଲାଗିଲା । ତାକୁ ଉଠେଇବା ପାଇଁ ଯିବାକୁ ବସିଛି, ଦେଖିଲା, ସେହି ସ୍ତ୍ରୀଲୋକ ଜଣକ ଭିତରକୁ ପଶିଆସି କହିଲେ– ‘‘ମାଇଁ ଆସୁ ଆସୁ ତ ତାକୁ କାମରେ ଖଟେଇ ଦେଲଣି.....’’

 

ପିଲା ଜଞ୍ଜାଳରୁ ନିଜକୁ ମୁକ୍ତ କରିବାକୁ ସ୍ତ୍ରୀଲୋକଟି ସାଙ୍ଗରେ ଆଣିଥିବା ଛୁଆଟିକୁ ସେଇଠି ଛାଡ଼ିଦେଇ କାମର ଆଳ ଦେଖେଇ ଚାଲିଗଲେ ।

 

କାବେରୀ ପୁଣି ସପ ଉପରକୁ ଫେରିଆସିଲା । ସାଙ୍ଗରେ ତିନୋଟି ଛୁଆ ।

–ଯିଏ ଆସିଥିଲେ, ସେ ତମର କ’ଣ ହେବେ ? କାବେରୀ ବଡ଼ଟିକୁ ପଚାରିଲା ।

–କିଏ ?

–ଯେ ଅବିକା ଏଠିକି ଆସିଥିଲେ, ତାଙ୍କୁ ତମେ କ’ଣ ଡାକ ?

–ବଡ଼ବୋଉ ।

–ମାୟାଙ୍କୁ କଣ ଡାକ ?

 

କଥା ସେଇଠି ବନ୍ଦ ରହିଲା । ‘‘ବୋହୂ କାହିଁ’’; ‘‘ବୋହୂ କାହିଁ’’ କହିକହିକା ଦଳେ ସ୍ତ୍ରୀଲୋକ ଘର ଭିତରକୁ ପଶି ଆସିଲେ । କାବେରୀ ମୁଣ୍ଡରେ ଓଢ଼ଣା ଟାଣିଲା । ବହୁତ ଭିଡ଼ାଓଟରା ପରେ ଓଢ଼ଣା ଟେକି ବୋହୂର ମୁହଁ ଦେଖାଗଲା । ସେଇ ଦଳର ଗୋଟିଏ ବୁଢ଼ୀ, ସମ୍ପର୍କରେ ତା’ର ନାତୁଣୀବୋହୂ ଜଣକୁ ତିଆରି କହିଲା–ଦେଖଲୋ ମା, ଦେଖ, ‘ବେ’ ପାସ୍ କଲେ ବି ତା’ ମା ତାକୁ କେତେ ଲାଜ ଶିଖେଇଛି..... ଆଉ ତେମେ ? ମରଦଙ୍କ ସାମନାରେ ଧିଅରୁ ମୁଣ୍ଡରୁ ଲୁଗା ଖସେଇ ବାଟ ଚାଲୁଥିବ ।

 

ମୁହଁ ମୋଡ଼ି ନାତୁଣୀବୋହୂ ଜବାବ ଦେଲା–ଆମ ପେଇଁ ଏବେ ତେମେ ଦିହରେ ମୁଣ୍ଡରେ ଲୁଗା ଦେଇ ବାଟ ଚାଲୁନ..... କିଏ ମନା କରୁଛି ?

 

–ତୋ’ ମା ତତେ ତ ଆଉ କିଛି ଦେଇନାହିଁ–ଖାଲି ଖଣ୍ଡେ ଶାଣଦିଆ ମୁହଁ ଦେଇଛି ।

 

–ମୋ ମା’ର ତ ସେତିକି ଥିଲା..... ଆଉ କ’ଣ ଦିଅନ୍ତା ? କହି ନାତୁଣୀବୋହୂ କାଖ କରିଥିବା ତିନି ବର୍ଷର ଛୁଆଟାକୁ ଦୁଲକିନି ତଳେ କଚାଡ଼ି ଦେଲା ।

 

ଆଈବୁଢ଼ୀ ପାକୁଆ ପାଟିରେ ଖନ ଖନ ହୋଇ ପୋଥି ପୁରାଣ ଖୋଲିବାକୁ ଯାଉଥିଲା, ଜଣେ ଅଧା–ବୟସିଆ ସ୍ତ୍ରୀଲୋକ ବୁଢ଼ୀ ପାଟିରେ ହାତ ଦେଇ ଭିଡ଼ି ଭିଡ଼ି ପଦାକୁ ନେଇଗଲା–ତୁନି ପଡ଼ ମାଉସୀ, ତୁନି ପଡ଼ । ଛୋଟଙ୍କ ସାଥିରେ ମୁଣ୍ଡ ପକେଇଲେ ନିଜର ମାନ ଯାଏ ।

 

–ହଅ, ଅସଲ କଥା କହିଲାରୁ ମରମରେ ଲାଗିଗଲା ପରା ! ମୋର କି ଗରଜ ପଡ଼ିଚି କହିବାକୁ ? ‘‘ଟୋକେଇ ପାଖରେ କୁଣ୍ଢେଇଟାଏ, ମିଛରେ ବୋଲିବେ ତୁଣ୍ଡେଇଟାଏ ।’’ ମନକୁ ମନ ଭଟର ଭଟର ହେଇ ହେଇକା ବୁଢ଼ୀ ତଳ ଖଞ୍ଜାକୁ ଚାଲିଗଲା ।

 

କାବେରୀ ପାଖରୁ ଯାଇ ମାୟା ସିଧା ମହୀବୋଉଙ୍କ ପାଖରେ ଠିଆ ହେଲା । ସେତେବେଳକୁ ବୋହୂ ଆଣିଥିବା ବାସନକୁସନ ପେଡ଼ିପେଟରା ଦେଖା ସରିଲାଣି । ସାହି ମାଇପେ ନିଜ ନିଜ ଦେଖାନ୍ତରେ କାହାର ବୋହୂ କି ଜିନିଷ ଆଣିଥିଲା, ତାରି ଚର୍ଚ୍ଚା ପକେଇଛନ୍ତି । ମଝିରେ ବୋହୂ-ଘରୁ ଆସିଥିବା ପାନବଟା ମେଲା ହୋଇଛି । କାହାରି ହାତରେ ଗୁଆକାତି, ଆଉ କାହା ହାତରେ କେତେକୀ ଖଇର, କିଏ ବା ଗୁଣ୍ଡି ଡବାରୁ ଟିକିଏ ଟିକିଏ ଗୁଣ୍ଡି ପାଟିରେ ପକେଇ କଥାରେ ମଜ୍ଜି ଯାଇଛନ୍ତି । ପିଚ୍‌ ପାଚ୍‌ ପିକ ପଡ଼ୁଛି । ଅଗଣାରୁ ଚେନାଏ ପାନ ପିକରେ ଲାଲ ହୋଇଗଲାଣି-

 

–ଯେତକ ମଫସଲିଆ କଥା ସବୁ ତୋରି ଠେଇଁ ଅଛି, ମାୟା ପାଟି କରି କହିଲା ।

କଥା ବନ୍ଦ ରଖ କୌତୂହଳୀ ଦୃଷ୍ଟିରେ ସମସ୍ତେ ମାୟାକୁ ଚାହିଁଲେ ।

ମହୀବୋଉ କହିଲେ–କାହାକୁ କହୁଚୁ ବା ?

–ତତେ । ଆଉ କାହାକୁ କହିବି ?

–କ’ଣ ହେଲା କହୁନୁ ?

 

–ହବ ଆଉ କ’ଣ ? ବାଛି ବାଛି ବୋହୂ ଆଣିଛୁ ଯେ ସେ କହୁଛି ଶାଶୁଙ୍କର ପାଦଧୂଆ ପାଣି ପିଇବ । ତୋର ଏ ଫଟା ଗୋଡ଼ରେ ଗୁହମୂତ ଲାଗିଛି, ସବୁଦିନେ ତାକୁ ଧୋଇ ନ ପିଇଲେ କୁଆଡ଼େ ତାର ମୁକ୍ତି ହେବ ନାହିଁ ।

 

ପୁରୁଖା ଯଦୁବୋଉ ବାହାରିପଡ଼ି କହିଲେ–ଆଲୋ ଝିଅ, ବୋହୂ ନାଖରା କଥା କ’ଣ କହିଲା ? ଶାଶୁ ଶ୍ୱଶୁର ଦେବତା ସମାନ । ତାଙ୍କ ପାଦଧୂଆ ପାଣି ପାଇଲେ ତା’ରି ଭଲ ହେବ ସିନା ଖରାପ ତ ହବ ନାହିଁ– ।

 

ଚାରି ପାଞ୍ଚ ଜଣ ଏକାଠି ବାହାରିପଡ଼ି କହିଲେ–ସିଏ ତ ପାଦଧୁଆ ପାଣି ପିଇବ କହୁଛି, ତେମେ କିଆଁ ଏମିତି ହଉଚ ?

 

ସେମାନଙ୍କ କଥାକୁ ନ ଶୁଣିଲା ଭଳି ମାୟା ତା’ର ମା’ ମୁହଁକୁ ଚାହିଁଲା । ମହୀବୋଉଙ୍କ ଦୃଷ୍ଟି ଲାଖିଥିଲା ଘରକୋଣରେ ଗଦା ହୋଇଥିବା ବୋହୂର ଜିନିଷପତ୍ର ଉପରେ । ଆଖିରେ ଲାଗିଥିଲା ଆନନ୍ଦର ଝଲକ..... ମୁହଁରେ ତୃପ୍ତିର ସରସତା । ମନେ ମନେ କହୁଥିଲେ, ‘ପ୍ରଭୁ ତୁମରି ଇଚ୍ଛା’, ‘ପ୍ରଭୁ ତୁମରି ଇଚ୍ଛା’ .....ମୁଁ ତ ଏତେ ଆଶା କରି ନଥିଲି ।’’

 

–କ’ଣ ବୋଉ, କାଲ ହୋଇଗଲୁଣି କି ? ମାୟା ଧମକେଇ ଉଠିଲା ।

–କ’ଣ ଆଉ କହିବି ? ତୁ ମନା କରିଦେଲୁ ନାହିଁ ?

 

–ମୁଁ କାହିଁକି ମନା କରିବି ? ତୁ ଆଣିବୁ ବୋହୂ, ସେ ପିଇବ ତୋର ପାଦ ଧୋଇ ପାଣି-। ଆଉ ମତେ ଶିଖାଉଛୁ ଯେ, ମଝିରେ ମୁଁ ମନା କରି ତୋଠୁ ବି ଶୁଣିବି, ତାଠୁ ବି ଶୁଣିବି ।

 

–ତେବେ ?

ତେବେ ଆଉ କ’ଣ ? ତୁ ନିଜେ ଯାଇ ତାକୁ କହ–

 

ଯଦୁବୋଉ ହସି ହସି କହିଲେ– ଏ ରାହାବାଳୀ ଝିଅଖଣ୍ଡକୁ କୋଉଠି ବାହା ଦବୁ ଲୋ ମହୀବୋଉ ? ଜାଣିଥା, ଏ ଗଲେ ତୋ ଜୋଇଁ ମୁଣ୍ଡରେ ଶାଗୁଣା ବସିବ ।

 

ବେପରଓ୍ୱା ଭାବରେ ମାୟା କହିଲା– ତମେ ତ ଅଛ..... ମୋର ଆଉ ଏତେ ଚିନ୍ତା କାହିଁକି ? ତମକୁ ବାହାହେବି, ଆଉ ମରିଗଲେ ତମରି ମୁଣ୍ଡରେ ଶାଗୁଣା ହୋଇ ଆସି ବସିବି ।

 

–ମାୟା ?

–କ’ଣ ?

–ସେ ପରା ବଡ଼ବୋଉ... ତାଙ୍କୁ ଏମିତି କଥା ତୁ କହିବୁ ?

–ବଡ଼ବୋଉ ହେଲେ ହେଲା ଯା.....

 

–ଏଡ଼େ ଝିଅଟାଏ ହେଲୁଣି ତୋ ପାଟିରେ ବାଡ଼ କି ବତା ନାହିଁ ? ଯାହା ପାଟିକି ଆସୁଛି କହି ଦେଇ ଯାଉଛୁ !

 

–ଭଗବାନ ମତେ ଖାଲି ଜିଭଟାଏ ଦେଇଛନ୍ତି–ବାଡ଼ ବତା କିଛି ଦେଇ ନାହାନ୍ତି ।

 

ମହୀବୋଉ ଆଉ କ’ଣ କହିବାକୁ ଯାଉଥିଲେ । ଯଦୁବୋଉ ଆଗ ବଳିପଡ଼ି ତାଙ୍କୁ ଚୁପ୍‌ କରେଇଦେଲେ–ଥାଉଲୋ, ଥାଉ, ଆଜିକାଲିକା ଟୋକୀଙ୍କି ତୁ କ’ଣ କଥାରେ ପାରିବୁ ?

 

–କା’ କଥା କହୁଚୁ ବା ? କହି ଆଈବୁଢ଼ୀ ସଭାରେ ପହଞ୍ଚିଲା । ନୂଆବୋହୂ ସାମନାରେ ନାତୁଣୀବୋହୂଟା କଳି କରି ବୁଢ଼ୀର ମନ ବିଗାଡ଼ି ଦେଇଛି । ତା ଛଡ଼ା ଆଜିକାଲିର ଏଇ ଅଧା ଲଙ୍ଗଳା ଟୋକୀଗୁଡ଼ାଙ୍କୁ ଦେଖିଲେ ବୁଢ଼ୀର ମନ ବିଷେଇ ଉଠେ । ସବୁବେଳେ କହେ– କି ଗାତଚୁଲି ପାଠ ଆଜିକାଲି ପଢ଼ୁଛନ୍ତି ଲୋ ମା, ସେଇ ତ ତାଙ୍କ ମୁଣ୍ଡ ବିଗାଡ଼ି ଦଉଛି ।

 

ଅଧା ମସିଣା, ଅଧା ତଳେ ବସିପଡ଼ି ବୁଢ଼ୀ କହିଲା–କା’ କଥା କହୁଥିଲୁ ?

 

ଡବାରୁ ମସଲା ନଉ ନଉ ମାୟା ଜବାବ ଦେଲା– ମଣିଷ ଦେଖି ଚିହ୍ନି ପାରୁନୁ, କାହା କଥା ପଡ଼ିଥିବ ?

 

ଭୂତ ଦେଖିଲା ପରି ଏଡ଼େ ଏଡ଼େ ଆଖି କରି ମାୟାକୁ ବୁଢ଼ୀ କହିଲା– ହଇଲୋ ମହୀବୋଉ, ଏ କି କଥା ?

 

ଚମକିପଡ଼ି ମାୟା କହିଲା–ତୋର ପୁଣି କ’ଣ ହେଲା ?

 

–ଆଲୋ ଶୁଭ ଦିନଟାରେ ଝିଅକୁ ଏମିତି ବେଶରେ ରଖିଛୁ ! ଏଡ଼େ ଟୋକୀଟାଏ ହେଲାଣି, ତା’ ବର କ’ଣ ଆଜିଯାଏ ଜନମ ହୋଇନାହିଁ ? ଫୁଙ୍ଗୁଳା ହାତ କରି ବୁଲୁଛି !

 

ଡାହାଣ ହାତ ଲୁଚେଇ ଦେଇ ବାଁ ହାତର କଳାଫିତା ଦେଖେଇଦେଇ ମାୟା କହିଲା–ଫୁଙ୍ଗୁଳା କୋଉଠି ? ହେଇଟି ତ ପିନ୍ଧିଛି । ଗୋରା ହାତରେ ଘଡ଼ିର କଳା ଫିତାଟା ଚକ୍‌ ଚକ୍‌ କରିଉଠିଲା ।

 

–ହଁ ଲୋ ମା, ଆମେ ଜାଣୁ– ତେମେ ସବୁ ଘଡ଼ି ଦେଖି ଦେଖି ପୋଖରୀପାଣି ବସ, ଗାଧୋଇ ଯାଅ, ଲୁଗା ପିନ୍ଧ, ଭାତ ଖାଅ, ଆଉରି କେତେ କଣ କର । ଆମ ହାତରେ ତ ଘଡ଼ି ନାଇଁ–’ ସେଥିପାଇଁ ଗାଧୁଆ, ଖିଆ, ପୋଖରୀପାଣି କିଛି ଆମେ କରିପାରୁନାହିଁ । ଦିହକ ବିତିଗଲା, ବେଳ ଜାଣିପାରିଲୁ ନାହିଁ..... ମୁଣ୍ଡବାଳ ପାଚିଗଲା । ତମ ହାତରେ ଘଡ଼ି ଅଛି । ତମେ ବେଳ ଜାଣୁଛ–ତମ ବାଳ ପାଚିବ ନାହିଁ କହି ଆଈବୁଢ଼ୀ ମୁହଁ ମୋଡ଼ିଦେଲା ।

 

–ହଁ ଠିକ୍‌ କଥା, ଦେଖିବୁ ମୋ ବାଳ କେବେହେଲେ ପାଚିବ ନାହିଁ । ବାଳ ପାଚିବା ଆଗରୁ ମୁଁ ସୁଇସାଇଡ୍ କରିଦେବି ।

 

–ଯା, ଯା, ଆଉ କାହା ଆଗରେ ସେ କଥା କହିବୁ । ହର ବ୍ରହ୍ମା ଆସିଲେ ତ ତାଙ୍କ ବାଳ ପାଚିବ । ଆଉ ଇଏ ବାହାରିଲେ ସୁସାଇଟି କରି ବାଳକୁ ସବୁଦିନେ କଳା ରଖିବେ !

 

ମୁଣ୍ଡରୁ ଦୁଇଟା ବାଳ ଛିଣ୍ଡେଇ ଆଣି, ଏକାଠି ଗଣ୍ଠି ପକେଇ ଆଈବୁଢ଼ୀ ସାମନାରେ ଧରି ଖତେଇ ହେଲାଭଳି ମାୟା କହିଲା–ହେଇଟି ନେ, ୟାକୁ ରଖିଥିବୁ..... ହଜେଇବୁ ନାହିଁ । ମଲାଦିନ ଆଉ ଦି’ଟା ବାଳ ତୋ ପାଖକୁ ପଠେଇ ଦେବି । ମିଶେଇ ଦେଖିବୁ ମୋ କଥା ସତ କି ମିଛ ।

 

ବକର ବକର ହୋଇ ବୁଢ଼ୀପାଟିରୁ ଫେଣ ବାହାରି ପଡ଼ିଲାଣି । ମହୀବୋଉ ଝିଅକୁ ମାରିବାକୁ ଉଠିଆସିଲେ । ବାଳ ଦି’ଟା ଆଈ ମୁହଁ ଉପରକୁ ଛାଟିଦେଇ ଏକା କୁଦାରେ ମାୟା ଅଗଣାରେ ଠିଆହୋଇ ପାଟିକରି କହିଲା–ଆଈ, ହଜେଇଦବୁ ନାହିଁ..... ରଖିଥିବୁ । ଆଛା ଟା’ ଟା’-। ବିଦାୟ ଭଙ୍ଗୀରେ ହାତ ହଲେଇ ମାୟା ସେ ଜାଗା ଛାଡ଼ି ଚାଲିଗଲା ।

 

ମାଇପି ମହଲାରୁ ଯାଇ ମାୟା ଖନ୍ଦାଶାଳରେ ଗୁଡ଼ିଆ ପାଖରେ ଉଠିଲା । ପେଟ ଭୋକରେ ଚକଟିମନ୍ଥି ହେଲାଣି । କିନ୍ତୁ ଜଳଖିଆ ଅଧା ହୋଇଛି ।

 

–କିହୋ, ଆଜି କ’ଣ ଆମକୁ ନିର୍ଜ୍ଜଳା ଏକାଦଶୀ କରେଇ ଛାଡ଼ିବ ?

 

ପାନବୋଳା–ବସା ଦାନ୍ତରେ ମୁଲାଏମ୍‍ ହସ ହସି ଗୁଡ଼ିଆ ଜବାବ ଦେଲା–ଦଉଚି, ଦଉଚି... ଆଉ ଟିକିଏ ବେଳ ସବୁର କରିଯାଅ । ଦେଖୁଚ ତ ଦି’ଟା ବୋଲି ହାତ–

 

–ତମର ତ ଦି’ଟା ହାତ । ଆମର ବୋଧହୁଏ ଫାଳେ ପାଟି ?

Unknown

 

ଖନ୍ଦାଶାଳର ଭାର ନେଇଥିବା ମାୟାର ସମ୍ପର୍କୀୟା ଖୁଡ଼ୀ କହିଲେ–ଯାହା ହେଇଚି ତାକୁ ଦେଇଦିଅ । ତାକୁ ବସେଇ ରଖିଲେ ତମ କାମ ଆଉ ଆଗେଇବ ନାହିଁ ।

 

–ହଁ ଦେଇଦିଅ, ଆମ ଦିହିଙ୍କ ପାଇଁ ଦବ । ମୁଁ ଆଉ ଭାଉଜବୋଉ ଏକାଠି ଖାଇବୁ ।

ଜଳଖିଆ ହାତରେ ଧରି ପାଟିରେ ସିଟି ବଜେଇ ବଜେଇକା ମାୟା ଚାଲିଗଲା ।

 

କାବେରୀ ପାଖରେ ଲୋକ ଜମିଥିବାରୁ ମାୟା ଭାଉଜର ହାତ ଧରି ପାଖ ବଖରାକୁ ନେଇଗଲା । ଆସନ ଉପରେ କାବେରୀକୁ ଦୁଲକରି ବସେଇ ଦେଇ ମାୟା ତା ମୁହଁକୁ ଚାହିଁ ଦେଖିଲା–ମୁହଁରେ ହସ ନାହିଁ । ତା’ର କାରଣ କ’ଣ ତା ବି ସେ ଜାଣେ । କିନ୍ତୁ କିଛି ନ ଜାଣିଲା ଭଳି ହସି ହସି କହିଲା–କିହୋ ଭାଉଜ ମୁହଁଟାକୁ ଏମିତି ଅଥାର ଭଳିଆ ଲଦିଛ କହିଁକି ?

 

କାବେରୀ କୌଣସି ଉତ୍ତର ଦେଲା ନାହିଁ ।

 

–ହଉ କଥା ନ କହିଲେ ନାହିଁ ପଛକେ, ଖାଅ । ତଥାପି କାବେରୀକୁ ନ ହସିବାର ଦେଖି ଜୋର କରି ତା ପାଟିରେ ଜଳଖିଆ ଗେଞ୍ଜି ମାୟା ନିଜେ ଖାଇବାରେ ଲାଗିଲା । ଖାଉ ଖାଉ ଏଣ୍ଡୁଅ ଭଳି ମୁଣ୍ଡ ହଲେଇ କହିଲା–ନା, ନା, ତମେ ପ୍ରକୃତରେ ସୁନ୍ଦର..... ହସିଲେ ଭଲ ଦିଶ, ରୁଷିଲେ ବି ଭଲ ଦିଶ..... ମତେ ଠିକ୍ କହି ଆସୁନାହିଁ.... ଏଇ ଯେମିତି ଧୀର ପବନରେ ଥରି ଉଠୁଥିବା ଆମ୍ବ ବଉଳ ଆଉ ଆମ୍ୱ ଦୁଇଟାଯାକ ଆଖି ଆଉ ମନକୁ ସମାନ ଭାବରେ ଟାଣେ । ବଉଳର କମନୀୟତା ଆମ୍ବରେ ନାହିଁ କି ଆମ୍ବର ରସାଳତା ବଉଳରେ ନାହିଁ–ଦିହିଁଙ୍କି ଦିହେଁ ବଡ଼ ।

 

ମେଘ ଫାଙ୍କରୁ ଜହ୍ନ ଆଲୁଅ ଗଳିପଡ଼ିଲା ଭଳି କାବେରୀର ଗମ୍ଭୀର ମୁହଁରେ ଚୋରା ହସର ଆଲୁଅ ଦିଶିଲା ।

 

ବାହାଘର ରେଳି ଭାଙ୍ଗିଯାଇଛି । ଆସିଥିବା କୁଣିଆମାନେ ଯେ ଯାହାର ଘରକୁ ଫେରିଗଲେଣି । କିନ୍ତୁ ଘରଟା ଯେତେ ନିଛାଟିଆ ଲାଗିବା କଥା, ସେତେ ଲାଗୁନାହିଁ । ମହୀବୋଉଙ୍କର ସମୟ ବୋହୂ ଖବର ବୁଝୁ ବୁଝୁ କୋଉ ଛଟକରେ କଟିଯାଇଛି ।

 

ଖରା ନଇଁ ଆସିଲାଣି । ମହୀବୋଉ ବାରଣ୍ଡାରେ ବସି କାବେରୀ ମୁଣ୍ଡ ବାନ୍ଧି ଦେଉଥିଲେ, ଏତିକିବେଳେ ଭଣ୍ଡାରଘର ଚାବି ନେବାକୁ ଆସି ମାୟା ତାଙ୍କ ପାଖରେ ଠିଆ ହେଲା ।

 

–କିଲୋ ବୋଉ ଭାରି ତ ଖୁସି ଅଛୁ ଦେଖୁଛି..... ବୋହୂର କାମ ଦଣ୍ଡେ ହେଲେ ତୋ ହାତରୁ ଛାଡ଼ୁ ନାହିଁ... ନିଶ୍ଚେ ଭାଉଜବୋଉ ତୋ ଗୋଡ଼ ଧୋଇ ପାଣି ପିଉଛନ୍ତି ।

 

–ମଲା, ଘରକୁ ବୋହୂ ଆସିଲା, ଖୁସି ହେବି ନାହିଁ ?

 

–ବୋହୂ ଆସିଲା ବୋଲି ତୋ ଗୋଡ଼ କହିଁକି ଚାରି ହାତ ଛଡ଼ାରେ ପଡ଼ୁଛି ? ଭାଇଙ୍କର ସିନା ପଡ଼ିବା କଥା–

 

–ଆଉ ସତେ ! ଏମିତି ବୋହୂ କେଇଟା ଲୋକର ଭାଗ୍ୟରେ ଜୁଟେ ? ସକାଳୁ ଦାନ୍ତ ଘଷିବାକୁ ପାଣି ଦଉଚି... ଗାଧୋଇଲାବେଳେ ମୁଁ ଯେତେ ନାହିଁ କଲେ ବି ଗାମୁଛାରେ ପିଠି ରଗଡ଼ି ଦଉଛି... ରାତିରେ ବିଛଣା ଝାଡ଼ି ଦଉଚି... ତୁ ଗୋଟାଏ ଝିଅ ଅଛୁ ଯେ ଦିନେ କାଳେ ପାଣି ଢାଳେ ଦେଇଥିଲୁ ? ମାୟାକୁ ନ ଚାହିଁ ମହୀବୋଉ କହିଲେ ।

 

–ଆରେ, ଏତେ କଥା କରୁଛନ୍ତି– ମୁଁ କିଛି ଜାଣିପାରି ନାହିଁ ! ମୁଁ ସିନା ଭାବିଥିଲି ତତେ ଖାଲି ପାନ ଭାଙ୍ଗି ଦଉଚନ୍ତି..... ତୋର ତେବେ ଆଉ ଚିନ୍ତା କ’ଣ ? ଏଣିକି ଗୋଡ଼ ଉପରେ ଗୋଡ଼ ପକେଇ ଆରାମରେ ଦିନ କାଟିବୁ । ଥଟ୍ଟା କଲାପରି ମାୟା କହିଲା ।

 

ଏଥର ମହୀବୋଉ ଝିଅ ମୁହଁକୁ ଚାହିଁଲେ–ମୋର ଖାଲି ଗୋଟାଏ ଚିନ୍ତା ରହିଲା, ତତେ କେମିତି ହାତକୁ ଦି’ହାତ କରିଦେଲେ ମୁଁ ନିଶ୍ଚିନ୍ତ ହେବି । ତେଣିକି ତାଙ୍କ ଘରସଂସାର ସେମାନେ ବୁଝୁଥାନ୍ତୁ ।

 

–ମତେ ହାତକୁ ଦି’ହାତ କରିବା କଥା ଛାଡ଼ି, ତୁ ନିଜେ କେମିତି ହାତକୁ ଦି’ହାତ ହବୁ, ସେଇଆ ଭାବ । କାନିରୁ ଚାବିଟା ଫିଟେଇ ନେଇ ମାୟା ରାଗରେ ଦୁମ୍‍ଦୁମ୍‍ ହୋଇ ଚାଲିଗଲା ।

 

ମାୟାର ଯିବା ବାଟକୁ ଚାହିଁ ମହୀବୋଉ କାବେରୀକୁ କହିଲେ–ପାଗଳିଟାଏ.... ତୁ ତା’ କଥାକୁ ମୋଟେ ଧରିବୁ ନାଇଁଲୋ ବୋହୂ..... ଦେଖୁନୁ ଯାହା ତାର ପାଟିକୁ ଆସୁଛି କହିଦେଇ ଯାଉଛି.... ।

 

ମହୀବୋଉ ହୁଏତ ଆହୁରି କେତେ କ’ଣ ବୁଝେଇଥାନ୍ତେ କିନ୍ତୁ ଏତିକିବେଳେ ମୁହଁ ଶୁଖେଇ ପହଲି ଆସି ପାଖରେ ଠିଆହେଲା । ପହଲି ମୁହଁକୁ ଚାହିଁ ମହୀବୋଉ ପଚାରିଲେ କ’ଣ କିରେ ? ଖାଇଲୁଣି ଟି ?

 

ପହଲିକୁ ନିରୁତ୍ତର ଦେଖି କାବେରୀ ପହଲିର ହାତଟା ଶରଧାରେ ଟାଣିନେଇ କହିଲା–କ’ଣ ମୁଣ୍ଡ କୁଣ୍ଡେଇବ କି ? ଟିକିଏ ବସ, ମୁଁ କୁଣ୍ଡେଇ ଦେବି ।

 

ସାହସ ପାଇ, ଟିକିଏ ଲାଜ ଲାଜ ହୋଇ ପହଲି କହିଲା–ଭାଉଜ’ଉ, ଟିକିଏ ତମର ପାଉଡ଼ର ଦେବ ?

 

–ନେଇ ଯାଉନ..... ମତେ ପଚାରୁଛ କାହିଁକି ?

 

–ହଇରେ ମାଇଚିଆ, ପାଉଡ଼ର କଣ କରିବୁ ? ଆଖି ତରାଟି ମହୀବୋଉ ପହଲିକୁ ଚାହିଁଲେ ।

 

ମହୀବୋଉଙ୍କ ଆଖି ଦେଖି ‘ନାଇଁ ଥାଉ’ କହି ପହଲି ଚାଲି ଯାଉଥିଲା, ଏତିକିବେଳେ କାବେରୀ ତା ହାତ ଧରିନେଇ କହିଲା–ବୋଉ ମିଛରେ କହୁଛନ୍ତି..... ତମେ ଯାଅ ଲଗେଇ ପକେଇବ ।

 

ଏଥର ଟିକିଏ ଦମ୍ଭ ପାଇ ପହଲି କହିଲା–ଏତେ ଉପରକୁ ମୋ ହାତ ପାଉନାହିଁ..... ତମେ ଟିକିଏ ଦିଅନ୍ତ ।

 

ହଠାତ୍‌ ମନେ ପଡ଼ିଗଲା ପରି କାବେରୀ କହିଲା–ଓହୋ, କାଲି ମୋ ହାତ ବାଜି ବୁଣିହେଇ ଯାଇଥିଲା... ସେଥିପାଇଁ ତମ ଭାଇ ବୋଧେ ତାକୁ ଉପରେ ରଖି ଦେଇଛନ୍ତି ।

 

କାବେରୀକୁ ଭୁଲ କହୁଥିବାର ଦେଖି ପହଲି ଜୋର ଦେଇ କହିଲା–ନାଇଁ ମ, କେତେ ଦିନରୁ ପରା ସେଇଠି ଅଛି । ମୁଁ ସବୁଦିନେ ଦେଖେ ।

 

କଥାକୁ ବାଆଁରେଇଲା ପରି କାବେରୀ କହିଲା–ହଉ ଟିକିଏ ବସ । ମୁଁ ନିଜେ ତମକୁ ଭଲ କରି ଲଗେଇ ଦେବି ।

 

ମହୀବୋଉଙ୍କର କୋଳପୋଛା ପୁଅ ଏଇ ପହଲି । ଅଧିକାଂଶ ସମୟରେ କାବେରୀର ଲାଞ୍ଜ ପରି ତା ପଛେ ପଛେ ଘୁରୁଥାଏ । କେହି ନ ଥିଲାବେଳେ ଥରେ ଦି’ଥର ତା ବଖରାରେ ଚୋରପରି ପଶି ଟିକିଏ ପାଉଡ଼ର ମୁହଁରେ ବୋଳିଦିଏ, ଟୋପାଏ ଅତର ପ୍ୟାଣ୍ଟରେ ମାରିଦିଏ, ବାଁ ହାତର କାଣି ଆଙ୍ଗୁଠି ନଖକୁ ଲାଲ କରିଦିଏ । ଭାଉଜ ପରି ସୁନ୍ଦର ହେବାକୁ ତାର ଭାରି ଇଚ୍ଛା । ସେତକ କରିସାରି ଜଣ ଜଣ କରି ସମସ୍ତଙ୍କ ପାଖରେ ବୁଲି ନଖ ଦେଖାଏ, ପ୍ୟାଣ୍ଟ ଶୁଙ୍ଘାଏ..... । ଦୁଇ ଚାରି ଥର ଏହିପରି କଲାପରେ ପହଲି ଦେଖିଲା ପାଉଡ଼ର, ଅତର, ନଖରଙ୍ଗ–ସବୁ ନେଇ କିଏ ଉପରେ ରଖି ଦେଇଛି । ଯେତେ ଚେଷ୍ଟା କଲେ ମଧ୍ୟ ଆଣି ହେଉନାହିଁ । ତେଣୁ ସେ ବାଧ୍ୟହୋଇ କାବେରୀର ସାହାଯ୍ୟ ଲୋଡ଼ିବାକୁ ଆସିଛି ।

 

ମୁଣ୍ଡବନ୍ଧା ସରିଲା । ପହଲିର ହାତ ଧରି ଭିତରର ରାଗକୁ ବାହାରିଆ ହସରେ ଢାଙ୍କି ବଡ଼ ଆଦରରେ କାବେରୀ ତାକୁ ନିଜ ବଖରାକୁ ନେଇଗଲା । ପହଲି ମୁହଁରେ ଭଲକରି ପରସ୍ତେ ପାଉଡ଼ର ବୋଳିଦେଇ କାବେରୀ ହସି ହସି ପଚାରିଲା–ଏଥର ହେଲା ?

 

ଉଚ୍ଚରେ ରହିଥିବା ଡବାକୁ ଚାହିଁ ପହଲି କହିଲା–ସେ ଗୋଲାପି ପାଉଡ଼ରରୁ ଟିକିଏ ଦବ ?

 

–ସେ ପାଉଡ଼ର ଲଗେଇଲେ ମୁହଁ ମଇଳା ଦିଶେ । ୟାକୁ ଲଗେଇଲାରୁ ତମ ଗୋରା ମୁହଁ ଆହୁରି ଗୋରା ଦିଶୁଛି ।

 

କାବେରୀ କଥା ଶୁଣି ଟିକିଏ ଲାଜ ଲାଜ ହୋଇ ପହଲି କହିଲା–ତମେ ସେଦିନ ଭାଇଙ୍କ ଘିମିରିରେ ଏଇ ପାଉଡ଼ର ନଗେଇ ଦଉଥିଲ ମୁଁ ଦେଖିଛି ।

 

–ଆଉ ! ଇଏତ ଗୋରା ପାଉଡ଼ର । ତମେ ଆଗ ମୁହଁ ଦେଖ କେଡ଼େ ସୁନ୍ଦର ଦିଶୁଛି ।

 

ବିଶ୍ୱାସ କରି ନପାରି ପହଲି ନିଜର ପାଉଡ଼ର ବୋଳା ମୁହଁକୁ ଆରସି ସାମନାରେ କାବେରୀ ମୁହଁ ସାଙ୍ଗରେ ତୁଳନା କଲା– ସତରେ ବେଶି ଗୋରା ଦିଶୁଚି... ଏକେବାରେ କାନ୍ଥଭଳିଆ ଧୋବ ହୋଇଯାଇଛି ।

 

ପହଲି ଆନନ୍ଦରେ ବାହାରେ ବୁଲୁଥିବାବେଳେ ମାୟା ଯାଇ ପଚାରିଲା–କିରେ, କୋଉଠି ନାଟ ଫାଟ ହଉଚି କି ? ନାଟୁଆ ପିଲାଙ୍କ ପରି ଏମିତି ବେଶ ହେଇଛୁ ଯେ– ?

 

ଭଲ ହେଲା ଯା । ମତେ ଭାଉଜ’ଉ ନିଜେ ନଗେଇ ଦେଇଛନ୍ତି ।

 

ପହଲିକୁ ଛାଡ଼ିଦେଇ, ଅଗଣାରେ ମହୀବୋଉଙ୍କ ପାଖରେ ଠିଆ ହୋଇ, ବଡ଼ ପାଟିରେ ମାୟା ଶୁଣେଇ ଶୁଣେଇ କହିଲା–ଭାଉଜ’ଉ, ପହଲି ମୁହଁରେ ଘିମିରି ଉଠିବାର ବାଟ ତ ବନ୍ଦ କରିଦେଲ, ଆଉ ଦେହ ହାତ ଯେଉଁଠି ପ୍ରକୃତରେ ଘିମିରି ହେଇଚି, ସେତକ କ’ଣ ଭୁଲରେ ଛାଡ଼ିଗଲ ?

 

କାବେରୀ ମୁହଁ ଲାଲ ପଡ଼ିଗଲା–ମୁଁ ତ କେତେକରି କହିଲି ଗୋଲାପି ପାଉଡ଼ର ଲଗେଇ ଦେଲେ ଭଲ ଦିଶିବ..... ତାଙ୍କର ଏକା ଜିଦି ଧଳା ପାଉଡ଼ର ଲଗେଇ ଗୋରା ହେବେ ।

 

–ତାଙ୍କ ଦିହିଙ୍କ ଭିତରେ ଯାହା ହେଲା, ତୋର ସେଥିରେ ମୁଣ୍ଡ ପୂରେଇବାର କ’ଣ ଅଛି-? ମାୟାକୁ ଆକଟି ମହୀବୋଉ କହିଲେ ।

 

ତୁ ତ ତୋ କାମ କରୁଛୁ, ତତେ କିଏ କହୁଛି ଆମ କଥାରେ ମୁଣ୍ଡ ପୂରେଇବାକୁ ? ଆଗ ନିଜ ମଟରରେ ତେଲ ଦେ ।

 

କାବେରୀକୁ ଧରା ପକେଇଦେଇ, ଗଡ଼ ଜିତିଲାପରି ମାୟା ଚାଲିଗଲା ।

 

ନିକିତିରେ ଗୋଟାଏ ପଟ ଯେତିକି ବେଶି ତଳକୁ ଯାଏ, ଅନ୍ୟ ପଟଟି ଠିକ୍‌ ସେଇ ଅନୁପାତରେ ଉପରକୁ ଉଠିଲାପରି ମହୀବୋଉଙ୍କ ଘରେ କାବେରୀର ପ୍ରଶଂସା ଅନୁପାତରେ ମାୟାର ଆଦର ଦିନକୁ ଦିନ କମିବାକୁ ଲାଗିଲା । ସମସ୍ତଙ୍କ ମୁହଁରେ ବୋହୂର ପ୍ରଶଂସା । ମାୟା ଦେଖିଲା କୂଟନୀତି ପ୍ରୟୋଗ କରିବା ଛଡ଼ା ଅନ୍ୟ ବାଟ ନାହିଁ । ତେଣୁ ସେ ବାଧ୍ୟହୋଇ ତା’ରି ଆଶ୍ରୟ ନେବାକୁ ସ୍ଥିର କଲା ।

 

ସେହିଦିନ ରାତି ଦଶଟା–

 

ଖାଇସାରି ଯେ ଯୁଆଡ଼େ ଶୋଇବାକୁ ବାହାରିଛନ୍ତି । ଅନ୍ୟ ଦିନ ପରି ମାୟା ସିଧା ଶୋଇବାକୁ ନ ଯାଇ, ମହୀବୋଉଙ୍କ ପାଖରେ ଆସି ଠିଆହେଲା ।

 

–ବୋଉ, ଦେଖ..... କାଲି ତୁ ଉଠିବା ମାତ୍ରେ ମତେ ନିଶ୍ଚେଁ ଉଠେଇଦବୁ । ମୋର ଭାରି ଜରୁରୀ କାମ ଅଛି... ।

 

–ହଉ, କ’ଣ କଲେଜ ଯିବୁ କି ?

‘‘ତୁ ସେଥିରୁ କ’ଣ ପାଇବୁ ? ହଁ ମୁଁ କଲେଜ ଯିବି...’’ କହି ମାୟା ଶୋଇବାକୁ ଚାଲିଗଲା ।

 

ରାତି ଚାରିଟାରେ ମହୀବୋଉଙ୍କ ନିଜ ଭାଙ୍ଗିଗଲା । ବିଛଣାରେ ପଡ଼ି ପାହାନ୍ତିଆ ହେବାଯାଏ ସେ ଅପେକ୍ଷା କରି ରହିଲେ । ପୂର୍ବ ଆକାଶରେ ସିନ୍ଦୂରା ଫାଟି ଆସିଲାବେଳକୁ ମହୀବୋଉ ମାୟାକୁ ଉଠେଇଦେଇ ନିଜେ ତଳକୁ ଯିବାକୁ ବସିଲେ ।

 

ଧଡ଼ପଡ଼ ହୋଇ ବିଛଣାରୁ ଉଠିପଡ଼ି ପ୍ରତାପକୁ ଗୋଟିଏ କୁହାଟ ଛାଡ଼ି, ମାୟା ଆଗେ ଆଗେ ତଳକୁ ଓହ୍ଲାଇ ଆସିଲା । ବାରଣ୍ଡାରେ ରଖା ହୋଇଥିବା ପାଣି ପାଖରେ ଦିହେଁ ବସିପଡ଼ି ଦାନ୍ତ ଘଷିବାରେ ଲାଗିଲେ ।

 

ଖଣ୍ଡେ ଦୂରରେ ଥାଇ କାବେରୀ ସବୁ ଲକ୍ଷ୍ୟ କରୁଥିଲା । ମାୟା ପତୁଙ୍କୁ ସେହି ପାଣିରେ ଦାନ୍ତ ଘଷିବାର ଦେଖି, ମନର ବିରକ୍ତି ଲୁଚେଇ କାବେରୀ ସେମାନଙ୍କ ପାଖକୁ ଆସି କହିଲା–ସେ ପାଣି ପରା ବାପା ବୋଉଙ୍କର–ଏହିକ୍ଷଣି ଆସିଲେ ଖୋଜିବେ ।

 

କାବେରୀର କଥାକୁ ଉଡ଼େଇ ଦେଇ ମାୟା କହିଲା–ବୋଉ ତା’ର ଆପେ ପାଣି ଆଣି ଦାନ୍ତ ଘଷିବ ଯେ !

 

ଏତିକିବେଳେ ଦୂରରୁ ମହୀବୋଉଙ୍କୁ ଆସୁଥିବାର ଦେଖି କାବେରୀର କଥା ପାଟିରେ ଅଟକିଗଲା, କିନ୍ତୁ ମାୟା ନିଜ ସ୍ୱର ଦୁଇଗୁଣ କରି ବଡ଼ ପାଟିରେ ମନକୁ ମନ କହିବାରେ ଲାଗିଲା–ପାଣି ତ ରଖାହୋଇଚି..... ସେଥିରେ କାହାରି ନାଁ ମରା ହୋଇନାହିଁ ଯେ ବାପା ଏ ପାଣିରେ ଘଷିବେ, ବୋଉ ସେଇଟାରେ ଘଷିବ..... ଯେ ଆଗ ଉଠିଲା ସେ ଘଷିଦେଇ ଚାଲିଯିବ.....

 

–ସକାଳୁ କାହିଁକି ଏଡ଼େ ପାଟି କରୁଛୁ କିଲୋ ? କଅଣ ତୋର ହେଲା ? ସବୁ ଶୁଣି କିଛି ନ ଶୁଣିଲାପରି ମହୀବୋଉ କହିଲେ ।

 

–ମୋ ଇଚ୍ଛା ହେଲା ମୁଁ ପାଟି କରିବି, ତୋର କ’ଣ ହୋଇଗଲା ? ମାୟା ଜବାବ ଦେଲା ।

 

କାବେରୀକୁ ଢାଳ ହାତରେ ଧରି କୂଅ ମୂଳକୁ ଯିବାର ଦେଖି ମହୀବୋଉ ବାଧା ଦେଲେ–ଥାଉ ଲୋ ବୋହୂ, ମୁଁ ନିଜେ ଆଣିବି..... ଏସବୁ ଗୋଟାଏ କ’ଣ ? ଏଡ଼େ ବଡ଼ ବଡ଼ ପିଲାଟାମାନ ହେଲେଣି, ନିଜେ ଢାଳେ ପାଣି ଆଣି ଦାନ୍ତ ଘଷି ପାରିବେ ନାହିଁ ? କହିଲେ ଓଲଟି କଳି କରୁଛନ୍ତି !

 

ମହୀବୋଉଙ୍କୁ କାବେରୀ ପଟ ନେଇ କଥା କହିବାର ଦେଖି ମାୟା ଚିଡ଼ିଯାଇ କହିଲା–ହଁ, ତୁ ତୋ ବୋହୂପଟ ନେଇ କହିବୁ ନାହିଁ କି ? ନ ହେଲେ ଦାନ୍ତ ଘଷିବାକୁ ତତେ ପାଣି ମିଳିବ ନାହିଁ ଯେ...

 

ଆଉ ବେଶି ସମୟ ସେଠାରେ ରହିବା ନିରାପଦ ମନେ ନ କରି କାବେରୀ ସେ ଜାଗା ଛାଡ଼ି ଚାଲିଗଲା । କିଛି ବେଳ ଭଟର ଭଟର ହୋଇ ମାୟା ମଧ୍ୟ ଚାଲିଗଲା ।

 

ମାୟାର ପାଟିରେ ସମସ୍ତଙ୍କର ନିଦ ଭାଙ୍ଗିଗଲା । ଆଖି ମଳି ମଳି ଜଣ ଜଣ ହୋଇ କଳିର କାରଣ ପଚାରି ବସିଲେ । କଥାଟା ବଢ଼ୁଥିବାର ଦେଖି ବ୍ୟସ୍ତ ହୋଇ କାବେରୀ ମୋହନ ପାଖକୁ ଗଲା । ଏତେ ବଡ଼ ଘରଟାରେ ଏହି ବଖରାଟି ଯେପରି ତାର ଏକମାତ୍ର ନିରାପଦର ସ୍ଥାନ !

 

ଖରା ଉଠି ଉଠି ଯାଉଛି । ଗୋଟି ଗୋଟି ହୋଇ ସମସ୍ତେ ନିଜ ନିଜ କାମରେ ଲାଗିଲେଣି; କିନ୍ତୁ କାବେରୀର ମନ ତାକୁ ଦୋଷୀ କରି ସେହି ଘରେ ବନ୍ଦୀ କରି ରଖିଲା । ତାର ମନେହେଲା ଯେମିତି ସମସ୍ତେ ନିଜ ନିଜର କାମ ଫାଙ୍କରେ ତା’ରି କଥା ଭାବୁଛନ୍ତି । ମନଟା ଚିଡ଼ି ଚିଡ଼ି ଲାଗୁଛି । ଏତିକିବେଳେ କୁଆଡ଼ୁ କାନ୍ଦି କାନ୍ଦି ଆସି ପହଲି ମୋହନର ବିଛଣାରେ ଗଡ଼ିପଡ଼ିଲା-

 

–କ’ଣ ହେଲା ? କାହିଁକି କାନ୍ଦୁଛୁ ? ମୋହନ ପଚାରିଲା ।

–ଅପା ମାଇଲା ।

‘‘ଆଚ୍ଛା, ମୁଁ ଅପାକୁ ମାରିବି’’ କହି ମୋହନ କାବେରୀ ମୁହଁକୁ ଚାହିଁ ରହିଲା ।

 

ଧୋବ ବିଛଣା ଚାଦର ଉପରେ ପହଲି ଗୋଡ଼ର ମଇଳା ଦାଗକୁ କାବେରୀ ବିରକ୍ତିରେ ଚାହିଁଛି । ମୋହନ ଟିକିଏ ହସିଲା; କିନ୍ତୁ କାବେରୀର ମୁହଁ ଆହୁରି ଗମ୍ଭୀର ହୋଇଗଲା । ଅନ୍ୟ ବାଟ ନ ଦେଖି ମୋହନ ପହଲିର ହାତ ଧରି ଉଠେଇ କହିଲା–ହଇରେ ତତେ ମୁଁ କେତେଥର କହିଲିଣି ଗୋଡ଼ ଧୋଇ ବିଛଣା ଉପରେ ଚଢ଼ିବୁ..... ହେଇ ଦେଖିଲୁ, ବିଛଣା କେମିତି ମଇଳା ହେଇଗଲା..... ଯା, ଗୋଡ଼ ଧୋଇକରି ଆସିବୁ ।

 

–ଆହା, ପିଲାଲୋକ..... ବସନ୍ତୁ ନା !... ତମେ ତାଙ୍କୁ ସେମିତି କହିବ ନାହିଁ । ଟିକିଏ ଛିଗୁଲେଇ କାବେରୀ କହିଲା ।

 

ପହଲି ସେମିତି କାନ୍ଦିବାରେ ଲାଗିଲା । ମୋହନ ଜାଣେ କାନ୍ଦ ବନ୍ଦ କରିବାର ଏକମାତ୍ର ବାଟ ହେଉଛି ହେଉଛି ତାକୁ କିଛି ପଇସା ଦେବା । କାବେରୀକୁ ଲକ୍ଷ୍ୟ କରି କହିଲା–ଆଚ୍ଛା, ପହଲିକୁ ମୋ ମୁଣିରୁ ଦି’ଅଣା ପଇସା ଦିଅ ।

 

–ତମ ମୁଣି କୋଉଠି ଅଛି ମୁଁ ଦେଖିନାହିଁ ।

–ସେଇ କାମିଜ ପକେଟରେ ।

 

ଖଟ ଉପରୁ ଓହ୍ଲାଇ ଆସି ପଇସା ମୁଣିଟା ମୋହନ ଉପରକୁ ଫିଙ୍ଗିଦେଇ କାବେରୀ ଘରୁ ବାହାରି ଚାଲି ଯାଉ ଯାଉ କହିଲା–ଦି’ଅଣା କ’ଣ ଅଣ୍ଟିବ ? ଟଙ୍କାଟିଏ ଦିଅ–ଏତେଗୁଡ଼ାଏ କାନ୍ଦିଛନ୍ତି ।

 

ପହଲି ଖୁସି ହୋଇ ଭାଉଜବୋଉଙ୍କ ମୁହଁକୁ ଚାହିଁଲା–ଟଙ୍କାଟିଏ ! ଭାଇ କେବେହେଲେ ଏତେ ପଇସା ଦିଅନ୍ତି ନାହିଁ । ସବୁବେଳେ ଅଣାଏ ନହେଲେ ଦି’ଅଣା ଦିଅନ୍ତି ।

 

ହାତରେ ଦି’ଅଣା ଧରି ପହଲି ଚାହିଁଲା ଭାଇଙ୍କ ମୁହଁକୁ–ଭାଉଜ’ଉ ପରା ଟଙ୍କାଏ ଦବାକୁ କହିଲେ ?

 

–ନାଇଁ, ନାଇଁ ମୋ ପାଖରେ ଆଉ ପଇସା ନାହିଁ:..... ତୁ ପଳା । ଏକରକମ ଜୋର କରି ମୋହନ ପହଲିକୁ ବିଦା କରିଦେଲା ।

 

ସେଠାରୁ ଯାଇ ପହଲି ମାୟାକୁ ଚିଡ଼େଇବା ପାଇଁ ଦୋ’ଣିଟା ହାତରେ ଧରି କହିଲା–ହେଇ ଦେଖ..... ଦି’ଅଣା..... ଭାଉଜ’ଉ କହୁଥିଲେ ଟଙ୍କାଏ ଦବାକୁ.....ମୁଁ ବେଶି କାନ୍ଦିଥିଲି..... ଭାଇ ଦେଲେ ନାହିଁ ।

 

–ହଉ ହଉ ମାଗନ୍ତା ବାବୁ, ଏଠୁ ଯାଅ ଏଥର..... କେତେଗୁଡ଼ାଏ ରୋଜଗାର କରି ଆଣିଛ..... ସେଣେ ଯାଇ ଆଉ ଦି’ଟୋପା ଲୁହ ଗଡ଼େଇ ସେ ପଇସାକୁ ଚକ ଚକ କରିଦିଅ ଯେ ସେଇଟା ଟଙ୍କାପରି ଦୁଶିବ ।

 

ତେଣିକି ଟିକିଏ କିଛି ହେଲେ ପହଲି ବଡ଼ ପାଟିରେ କାନ୍ଦି କାନ୍ଦି କାବେରୀ ପାଖକୁ ଯାଏ-। ତାର ପୂରା ବିଶ୍ୱାସ ଭାଉଜବୋଉ ତା ଆଖିରେ ଲୁହ ଦେଖିଲେ ନିଶ୍ଚୟ ଟଙ୍କା ଦେବେ । କାବେରୀ ସବୁ ଦେଖି ନ ଦେଖିଲା ପରି ରହେ । ବେଶି ବିରକ୍ତ କଲେ କିଛି ନ କହି କାମର ଆଳ ଦେଖେଇ ବାହାରକୁ ଚାଲିଆସେ । ଏମିତି କେତେ ଘଟଣା ଘଟିଯାଏ ଆଉ ଧୀରେ ଧୀରେ ସେଗୁଡ଼ିକ ମୋହନର ଫୁଲାଫାଙ୍କିଆ ମନ ଉପରେ ପ୍ରଭାବ ପକାଏ । କାବେରୀର କଥା ନ ମାନି ଉପାୟ ନାହିଁ । କେବଳ କାବେରୀକୁ ଖୁସି ରଖିବାପାଇଁ ମୋହନକୁ ନିଜର ଇଚ୍ଛା ବିରୋଧରେ ଅନେକ କାମ କରିବାକୁ ହୁଏ ।

 

ସେ ବି ଦିନକର ଘଟଣା–

 

ରବିବାର । ଆଇସ୍‌କ୍ରିମବାଲା ରାସ୍ତାରେ ଡାକି ଡାକି ଆସିଲା । ପ୍ରତାପ, ରଞ୍ଜନ ଧାଇଁଆସିଲେ–ପଛରେ ପହଲି ।

 

–ଭାଇ, ଭାଇ... ଛ’ ଅଣା ପଇସା ଦବ ? ଆଇସ୍‌କ୍ରିମବାଲା ଯାଉଛି । ମୋହନକୁ ଘର ଭିତରେ ନ ପାଇ, କାବେରୀକୁ ଖଟରେ ଗଡ଼ୁଥିବାର ଦେଖି ପିଲାମାନେ ପଚାରିଲେ–ଭାଉଜ’ଉ ଭାଇ କାହାନ୍ତି ?

 

–ଭାଇ ଗାଧୋଇବାକୁ ଯାଇଛନ୍ତି । ଧୀର ଭାବରେ କାବେରୀ କହିଲା ।

 

ମୋହନ ଆସିବାଯାଏ ଅପେକ୍ଷା କରିବାକୁ ପିଲାଙ୍କର ତର ସହିଲା ନାହିଁ । କାମିଜ ପକେଟ ଦରାଣ୍ଡି ପଇସା ମୁଣିରୁ ଛ’ଅଣା ପଇସା ବାହାର କଲେ ।

 

ହସି ହସି କାବେରୀ କହିଲା–ହେଇ, ଭାଇ ଅବିକା ପଇସା ଗଣି କରି ଯାଇଚନ୍ତି..... ଜାଣିପାରିବେ ।

 

–ଜାଣନ୍ତୁ । ପିଲାମାନେ ଦଉଡ଼ା ଦଉଡ଼ି ହୋଇ ବାହାରି ଚାଲିଗଲେ ।

 

କାବେରୀ ଟିକିଏ ବେଳ ଗୁମ୍‌ମାରି ବସିଲା । ତାର ମନେହେଲା ସତେ ଯେମିତି ଏଇଟା ମୋହନର ପଇସା–ମୁଣି ନୁହେଁ..... ଘର ବଉଁଶଯାକର ପଇସା ଯେମିତି ଏ ମୁଣିରେ ଅଛି..... ଯାହାର ଯେତେବେଳେ ମନହେଲା ଆସି ନେଇଯାଉଛନ୍ତି..... ଏମିତି କଲେ ହାତରେ ଆଉ ପଇସା ରହିବ କଣ ? ସହଜେ ତ ଆଜି ‘ଯକ୍ଷ୍ମା ଦିବସ’, କାଲି ‘ପତାକା –ଦିବସ’, ପହରଦିନ ‘ରେଡ଼କ୍ରସ୍‌’ କହି ଯାହାର ଯେତେ ଇଚ୍ଛା ଭିଡ଼ି ନେଉଛନ୍ତି... ସବୁ କ’ଣ ଦେଇ ଦେଉଥିବେ ? ନିଶ୍ଚେ ନିଜ ପାଖରେ ଅଧା ରଖୁଥିବେ... ମୋହନ ପରି ସେମାନେ ଏତେ ବୋକା ନୁହନ୍ତି... ସେଇ ଯେଉଁ ମାୟା ଖଣ୍ଡକ ଅଛି–ପକ୍‌କା ଖରଖରୀ... ସେଇ ସବୁ ନାଟର ଗୋବର୍ଦ୍ଧନ... ପିଲାଙ୍କୁ ଯେତିକି ମୁହଁ ଦବ ସେମାନେ ସେତିକି ମୁହଁ ଉପରେ ଚଢ଼ିବେ... ଅତିରିକ୍ତ ମୁହଁବଢ଼ିଆ ହେଇଯାଇଛନ୍ତି... ମଣିଷର ତ ପୁଣି ଗୋଟାଏ ସହିବାର ସୀମା ଅଛି... ତାରି ଆଖି ଆଗରେ ତାରି ପଇସା ଏମିତି ଲୁଟି କରି ନେଲେ, ସେ କେତେ ସହିବ ?

 

ଏତିକିବେଳେ ଭାବନାରେ ବାଧାଦେଇ ମୋହନ ଘର ଭିତରେ ପଶିଲା । ମୋହନକୁ ଦେଖି ପଇସା ମୁଣିକୁ ତା ପାଖରେ ପକେଇଦେଇ କାବେରୀ କହିଲା–ପଇସା ମୁଣିକୁ ତମେ ଏମିତି ବାହାରେ କାହିଁକି ପକାଉଚ ? ମୁଁ ଏତେ ଆଉ ଜଗିପାରିବି ନାହିଁ... ଏହିକ୍ଷଣି ସେ ଚାକର ଟୋକା ଘର ଝାଡ଼ିବାକୁ ଆସି ତମ ମୁଣି ପାଖକୁ ଯାଉଥିଲା... ଭାଗ୍ୟକୁ ସିନା ସେତିକିବେଳେ ମୁଁ ଆସି ପହଞ୍ଚିଗଲି... ସବୁଦିନେ ତ ମୁଁ ଆଉ ଜଗି ନଥାଏ ।... ସେ କେତେ ଯେ ନେଉଥିବ ଭଗବାନ ଜାଣନ୍ତି...

 

କଥାର ଗୁରୁତ୍ୱ ଏଡ଼ିଦେଇ ମୋହନ କହିଲା–ନାଇଁ, ସେ କେବେହେଲେ ନିଏ ନାହିଁ... ମୋ ପଇସା ତ ସବୁବେଳେ ଏମିତି ବାହାରେ ପଡ଼ିଥାଏ–କେହି ଛୁଅନ୍ତି ନାହିଁ... ସେ ଆଉ କ’ଣ ପାଇଁ ଯାଉଥିବ ତମେ ଭାବିଲ ପଇସା ନେବାକୁ ଯାଉଛି ।

 

–ହଁ, ସମସ୍ତେ ଖାଲି ତମରି ପରି ସାଧୁ ହେଇଛନ୍ତି... ଭାରି ଗୁଡ଼ାଏ ପଇସା ରୋଜଗାର କରୁଛ ନା ଚାଲିଗଲେ ଜଣା ପଡ଼ୁନାହିଁ ! ଏଣିକି ଘରକୁ ଆସିଲେ ସେ ମୁଣିଟା ମୋ ହାତକୁ ଦବ, କହି କାବେରୀ ମୋହନ ପାଇଁ ଜଳଖିଆ ଆଣିବାକୁ ଚାଲିଗଲା ।

 

କାବେରୀ ଜିତିଲା । ସେହିଦିନଠାରୁ ମୋହନ କୁଆଡ଼େ ବାହାରିଲାବେଳେ କାବେରୀ ହସି ହସି ପଇସା ମୁଣିଟି ଆଣି କମିଜ ପକେଟ୍‌ରେ ପୂରେଇ ଦିଏ ଓ ପୁଣି ଘରକୁ ଫେରିଲେ ତା’ଠୁ ନେଇ ନିଜ ବାକ୍‌ସରେ ରଖି ତାଲା ଦିଏ । ପ୍ରଥମେ ପ୍ରଥମେ ମୋହନକୁ ଏସବୁ ଟିକିଏ ଅଡ଼ୁଆ ଲାଗୁଥିଲା, କିନ୍ତୁ ଧୀରେ ଧୀରେ ତାହା ଅଭ୍ୟାସରେ ପଡ଼ିଗଲା ।

 

ଦିନକୁ ଦିନ ମୋହନ ବଦଳୁଛି । ତାର ଫୁଙ୍ଗୁଳା ମନ ସ୍ତ୍ରୀର ଘରୋଇ ବୁଦ୍ଧି ପାଖରେ ବନ୍ଦୀ ହୋଇଯାଉଛି–ଏ କଥା ଅନ୍ୟମାନଙ୍କ ଆଗରେ ନିଜେ ସ୍ୱୀକାର ନ କଲେ ମଧ୍ୟ ସମସ୍ତେ ତାହା ଲକ୍ଷ୍ୟ କରନ୍ତି । ମହୀବୋଉ ମନ ଭିତରେ ଖୁସି ହୁଅନ୍ତି ଯେ ତାଙ୍କ ପୁଅର ମନ ଘର ଧରିଲାଣି–କାନ୍ଧରେ ପଡ଼ିଲେ ସମସ୍ତେ ବଜେଇ ଶିଖନ୍ତି... ସେ ବା ସେଥିରୁ ବାଦ୍‌ ଯିବ କିପରି ? ମୋହନ ନିଜେ ମଧ୍ୟ ସେ କଥା ଅନୁଭବ କରେ । ଏହି କେଇଟା ଦିନ ଭିତରେ କାବେରୀ ପ୍ରତି ତାର ଗୋଟାଏ କେମିତି ଧରଣର ବିଶ୍ୱାସ ଓ ଆସକ୍ତି ଆସିଯାଇଛି । କାବେରୀ ପାଖରେ ନ ଥିଲେ ଖାଇବାରେ ତା’ର ତୃପ୍ତି ଆସୁନାହିଁ । ଯେତେ ଖାଇଲେ ବି ମନେହୁଏ ଯେମିତି କି ସେ ଅଧାପେଟ ଖାଇ ଉଠୁଛି । ଆଗେ ତ ଏମିତି ଲାଗୁ ନଥିଲା ? ମହୀବୋଉ ଖାଇବାକୁ ଦେଲେ, କେଡ଼େ ତୃପ୍ତିରେ ସେ ଖାଇଦେଇ ଯାଉଥିଲା । ସେତେବେଳେ ତା’ର ମନେ ହେଉଥିଲା ସଂସାରରେ ମା’ ପରି ଆଉ କେହି ମନ ବୁଝି ଖାଇବାକୁ ଦେଇପାରନ୍ତି ନାହିଁ । ଏବେ ସେଇ ମା’ ଅଛି, ମା’ ମନରେ ଆଗର ସେଇ ଦରଦ ବି ଅଛି, କିନ୍ତୁ କାବେରୀ ଅଭାବରେ କ’ଣ ଯେମିତି ହଜିଯାଏ–ମନର ସ୍ପୃହା ଚାଲିଯାଏ । ମନେହୁଏ, ଏଇ ସ୍ତ୍ରୀ ନିକଟରେ ଦୁନିଆର ଆଉ ସବୁ ଜିନିଷ ତୁଚ୍ଛ । କାବେରୀ ଆସିବା ଆଗରୁ ମାୟା ପ୍ରଭୃତିଙ୍କର ଯେଉଁ ଅମାନିଆ ବ୍ୟବହାରକୁ ସେ ହସି ଉଡ଼େଇ ଦେଉଥିଲା, ଏବେ କାବେରୀ ମୁହଁରୁ ସେମାନଙ୍କ ବିରୁଦ୍ଧରେ ସେହି ଧରଣର ଅଭିଯୋଗ ଶୁଣିଲେ ମୋହନ ସେମାନଙ୍କ ଉପରେ ବିରକ୍ତ ହୁଏ । ସ୍ତ୍ରୀକୁ ସନ୍ତୁଷ୍ଟ ରଖିବା ତା’ର ଯେପରି ଗୋଟାଏ ବଡ଼ କର୍ତ୍ତବ୍ୟ ହୋଇପଡ଼ିଛି-

 

ଏହି ହେଲା ଦୁନିଆର ନିୟମ । ଯେ ଯାହାକୁ ଭଲପାଏ, ସେ ତା ପାଖରେ ନିଜର ବିଚାରଶକ୍ତିଠୁ ଆରମ୍ଭ କରି ଯାହା କିଛି ଥାଏ ସବୁ ଅକାତରେ ଅଜାଡ଼ିଦିଏ କେବଳ ତାକୁ ନିଜ ପାଖକୁ ଟାଣି ଆଣିବାକୁ । ଆଉ ପରେ ଦେଖେ ଜଣକୁ ଆଣିବାକୁ ଯାଇ ନିଜର ସମସ୍ତଙ୍କୁ ସେ ଦୂରକୁ ଠେଲିଦେଇଛି । ମୁଣ୍ଡ ଉପରେ ପୂଜାଛୁଟି । ଛୁଟିରେ ବାରିପଦା ଯିବାପାଇଁ ମା’ ଚିଠି ଲେଖିଛି-। କେତେଦିନ ହେଲାଣି ବାପାବୋଉଙ୍କୁ ନ ଦେଖି କାବେରୀର ମନଟା ଖାଲି ଗୋଳେଇଘାଣ୍ଟି ହଉଚି-। ଟୁନା, କୁନା ଏହାରି ଭିତରେ କେଡ଼େ ବଡ଼ ବଡ଼ ହୋଇଯିବେଣି, ସେ ନିଜେ ବି କେତେ ବଦଳି ଯାଇଥିବ... ଘରଲୋକ ଦେଖିଲେ କହିବେ । ଖୁସିରେ କାବେରୀ ଗୋଡ଼ ତଳେ ଲାଗୁନାହିଁ ।

 

ଅନ୍ୟାନ୍ୟ ଦିନ ଅପେକ୍ଷା ସେଦିନ କାବେରୀ ମୋହନର ସବୁ କାମ ଟିକିଏ ଯତ୍ନର ସହିତ କଲା । ମୋହନ ଅଫିସ୍‌ରୁ ଫେରିଲା, ଖିଆପିଆ ସରିଲା–ବଳେଇ ବଳେଇ କାବେରୀ ତାକୁ ଅନେକଗୁଡ଼ାଏ ଖୁଆଇଦେଇଛି ।

 

ପଙ୍ଖା ଖୋଲିଦେଇ କାବେରୀ ପାଖରେ ବସି ହସ ହସ ମୁହଁରେ ଘରୁ ଆସିଥିବା ଚିଠି ଖଣ୍ଡିକ ତା’ହାତରେ ଧରେଇ ଦେଲା ।

 

–କିଏ ଦେଇଛି ?

–ତମେ ଆଗ ପଢ଼ । କାବେରୀ ଓଠରେ ହସ ।

 

ଚିଠିଟା ପଢ଼ିସାରିଲାବେଳକୁ ମୋହନ ମନର ସରାଗ ମରିଯାଇଥିଲା । ସେ ପରିବର୍ତ୍ତନ ଟିକକ କାବେରୀ ଆଖି ଏଡ଼ିଦେଇପାରି ନାହିଁ । ମୋହନର ମୁହଁକୁ ଚାହିଁଦେଇ ତା ମୁହଁ ଗମ୍ଭୀର ହୋଇଗଲା । ମୋହନ ଚାହିଁଲା କାବେରୀ ମୁହଁକୁ–ମୁହଁରେ ତା’ର ଝଡ଼ର ପୂର୍ବ ସୂଚନା । ଅଶାନ୍ତି ଏଡ଼େଇବାକୁ ଯାଇ କହିଲା–ହଁ ଏତେକରି ଯେତେବେଳ କହିଛନ୍ତି ନିଶ୍ଚେଁ ଯିବା । ବୋଉ ରାଜି ତ-?

 

ମୁହଁ ଫୁଲେଇ କାବେରୀ ଜବାବ ଦେଲା–ବୋଉଙ୍କୁ ମୁଁ ପଚାରି ନାହିଁ । ଆମ ଘରକୁ ଆମେ ଯିବା । ଏଥିରେ ବୋଉଙ୍କର ରାଜି ଅରାଜିରେ କ’ଣ ଅଛି ?

 

ଆଉ କିଛି ନ କହି ମୋହନ ଶୋଇବାର ଛଳନା କଲା । ମନର ରାଗ ବାହାର କରିଦେବାର ଅନ୍ୟ ବାଟ ନ ପାଇ କାବେରୀ କିଛିବେଳ ସ୍ଥିର ଦୃଷ୍ଟିରେ ମୋହନର ମୁଦା ଆଖିକୁ ଚାହିଁ ଠିଆହୋଇ ରହିଲା । ତା’ପରେ ଝଡ଼ ବେଗରେ ଘରୁ ବାହାରି ଚାଲିଗଲା । ମୋହନ ଆଖି ମେଲି ଚାହିଁଲା । ସେ ଆଶା କରିଥିଲା କବେରୀ ତା’ମନର କଥା ବୁଝିବ; କିନ୍ତୁ ଫଳ ହେଲା ଓଲଟା-। ତାକୁ ହିଁ ଯାଇ ଶେଷରେ କାବେରୀକୁ ଖୁସାମତ କରିବାକୁ ପଡ଼ିବ । ମୋହନର ବିଦ୍ରୋହୀ ମନରେ କାବେରୀ ପ୍ରତି କ୍ଷଣକ ପାଇଁ ବିତୃଷ୍ଣା ଆସିଲା–‘‘ଯେତେ ଯାହା କହ, ନିଜ ବାପଘରର ମମତା ପାଖରେ ସ୍ତ୍ରୀମାନେ ନିଜ ସ୍ୱାମୀଙ୍କୁ ତୁଚ୍ଛ ମଣନ୍ତି, କିନ୍ତୁ ନିର୍ବୋଧ ସ୍ୱାମୀମାନେ ଏହି ସ୍ତ୍ରୀ ପାଇଁ ନିଜର ବାପା-ମା’ଙ୍କୁ ସୁଦ୍ଧା ଦଳିଦେବାକୁ ଟିକିଏ ହେଲେ ପଛାନ୍ତି ନାହିଁ । ଏଇ ତ ଆଖି ଆଗରେ ସେଇ କାବେରୀ ପୁଣି ତା ମନକୁ କେମିତି ଛନ୍ଦି ଦେଇଥିଲା..... ଆଉ ଆଜି ଘରୁ ଖଣ୍ଡେ ଚିଠି ପାଇ ତାକୁ କେମିତି ଛାଡ଼ିଯିବାକୁ ବସିଛି ?’’ ଭାବନାକୁ ଦୂରକୁ ଠେଲି ଦେଇ ମୋହନ ଆଖିବୁଜି ଶୋଇବାକୁ ଚେଷ୍ଟା କଲା ।

 

ବେଳ ଗଡ଼ିଗଲାଣି । ତଥାପି କାବେରୀର ଦେଖା ନାହିଁ । ମୋହନ ବାଧ୍ୟ ହୋଇ ବିଛଣା ଛାଡ଼ି ପଦାକୁ ଆସିଲା ।

 

–ବୋଉ କପେ ଚା ଦବୁ ? ମହୀବୋଉଙ୍କ ପାଖରେ ଠିଆ ହୋଇ ମୋହନ କହିଲା ।

 

ଆଲୋ ମୋ ପୁଅ ଏ ଯାଏଁ ଚା’ ଖାଇନାହିଁ..... ବୋହୂ କଣ କରୁଚି ମ ? ମହୀବୋଉ ଚା’ ତିଆରି କରିବାକୁ ଉଠିଗଲେ ।

 

ମହୀବୋଉଙ୍କ ହାତରୁ ଚା’ କପେ ନେଇ ମୋହନ କହିଲା–ଜାଣିଛୁ ବୋଉ, ତୋ ବୋହୂ ଏ ଛୁଟିରେ ତା ଘରକୁ ଯାଉଛି ?

 

–କିଏ କହିଲା ? ଆଶ୍ଚର୍ଯ୍ୟ ହୋଇ ମହୀବୋଉ ମୋହନ ମୁହଁକୁ ଚାହିଁଲେ ।

–ତା’ ମା’ ପରା ଚିଠି ଦେଇଛି । ମୁଁ ନେଇ ଛାଡ଼ିଦେଇ ଆସିବି ବୋଲି କହିଛି ।

 

ଯିବାକଥା ଶୁଣି ମହୀବୋଉଙ୍କ ମୁହଁ ଶୁଖିଗଲା । କହିଲେ–ଭାଇ ଭାଉଜ କେତେ କରି ଲେଖିଥିଲେ..... ସେମାନେ ତ କେହି ବାହାଘରକୁ ଆସିପାରିଲେ ନାହିଁ..... ଦାଦିଙ୍କର ମୁର୍ତ୍ତିକା ପଡ଼ିଗଲା..... ମୁଁ ଭାବିଥିଲି, ଛୁଟିରେ ଟିକିଏ ବୋହୂକୁ ନେଇ ଗାଁକୁ ଯାଇଥାନ୍ତି । ଆଉ ଅଧିକ କିଛି ନ କହି ମହୀବୋଉ ଚାଲିଗଲେ ।

 

ମୋହନ ବୁଝିଲା ବୋଉ ମନରେ ଦୁଃଖ ହେଇଛି । ତେଣୁ ସେ କାବେରୀକୁ ଅନୁରୋଧ କଲା ଯେ, ସେ ପୂଜାଛୁଟିରେ ମହୀବୋଉଙ୍କ ସାଙ୍ଗରେ ଗାଁକୁ ଯାଉ । ଆସନ୍ତା ବଡ଼ଦିନ ଛୁଟିରେ ସେ ନିଜେ ତାକୁ ନେଇ ବାରିପଦାରେ ଛାଡ଼ିଦେଇ ଆସିବ, କିନ୍ତୁ କାବେରୀର ସେହି ଏକା ଜିଦି–ସେ ଏଇ ଛୁଟିରେ ଘରକୁ ଯିବ ।

 

ଯିବା ଦିନ ପାଖେଇ ଆସିଲା । ପତୁ, ରଞ୍ଜୁ ଦିନରାତି କାବେରୀ ପଛେ ପଛେ ବୁଲୁଛନ୍ତି-। ଭାଉଜବୋଉ କହିଛନ୍ତି ସେମାନଙ୍କୁ ତାଙ୍କ ଘରକୁ ନେଇଯିବେ । ସେଠି ତାଙ୍କର ଭଳି କେତେ ପିଲା ଅଛନ୍ତି । ଖୁସିରେ ପିଲା ଦୁହିଁଙ୍କର ଗୋଡ଼ ଆଉ ତଳେ ଲାଗୁନାହିଁ ।

 

ଯିବା ଆଗଦିନ କାବେରୀ ଗୋଟି ଗୋଟି କରି ସବୁ ଜିନିଷ ତନଖି ଆଲମାରୀରେ ରଖିଦେଲା । ମନରେ ନାନା ଭାବନାର ଅଡ଼ୁଆ ଖିଅ–ଯୋଉ ପହଲି ଟୋକା ଖଣ୍ଡକ ଅଛି, ଟିକିଏ ସୁବିଧା ପାଇଲେ ଗୋଟା ଗୋଟା ପାଉଡ଼ର ଡବା ମୁହଁରେ ସାରିଦେବ । ପୁଣି ଏ ପତୁ, ରଞ୍ଜୁ ଦିହେଁ ସାଙ୍ଗରେ ବାହାରିଛନ୍ତି । ଛୁଆ ଗୋଟିକେ ଜଞ୍ଜାଳ ଗୋଟିଏ । ଏମାନଙ୍କୁ ନେଇ ମୋର କିଏ ସେଠି ସମ୍ଭାଳିବ ? କେହିହେଲେ ମନା କରି ଦିଅନ୍ତେ..... କାବେରୀ ବସି ବସି ଉପାୟ ପାଞ୍ଚିଲା ।

 

ସବୁ ଜିନିଷ ବାକ୍‌ସରେ ରଖିସାରି କବେରୀ ଗୋଟାଏ ଲମ୍ୱା ନିଃଶ୍ୱାସ ଛାଡ଼ିଲା । ଆଉ ଗୋଟିଏ ଜିନିଷ–ତାକୁ ଶାଶୁଘରେ ଉପହାର ମିଳିଥିବା ଶଙ୍ଖ ମାଳିଟା, ମାୟା ବେକରେ ରହିଯାଇଛି-। ସେ କେତେଥର ଚେଷ୍ଟା କଲାଣି ସେଇଟା ଫେରେଇ ଆଣିବାକୁ, କିନ୍ତୁ ପାରିନାହିଁ । ଆଉ ମାୟା ବା କେମିତି ମଣିଷ ! ପର ଜିନିଷ, କେଡ଼େ ନିଶ୍ଚିନ୍ତରେ ନିଜ ପାଖରେ ରଖି ବସି ଯାଇଛନ୍ତି । ଏତିକିବେଳେ ଭାବନାରେ ବାଧାଦେଇ ପତୁ, ରଞ୍ଜୁ ଆସି ମୁହଁ ଦେଖେଇଲେ–ଭାଉଜ’ଉ, ଆମ ଜିନିଷ ଟିକିଏ ସଜାଡ଼ି ଦବ ନାଇଁ ?

 

ନିରୋଳାରେ ପିଲା ଦିହିଙ୍କୁ ପାଇ କାବେରୀ କହିଲା–ଶୁଣ, ତମେ ଏଥର ରହିଯାଅ । ଆସିଲାବେଳେ ତମମାନଙ୍କ ପାଇଁ କେତେ ଜିନିଷ ଆଣିବି, ଜାଣିଲ ? ପୁଣି ଆଉ ଥରକୁ ଗଲାବେଳେ ତମକୁ ନେଇଯିବି, କିନ୍ତୁ ପିଲା ଦିହିଙ୍କର ଏକା ଜିଦି–ଆମେ ଏଇଥର ଯିବା । ଅନ୍ୟ ଉପାୟ ନ ଦେଖି ଶେଷକୁ ବାଧ୍ୟ ହୋଇ ପଇସା ମୁଣିରୁ ଦୁଇଟି ସୁଉକି ବାହାର କରି ଦିହିଁଙ୍କ ହାତରେ ଧରେଇ ଦେଇ କାବେରୀ ସେମାନଙ୍କୁ ଏକରକମ ଜୋର କରି ବିଦା କରିଦେଲା । ଏତେବଡ଼ ଆନନ୍ଦରେ ହଠାତ୍‌ ବାଧାପାଇ ପିଲାଦିହେଁ ପଇସାକୁ ତା’ରି ପାଖରେ ଫିଙ୍ଗିଦେଇ କାନ୍ଦ କାନ୍ଦ ହୋଇ ଚାଲିଗଲେ । ସୁଉକି ଦୁଇଟି ଗୋଟେଇ ଆଣି କାବେରୀ ମନେ ମନେ କହିଲା–ହଅ, କାନ୍ଦୁ ଥାଆନ୍ତୁ । ମୁହୂର୍ତ୍ତକ ପାଇଁ ତା ମନରେ ଟିକିଏ ଆଶ୍ୱସ୍ତି ଆସିଲା, କିନ୍ତୁ ପରକ୍ଷଣରେ ମନଟା ପୁଣି ହାଲୁକା ହୋଇଗଲା ।

 

ବାରିପଦା କଥା ପଡ଼ିଲେ କାବେରୀ ଆଖିରେ ଯେଉଁ ରଙ୍ଗ ବୋଳି ହୋଇଯାଏ, ବାରିପଦାକୁ ଆସି ମୋହନ ସେଥିରୁ କାଣିଚାଏ ବି ପାଇଲା ନାହିଁ । ଆସିବାର ଆଠ ଦଶଦିନ ହେଲାଣି, କିନ୍ତୁ ଏତିକି ଦିନ ତାକୁ ଗୋଟିଏ ଯୁଗ ଭଳିଆ ଲାଗିଛି । ପଦାରେ ବୁଲିଆସି ଘରେ ଗୋଡ଼ ଦେଉ ଦେଉ ଶାଶୁ କେତେ କଥା ଉପଦେଶ ଛଳରେ କହିଦେଇ ଯାଉଛନ୍ତି–ଖାଉଣୁ, ବସୁଣୁ, ଉଠୁଣୁ ଶାଶୁଙ୍କର ତାକୁ ବାଟକୁ ଆଣିବାର ଯେଉଁ ଚେଷ୍ଟା ସେଥିରେ ସେ ଅଣନିଃଶ୍ୱାସୀ ହୋଇପଡ଼ିଲାଣି । ସେହି କଥା ଥରକୁ ଥର ଶୁଣି ଶୁଣି ତା’ର ବେଳେ ବେଳେ ରାଗ ମଧ୍ୟ ହୁଏ ।

 

କାବେରୀ ମା’ଙ୍କର ଖୁଞ୍ଚାଦିଆ କଥା–ପୁଅ, କେତେ ଟଙ୍କା ଦରମା ପାଅ ? ହାତରେ କେତେ ପଇସା ଜମେଇଲଣି ? ହାତରେ ପଇସା ନ ଥିଲେ, ବାପମା କୁହ, ଭାଇଭଉଣୀ କୁହ–କେହି ବିପଦ ବେଳେ ପଦେ ‘ଆହା’ କହିବେ ନାହିଁ । କେବଳ ଜଣେ ବିପଦକୁ ଛାତି ପତାଏ, ସେ ହେଉଛି ନିଜର ସ୍ତ୍ରୀ । ଆଉ ସମସ୍ତେ ସୁଖର ସାଥି... ଏସବୁ ମୁଁ କହନ୍ତି ନାହିଁ... ମୁଁ ବା କାହିଁକି ତମ ଘର କଥାରେ ମୁଣ୍ଡ ପୂରେଇବାକୁ ଯିବି ? ଏଇ ମୋର ଅଙ୍ଗେ ଲିଭେଇଲା କଥା । କଥାରେ ଅଛି–ଯେତେ ଭାଇ ସେତେ ଘର । ନ ବୁଝିଲା ଲୋକ ଖାଲି ‘ଭାଇ’ ‘ଭାଇ’ ବୋଲି ହମ ହମ ହୁଅନ୍ତି । ସେହି ଭାଇ ପୁଣି ଦିନେ ଚିତାକାଟି ଚାଲିଯାଏ । ଏଇ କାବେରୀ ବାପା ତ ପୁଣି ତାଙ୍କର ଛୋଟ ଛୋଟ ଭାଇଭଉଣୀଙ୍କୁ ମଣିଷ କରିଥିଲେ । ଏହିକ୍ଷଣି କେହି ଆସି ଆମ ଦୁଃଖରେ ଭାଗ ନଉଛି ? ବାହାସାହା ହେଲ... ତମର ତ ପୁଣି ପିଲାଝିଲା ହେବେ... ଯେତେହେଲେ ସେ ଭିଟାମାଟି ଘରଖଣ୍ଡିକ ବାଣ୍ଟ ହେବ ନା... ଆଉ କ’ଣ ତମେ ଏକା ରହିପାରିବ ? ସେଥିପାଇଁ ମୁଁ କହୁଚି ଘର ଖଣ୍ଡିଏ ତୋଳ–କୁଡ଼ିଆଟିଏ ହେଉପଛକେ କ’ଣ ହେଲା ? ସେଇଟା ତ ତମ ନିଜର ହେବ ।

 

ଏଇ ଧରଣର କଥା ଶୁଣିବାକୁ ପ୍ରଥମେ ପ୍ରଥମେ ବଡ଼ ଚିଡ଼ି ଲାଗୁଥିଲା । ଜ୍ୱାଇଁଙ୍କର ମୁହଁ ଦେଖି ଶାଶୁ ଏକଥା ବେଶ୍‌ ବୁଝି ପାରୁଥିଲେ, କିନ୍ତୁ ‘ଧୀର ପାଣି ପଥର କାଟେ’ ନୀତିରେ ସେ ଥରକୁ ଥର ସେହି କଥା କହିବାକୁ ଛାଡ଼ିଲେ ନାହିଁ । ଶେଷକୁ ତାଙ୍କରି ଜିତାପଟ ହେଲା । ମୋହନ ମନରେ ଚମକ ଲାଗିଲା । ନିଜ ରୋଜଗାର ଘରଲୋକଙ୍କ ପଛରେ ଏପରି ବେପରଓ୍ୱା ଭାବରେ ଖର୍ଚ୍ଚ କରି ସତରେ କ’ଣ ସେ ଭୁଲ କରୁଚି ? ପୁଅବୋହୂ ଯାଇଁ ବାରିପଦାରେ । ମହୀବୋଉଙ୍କୁ ପୂଜାଟା ପୂଜା ଭଳି ଲାଗୁନାହିଁ । ମନ ଯାଇଁ ପୁଅ ପାଖରେ । ମାୟାଟା ସକାଳୁ ତା’ର କୋଉ ସାଙ୍ଗ ଘରକୁ ଯାଇଚି । ନିଜର ମନ ଭୁଲାଇବାକୁ ସେ ଯଦୁବୋଉଙ୍କ ଘରକୁ ଗଲେ ।

 

ଯଦୁବୋଉଙ୍କ ଘରେ ଲୋକଗହଳି । ତେଣୁ ଯଦୁବୋଉ ମହୀବୋଉଙ୍କୁ ନିଜ ଶୋଇବା ବଖରାକୁ ପାଛୋଟି ନେଲେ । ମସିଣା ଉପରେ ବସି, ପାନଡାଲା ମେଲେଇ ଯଦୁବୋଉ କଥା ପ୍ରସଙ୍ଗରେ ବୋହୂକଥା ପଚାରି ବସିଲେ–‘‘ହଇଲୋ, ତୁ ଏକୁଟିଆ ଆସିଲୁ ଯେ, ବୋହୂ କାହିଁ ?’’

 

–ବୋହୂ ପରା ମହୀ ସାଙ୍ଗରେ ତା ବାପଘରକୁ ଯାଇଚି । ମନଟା ମୋର ଖାଲି ଗୋଳେଇଘାଣ୍ଟି ହଉଚି ! ଆଜିଯାଏ ଚିଠିପତ୍ର ତ କିଛି ଦେଲେ ନାହିଁ । ତାଙ୍କ ବାପାଙ୍କୁ କହିଲି ଯେ ସେ ହସି ଉଡ଼େଇ ଦେଲେ ।

 

ମହୀବୋଉଙ୍କ କଥା ଶୁଣି ମୁହଁ ମୋଡ଼ି ଯଦୁବୋଉ କହିଲେ–ଆଲୋ, ପୁଅ ବାହା ନ ହେବାଯାଏ ବାପମା’ଙ୍କର । ବାହା ହେଲା ପେ ସେ ନିଜର ମାଇପକୁ ନ ପଚାରି ଆଉ କ’ଣ ବାପମା’ଙ୍କୁ ପଚାରନ୍ତା ?

 

–କିଏ ବା ତାଙ୍କ ପଚାରିବାକୁ ଚାହିଁ ବସିଛି ? ମାୟାଟାକୁ କେମିତି ବାହା କରିଦେଲେ ତେଣିକି ମୁଁ ଗୋଟାଏ ଆଡ଼ୁ ନିଶ୍ଚନ୍ତ ହେବି– ଆଉଗୁଡ଼ାକ ତ ପୁଅ । ତାଙ୍କ ପେଇଁ କୋଉ ମୋର ଭାଳେଣି ପଡ଼ିଛି ?

 

–ହଁ ବା, ସେଇଆ ନୁହେଁ କି ? କହି କଥାଟାକୁ ଏକରକମ ଆଡ଼େଇ ଦେଇ ଯଦୁବୋଉ କହିଲେ–ହଇଲୋ, ତୋ ବୋହୂ ଯେ ବାପଘରକୁ ଗଲା, ତା ନଣନ୍ଦ ଦିଅରଙ୍କୁ କଣ ସାଙ୍ଗରେ ଡାକିଲା ନାହିଁ ?

 

–ସେ ନବ ବୋଲି କହୁଥିଲା ଯେ, ମହୀ ପରା ନାହିଁ କଲା ।

 

–ମଲା, ତା ଘରକୁ ସେ ନଉଥିଲା, ମହୀ କାହିଁକି ନାହିଁ କରିବାକୁ ଗଲା ? ସେ ଶିଖେଇ ଦେଇଥିବ ନା ! ମୁଁ ପରା ଏ କାଳର ବୋହୂଙ୍କୁ ହାଡ଼େ ହାଡ଼େ ଚିହ୍ନେ । ସେମାନେ ତିନି ସେଣାରେ ପାଣି ପିଇବେଟି ! ହେଇଟି ମୋ ବୋହୂକୁ ଦେଖୁନୁ–କହି ଯଦୁବୋଉ ମହୀବୋଉଙ୍କ ପାଖକୁ ଆଉ ଟିକିଏ ଲାଗି ଆସିଲେ । ଚାରିଆଡ଼କୁ ଥରେ ଚାହିଁଦେଇ ସ୍ୱର କମେଇ କହିଲେ–ବାହା ହବାର ଛ’ମାସ ଯାଏ ମୁଁ ପାଟିରେ ପାଣି ନ ଦେଲାଯାଏ ବୋହୂ ବି ପାଟିରେ ପାଣି ଦଉ ନଥିଲା । ମୁଁ କହି କହି ଫାଟିଫୁଟି ଗଲି ପଛକେ ତା’ର ସେହି ଏକା ଜିଦି–ନା ବୋଉ, ଆପଣ ଉପାସ ରହିଥିବେ, ମୁଁ କେମିତି ଖାଇଦେଇ ବସିଯିବି ?

 

କିଛି ନ କହି ମହୀବୋଉ ଖାଲି ମୁଣ୍ଡ ଟୁଙ୍ଗାରିଲେ ।

 

ଯଦୁବୋଉ ପୁଣି ଆରମ୍ଭ କଲେ–ଦିନେ କ’ଣ ହେଇଚି ନା ସକାଳେ ତା ଘରକୁ ପଶିଲା ବେଳକୁ ଦେଖିଲି ବୋହୂ କ’ଣ ଚୋବାଇବାରେ ଲାଗିଛି । ମତେ ଦେଖି ସାଙ୍ଗେ ସାଙ୍ଗେ ମୁଣ୍ଡରେ ଓଢ଼ଣା ଟାଣିଦେଲା । କିଛି ନ ଦେଖିଲା ଭଳି ମୁଁ ବି ଚାଲିଆସିଲି । ମନେକଲି ପିଲାଟାକୁ ଭୋକ କରୁଚି, ଅକାଳେ ସକାଳେ ଦିନେ ଖାଇଦେଲା । ଆଲୋ, କହିଲେ ମିଛ ବୁଝିବୁ, ମଉଳା ଶିରାଧ ଦିନ ଜଟିଆ ସେ ଘର ଧୋଇବାକୁ ଯାଇ ତା ଆଲମାରୀ ପଛରୁ ଦି’ ଟୋକେଇ ପତର ଠୁଙ୍ଗା ବାହାର କଲା । ସେଇଠୁ ଜାଣିଲି ସିନା ମୋ ବୋହୂର ଭକ୍ତି କେତେ !

 

ଆହୁରି କେତେ ପୋଥି–ପୁରାଣ ଖୋଲା ହୋଇଥାନ୍ତା, କିନ୍ତୁ ଭିକା ଆସି କଥାରେ ବାଧାଦେଲା–ପୀତାମ୍ୱରବାବୁ ଡକେଇଛନ୍ତି ।

 

‘‘ହଁ, କିଏ ତାଙ୍କ ଭକ୍ତି ଖୋଜୁଛି ?’’ ହାତରେ ଦୁଇ ଖଣ୍ଡ ପାନ ଧରି ମହୀବୋଉ ଯିବାକୁ ଉଠିଲେ ।

 

ମୋହନ ଯେ ଏଇ ପ୍ରଥମ ଥର ପାଇଁ ଘର ଛାଡ଼ିଛି, ତାହା ନୁହେଁ । ଏହା ପୂର୍ବରୁ କାମ ଅକାମରେ ତାକୁ ଅନେକଥର ବାହାରକୁ ଯିବାକୁ ପଡ଼ିଛି । କିନ୍ତୁ ଏଥର ଭଳି କୌଣସି ଥର ମହୀବୋଉଙ୍କୁ ଘରଟା ଏତେ ଖାଲି ଖାଲି ଲାଗି ନଥିଲା । ସେଇ ଘର ଅଛି । ସେଇ ମଣିଷ ଅଛନ୍ତି, କିନ୍ତୁ ତାଙ୍କୁ ଲାଗେ ଯେମିତି ଅଧା ଲୋକ ନାହାନ୍ତି ! ଖାଇ ବସିଲାବେଳେ ଭାତ ଗୁଣ୍ଡାଟା ପାଟିକି ନବାକୁ ଯାଇ ହାତ ଅଟକିଯାଏ–‘ମହୀ ଖାଇବଣି ତ ?’ ଶୋଇଲେ, ବସିଲେ, କାମ କଲେ ସେଇ ଗୋଟିଏ ଚିନ୍ତା–ମହୀ କ’ଣ କରୁଥିବ ? ଟୋକାଟା ନିଜର ଦେହଟାକୁ କେବେ ନଜର ଦିଏ ନାହିଁ । ପୁଣି ମନକୁ ମନ ସାନ୍ତ୍ୱନା ଦିଅନ୍ତି, ପାଖରେ ବୋହୂ ଅଛି, ସବୁ ଦେଖିବ ନାଇଁ ଯେ..... ମୁଁ ବସି ଅକାରଣେ ଏତେ ଭାବି ହଉଚି ।

 

ବୋହୂ... ହଁ ସେ ବାଛି ବାଛି ଘରକୁ ବୋହୂଟିଏ ଆଣିଥିଲେ । କିଛି କରୁ କି ନ କରୁ ଖାଲି ଠିଆ ହୋଇଗଲେ ଘରଟା ପୂରି ଉଠୁଥିଲା । ଯେତେହେଲେ ସେ ହେଲା ଘରର ଲକ୍ଷ୍ମୀ । ଦିନେହେଲେ ତା କଥା ସେ ତଳେ ପକାଇ ଦେଇ ନାହାନ୍ତି । ଏତେ କରି କ’ଣ ହେଲା ? ସେଇ ତ ପୁଣି ତାଙ୍କ କଥାକୁ ଏଡ଼ିଦେଇ ବାପଘରକୁ ଚାଲିଗଲା । ବୋହୂ ଉପରେ ମନ ଭିତରେ ଯେତେ ଅଭିମାନ ହେଲେ ବି ସେ ଅଭିମାନ ତାଙ୍କ ମନରେ ହିଁ ମରିଛି–ବାହାରର କେହି ସେତକ ଜାଣିବାର ସୁବିଧା ପାଇନାହାନ୍ତି । ମନର ଦୁଃଖ ମନରେ ଚପେଇ ଆଜି ସେ ବୋହୂର ବାଟ ଚାହିଁ ବସିଛନ୍ତି–‘‘କତେଦିନ ହେଇଗଲାଣି କେବେ ଫେରିବ ?’’

 

ଛୁଟି ସରିଯାଇଛି । ମହୀବୋଉଙ୍କୁ ଏ କେଇଟା ଦିନ ଗୋଟିଏ ଯୁଗ ଭଳି ମନେ ହେଇଚି-। କାବେରୀ ମୋହନ ଫେରିଆସିଛନ୍ତି । ସାଙ୍ଗରେ କାବେରୀର ବାରବର୍ଷର ଭାଇ କୁନା । ଅପା ଆସିଲାବେଳେ କୁଆଡ଼େ କାନ୍ଦିକାଟି ଅପା ସାଙ୍ଗରେ ଚାଲିଆସିଛି ।

 

କାବେରୀକୁ ଦେଖି ପହଲି, ରଞ୍ଜୁ ଚାରିପଟେ ଘେରିଗଲେ,–କି ଜିନିଷ ପରା ଆଣିବ କହିଥିଲ, ଦିଅ ।

 

କାବେରୀ ଦେଖିଲା ମାୟା ଓ ମହୀବୋଉ ତା’ର ମୁହଁକୁ ଚାହିଁଛନ୍ତି । ଟିକିଏ ବିରକ୍ତ ହେଲାଭଳି ମୋହନ ଆଡ଼କୁ ଚାହିଁ କହିଲା, ମୁଁ ଏତେକରି କହିଲି, ପିଲାମାନେ ଚାହିଁ ବସିଥିବେ, ତାଙ୍କ ପାଇଁ ନେଇ କରି ଯିବା–ମୋ କଥା ଶୁଣିଲେ ନାହିଁ । ଆଉ କେବେ ଯଦି ୟାଙ୍କ କଥାରେ ମୁଁ ପଡ଼ିଛି !

 

ମୋହନ କାନ୍ଧରେ ଏପରି ଦୋଷ ଲଦିଦେବାର ଦେଖି ମୋହନ ମନଭିତରେ ଟିକିଏ ବିରକ୍ତ ହେଲା । ତଥାପି ଉପର ମୁହଁରେ ହସ ଟାଣି କହିଲା–ଆଚ୍ଛା, ମୁଁ ଏଇଠୁ କିଣିଦେବି । ତା’ପରେ କୁନା ପିଠିରେ ହାତ ଥାପୁଡ଼େଇ ମହୀବୋଉଙ୍କ ଆଡ଼କୁ ଚାହିଁ ହସି ହସି କହିଲା–ବୁଝିଲୁ ବୋଉ, ଆମ କୁନା ଏଇଠି ରହି ପାଠ ପଢ଼ିବ ବୋଲି ଆସିଛି । ବାରିପଦା ତାକୁ ଭଲ ଲାଗୁନାହିଁ ।

 

ମନ ଭିତରେ ବିରକ୍ତ ହେଲେ ବି ଓଠରେ ହସ ଖେଳେଇ ମହୀବୋଉ କହିଲେ–ଭଲ କଥା, ଭଉଣୀ ପାଖରେ ରହିବ । ସେଥିରେ କ’ଣ ଅଛି ?

 

କୁନା ଆସିବା ଦ୍ୱାରା ମାୟାର ଟିକିଏ ଅଧିକା ସୁବିଧା ହେଲା । ଖେଳର ଆରା ଦେଖାଇ ପତୁ ରଞ୍ଜୁ ହେରିକା ଯେଉଁ କାମକୁ ପିଠି ଆଡ଼େଇ ଦେଇ ଚାଲିଯାନ୍ତି, ବାଧ୍ୟ ଛୁଆଟିପରି କୁନା ସେ କାମ କରିଦିଏ । ନିରୋଳାରେ କାବେରୀର ଧମକ କାମ କଲାବେଳେ କୁନା ଭୁଲିଯାଏ । କେମିତି କରି ସେ ଏତେ ବଡ଼ ମଣିଷଟାକୁ ନାହିଁ କରିଦେବ ? ତା’ର ସଙ୍କୋଚ ହୁଏ । କିଛିଦିନ ଏପରି ଦେଖିବା ପରେ ସହି ନପାରି ଶେଷକୁ ଦିନେ କାବେରୀ ମୋହନ ଆଗରେ ଫେରାଦ ହେଲା ।

 

ସେହିଦିନ ଉପରବେଳା–ମୋହନ ବୁଲି ବାହାରିଲାବେଳେ ଦେଖିଲା, ମାୟା ଅଇଁଠା ହାତରେ ଠିଆହୋଇ କୁନାକୁ ଢାଳେ ପାଣି ପାଇଁ ବରାଦ କଲା । ପାଣି ଆଣୁ ଆଣୁ ପଛରୁ ମାୟାର ପାଟି ଶୁଭିଲା–କେଡ଼େ ଅଳସୁଆଟାଏ ମ ? ପିଲାଏ ସିନା ଦୌଡ଼ି ଦୌଡ଼ି ସବୁ କାମ କରନ୍ତି ! ମାୟାକୁ ଏପରି ଆଦେଶ ଦେଉଥିବାର ଦେଖି ମୋହନ ସେଇଠି ଅଟକି ଗଲା । ଆଦେଶ ସ୍ୱରରେ କହିଲା–ମାୟା ତୋ କାମ ତୁ ନିଜ ହାତରେ କରିପାରୁନୁ ?

 

–କୋଉ କାମଟା ମୁଁ ନିଜ ହାତରେ ନ କରେ ? ମାୟା ରାଗରେ ମୋହନ ଆଡ଼କୁ ଚାହିଁଲା ।

 

–ସେ କ’ଣ ତୋରି କାମ କରିବାକୁ ଏଠିକି ଆସିଛି ? ମାୟା କଥା ନ ଶୁଣିଲାପରି ମୋହନ କହିଲା ।

 

ଗାଣୁ ଗାଣୁ ହୋଇ ମାୟା ଜବାବ ଦେଲା– ହଉ, ହଉ, ତମ ଭିଣେଇପଣିଆ ଗୁଡ଼ାକ ରଖିଦେଇଥା–ଆଉ କାହା ପାଖରେ ଦେଖେଇବ ।

 

ମୋହନ ଗମ୍ଭୀର ହୋଇ ଆଉ ଅଧିକ କିଛି ନ କହି ସେ ଜାଗା ଛାଡ଼ି ଚାଲିଗଲା । ସେ ସହଜରେ କମ୍‌ କଥା କହେ । କିନ୍ତୁ ସେହି କଥା କେଇପଦରେ ସମସ୍ତେ ଚପି ଯା’ନ୍ତି–ଏକା ମାୟାକୁ ଛାଡ଼ି । ପାଖ ବାରଣ୍ଡାରେ ଥାଇ କାବେରୀ ସବୁ ଶୁଣୁଥିଲା । ମାୟାର କଥାଗୁଡ଼ାକ ତା’ ଦେହରେ ଯେମିତି ଛୁରୀ ଚଳେଇ ଦେଲା । ରାଗରେ ମୁହଁ ବୁଲେଇ ବଖରା ଭିତରେ ପଶି ଯାଉ ଯାଉ ଶୁଣେଇ ଶୁଣେଇ କହିଲା–ହେଁ, ମୁହଁକୁ ଲାଜ ନାହିଁ ! ଏ ପୁଣି ବଡ଼ ଭାଇ !

 

କାବେରୀର କଥାଗୁଡ଼ାକ ମାୟା କାନରେ ବାଜିଗଲା । ମୁହଁଟା ତାର ହଠାତ୍‌ ଲାଲ୍ ହୋଇଉଠିଲା ।

–ଭାଉଜ, କ’ଣ କହିଲ, କ’ଣ କହିଲ ? ମାୟା କାବେରୀକୁ ପଛରୁ ଡାକିଲା ।

–କିଛି ନାହିଁ । କାବେରୀ ଘର ଭିତରେ ପଶିଗଲା ।

–ବାଃ, ବେଶ୍ ମୁହଁ ଖୋଲିଗଲାଣି ତ ?

 

ମାୟାର କଥାଗୁଡ଼ାକ କାବେରୀ ଗାଲରେ ଚଟକଣା ଭଳି ବସିଲା । ସେତିକିବେଳେ ପାଖ ବଖରାରୁ ମହୀବୋଉଙ୍କ ପାଟି ଶୁଭିଲା–ମାୟା ! ଏମିତି କ’ଣ କହନ୍ତି ? ବଡ଼ ଭାଉଜ ପରା ମା ସମାନ... ତୁ....

 

ମହୀବୋଉଙ୍କ କଥାକୁ କାନ ନ ଦେଇ ଶୁଣେଇ ଶୁଣେଇ ମାୟା କହିଲା–ମା ନା ଚୁଲି ! ଦିନରାତି ତ ଚୁଗୁଲି ଫୋଡ଼ୁ ଫୋଡ଼ୁ ୟାଙ୍କୁ ବେଳ ଅଣ୍ଟୁ ନାହିଁ । ମା ସାଙ୍ଗରେ ସମାନ ହୋଇ ପଶିବେ କୋଉ ଗୁଣକୁ ? କି କାମଟା ଆମେ କୁନା ହାତରେ କରାଉ ଯେ କୁନା ଏଠି ଚାକର ହୋଇଗଲା ?

 

ନିଜ ବଖରାରେ ଥାଇ କାନ୍ଦ କାନ୍ଦ ହୋଇ କାବେରୀ କହିଲା–ଯିଏ ଯା କରୁ, ସବୁ ଦୋଷ ମୋ’ରି । କେତେବେଳେ ତାଙ୍କୁ ଶିଖେଇ ଦେଲି ?

 

–ହଉ ରଖ, ରଖ, ସେ କଥାଗୁଡ଼ାକ ଆଉ କାହା ପାଖରେ ସକେଇ ହବ ।

 

ମହୀବୋଉ କାମ ଛାଡ଼ି ବାହାରି ଆସିଲେ–ମୁହଁରେ ବିରକ୍ତିର ଚିହ୍ନ । ଏତିକିବେଳେ ପାଖଘରୁ ଜୋରରେ କାନ୍ଦ ଶୁଭିଲା । ବିରକ୍ତ ହୋଇ ମହୀବୋଉ ମାୟାକୁ କହିଲେ–ପିଲାଟା ସାଙ୍ଗେ କାହିଁକି ଲାଗିଚୁ ? ସେ ସେଣେ କାନ୍ଦିଲାଣି ।

 

–ମୁଁ କାହା ସାଙ୍ଗରେ ଲାଗିନାହିଁ । ଯାହା ଆଖିରେ ବେଶି ଲେମ୍ୱୁପାଣି ଥିବ, କିଏ ଅଟକେଇ ପାରିବ ? ଆମକୁ ବି କାନ୍ଦିଆସେ ଯେ–କହି ମାୟା ରାଗରେ ସେ ଜାଗା ଛାଡ଼ି ଦୁମ୍‌ ଦୁମ୍‌ ହୋଇ ଚାଲିଗଲା ।

 

ଗୁରୁବାର । ମୁହଁସଞ୍ଜ ଗଡ଼ିଗଲାଣି । ଚଉରାମୂଳେ ସଳିତାଟାଏ ବି ଏଯାଏଁ ଜଳି ନାହିଁ । ବୋହୂ ତା ଘରେ ବସି କାନ୍ଦୁଛି । ମାୟା କଳି କରି ତା’ ପଢ଼ାଘରେ ଯାଇ ବସିଛି । କ’ଣ କରିବେ ବୁଝି ନପାରି ମହୀବୋଉ କାବେରୀ ପାଖକୁ ଗଲେ ।

 

ଖଟରେ ମୁହଁକୁ ମାଡ଼ିଦେଇ କଇଁ କଇଁ ହୋଇ କାବେରୀ କାନ୍ଦୁଛି । ମହୀବୋଉଙ୍କ ପାଟି ଶୁଣି ତା କୋହ ଦି’ଗୁଣ ହୋଇଗଲା । କେତେ ରାଣ ନିୟମ ପକାଇବା ପରେ କାବେରୀ ତୁନି ହେଲା ସତ, କିନ୍ତୁ ପଦାକୁ ଆସିଲା ନାହିଁ । କାନ୍ଦି କାନ୍ଦି ମୁଣ୍ଡବାଳ ଅଳିଆ ମଳିଆ ହୋଇଗଲାଣି । ଗମ୍ଭୀର ମୁହଁରେ ଛଳ ଛଳ ଆଖି କରି ସେ ସେମିତି ଖଟ ଉପରେ ବସିରହିଲା ।

 

ବୁଲିସାରି ମୋହନ ଘରକୁ ଫେରି କାବେରୀର ଲାଲ ଆଖିକି ଚାହିଁ ଆଶ୍ଚର୍ଯ୍ୟ ହୋଇଗଲା । ଆଜିର ଏ ରୂପ ତା ଆଖିରେ ନୂଆ । ହଠାତ୍‌ ପାଟିରୁ ବାହାରି ଆସିଲା–ତମେ କାନ୍ଦୁଥିଲ କି ? ଅସ୍ୱାଭାବିକ ସ୍ୱରରେ କାବେରୀ ଜବାବ ଦେଲା–ନାଇଁ କାନ୍ଦିବି କାହିଁକି ? କୁନାକୁ ଆମ ଘରେ ନେଇ ଛାଡ଼ି ଦବାର ବନ୍ଦୋବସ୍ତ କର, ତା ପାଇଁ ମୁଁ ଆଉ ଏତେ କଥା ସହିପାରିବି ନାହିଁ-

 

–କ’ଣ ହେଲା କହୁନା ?

 

–ଆଜି ମତେ ମାୟା କହିଲେ ତୁମକୁ ମୁଁ ସବୁକଥା ଶିଖେଇ ଦଉଛି । କି ଦରକାର ଅଛି-? ତମଭଳି ସୁନା ପୁଅକୁ କାହିଁକି ମୁଁ ଶିଖେଇ କରି ଖରାପ କରିବାକୁ ଯିବି ? ମୁଁ ମୋର ଆମ ଘରକୁ ଚାଲିଯାଉଛି ।

 

–ଆଃ, କ’ଣ ଏତେ ସାମାନ୍ୟ କଥାରେ ଘରକୁ ଯିବାକଥା କହୁଛ ? ଏଇଟାକୁ କ’ଣ ତମେ ନିଜ ଘର ବୋଲି ମନେକର ନାହିଁ ?

 

ଭୁରୁ କୁଞ୍ଚେଇ ତାଚ୍ଛଲ୍ୟ ଭାବରେ କାବେରୀ କହିଲା–ନିଜ ଘର ? ହଁ, ନିଜ ଘର ! ଏଇଟା ପୁଣି ମୋ ନିଜ ଘର । ନୂଆ କଥାଟାଏ ମତେ ଆଜି ଶୁଣେଇଲେ..... ବୋଉ ନ ହେଲେ କ’ଣ ମତେ ଆଉ ମିଛରେ କହୁଥିଲା ?

 

ସେହି ବାଟ ଦେଇ ଯାଉ ଯାଉ ମହୀବୋଉଙ୍କ କାନରେ କାବେରୀର କଥାଗୁଡ଼ାକ ବାଜିଗଲା । ସେ ସତେକି ପଥର ପାଲଟିଗଲା । ଏଇ ତେବେ ତାଙ୍କ ବୋହୂ ! ୟାରି ଉପରେ ସେ ତାଙ୍କର ଛୋଟିଆ ସଂସାରଟିର ଭାର ଛାଡ଼ିଦେଇ ନିଶ୍ଚିନ୍ତ ହେବେ ବୋଲି ମନେ କରିଛନ୍ତି । ଯିଏ ଏଇ ସାନ କଥା ସହିପାରୁ ନାହିଁ, ସେ ପୁଣି କେମିତି କରି ତା’ର ଏତେ ଛୋଟ ଛୋଟ ନଣନ୍ଦ ଦିଅରଙ୍କୁ ମଣିଷ କରିବ ? ଆଉ ଅଧିକ ଶୁଣିବାକୁ ଅପେକ୍ଷା ନକରି ମହୀବୋଉ ଫେରିଗଲେ । ମନରେ ତାଙ୍କର ନିଆଁ ଜଳୁଛି ।

 

ଗୋଟିଏ ରାତିର ବ୍ୟବଧାନ ଭିତରେ କାବେରୀ ମନର ଯେତେକ ଅଭିଯୋଗ ସବୁ ମୋହନ ଭୁଲିଗଲା । କିନ୍ତୁ ମହୀବୋଉ ଭୁଲିପାରିଲେ ନାହିଁ । ଯେଉଁ କାମରେ ହାତ ଦେଲେ ବି ଆଗଦିନ ଶୁଣିଥିବା କଥା କେଇପଦ ଗୁଡ଼େଇତୁଡ଼େଇ ହୋଇ ମନ ଭିତରେ ରୂପ ନେଉଥାଏ । କାବେରୀର ହସ, କଥା, କାମ–ସବୁ ଯେପରି ଛଳନା ପୂର୍ଣ୍ଣ । ବର୍ତ୍ତମାନ ତାଙ୍କର ଏକମାତ୍ର ଚିନ୍ତା, କେମିତି ମାୟକୁ ପାରି କରିଦେବେ । ପୁଅ ତିନିଟାଙ୍କ ଭାଗ୍ୟରେ ଯାହା ଥିବ ହେବ । ଯିଏ ଥରେ ଫଣା ଟେକିଲାଣି ତାକୁ ଆଉ ବିଶ୍ୱାସ ନାହିଁ–ଦିନେ ନିଶ୍ଚେ ଚୋଟ ମାରିବ ।

 

ମନର ଦୁଃଖ ଆଉ କାହା ଆଗରେ କହି ନପାରି ଶେଷକୁ ପୀତାମ୍ୱରବାବୁଙ୍କୁ କହିଲେ, କିନ୍ତୁ ପୀତାମ୍ୱରବାବୁ କଥାର ଗୁରୁତ୍ୱ ଏଡ଼ିଦେଇ ମହୀବୋଉଙ୍କୁ ବୁଝେଇଦେଲେ ଯେ ସବୁ ଘରେ ଏମିତି କଳି ଅଶାନ୍ତି ହୁଏ, ପୁଣି ସବୁ ଆପେ ସୁଧୁରିଯାଏ । ତେଣୁ ସେସବୁ କଥାକୁ ଭାବି ବସିଲେ ମନର ଅଶାନ୍ତି ଖାଲି ବଢ଼ିବ ।

 

ମହୀବୋଉଙ୍କ ହାବଭାବର ପରିବର୍ତ୍ତନ ଲକ୍ଷ୍ୟ କରି କାବେରୀ ମନରେ ସନ୍ଦେହର ଛାଇ ପଡ଼ିଲା–ତେବେ କଣ ମୋହନ ସେଦିନ ରାତିର ଘଟଣାସବୁ ଶାଶୁଙ୍କୁ କହିଦେଇଛି ? କାହିଁକି ବୃଥାଟାରେ ସେ ମୋହନ ଆଗରେ ଏସବୁ କହିବାକୁ ଗଲା ? ଯଦି ତା ଶାଶୁ ଏକଥା ଶୁଣିଥିବେ, ତେବେ ସେ ମନରେ କ’ଣ ଭାବିଥିବେ ?

 

ମୋହନକୁ ଛାଡ଼ିଦେଲେ ଏ ଘର ଭିତରେ ଯଦି କାହା ପ୍ରତି କାବେରୀର ମମତା ଥାଏ, ତେବେ ସେ ହେଉଛନ୍ତି–ମହୀବୋଉ । ‘ଶାଶୁ’ କହିଲେ ମନରେ ଯେଉଁ ଛବି ଆଙ୍କି ହୋଇଯାଏ ମହୀବୋଉ ତା’ଠାରୁ ବହୁତ ଭିନ୍ନ । ସୂର୍ଯ୍ୟର ସ୍ପର୍ଶରେ ଘାସ ଉପରେ ଜମିଥିବା ଶିଶିରବିନ୍ଦୁ ମିଳେଇଗଲା ପରି କାବେରୀ ମନରେ ରୂପ ନେଉଥିବା ନିଜ ମା’ ର କଥାଗୁଡ଼ାକ ମହୀବୋଉଙ୍କର ଖାଲି ଗୋଟାଏ ଚାହାଣି ପାଖରେ ମିଳେଇଯାଏ–‘‘ହଁ ବା, କେତେ ଶାଶୁ ଦେଖିଚି..... ସେ ପ୍ରଂଶସା ଆଉ କାହା ଆଗରେ କରିବୁ । ହଇଲୋ, ବୋହୂ ଝିଅ କେବେ ସମାନ ହୋଇ ପାରିଲେଣି ? ସବୁ ଖାଲି ଉପରଦେଖାଣିଆ । ତତେ ହୁଣ୍ଡୀ ଦେଖି ସମସ୍ତେ ଠକୁଛନ୍ତି । ମୂଳରେ ରହିଲା ପଇସା । ସେଥିପାଇଁ ଏତେ ମିଠାକଥା । ପଇସାମୁଠାକ ତୁ ଆଜି ହାତରେ ଭିଡ଼ି ଧର, କାଲିକି ଆଉ ତତେ କେହି ଦେଖି ସହିପାରିବେ ନାହିଁ ।’’ ମହୀବୋଉଙ୍କ ବିଷୟରେ ଏସବୁ ଭାବିବାକୁ ମଧ୍ୟ କାବେରୀକୁ ଖରାପ ଲାଗେ; କିନ୍ତୁ ପାଟିରୁ ଯାହା ଥରେ ଖସିଛି, ତାକୁ ଆଉ ଫେରେଇଆଣି ହେବ ନାହିଁ । ପଛ କଥାକୁ ମନରେ କରି କାବେରୀ ମନରେ ଅନୁତାପ ଆସିଲା ।

 

ଖରା ଅଧା ମୁଣ୍ଡ ଉପରକୁ ଉଠି ଆସିଲାଣି । ଏତିକିବେଳେ ଯଦୁବୋଉଙ୍କୁ ସାଥିରେ ଧରି ମିନିବୋଉ ପୀତାମ୍ୱରବାବୁଙ୍କ ଘରକୁ ନିମନ୍ତ୍ରଣ କରି ଆସିଲେ । ତାଙ୍କ ନାତିର ଏକୋଇଶା ନିମନ୍ତ୍ରଣ ।

 

ମାୟାକୁ ଦେଖି ଯଦୁବୋଉ ପଚାରିଲେ–ତୋର ଇସ୍କୁଲ ନାହିଁ କିଲୋ ?

–ମୁଁ ଆଜି ଯାଇ ନାହିଁ ।

 

ଏତିକିବେଳେ ମହୀବୋଉଙ୍କୁ ପାଖକୁ ଦେଖି ଯଦୁବୋଉ କହିଲେ–ଆଲୋ ମହୀବୋଉ, ଆମେ ତୋ ବୋହୂପରଷା ଖାଇବାକୁ ଆସିଲୁ ।

 

–ଖାଉନା, କିଏ ମନା କରୁଛି ? ହସି ହସି ମସିଣାଟା ପାରିଦେଇ ମହୀବୋଉ ପୁଣି କହିଲେ–ଆଜି କେମିତି ଗଡ଼ିପଡ଼ିଲ ?

 

–ନାତିର ଏକୋଇଶା । ପିଲାପିଲି ସମସ୍ତଙ୍କୁ ନେଇକରି ଯିବ, ମିନିବୋଉ କହିଲେ ।

–ନାତିଟା କାହାପରି ହୋଇଛି ?

 

–ସେ ଯାହାପରି ହେଉ, ଆମକୁ ସେଥିରୁ କ’ଣ ମିଳିବ ? ପଛଆଡ଼େ ମୁହଁ ଥିଲେ ବି ସେ ମରଦ ପୁଅ–କୋଉ ଝୁଅଟା ହେଇଚି ଯେ ବାଛ ପଡ଼ିଯିବ ? ମାଆ ଗୋଡ଼ ତ ଚାରି ହାତ ଛଡ଼ାରେ ପଡ଼ୁଚି । ନୂଆକରି ପୁଅ ଜନମ କରିଛନ୍ତି..... ଆଜିଯାଏ ଆଉ କେହି ପୁଅ ଜନମ କରି ନଥିଲେ..... ପିଲା, ‘କୁଆଁ’ ‘କୁଆଁ’ କରି କାନ୍ଦିଲେ ବୋହୂ ଧାଇଁ ଯାଉଛନ୍ତି ପୁଅ ପାଖକୁ । ପିଲାଟା ‘କୁଆଁ’ କହୁଛି କାହିଁକି ? ଯାଅ ଡାକ୍ତରଙ୍କୁ ପଚାରି ଆସିବ ।

 

ଯଦୁବୋଉ ଆସନ ଜମେଇ ବସି କହିଲେ–ମଲା ମୋର, ପିଲାଟା ‘କୁଆଁ’ କହିବ ନାହିଁ ତ ଆଉ କ’ଣ ‘ବାପା’, ‘ବୋଉ’ ବୋଲି ଡାକିବ ?

 

ଯଦୁବୋଉଙ୍କ ମୁହଁକୁ ଚାହିଁ ମିନିବୋଉ କହିଲେ–ମୁଁ ସେଇଆ କହିଲି ଯେ, ବୋହୂ ସାଆନ୍ତାଣୀ ଆମର କହିଲେ, ‘ନାଇଁ, ତା ସ୍ୱରଟା କାହିଁକି କେମିତି ଗୋଟିଏ ଶୁଭୁଚି । ହେଳା କଲେ ବଢ଼ିଯିବ..... ଦେଖାନ୍ତୁ..... ତାଙ୍କର ବେଶି ପଇସା ଅଛି ଦେଖେଇବେ । ଆମେ ମୂର୍ଖ ମଣିଷ କାହିଁକି ସେଥିରେ ମୁଣ୍ଡ ପୂରେଇବାକୁ ଯିବା କହିଲ ?

 

ହଁ, ତା ନୁହେଁ ତ ଆଉ କ’ଣ ? କୋଉ କହିଲେ ଆମ କଥା ରହିଯିବ ? କହୁନ ? ସମର୍ଥନ ଆଶାରେ ଯଦୁବୋଉ ମହୀବୋଉଙ୍କ ମୁହଁକୁ ଚାହିଁଲେ । ଦୁଇଆଡ଼କୁ ପାଇଲାଭଳି ମୁଣ୍ଡ ଟୁଙ୍ଗାରି ଟିକିଏ ହସି ମହୀବୋଉଙ୍କ ମିନିବୋଉଙ୍କ ମୁହଁକୁ ଚାହିଁଲେ ।

 

ମିନିବୋଉ ପୁଣି କଥାର ଖିଅ ଧରି କହିଲେ–ସେଇଆ ପରା । ପିଲାକୁ ତେଲ ହଳଦୀ ଦେବାକୁ ଦି’ମାସ ଆଗରୁ ଗୋଟାଏ ଚାକରାଣୀ ଯୋଗାଡ଼ କରିଥିଲି । ବୋହୂ ପୁଅକୁ କି ମନ୍ତର ଦେଲା କେଜାଣି, ଏବେ ପୁଅ ଆସି ମତେ କହୁଚି ଯେ ଦେଶୀ ଚାକରାଣୀ ସୁବିଧା ହେବ ନାହିଁ । ସେମାନେ ଗୋଟାଏ ‘ଆୟା’ ରଖିବେ । ଆୟାମାନେ କୁଆଡ଼େ ମା’ଠାରୁ ବଳି ଯତ୍ନ କରନ୍ତି ।

 

ହସି ହସି ଯଦୁବୋଉ କହିଲେ–ନୂଆ କଥାଟାଏ ମତେ ଆଜି ଶୁଣେଇଲ ସଙ୍ଗାତ ! ଆମେ ଜାଣିଥିଲୁ କରେ ତ କରେ ମା, ନଇଲେ ମାଆର ମା । ଆୟାମାନେ ପୁଣି ମା’ଠାରୁ ବେଶି ଯତ୍ନ କରନ୍ତି ?

 

–ଆଲୋ, କାବା ହୋଇଯାଉଚୁ କ’ଣ ? ଏ ଯୁଗ ହେଲା ପରା ସେଇଆ । କ’ଣ ଆଉ କହିବିଟି । ପେଡ଼ି ଖୋଲି ବସିଲେ ଦିନରାତି ଜଣାପଡ଼ିବ ନାହିଁ..... ଚାଲ୍ ଯିବା..... ଆଉରି କେତେ ଜାଗାକୁ ଯିବାର ଅଛି, କହି ମିନିବୋଉ କାବେରୀକୁ ଖୋଜିଲେ ।

 

–ତମ ବୋହୂ କାହିଁ ଦେଖାଯାଉ ନାହିଁ, କଣ ନାହିଁ କି ?

–‘‘ତମକୁ ସବୁ ଦେଖି ଲୁଚିଛନ୍ତି ବୋଧହୁଏ ।’’ ଘର ଆଡ଼କୁ ଚାହିଁ ମାୟା କହିଲା ।

 

–ଆଲୋ ବୋହୂ, କୁଆଡ଼େ ଗଲୁ ? ତତେ ପରା ଏଣେ ଖୋଜୁଛନ୍ତି । ମହୀବୋଉ ଡାକ ଛାଡ଼ିଲେ ।

 

ହଳଦୀ ଗର ଗର ହାତରେ କାବେରୀ ଆସି ଦିହିଙ୍କୁ ମୁଣ୍ଡିଆ ମାରିଲା ।

–କଣ କରୁଥିଲୁ କି ? କାବେରୀ ପିଠିରେ ହାତ ରଖି ମିନିବୋଉ ପଚାରିଲେ ।

–ମସଲା ବାଟୁଥିଲି । ଲାଜ ଲାଜ କାବେରୀ କହିଲା ।

 

–ତମେ କାହିଁକି ବାଟୁଥିଲ ? ଭିକା କୁଆଡ଼େ ଗଲା କି ? ତୀକ୍ଷ୍‌ଣ ଦୃଷ୍ଟିରେ କାବେରୀକୁ ଚାହିଁ ମାୟା ପଚାରିଲା ।

 

–ବଜାରକୁ ଯାଇଛି । ତାର ହାତ ଘୋଳେଇ ହଉଛି ଯେ କହିଲା ବାଟିପାରିବ ନାହିଁ । ଧୀର ଭାବରେ କାବେରୀ ଜବାବ ଦେଲା ।

 

–ଶାଶୁ ସାଙ୍ଗରେ କାଲି ଆମ ଘରକୁ ଯିବୁଲୋ ! ମନେ ରହିଲା ? ମିନିବୋଉ କାବେରୀର ମୁଣ୍ଡ ଆଉଁସି ଦେଇ କହିଲେ । କାବେରୀ ମୁଣ୍ଡ ହଲେଇ ନିଜର ସମ୍ମତି ଜଣେଇଲା ।

 

ମହୀବୋଉଙ୍କୁ ଗୁଆ କାଟୁଥିବାର ଦେଖି କାବେରୀ ଉଠି ଆସିଲା ପାନ ଚିରିବାକୁ । କାବେରୀର ଲାଜ ସରମ, ଧୀର ଚାଲି, ଥିର କଥା, ମିନିବୋଉଙ୍କ ମନରେ ବଡ଼ ଗହିରୀଆ ଗାର ଟାଣିଦେଲା । ରୂପ ଯେମିତି, ଗୁଣ ସେମିତି । ଖାଲି ଥରେ ଚାହିଁଦେଲେ ପେଟ ପୂରିଯିବ । ତାଙ୍କ ବୋହୂଗୁଡ଼ାକ କୁଆଡ଼ର ହେଲେ ନାହିଁ । କାବେରୀକୁ ଚାହିଁ ଚାହିଁ ଗୋଟିଏ ଦୀର୍ଘନିଶ୍ୱାସ ପକେଇ ମହୀବୋଉଙ୍କୁ ଚାହିଁ ମିନିବୋଉ ଖାଲି ଏତିକି କହିଲେ–ତମେ ବଡ଼ କପାଳିଆ । ଅତି ଛୋଟ କେଇପଦ କଥା । କିନ୍ତୁ ତା’ରି ଭିତର ଦେଇ ତାଙ୍କ ମନର ଅନେକ ଅକୁହା କଥା ପ୍ରକାଶ ପାଇଗଲା–ଠିକ୍‌ ଯେମିତି ଅନ୍ଧାର ରାତିର ସରୁ ଗୋଟିଏ ବିଜୁଳିର ଗାର ପଛଆଡ଼ର ବିରାଟ ମେଘକୁ ଦେଖାଇଦିଏ ।

 

ମିନିବୋଉ ମସିଣା ଛାଡ଼ି ଯିବାକୁ ଉଠିଲେ–ଯାଉଚିଲୋ, ଥା । ଗାଳି ଦବ ନାହିଁ । ଆଉରି ଦି’ଚାରି ଘର ଯିବାକୁ ଅଛି । ଗୋଡ଼ ସିନା ଉଠିଲା, କିନ୍ତୁ କାହାରି ପାଟି ବନ୍ଦ ହେବାକୁ ନାହିଁ-। ଏତେ ଅଳ୍ପ ସମୟ ପାଇଁ ଦେଖା । କାହୁଁ କାହୁଁ କଥାସବୁ ଆସି ମନେ ପଡ଼ିଯାଉଅଛି । କଥା ମଝିରେ ମଝିରେ ବାଧାଦେଇ ଟିକିଏ ଦୂରରେ ଠିଆହୋଇ ଭିକା ପଚାରିଲା–ମା, ଏତେବେଳ ହେଲାଣି, ମସଲା-ମସଲି ବାହାର କରିଦେଇନା । ଆଉ କେତେବେଳେ ରନ୍ଧା ହେବ ? ପୂଝାରୀ ସେଣେ ମୋ ଉପରେ ଖପ୍‌ପା ହେଉଛି ?

 

–କିରେ ତୋର ପରା ହାତ ଘୋଳି ହଉଚି ବୋଲି ମସଲା ବାଟିବାକୁ ନାହିଁ କରିଦେଲୁ-? ସେଥିପାଇଁ ଭାଉଜ’ଉ ବାଟିଲେ ? ମାୟା କହିଲା ।

 

–ନାଇଁ ତ ! ମୋ ହାତ କାହିଁକି ଘୋଳି ହବ ? ମୁଁ ତ ଅବିକା ବଜାରରୁ ଆସୁଛି । କିଛି ମସଲା ନାହିଁ । ଖାଲି କ’ଣ ହଳଦୀ ଟିକିଏ ବଟାହୋଇ ଥୁଆ ହୋଇଛି । ମତେ ବେଗି ବାହାର କରି ଦେଇଯାଅ । କହି ଭିକା ଚାଲିଗଲା ।

 

ମାୟା ଚାହିଁଲା କାବେରୀ ମୁହଁକୁ । କାବେରୀ ଗୁଣୁଗୁଣୁ ହୋଇ କ’ଣ କହିଲା ଶୁଭିଲା ନାହିଁ । ଅସରନ୍ତି ଗପର ସୁଅ ସେଇଠି ଛିଣ୍ଡିଗଲା । ମୁରୁକିହସା ଦେଇ ଯଦୁବୋଉ ସଙ୍ଗାତକୁ ଚୁମୁଟିଲେ । ପାନ ଦି’ଖଣ୍ଡ ହାତରେ ଧରି ମିନିବୋଉ ଆଉଥରେ କହିଲେ–ନିଶ୍ଚେ ଯିବ..... ସମସ୍ତଙ୍କୁ ନେଇ ।

 

–ଭଲ ବୋହୂଟିଏ । ଗାଡ଼ିରେ ବସି ମିନିବୋଉ କହିଲେ ।

–ଦେଖୁ ଦେଖୁ ଚିହ୍ନି ପକେଇଲ ।

–ଦେଖିବ ସେ କେବେହେଲେ ଖରାପ ପଡ଼ିବ ନାହିଁ ।

 

–କେତେ ଜାଗାରେ ଦେଖିଲିଣି ନା ! ଖାଲି ଏଇ ଗୋଟାକ ? ବରଷେ ଦି’ବରଷ ଯାଉ, ତା’ପରେ ତାଙ୍କ ନିଜ ରୂପ ବାହାରିବ । ଆଲୋ ‘‘ହାତିଅନ୍ଧା ପାଖେ ନଡ଼ିଆ ଗଛ, ଘରକୁ ମାଡ଼ିଲା ଶିଅ, ବୋହୂଙ୍କର ଗୁଣ ଦାଣ୍ଡେ ମହକିବ, ଦିଶିଲାଣି ଥୟ ହୁଅ ।’’

 

–ତୁ ତ ସବୁ ଜାଣିଛୁ.....

 

–କାହିଁକି, ତମେ ଦେଖ, ସେଇ ବୋହୂ ଆସିଲାବେଳେ ତାଙ୍କ ରୂପ ଥାଏ ଗୋଟାଏ ରକମର... ପିଲାଟିଏ ହେଲାପରେ ହୁଏ ଆଉ ରକମର..... ପୁଣି ମୁରବି ହେଲାପରେ ଆଉ ଗୋଟାଏ ରକମର । ସେତେବେଳେ ଶାଶୁ କାହାକୁ ମୁଠାଏ ଭିକ ଦେଲେ ବୋହୂ ଯାଇଁ ପୁଅ ପାଖରେ ଫେରାଦ ହୁଏ, ‘ଘର ଉଜାଡ଼ି ଦଉଛନ୍ତି....’ ଏଣେ ନିଜେ ପଛକେ ମାସରେ ମୁଠା ମୁଠା ଟଙ୍କା ପାଉଡ଼ର, ଅତର, ସିନେମାରେ ବିଞ୍ଚି ଦେଉଥିବେ– ସେତକ ବୋହୂ କି ପୁଅ–କାହାରି ଆଖିକି ଦୁଶେ ନାହିଁ.....

 

–ହଁ, ସେଇଆ ନୁହଁ ତ କଣ ।

 

–ସମର୍ଥନ ପାଇ ଯଦୁବୋଉ ଦୁଇ ଗୁଣ ଜୋରରେ କହିଲେ–ଏଇ ଆଜି ଦେଖିଲ ନାଇଁ, ହଳଦୀ ଟିକିଏ ବାଟି ପକେଇ ହାତକୁ କେମିତି ରଙ୍ଗେଇ ଆମ ପାଖକୁ ଆସିଥିଲା..... ମାୟାଟାର ତ ଟିକିଏ ହେଲେ ମୁହଁ ଲାଜ ନାହିଁ, ତାକୁ ହାତେ ହାତେ ଧରେଇ ଦେଲା । ଆଲୋ ବୁଲୁଥିଲୁ ତ ବୁଲୁଥିଲୁ, ଆମକୁ ଦେଖି କିଆଁ କାମ କରିବାକୁ ଧାଇଁଗଲୁ ?

 

–ସତେ ? ଆଲୋ ଏତେ କଥା କେତେବେଳେ ହୋଇଗଲା ବା ? ମୁଁ ତ କିଛି ବୁଝିପାରିଲି ନାହିଁ... ତୁ ସେଇଥିପାଇଁ ମତେ ଚୁମୁଟୁଥିଲୁ କି ? ମୁଁ ଭାବୁଥିଲି ସିନା ତୁ ସେ ଚାକରର କାନମୂଳ ଆବୁକୁ ଦେଖଉଚୁ ବୋଲି ? ହସି ହସି ମିନିବୋଉ କହିଲେ ।

 

–ଜାଣିବାକୁ ବସିଲେ ସବୁ ଜାଣିହେବ, ନ ଜାଣିବାକୁ ବସିଲେ କିଛି ଜାଣିପାରିବ ନାହିଁ..... ଆଗୋ, ମୋ ନିଜର ପରା ଗୋଟାଏ ବୋହୂ ଅଛି..... ଖାଲି ମୁଁ ଟିକିଏ ଟାଣୁଆ ପଡ଼ିଚି ବୋଲି ସେ ଚପିକରି ଅଛି, ନଇଲେ ସିଏ ମତେ କେବେଠୁ ବାରିଆଡ଼କୁ ତଡ଼ିଦେଇ ସାରନ୍ତାଣି... ଜାଣିଚ ତ ମୋର କେମିତି ଶାଣଦିଆ ମୁହଁ..... ପଦେ କହିଲେ ଦଶପଦ ଝାଡ଼ି ଦେଇଯାଏ..... ନିଜେ ପୁଅ ଡରୁଚି, ବୋହୂ ନ ଡରି ଯିବ କୁଆଡ଼େ ? ଯେଉଁଦିନ ମୋ କଥାରୁ ବାହାରିଯିବ, ସେଇଦିନ ସେମାନଙ୍କୁ ଘରୁ ବାହାର କରିଦେବି... ପୁଅ ମୋର ନ ହେଲା ନାହିଁ, ପୋଷିଆଁ ପୁଅ ହବାକୁ ମତେ ବହୁତ ଲୋକ ମିଳିବେ..... ମୁହଁରେ ଟିକିଏ ନିଆଁ ଦେବା କଥା ତ ? ଏମାନେ ମତେ ନେଇ କୋଉ ସ୍ୱର୍ଗରେ ବସେଇ ଦେବେ, ଆଉ ସେମାନେ ପାରିବେ ନାହିଁ ? ଯଦୁବୋଉ ସମର୍ଥନ ପାଇବା ଆଶାରେ ସଙ୍ଗାତଙ୍କ ମୁହଁକୁ ଚାହିଁଲେ ।

 

ମିନିବୋଉ ବସି ଅନ୍ୟ କଥା ଭାବୁଥିଲେ । ତାଙ୍କୁ ଚୁପ୍ ରହିବାର ଦେଖି ଯଦୁବୋଉ କହିଲେ–ଫୁଲେଇ ବୋହୂଗୁଡ଼ାଙ୍କୁ ମୁଁ ଦି’ ଆଖିରେ ଦେଖିପାରେ ନାହିଁ । କିଓ, ବାହା ତ ହେଲ, ମୁରବି ହେଲ, ସବୁଥିରେ ଘରଣୀ ପାଲଟିଲ, ଆଉ ଏବେ ଫୁଲେଇ ହଉଛ କାହିଁକି ? ସତେ ଯେମିତି ସେହିମାନେ ଏକା ପିଲା ଜନମ କରୁଛନ୍ତି, ଆଉ ତାଙ୍କ ଶାଶୁମାନେ କରିନାହାନ୍ତି ! ପାନସିଠାତକ ରିକ୍‍ସା ବାହାରକୁ ଫିଙ୍ଗିଦେଇ ଯଦୁବୋଉ ହସି ହସି ପୁଣି ଆରମ୍ଭ କଲେ, ‘‘ଗୋଟାଏ ମଜାକଥା ଶୁଣ । ଗତସାଲ ପଞ୍ଚୁକ ବେଳକୁ ମୁଁ ପୁରୀ ଯାଇଥିଲି । ଦିନେ ଆମ ସାହିର ଜଣକ ଘରକୁ ବୁଲି ଯାଇଥିଲି, ଶାଶୁ ଯେ ଏଡ଼େ–’’

 

ଅନ୍ୟମନସ୍କ ଭାବରେ ମିନିବୋଉ କହିଲେ–ମହୀବୋଉଟା ବଡ଼ କପାଳିଆ ।

ବିରକ୍ତ ହୋଇ ଯଦୁବୋଉ କହିଲେ–ହେତ୍‌, ମହୀବୋଉ କଥା ବସି ଭାବୁଛି ।

–ନାଇଁ ମ ମୁଁ ସବୁ ଶୁଣୁଚି । କ’ଣ ସେ ଶାଶୁ କଥା କହୁଥିଲୁ ?

 

–ହଁ କ’ଣ କହୁଥିଲିଟି ? ଶାଶୁଟା ଏଡ଼େ ରୋଗୀଣା, କହିଲେ ମିଛ ବୁଝିବୁ, ଦିହରେ ପଳେ ହେଲେ ମାଉଁସ ନାହିଁ । କିନ୍ତୁ ବୋହୂ ଠିକ୍ ତାର ଓଲଟା । ଗୋଟାଏ ହାତରେ ଶାଶୁ ଭଳିଆ ଚାରିଟାଙ୍କୁ ଟେକିଦବ । ଦି’ପୁଅର ସାନଟି ତା’ ବୋହୂକୁ ନେଇ ବିଦେଶରେ ଅଛି । ବାକି ଘରେ ରହିଛନ୍ତି ବଡ଼ ପୁଅ, ବଡ଼ ବୋହୂ, ଗୋଟିଏ ନଣନ୍ଦ ଆଉ ବୁଢ଼ାବୁଢ଼ୀ । ବୋହୂଟିକୁ ଗେହ୍ଲା କରି କରି ସମସ୍ତେ ଏମିତି ମୁଣ୍ଡରେ ବସେଇଚନ୍ତି ଯେ ସେ କୁଆଡ଼େ ଘରେ କୁଟା ଖଣ୍ଡକୁ ଦି’ଖଣ୍ଡ କରେ ନାହିଁ...

 

ଏତିକିବେଳେ ହଠାତ୍‌ ମିନିବୋଉ ଛିଙ୍କିଲେ ।

 

–ଓହୋ, ଛିଙ୍କ ପଡ଼ିଲା । ସତ୍‌ ସତ୍‌..... ହଁ, କ’ଣ କହୁଥିଲିଟି ? ଟିକିଏ ରହିଯାଇ ଯଦୁବୋଉ ଅଧା ରହିଥିବା କଥା ମନେପକାଇ କହିଲେ– ସେ ବୋହୂ ଘରେ କୁଟା ଖଣ୍ଡକ ଦି’ଖଣ୍ଡ କରେ ନାହିଁ, ଆମେ ଯାଇଥିଲୁ ଯେ ଶାଶୁ ଆମପାଇଁ ପାନ ଭାଙ୍ଗୁଥିଲା । ଏତିକିବେଳେ ଉପର ମହଲାରେ ଥାଇ ବୋହୂ କହିଲା, ‘ବୋଉ, ମତେ ଖଣ୍ଡେ ପାନ’ । ଶାଶୁ କହିଲା ଯେ ମୋର ମୁଣ୍ଡ ବୁଲାଉଚି, ମୁଁ ଉଠି ପାରିବି ନାହିଁ । ତୁ ଆସି ନେଇଯା । ତେଇଁକି ସେ ଅଲାଜୁକୀ ବୋହୂ ପୁଣି ଗେହ୍ଲେଇ ହେଇ କହୁଥାଏ, ‘ନାଇଁ ତେମେ ନିଜେ ଆସି ଦେଇଯା’..... ଆଲୋ ମୁଁ ତ କାବ୍‌ବା..... କଥା କ’ଣନା ବୋହୂ ଗୋଡ଼ରେ କଣନଖାଟାଏ ହେଇଚି ବୋଲି ଡାକତର ଚାଲିବାକୁ ମନା କରିଚି... ଶୁଣିଲୁ ? ଏମିତି ଗୁଣର ବୋହୂକୁ ସେ ଶାଶୁ ପୁଣି ଦିନରାତି ମୁଣ୍ଡରେ ବସେଇଥାଏ..... ମୋର ଏମିତି ବୋହୂ ଥିଲେ, ହେଁ, କୋଉ ଦିନଠୁ ତାକୁ ସଳଖି ଦେଇ ସାରନ୍ତିଣି ..... ଆଲୋ, ଆମେ ସିନା ବୋହୂ କରିଥିଲୁ ସେବା ପାଇବାକୁ..... ସେତକ ତ ଚୁଲିକି ଗଲା..... ତହିଁ ଉପରେ ପୁଣି ଏ ବୁଢ଼ୀ ବଅସରେ ତାଙ୍କ ସେବା କରିବୁ !

 

ସବୁ ଶୁଣି ମିନିବୋଉ କହିଲେ–ଏ କାଳ ତ ହେଲା ସେଇଆ..... କାହାକୁ କହିବ ? କପାଳ କଥା...

 

–ଯାହା କହିଲ, ‘କପାଳ ଦଶା, ଘରେ ଗିରୀଷମ, ବାହାରେ ମଶା’...

 

ଦେହରେ ଗୋଟାଏ ଜାଗା ଗଲୁ କଲେ, ଯେମିତି ସେଇଟା ଧୀରେ ଧୀରେ ଚାରିଆଡ଼େ ବ୍ୟାପିଯାଏ, ସେମିତି ଗୋଟିଏ ବୋହୂ କଥାରୁ ଆଉ ଗୋଟିଏ, ଆଉ ଗୋଟିଏ ହୋଇ କେତେ ବୋହୂଙ୍କ କଥା ପଡ଼ିଗଲା । ବାଟ ସରିଗଲା କିନ୍ତୁ କଥା ସରିଲା ନାହିଁ । ହଠାତ୍‌ ଏଡ଼େ ସୁନ୍ଦର କଥା ମଝିରେ ପୂର୍ଣ୍ଣଛେଦ ଟାଣିବାକୁ ଯଦୁବୋଉଙ୍କ ମନ ବଳିଲା ନାହିଁ । ନିଜ ଘର ସାମନାରେ ଗାଡ଼ି ଅଟକିବାର ଦେଖି ସେ ମିନିବୋଉଙ୍କ ହାତଧରି ଆସ ବା’ ଟିକିଏ ବସିବ..... ଯିବ ତ, ଏମିତି ତରବର କାହିଁକି ?

 

‘‘–ନାଇଁଲୋ, ଆଜି ଆଉ ବେଳ ନାହିଁ । ସେଣେ ଛୁଆଗୁଡ଼ାକ ମତେ ଚାହିଁଥିବେ..... ଆଉ ଯାହା ଘର ରହିଗଲା, ପରେ ଯିବି’’ କହି ମିନିବୋଉ ରିକ୍‍ସାବାଲାକୁ ଆଗେଇ ଯିବାକୁ କହିଲେ ।

 

ଦିନଯାକ କାବେରୀ ମନ ଭଲ ନାହିଁ । ଏତେ ଲୋକଙ୍କ ଆଗରେ ମାୟା ତାକୁ ଚିହ୍ନା ପକେଇ ଦେଲା । ‘‘ଟୋକୀଖଣ୍ଡକ କିଛି କମ୍‌ ନୁହେଁ’’–କାବେରୀ ମନେ ମନେ ଦାନ୍ତ ରଗଡ଼ିଲା–ଛି, ସେମାନେ କଣ ଭାବିଥିବେ ! ଶାଶୁ ବି କ’ଣ ମନେ କରିଥିବେ ? ମାୟା ସିନା ପଦେ କହିଲା, କିନ୍ତୁ ସେଇ ଯଦୁବୋଉ, ସେଇତ ଏକା ଘର ଘର ବୁଲି ଏକଥା ବନେଇ ଚୁନେଇ କହିବେ ।’’

 

ପ୍ରକୃତରେ ଯେ କାବେରୀର ଭାବନା ଭୁଲ, ତା’ନୁହେଁ । ସେଦିନ ଯଦୁବୋଉ ଯାହା ଶୁଣିଲେ, ସେଥିରେ ତାଙ୍କ ପେଟ ପୂରି ଯାଇଥିଲା । ଏମିତି ପର ବିଷୟରେ ଚର୍ଚ୍ଚା କରୁକରୁ ଯଦୁବୋଉଙ୍କ ବେଳ କୁଆଡ଼େ ଗଡ଼ି ଚାଲିଯାଏ । ଏତକ ମଧ୍ୟ ମାନିବାକୁ ହବ ଯେ, ମାଇପି ମହଲରେ ଯଦୁବୋଉଙ୍କ ଆଦର ବେଶି । ଯେଉଁଠି ବସି ପଡ଼ିବେ, ମାଇପେ ଆସି ଘେରିଯିବେ–କିଏ ଅପା, କିଏ ସହୀ, କିଏ ସଙ୍ଗାତ ।

 

ପଛଆଡ଼େ ମାଣ୍ଡି ଭରାଦେଇ ହାତ ରଖି, କଳରେ ପାନ ଯାକି ଯଦୁବୋଉ ଯେତେବେଳେ ଅନ୍ୟର ନିନ୍ଦା କରି ବସିନ୍ତି, ନ ଦେଖିଲା ଲୋକର ବି ଥରେ ଶୁଣିବାକୁ ଇଚ୍ଛା ହବ । ସଭାରେ ଜଣକର ହାଇ ଆସିଲେ ତାହା ଯେମିତି ସଂକ୍ରାମକ ରୋଗପରି ଜଣକଠାରୁ ଅନ୍ୟଜଣକୁ ଡେଇଁଯାଏ, ସେମିତି ଯଦୁବୋଉଙ୍କର ପରନିନ୍ଦା ଶୁଣିଲେ, ପାଖ ମାଇପଙ୍କର ମଧ୍ୟ ପାଟି ଖଲ ଖଲ ହୁଏ ଦି’ପଦ କହିଦେବାକୁ । ସବୁ ଶୁଣିସାରି ନିଜର ପୁଞ୍ଜି ବଢ଼େଇ ଯଦୁବୋଉ ଚାଲନ୍ତି ଆଉ ଜଣକ ଘରକୁ । କାହାରି ଘର ଖବର ତାଙ୍କୁ ଅଛପା ରହେ ନାହିଁ । କୋଉଠି ସୋରିଷ ଫୁଟିଲେ, ତାଙ୍କ ନାକକୁ ବାସନା ଯାଏ । ସେଇ ଯଦୁବୋଉଙ୍କ ସାମନାରେ ଆଜି କାବେରୀ ଧରା ପଡ଼ିଯାଇଛି ।

 

ପାଣିରେ ଟେକାଟିଏ ପଡ଼ିଲେ ତାହା ଯେମିତି କିଛି ସମୟ ପାଇଁ ପାଣିକି ଚହଲେଇ ଦେଇ ପୁଣି ସ୍ଥିର ହୋଇଯାଏ, ସେମିତି କାବେରୀର ମନ କିଛି ସମୟ ପାଇଁ ଦିଲିଗିଲି ହୋଇ ପୁଣି ପୂର୍ବ ଅବସ୍ଥାକୁ ଫେରି ଆସିଲା ।

 

ପରଦିନ ନିଦ ଭାଙ୍ଗିବାମାତ୍ରେ କାବେରୀର ପ୍ରଥମେ ନିମନ୍ତ୍ରଣ କଥା ମନେପଡ଼ିଲା । ପ୍ରକୃତରେ ମିନିବୋଉଙ୍କ ଘରକୁ ଯିବାରେ ତାର ଏକମାତ୍ର ଉଦ୍ଦେଶ୍ୟ ତାଙ୍କ ବୋହୂକୁ ଦେଖିବା । ସେ ମାୟାଠାରୁ ଶୁଣିଛି ତାଙ୍କ ବୋହୂ କୁଆଡ଼େ ଭାରୀ ସୁନ୍ଦର । କାବେରୀ ବିଛଣାରେ ଶୋଇ ଶୋଇ ଭାବିବାରେ ଲାଗିଲା–ସେ ବୋହୂ କ’ଣ ତା’ଠାରୁ ବେଶୀ ସୁନ୍ଦର ?

 

ବେଳ ଗଡ଼ିଯାଉଛି । ଖରାବେଳେ ସମସ୍ତେ ଖାଇପିଇ ଶୋଇବା ପରେ କାବେରୀ ନିଜ ନଖରେ ରଙ୍ଗବୋଳି ବସିଲା । ନିଜକୁ ସଜେଇବା ଯେପରି ଆଜି ତାର ଏକମାତ୍ର ଚିନ୍ତା । ଗହଣା ବାକ୍‍ସ ଖୋଲି, ବାଛି ବାଛି କେତୋଟି ଗହଣା ପିନ୍ଧି ଆରସି ଆଗରେ ଠିଆହୋଇ ଦେଖିଲା ମାନୁଛି କି ନାହିଁ । କିଛି ବେଳ ଏହିପରି ଗହଣା ପିନ୍ଧା–ଉତୁରା ହେବା ପରେ ସେ ବାକ୍‍ସରୁ ବାଛି ବାଛି ଶାଢ଼ୀ କାଢ଼ିଲା ।

 

ସଞ୍ଜ ହେବାକୁ ଆଉ ଅଳ୍ପ ବାକି । ସମସ୍ତେ ଲୁଗାପଟା ପିନ୍ଧି ସାରିଲେଣି । ପିଲା ଚାରିଜଣ ଖୁସିରେ ଖାଲି ଏପଟ ସେପଟ ହେଉଛନ୍ତି–ଗାଡ଼ି ଆସିଲେ ସେମାନେ ଯିବେ । ବେଳେ ବେଳେ କାବେରୀ ମୁହଁକୁ ଥରେ ଚାହିଁଦେଇ ଯାଉଛନ୍ତି–‘କେଡ଼େ ସୁନ୍ଦର ଦିଶୁଛନ୍ତି’ । ଉପରେ ପଡ଼ି କାବେରୀକୁ ଟିକିଏ ସଜାଡ଼ି ଦଉ ଦଉ ମାୟା କହିଲା–ତମର ସେ ପଥରବସା ହାରଟା ପିନ୍ଧିଲ ନାହିଁ ଭାଉଜ’ଉ ? ରାତିରେ ମାନି ଥାଆନ୍ତା ।

–କେଜାଣି ସେଇଟା କୋଉ ଭିତରେ ପଡ଼ିଛି ପାଉନାହିଁ ।

–ଚାଲ, ମୁଁ ଖୋଜିଦେବି । ଏଇଟା ପିନ୍ଧ ନାହିଁ..... ତମ ବେକକୁ ମୋଟେ ମାନୁନାହିଁ ।

 

କୁନା କାବା ହୋଇ କାବେରୀ ମୁହଁକୁ ଚାହିଁଛି– ଅପା, କୋଉ ହାର ମ ? ସେଇ ଯୋଉ ହାରଟା ବଲୀଅପା ପିନ୍ଧିଚି ଟି ?

–ନାଇଁ ମ, ତୁ ଜାଣିନୁ..... ସେଇଟା ତା ହାର ।

–ନାଇଁ ଅପା, ମୋର ଠିକ୍‌ ମନେଅଛି ପରା, ବୋଉ ବାପାଙ୍କୁ କହୁଥିଲା ।

ହଠାତ୍‌ କୁନା ଗାଲରେ ଗୋଟାଏ ଚଟକଣା ବସିଲା– ଯୋଉ କଥା ଜାଣିନୁ, ପାଟି କରିବୁ ନାହିଁ । ତୁ ମୋଠୁଁ ବେଶି ଜାଣିଛୁ ?

କାବେରୀର ବଡ଼ ଆଖି ଦେଖି କୁନା ଚପିଗଲା । ନିଜର ଦୋଷ ବୁଝି ନପାରି ତଳକୁ ଅନାଇ ନଖରେ ଗାର କାଟିବାକୁ ଲାଗିଲା । କାବେରୀର ରାଗ ବାହାରିବାର ଅନ୍ୟ ବାଟ ନପାଇ ପୁଣି କୁନାକୁ ଆକ୍ରମଣ କାଇଁକି ଗୋଡ଼ ମଇଳା କରୁଚୁ ?

ଏଥର ଆଖି ଲୁହ ଆଖିରେ ଚାପି ନ ପାରି ପାଟିବାଟେ ଶବ୍ଦର ସହିତ ବାହାରି ଆସିଲା-। ଆଉ କିଛି ନ ପାଇ କାବେରୀ କୁନାକୁ ଧକ୍କାଏ ଦେଇ ହସିଲା ମୁହଁରେ କହିଲା–ବହୁତ ହେଇଗଲା, ଏଥର ଚାଲ, ମୁହଁ ସଫା କରି ଆସିବ ।

ଲୁହ ବିଲିବିଲା ମୁହଁକୁ ଦୁଇ ହାତରେ ନେସି ନେସି କୁନା ସେମିତି ଖୁଣ୍ଟପରି ଠିଆହୋଇ ରହିଲା । ମନରେ ଡର । ଅପା ସାଙ୍ଗରେ ଗଲେ ଘର ଭିତରେ ଅପା ନିଶ୍ଚେ ବାଡ଼େଇବ କାବେରୀ ନଛୋଡ଼ବନ୍ଧା– କିରେ ଆସୁଛୁ ନା ପୁଣି ଦେଖିବୁ ?

ଏତେବେଳଯାଏ ମାୟା ଚୁପ୍‌ହୋଇ ସବୁ ଦେଖୁଥିଲା । ଏଥର ଆଗେଇ ଆସି କୁନାର ହାତ ଧରି ଟିକିଏ ଆଦର କରି ଘର ଭିତରକୁ ନେଇଗଲା–ଓଠରେ ଚାପା ହସ । କାବେରୀ ଦେହ ଜଳିଗଲା–ମୁହଁ ପୋଡ଼ାଟା ସବୁ ଧରା ପକେଇ ଦେଲା । ନିଶ୍ଚେ ମାୟା ବୁଝିଛି । ନ ହେଲେ ଏମିତି ହସନ୍ତା କାହିଁକି ? ଏଣିକି ସମସ୍ତେ ଜାଣିବେ..... ହଁ, ଜାଣିଲେ ଜାଣନ୍ତୁ । ମୋ ଜିନିଷ ମୁଁ ଯାହା କଲି-। କାବେରୀ ମନକୁ ମନ ସାନ୍ତ୍ୱନା ଦେଲା ।

ତା’ପରେ କୁନା ପାଖକୁ ଯାଇ କାବେରୀ କହିଲା–କୁନା ! ଆ, ପାଉଡ଼ର ଲଗେଇବୁ ।

–ନାଇଁ, ମୁଁ ଏଇଠି ଲଗେଇବି ।

–ଯାଉନୁ, ଅପା ଡାକୁଚି ପରା ! ମାୟା କହିଲା ।

ଅନିଚ୍ଛା ସତ୍ତ୍ୱେ କୁନା ଆସ୍ତେ ଆସ୍ତେ କାବେରୀ ସାଙ୍ଗରେ ବାହାରି ଆସିଲା । ମୁହଁ ଶୁଖିଯାଇଛି । ଥରକୁ ଥର କାବେରୀ ମୁଁହକୁ ଡରିଲା ଆଖିରେ ଚାହୁଁଥାଏ । ମୁହଁରେ ତା’ର ପାଉଡ଼ର ଲଗେଇ ଦେଇ କାବେରୀ ତୁନି ତୁନି କହିଲା– ତତେ ଯିଏ ଯାହା ପଚାରିବ, କହିବୁ ମୁଁ ଜାଣି ନାହିଁ, ବୁଝିଲୁ ?

ମାଡ଼ ବଦଳରେ ଆଦର କଥା ଶୁଣି କୁନା ଖୁସି ହୋଇଗଲା । ଅପା ହସୁଛି । ମାୟା ମୁହଁ ଦୁଆର ବନ୍ଧରେ ଦିଶିଲା । ଭାଉଜ’ଉ ଗାଡ଼ି ଆସିଲାଣି..... କିରେ କୁନା ଭାରି ହସ ଯେ ?

‘‘ମୁଁ କିଛି ଜାଣିନାହିଁ’’ କହି କୁନା ଗୋଟିଏ କୁଦା ମାରି ଘରୁ ବାହାରି ଚାଲିଗଲା । ତା ପଛେ ପଛେ କାବେରୀ ଓ ମାୟା ବାହାରି ଆସିଲେ ।

ମୁରଲୀବାବୁଙ୍କର ଘର । ଚାରିଆଡ଼େ ଦଳ ଦଳ ହୋଇ ସ୍ତ୍ରୀଲୋକ ବସିଛନ୍ତି । ସବୁ ଦଳରେ ଭିନ୍ନ ଭିନ୍ନ କଥା ନେଇ ଚର୍ଚ୍ଚା ପଡ଼ିଛି । କୋଉଠି ସିନେମା ଗପ, କୋଉଠି ବାପଘରର, ଶାଶୂଘରର ବଡ଼େଇ, ଆଉ କୋଉଠି ନିତିଦିନିଆ ଘରକରଣା କଥା । ବୁଢ଼ୀଦଳ ଭିତରୁ ଅନେକଙ୍କର କାନ କଥାରେ ଥିଲେ ମଧ୍ୟ ଆଖି ରହିଛି ନିଜ ଝିଅ ନାତୁଣୀଙ୍କ ଉପରେ । ଜଣେ ସେହି ବସିଲା ଜାଗାରୁ କୁହାଟ ଛାଡ଼ୁଛନ୍ତି–ଆଲୋ ହେ ସାବି ! ଏଇଠିକି ଆ’ ବା ବସିବୁ, ସେଣେ କୁଆଡ଼େ ଯାଉଚୁ ?

ସାବୀ ଶୁଣି କରି ନ ଶୁଣିଲା ପରି ଆଡ଼େଇ ଦଉଚି ।

–ଇଲୋ, ହେଇତି ଆସିଲେଣି । ମିନିବୋଉ ଉଠିଆସି ମହୀବୋଉଙ୍କ ହାତ ଧରିଲେ । ଅଇଚ୍ଛା ତମରି କଥା ପଡ଼ିଥିଲା ପରା । ତମର ବହୁତ ଆଇଷ ।

–ହଁ, ଏତେ ଆଇଷ ମୋ କ’ଣ ହବ ? ତମେ ଅଧେ ନିଅ । ହସି ହସି ମହୀବୋଉ କହିଲେ ।

ଘର ଭିତରେ ଲୋକ ଖୁନ୍ଦାଖୁନ୍ଦି । ହଠାତ୍‌ ସମସ୍ତଙ୍କ ଆଖି ଦିଗନିରୂପଣ କଣ୍ଟାପରି ଘୂରିଯାଇ ମହୀବୋଉଙ୍କ ପଛରେ ଥିବା କାବେରୀ ଉପରେ ପଡ଼ିଲା । ସମସ୍ତଙ୍କୁ ନ ଚାହିଁ କରି ମଧ୍ୟ କାବେରୀ ସେତକ ବୁଝିନେଲା ।

ମାୟା ଥରେ ଚାରିଆଡ଼ ଭଲ କରି ଦେଖିନେଲା । ସମସ୍ତେ ଚିହ୍ନା–ସମସ୍ତେ ପାଖରେ ବସିବାକୁ ଡାକୁଛନ୍ତି । ମହୀବୋଉ ତାଙ୍କ ମହଲକୁ ଚାଲି ଗଲେଣି । ମାୟା ପଛରେ କାବେରୀ ରହିଛି । ବାଟ କାଟି ଯାଉ ଯାଉ ଜଣେ କିଏ ତା’ର କାନି ଭିଡ଼ିଧରି ବସେଇ ଦେଲା । ସାମାନ୍ୟ ବିରକ୍ତ ହୋଇ ମାୟା ତଳକୁ ଚାହିଁ କହିଲା–କିଏ ମ, ଅଭଦ୍ରଙ୍କ ପରି ଲୁଗାଟା ଭିଡ଼ି ଦଉଚି ।

–ହ, ଆଉ କାହିଁକି ଚିହ୍ନିବୁ ?

–ଆରେ ତୁ ଏଠି ? କ’ଣ ଏକାଥରେ ଘରଣୀ ବନିଗଲୁଣି ! ମାୟା ସେଇଠି ବସି ପଡ଼ିଲା । ମୁଣ୍ଡରୁ ଲୁଗା ସାମାନ୍ୟ ଟାଣିଦେଇ ଟିକିଏ ଲାଜ ଲାଜ ହୋଇ କାବେରୀ ମାୟା ପିଠିକି ଲାଗି ବସିଲା ।

ପିଲାଦିନର ସ୍କୁଲ ସାଙ୍ଗ ସୁରମା । ଅନେକ ଦିନ ହେଲାଣି ତା’ର ବାହାଘର । ତା’ ସାଙ୍ଗରେ ଯେ ଏତେଦିନ ପରେ ଏପରି ଭାବରେ ଦେଖାହେବ, ମାୟା ଭାବି ନଥିଲା । ମୁଣ୍ଡ ଚନ୍ଦା ହୋଇ ଆସିଲାଣି, ଗାଲର ହାଡ଼ ବାହାରି ପଡ଼ିଚି । ଚଉଡ଼ା ସୁନ୍ଥାରେ ସିନ୍ଦୂର ଗାର ଦେଖିଲା ଲୋକ ଆଖିରେ କୌଣସି ପ୍ରକାର ସୌନ୍ଦର୍ଯ୍ୟର ଛାପା ଆଣିବ ନାହିଁ । କଳା ଆଖି ପେଜୁଆ ପଡ଼ିଚି । ମାୟାର ପାଟି ମେଲି ହୋଇଗଲା... ଏଇ କ’ଣ ସତରେ ସେଇ ସୁରମା, ଯାହାର ସୁନ୍ଦର ଆଖି ଦିଓଟି ଏବେଯାଏ ବି ସେ ଭୁଲିପାରି ନାହିଁ ? ମଣିଷ କେତେ ବଦଳିଯାଏ ସତେ !

–କ’ଣ ସବୁ ଭଲ ତ ? ଓଠରେ ହସ ଟାଣି ମାୟା ଚାହିଁଲା ।

–ହଁ, ଏଇତ ଦେଖୁଚୁ..... ଇଏ କିଏ କି ? କାବେରୀକୁ ଦେଖେଇ ସୁରମା ପଚାରିଲା ।

–ମୋ ଭାଇର ବିବିଜାନ୍..... ଆଗେ ଶୁଣେ ତୋର ଏମିତି କାହିଁକି ରୂପ ହୋଇଛି ?

–ମଲା, ତୁ ସିନା ଟୋକୀ ଅଛୁ । ଆମେ ତ ବୁଢ଼ୀ ହବାକୁ ବସିଲୁଣି । ସୁରମା ହସି ହସି କାବେରୀକୁ ଚାହିଁଲା । କାବେରୀ ଅନ୍ୟ କୌଣସି କଥା ନପାଇ ପଚାରିଲା–ତମର କ’ଣ ଏଇ ଗୋଟିଏ ଝିଅ ?

କୋଳ ଛୁଆକୁ ଚାହିଁ ସୁରମା କହିଲା–ଏଇ ଗୋଟିକ ! ପାଞ୍ଚୁଟା ଛୁଆ ।

–ଆଉ ସବୁ ?

–ବାହାରେ ସବୁ ଖେଳୁଛନ୍ତି, ଏଇଟା ତ ମୋ ପାଖ ଛାଡ଼ୁନାହିଁ । ତାଙ୍କ ବାପା କହନ୍ତି–

ସୁରମାକୁ କଥା ସାରିବାକୁ ନ ଦେଇ ମାୟା କହିଲା–ଏଗୁଡ଼ାଙ୍କର ଆଉ କିଛି ଗପ ନଥାଏ..... କିରେ ବାହା ହବ ବୋଲି କ’ଣ ଖାଲି ପିଲାଛୁଆ, ବାପା, ଏଇ ଗପ ? ଧେତ୍‌ ତମେ ତମର ଛୁଆର ବାପାଙ୍କ କଥା ଗପୁଥା, ମୁଁ ମୋର ଚାଲିଲି । ଜବାବକୁ ଅପେକ୍ଷା ନକରି ମାୟା ଅନ୍ୟ ଗୋଟିଏ ଦଳକୁ ଚାଲିଗଲା ।

ସୁରମା ଚାହିଁଲା କାବେରୀ ମୁହଁକୁ । ତା କଥା ଜାଣିବାକୁ କାବେରୀ ଯେମିତି ଉତ୍ସୁକ । ସୁରମା ପୁଣି ତାର ଘରସଂସାର କଥା ଆରମ୍ଭ କଲା । ସାରାଂଶ ହେଲା–ସ୍ୱାମୀ ତା’ର ଭାରି ଭଲ ମଣିଷ, ଶାଶୁ ଭାରି ଦୁଷ୍ଟ, ନଣନ୍ଦ ହେଲେ ଗୋଟାଏ ଥାନ୍ତେ ! କେଡ଼େ ହସଖୁସିରେ ଦିନ କଟିଯାଇଥାନ୍ତା । ସ୍ୱାମୀ ତାକୁ ବେଶି ଭଲ ପାଆନ୍ତି ବୋଲି ଶାଶୁ ସବୁବେଳେ ଖୁଣ୍ଟା ଦିଅନ୍ତି ‘ମାଇପବୋଲା’ ।

ସୁରମାର ଦୁଃଖ କାହାଣୀ ଶୁଣି ସେଇ ଦଳର ଆଉ ଭୋଟିଏ ବୋହୂ ମତ ଦେଲା–ପ୍ରକୃତରେ ଶାଶୁ ନ ଥିବା ଘର କେଡ଼େ ସୁଖ । ସେତିକିବେଳେ ସେମାନଙ୍କ ମୁହଁକୁ ଚାହିଁ କାବେରୀ ଠିକ୍‌ ଓଲଟା ଭାବୁଥିଲା–‘‘ନଣନ୍ଦର ଜ୍ୱାଳା ଏମାନେ କେହି ଜାଣିନାହାନ୍ତି । ଏଇ ମାୟାପରି ଖଣ୍ଡେ ନଣନ୍ଦ ଯାହାର ଥିବ.....’’

ଗୋଟିଏ ଗୋଟିଏ କରି ସମସ୍ତେ ନିଜ ଘର କଥା ଚାପି ଚାଲିଥାନ୍ତି । କାବେରୀ ଉପର ମନରେ ସେଥିରେ ଯୋଗଦେଲେ ବି ଭିତରେ ତା’ର ଆଖି ଚାରିଆଡ଼େ ଘୂରିବୁଲୁଚି । ସେ ଶୁଣିଥିଲା ମିନିବୋଉଙ୍କ ସାନବୋହୂ କୁଆଡ଼େ ଭାରି ସୁନ୍ଦରୀ । ତାକୁ ଟିକିଏ କେମିତି ଦେଖନ୍ତା ।

–ବିନ୍ଦୁ !

ସମସ୍ତିଙ୍କର ଆଖି ଦୁଆରବନ୍ଧ ଆଡ଼କୁ ବୁଲିଗଲା । ମିନିବୋଉଙ୍କ ସାନପୁଅ ପ୍ରଭାସ ଘରଯାକ ବୁଲେଇ ବିନ୍ଦୁକୁ ଖୋଜିଗଲା । କାହିଁ ବିନ୍ଦୁ ? ଆଖି ପଡ଼ିଗଲା କାବେରୀ ଉପରେ । ପୁଣିଥରେ ଭଲକରି ଚାହିଁଲା ।

ପ୍ରଭାସକୁ କାବେରୀ ଆଡ଼େ ଚାହିଁବାର ଦେଖି ସୁରମା କହିଲା– କେଡ଼େ ବଜ୍ଜାରୀଟାଏମ-! ଦେଖିଲ କେମିତି ଚାହିଁଛି...

–ସେ କିଏ କି ? ଆଉ ଜଣେ ପଚାରିଲା ।

ମୁରଲୀବାବୁଙ୍କ ସାନପୁଅ ପରା... ବିନ୍ଦୁ ନାଁରେ ମାଇକିନିଆମାନଙ୍କୁ ଦେଖିବାକୁ ଆସିଛି-

 

ବାଆଁରେଇ ହେଇ କାବେରୀ ଫେରି ଚାହିଁଲା ପ୍ରଭାସ ଆଡ଼କୁ । ଓଠ କଣର ସ୍ନିଗ୍ଧ ହସ କାବେରୀ ମୁହଁର ସୌନ୍ଦର୍ଯ୍ୟକୁ ଦୁଇଗୁଣ କରିଦେଲା । ସେ ଜାଣେ ତା ମୁହଁକୁ ହସ ଭାରି ମାନେ ।

 

ପ୍ରଭାସ ଚାହିଁଛି କାବେରୀ ମୁହଁକୁ–ଏ କିଏ ? ତୋଫା ଆଲୁଅ ତଳେ କାବେରୀର ମୁହଁ ଝଲସି ଉଠିଲା । ମୁହଁରେ ତାର ଗୋଲାପର ଆଭା, କପାଳରେ କୁଙ୍କୁମ ବିନ୍ଦୁ..... ଆଖିରେ ସ୍ୱପ୍ନର ବିହ୍ୱଳତା । ଯେତେ ଦେଖିଲେ ବି ପ୍ରଭାସର ସେ ଦେଖା ଯେମିତି ଆଉ ଶେଷ ହେଉନାହିଁ ।

 

ସେଣେ ଜଣେ ବିନ୍ଦୁକୁ କେଞ୍ଚିଲାଣି । ଭାଉଜ ଜଲଦି ଯା’ । ନହେଲେ ତମର ସେ–

 

ବିନ୍ଦୁର ହସିଲା ମୁହଁ ପ୍ରଭାସକୁ ଚାହିଁ ଗମ୍ଭୀର ହୋଇଗଲା । ତାର ଆତ୍ମସମ୍ମାନରେ ବାଧା ଆସିଛି । ଉଠି ଯାଉ ଯାଉ ଥରେ କାବେରୀ ଆଡ଼କୁ ଚାହିଁଲା । ବିନ୍ଦୁକୁ ତା’ରିଆଡ଼େ ଚାହିଁବାର ଦେଖି କାବେରୀ ମୁଣ୍ଡର ଖସି ପଡ଼ିଥିବା ଲୁଗାଟାକୁ ଟିକିଏ ଟାଣିଦେଲା । ହାତର ଜଡ଼ଉକରା ଗହଣା ଆଲୁଅତଳେ ଝଲସି ଉଠିଲା । ବିନ୍ଦୁ ଆସି ଠିଆ ହେଲା ବାହାରେ ।

 

–କ’ଣ ? ପ୍ରଭାସକୁ ଚାହିଁ ରୁକ୍ଷ ଗଳାରେ ବିନ୍ଦୁ ପଚାରିଲା ।

–ଆଲମାରୀ ଚାବିଟା କୋଉଠି ଅଛି ? ଖୁବ୍‌ ବ୍ୟସ୍ତ ଥିଲାପରି ପ୍ରଭାସ ପଚାରିଲା ।

 

ଚାବି ନେନ୍ଥାଟା ପ୍ରଭାସ ହାତରେ ମାଡ଼ି ଦେଇ ବିନ୍ଦୁ କହିଲା–‘‘ଯଦି କାହାକୁ ଦେଖିବାକୁ ଇଚ୍ଛା, ତେବେ ଭିତରକୁ ନଯାଇ ଏମିତି ଅଭଦ୍ରଙ୍କ ପରି ବାହାରେ ଚାହିଁବ ନାହିଁ’’–କହିଦେଇ ବିନ୍ଦୁ ପୁଣି ନିଜ ଦଳକୁ ଫେରିଗଲା ସତ, କିନ୍ତୁ ଗପରେ ତା ମନ ଆଉ ଲାଗିଲା ନାହିଁ । ମନକୁ ଭୁଲାଇବାକୁ ଯେତେ ଚେଷ୍ଟା କଲେ ବି ଯେମିତି କ’ଣ ଗୋଟାଏ ତାକୁ ବରାବର କେଞ୍ଚିବାରେ ଲାଗିଲା । ଆଖି ଥରକୁ ଥର କାବେରୀ ଉପେର ପଡ଼ୁଥାଏ । କାବେରୀର ହାବଭାବ, ବେଶଭୂଷା ରେଖରୂପ ସବୁଥିରେ ଯେପରି ସେ ଦୋଷ ଖୋଜି ପାଇବାରେ ବ୍ୟସ୍ତ । କିନ୍ତୁ ଠିକ୍‌ ସେତିକିବେଳେ କିଏ ଯେମିତି ଭିତରୁ ତା ଭାବନାରେ ବାଧା ଦେଉଥାଏ ।

 

ବିନ୍ଦୁର ଆଖି ଏଡ଼ିବାକୁ କାବେରୀ ଜାଗା ବଦଳ କଲା । ନିଜ ଜାଗାରେ ବସିରହି ବିନ୍ଦୁ ମନକୁ ମନ ମୁହଁ ମୋଡ଼ିଲା– ଓଃ, ଟିକିଏ ସୁନ୍ଦର ହୋଇଛି ବୋଲି କେତେ ଯେ ଫୁଲେଇ ହଉଚି ! ବିନ୍ଦୁ ମନ ଭୁଲେଇବାକୁ ଚେଷ୍ଟା କଲା । କିନ୍ତୁ ଗପ ଆଉ ଜମିଲା ନାହିଁ । ସନ୍ଧ୍ୟାବେଳର ବିନ୍ଦୁ ଯେପରି ହଠାତ୍‌ ମରିଗଲା । ଏଇଟା ଯେମିତି ତାର ଗୋଟାଏ ପ୍ରେତାତ୍ମା ! ଯେତେ ଚେଷ୍ଟା କଲେ ମଧ୍ୟ ସେ କାବେରୀକୁ ଭୁଲିପାରୁନାହିଁ । ନିଜ ସ୍ୱାମୀ ଉପରେ ରାଗ ହେଲା ‘‘କାହିଁକି ଯେ ଏମିତି ବେହିଆଙ୍କ ଭଳି ହୁଅନ୍ତି.....’’ ପୁଣି ମନକୁ ମନ ବୁଝେଇଲା–ଏମିତି ବେଶ ହେଲେ ଯିଏ ହେଲେ ବି ସୁନ୍ଦର ଦିଶନ୍ତା । ତଥାପି ମନର ବିରକ୍ତି କେବଳ ବଢ଼ିବାରେ ହିଁ ଲାଗିଲା । କାବେରୀ ଚାରିପଟେ ସମସ୍ତେ ମହୁମାଛି ପରି ଘେରି ଗଲେଣି । ବିନ୍ଦୁ ମନରେ ରାଗ ହେଲା ।

 

ଘୋ ଘୋ ଭିତରେ ଏକୋଇଶା ଭୋଜି ସରିଗଲା । ବିଦା ହେଲାବେଳେ କାବେରୀ ଆସି ବିନ୍ଦୁର ହାତ ଧରିଲା–ଥରେ ଆମ ଘରକୁ ଯିବ ।

 

କଥାର ଜବାବ ନଦେଇ ବିନ୍ଦୁ କେବଳ କାବେରୀ ମୁହଁକୁ ଚାହିଁଲା । ଆଖି ତାର ଯେମିତି କାବେରୀ ରୂପକୁ ତଉଲିବାରେ ବ୍ୟସ୍ତ ।

 

–କ’ଣ ଯିବ କି ନାହିଁ ?

 

–ମୋର ବେଳ କାହିଁ ? ତମେ ଥରେ ଖରାବେଳିଆ ଦେଖି ଆସିବ ଯେ ଗପ କରିବା...-। କାବେରୀ ମୁହଁକୁ ଚାହିଁ ବିନ୍ଦୁ କହିଲା-

 

ମୁହଁ ଉପରେ ହସି ହସି କଥା କହିଲେ ବି ଭିତରେ ଭିତରେ କାବେରୀ ମନରେ ଗର୍ବ ଓ ବିନ୍ଦୁର ଆହତ ମନର ଇର୍ଷା ପରସ୍ପରକୁ ଆଘାତ କରୁଥିଲା ।

 

କାବେରୀ ଚାଲିଗଲା । ତାକୁ ଛାଡ଼ିବାକୁ ଯାଇ ବିନ୍ଦୁ ଦୁଆର ମୁହଁରେ କିଛିବେଳ ସେମିତି ଠିଆହୋଇ ରହିଲା । ଜଣ ଜଣ କରି ବିନ୍ଦୁକୁ କହିଦେଇ ଯାଉଛନ୍ତି କିନ୍ତୁ ସେ ଆଡ଼କୁ ତାର ଖିଆଲ ନାହିଁ । ରାସ୍ତାର ସେହି ଝାପ୍‌ସା ଅନ୍ଧାର ଭିତରେ ତାର ଆଖି ଦି’ଟା ଯେପରି କାବେରୀ ପଛରେ ଅନେକ ବାଟଯାଏ ଗୋଡ଼େଇଗଲା ।

 

ଘରକୁ ଆସି କାବେରୀ ଦର୍ପଣ ଆଗରେ ଠିଆ ହେଲା । ସଞ୍ଜବେଳର ମୁହଁ ମଉଳି ଯାଇଛି କିନ୍ତୁ ମାଧୁରୀ ପୂରା ହଜିନାହିଁ । ସେଇ ମୁହଁକୁ ଆଜି ଜଣ ଜଣ କରି ସମସ୍ତେ ପ୍ରଂଶସା କରିଛନ୍ତି । କେହି ମୁହଁ ଖୋଲି ନ କହିଲେ ମଧ୍ୟ କାବେରୀ ସେତକ ଠିକ୍ ବୁଝିପାରିଛି । ପ୍ରଭାସର ମୁହଁ ଆସି ଆଖି ଆଗରେ ଠିଆ ହେଲା..... ସେ ଚାହାଣୀର ଦାଗ ତା ମନରୁ ଏଯାଏଁ ଲିଭି ନାହିଁ । ସେ ଚାହାଣୀରେ ଥିଲା କେବଳ କାବେରୀ ରୂପରେ ବନ୍ଦନା । ଆଉଥରେ କାବେରୀ ନିଜ ମୁହଁକୁ ଭଲକରି ଦେଖିଲା–ପ୍ରକୃତରେ ସେ ସୁନ୍ଦର..... ସଞ୍ଜବେଳର ବେଶଭୂଷା ତେବେ ତାର ବ୍ୟର୍ଥ ହୋଇନାହିଁ । ମନଖୁସିରେ ଗୁଣୁ ଗୁଣୁ କରି ଗୀତ ବୋଲି କାବେରୀ ଲୁଗା ପାଲଟିବାକୁ ଗଲା ।

 

ଦାଣ୍ଡରେ ଡାକବାଲାର ପାଟି–ଚିଠି ନିଅ ।

 

ମୁଣ୍ଡକୁଣ୍ଡା ଅଧାରେ ବନ୍ଦରଖି ଟିକିଏ ବ୍ୟସ୍ତ ହୋଇ ମାୟା ବାହାରିଗଲା । ଦୁଇଖଣ୍ଡ ଚିଠି ଭିତରୁ ଖଣ୍ଡେ ତାର ଓ ଅନ୍ୟଟି ମହୀବୋଉଙ୍କର । ନିଜ ଚିଠିଟିକୁ ରଖିଦେଇ ମାୟା ପ୍ରଥମେ ମହୀବୋଉଙ୍କ ଚିଠିଟିକୁ ଫିଟେଇ ବସିଲା । ପଢ଼ୁପଢ଼ୁ ଭୁରୁ କୁଞ୍ଚେଇ ମାୟା ମହୀବୋଉଙ୍କ ପାଖକୁ ଚାଲିଲା । ମହୀବୋଉ ଏକ ମନରେ ବସି ଧନିଆ ଅଛାରୁଥିଲେ । ତାଙ୍କ ପାଖରେ ଠିଆ ହେଇ, ଗୋଡ଼ ଛାଟି, ଶୁଣେଇ ଶୁଣେଇ ମାୟା କହିଲା– ଇଏ ଆଚ୍ଛା ସର୍କସ ଆସିଲା, ମଣିଷକୁ ଟିକିଏ ପଢ଼େଇ ଦେବେ ନାହିଁ...

 

–କାଇଁ କ’ଣ ହେଲା କି ?

 

–ଏଇ ଦେଖୁନୁ, ବନୁମାମୁ ଚିଠି ଦେଇଛି ଯେ ମା, ମାଇଁ, ହେରିକା ସମସ୍ତେ ଆସୁଛନ୍ତି । ବାବା, ଏତେ ମଣିଷ ! ଏ ଘରେ ତ ଜାଗା ହବ ନାହିଁ–ନାଇଁଲୋ ବୋଉ ? ମୁଁ ମୋର ଯାଇଁ ହଷ୍ଟେଲରେ ରହିବି ।

 

–ଏଁ ସତରେ ! କାଇଁ, ଚିଠି ଦେଖେଁ ? ଧନିଆ ଅଛରା ବନ୍ଦ ରଖି ମହୀବୋଉ ମାୟାଠାରୁ ଚିଠିଖଣ୍ଡିକ ନେଇ ପଢ଼ିବାକୁ ଉଠିଗଲେ । ପଢ଼ୁ ପଢ଼ୁ ତାଙ୍କ ମନରେ କେତେ କଥା ଖେଳିଗଲା । ତା’ପରେ ଚିଠି ଖଣ୍ଡିକ ହାତରେ ଧରି କାବେରୀ ପାଖକୁ ଗଲେ । ମହୀବୋଉଙ୍କୁ ଘରେ ପଶିବାର ଦେଖି ପଢ଼ୁଥିବା ବହି ଖଣ୍ଡିକ ଖଟ ଉପରେ ରଖିଦେଇ କାବେରୀ ଉଠି ଠିଆ ହେଲା ।

 

–ଠିଆ ହେଲୁ କାହିଁକି ? ବସ–ହସି ହସି ମହୀବୋଉ ଚିଠିଖଣ୍ଡିକ ବଢ଼େଇ ଦେଇ କହିଲେ–ହେଇତି ଲୋ ବୋହୂ ! ଦେଖୁଲିଣି, ଗାଁରୁ ଚିଠି ଆସିଛି । ଭାଉଜହେରିକା କାଲି ଆସି ପହଞ୍ଚିବେ । ମହୀବୋଉଙ୍କର କଥା ଶେଷ ନ ହେଉଣୁ କାବେରୀ ଅତି ଆଗ୍ରହର ସହିତ ଚିଟି ଖଣ୍ଡକ ନେଇ ପଢ଼ି ବସିଲା ।

 

ମହୀବୋଉ ଚାଲିଗଲେଣି । ଚିଠିଟି ପଢ଼ିସାରି କାବେରୀ କିଛି ବେଳ ଆଖି ବନ୍ଦ କଲା । ମନରେ ତା’ର କେତେ କଥା ଖେଳିଗଲା । ଏଇ ଗାଉଁଲୀ ଲୋକଙ୍କୁ ତା’ର ପ୍ରାଣରେ ଡର । ଜିରାରୁ ଶିରା କାଢ଼ିବା ହେଲା ସେମାନଙ୍କ ପ୍ରକୃତି । ଏଇ ମୁହଁରେ ‘ହଁ’ କହି ଆର ମୁହଁରେ ‘ନାହିଁ’ କରିଦେବେ । ସାଙ୍ଗ ଡଲିର ମୁହଁ ଆସି ଆଖି ସାମନାରେ ଠିଆ ହେଲା । ବିଚାରୀ, ମଫସଲରେ ବାହା ହେଇଥିଲା ଯେ କାହା ମନନେଇ ଚଳିପାରିଲା ନାହିଁ । ଶେଷକୁ ଛାଟିପିଟି ହୋଇ ସ୍ୱାମୀ ସାଙ୍ଗରେ ବାରିପଦା ଚାଲି ଆସିଲା ।

 

ବୋହୂ ବୋଲି କୁଆଡ଼େ ତାକୁ ଅଧାରାତିରୁ ଉଠି ଗାଧୋଇବାକୁ ହୁଏ–ଶୀତ ହେଉ କି ବର୍ଷା ହେଉ । ଘର ଗୋଟାକର କାମ ହାତରେ କରି ତା ଉପରକୁ ପୁଣି ଖୁଣ୍ଟା ଉଲୁଗୁଣା ଶୁଣିବାକୁ ହୁଏ । କାବେରୀର ଭାବନା ସେଇଠି ଅଟକିଗଲା । ଏଇ ଯେଉଁମାନେ ଆସୁଛନ୍ତି ସେମାନେ ଆଉ ଡଲି ଶାଶୁଘର ଲୋକପରି ହେଇ ନଥିବେ ତ ? ତଥାପି ମନରେ ସାହସ–ମୋହନ ଅଛି ପାଖରେ-। ମନର ଅଳିଆ ଭାବନାଗୁଡ଼ାକ ପଛକୁ ପିଙ୍ଗିଦେଇ କାବେରୀ ଉଠି ବସିଲା । ଚିଠିଖଣ୍ଡକ ଖଟ ଉପରେ ସେମିତି ପଡ଼ି ରହିଲା । ମୋହନ ଅଫିସରୁ ଆସିଲେ ଦେଖିବ । କାବେରୀ ପଦାକୁ ଆସିଲା ।

 

ଖୁସିରେ ମହୀବୋଉଙ୍କ ଗୋଡ଼ ତଳେ ଲାଗୁନାହିଁ । ଏ ଜିନିଷ ନେଇ ସେ ଘରେ ରଖି, ସେ ଜିନିଷ ନେଇ ଏ ଘରେ ରଖି ଗାଁ’ରୁ ଆସୁଥିବା କୁଣିଆମାନଙ୍କ ପାଇଁ ସେ ଜାଗା କରୁଛନ୍ତି । ଘରର ମୁଠାଏ ଝାଟୁଆ ତାଙ୍କ ଆଖିରେ ଖତଗଦା ପରି ଦିଶୁଛି । ହାତ ଚାଲିଛି । ପାଟି ବି ଚାଲିଛି । ଭିକାକୁ ଦଣ୍ଡେ ଫୁରସତ ନାହିଁ । ମହୀବୋଉ ଭୋକ ଶୋଷ ଭୁଲି କାମରେ ଲାଗିଛନ୍ତି ।

 

କାବେରୀକୁ ଖାଲିଟାରେ ଘର ଭିତରେ ଠିଆ ହୋଇଥିବାର ଦେଖି ମହୀବୋଉ ମନେ ମନେ ଟିକିଏ ବିରକ୍ତ ହୋଇ ଭାବିଲେ–ମଣିଷଟାଏ..... ତୁଚ୍ଛାଟାରେ ଠିଆ ହେଇଚି । ତା’ର ଆଖି ଆଗରେ ଏତେ କାମ ପଡ଼ିଚି । ଟିକିଏ ମିଶିବାକୁ ନାହିଁ । କାବେରୀ ମନେ ମନେ ହସୁଥାଏ । ଗାଁ ଲୋକ ତ ଆସୁଛନ୍ତି–କୋଉ ଲାଟସାହେବ ଆସୁଛନ୍ତି ଯେ ଏତେ ଝଡ଼ାପୋଛା ?
 

ମହୀବୋଉ ଆଉ ସମ୍ଭାଳି ପାରିଲେ ନାହିଁ । ମୁହଁ ଖୋଲିଲେ–ବୋହୂ, ପିଲାଏ ଖାଇଲେଣି ?

–ନାଇଁ ମୁଁ ଯାଉଚି ଦବାକୁ । ସୁବିଧାରେ କାବେରୀ ଖସି ଆସିଲା ।

 

କାବେରୀ ସେଠୁ ଆସି ଦେଖିଲା ଛୁଆମାନେ ଖାଇଦେଇ ଉଠିଗଲେଣି... ତାଙ୍କ ଅଇଁଠା ବାସନ ପଡ଼ିଛି । ମାୟା ମଧ୍ୟ ଖାଇସାରି ବାହାରିଲାଣି ।

 

କାବେରୀ ଚାରିଆଡ଼େ ଥରେ ଆଖି ବୁଲେଇ ନେଲା । କେହି କୋଉଠି ନାହାନ୍ତି । କୁକୁରଟା ତୁଚ୍ଛାଟାରେ ଭୁକୁଚି । ସଞ୍ଜ ହବାକୁ ଆହୁରି ଅନେକ ଡେରି । ଗଦାଏ କାମ ବାକି ପଡ଼ିଚି । ଦୂରରୁ ମହୀବୋଉଙ୍କ ପାଟି କାନରେ ଆସି ବାଜୁଛି । ସେପଟକୁ ଯିବାକୁ ତା’ର ମନ ଡାକୁ ନାହିଁ । ଏଣେ ଏକୁଟିଆ ରହିବାକୁ ବି ଇଚ୍ଛା ହେଉନାହିଁ । ମନଟା ତା’ର ଚିଟା ଲାଗିଲା । ମିଛୁଟାରେ ସେ ବାହା ହେଲା । ଏଇ ମାୟା କେତେ ସ୍ୱାଧୀନ । ଯାହା ଖୁସି କରିଦେଇ ଯାଉଚି–କେହି ପଦେ କହିବାକୁ ନାହିଁ । ଆଉ ସେ ନିଜେ ? ପଦେ ପଦେ ଜଗି ଚଳିବାକୁ ପଡ଼ୁଛି । ଏତେ ଜଗି ଜଗି ଚଳିଲା ବେଳକୁ ମନର ଅଧା ସରାଗ ମରିଯାଇଥାଏ । ଶେଷକୁ ରାଗ ହେଲା ନିଜ ବାପମା’ଙ୍କ ଉପରେ–ଅଭିମାନ ହେଲା ମୋହନ ଉପରେ । ସେ କ’ଣ ଏଇଆ ଖୋଜୁଥିଲା ? ତା’ର କେତେ ତ’ ସାଙ୍ଗ ଅଛନ୍ତି ଯେଉଁମାନେ ସ୍ୱାମୀକୁ ନେଇ ଏକୁଟିଆ ଘର କରିଛନ୍ତି । ସେମାନେ ବେଶ୍ ଆରାମରେ ଅଛନ୍ତି । ଦେଖିଲେ ହିଂସା ହୁଏ । ଟୁନିର ମୁହଁ ଆସି ଆଖି ଆଗରେ ଠିଆ ହେଲା । ତା’ର ସ୍କୁଲ୍‌ ଜୀବନର ସାଥି । ସେଇ ଟୁନି ଥରେ କହିଥିଲା–‘‘ବୁଝିଲୁ କାବେରୀ, ପୃଥିବୀରେ କୌଣସି ଲୋକ କେବେ ହେଲେ ଜୀବନରେ ସମସ୍ତଙ୍କୁ ସୁଖୀ କରିପାରି ନାହିଁ–କେହିହେଲେ ଜଣେ ନିଶ୍ଚେ ଅସୁଖୀ ରହିଯାଏ । ତମେ ଯଦି ସମସ୍ତଙ୍କ ମନ ନେବାକୁ ବସିବ ତେବେ ତୁମେ ନିଜେ ଅସୁଖୀ ରହିଯିବ । ତୁ ମତେ ଦୋଷ ଦଉଛୁ ଯେ, ମୁଁ ଅଲଗା ଘର କରି ଅନ୍ୟମାନଙ୍କ ମନରେ ଦୁଃଖ ଦେଲି, କିନ୍ତୁ ସମୟ ଆସିଲେ ତୁ ବି ନିଜେ ଏକଥା ବୁଝିବୁ ।’’

 

ଟୁନି ଠିକ୍‌ କହିଥିଲା । ଏଇ କେଇଟା ମାସରେ ସେ ନିଜେ ସେତକ ଅନୁଭବ କରିଛି । ଅଲଗା ଘର କରିବା କଥା କହିଲେ ମୋହନ ସାପ ଦେଖିଲାପରି ଚମକି ପଡ଼େ । ଖାଲି ସବୁବେଳେ ବାପ ମା’ ଭାଇଭଉଣୀ..... କିନ୍ତୁ ପ୍ରକୃତରେ କିଏ କାହାର ?

 

ସମସ୍ତେ ସୁବିଧାବାଦୀ.....

 

କାବେରୀର ରାଗ ହେଲା ମୋହନ ଉପରେ । ଏ ସବୁପାଇଁ ମୋହନ ଦାୟୀ । ମନଟା ଭୁଲେଇବାକୁ ସେ ଛାତ ଉପରକୁ ଗଲା ।

 

ଏଇ ଗୋଟିଏ ଖୋଲା ଜାଗା–ତାର ନିର୍ଜନ ବେଳର ସାଥି ! ଏଠିକି ଆସିଲେ ମନେହୁଏ–ସତେ ଯେପରି ସେ ବନ୍ଦୀଶାଳାରୁ ଖସି ଚାଲି ଆସିଛି । ପଡ଼ିଶା ଘରୁ ଜଣେଅଧେ ବୋହୂ ଏତିକିବେଳେ ସେମାନଙ୍କ ଛାତକୁ ଆସନ୍ତି ।

 

ଉପରକୁ ଆସି ପ୍ରଥମେ ତାର ଆଖି ପଡ଼ିଲା ଟିକିଏ ଛଡ଼ାରେ ଥିବା ଢାଉଆ ରଙ୍ଗର ପୁରୁଣା ଘରଟା ଉପରେ–ଏବେବି ସେଇଟା ଖାଲି ପଡ଼ିଚି । ଭିକା କହୁଥିଲା, ବାବୁଟି କୁଆଡ଼େ ମଦ ଖାଇ ତାଙ୍କ ସ୍ତ୍ରୀକୁ ଦିନରାତି ମାରନ୍ତି । ବିଚାରୀ ସହି ନପାରି କୁଆଡ଼େ ବାପଘରକୁ ପଳେଇଲା । ଲୋକଟାକୁ ସେ ନିଜେ ଦେଖିଛି । ସୁନ୍ଦର ଚେହେରା । ଝିଅର ବାପ ମା’ କଣ ଜାଣିଥିଲେ ଝିଅର ଏମିତି ଅବସ୍ଥା ହେବ ବୋଲି ? ସବୁ ଭାଗ୍ୟ–

 

କାବେରୀ ଛାତବାଡ଼ାରେ ଭରାଦେଇ ତଳକୁ ଚାହିଁଲା । ପଡ଼ିଶା କିରାନି ଘର ବୋହୂଟି ବସି ଚକୁଳିପିଠା କରୁଛି । ପାଖରେ ତା’ର ସ୍ୱାମୀ ଓ ଦୁଇ ବର୍ଷର ଗୋଟିଏ ଛୁଆ– ଦିହେଁ ପିଠା ଖାଇବାରେ ଲାଗିଛନ୍ତି । ଏହି ଲୋକଟିକୁ ଦେଖିଲେ କାବେରୀ ମନରେ ଦୟା ହୁଏ । ବିଚରା ସ୍ୱାସ୍ଥ୍ୟର ଯେଉଁ ଅବସ୍ଥା, କେଉଁ ମୁହୂର୍ତ୍ତରେ ଯେ, ଆରପାରିରୁ ଡକରା ଆସିବ ତାର ଠିକଣା ନାହିଁ । ଦେହରେ ଛିଣ୍ଡା ଆଡ଼ମଇଳା ଗେଞ୍ଜି, ମଇଳା ଧୋତି । ଏଇ ସୁନ୍ଦର ବୋହୂଟି ପାଖରେ ଲୋକଟା ନିହାତି ବେଖାପ୍‌ ଦିଶେ । ତାର କିଛି ନାହିଁ–ସ୍ୱାସ୍ଥ୍ୟ ତ ନାହିଁ, ଟଙ୍କା ବି ନାହିଁ । କ’ଣ ଦେଖି କେଜାଣି ଝିଅର ବାପ ଏଠି ବାହା କଲା ? କାବେରୀ ମନରେ ଏହି ପ୍ରଶ୍ନ ଗୁଡ଼େଇତୁଡ଼େଇ ହୋଇ ବରାବର ଆସେ..... ତଥାପି ବୋହୂଟିକୁ ଦେଖିଲେ ବଡ଼ ସୁଖୀ ମନେହୁଏ..... ସବୁବେଳେ ହସ ହସ ମୁହଁ । କାବେରୀ ତାକୁ ଦୟା କରିବାକୁ ନିଜେ ଯାଇ ନିଜେ ଯେମିତି ତାରି ପାଖରେ ଛୋଟ ହୋଇଯାଏ । ଆହା, ସେ ଯଦି ତାରି ପରି ସୁଖୀ ହୋଇପାରନ୍ତା ! କାବେରୀ ଭାବନାରେ ବାଧାଦେଇ ପଡ଼ିଶାଘର ପିଲାଟି ଉପରକୁ ହାତଠାରି ଦେଖେଇ ଦେଲା..... ‘ହେଇଟି, ହେଇଟି’ । ସାଙ୍ଗେ ସାଙ୍ଗେ ଚାରୋଟି ଆଖି ଉପରକୁ ଉଠିଲା । କାବେରୀ ସେ ଜାଗା ଛାଡ଼ି ଚାଲିଆସିଲା ।

 

ବେଳ ବୁଡ଼ି ଆସିଲାଣି । ଘରେ ଆହୁରି କେତେ କାମ ପଡ଼ିଛି । ଆଉ ଠିଆ ହେବାକୁ ବେଳ ନାହିଁ । ଚାଲିଯିବା ଆଗରୁ ସେ ଥରେ ରାସ୍ତାକୁ ଚାହିଁଲା–ଲୋକେ ଚାଲିଛନ୍ତି । କିନ୍ତୁ ସେ ଚାଲିରେ ବ୍ୟସ୍ତତା ନାହିଁ । ଦେହରେ କ୍ଳାନ୍ତି, ମନରେ ଫୁର୍ତ୍ତି ଘେନି ସେମାନେ ଚାଲିଛନ୍ତି । କିନ୍ତୁ ସେ ନିଜେ ? ତା’ର ମନରେ କ୍ଳାନ୍ତି ଯେମିତି ତା’ ଗୋଡ଼କୁ ଭିଡ଼ି ଧରିଚି ! ସୁଖୀ ହେବାପାଇଁ ସେ କେତେ କଳ୍ପନା କରିଥିଲା । ସବୁ ଯେପରି କୁଆଡ଼େ ପାଣି ଫାଟିଗଲା ।

 

–କ’ଣ ଏତେ ଦେଖୁଛ ?

 

ଚମକିପଡ଼ି କାବେରୀ ପଛକୁ ଚାହିଁ ଦେଖିଲା–ମୋହନ । କେତେବେଳେ ଆସି ପଛରେ ଠିଆ ହୋଇଛି, ସେ ଜାଣି ନାହିଁ ।

 

ମୋହନର ହସିଲା ମୁହଁ ଯେମିତି କାବେରୀ କାନରେ କହିଦେଲା–କିଛି ତାର ବ୍ୟର୍ଥ ହୋଇନାହିଁ । ସ୍ୱାମୀ ତା’ର କୁତ୍ସିତ ନୁହେଁ କି ମଦ୍ୟପ ନୁହେଁ । କାବେରୀ ମୁଗ୍ଧ ଆଖିରେ ଚାହିଁ ରହିଲା–ଆଖିରେ ତା’ର ଆଶା । କିଛି ତା’ର ହଜି ନାହିଁ ।

 

–ଆଜି ତମର କ’ଣ ହୋଇଛି ?

 

ଟିକିଏ ପ୍ରକୃତିସ୍ଥ ହୋଇ କାବେରୀ କହିଲା–ନାଇଁମ ହବ କ’ଣ ? ଏଇ ଗାଁରୁ ସବୁ ଆସିବେ ଯେ ତାଙ୍କରି କଥା ଭାବୁଥିଲି । ମଫସଲରୁ ଆସୁଛନ୍ତି... କେତେ ବାଛିବେ... କେତେ ଜଗି ଚଳିବାକୁ ହେବ । ମତେ ଭାରି ଭୟ ଲାଗୁଛି...

 

ଏଇ ଗାଁ ଲୋକଙ୍କ ପାଇଁ ତମେ ଏତେ ମୁଣ୍ଡ ଖେଳାଉଛ ? ତାଙ୍କ ନିନ୍ଦା ପ୍ରଶଂସାକୁ କିଏ ଚାହିଁ ବସିଛି ?

 

ଟିକିଏ ହସି କାବେରୀ କହିଲା–କିଛିହେଲେ ମୁଁ ତମରି ନାଁ କହିଦେବି ଜାଣିଥା...

–ହଁ କହିଦବ ।

 

ମୋହନର ସେହି ପଦକ କଥା କାବେରୀର ଭାରୀ ମନଟାକୁ ପୁଣି ହାଲୁକା କରିଦେଲା-। ଦିହେଁ ତଳକୁ ଓହ୍ଲାଇ ଆସିଲେ ।

 

ସକାଳୁ ଶୁଭ କାଉଟିଏ ଘର ଉପରେ ବସି କା’ କା’ କରୁଚି । ସେଆଡ଼କୁ ଅନ୍ୟ କାହାରି ନଜର ନାହିଁ । ମହୀବୋଉ ମୁଠାଏ ଚାଉଳ ଅଗଣାରେ ବିଞ୍ଚିଦେଇ କାଉକୁ ଚାହିଁ କହିଲେ–‘‘ହଁ ବା ଜାଣିଲୁଣି ଆସୁଛନ୍ତି ।’’ କଥା ଶୁଣି ସମସ୍ତିଙ୍କ ଆଖି କାଉ ଉପରେ ପଡ଼ିଲା । ଆଧାର ଦେଖି କାଉଟି ପାଖକୁ ଉଡ଼ି ଆସିଲା ।

 

ଅନ୍ୟ ଦିନ ଚଢ଼େଇ ଧରିବା ପାଇଁ ପତୁ, ରଞ୍ଜୁ ଚାଉଳ ବିଞ୍ଜିଲେ ମହୀବୋଉ ବିରକ୍ତ ହୁଅନ୍ତି । କିନ୍ତୁ ଆଜି ସେ ନିଜ ହାତରେ ମନଇଚ୍ଛା ଚାଉଳ ବିଞ୍ଚୁଛନ୍ତି । ଏ ସୁବର୍ଣ୍ଣ ସୁଯୋଗ ପିଲାଏ ଛାଡ଼ିପାରିଲେ ନାହିଁ । ଆଖିରେ ଦୁଷ୍ଟାମିର ହସ । ମନରେ ଉତ୍ତେଜନା । ପତୁ, ରଞ୍ଜୁ ନିଜ ପିନ୍ଧା କାମିଜ ଖୋଲି, ହାତରେ ଧରି, ଦୁଇ ପଟରୁ ଛପି ଛପି ଆସୁଛନ୍ତି । ମହୀବୋଉଙ୍କର ସେଆଡ଼ିକି ଲକ୍ଷ୍ୟ ନାହିଁ । ବାରଣ୍ଡା ଉପରେ ଥାଇ ହସ ହସ ମୁହଁରେ କାଉକୁ ଚାହିଁଛନ୍ତି । ଏତିକିବେଳେ ଦିହେଁ ଦି’ପଟରୁ କୁଦାମାରି ବୁଣା ହୋଇଥିବା ଚାଉଳ ଉପରେ ପଡ଼ିଲେ । କାଉ ଯାଇ ଛାତ ଉପରେ । କାଉକୁ ଧରି ନପାରି ‘ଆହା, ଚୁ, ଚୁ’ ମାରି ପିଲା ଦିହେଁ ଛାତକୁ ଚାହିଁଲେ । ମହୀବୋଉ ଆଉ ରାଗ ସମ୍ଭାଳି ପାରିଲେ ନାହିଁ । ତଳକୁ ଓହ୍ଲାଇପଡ଼ି ଗାଳି ଦେଇ ଦେଇ ମାରିବାକୁ ଧାଇଁଲେ ।

ମହୀବୋଉଙ୍କୁ ଉଗ୍ର ମୂର୍ତ୍ତିରେ ଆସିବାର ଦେଖି ପିଲାଦିହେଁ କାଉକୁ ଛାଡ଼ିଦେଇ ନିଜ ପିଠି ବଞ୍ଚେଇବାକୁ ଧାଇଁ ପଳେଇଲେ । ପଛରୁ ମହୀବୋଉଙ୍କ ପାଟି ଶୁଭିଲା–ଅଲକ୍ଷଣା ଛୁଆଗୁରାକ–ହଇରେ ଆହାର ମୁହଁରେ କିଏ ପାହାର ଦିଏ ? ନିରାଶ ହୋଇ ଥରେ ବିଞ୍ଚା ହୋଥିବା ଚାଉଳକୁ ଚାହିଁଦେଇ ମହୀବୋଉ ଚାଲିଗଲେ ।

ଚାହୁଁ ଚାହୁଁ ଖରା ମୁଣ୍ଡ ଉପରକୁ ଉଠି ଉଠି ଯାଉଛି । ମହୀବୋଉଙ୍କୁ ତର ନାହିଁ । ଏତିକିବେଳେ କାବେରୀ ଆସି ପାଖରେ ଠିଆହେଲା । ବୋହୂର ଆଡ଼ମଇଳା ଲୁଗା ଓ ଆଲୁରା ବେଶ ଦେଖି ମହୀବୋଉ କହିଲେ–ଏମିତି କାହିଁକି ବେଶ ହେଇଚୁ ? ଯା, ଗହଣାଗାଣ୍ଠି ଦି’ଖଣ୍ଡ ଲଗେଇପକା । ଅଳତା, ସିନ୍ଦୂର ଟିକିଏ ନାଆ, ଭଲ ଲୁଗା ଖଣ୍ଡିଏ ପିନ୍ଧ–ଆଉ କ’ଣ ବେଳ ଆସୁଛି-?

‘ହଁ ଯାଉଛି’ କହି କାବେରୀ ବିରକ୍ତ ମନରେ ନିଜ ବଖରାକୁ ଚାଲିଗଲା । ମନରେ ଭାବିଲା–ସେମାନେ ଆସିବେ ଯାଇ କୋଉ ପହରେ, ମୁଁ ଏତିକିବେଳୁ ବେଶ ହେଇ ବସିଥିବି । ଭାବୁ ଭାବୁ ନିଜ ଗହଣା ବାକ୍‍ସ ମେଲେଇ ବସିଲା । କୌଣସି ପ୍ରକାର ଦି’ଖଣ୍ଡ ଗହଣା ଲଗେଇ ପକେଇ କାବେରୀ ନିଜ ବଖରାଟାକୁ ଟିକିଏ ସଜାଡ଼ିବାରେ ଲାଗିଲା ।

କାମସାରି ମହୀବୋଉ ଥରେ ବୋହୂ ବଖରାକୁ ଚାହିଁଦେଇ ଗଲେ । କାବେରୀର ଗହଣାଗାଣ୍ଠି ତାଙ୍କର ପସନ୍ଦ ଆସିଲା ନାହିଁ । କି ଗହଣା ଲଗେଇଲୁ ବା ? ଗୋଡ଼ରେ ହାତରେ କୋଉଠି ତ କଣ କିଛି ଦିଶୁ ନାହିଁ ? କହି ପୁଣିଥରେ ଗୋଡ଼ଠାରୁ ମୁଣ୍ଡଯାଏ ତନଖି ନେଲେ ।

–ବେଶି ଗୁଡ଼ାଏ ପିନ୍ଧିଲେ ଇଏ ଚିଡ଼ୁଛନ୍ତି । ଟିକିଏ ଲାଜ ଲାଜ ହୋଇ କାବେରୀ କହିଲା-

–ଆଉ ! ମୋ ମହୀ ପୁଣି ଏ କଥା ଏ କଥା କହୁଚି ? ତୁ ଲଗେଇପକା ମ । କେଇଟା ଦିନର କଥା ଯେ... ଖଣ୍ଡେ ଶାଢ଼ୀ, ଦି’ଖଣ୍ଡ ଗହଣାରେ କ’ଣ ପୁରାଣ ଅଶୁଦ୍ଧ ହୋଇଯିବ ? ଜବାବକୁ ଅପେକ୍ଷା ନକରି ମହୀବୋଉ ଚାଲିଗଲେ । କାବେରୀ ଆଉ କିଛି ନ କହି ମନେ ମନେ ଭାବିଲା–ଅଃ, ଯୋଉ ଲୋକ ତ !

ଗାଁରୁ ଲୋକ ପହଞ୍ଚିଲେ–ସତେ ଯେମିତି ଦମକାଏ ଝଡ଼ି ପବନ ଖୋଲା ଦୁଆର ଦେଇ ଘର ଭିତରକୁ ପଶିଗଲା । ପିଲାମାନଙ୍କର କେଁ କଟର ପାଟି, ବଡ଼ମାନଙ୍କର ମହୀବୋଉଙ୍କୁ ସମ୍ଭାଷଣ, ଆଉ ତାରି ଭିତରେ ଭିକା ଉଦ୍ଦେଶ୍ୟରେ ମହୀବୋଉଙ୍କର ଚିତ୍କାର–ସବୁ ମିଶିଯାଇ ପୀତାମ୍ୱରବାବୁଙ୍କୁ ବ୍ୟସ୍ତ କରିପକାଇଲା । ମହୀବୋଉଙ୍କ ଗୋଡ଼ ତଳେ ଲାଗୁ ନଥାଏ ।

ମହୀବୋଉଙ୍କୁ ଚାହିଁ ତାଙ୍କ ଭାଉଜ କହିଲେ–ପାର, ଏ ଛୁଆମାନଙ୍କ କଥା ଆଗ ଟିକିଏ ବୁଝି ଦବଟି ।

–ହଁ ଦଉଛି ଦଉଛି..... ଆଲୋ ମାୟା, ସୁନାଟା ପରା ! ଯିବୁଟି ମା ଆଗ ଏମାନଙ୍କୁ ଗଣ୍ଡାଏ ଖୁଆଇଦବୁ । ମହୀବୋଉ ମାୟାକୁ ଟିକିଏ କଅଁଳେଇ କହିଲେ ।

କଥା ଶୁଣିବାରେ ବାଧା ପଡ଼ିବାରୁ ବିରକ୍ତ ହୋଇ ମାୟା କହିଲା–ଏଇ, ଏଥର ଆରମ୍ଭ ହେଲା । କାଇଁକି, ତୁ ଭାଉଜ ବୋଉଙ୍କୁ ଡାକୁନୁ ?

–ତୁ ଆଜିକ ତାଙ୍କ ଖାଇବାଟା ବୁଝି ନେ । ଭାଉଜ କ’ଣ ବୁଝିବ ନାହିଁ ?

ମହୀବୋଉଙ୍କ କଥାକୁ ଆଡ଼େଇ ନପାରି ଟିକିଏ କୁନ୍ଥେଇ ହୋଇ, ଦି’ଗୋଡ଼କୁ ଛାଟି ଛାଟି ମାୟା ପିଲାମାନଙ୍କୁ ନେଇ ଚାଲିଗଲା । ଘର ଭିତରେ ଦି’ଖଣ୍ଡ ମସିଣା ବିଛେଇ ଦେଇ ମହୀବୋଉ ଆସିଥିବା କୁଣିଆମାନଙ୍କୁ ବସିବାକୁ କହିଲେ । ବସୁ ବସୁ କ୍ରମେ ଜଣ ଜଣ ହୋଇ ଅଣ୍ଟା ସଳଖିବାର ବାହାନା କରି ଗଡ଼ି ପଡ଼ିଲେ ।

ପାନ ଭାଙ୍ଗୁ ଭାଙ୍ଗୁ ଜଣକୁ ଚାହିଁ ମହୀବୋଉ କହିଲେ–ଖୁଡ଼ି, ତମ ବୟସ କ’ଣ ଆଉ ବଢ଼ିବ ନାହିଁ କି ? ତମେ ତ କ’ଣ ଜମା ବଦଳିନା..... ଯେମିତିକୁ ସେମିତି ।

ପାଟି ମେଲା କରି, କଳଦାନ୍ତରୁ ଗୋଟିଏ ବାଁ ହାତରେ ଦେଖେଇ, ମହୀବୋଉଙ୍କୁ ଚାହିଁ ବିଦୁବୋଉ–ଖୁଡ଼ୀ ଜବାବ ଦେଲେ–ନାଇଁ ବା..... କଳଦାନ୍ତରୁ ପରା ଅଧା ପଡ଼ିଗଲାଣି... ହେଇତି, ଏ ଦାନ୍ତଟା ବି ହଲୁଚି ।

ପ୍ରକୃତରେ ମହୀବୋଉ ଠିକ୍‌ କଥା କହିଥିଲେ । ବିଦୁବୋଉ–ଖୁଡ଼ୀଙ୍କୁ ବୟସ ନୁଆଇଁପାରି ନାହିଁ । ଦେଖିଲେ କେହି ତାଙ୍କୁ ସତୁରୀ ବର୍ଷ ବୟସ ବୋଲି କହିବ ନାହିଁ । କପାଳରେ ତିଳକର ଚିହ୍ନ, ବେକରେ ତୁଳସୀ ମାଳି, କାନରେ ତୁଳସୀମାଳିର ଫୁଲ । ଗୋଡ଼ ହାତ ଚାରିଆଡ଼େ ଚିତାକୁଟା ହୋଇଛି । ପିଲାଦିନେ କେବେ ଥରେ ଠାକୁରାଣୀ ହୋଇଥିଲେ, ସେ ଚିହ୍ନ ଆଜିଯାଏ ଲିଭି ନାହିଁ । ତା’ରି ଭିତରେ ନାକର ବିଶେଷତ୍ୱ ସ୍ପଷ୍ଟ ବୁଝାପଡ଼େ–ନାକର ଅଗଟା ଉପରକୁ ଉଠିଯାଇଛି । ଚାହିଁଦେଲେ ମନେ ହେବ ଯେମିତି ଅନ୍ୟର ଦୋଷ ଗୁଣ ହିଁ କେବଳ ଶୁଙ୍ଘି ବୁଲୁଛନ୍ତି ।

ବିଦୁବୋଉ–ଖୁଡ଼ୀଙ୍କ ପାଖକୁ ଲାଗି ଶୋଇଛନ୍ତି ବଡ଼ଭାଉଜ ମାଳ ଦେଈ । ବୟସ ପ୍ରାୟ ପଚାଶ ପାଖାପାଖି ହେବ । ଏ ବୟସରେ ମଧ୍ୟ ମୁହଁର ଝଳି ମରିନାହିଁ । ଗୋଡ଼ରୁ ମୁଣ୍ଡଯାଏ ଗହଣା । ଦେହରେ ଖଣ୍ଡେ ଛିଟ ଶାଢ଼ୀ । ଦିନଯାକ ଗାଡ଼ିର ଧକଡ଼ ଚକଡ଼ରେ ଆଖି ବୁଜିହୋଇ ଆସୁଛି ।

ମହୀବୋଉଙ୍କ ସାନଭାଉଜ ଇନ୍ଦୁମତୀ କଡ଼ପଟିଆ ହୋଇ ଦି’ହାତ ଜାଗା ମାଡ଼ି ବସି, ଅଳସ ଭାଙ୍ଗିବାରେ ବ୍ୟସ୍ତ । ବୟସ ତିରିଶ ପଇଁତିରିଶ ଭିତରେ । ଚଉହାତିଆ ମାଇପିଟାଏ । ଗହଣା ଲଦିହେଇ ସାକ୍ଷାତ କାଳୀ ଠାକୁରାଣୀଙ୍କ ପରି ଦିଶୁଥାନ୍ତି । ଦୋପଖା ଚୁଲ୍ଲୀପରି ନାକରେ ଦୁଇଟା ମାଛି । ଉଠରେ ଦି’ସନ୍ଧିରୁ ପାନ ଛେପ ବୋହି ପଡ଼ୁଚି । କପାଳରେ ଥୋପାଏ ସିନ୍ଦୂର ।

ଏ ତିନିଜଣଙ୍କୁ ଛାଡ଼ିଦେଲେ, ଆଉ ଜଣେ ମସିଣା ଉପରେ ବସିଛନ୍ତି– ସେ ହେଉଛନ୍ତି ଦମୟନ୍ତୀ । ଲେଖାରେ ମହୀବୋଉଙ୍କ ଭଉଣୀ– ଘିଅଖିଆ କୁଟୁମ୍ୱ । ବାହାହେବାର ଅଳ୍ପ କେଇଟା ବର୍ଷରେ ମୁଣ୍ଡରୁ ସିନ୍ଦୂର ଲିଭିଛି । ଅସୁନ୍ଦରୀ ହେଲେ ମଧ୍ୟ ସ୍ୱଭାବ ଖୁବ୍ ଥଣ୍ଡା । ସେଥିପାଇଁ ସମସ୍ତିଙ୍କ ପାଖରେ ତାଙ୍କର ଆଦର ବେଶି ।

ମହୀବୋଉ ଦମୟନ୍ତୀଙ୍କୁ ଚାହିଁ କହିଲେ–ଆଉ... ଦମ, ତୁ କାହିଁକି ଏମିତି ହୋଇଗଲୁଣି ବା ?

 

–ଦିନକୁ ଦିନ ବୟସ ବଢ଼ୁଚି..... ଆଉ କେମିତି ହୁଅନ୍ତି ? ଦମୟନ୍ତୀ ହସିଲେ ।

–ହଇଲୋ, ତୋର ସେ ରାହାବାଳୀ ଶାଶୁ ବୁଢ଼ୀ ବଞ୍ଚିଛିଟି ?

–ନାଇଁ ବା ସେ ପରା କୋଉ କାଳରୁ ମଲେଣି ।

 

ଦମୟନ୍ତୀଙ୍କ ଶାଶୁ କଥା ପଡ଼ିବାରୁ ବିଦୁବୋଉ– ଖୁଡ଼ୀ ପୁଣି ଚେଙ୍ଗା ହୋଇଗଲେ–ଆଲୋ ପାରିଆ, ତା ଶାଶୁ କଥା ଜାଣିନୁ କି ? ସେ ବୁଢ଼ୀ ପରା ଦି’ବର୍ଷ କାଳ କତରା–ନଗା ହୋଇ ପଡ଼ିଲା । ଦମ ସେତେବେଳେ ଆମ ଗାଁରେ ଥିଲା ଯେ ବାତିନି ପଠେଇ ତାକୁ ଡକେଇ ନେଲା..... ଜାଇଁଲୁ ପାରିଆ ? ଦମ ତାର ଘୂଅମୂତ ସବୁ କଲା । ତେଇଁକି ସେ ନିଆଁନାଗୀ ବୁଢ଼ୀ ଏଡ଼ିକି ହିଂସିକୀ ଲୋ ତା’ର ଯେତେକ ଗହଣାଗାଣ୍ଠି ସବୁଯାକ ପରା ରୁଣ୍ଡେଇ ପୁଣ୍ଡେଇ ଝିଅକୁ ଦେଇଗଲା...

 

କଥାଟାକୁ ଏକରକମ ଭାଙ୍ଗି ଦେବାକୁଯାଇ ଦମୟନ୍ତୀ କହିଲେ–ହ, ସେ ଗହଣା ମୋର କ’ଣ ହୋଇଥାନ୍ତା ? କୋଉ ନାଇଥାନ୍ତି ? ଛାଡ଼ ସେ କଥା । ତା ପରେ ପରେ ବାଁ ହାତରେ ଥରେ ଲେଖାଏଁ ମାଳଦେଈ ଓ ଇନ୍ଦୁମତୀଙ୍କୁ ହଲେଇ ଦେଇ କହିଲେ–ହେ ଉଠ ମ, ବୋହୂକୁ ଦେଖିବ ନାଇଁ ? କ’ଣ ସବୁ ଶୋଇଲଣି ବା ?

 

–‘ଆଲୋ ସତେ ତ’ କହି ମହୀବୋଉ ସେଇଠି ବସି ବୋହୂ ଉଦ୍ଦେଶ୍ୟରେ ଡାକ ଛାଡ଼ିଲେ । ମହୀବୋଉଙ୍କ କଥାରେ ବାଧାଦେଇ ମାଳଦେଈ କହିଲେ–ତାକୁ କାହିଁକି ଡାକୁଚ ? ଚାଲ ଆମେ ସେଇଠିକି ଯିବା ଯେ ବୋହୂ ସାଙ୍ଗେ ସାଙ୍ଗେ ତା ଜିନିଷପତ୍ର ବି ଦେଖି ଆସିବା ।

 

ମଲା, ଜିନିଷ କୋଉ ପଳଉଚି ? ଆଗ ମଣିଷ ନା, ଆଗ ଜିନିଷ ? –କହି ଇନ୍ଦୁମତୀ ମସିଣା ଛାଡ଼ି ଉଠିଲେ ।

 

କବାଟ ବାହାରେ ପାଦଶବ୍ଦ ଶୁଣି କାବେରୀ ଝଟକିନା ଯାଇଁ ଖଟ ଉପରେ ବସିପଡ଼ିଲା-। ଜଣ ଜଣ କରି ଭିତରେ ପଶିଲେ ଆଉ କାବେରୀ ଜଣ ଜଣ କରି ସମସ୍ତଙ୍କୁ ମୁଣ୍ଡିଆ ମାରିଲା । ମାଳଦେଈ ଓଢ଼ଣା ଟେକି ବୋହୂ ମୁହଁ ଦେଖିସାରି ଅନ୍ୟମାନଙ୍କୁ ଚାହିଁ କହିଲେ–ଆଲୋ କେଡ଼େ ସୁନ୍ଦରିଆଟିଏ ମ ! କଣ୍ଢେଇଟିଏ ଭଳିଆ ଦୁଶୁଚି । ପାଟିରୁ କଥା ନ ସରୁଣୁ ଦଳକଯାକ ମାଡ଼ି ପଡ଼ିଲେ । ତେମେ ଏଥର ଉଠ..... ଆମେ ଟିକିଏ ଦେଖୁଁ ।

 

–ରହ ବା, ମୁଁ ଆଉ ଟିକିଏ ଦେଖେଁ ।

 

ମୁହଁ-ଦେଖା ପାଲା ଚାଲିଥିବାବେଳେ ବୋହୂକୁ ଖୁଣ୍ଟ ହୋଇ ଠିଆ ହୋଇଥିବାର ଦେଖି ପଛଆଡ଼ୁ ଖୁଡ଼ୀ ମୁହଁ ମୋଡ଼ିଲେ– ଆଲୋ କେତେ ଦେଖୁଚ ବା ? ସେଇତ ଏକା ମଣିଷ..... ଆମେ ଯେତେବେଳେ ବୋହୂ ହୋଇଥିଲୁ, ଷୋଳ ବର୍ଷଯାଏ ହାତେ ଓଢ଼ଣା ଟାଣି ନାଇଁ ନଇଁ ବାଟ ଚାଲୁଥିଲୁ– ନୁହଁଲୋ ପାରିଆ ? କହି ଖୁଡ଼ି ନଥ୍‌କିନା ଖଟ ଉପରେ ବସିପଡ଼ିଲେ । ବୋହୂ ଦେଖା ସେତିକିରେ ରହିଲା । ପାଟିରୁ କଥା ଛଡ଼େଇ ନେଇ ମାଳଦେଈ କହିଲେ–ହଁ ବା, ଆମେ କ’ଣ ଦେଖିନୁ କି ? ବିଦୁକୁ ବାହା କଲାପରେ ଯାଇଁ ତେମେ ସଳଖି ବାଟ ଚାଲିଲ । ଆମ ବେଳ କଥା ନିଆରା ଥିଲା ।

 

‘‘ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିଲାଣି’’–କାବେରୀ ମନେ ମନେ ପ୍ରମାଦ ଗଣିଲା-। ତାକୁ ଦେଖେଇ ଯେ ଏ କଥା କୁହା ହଉଛି ବୁଝିପାରି ସେ ଟିକିଏ ନଇଁପଡ଼ିଲା । ସେତକ ଦମୟନ୍ତୀ ଲକ୍ଷ୍ୟ କଲେ । ବିଦୁବୋଉ ଖୁଡ଼ୀଙ୍କର ଟାହୁଲି କଥାଗୁଡ଼ାକ ଦମୟନ୍ତୀଙ୍କ ମନରେ ନିଜର ଅତୀତକୁ ଆଣି ଛିଡ଼ା କରାଇଲା । ଅନେକ ଦିନର କଥା ହୋଇଗଲାଣି..... ତଥାପି ମନେହୁଏ, ଏଇ ଯେମିତି କାଲି ଘଟିଛି । ବୋହୂପଣିଆର ଦିନ ତାଙ୍କର ସରିଛି । କିନ୍ତୁ ଆଜି ତାଙ୍କର ଇଚ୍ଛା ହେଲା ମନର ଜମାଟବନ୍ଧା ଅଭିମାନଗୁଡ଼ାକ ଗାଳି ପକେଇବାକୁ । କାବେରୀକୁ ଟିକିଏ ସଳଖି ଦେଇ କହିଲେ– କାଇଁକି ଏତେ ନଉଁଚୁ ବା ? କିଏ ଅଛି ଏଠି ? ଅଣ୍ଟାପିଠି ନାଗିଯିବ.....

 

ଦମୟନ୍ତୀଙ୍କ କଥାକୁ ଚପେଇ ଦେଇ ଖୁଡ଼ୀଙ୍କର ପାଟି ଶୁଭିଲା–ଆଗୋ ଦୁନିଆଯାକର ବୋହୂ ଭୂଆସୁଣୀ ଏମିତି ନଅଁନ୍ତି ନା ଏଇ ଏକା ନଇଁଲେ ? ତମର ଅଣ୍ଟାପିଠି ନାଗିଯାଉଥିବ କହ ।

 

ଏତେବେଳଯାଏ ମୁହଁ ଫିଟେଇ ପଦେ ନ କହିଲେ ବି ପ୍ରତ୍ୟେକଟି କଥା ଯାଇ ମହୀବୋଉଙ୍କ ଛାତିରେ ବାଜୁଥିଲା । କଥାର ମୋଡ଼ ଘୂରାଇବାକୁ ସେ ଅନ୍ୟମାନଙ୍କ ହାତ ଟାଣି ଆଣି ଖଟରେ ବସେଇବାକୁ ଚେଷ୍ଟା କଲେ–ବସ ବା, କେତେବେଳ ଆଉ ଠିଆଟା ହେଇ ରହିବ ?

 

–ହ, ଆମେ କୋଉ କୁଣିଆ ହେଇଚୁ ? ଗୋଟି ଗୋଟି ହୋଇ ସମସ୍ତେ ଖଟ ଉପରେ ଚଢ଼ି ବସିଲେ । ବୋହୂକୁ ସେମିତି ଠିଆ ହୋଇଥିବାର ଦେଖି ଦମୟନ୍ତୀ ତା ହାତକୁ ଭିଡ଼ିଆଣି ଜୋର କରି ଖଟ ଉପରେ ବସେଇ ଦେଇ କହିଲେ–ସଭିଏଁ ତ ବସିଲେଣି, ତୁ ଏକଲା କାହିଁକି ଠିଆ ହେବୁ ? କାବେରୀକୁ ବସିବାର ଦେଖି ଖୁଡ଼ୀ ମାଳଦେଈଙ୍କୁ ଚାହିଁ ମୁହଁ ମୋଡ଼ି କହିଲେ–ଏ କେଡ଼େ ଅଲାଣ୍ଡୁଆ କଥା କହୁଚ ଗୋ ଦମ ! ଆମେ ନ ହେଲୁ ନାଇଁ, ତା ଶାଶୁଟା ତ ପୁଣି ଏଇଠି ବସିଚି । ବୋହୂଟାକୁ କେମିତି ପୁଣି ଏଇଠି ଏକା ଆସନରେ ବସିବାକୁ କହୁଛ ?

 

ତରତର ହୋଇ କାବେରୀ ବସିଥିବା ଜାଗାରୁ ଉଠିପଡ଼ିଲା । ମାଳଦେଈ କହିଲେ–ହ, ବସିବାରେ କ’ଣ ଅଛି ? ଭିତରେ ଭକ୍ତି ଥିଲେ ହେଲା–

 

–ଭଲକଥା ତ ଶିଖଉଚୁ ? ଭିତର ଭକ୍ତି ଫେରେ ସେଇ କାମରୁ ତ ଜଣାପଡ଼େ ?

 

ଏତିକିବେଳେ ଛୁଆମାନଙ୍କ କିଚିରି ମିଚିରି ଭିତରେ ମାୟା ଆସି ସେଠି ପହଞ୍ଚିଲା । ଗାଁ ମାଇପଙ୍କ ଭିତରେ ଗପ ପଡ଼ିଚି । ଆଖି ପଡ଼ିଗଲା କାବେରୀ ଉପରେ–କିହୋ ଭାଉଜ’ଉ ତୁମକୁ ଏ ଦଣ୍ଡ କିଏ ଦେଇଚି ? କିହୋ, ଠିଆଟା ହେଇଚ କାହିଁକି ?

 

–ତମ ପାଠରେ କ’ଣ କହିଚି ? ମାନିଆଁ ଲୋକ ଥିଲେ ଠିଆ ହବା କଥା କି ନୁହେଁ ?

–ଆମ ପାଠରେ କିଛି କହି ନାହିଁ..... ଏଠି ମାନିଅଁ ଲୋକ କିଏ ଅଛି ମୁଁ ତ ଦେଖିପାରୁ ନାହିଁ !

 

–ଅଇଛୁଣିକା ସିନା ଦେଖିପାରୁନୁ, ବଳେ ଦିନେ ଦେଖିବୁ ଯେ ! ଏଇଠୁ ଶିଖିଥା– କହି ଖୁଡ଼ୀ ସମସ୍ତଙ୍କ ମୁହଁ ଉପରେ ଥରେ ଆଖି ବୁଲେଇ ନେଲେ ।

 

ଟିକିଏ ହସିନେଇ ମାୟା କହିଲା–ବିଦୁବୋଉ ମା, ତମେ ପରା ତମ ବୋହୂବେଳେ ଶାଶୁଠୁ ଗୋଇଠା ଖାଇ ତାକୁ ନେଉଟ ଖୁଡ଼ୁମୁସା ଦି’ଟା ଦେଇଥିଲ ? ସେତକ କଣ ଭୁଲିଗଲଣି ? ସେତେବେଳେ ଏ ମାଁ-ଇଁ-ନଁ ଗୁଡ଼ାକ ତମର କୋଇଠି ଥିଲା ? ପରକୁ ଖାଲି କହି ଜାଣିଛ ।

 

ବୋହୂ ଆଗରେ ଏ ଅପମାନ ପାଇ ଖୁଡ଼ୀଙ୍କ ମୁହଁ ଆମ୍ବିଳା ହୋଇଗଲା । ବକଟେ ବୋଲି ଛୁଆ..... ମୁହଁ ହଲେଇ ହଲେଇ ତାଙ୍କୁ ଏତେ କଥା ଶୁଣେଇ ଦେଲା ! ଚିଡ଼ିଉଠି ଖୁଡ଼ୀ ଜବାବ ଦେଲେ–ମଲା, ଜୀବନକୁ ଆଞ୍ଚ ଆସିଲେ କିଏ ନ କରିବ ? ଛାର ପିମ୍ପୁଡ଼ିଟାର ତ ରାଗ ଅଛି..... ଆଉ ମଣିଷ ହୋଇ କାହାର ରାଗ ନାହିଁ ? ମାଡ଼ ଖାଇ ଖାଇ ହାଡ଼ ଗୋଡ଼ ଭାଙ୍ଗିଲାରୁ ପାହାରେ ଦେଇଥିଲି–ହଉ, ତୁ କେତେ ସହିବୁ ଦେଖିବା ନାଇଁ କି ?

 

ହସି ହସି ମାୟା କହିଲା– ସେହି ପାହାରକ ଖାଇ ତ’ ତମ ଶାଶୁ ପନ୍ଦର ଦିନ ପରେ ଯମପୁର ଦେଖିଲେ..... ଆଉ–

 

ମହୀବୋଉ ଜିଭ କାମୁଡ଼ିଲେ । ଟୋକୀଟା କହିଦେଇ ଯାଉଛି–ପାଟିରେ ବାଟୁଳି ବାଜୁ ନାହିଁ । ଖୁଡ଼ୀ ଆଉ ବସିପାରିଲେ ନାହିଁ, ଅଭ୍ୟାସବଶତଃ ଅଣ୍ଟାରେ ଲୁଗାଟା ଭିଡ଼ିଦେଇ ଝଅଟ କିନା ଉଠି ପଡ଼ିଲେ । କଅଣ କହିବାକୁ ପାଟିଟା ଟିକିଏ ଖଲଖଲ ହେଲା, କିନ୍ତୁ ସେତକ ଅତି କଷ୍ଟରେ ରୋକି ନେଲେ । ଗାଁ ହୋଇଥିଲେ ଏତେ ବେଳକୁ କହିବା ଲୋକକୁ ଝୁଣିଦେଇ ସାରନ୍ତେଣି, କିନ୍ତୁ ଏଠି କିଛି କରି ନପାରି କେବଳ ମହୀବୋଉଙ୍କ ମୁହଁକୁ ଥରେ ରାଗରେ ଚାହିଁଲେ–ଏଇ ସବୁ ବଖାଣିଚି । ନଇଲେ ଏସବୁ କଥା ପିଲାଟା ଜାଣନ୍ତା କେମିତି ? ରାଗ ଆଉ ଅପମାନରେ ମୁହଁଟା ଜଳିଗଲା ପରି ଲାଗିଲା । ଖୁଡ଼ୀଙ୍କର ଏପରି ଅସ୍ତବ୍ୟସ୍ତ ଭାବ ଦେଖି ଦୁଃଖ କରି ମହୀବୋଉ କହିଲେ–ତା କଥା ଆଉ କ’ଣ କହିବି ଖୁଡ଼ୀ ! ସେ ମତେ ବଡ଼ ଦହଗଞ୍ଜ କଲାଣି..... ଚାଲ ଆମେ ଆଉଠାଏ ବସିବା ।

 

ଅଣ୍ଟା ସଳଖି ବିଦୁବୋଉ-ଖୁଡ଼ୀ କହିଲେ,–ଏଇଟାକୁ କିଏ ପାରିଆର ଝିଅ ବୋଲି କହିବ ମ ? ମା’ ମାଉସୀ ଯାହା କହନ୍ତି ଭଲ ପେଇଁ କହନ୍ତି ସିନା ? ଆଉ ଆମର ଇଏ ଅଣ୍ଟାରେ ନୁଗା ଭିଡ଼ି କଳି କରିବାକୁ ବାହାରି ପଡ଼ୁଚି ।

 

ମରଦଙ୍କ ଭଳି ଗୋଡ଼ ଉପରେ ଗୋଡ଼ ପକେଇ ହଲେଇ ହଲେଇ ମାୟା କହିଲା–‘‘ତମେ ମୋ ପାଇଁ ଏହିକ୍ଷଣି ଅଣ୍ଟାରେ ଲୁଗା ଭିଡ଼ିଥିଲ ଯେ, ହେଲେ ଡରରେ କିଛି ପାଟିରେ ନେଉଟିଲା ନାହିଁ–ନୁହେଁ ବିଦୁବୋଉ–ମା ? ତମରି ଭଳିଆ ତମର ଗୋଟିଏ ବୋହୂ ଥାନ୍ତା କି ତମେ ଥଣ୍ଡା ହେଇ ସାରନ୍ତଣି’ କହି ମାୟା ନିଜେ କାବେରୀର ହାତ ଭିଡ଼ିଆଣି ବସେଇ ଦେଲା ।

 

ମାନ୍ୟ ଲୋକମାନେ ଠିଆ ହୋଇଥିବାବେଳେ ବୋହୂକୁ ବସିବାର ଦେଖି ଜଣ ଜଣ ହୋଇ ସମସ୍ତେ ବାହାରିଗଲେ । ଯାଉ ଯାଉ ଖୁଡ଼ୀ ମୁହଁ ମୋଡ଼ିଦେଇ କହିଲେ–ଏ ଉପରମୁହିଁ କି କିଏ ବୋହୂ କରିବ ଲୋ ମା ! ମୁହଁ ଖଣ୍ଡେ ତ ପାଇଚି ! ବାହାହୋଇ ଆସିବାର ପ୍ରାୟ ଆଠମାସ ହୋଇଗଲାଣି । ଆଜିପରି କାବେରୀ ଦିନେ ହେଲେ ମାୟାକୁ ଏତେ ଭଲ ପାଇପାରି ନଥିଲା । ଶାଶୁଘର ଲୋକଙ୍କ ଭିତରେ ଯଦି କାହାଠାରୁ ସେ ଦୂରେଇ ରହିବାକୁ ଇଚ୍ଛା କରୁଥିଲା ତେବେ ସେ ହେଉଛି ଏଇ ମୁହଁଖୋର ମାୟା । ଯେଉଁ ଧରଣର କଥା ଶୁଣିଲେ କାବେରୀର ହାଡ଼ ଶୂଳେଇ ହୁଏ, ଆଜି ସେହି ଧରଣର କଥା ତା ମନରେ ଆଶ୍ୱାସନା ଢାଳି ଦେଇଗଲା । ଯେଉଁ ଶାଶୁଙ୍କୁ ସେ ମନ ଭିତରେ ଏତେ ଭକ୍ତି କରୁଥିଲା ସେ ବି ପଦେ କିଛି କହିଲେ ନାହିଁ । ଅଭିମାନ ହେଲା ନିଜର ସ୍ୱାମୀ ଉପରେ । ତାଙ୍କୁ ଏତେ କରି କହିଥିଲା ଏମାନେ ଆସିଲାବେଳେ ଟିକିଏ ପାଖରେ ରହିବାକୁ । କିନ୍ତୁ ସେ ହସି ଉଡ଼େଇଦେଇ କହିଲେ, ‘‘ବୋଉ ତ ଅଛି । ସବୁ ସେ ତୁଲେଇ ନବ ।’’ ମା ଉପରେ ତାଙ୍କର ଅତି ବେଶି ବିଶ୍ୱାସ ।

 

କାବେରୀକୁ ଚୁପ୍‌ହୋଇ ବସି ରହିବାର ଦେଖି ମାୟା ପଚାରିଲା–ତମକୁ ଦେଖି କ’ଣ ସବୁ ଦେଲେ ?

 

କିଛି ଜବାବ ନଦେଇ କାବେରୀ ଚାରୋଟି ରୂପା ଟଙ୍କା, ଗୋଟିଏ ମୁଦି ଓ ଗୋଟିଏ ହାର ମାୟା ଆଗରେ ରଖିଦେଲା । ଗହଣା ଦେଖିନେଇ ମାୟା ଭାଉଜ ମୁହଁକୁ ଚାହିଁଲା ।

 

–ଆରେ ତମେ କାନ୍ଦୁଛ ? ହ’ମ, ସେମାନଙ୍କ କଥାକୁ କାହିଁକି ଖାତିର କରୁଚ ? ସେମାନେ କ’ଣ ଜାଣନ୍ତି ? ଦେଖୁନା, ମୁଁ କଣ ଦୁଃଖ କରୁଛି ? ବୁଲ, ଡିଅଁ, ଖେଳ–ମାୟା ଆଉ କ’ଣ କହିବାକୁ ଯାଉଥିଲା, ପୀତାମ୍ୱରବାବୁଙ୍କ ଡାକ କାନରେ ବାଜିବାରୁ ଉଠିଗଲା ।

 

ଘର ଭିତରେ ଆଉ କେହି ନାହାନ୍ତି । ଗୋଡ଼କୁ ତଳକୁ ଝୁଲାଇ ଗାଲରେ ହାତ ଦେଇ କାବେରୀ ସନ୍ଧ୍ୟାବେଳେ ଘଟିଥିବା ଘଟଣାକୁ ପୁଣି ମନେ ପକାଉଥିଲା । ନିଜ ମୂର୍ଖାମି ପାଇଁ ତା ମନରେ ଅନୁତାପ ଆସିଲା । ଶାଶୁଘର ଅନୁଭୂତି ପ୍ରଥମ କରି ସେ ଏଇଠି ପାଇଲା । ମୁଣ୍ଡଟା ବିନ୍ଧୁଚି । ଗଡ଼ପଡ଼ ହେଲେ ଟିକିଏ ଭଲ ଲାଗିବ ମନେକରି କାବେରୀ ଶୋଇବାକୁ ଯାଇ ଦେଖିଲା ବାସି ଚାଦର ଉପରେ ମଇଳାଗୋଡ଼ର ଦାଗ । ଠାଏ ଠାଏ ପାନଛେପ । ବୋଧହୁଏ ସେ ବୁଢ଼ୀଟା କଥା କହିଲାବେଳେ ଗଳି ପଡ଼ିଚି । ନାକ ଟେକି କାବେରୀ ଚାଦରକୁ ଟାଣିଆଣି ତଳେ ପକାଇଦେଲା ।

 

ମନର ବିରକ୍ତି ମନରେ ରଖି କାବେରୀ କୁନାକୁ ଡାକିଲା । କୁନାକୁ ନ ପାଇ ପତୁକୁ ସେ ବାଟ ଦେଇ ଯାଉଥିବାର ଦେଖି କହିଲା–ପତୁ, ଟିକିଏ କୁନାକୁ ଡାକି ଦିଅନ୍ତ ?

 

କିଛିବେଳ ପରେ କୁନା ଆସିବାରୁ କାବେରୀ ଚାରିଆଡ଼କୁ ଟିକିଏ ଚାହିଁଦେଇ, ତାକୁ ପାଖକୁ ଡାକି କହିଲା– କୁଣିଆମାନେ କୋଉଠି ଅଛନ୍ତି କିରେ ?

 

ଖଣ୍ଡେ ଦୂରରେ ହାତ ଦେଖେଇ କୁନା କହିଲା–ହେ–ଇ ସିଆଡ଼େ ବସି ଗପ କରୁଛନ୍ତି ।

–ହଉ ତୁ ଯା ସେଇଠି ଖେଳୁଥିବୁ । ସେମାନେ ମୋ କଥା ଯାହା କହିବେ ସବୁ ଶୁଣି ମତେ କହିବୁ ।

 

ବାହାରେ କାହାର ପାଦଶବ୍ଦ । କାବେରୀ କାନ ଡେରିଲା । ବୋଧହୁଏ ମୋହନ ଆସୁଛି-। ଘର ଭିତରେ ପଶି କାବେରୀକୁ ରାଗରେ ଫଁ’ ଫଁ’ ହେଉଥିବାର ଦେଖି ମୋହନ ପଚାରିଲା–କ’ଣ ହେଇଚି ? କାହିଁକି ଏମିତି ରାଗିଛ ? କିଏ କ’ଣ କହିଲା କି ?

 

–ଇସ, ବଡ଼ ଉପକାରିଆ ନା, ପଚାରି ବସିଲେ । ରାଗରେ କାବେରୀ ଉତ୍ତର ଦେଲା ।

 

–ମୋ ଉପରେ ରାଗୁଛ କାହିଁକି ? ଲୁଗା ପାଲଟୁ ପାଲଟୁ ମୋହନ କହିଲା । ହଠାତ୍‌ ଗୋଡ଼ରେ କ’ଣ ଲାଗିଯିବାରୁ ମୋହନ ତଳକୁ ଚାହିଁ ଦେଖିଲା–ପାନଛେପ । ଖଣ୍ଡେ ଦୁରକୁ ଘୁଞ୍ଚିଯାଇ ଟିକିଏ ଚିଡ଼ିଯାଇ କହିଲା–ଇସ୍ ଏଗୁଡ଼ାକ କ’ଣ ? କିଏ ଏମିତି କରିଚି ?

 

କାବେରୀ ଖଟରୁ ଓହ୍ଲାଇ ଆସି ଦେଖିଲା ପଲଙ୍କ ପାଖରୁ ଛେପ ଗଡ଼ି ଆସିଚି । ଏଥର ସେ ଆହୁରି ରାଗିଯାଇ କହିଲା–ଏ ଘରକୁ ତମେ ଧୂଅ, ମୁଁ ଧୋଇପାରିବି ନାହିଁ ।

 

–କିଏ ପକେଇଚି ? ବିରକ୍ତିରେ କପାଳ କୁଞ୍ଚେଇ ମୋହନ ପଚାରିଲା ।

 

–ଚାରି ପାଞ୍ଚଜଣ ତ ଆସିଥିଲେ । କିଏ ପକେଇଚି ମୁଁ କେମିତି ଜାଣିଲି ? ସେଇ କାଳିଆ ହେଇକରି ଯାହାଙ୍କର ବଡ଼ ବଡ଼ ଦାନ୍ତ ଅଛି, ସେଇତ ଏଠି ବସିଥିଲେ ।

 

–ଓ, ଇନ୍ଦୁ ମାଇଁ । ଏଇଟାକୁ ଗାଁ ଘର ବୋଲି ମନେ କରିଛନ୍ତି ପରା ? ଆଚ୍ଛା ମୁଁ ଦେଖୁଚି ।

–ବାସି ଚାଦରଟା କାଢ଼ିଥିଲି । ସେଇଟା ବି ନଷ୍ଟ ହେଲା ।

–ତମେ କ’ଣ ଜାଣି ନଥିଲ ? ଏ ଜଙ୍ଗଲି ଗୁଡ଼ାଙ୍କ ପାଇଁ କାହିଁକି କାଢ଼ୁଥିଲ ?

 

ମୋହନର ଚିତ୍କାର ଶୁଣି ପୀତାମ୍ୱରବାବୁ ଆସି ସବୁ କଥା ବୁଝିଲେ । ଗଲାବେଳେ କହିଗଲେ–କାହିଁକି ସେଗୁଡ଼ାଙ୍କୁ ଆଣି ଏଠି ପୂରାଅ ? ସେମାନଙ୍କ ସ୍ୱଭାବ ସେଇଆ । ବିଦୁବୋଉ ଖୁଡ଼ୀଙ୍କର ଟାଆଁଶ କଥାଗୁଡ଼ାକ ରାତିଯାକ କାବେରୀ ମନକୁ ଫୋଡ଼ିବାରେ ଲାଗିଲା । କାନରେ ମୋହନର ଘୁଙ୍ଗୁଡ଼ି ଶବ୍ଦ ବାଜୁଛି, କିନ୍ତୁ କାବେରୀ ଆଖିରେ ନିଦ ନାହିଁ । ମନଟା ହାଲୁକା କରିବାକୁ ଯେତେ ଚେଷ୍ଟା କଲେ ବି ସେଇ ଗତ କଥାଗୁଡ଼ାକ ମନଟାକୁ ପୁଣି ଦବେଇ ଦଉଛି । ଆଖି ବୁଜିଲେ ବି ସେଇ ବୁଢ଼ୀଟାର ମୁହଁ ଦିଶୁଚି । ଏମିତି ଭାବୁ ଭାବୁ କେତେବେଳେ କାବେରୀର ଆଖି ବୁଜି ହୋଇଯାଇଛି, ସେ ଜାଣେ ନାହିଁ । ରାତିରେ କେତେଥର ନିଦ ଭାଙ୍ଗିଛି–ଆଖି ଆଗରେ ସେଇ ବୁଢ଼ୀର ମୁହଁ । ସବୁବେଳେ ଯେମିତି ତା’ରି ପିଛା ଧରିବାକୁ ପଣ କରିଚି ।

 

ରାତି ପାହିଲା । ଆଗଦିନ ରାତିରୁ ଶିଖାଶିଖି ହେଲାପରି ପିଲାଗୁଡ଼ାକ କେତେବେଳୁ ଉଠି ବାହାରେ ଆସି ଖେଳିବାପାଇଁ ଛଟପଟ ହେଉଛନ୍ତି । ଯିଏ ଯାହାର ନୂଆ ଜିନିଷ ସାଙ୍ଗମାନଙ୍କୁ ଦେଖେଇ ସାରିଲେଣି । ଏତିକିବେଳେ ବଡ଼ ମଣିଷଙ୍କ ଭିତରୁ ଦି’ଜଣ କବାଟ ଖୋଲି ପଦାକୁ ଯିବାକୁ ବାହାରିଲେ । କବାଟ ଖୋଲୁ ଖୋଲୁ ଛୁଆଗୁଡ଼ାକ କିଲିବିଲା ହୋଇ ବାହାରକୁ ବାହାରି ଆସିଲେ । ସେଇ ପାଟିରେ ପାଖ ବଖରାରୁ କାବେରୀର ନିଦ ଭାଙ୍ଗିଗଲା । ନିଦ ଭାଙ୍ଗିବାମାତ୍ରେ ବିଦୁବୋଉଙ୍କ ମୁହଁ ମନେପଡ଼ି ମନଟା ତା’ର ପୁଣି ଦବିଗଲା । ଦେହ ଓ ମନରୁ ଅଳସ ଛାଡ଼ି ନାହିଁ । ଭିଡ଼ିମୋଡ଼ି ହୋଇ କାବେରୀ ଆଉ ଟିକିଏ ଆଖି ବୁଜିବାକୁ ଯାଉଥିଲା, ଏତିକିବେଳେ ବାହାରେ ଦମୟନ୍ତୀଙ୍କର ପାଟି ଶୁଭିଲା–ଆଲୋ ଦେଖ ବା... ପହରେ ବେଳ ଆସି ହେଲାଣି... ଗାଁ ହୋଇଥିଲେ ଏତେବେଳକୁ ଅଧାପାଇଟି ସରନ୍ତାଣି....

 

କଥାଗୁଡ଼ାକ କାନରେ ବାଜିବାମାତ୍ରେ ଜିଭ କାମୁଡ଼ି କାବେରୀ ଉଠିପଡ଼ିଲା । କବାଟ ଫାଙ୍କରେ ଚାହିଁ ଦେଖିଲା ଜଣ ଜଣ କରି ତଳକୁ ଓହ୍ଲାଉଛନ୍ତି । ବିଛଣାଉଠା ପଛକୁ ରଖି, ନିଜର ଲୁଗାପଟା ଧରି କାବେରୀ ତରତର ହୋଇ ଗାଧୋଇବାକୁ ବାହାରିଗଲା ।

 

ଦିନଯାକ କାବେରୀକୁ ବଡ଼ ଜଗି ଜଗି ଚଳିବାକୁ ହେଲା । କେବଳ ବିଦୁବୋଉଙ୍କ ଡରରେ ଯେଉଁଠି ବସିଲେ ମଧ୍ୟ ସେ କିଛି ନା କିଛି କାମରେ ହାତ ଦେଉଥାଏ ।

 

ବେଳ ଗଡ଼ି ଗଡ଼ି ଆସି ଦି’ପହର ହେଲାଣି । ସମସ୍ତଙ୍କର ଖିଆପିଆ ସରିଲାଣି । ପିଲାଏ ଘରେ ନାହାନ୍ତି । ମହୀବୋଉଙ୍କ ଶୋଇବା ବଖରାରେ ମସିଣା ପଡ଼ି ପାନଡାଲା ମେଲା ହୋଇଛି ଆଉ କୁଣିଆମାନେ ତାକୁ ଘରି ବସି ପାନ ଖାଉ ଖାଉ କେତେ କଥା ମେଲି ଦେଇଛନ୍ତି । ଏତିକିବେଳେ କାବେରୀ ହାତରେ ଖଣ୍ଡେ ମସିଣା ଓ ଗୋଟିଏ ତକିଆ ଧରି ଆସି ପହଞ୍ଚିଲା । ବୋହୂକୁ ମସିଣା ପାରିବାର ଦେଖି ମହୀବୋଉ ପଚାରିଲେ–କ’ଣ କରିବୁ କି ?

 

ଟିକିଏ ମୋଡ଼ି ଦିଅନ୍ତି ? ଲାଜ ଲାଜ ହୋଇ ବୁଢ଼ୀ ଆଡ଼କୁ କଣେଇ ଚାହିଁ କାବେରୀ କହିଲା ।

 

ତା କଥା ଶୁଣି ମହୀବୋଉଙ୍କ ମୁହଁ ପ୍ରସନ୍ନ ହୋଇଉଠିଲା । ନୂଆ ନୂଆ ଆସିଲାବେଳେ ଏଇ ବୋହୂ ତାଙ୍କୁ କେତେ ଘଷି ଦେଇଛି । ତା ମୁହଁରୁ ଆଜି ପୁଣି ସେଇ ପୁରୁଣା କଥା ଶୁଣି ତାଙ୍କ ମନ ଖୁସି ହୋଇଗଲା । ସେ ହସି ହସି ବଡ଼ ଭାଉଜ ମାଳଦେଈଙ୍କ ମୁହଁକୁ ଚାହିଁଲେ । ଅର୍ଥାତ୍‌ ତାଙ୍କ ବୋହୂ ଏତେ ପାଠୋଈ ହୋଇକରି ମଧ୍ୟ କେମିତି ଘଷିବାକୁ ଆସିଛି ଦେଖ । କିନ୍ତୁ ସେମାନଙ୍କ ମୁହଁରେ କାଣିଚାଏ ହେଲେ ପରିବର୍ତ୍ତନ ଦେଖିଲେ ନାହିଁ । ଯେମିତି ଏଇଟା ଗୋଟାଏ ଅତି ସାଧାରଣ କଥା । ଘରକୁ ବୋହୂ ଆସିଲେ ବଡ଼ମାନଙ୍କୁ ଘଷିବାକୁ ବାଧ୍ୟ–ସୁବିଧା ଥାଉ କି ନ ଥାଉ । ମହୀବୋଉଙ୍କର ହସର ଜବାବ ଦେଲେ ଦମୟନ୍ତୀ ।

 

–ତୁ କେତେ ତପ କରିଥିଲୁ ଲୋ ପାରଅପା ! ଏମିତି ଗୁଣର ବୋହୂଟିଏ ପାଇଲୁ ଯେ କୋଉଥିରେ ଖୁଣି ହବ ନାହିଁ । ରୂପରେ ନୁହେଁ କି ଗୁଣରେ ନୁହେଁ ।

 

ଦମୟନ୍ତୀଙ୍କ କଥା ଶୁଣି ସାନ ଭାଉଜ ଇନ୍ଦୁମତୀ ହସିଦେଇ ଚାହିଁଲେ ବିଦୁବୋଉ ଖୁଡ଼ୀଙ୍କ ମୁହଁକୁ । ସେ ହସ ଦୁଇ ଆଡ଼କୁ ପାଇଲା । ବିଦୁବୋଉ–ଖୁଡ଼ୀ କିନ୍ତୁ ନିର୍ବିକାର ।

 

ବୟସ ଅନୁସାରେ ମହୀବୋଉ ଆଗେ ଖୁଡ଼ୀଙ୍କୁ ଘଷିବାକୁ କହିଲେ । ମୁଣ୍ଡର ଓଢ଼ଣା ଆଉ ଟିକିଏ ଟାଣିଦେଇ, ମନର ବିରକ୍ତି ଓଢ଼ଣା ତଳେ ଛପେଇ କାବେରୀ ଘଷିବାକୁ ବସିଲା ।

 

ଦୁଇଚାରି ଭାରି ଘଷା ଖାଇଲା ପରେ ମହୀବୋଉଙ୍କୁ ଅନୁଗୃହୀତ କଲାପରି ବିଦୁବୋଉ କହିଲେ– ବଡ଼ କଅଁଳ ହାତ..... ବଡ଼ ସୁନ୍ଦର ମୁଠି ମୁଠି ଘଷା.....

 

ଖରା ଧୀରେ ଧୀରେ ଘୁଞ୍ଚି ଯାଉଛି । ବିଦୁବୋଉ ଘଷାର ଆରାମରେ ଗପ ସୁଅରେ ଭାସିଯାଉଛି । ବେଳେ ବେଳେ ବୋହୂର ମୁହଁରେ ପ୍ରସନ୍ନତା ଫୁଟି ଉଠୁଚି । ମଝିରେ ହଠାତ୍‌ ଗପ ବନ୍ଦ ରଖି କାବେରୀ ମୁହଁକୁ ଚାହିଁ କହିଲେ–ଆଲୋ ମାଳ, ମତେ କେମିତି ୟା ମୁହଁ ଆମ ଗାଁ ଧରମା ମାଇପ ମୁହଁପରି ଦୁଶିଯାଉଚି–ନୁହଁ ?

 

ମହୀବୋଉଙ୍କ ମୁହଁକୁ ଚାହିଁ ମାଳଦେଈ ଖାଲି ହସିଲେ । ଦମୟନ୍ତୀ ଆଗ ବଳିପଡ଼ି କହିଲେ–ଖୁଡ଼ୀଙ୍କର ଯୋଉ କଥା ? କାହା ସାଙ୍ଗରେ କାହାକୁ ନେଇ ତୁଳନା କରୁଛନ୍ତି ଦେଖ !

 

ଇନ୍ଦୁମତୀ କହିଲେ..... ନାଇଁ..... ଧରମା ମାଇପ ବର୍ଣ୍ଣ ଟିକିଏ ନିରସା ଯିବ.... ।

 

ବୋହି ପଡ଼ୁଥିବା ପାନ ଛେପକୁ ହାତରେ ନେସି ଦେଇ ବିଦୁବୋଉ କହିଲେ... ହଁ, ସେଇ ଉଣେଇଶ ବିଶ୍.... ନଇଲେ ଏକା ଗଢ଼ଣ ।

 

ମହୀବୋଉ ଆଉ ଚୁପ୍‌ ହୋଇ ରହିପାରିଲେ ନାହିଁ ? ପଚାରିଲେ–କୋଉ ଧରମା ବା-?

 

–ଆଲୋ ପରମାର ପୁଅ ବା..... ତା’ରି କନିଆ ଭାରିଜା... ତୁ ତାକୁ ଦେଖିନୁ ?

 

ମହୀବୋଉ ଗମ୍ଭୀର ହୋଇଗଲେ–ସମସ୍ତଙ୍କ ସାଙ୍ଗରେ ମିଶି ମିଶି ଏମାନେ ଛୋଟ ନଜରିଆ ହେଇଗଲେଣି..... ଭଦ୍ରାମି ଜାଣନ୍ତି ନାହିଁ..... ଗୋଟାଏ ମୂଲିଆ ମାଇପ ସାଙ୍ଗରେ ତାଙ୍କର ବି.ଏ. ପାସ୍‌ କଲା ବୋହୂକୁ ସମାନ କରି ଥୋଇ ଦେଉଛନ୍ତି । ମହୀବୋଉଙ୍କ ଓଠ ଟିକିଏ ଚିପି ହୋଇଗଲା । ସେତକ ବିଦୁବୋଉ ଲକ୍ଷ୍ୟ କରି ସାଙ୍ଗେ ସାଙ୍ଗେ କଥାର ମୋଡ଼ ଘୂରେଇ ଦେଲେ–ସେଇ ରୂପରୁ ଟିକିଏ ପାଇଚି ବୋଲି ତ, ତାର ଏତେ କଥା..... ଆଲୋ ସେଇଟା ଧରମାକୁ ଯୋଉ ହିନସ୍ତା କରୁଚି, ଦେଖିଲେ ପରା ଆଖି ବୁଜି ହୋଇଯିବ.....

 

କଥାରେ ବାଧାଦେଇ ମାଳଦେଈ କହିଲେ..... ସତରେ ମ..... ସେତେବେଳେ କେତେକରି ସଭିଏଁ କହୁଥିଲେ ସେଇଟା କାଣ୍ଡୋଇଟାଏ..... ଧରମା ଶୁଣିଲା ନାଇଁ..... ଏହିକ୍ଷଣି ବସି ହାତ ପିଠିରେ ଲୁହ ପୋଛୁଚି..... ଖାଲି ସିଏ ବୋଲି ସେ ମାଇକିନିଆର କଟାସମ୍ପା ସହି କରି ରହିଚି..... ଆଉ କିଏ ହେଇଥିଲେ କୋଉଦିନଠୁ ବାବାଜୀ ହେଇ ଯାଆନ୍ତାଣି ।

 

–‘‘ଭଲ କଥା କହୁଚ ! ସେ କ’ଣ ଆଗରୁ ଜାଣି ନଥିଲା ? ଆଲୋ, ‘ସାରୁ ପତର କି ଆଳୁ ପତର ସେ କି ହୋଇବ ପାନ, ପଛରେ ଯାହାଙ୍କୁ ଭାରିଜା କରିବ ସେ କି ଜାଣିବ ମନ ?’ ଆଗ ଭାରିଜା ଯେତେ ମନ ଜାଣି ସେବା ଧରମ କରିବ, କନିଆ ଭାରିଜା ତାର କରିବ କାହିଁକି ? ଏ କଥା ତ ସବୁଠେଇଁ ଦେଖାଅଛି କହି ଦମୟନ୍ତୀ ସମସ୍ତଙ୍କୁ ଚାହିଁଲେ ।

 

ଘଷି ଘଷି କାବେରୀର ହାତ ଅପଶ ହେଇଗଲାଣି । କୌଣସି ଆଳ ଧରି କିଛିବେଳ ହାତ ଶିଥିଳ କରିଦେଲେ ବିଦୁବୋଉ ଗୋଡ଼ଟା ହଲେଇ ଜଣେଇ ଦେଉଛନ୍ତି ଯେ ଘଷା ବନ୍ଦ ଅଛି । କାବେରୀ ମନ ଭିତରେ ପ୍ରମାଦ ଗଣିଲାଣି । ଜଣକୁ ଘଷିବାକୁ ଯଦି ଏତିକି ସମୟ ଲାଗେ, ତେବେ ଏହି ଚାରିଜଣ କୁଣିଆଙ୍କୁ ଘଷିବାକୁ ତା’ର ଚବିଶ ଘଣ୍ଟା ବିତିଯିବ । ସେ ମନ ଭିତରେ ଚିଡ଼ିଗଲାଣି–କେଡ଼େ ଅଭଦ୍ର ଲୋକଗୁଡ଼ାଏ ସତରେ ! ଅନ୍ତତଃ ମୁହଁ ଉପରେ ଥରେ ତ କହନ୍ତେ ‘ହେଲା’ ବୋଲି-? ଏଇ ଘଷୁ ଘଷୁ ମୋହନର ଫେରିବା ସେ ଜାଣିଛି । ପୂଝାରୀ ଖାଇବାକୁ ଦେଇଥିବ । ସେ ବି ଥରେ ଡକାଇ ପଠାଇ ନାହାନ୍ତି । ଖାଲି ଯେତକ ସୁଆଗ ସବୁ ମୁହଁ ଉପରେ ଦେଖେଇବେ । କାମବେଳେ କେହି ଜଣେ ଆସି ପିଠିରେ ପଡ଼ିବେ ନାହିଁ । ଘଷାଟା କେମିତି ବନ୍ଦ କରିବ କାବେରୀ ମନେ ମନେ ଉପାୟ ପାଞ୍ଚୁଛି । ପ୍ରତି ମୁହୂର୍ତ୍ତରେ ଭାବୁଚି, ‘ଏଇ ଭାରିଟା ଘଷିଦେଇ ଛାଡ଼ିଦେବି ।’ କିନ୍ତୁ ଘଷିଲାବେଳକୁ ହାତ ପୁଣି ଚାଲିଯାଉଛି ଆଉ ଭାରିକୁ ।

 

ପୂଝାରୀ ଆସି ଦୁଆର ମୁହଁରେ ଠିଆ ହେଲା–ମା କ’ଣ ଜଳଖିଆ ହବ ଦେଇଯାଅ ।

 

ମହୀବୋଉ ଉଠିଗଲେ । କାବେରୀ ମନରେ ରାଗ ହେଲା,–ତାକୁ କେହି ଟିକିଏ ଡକେଇ ପଠାଉ ନାହାନ୍ତି । ଭାବିଲା–ପାଇଖାନା ଯିବ ବୋଲି କହିବ । ଏମିତି ଭାବୁ ଭାବୁ ହାତ କେତେବେଳେ ରହିଯାଇଛି, ସେ ଜାଣିପାରି ନାହିଁ ।

 

କାବେରୀକୁ ଚାହିଁ ଦମୟନ୍ତୀଙ୍କ ମନ ତରଳିଗଲା । ଟିକିଏ ଶୁଖିଲା ଭଳି ଖୁଡ଼ୀଙ୍କି ଚାହିଁ କହିଲେ–ତମେ କେମିତି ହେ ଖୁଡ଼ୀ । ପିଲାଟା ଘଷି ଘଷି ନୟାନ୍ତ ହେଲାଣି । ଥରେ ‘ଥାଉ’ ବୋଲି ବି କହୁନା ?

 

ମାଳଦେଈଙ୍କ ମୁହଁକୁ କଣେଇ ଚାହିଁ ଖୁଡ଼ୀ କହିଲେ–ଥାଉଲୋ, ସେତିକି ଥାଉ..... ପିଲା ଲୋକ..... ଘଷିପାରୁ ନାହିଁ..... ଆମ ମଫସଲରେ ବୋହୂଙ୍କୁ ଦେଖିବ ଦି’ଭାରି ଘଷାରେ ଧିଅ ତାଜା ହୋଇଯିବ... ଏମାନେ ତ ଖାଲି ଚୌକିରେ ବସି ପାଠ ପଢ଼ିଲେ..... ଘଷାର କାଇଦା ଜାଣିବେ କୁଆଡ଼ୁ ? ଅଳସ ଭାଙ୍ଗି ଖୁଡ଼ୀ ଉଠି ବସିଲେ ।

 

ବେଳ ଗଡ଼ିଗଲାଣି । କାବେରୀର ଅଣ୍ଟାପିଠି ମଧ୍ୟ ଲାଗିଗଲାଣି । ସେ ମନେ ମନେ ଭାବୁଛି–‘‘ଏହିକ୍ଷଣି ଯଦି ଆଉ କେହି ତାକୁ ଘଷିବାର ଫରମାସ ଦିଅନ୍ତି, ତେବେ ସେ ସିଧା ନାହିଁ କରିଦେବ । ସେ ମଣିଷ ନା ମେସିନ୍ ? ଘଷୁଛି ତ ଘଷୁଛି–କେହି ଟିକିଏ ନାହିଁ ବି କରୁନାହାନ୍ତି ! ନ ଘଷିବାକୁ ଯେତେ ପଣ କଲେ ବି ମନରେ ଡର । କାଳେ କ’ଣ କିଏ କହିଦେବ । ତେଣୁ ସେ ଉପାୟ ପାଞ୍ଚି ଦମୟନ୍ତୀଙ୍କ ହାତ ଧରି ଟାଣିଲା ।

 

ବୁଢ଼ୀର ଘଷା ମଉଜ ଏପରି ଭାବରେ ଦମୟନ୍ତୀ କାଢ଼ି ନେଇଥିବାରୁ ବୁଢ଼ୀ ମନେ ମନେ ଭାରି ଖପା ହୋଇଥିଲା । ସେତିକି ଶୁଝେଇବା ପାଇଁ ହସି ହସି କାବେରୀ ମୁହଁକୁ ଚାହିଁ କହିଲା–ଆଲୋ ହୁଣ୍ଡି ! ବଡ଼ ମାଇଁ ଥାଉ ଥାଉ ସେମାନଙ୍କୁ କେମିତି ଘଷିବାକୁ ଯାଉଚୁ ? ସେ ପରା ବଡ଼ ।

 

କଥାର ମରମ ଦମୟନ୍ତୀ ବୁଝିଲେ । ଲେଉଟ ହସି ହସି କହିଲେ–କାହାକୁ ଘଷିବା ଦରକାର ନାହିଁ । ତମର ଯଦି ଆମ ପେଇଁ ଏତେ ମନ ବଥେଇ ହଉଥିଲା, ତେବେ ଆଗରୁ ତାକୁ କହିଲ ନାହିଁ ?

 

ବିଦୁବୋଉଙ୍କ ପଟ ନେଇ ମାଳଦେଈ ଓକିଲାତି କଲେ..... ଆଉ ! ପିଲାଟା ଏତେ ଶରଧାରେ ଆସିଥିଲା । କେମିତି ତାକୁ ନାହିଁ କରି ଦେଇଥାନ୍ତେ, ତାକୁ ବାଧି ନ ଥାନ୍ତା ?

 

ସାନଭାଉଜ ଇନ୍ଦୁମତୀ ନିଜର ଡାହାଣ ହାତଟା ଦେଖେଇ ଦେଇ କହିଲେ–ଦମ, ତମେ ଏକଥା କହୁଚ । ହେଇତି ଦେଖ ଘଷି ଘଷି ଆମ ହାତରେ ବିଣ୍ଡି ବସିଯାଇଛି ।

 

ଦମୟନ୍ତୀ କାବେରୀକୁ ଟାଣିଆଣି ପାଖରେ ବସେଇ କହିଲେ–ଆଲୋ, ତୁମେସବୁ କ’ଣ ମୋଠୁ ବେଶି କରିଛ ? ମୁଁ ଶାଶୁଘରେ ଯାହା କରିଥିଲି, ସେ କଥା ମୋ ମନ ଜାଣେ । ସେମିତି କରିଥିଲି ବୋଲି ଆଜି ବୁଝୁଛି ତା ଦୁଃଖ । ତମେ କଣ ଜାଣ ନାହିଁ ଶାଶୁଘରେ ଯାହା କାମ ଦେଲେ ବି ବୋହୂର ମୁହଁ ଫିଟେ ନାହିଁ ?

 

ଏତିକିବେଳେ ବାଁ ହାତରେ ଗୋଟାଏ ଅଧାଖିଆ କଦଳୀ ଧରି, ପାଟି ଚାକୁଳେଇ ଚାକୁଳେଇ ମାୟା ଆସି ଖଣ୍ଡେ ବାଟରେ ଠିଆ ହେଲା ।

 

–ହୋ ଭାଉଜବୋଉ ! ଶୁଭୁଛି ? ତମକୁ ତମ ସାଇବ କାହିଁକି ଡାକୁଛନ୍ତି ।

ମାୟାକୁ ଦେଖି ଇନ୍ଦୁମତୀ ପଚାରିଲେ–ମାୟା ! ବୁଲୁ, ଦୁଲୁ ଖାଇଲେଣି ?

 

–ହଁ, ବୋଉ ଦଉଛି । ଅବିକା ଖାଉଛନ୍ତି । ମାୟା କାବେରୀକୁ ପୁଣିଥରେ ମୋହନ ଡାକିବା କଥା ମନେ ପକେଇ ଦେଇ ଚାଲିଗଲା । ଆଉ ତା ପଛେ ପଛେ ମଧ୍ୟ କାବେରୀ ଉଠିଗଲା-

 

ମାଳଦେଈ ସାନ ଜାଆ ଇନ୍ଦୁମତୀଙ୍କୁ ହାତରେ ଚିମୁଟି ଦେଲେ । ଓଠରୁ ଯେମିତି ହସଗୁଡ଼ାକ ଖାଲି ଉତୁରି ପଡ଼ୁଥାଏ । ଏମାନଙ୍କ ହସ ଦେଖି ବିଦୁବୋଉ ମଧ୍ୟ ଟିକିଏ ପାଟି ସୁଆଦ କରିବାର ଲୋଭ ସମ୍ଭାଳି ପାରିଲେ ନାହିଁ । କହିଲେ–‘‘କେଡ଼େ ଅଲାଜୁକୀଟାଏ ମ !’’ ପାଟିରୁ କଥା ସରିଛି କି ନାହିଁ, ମହୀବୋଉ ଆସି ପାଖରେ ଠିଆ ହୋଇଗଲେ ।

–କାହା କଥା କହୁଚ ଖୁଡ଼ୀ ?

–ନାଇଁଲୋ... ଏଇ ଆମ ଗାଁ କଥା ।

ଏତିକିବେଳେ ଗାଁରୁ ଆସିଥିବା ପିଲାଗୁଡ଼ାକ ଧାଇଁ ଧାଇଁ ଆସି ମାଳଦେଈ ଓ ଇନ୍ଦୁମତୀଙ୍କ ଉପରେ ଲଦିହେଇ ପଡ଼ିଲେ ।

–ବୋଉ, ବୋଉ ସର୍କସ ଦେଖିଯିବା ନାଇଁ ?

–ଅପାଙ୍କୁ ପଚାର ।

ମହୀବୋଉ କହିଲେ ନାଇଁରେ ପିଲାଏ, କାଲିକି ଯିବା । ତା’ପରେ ମାଳଦେଈଙ୍କୁ ଚାହିଁ କହିଲେ–ମୁଁ ଭାବୁଚି ଆଜି ଚଣ୍ଡୀ ମନ୍ଦିରକୁ ଯିବା । ସଅଳ ସଅଳ କାମ ସାରିଦେଲେ ବାହାରି ପଡ଼ନ୍ତେ ।

ନିଜ ବଖରା ପାଖକୁ ଆସି କାବେରୀ ଦେଖିଲା ମୋହନ ବୁଲିଯିବା ପୋଷାକରେ ତା’ରି ଅପେକ୍ଷାରେ ବାହାରି ଠିଆ ହୋଇଛି । ତାକୁ ଦେଖି ନ ଦେଖିଲା ପରି କାବେରୀ ଘର ଭିତରକୁ ପଶିଗଲା ।

–ହେଇ, ଦଶଟା ଟଙ୍କା ଦେଇଥା । ବଡ଼ ଜରୁରୀ କାମ ଅଛି ।

 

ନ ଶୁଣିଲାପରି କାବେରୀ ଚାଲିଗଲା । ମନର ରାଗରେ ସେ ଖଟରୁ ବିଛଣା ଚଦର ଟାଣିଆଣି ଝାଡ଼ିବାରେ ଲାଗିପଡ଼ିଲା ।

 

–ମୋ କଥା କଣ ଶୁଭୁନାହିଁ ? ଦଶଟା ଟଙ୍କା ଶୀଘ୍ର ଦିଅ ।

ଦୁମ୍‌ ଦୁମ୍‌ ହୋଇ କାବେରୀ ଘରୁ ବାହାରି ଯାଉ ଯାଉ କହିଲା–ମୋ ପାଖରେ ନାହିଁ ।

 

–କି ମୁସ୍କିଲ୍ । ପଇସା ଜଗିବା ସଉକି କମ୍‌ ନୁହଁ କି ହଇରାଣ କରିବା କମ୍‌ ନୁହଁ । କୁଆଡ଼େ କିଛି ନାହିଁ, ଧାଇଁଆସି ମୋରି ଉପରେ ରାଗ ! ମୋହନ ଥରକୁ ଥର ହାତ ଘଡ଼ିକି ଚାହିଁ ବ୍ୟସ୍ତ ହୋଇ ଉଠୁଥାଏ । କାବେରୀ ଫେରିଲା ନାହିଁ । ମାୟାଠାରୁ ପଚାରି ବୁଝିଲା କାବେରୀ ପାଇଖାନା ଯାଇଛି । ମୋହନ ବାହାରକୁ ନ ଯାଇ ସେମିତି ଗମ୍ଭୀର ହୋଇ ବସିରହିଲା ।

 

ଅନେକ ବେଳ ପରେ କାବେରୀ ଫେରିଲା । ମନର ରାଗ ମରି ନାହିଁ । ଭାବିଥିଲା ୟାରି ଭିତରେ ମୋହନ ଚାଲି ଯାଇଥିବ । କିନ୍ତୁ ତାକୁ ଆଖି ଆଗରେ ବସିଥିବାର ଦେଖି କାବେରୀ ଶଙ୍କିଗଲା, କିନ୍ତୁ ବାହାରକୁ ସେତକ ନ ଜଣାଇ ଟିକିଏ ଚିଡ଼ିଉଠି କହିଲା–ଦିନ ଗୋଟାକଯାକ ଘଷି ଘଷି ମୋ ହାତ ଛିଣ୍ଡିପଡ଼ିଲା ପରି ଲାଗୁଛି । ସବୁଦିନେ ତ’ ମତେ ନ ଦେଖିଲେ ତମ ଖାଇବାରେ ଶାନ୍ତି ଆସିନାହିଁ ବୋଲି କହ, ଆଉ ଆଜି କେମିତି ତଣ୍ଟିକୁ ଗୁଣ୍ଡା ଗଲା ?

 

ସେମିତି ବସିରହି ମୋହନ ଜବାବ ଦେଲା–କାହିଁକି ତମର କ’ଣ ମୁହଁ ନଥିଲା କି ? କହିଦେଲ ନାହିଁ ?

 

ମୋହନଠାରୁ କୌଣସି ସହାନୁଭୂତି ନପାଇ କାବେରୀ ମନ ଆହୁରି ପିତା ହୋଇଗଲା-। ଅନ୍ୟ ଉପାୟ ନ ଦେଖି ସେ କାନ୍ଦିବାରେ ଲାଗିଲା ।

 

–ଆରେ ଇଏ କ’ଣ ? କାନ୍ଦୁଛ କାହିଁକି ? ମୋହନ ବ୍ୟସ୍ତ ହୋଇପଡ଼ିଲା । ସ୍ତ୍ରୀର ଆଖିଲୁହ ପାଖରେ ମନ ତାର ହାର ମାନିଲା ।

 

ଏହାରି ଭିତରେ ପାଞ୍ଚଦିନ ଗଡ଼ିଗଲାଣି । ମହୀବୋଉ ଓ ସାନପୁଅ ତିନୋଟିଙ୍କୁ ଛାଡ଼ିଦେଲେ ପୀତାମ୍ୱରବାବୁଙ୍କ ଘରେ ବାକି ସମସ୍ତେ ଏ କୁଣିଆଙ୍କୁ ନେଇ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେଣି । କାବେରୀର ମୋହନକୁ ଦିନରାତି ଠେଲା..... କେତେଦିନ ଆଉ ରହିବେ ? ପୀତାମ୍ୱରବାବୁଙ୍କର ଚିନ୍ତା କେବେ ଏଗୁଡ଼ାକ ଯିବେ ? ସିନେମା, ସର୍କସ, ବୋହୂ ଦେଖା ସବୁତ ସରିଲା । ପୁଣି ଡେରି କାହିଁକି ? ଦିନରାତି ଘର ଲୋକଙ୍କ ଫେରାଦ ଶୁଣି ଶୁଣି ମୋହନର ମନ ବି ଚିଡ଼ିଗଲାଣି । ପାଞ୍ଚ ରାତି ହେଇଗଲାଣି କାବେରୀ ତାକୁ ଶୁଆଇ ଦେଇନାହିଁ–ଖାଲି ଫେରାଦ ଆଉ ଫେରାଦ । କେତେବେଳେ କିଏ କ’ଣ କହୁଚି ସବୁ ଶୁଣି କୁନା ଆସି ତା ଭଉଣୀ ଫୋଡ଼ି ଦଉଚି । ସେଇଥିପାଇଁ କାବେରୀ ସାଙ୍ଗରେ କେତେ କଳି ଲାଗିଗଲାଣି, କାବେରୀ ମୁହଁରୁ ଗୋଟିଏ ନୂଆ କଥା ମୋହନ ଶୁଣିଲାଣି ଯେ ତା ନାଁରେ ଯଦି ଏମିତି କଥା କହନ୍ତି ତାହାହେଲେ ସେ ଅଲଗା ଘରେ ରହିବ । ସବୁବେଳେ ସେଇ ଏକା କଥା–ଏତେ କରି କରି ଯଦି ଶେଷରେ ନିନ୍ଦା ମିଳିଲା, ତେବେ କରି କେତେ ନ କରି କେତେ ? ଶାଶୁଘର କରିବା ପଛେ ନ ହେଲା ନାହିଁ ! ସମସ୍ତେ ବୋହୂପଣିଆ ଚାରି ଛ’ମାସ କରନ୍ତି ନା କ’ଣ ସବୁଦିନେ କରୁଥିବେ ? ତମ ଟଙ୍କାରେ ତ ସମସ୍ତେ ଚଳିବେ । ତହିଁକି ପୁଣି ମୋ ଭାଇକି କାହିଁକି ଏତେ କଥା କହିବେ ?

 

ବାଧ୍ୟହୋଇ ଦିନେ ମୋହନ ମହୀବୋଉଙ୍କୁ ଯାଇ କହିଲା–ବୋଉ, ସେମାନେ ଆଉ କେତେଦିନ ରହିବେ ?

 

ଭିତରେ ଇଚ୍ଛା ନଥିଲେ ମଧ୍ୟ ଉପର ମୁହଁରେ ମହୀବୋଉ କହିଲେ, ‘‘ଏଇ ଦିନେ ଦି’ଦିନ ଭିତରେ ଚାଲିଯିବେ । ସବୁ ତ ଦେଖା ସାରିଲାଣି ।’’ ଟିକିଏ ରହି ମହୀବୋଉ ପୁଣି ମୋହନ ମୁହଁକୁ ଚାହିଁ କହିଲେ–କାଇଁ ତୋର କ’ଣ କିଛି ଅସୁବିଧା ହଉଚି ?

 

–ଅସୁବିଧା ନୁହେଁ ଯେ, ଏଇ ଦେଖୁନୁ, ଖର୍ଚ୍ଚ କେତେ ବଢ଼ିଯାଉଛି ? ମୋହନ ବାଧ୍ୟହୋଇ ଖର୍ଚ୍ଚର ଆଳ ନେଲା ।

 

–କିରେ, ତାଙ୍କ ପାଇଁ ତମରି କି ଖର୍ଚ୍ଚଟାଏ ହୋଇଗଲା ? ସେମାନେ ତ ପୁଣି ସାଙ୍ଗରେ ଏତେଗୁଡ଼ାଏ ଜିନିଷ ଆଣିଥିଲେ ! ସେଇ ଡାଲି, ଚୁଡ଼ା କିଣିବାକୁ କ’ଣ ତମକୁ ପଇସା ପଡ଼ି ନଥାନ୍ତା-? ମୋତେ ବି ସେମାନେ ଗାଁରେ ଯାଇ ମାସେ ଦି’ମାସ ରହି ଆସିବାକୁ ଡାକୁଛନ୍ତି..... ଭାବିଛି ଯିବି ବୋଲି..... ଘରେ ତ ବୋହୂ ଅଛି, ସେ ଚଳେଇ ନବ.....

 

ଆଉ ଅଧିକ ଶୁଣିବାକୁ ଅପେକ୍ଷା ନକରି, ଚାଲି ଯାଉ ଯାଉ ମୋହନ କହିଲା–ତୋର ଯଦି ଇଚ୍ଛା ହେଉଛି ତେବେ ଯିବୁ । ମତେ ଆଉ କହୁଛୁ କାହିଁକି ? ମୋହନଠାରୁ ମହୀବୋଉଙ୍କ ଯିବା ଖବର ଶୁଣି, କାବେରୀ ମନ ଭିତରେ ଖୁସି ହୋଇଗଲା । ମନରେ ତାର କେତେ କ’ଣ ଭାବନା ଖେଳିଗଲା । କି ଉପାୟରେ, କେଉଁଠି, କି ଖର୍ଚ୍ଚ କରିବ–ସବୁ ଯେମିତି ତା’ ଆଖି ଆଗରେ ଜଳ ଜଳ ହୋଇ ଦିଶି ଯାଉଥାଏ । ନିଜର ଦକ୍ଷତା ଦେଖାଇବାର ପ୍ରଥମ ସୁବିଧା ସେ ଏଇଠି ପାଇବ..... କିନ୍ତୁ ମନର ଆନନ୍ଦ ମନରେ ଚାପିରଖି ମୁହଁ ଶୁଖାଇ କାବେରୀ ମହୀବୋଉଙ୍କ ପାଖକୁ ଗଲା ।

 

ଏକୁଟିଆ ହୋଇ ମହୀବୋଉ କ’ଣ ଗୋଟାଏ କାମ କରୁଥିଲେ । ପାଖରେ ଠିଆହୋଇ କାବେରୀ ଡାକିଲା–‘ବୋଉ..... ?’ ତା ସ୍ୱରରେ କ’ଣ ଥିଲା କେଜାଣି ମହୀବୋଉ ଚମକି ପଡ଼ି ଚାହିଁଲେ ।

 

–କଣ କିଲୋ ?

–ବୋଉ, ମୁଁ ବି ତମ ସାଙ୍ଗରେ ଯିବି । ଛଳ ଛଳ ଆଖିରେ କାବେରୀ କହିଲା ।

 

ମହୀବୋଉଙ୍କ ଓଠରେ ହସ ଖେଳିଗଲା । ପାଗଳିଟା..... ତୁ କୁଆଡ଼େ ଯିବୁ ଲୋ ? ତୋରି ଉପରେ ଭାରଦେଇ ପରା ମୁଁ ଯାଉଚି... ।

 

–ନାଇଁ..... ମୁଁ ପାରିବି ନାହିଁ । ତମକୁ ତ ସମସ୍ତେ ପିଠି ଆଡ଼େଇ ଚାଲି ଯାଉଥିଲେ..... ମତେ କ’ଣ କେହି ମାନିବେ ? ଓଠ ଫୁଲେଇ କାବେରୀ କହିଲା ।

 

–କେଇଟା ଦିନର କଥା ଯେ, ମୁଁ ପୁଣି ଆସିବି ନାଇଁ କି ? ଗଲାବେଳକୁ ମୁଁ ସେମାନଙ୍କୁ କହିଦେଇ ଯିବି ମ । ବୋହୂ ମୁଣ୍ଡକୁ ସ୍ନେହରେ ଦି’ଥର ଆଉଁସି ଦେଇ ମହୀବୋଉ ତାକୁ ବିଦା କରିଦେଲେ । ମନରେ ଗର୍ବ ଆସିଲା–ଏତେ ପାଠ ପଢ଼ି ମଧ୍ୟ ବୋହୂ ବୁଝୁଚି ଯେ ତାଙ୍କ ଭଳି ଘର ଚଳେଇ ପାରିବ ନାହିଁ ।

 

ଏତିକିବେଳେ ଭିକା ଆସି ପାଖରେ ଠିଆ ହେଲା ।

–ମା, ଦେଈଙ୍କୁ କିଏ ଜଣେ ବାବୁ ଖୋଜୁଛନ୍ତି ।

 

ଭିକାକୁ ଗୋଟାଏ କାମରେ ବରାଦ ଦେଇ ମହୀବୋଉ କାବେରୀକୁ ଡାକି କହିଲେ–ବୋହୂ, ମାୟାକୁ ଟିକିଏ ଡାକି ଦବୁଟି ଲୋ, ତାକୁ କିଏ ଖୋଜୁଚି ।

 

ରନ୍ଧା ଘରେ ଚୁଲିରେ କଡ଼ା ବସେଇ ମାଳଦେଈ ଆରିସା ପିଠା ଛାଣୁଥିଲେ । ଦମୟନ୍ତୀ, ଇନ୍ଦୁମତୀ ବସି ମଣ୍ଡାପିଠା ଗଢ଼ୁଥିଲେ ଆଉ ମାୟା ସେଇଠି ବସି ଗୋଟିଏ ହାତରେ ଖିଆ ଲଗାଇ ଆର ହାତରେ ମଝିରେ ମଝିରେ ଟିକିଏ କାମରେ ସାହାଯ୍ୟ କରୁଥିଲା । ପାଖରେ ବସି ବିଦୁବୋଉ–ଖୁଡ଼ୀ କେବେ କି ପିଠା, କେମିତି କରିଥିଲେ, କେମିତି ଲାଗୁଥିଲା, ସେହି କଥା ପକାଇଥାନ୍ତି । କାବେରୀକୁ ଆସିବାର ଦେଖ ଅଧବାଟରୁ ମାୟା ନିମନ୍ତ୍ରଣ ଜଣାଇଲା–ଭାଉଜ’ଉ ଖଣ୍ଡେ ପିଠା ଖା ?

 

–ତମେ ଯା, ତମକୁ କିଏ କଲେଜ ପିଲା ଖୋଜୁଛନ୍ତି ।

 

କାବେରୀ କଥା ଶୁଣି ଇନ୍ଦୁମତୀ କହିଲେ–ଏଇଠିକି ଡାକି ଦଉନା ? ସେ ଏଇକ୍ଷିଣା କାମ କରୁଛନ୍ତି କେମିତି ଯିବେ ?

 

–ନାଇଁ, ନାଇଁ, ସେ ଏଠିକି ଆସିପାରିବେ ନାହିଁ, କହି ମାୟା କୁଦା ମାରି ଚାଲିଗଲା ।

 

ତିନୋଟିଯାକ ମାଇପେ ବଲ ବଲ ହୋଇ ମାୟା ପଛକୁ ଚାହିଁ ରହିଲେ । ଅର୍ଥାତ୍‌ ରୋଷେଇଘରକୁ ଆସିଥିଲେ ସେମାନେ ଟିକିଏ ଦେଖିଥାନ୍ତେ ।

 

ହସି ହସି କାବେରୀ କହିଲା–ମରଦଲୋକ, ଏଠିକି ଆସିବେ କେମିତି ?

–ଏଁ ମରଦ ! ସାଙ୍ଗରେ ମାୟା କଥାଭାଷା କରୁଛନ୍ତି ? ମାଳଦେଈ କହିଲେ ।

 

ମରଦ ନାଁ ଶୁଣି ଖୁଡ଼ୀଙ୍କ ମନ କଲବଲ ହେଲା । ଚଟ୍ କରି ଉଠିଯାଇ କାବେରୀ ହାତ ଧରି ଟାଣିଲେ–କାଇଁ, ମୁଁ ଟିକିଏ ଦେଖନ୍ତି ? ତାଙ୍କ ପଛେ ପଛେ ଚୁଲିରୁ କଡ଼ା ଓହ୍ଲେଇ ଦେଇ ସମସ୍ତେ ଉଠିଆସିଲେ । ସମସ୍ତଙ୍କ ଆଖିରେ କୌତୁହଳ, ଓଠରେ ହସ–ଅତି ବଡ଼ ଧରଣର ଯେମିତି ଗୋଟାଏ କ’ଣ ଆବିଷ୍କାର କରି ପକାଇଛନ୍ତି ।

 

ମହୀବୋଉଙ୍କୁ ଦୂରରୁ ଦେଖି କାବେରୀ ହାତଠାରି ସେମାନଙ୍କୁ ଦାଣ୍ଡଘର ଦେଖାଇ ଦେଇ ନିଜେ ଛପିଯାଇ କହିଲା–ମରଦଲୋକ ମୁଁ ତ ତାଙ୍କ ଆଗକୁ ଯିବି ନାହିଁ, ତମେ ଯାଅ ।

 

ବୈଠକଖାନାର ଦୁଆରବନ୍ଧ ପାଖରେ ଠିଆହୋଇ ମାୟା ଗପ କରୁଛି । ଅଧାମେଲା କବାଟଟି ଆସ୍ତେ ଆଉଜେଇ ଦେଇ ଖୁଡ଼ୀ କବାଟ ଫାଙ୍କରେ ଚାହିଁଲେ । ତାଙ୍କ ପଛରେ ଅନ୍ୟ ତିନିଜଣ । କାଚ ଚୁଡ଼ୀର ଝଣ୍‌ଝଣ୍‌ ଶବ୍ଦରେ ମାୟାର ବନ୍ଧୁ ପଛକୁ ଫେରି ଚାହିଁଲେ । ତାକୁ ପଛକୁ ବୁଲି ଚାହିଁବାର ଦେଖି ମସସ୍ତେ ମୁଣ୍ଡରେ ଆଉ ଟିକିଏ ଓଢ଼ଣା ଟାଣିଦେଇ କବାଟକୁ ଆଉ ଟିକିଏ ବୁଜିଦେଲେ । ଫୁସ୍‌ଫୁସ୍ କରି ଖୁଡ଼ୀ ପଛକୁ ଚାହିଁ କହିଲେ– ଆଲୋ ଗଜା ଟୋକାଟାଏ ।

 

ମାଳଦେଈ ମତ ଦେଲେ–ଯାହା କହ, ଇଏ ମାୟାକୁ ଖାପ ଖାଇବ ନାହିଁ । ଇଏତ ମାୟାଙ୍କର କାନ ଖାଇବ କି କ’ଣ..... ମୋଟେ ମାନିବ ନାହିଁ ।

 

ଇନ୍ଦୁମତୀ ଦାନ୍ତ ଦେଖେଇ ଦମୟନ୍ତୀଙ୍କୁ ଚିମୁଟି ଦେଇ କହିଲେ–ଅପାଙ୍କର ଯୋଉ କଥା-! ପୀରତି କଲାବେଳେ ଗେଡ଼ା ଡେଙ୍ଗା କିଏ ଦେଖୁଥାଏ ?

 

ନିଜ ନିଜର ମତ ଦେଇସାରି ସମସ୍ତେ ପୁଣି ଏକଲୟରେ ଚାହିଁ ରହିଲେ । ପଛରୁ ଫୁସର ଫୁସୁର ଶୁଣି ମାୟା ସବୁ ଅନ୍ଦାଜ କରିପାରିଲା–ତା’ରି ବିଷୟରେ ଚର୍ଚ୍ଚା ପଡ଼ିଚି ।

 

ଏମାନଙ୍କ ବ୍ୟବହାରରେ ବିରକ୍ତ ହୋଇ ଚିତ୍ତରଞ୍ଜନ ଆଣିଥିବା କାଗଜଟିରେ ବେଗି ବେଗି ଗୋଟାଏ ଦସ୍ତଖତ ମାରିଦେଇ ମାୟା କାଗଜଟି ଫେରେଇ ଦେଲା–ସନ୍ଧ୍ୟାବେଳକୁ ସୁବିଧା ହେଲେ ମୁଁ ଯିବି..... ନମସ୍କାର ।

 

–ନା, ନା ଯେମିତି ହେଲେ ଯିବେ । ଚିତ୍ତରଞ୍ଜନ ଚାଲିଗଲା ।

Unknown

ସେ ଦାଣ୍ଡରେ ଗୋଡ଼ ଦବାରୁ ଏମାନେ କବାଟ ଠେଲି ଭିତରକୁ ପଶିଆସିଲେ ।

–ମାୟା, ସେ କିଏ ବା, କିଏ ବା ? ସମସ୍ତଙ୍କ ଓଠରେ ହସ ।

 

–ଚିହ୍ନିନା ? ମୋ ବର । ଛାଟ ମାରିଲା ଭଳି କଥାଗୁଡ଼ାକ କହିଦେଇ ମାୟା ସେ ଘର ଛାଡ଼ି ଚାଲିଗଲା ।

 

–ଦେଖିଲ ନାହିଁ, କାଗଜ ଖଣ୍ଡକ ଦେଲାବେଳେ ମାୟାଙ୍କ ହାତକୁ ସେ ଧରି ପକେଇଲା– କହି ଇନ୍ଦୁମତୀ ହସିଲା ଆଖିରେ ଅନ୍ୟମାନଙ୍କୁ ଚାହିଁଲେ ।

 

–ନୂଆ’ଉଙ୍କର ଯୋଉ କଥା । କେତେବେଳେ ହାତଟା ଧଇଲା ମ ? ଆମେ ତ ସମସ୍ତେ ଚାହିଁଛୁ । ଦମୟନ୍ତୀ ସାନଭାଉଜଙ୍କୁ ଚାହିଁଲେ ।

 

ଦୂରରୁ ମାୟାର ଚିତ୍କାର ଶୁଭୁଚି ।

 

ମହୀବୋଉଙ୍କୁ ଦେଖି ମାୟା ବଡ଼ ପାଟିରେ ଶୁଣେଇ ଶୁଣେଇ କହିଲା–କୁଆଡ଼ର ଅଭଦ୍ରଗୁଡ଼ାଏ । ଗୋଟାଏ ଭଦ୍ରଲୋକକୁ ଅପଦସ୍ଥ କରି ଛାଡ଼ିଦେଲେ । ଛିଃ, ସେ ଆଜି କ’ଣ ଭାବିଥିବଟି । ଭାବିଥିବ ୟାଙ୍କର ମା, ଭାଉଜ ତ ?

 

ମାୟାର ପାଟି ଶୁଣି ଦାଣ୍ଡ ଘରର ସଭା ଭାଙ୍ଗିଗଲା । ତା’ର ପାଟି ବନ୍ଦ ହେବାକୁ ନାହିଁ । ମାଳଦେଈ କହିଲେ–କ’ଣ ହେଲା କି, କାହିଁକି ଏତେ ପାଟି କରୁଛ ?

 

ଚିଡ଼ିଉଠି ମାୟା କହିଲା–କାହା ସାଙ୍ଗରେ କେହି କଥା କହିଲାବେଳେ ଆଉ କେବେହେଲେ ଏମିତି ଉଣ୍ଡିବ ନାହିଁ ।

 

–ମଲା, ଦାଣ୍ଡଯାକର ଲୋକ ତ ଦେଖୁଛନ୍ତି । ଆମେ ଦେଖିଲେ କ’ଣ ଦୋଷ ନାଗିଗଲା-? ଖୁଡ଼ୀ କହିଲେ ।

 

ମହୀବୋଉ ଝିଅ ପଟ ନେଇ କହିଲେ– ଆଜିକାଲି କ’ଣ ଆଉ ଆମ ବେଳର ଲାଜ ଅଛି ? ଆମେ ତ ବାପ ଭାଇଙ୍କି ବି ଆଡ଼ ହଉଥିଲୁ । ଏମାନେ ତ ମରଦଙ୍କ ସାଙ୍ଗରେ ଏକାଠି ବସି ପାଠ ପଢ଼ିବେ । ସବୁବେଳେ ତାଙ୍କରି ପାଖରେ ଦରକାର । ଆଡ଼ ହେଲେ ଚଳିବ କେମିତି ?

 

–ହଁ ମ, କଥା କହିଲେ କଣ ହେଲା ? ଆମେ କ’ଣ ହଳିଆ ମୂଲିଆଙ୍କ ସାଥିରେ କଥା ହଉନୁ ? ମାଳଦେଈ ମହୀବୋଉଙ୍କୁ ସମର୍ଥନ କଲେ ।

 

ତଳେ ଥକ୍କା ହୋଇ ବସିପଡ଼ି ଖୁଡ଼ୀ କହିଲେ–ପାରିଆ, ଝୁଅଟାକୁ ବାହା ନ କରି ଏଇଆ କରୁଚୁ ? ତା ବାହାଘର କୋଉଠି ଲାଗିଲାଣି ନା ନାହିଁ ବା ?

 

–ନାଇଁ ମ ଖୁଡ଼ୀ, ବାହାଘର ! କହିଲାବେଳକୁ ତା ବାପ ଭାଇ କହୁଛନ୍ତି–ଛୁଆଟାଏ, ଆଉ କିଛି ଦିନ ଯାଉ । ଭଲ ପାତ୍ର ବି ଆଖିରେ ଦୁଶୁ ନାହାନ୍ତି ।

 

ମହୀବୋଉଙ୍କୁ ପାତ୍ର ନ ମିଳିବା କଥା ଶୁଣି ଚଟକରି ଖୁଡ଼ୀ କହିଲେ–ପାତ୍ର ଅପୂରୁବ ! କାଇଁକି ଆମ ଗାଁ ଗୋବିନ୍ଦାକୁ କରୁ ନା ?

 

ସାଙ୍ଗେ ସାଙ୍ଗେ ଦୁଇ ଭାଉଜ ସମର୍ଥନ ଜଣେଇଲେ ।

–ହଁ, ହଁ, ଭଲ ହୁଅନ୍ତା । ଗୁଣର ପିଲାଟିଏ । ଦିହେଁ ଗୋଟିଏ ଯୋଡ଼ି ପରି ଦୁଶନ୍ତେ ।

 

ମହୀବୋଉଙ୍କ ଆଖି ଉଜଳି ଉଠିଲା । କିଏ ସେ ପାତ୍ର, ସେ ଚିହ୍ନି ନାହାନ୍ତି ? ପଚାରିଲେ, କୋଉ ଗୋବିନ୍ଦା ମ ?

–ଆଲୋ, ଆମ ଗାଁ ବିଶୁ ଜମିଦାର ପୁଅ ମ ।

–କେତେଯାଏ ପଢ଼ିଚି ?

–ପଢ଼ାପଢ଼ି ତା’ର କେବେଠୁ ସରିଲାଣି । କଣ ମାଇନର ପାଆସ କରିଚି । ଏଇକ୍ଷଣି ଜମିଦାରୀ ବୁଝୁଛି । ଭଲ ହୁଅନ୍ତା ମ । ସେଇଠି କର । ଅଥଳ ଦରିଆରେ ଭାସୁଥିବା ଲୋକକୁ ଥଳ ଦେଲାପରି ଖୁଡ଼ୀ କହିଲେ ।

ଅବଜ୍ଞାରେ ହସି ମହୀବୋଉ ଜବାବ ଦେଲେ–ମାଇନର ପାସ୍‌ ଗୋଟାଏ ପଢ଼ାରେ ଯାଏ ?

–ନାଇଁ, ଆମେ ଘର ବର ଦେଖି କହୁଥିଲୁ ନା । ଟିକିଏ ଲାଜରା ହେଲାପରି ମାଳଦେଈ କହିଲେ ।

ମହୀବୋଉ ପଢ଼ା ପ୍ରତି ଏତେ ନଜର ଦେଉଥିବାର ଦେଖି ବିଦୁବୋଉ କହିଲେ..... ଯେତେ ପଢ଼ିଲେ ବି ସେଇ ରୋଜଗାରକୁ ତ ସଭିଏଁ ଧାଇଁବେ । ଆଉ ତୁ ରୋଜଗାରକୁ ନ ଦେଖି ପଢ଼ାକୁ ଦେଖୁଚୁ କଅଣ ? ସେଇଠି ବାହାଘର କଲେ ଦେଖିବୁ ଜମିଦାର ବୁଢ଼ା ମେଘ ଉଞ୍ଚ ଟଙ୍କା ଖରଚ କରିବ ।

ଆହୁରି କେତେ ପାତ୍ର ଆଣି ହୁଏତ ଖୁଡ଼ୀ ଜୁଟେଇ ଥା’ନ୍ତେ । ଏତିକିବେଳେ ରେଷେଇ ଘର ଆଡ଼ୁ ଭିକା’ର ପାଟି ଶୁଭିଲା–ଘର ମେଲା ରଖିଦେଇ ଗଲେ । ହେଇଟି, ବିଲେଇ ପଶି କ’ଣ ଖାଇଲାଣି ।

–‘ଆଲୋ ମୋ ପିଠା’ କହି ମାଳଦେଈ ବସିବା ଜାଗାରୁ ଭୁଷ୍‌କିନା ଉଠି ପଡ଼ିଲେ ।

 

‘ଆଲୋ ସତେ ତ’ କହି ଅନ୍ୟମାନେ ତାଙ୍କ ପିଛା ଧରିଲେ । ସତେ ଯେମିତି କାହାରି ସେ କଥା ମନେ ନଥିଲା । ଖାଲି ଭିକା କଥା ଶୁଣି ମନେ ପଡ଼ିଗଲା । କିନ୍ତୁ ପ୍ରକୃତରେ ପିଠା ଅପେକ୍ଷା ପ୍ରଜାପତି ଘଟସୂତ୍ର କରିବାର ସୁଆଦ ବହୁତ ବେଶି, ଏ କଥା ସମସ୍ତେ ମନ ଭିତରେ ବୁଝିଥିଲେ ।

 

ମହୀବୋଉଙ୍କର ବାପ ଘରକୁ ଯିବା ପ୍ରସ୍ତାବରେ ଅନିଚ୍ଛାସ୍ୱତ୍ତ୍ୱେ ପୀତାମ୍ୱରବାବୁ ରାଜି ହେଲେ । ଦିନ ବାରଟାବେଳେ ଗାଡ଼ି । ସକାଳୁ ଉଠି ମହୀବୋଉଙ୍କର ଗୋଡ଼ ଆଉ ତଳେ ଲାଗୁ ନାହିଁ । ମୁହଁକୁ ଶୁଖେଇ କାବେରୀ ତାଙ୍କ ପଛେ ପଛେ ରହି ସବୁ କାମ କରି ଦେଉଛି ।

 

ଖିରିସା–ପାଣିରେ ଶାଶୁଙ୍କର ବଡ଼ ଶରଧା ଜାଣି କାବେରୀ ଆରଦିନ ରାତିରୁ ପୂଝାରୀ ହାତରେ ତିଆରି କରେଇ ରଖିଛି । ମହୀବୋଉ ଗାଧୋଇ ସାରି ନିର୍ମାଲ୍ୟ ସେବା କଲାବେଳେ କାବେରୀ ତାଙ୍କୁ ଜଗି ଠିଆ ହୋଇଥାଏ । ଯଦି କୋଉ କାମରେ ଲାଗିଯିବେ ତେବେ ଖାଉ ଖାଉ ପୁଣି କେତେ ଡେରି ହେଇଯିବ । କୁଣିଆମାନେ ଖାଇ ସାରିଲେଣି । ନିଜେ ପାଖରେ ରହି କାବେରୀ ସେମାନଙ୍କର ଖବର ବୁଝିଛି । ଅନ୍ୟଦିନ ହୋଇଥିଲେ ହୁଏତ କେବଳ ମୋହନର ଖବର ବୁଝିବାରେ ତାର ବେଳ କଟିଯାଇଥାନ୍ତା । କିନ୍ତୁ ଆଜି ସେ ମୋହନକୁ ଏକେବାରେ ଆଡ଼େଇ ଦେଇଛି । ବେଳେ ବେଳେ ମହୀବୋଉଙ୍କ ପାଖରେ ଠିଆହୋଇ ଆଖିରୁ ଦି’ଟୋପା ଲୁହ ଗଡ଼େଇଦେଇ କହୁଚି ବୋଉ, ମତେ ଭାରି ଡର ମାଡ଼ୁଛି । ତମେ ଯାଅ ନାହିଁ । ଘରଟା ଭାରି ଖାଲି ଖାଲି ଲାଗିବ ।

 

ବୋହୂର ଦୁଃଖରେ ମହୀବୋଉଙ୍କ ଆଖିରେ ପାଣି ଆସୁଛି । ସେ ତାକୁ ବୁଝେଇବାକୁ ନାନାପ୍ରକାର ଚେଷ୍ଟା କରୁଛନ୍ତି ।

 

ମହୀବୋଉଙ୍କୁ ଜଳଖିଆ ପରଷି କାବେରୀ ପାଖରେ ବସିଲା । ତାଙ୍କର ଯାହାକିଛି ଦରକାର ପାଟିରୁ ନ ବାହାରୁଣୁ ଧାଇଁଯାଇ ଘେନି ଆସୁଥାଏ । ମହୀବୋଉ ଖାଇସାରି ଉଠିବା ପରେ କାବେରୀ ନିଜେ ସେହି ଅଇଁଠା ଥାଳିରେ ବସିଲା । ଶାଶୁ ଖାଇ ନଥିଲେ ବୋଲି ସେ ଏତେବେଳଯାଏ ନ ଖାଇ ରହିଥିଲା ।

 

ବୋହୂକୁ ଅଇଁଠା ଥାଳିରେ ବସିବାର ଦେଖି ମହୀବୋଉ ଆକଟିଲେ–ଛି, ଛି, ଅଇଁଠା ବାସନରେ କାହିଁକି ବସିଲୁ ? ସେତେବେଳେ ମୁଁ ଡାକିଲି ସାଙ୍ଗରେ ଏକାଠି ଖାଇବାକୁ ମନା କଲୁ ।

 

କାନ୍ଦ କାନ୍ଦ ହୋଇ କାବେରୀ ଜବାବ ଦେଲା–ୟାକୁ କ’ଣ ଅଇଁଠା ଥାଳି କହନ୍ତି ? ତମେ ଗଲା ପରେ କ’ଣ ଏତିକି ମତେ ମିଳିବ ?

 

ତରତର ହୋଇ ଦି’ଚାରିଥର ଖାଇଦେଇ କାବେରୀ ଉଠିଗଲା । ମନେ ପଡ଼ିଗଲା ଶାଶୁ ଏଯାଏଁ ପାନ ଖାଇ ନାହାନ୍ତି ।

 

ମହୀବୋଉ ଲୁଗାପଟା ସଜାଡ଼ୁଛନ୍ତି । ହାତରେ ଖଣ୍ଡେ ପାନ ଧରି କାବେରୀ ପହଞ୍ଚିଲା । ଟିକିଏ ଦୂରରେ କୁଣିଆମାନେ ବସି କଥାବାର୍ତ୍ତା ହେଉଛନ୍ତି । ମହୀବୋଉ ଜିନିଷ ସଜାଡ଼ୁଥାନ୍ତି, ଆଉ କାବେରୀ ପାଖରେ ତାଙ୍କ ହାତକୁ ଜିନିଷ ବଢ଼େଇ ଦଉଥାଏ । ହସି ହସି ମାଳଦେଈ କହିଲେ–ପାର, ତମ ବୋହୂଖଣ୍ଡକ ତ’ ଭାରି ଚଞ୍ଚଳୀ ।

 

‘ଚଞ୍ଚଳୀ ହୁଅନ୍ତା ନାହିଁ ଆଉ କ’ଣ ତମରି ଭଳି ମଠେଇ ହୁଅନ୍ତା ?’ କହି ହସି ହସି କାବେରୀ ମୁହଁକୁ ଚାହିଁଲେ । କାବେରୀ କିନ୍ତୁ ହସିଲା ନାହିଁ । ମହୀବୋଉ ଚାଲି ଯାଉଛନ୍ତି ବୋଲି ମନ ତା’ର ଯେମିତି ସତରେ ଦୁଃଖରେ ଭାଙ୍ଗି ପଡ଼ୁଚି ।

 

ଯେତେ ଖୁସି ହେଲେ ବି ବେଳେବେଳେ ମହୀବୋଉଙ୍କ ଭିତରୁ ଗୋଟାଏ କୋହ ଉଠୁଚି । ଆଖିରେ ପାଣି ଚାଲି ଆସୁଛି । ସାନ ସାନ ପିଲା, ବୋହୂ, ପୀତାମ୍ବରବାବୁ ସମସ୍ତଙ୍କୁ ଛାଡ଼ି ଯିବାକୁ ତାଙ୍କ ମନଟା କେମିତି ଗୋଳେଇ ଘାଣ୍ଟି ହଉଛି ।

 

ଯିବାବେଳେ ପାଖେଇ ଆସିଲା । ଗାଡ଼ିରେ ଜିନିଷପତ୍ର ଲଦା ଚାଲିଛି । ମହୀବୋଉ ମାୟାକୁ ଡାକିନେଇ କହିଲେ ମାୟା, ମୋ ସୁନା ଝିଅଟା ପରା, ଭାଉଜ କଥା ମାନି ଚଳିବୁ । ପତୁ, ରଞ୍ଜୁ ହେରିକାଙ୍କୁ ଟିକିଏ ନିଘା ରଖିଥିବୁ । ଯୋଉ ଦୁଷ୍ଟ ହେଇଚନ୍ତି–କେତେବେଳେ କ’ଣ କରି ପକେଇବେ । ଆଉ କୁନାକୁ ତ ବୋହୂ ଦେଖିବ । ବାପାଙ୍କର ଯେମିତି କିଛି ଅସୁବିଧା ନହୁଏ ଟିକିଏ ଦେଖୁଥିବୁ ।

 

ଅଥାର ପରି ମୁହଁ ନଦି ମାୟା କହିଲା–ମୁଁ କିଛି କରିପାରିବି ନାହିଁ । ଇଏ ବୁଲିବ ଆଉ ଘର ଗୋଟାକର ମଣିଷକୁ ସମ୍ଭାଳିବି ମୁଁ ! କାହିଁକି, ତୋ ବୋହୂକୁ କହିକରି ଯାଉନୁ ? ମାୟାର ରାଗ ଯେ କଲେଜ ଚାଲୁଥିବାବେଳେ ମହୀବୋଉ ନିଜ ବୁଲିଯିବା ସୁବିଧାଟା କରିନେଲେ ।

 

–ବୋହୂ ତ ସମ୍ଭାଳିବ । ତୁ ଟିକିଏ ଦେଖାଚାହାଁ କରୁଥିବୁ ।

 

ତା’ପରେ କାବେରୀ ପାଖକୁ ଯାଇ କହିଲେ–ବୋହୂ ! ମହୀ ତ ଏଯାଏଁ ଫେରିଲାନାହିଁ । ଗଲାବେଳକୁ ତାକୁ ଟିକିଏ ଦେଖି ପାରିଲି ନାହିଁ । ତା’ର ଯେମିତି କିଛି ଅସୁବିଧା ନହୁଏ, ନିଘା ରଖିଥିବୁ । ଦିହପା’ର ଯତ୍ନ ନେଉଥିବୁ । ମୁଁ ଏଇ କେଇଟା ଦିନରେ ଆସିବି ନାଇଁ କି । ଆଖିର ଲୁହ ଲୁଚେଇବାକୁ ମହୀବୋଉ ଅନ୍ୟଆଡ଼େ ଚାଲିଗଲେ ।

 

ହାତରେ ଗୋଟିଏ ଗୋଟିଏ ଟଙ୍କା ଧରି ପତୁ, ରଞ୍ଜୁ କାନ୍ଦୁଛନ୍ତି ।

 

ଗାଁ ମାଇପେ ଯେମିତି ଯିବାକୁ ନାରାଜ । ବୋହୂ ବାହୁନା ଜାଣିଛି କି ନାହିଁ ବିଡ଼ିବାକୁ କାବେରୀକୁ ଧରି ଜଣା ଅଧେ ବାହୁନି ବସିଲେଣି । ତା’ର ଓଠ ଧରି, ଅନ୍ୟ ହାତରେ ପିଠି ସାଉଁଳେଇ ବାହୁନା ଚାଲିଛି–ମୋ..... ଧନମାଳିଆଟା ରେ, ମୋ ଚନ୍ଦ୍ରବଦନୀରେ..... କେଡ଼େ ମାୟା ନଗେଇ ଦେଇଥିଲୁରେ... ପୁଣି କେବେ ଆଇଲେ ତତେ ଦେଖିବି ରେ..... ଇତ୍ୟାଦି, ଇତ୍ୟାଦି ।

 

କାବେରୀ ମୁହଁରେ ଲୁଗାମାଡ଼ି ସୁଁ ସୁଁ ହୋଇ କାନ୍ଦୁଥାଏ । ମାୟାକୁ ସେହି ବାଟେ ଚାଲି ଯାଉଥିବାର ଦେଖି ଜଣେ ଅଧେ ତା’ ଉପରେ ଝାମ୍ପି ପଡ଼ିଲେ–‘‘ହାଁ ମୋ ଧନମାଳିଆରେ.....’’

 

–ହାଟ୍ । ଦି’ହାତରେ ଗୋଟିଏ ଜବର ଠେଲା ଦେଇ ନିଜକୁ ଅଲଗା କରିଦେଇ ମାୟା ଖତେଇ ହେଲା–ମୋ ଧନମାଳିଆରେ..... ଗାଁ ଗୋବିନ୍ଦା ସାଙ୍ଗରେ ତୋତେ ବାହା କରିବିରେ.....

 

ବାହୁନା–ପାଲା ସରିବା ପରେ ଜଣ ଜଣ କରି ସମସ୍ତେ ଗାଡ଼ିରେ ଉଠି ବସିଲେ । ସମସ୍ତିଙ୍କର ଆଖିରେ ଲୁହ । ଘର ଭିତରୁ ପତୁ, ରଞ୍ଜୁ ଭେଁ ଭେଁ ରଡ଼ି ଛାଡ଼ୁଛନ୍ତି । ସାମନା ଝରକା ପାଖରେ କାବେରୀ ଗାଡ଼ିକି ଚାହିଁ ଆଖିରୁ ଲୁହ ପୋଛୁଚି । କେବଳ କାନ୍ଦୁ ନାହିଁ ଜଣେ–ସେ ମାୟା । ଦାଣ୍ଡ ବାରଣ୍ଡାରେ ଠିଆହୋଇ ଅଣ୍ଟାରେ ହାତଦେଇ ଗାଡ଼ିକି ଚାହିଁଛି ।

 

ସମସ୍ତେ ଚାଲିଗଲେ–କାବେରୀ ଦି’ଆଖିରୁ ଲୁହପୋଛି ଥରେ ଚାରିଆଡ଼କୁ ଚାହିଁଲା । ପତୁ, ରଞ୍ଜୁଙ୍କ ଆହୁରି ବନ୍ଦ ହୋଇ ନାହିଁ । କୁନା ପାଖରେ ଠିଆ ହୋଇଛି । ଗାଡ଼ି ଯିବା ସାଙ୍ଗେ ସାଙ୍ଗେ ମାୟା ଘର ଭିତରକୁ ଚାଲିଗଲାଣି । ମୋହନ ଡାକ୍ତରଖାନାରୁ ଫେରି ନାହିଁ । ବୈଠକଖାନାର କାନ୍ଥ-ଘଣ୍ଟାକୁ ଚାହିଁ କାବେରୀ ଦେଖିଲା ଗୋଟାଏ ବାଜିବାକୁ ଆହୁରି ପନ୍ଦର ମିନିଟ୍ ବାକି । ମହୀବୋଉ ଚାଲିଯିବାରୁ ତାକୁ ଯେ ଖରାପ ଲାଗୁଛି, ଏହି କଥା ଜଣେଇବାକୁ ସେ ମାୟାକୁ ଖୋଜିଲା । ମାୟା ଶୋଇବାଘର କବାଟ ଭିତରୁ ବନ୍ଦ । ଡାକି ଡାକି କାବେରୀ ଫେରିଆସିଲା । ଆସିଲାବେଳେ ଥରେ ପୀତାମ୍ୱରବାବୁଙ୍କ ଘରବାଟେ ଉଣ୍ଡିଦେଇ ଆସିଲା–ଶୋଇଛନ୍ତି ।

 

କାବେରୀ ପତୁ, ରଞ୍ଜୁଙ୍କ ପାଖକୁ ଫେରିଗଲା । ପିଲାମାନେ କାନ୍ଦ ବନ୍ଦ କରି ଦୁଇ ଟଙ୍କାରେ କେତେଟା ଗୁଡ଼ି ହବ, ବସି ହିସାବ କରୁଥିଲେ । କାବେରୀକୁ ପାଖରେ ଦେଖି କୁନା କହିଲା–ଅପା, ଭାରି ଭୋକ କଲାଣି ।

 

ପତୁ ବାହାରିପଡ଼ି କହିଲା..... ଆରେ ହଁ-ହଁ, ବୋଉ ଗଲାବେଳେ କହି ଯାଇଥିଲା ଆମ ପାଇଁ ପିଠା ରଖିଚି ବୋଲି । ଚାଲ ଖାଇବା.....

 

–ହଉ ତେବେ ଆସ । କାବେରୀ ଭଣ୍ଡାରଘର ଖୋଲି ତିନି ପିଲାଙ୍କୁ ତିନୋଟି ପିଠା ଧରେଇ ଦେଇ ପୁଣି ଦୁଆର ବନ୍ଦ କଲା । ମୋହନ ଡାକ୍ତରଖାନାରୁ ଫେରିଲା । ଘରଟା ଯେମିତି ଖାଇ ଗୋଡ଼ାଉଛି ! ମହୀବୋଉଙ୍କ ଯିବାକଥା ଜାଣିଥିଲେ ମଧ୍ୟ ଆଉଥରେ ମୁହଁ ଖୋଲି ପଚାରିଲା–ବୋଉ କ’ଣ ଚାଲିଗଲାଣି ?

 

–ହଁ । ମୁହଁ ଶୁଖେଇ କାବେରୀ କହିଲା । ତମକୁ କେତେ ଖୋଜୁଥିଲେ । ତମେ ଟିକିଏ ଶୀଘ୍ର ଆସିଲ ନାହିଁ ?

 

‘‘ମତେ ଆଗ ଖାଇବାକୁ ଦେଲ । ଭାରି ଭୋକ ହେଲାଣି । ପରେ ସବୁ ଶୁଣିବି’’ କହି ମୁହଁହାତ ଧୋଇବାକୁ ମୋହନ ଚାଲିଗଲା ।

 

ଖାଇସାରି ବିଶ୍ରାମ କଲାବେଳେ ସବୁଦିନ ପରି କାବେରୀ ଆସି ଆଉ ପାଖରେ ବସିଲା ନାହିଁ । ଖୁବ୍ କାମରେ ବ୍ୟସ୍ତ ଥିଲାଭଳି ମୋହନକୁ ପଚାରିଲା–ଆଜି ଉପରବେଳା କ’ଣ ଖାଇବ କହ, ମୁଁ ଯାଉଚି ତିଆରି କରିବି । ମୋହନ ଆଶ୍ଚର୍ଯ୍ୟ ହୋଇଗଲା । କାରଣ ଏତେ ଡେରିରେ ଭାତ ଖାଇ ଆଉ ଉପରବେଳା ଜଳଖିଆ ଖାଇବାକୁ ତା’ର ଭୋକ ନଥାଏ । ଖାଲି କପେ ଚା ହେଲେ ତା’ର ଚଳିଯାଏ, କିନ୍ତୁ ଆଜି ଏପରି କଥା ଶୁଣି ସେ ପଚାରିଲା–ଆଜି କ’ଣ କି ?

 

–କିଛି ନାଇଁ ଯେ, ବୋଉ ନାହାନ୍ତି ଯେତେବେଳେ ମତେ ତ କରିବାକୁ ହେବ । ଚାକରଙ୍କ ଜିମା ଦେଲେ ତ ଅଧା ଉଠେଇ ନେବେ.... କାବେରୀ ବସିପଡ଼ି ଗପ ଯୋଡ଼ିଲା ।

 

ନୂଆ ହୋଇ ଘରଣୀ ହୋଇଛି । ମନରେ ତା’ର ଅସରନ୍ତି ଉତ୍ସାହ । ଏକାଟିଆ ବସି ବସି କଳ୍ପନାରେ କେତେ ରଙ୍ଗୀନ ସ୍ୱପ୍ନ ସେ ଦେଖିଚି । ସେଇ ସପନ-ରାଇଜରେ ମୋହନକୁ ସେ ବୁଲାଇବାକୁ ଚାହେଁ । କଥା ଲହସରେ ବେଳ ଗଡ଼ିଗଲାଣି । ସେମାନେ କେହି ଜାଣିନାହାନ୍ତି । ବାହାରେ ମାୟାର ପାଟି ଶୁଭିଲା

 

–ଚାବି କାହିଁ ?

 

–ହେଇ, ମୁଁ ଯାଉଛି, ମତେ ଖୋଜିଲେଣି । ମୋହନର ଉତ୍ତରକୁ ଅପେକ୍ଷା ନକରି କାବେରୀ ବାହାରି ଆସିଲା । କାନିରେ ଚାବି ବନ୍ଧା ହୋଇଛି । ମାୟାକୁ ଦେଖି ହସି ହସି କହିଲା–କ’ଣ ଖାଇବ କି ?

 

–ଚାବିଟା ଦିଅ । ମାୟାର ଆଖି ଲାଲ ।

 

–କ’ଣ ଖାଇବ କହୁନା ? ଚାଲ ମୁଁ ଘର ଫିଟେଇ ଦଉଛି କହି କାବେରୀ ଆଗେ ଆଗେ ଚାଲିଲା-

 

–କାହିଁକି, ମତେ କ’ଣ ଘର ଫିଟେଇ ଆସେ ନାହିଁ ?

 

ମାୟାର ଆଖିକି ଚାହିଁ କାବେରୀ ଟିକିଏ ଶଙ୍କିଗଲା । ତା’ପରେ ରାଗରେ ଗର ଗର ହୋଇ କାନିରୁ ଚାବିଟା ଫିଟେଇ ଏକ ରକମ ଫୋପାଡ଼ି ଦେଲାଭଳି ତଳେ ଗଡ଼େଇ ଦେଇ ନିଜ ବଖରା ଭିତରକୁ ଫେରିଗଲା ।

 

ମୋହନ କାନରେ ସବୁ ବାଜିଛି । ତଥାପି ତାକୁ ଶୁଣେଇ ଶୁଣେଇ କାବେରୀ କହିଲା–ଆଜିକାଲି ଯୁଗରେ ଭଲ କହିଲେ ଖରାପ ହୁଏ । ସେ ମନେ କରିଛନ୍ତି, ତାଙ୍କୁଇ ଖାଲି ଏମିତି ଟାଉଁ ଟାଉଁ କରି କଥା କହିଆସେ, ଆମକୁ ଆସେ ନାହିଁ..... ଦେଖୁନା, ମୁଁ କହିଲି, ଚାଲ ମୁଁ ଘରଟା ଫିଟେଇ ଦଉଛି, ହେଲା ନାହିଁ । ନିଜେ ଚାବି ନେଇ କରି ଯିବେ । ଯାଉ ନାହାନ୍ତି ? କାହାର କଅଣ ହେଇ ଯାଉଛି..... ? ମୁଁ ଆଉ ସେ ଚାବି ଫାବି ଛୁଇଁବି ନାହିଁ । କାବେରୀ ସୁଁ ସୁଁ ହୋଇ କାନ୍ଦିବାରେ ଲାଗିଲା ।

 

–ତମେ ପରା ଘର ଚଳେଇବାକୁ ଯାଉଛ..... ଏମିତି ଟିକିଏ କଥାରେ ରୁଷିଗଲେ ଚଳିବ-? ପିଲାଟା କ’ଣ କହିଦେଲା, ତାକୁଇ ଧରି ବସିଲ ।

 

–ହଁ ପିଲା ! ଦୁଧଖିଆ ଛୁଆ ହୋଇଥିବେ ! ତମ ଭଉଣୀ ନା, ସେଥିପାଇଁ ପିଲା ହେଇଯାଉଛନ୍ତି ! କାବେରୀ ପିଠି ବୁଲେଇ ବସି ଗାଣୁ ଗାଣୁ ହେବାରେ ଲାଗିଲା ।

 

ପରଦିନ ମୋହନ ଅଫିସକୁ ଯିବାପରେ ପୂଝାରୀକୁ ରନ୍ଧାର ବରାଦ ଦେଇ ନିଜ ବଖରାକୁ ଫେରିଆସିଲା । ପିଲାମାନେ କିଏ କୁଆଡ଼େ ଖେଳିବାକୁ ଚାଲିଗଲେଣି । ମାୟା ପୀତାମ୍ୱରବାବୁଙ୍କ ପାଖରେ ବସି କ’ଣ ଗପ କରୁଛି ? ଶାଶୁଙ୍କ ପାଖକୁ ଖଣ୍ଡେ ଚିଠି ନ ଲେଖିଲେ ସେ ଦୁଃଖ କରିବେ । କାଗଜ କଲମ ଧରି କାବେରୀ ଖଟ ଉପରେ ବସିଲା ।

 

ପ୍ରଥମେ କ’ଣ ଲେଖି ସମ୍ବୋଧନ କରିବ, ଭାବୁ ଭାବୁ ତାର ଅନେକ ସମୟ ଚାଲିଗଲା-। ଗାଁର ସମସ୍ତେ ନିଶ୍ଚୟ ଚିଠିଟାକୁ ପଢ଼ିବେ..... ଆଉ ସେହି ଲେଖାରୁ କଳି ବସିବେ ବୋହୂ ମନର ଭକ୍ତି । ଖୁବ୍‌ ସତର୍କ ହୋଇ କାବେରୀ ଧୀରେ ଧୀରେ ଲେଖିବାକୁ ଲାଗିଲା ।

 

ପୂଝାରୀ ଆସି ଦୁଆର ମୁହଁରେ ଠିଆ ହେଲା ।

–ସମସ୍ତେ ଖାଇ ସାରିଲେଣି । ତମେ ଖାଇବ ନାଇଁ ?

 

ଚମକିପଡ଼ି କାବେରୀ ଟେବୁଲ–ଘଣ୍ଟାକୁ ଚାହିଁ ଦେଖିଲା କେତେବେଳୁ ବାରଟା ବାଜିଗଲାଣି । ଚିଠି ଲେଖାରେ ଭୋଳ ହୋଇ ସେ କିଛି ଜାଣି ପାରି ନାହିଁ । ହାତେ ଜିଭ କାମୁଡ଼ି, ଅସମାପ୍ତ ଚିଠିଟାକୁ ସେଇଠି ରଖିଦେଇ ପୂଝାରୀ ପଛେ ପଛେ ସେ ଘରୁ ବାହାରି ଆସିଲା ।

 

–ପୂଝାରୀ, ବାପାଙ୍କୁ କିଏ ଖାଇବାକୁ ଦେଲା ?

–ଦେଈ ଥିଲେ ।

–ମତେ ଟିକିଏ ଡାକିଦେଲ ନାହିଁ ?

କୌଣସି ଜବାବ ନଦେଇ ପୂଝାରୀ ଭାତ ବାଢ଼ିବାରେ ଲାଗିଲା ।

 

ତରବର କରି ଦି’ଗୁଣ୍ଡା ଖାଇଦେଇ କାବେରୀ ପୁଣି ଚିଠି ଲେଖିବାକୁ ଫେରିଆସିଲା । ଯେମିତି ହେଲେ ଏ ଚିଠିଟା ଡାକରେ ପଠାଇବା ଦରକାର । ମୋହନ ଫେରିବା ପୂର୍ବରୁ ଚିଠିଟା ବନ୍ଦ କରି ପୂଝାରୀ ହାତରେ ଦେଇ କାବେରୀ ବାର ବାର ତାଗିଦା କଲା–ଅତି ଜରୁରୀ ଚିଠି । ଯେ କୌଣସିମତେ ଆଜି ଡାକରେ ପଠାଇବା ଦରକାର । ପୂଝାରୀକୁ ଆଖି ଆଗରେ ଚିଠି ପକାଇବାକୁ ପଠାଇ, କାବେରୀ ଟିକିଏ ବେଳ ରାସ୍ତାକୁ ଚାହିଁ ଛିଡ଼ା ହେଲା । ମନରେ କଲା ‘ମା’ ପାଖକୁ ବି ଖଣ୍ଡେ ଚିଠି ଦେଲେ ହେଇଥାନ୍ତା ।’’ ଏତିକିବେଳେ ପଛଆଡ଼ୁ ମାୟାର ପାଟି ଶୁଭିଲା–ଭାଉଜ, ଚାବିଟା କୋଉଠି ରଖିଛ ?

 

–ହେଇ, ମୋ ଘରେ ଥୁଆ ହେଇଛି..... ନବ କି ?

 

–ସବୁବେଳେ କାହିଁକି ସେଇଟାରକୁ ନେଇ ଘର ଭିତରେ ଗୁଞ୍ଜୁଛ ? ଜଲଦି ଦିଅ । ମାୟା କାବେରୀ ପଛେ ପଛେ ଗଲା ।

 

ମାୟା ହାତରେ ଚାବି ଦେଇ କାବେରୀ ଘଣ୍ଟାକୁ ଚାହିଁ ଦେଖିଲା କେତେବେଳୁ ତିନିଟା ବାଜିଗଲାଣି । ପୀତାମ୍ୱରବାବୁ ତିନିଟା ବେଳେ ଚା’ ଖାଆନ୍ତି । ଏତେବେଳ ହେଲାଣି, ତାଙ୍କୁ ଚା’ ଦେଇନାହିଁ । ତରବର ହୋଇ କାବେରୀ ରୋଷେଇଘର ଆଡ଼େ ବାହାରିଗଲା ।

 

ଚୁଲି ଉପରେ ଚା’ ପାଣି ବସିଛି ଆଉ ପାଖରେ ବସି ମାୟା ସେଇ ଚୁଲିକୁ ଚାହିଁ ରହିଛି-। ସେ ଜାଣେ ମାୟା ତାକୁ କରିବାକୁ ଦବ ନାହିଁ । ତେଣୁ ସେଠି ଅପେକ୍ଷା ନ କରି କାବେରୀ ଫେରିଆସିଲା । କାବେରୀର କଟକଣାରେ ଘରର ଚାକରମାନଙ୍କ ଭିତରେ ଭାଳେଣି ପଡ଼ିଲା । ମହୀବୋଉ ଥିଲାବେଳେ ଚାକରମାନଙ୍କର ଯେଉଁ ହାତ-ସଫେଇ ହେଉଥିଲା, କାବେରୀ ହାତରେ ଚାବି ରହିଲାପରେ ସେତକ ଏକବାରରେ ବନ୍ଦ ହୋଇଯାଇଛି । ଏସବୁ ବିଷୟରେ ସେ ଅତି ସାବଧାନ । ଅଟାଠାରୁ ଆରମ୍ଭ କରି ଚାଉଳ, ଡାଲି, ତେଲ, ଲୁଣ ସବୁ ଜିନିଷ ସେ ନିଜ ହାତରେ ମାପିକରି ଦିଏ । ଏହି ନୂଆ ଧରଣର କାମ ଦେଖି ଚାକରମାନେ ଆପଣା ଭିତରେ ଠରାଠରି ହୋଇ ହସନ୍ତି । ସବୁ ଦେଖି ନ ଦେଖିଲାପରି ସେ ଚାଲିଯାଏ ।

 

ଚାହୁଁ ଚାହୁଁ ଆଠଦିନ ହୋଇଗଲାଣି । ଘରର ଦାୟିତ୍ୱ କାବେରୀ ମୁଣ୍ଡରେ ଲଦିଦେଇ ମହୀବୋଉ ଚାଲିଯାଇଛନ୍ତି । ମହୀବୋଉଙ୍କ ବିନା ଘରଟା କାହାକୁ ଭଲ ଲାଗୁନାହିଁ । ସେ ଯିବା ପରଠୁ ମାୟା ପ୍ରତିଦିନ ବୁଲିବାକୁ ଯାଇ ସଞ୍ଜପରେ ଘରକୁ ଫେରେ । ଘରଟା ତାକୁ ବଡ଼ ଏକାଟିଆ ଲାଗେ । ମହୀବୋଉ ଥିଲାବେଳେ କାରଣ ଅକାରଣରେ ଦିନକୁ ଦଶଥର ତାଙ୍କ ସାଙ୍ଗରେ କଳି କରୁଥିଲା । ବର୍ତ୍ତମାନ ସେତକ ବନ୍ଦ । ପୀତାମ୍ୱରବାବୁ ରାତି ଦଶଟା ପରେ ନିଜ ପଢ଼ାରୁ ଉଠନ୍ତି । ସଞ୍ଜ ହେଲେ ରାନ୍ଧିବା ପାଇଁ ଜିନିଷପତ୍ର କାଢ଼ିଦେଇ, ଘର ବନ୍ଦ କରି କାବେରୀ ଖାଲି ଏପଟ ସେପଟ ହେଉଥାଏ । ପଢ଼ା ପାଖରେ କିଏ ଶୋଇ ପଡ଼ିଥିଲେ ତାକୁ ନିଦରୁ ଉଠେଇ ବସେଇଦିଏ । କେହି ପାଣି ପିଇବାକୁ ଯାଇ, ପୂଝାରୀ ପାଖରୁ ଭଜା କି ତରକାରୀ ଖାଉଥିବାର ଦେଖିଲେ ତାକୁ ଦି’ପଦ ଶୁଣେଇ ଦେଇ ପଢ଼ିବାକୁ ପଠେଇ ଦିଏ–‘‘ପଢ଼ିଲାବେଳେ କେହି ବୁଲନ୍ତି ନାହିଁ । ପରୀକ୍ଷାରେ ଖରାପ କଲେ ବାପା, ଭାଇ ରାଗ ହେବେ ।’’ ସେମାନେ ଚାଲିଯିବା ପରେ ପୂଝାରୀକୁ ତାଗିଦା କରେ–ଆଗରୁ ଏମିତି ଦେଇ ଦେଉଛ । ଖାଇଲାବେଳେ ତୁଚ୍ଛା ହେଲେ କାହା ମୁଣ୍ଡରେ ଦୋଷ ଯିବ ?

 

–ସିଏ ମାଗିଲେ ପରା ! କେମିତି ମନା କରିଦେବି ?

 

–ସେମାନେ କ’ଣ ଭୋକରୁ ମାଗୁଛନ୍ତି ? ପଢ଼ାବେଳେ ବୁଲିବାର ଇଏ ହେଲା ଗୋଟାଏ ଫିକର । ଏଣିକି ଯିଏ ଆସିବ ମୋ ପାଖକୁ ପଠେଇଦେବ ।

 

ମହୀବୋଉ ଥିଲାବେଳେ ପିଲାମାନଙ୍କର ଯେମତି ଚବିଶ ଘଣ୍ଟା ପାଟି ବୁଲୁଥିଲା ବର୍ତ୍ତମାନ ସେତକ ବନ୍ଦ ହୋଇଯାଇଚି । ଠିକ୍ ବେଳରେ ଖାଇବାକୁ ଦେଇସାରି, ଘର ବନ୍ଦ କରି କାବେରୀ ଚାବି ନେଇଯାଏ । ଏପରି କରିବାଦ୍ୱାରା ପିଲାମାନଙ୍କର ସବୁ ପ୍ରକାର ଚୋରିର ବାଟ ଏକାଥରକେ ବନ୍ଦ ହୋଇଗଲା, କିନ୍ତୁ ସେତିକିରେ କାବେରୀ ସନ୍ତୁଷ୍ଟ ନୁହେଁ–ସେ ଚାହେଁ ଆହୁରି ବେଶୀ ଶୃଙ୍ଖଳା ।

 

ମହୀବୋଉ ଯିବା ପରଠୁଁ କାବେରୀ ନିଜକୁ ନେଇ ତାଙ୍କର ସ୍ଥାନରେ ବସେଇ ଦେଇଛି । ଏହି ଅଳ୍ପ କେଇଦିନ ଭିତରେ ଘରର ସମସ୍ତଙ୍କୁ ସେ ବୁଝେଇ ଦେବାକୁ ଚାହେଁ ଯେ କେବଳ ଘର ଚଳାଇବା ଦାୟିତ୍ୱ ଛଡ଼ା, ସେ ଆହୁରି ଅଧିକ କିଛି କରିପାରିବ । କିନ୍ତୁ ତା’ର ସେହି କଳ୍ପନାରେ ବାଧାଦିଏ ମାୟା । କେବଳ ମାୟାକୁ ଯଦି କୌଣସି ପ୍ରକାରେ ସେ ଭାଗକୁ ଆଣିପାରନ୍ତା, ତେବେ ତା’ର କଳ୍ପନା ସାର୍ଥକ ହୁଅନ୍ତା ।

 

ମାୟାକୁ ନିଜ ଆୟତ୍ତ ଭିତରେ ଆଣିବାପାଇଁ କାବେରୀ ବହୁତ ପ୍ରକାରେ ଚେଷ୍ଟା କଲା । କିନ୍ତୁ ସୁଅ ମୁହଁରେ ବନ୍ଧ ବାନ୍ଧିବାକୁ ଯାଇ ମଣିଷ ଯେମିତି ବିଫଳ ହୁଏ, ସେମିତି ଅଳ୍ପ କେଇଟି ଦିନ ଭିତରେ ମାୟାର ସ୍ୱଭାବରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରି ଥରକୁ ଥର ସେ ବ୍ୟର୍ଥ ହେବାରେ ଲାଗିଲା ସତ, କିନ୍ତୁ ଦବିଗଲା ନାହିଁ । ସେ ଯେତିକି ବେଶି ହାରିଲା, ଜିଦି ତାର ସେତିକି ବଢ଼ି ବଢ଼ି ଚାଲିଲା ।

 

ଦିନେ ରାତିରେ ବୁଲିସାରି ଫେରି ମାୟା କ’ଣ ଗୋଟାଏ କାମ କରୁଥିଲା, ଏତିକିବେଳେ କାବେରୀ ଆସି ଘର ଭିତରେ ପଶିଲା ।

 

–ମାୟା ..

–କ’ଣ ? କାମରୁ ମୁହଁ ନ ଉଠେଇ ମାୟା ପଚାରିଲା ।

 

–ନାଇଁ, ମୁଁ କ’ଣ କହୁଥିଲି କି..... ଝିଅମାନଙ୍କର ଏତେ ଡେରିଯାଏ ବାହାରେ ରହିବାଟା ଠିକ୍‌ ନୁହେଁ...

 

ସାପ ମୁଣ୍ଡରେ ଗୋଡ଼ ପଡ଼ିଗଲେ ସେ ଫେରିପଡ଼ି ଫଣା ଉଠେଇଲା ପରି ମାୟା ମୁହଁ ବୁଲେଇ କାବେରୀ ମୁହଁକୁ ଚାହିଁଲା

 

–ଆଖିରେ ତା’ର ନିଆଁ । –ମୋ ଇଚ୍ଛା ।

–ତମରି ଭଲପାଇଁ କହୁଛି ମୁଁ...

–ଆହା ! ବଡ଼ ହିତାକାଂକ୍ଷୀ !

 

ମାୟାର କଥା ଶୁଣି କାବେରୀ ପ୍ରଥମେ ରାଗିଗଲା । ମାୟାକୁ ସେ ଭଲ ରକମ ଚିହ୍ନେ । କିନ୍ତୁ ତା ଉପରେ ଘରର ସମସ୍ତଙ୍କ ଭଲମନ୍ଦର ଭାର ରହିଛି । ତେଣୁ ସେ ପୁଣି ଯୋଡ଼ିଲା–ଦେଖ ତମେ ବାହା ହେଇନା...

 

–ଭାରି ତ କ’ଣ ମୁରବୀ ପରି କଥା କହୁଛ ! ଦୟାକରି ମୋ ବିଷୟରେ ଆଉ ମୁଣ୍ଡ ନ ଖେଳେଇ ଏଠୁ ବାହାରିଯାଅ । ଏକରକମ ଜୋର କରି ମାୟା କାବେରୀକୁ ସେଠୁ ବାହାର କରିଦେଲା ।

 

କାବେରୀ ସେଠାରୁ ଚାଲିଆସିଲା । ମାୟାର ଚଢ଼ା ଗଳାରେ ସେହି କଥା କେଇପଦ ତାକୁ ବେଶି ରଗେଇ ଦେଲା । ମାୟା ତା’ଠାରୁ ସବୁ ବିଷୟରେ ଛୋଟ । ତଥାପି ତାର ବ୍ୟବହାର ଜଣାଇଦିଏ ଯେମିତି କି ସେ କାବେରୀର ମୁରବୀ । ତା’ର ଇଚ୍ଛା ହେଲା ଧାଇଁଯାଇ ମାୟା ଗାଲରେ ଦି’ଟା ଚଟକଣା ବସାଇ ଦେବାକୁ । ଘରଟାଯାକର ଲୋକେ ଗେହ୍ଲା କରି ତାକୁ ଏମିତି ମୁହଁବଢ଼ିଆ କରିଦେଇଛନ୍ତି..... ଆଜି ଏକା ଏକା ସେ କେମିତି ତାକୁ ବାଟକୁ ଆଣିବ ? ଖାଇବାଘରେ ମାୟା ଓ ପୀତାମ୍ୱରବାବୁ ଖାଇ ବସିଛନ୍ତି । ଦିହିଙ୍କ ଭିତରେ କେତେଆଡ଼ର କଥା ପଡ଼ିଛି । କାବେରୀ ଆସିଲା ସତ, କିନ୍ତୁ ଅନ୍ୟ ଦିନପରି ସେମାନଙ୍କ ପାଖରେ ଠିଆହୋଇ ରହିଲା ନାହିଁ । ମାୟାର ହସ, କଥା, ଚାଲି, ଏମିତିକି ତା’ର ଛାଇ ସୁଦ୍ଧା କାବେରୀ ଦେହରେ ନିଆଁ ଖେଣ୍ଟା ମାଡ଼ିଦଉଛି । ସେ ଦାଣ୍ଡ ଆଡ଼େ ଗଲା–ମୋହନର ରୋଗୀ ଦେଖା ଆହୁରି ସରି ନାହିଁ ।

 

ରାତିରେ କାବେରୀଠାରୁ ସବୁ କଥା ଶୁଣିବା ପରେ ମୋହନର ମାୟା ଉପରେ ରାଗ ହେଲା । ଯେତେହେଲେ ମଧ୍ୟ ତା’ର ଏପରି କହିବାଟା ଉଚିତ ନୁହେଁ–ତା’ର ଏଇ ବେଖାତିର ଭାବ ଥରକୁ ଥର କାବେରୀ ମନରେ ବହୁତ ଆଘାତ ଦେଉଛି । କିନ୍ତୁ ହଠାତ୍‌ ମାୟାକୁ ଗାଳି ଦେବାଟା ଅସଙ୍ଗତ ହେବ ମନେ କରି ମୋହନ ସୁଯୋଗକୁ ଅପେକ୍ଷା କରି ରହିଲା ।

 

ରାତି ଦଶଟା ହେଲାଣି, ତଥାପି ମାୟାର ଦେଖା ନାହିଁ । କାବେରୀ ମନେ ମନେ ଖୁସି ହେଲା–ଆଜି ମାୟା ନିଶ୍ଚେ ବାପାଭାଇଙ୍କ ହାବୁଡ଼ରେ ପଡ଼ିବ । ଆଉ ଟିକିଏ ବେଳରେ ସମସ୍ତେ ଆସିଯିବେ... ।

 

ଘଡ଼ିଘଣ୍ଟା ଟିକ୍ ଟିକ୍ ଶବ୍ଦ କରି ଯେତିକି ଆଗେଇ ଯାଉଥାଏ, କାବେରୀ ମନ ସେତିକି ନାଚି ଉଠୁଥାଏ ।

 

କାବେରୀକୁ ଆଉ ତର ସହିଲା ନାହିଁ । ମୋହନକୁ ବୈଠକଖାନାରୁ ଡକେଇ ଆଣିଲା । ସେ ଜାଣେ ରୋଗୀମାନଙ୍କ ପାଖରେ ମୋହନ ମାୟାକୁ ଗାଳି ଦେଇ ପାରିବ ନାହିଁ । ମୋହନ ଆସିଲା । କାବେରୀ ଜଣେଇଲା ଦିନସାରା ଖଟି ଖଟି ତା’ର ମୁଣ୍ଡ ବିନ୍ଧିଲାଣି । ସମସ୍ତେ ଖାଇନେଲେ ସେ ଟିକିଏ ବିଶ୍ରାମ ନେବ । ଏକୁଟିଆ ବସି ବସି ତାକୁ ବ୍ୟସ୍ତ ଲାଗୁଛି ।

 

–ମାୟା କ’ଣ ଆହୁରି ଫେରି ନାହିଁ ?

 

–ତମେ ଆଗ ଖାଇନିଅ..... ତାଙ୍କର ତ’ ଆହୁରି ବେଳ ହୋଇନାହିଁ... ସେ ଆସିଲେ ମୁଁ ପରେ ଦେଇଦେବି ବାପା ବି କୁଆଡ଼େ ଯାଇଛନ୍ତି, ଫେରିନାହାନ୍ତି..... ସେମାନଙ୍କ କାମ ସରିବାଯାଏ ମତେ ଜଗି ରହିବାକୁ ପଡ଼ିବ ।

 

–ଏସବୁ ଅତିରିକ୍ତ ହୋଇଯାଉଛି । ଜଣକୁ ଚାକରାଣୀ ପରି ଖଟାଇ ଅନ୍ୟମାନେ ବାହାରେ ଆଡ଼୍‌ଡ଼ା ମାରିବେ ! ବାପା ଜାଣି ଜାଣି ମାୟାକୁ ଏମିତି ମୁହଁ ବଢ଼ିଆ କରିଛନ୍ତି..... ଆଜି ସେ ଆସୁ–

 

ମୋହନ ଖାଇ ବସିଛି । ଏତିକିବେଳେ ଦାଣ୍ଡରେ ଗାଡ଼ିର ହର୍ଣ୍ଣ ଶୁଭିଲା । ଫିଟ୍‌ଫାଟ୍‌ ବେଶରେ ଘର ଭିତରେ ପଶି, ମାୟା ସିଧା ଉପରକୁ ଚାଲିଗଲା । ଫୁସ୍‌ଫୁସ୍‌ କରି କାବେରୀ କହିଲା–ଛିଃ, ଏଗୁଡ଼ାକ କେଡ଼େ ଖରାପ କଥା ! ବୋଉ ଶୁଣିଲେ କ’ଣ କହିବେ ? ରାତି ଅଧଯାଏ ପର ଗାଡ଼ିରେ ଏମିତି ଘୂରି ବୁଲୁଛନ୍ତି, ଦାଣ୍ଡଲୋକେ କ’ଣ କହିବେ ?
 

ଲୁଗା ପାଲଟି ପୀତାମ୍ୱରବାବୁଙ୍କ ଘର ଖାଲି ଥିବାର ଦେଖି ମାୟା ଗୁଣୁ ଗୁଣୁ କରି ଗୀତ ବୋଲି ରନ୍ଧାଘରକୁ ଗଲା

 

–ପୂଝାରୀ, ବାପା ଆସି ନାହାନ୍ତି ?

–ନାଇଁ ଫେରି ନାହାନ୍ତି ।

ମାୟା ଫେରି ଯାଉ ଯାଉ ମୋହନ ଡାକିଲା–ମାୟା !

–ମତେ କହୁଛ ?

–କାହା ଗାଡ଼ିରେ ଆସିଥିଲୁ ?

–ମୋର ଜଣେ ସାଙ୍ଗ ।

–ଏତେବେଳଯାଏ କ’ଣ କରୁଥିଲୁ ?

–କାମ ଥିଲା ।

–କି କାମ ?

–କାହିଁକି ?

 

ଚିଡ଼ିଯାଇ ମୋହନ କହିଲା–ଭାରି ତ କ’ଣ ସାହସ ବଢ଼ିଗଲାଣି ! ଏସବୁ ବୋଧହୁଏ କଲେଜ ମାଡ଼ିବାର ଫଳ ? ଆଜି ବାପା ଆସନ୍ତୁ ।

 

ରାଗରେ ମାୟା ଗୋଟିପଣେ ଲାଲ ପଡ଼ିଗଲା । କହିଲା–ଭାଇ, ବୁଝିଥା’..... ଅନ୍ୟର ଶିକ୍ଷାରେ ପଡ଼ି ତମେ ମତେ ଶାସନ କରିପାରିବ ନାହିଁ, କହିଦେଉଛି ।

 

ମୋହନ ଉଠିଗଲା । ଖିଆ ଅଧା ପଡ଼ିଛି । କାବେରୀ ସହିପାରିଲା ନାହିଁ । କହିଲା–ସେ ତମର ବଡ଼ ଭାଇ, ତମରି ଭଲପାଇଁ କହୁଛନ୍ତି । ତମେ ଏତେ ରାତିରେ ପର ଗାଡ଼ିରେ ବୁଲୁଛ କାହିଁକି ?

 

ଫିକା ହସି ହସି, ଚାଲି ଯାଉ ଯାଉ ଶୁଣେଇ ଶୁଣେଇ ମାୟା କହିଲା–ମଣିଷ ନିଜ ମୁହଁଟାକୁ ହିଁ ଦର୍ପଣରେ ଦେଖେ । ତମେ ଦୁନିଆଟାକୁ ନିଜ ପରି ଭାବୁଛ କାହିଁକି ? ସମସ୍ତେ ତମପରି ହୋଇ ନାହାନ୍ତି ।

 

ପୀତାମ୍ୱରବାବୁ ଫେରିଲେ । ତାଙ୍କୁ ଦେଖି ପାଖକୁ ଆସି ମୋହନ କହିଲା–ବାପା ଏସବୁ କ’ଣ ହେଉଛି ?

 

–କ’ଣ ହେଲା ? ଜିଜ୍ଞାସୁ ଦୃଷ୍ଟିରେ ପୀତାମ୍ୱରବାବୁ ମୋହନ ମୁହଁକୁ ଚାହିଁଲେ ।

–ରାତି ଏଗାରଟାରେ ମାୟା ଅନ୍ୟ ଲୋକଙ୍କ ଗାଡ଼ିରେ ବୁଲି ଘରକୁ ଫେରୁଛି ।

–ଭବ ଝିଅର ଆଜି ଜନ୍ମଦିନ ଥିଲା... ତାଙ୍କରି ଗାଡ଼ିରେ ଆସିଥିବ ତ ? ମତେ ସେ କହୁଥିଲା–

 

–ସେ ଯିଏ ଜନ୍ମ ହଉ କି ମରୁ, ମୋର ସେଥିରେ କିଛି ନାହିଁ..... ମାୟା ଯଦି ଇଚ୍ଛା କରି ଆମକୁ ଏମିତି ବେଖାତିର କରିବ, ତେବେ ଆମେ ପଛକେ ଯାଉଛୁ ଅନ୍ୟ କୋଉଠି ରହିବୁ..... ମତେ ଏସବୁ ଭଲ ଲାଗୁନାହିଁ.....

 

–ବାପା, ଖାଇବ ଚାଲ... କେତେ ରାତି ହେଲାଣି ଟିକିଏ ଖିଆଲ ଅଛି ? କିଛି ନ ଶୁଣିଲା ପରି ମାୟା ପୀତାମ୍ୱରବାବୁଙ୍କ ହାତ ଧରି ସେଠାରୁ ଭିଡ଼ିନେଇ ଚାଲିଗଲା ।

 

ସେମାନଙ୍କୁ ଚାଲିଯାଉଥିବାର ଦେଖି ରାଗରେ କାବେରୀ ଦାନ୍ତ ଚିପିଲା । ଆପଣା ମନକୁ ମୁଣ୍ଡ ହଲାଇ ମୋହନ କହିଲା–ନାଃ, ଆଜି ମୁଁ ବୋଉ ପାଖକୁ ଚିଠି ଲେଖିବି, ସେ ଶୀଘ୍ର ଆସି ତା ଝିଅକୁ ସମ୍ଭାଳୁ ।

 

ମୋହନ କଥା ଶୁଣି କାବେରୀର ଭୟ ହେଲା । ସେ ଜାଣେ ମହୀବୋଉ ଫେରିଆସିଲେ ତା’ର ସ୍ୱାର୍ଥରେ ବାଧା ଆସିବ–ତା’ର ଏହି ଆଧିପତ୍ୟ ଆଉ ରହିବ ନାହିଁ । ତେଣୁ ତାଙ୍କୁ ଏତେ ଶୀଘ୍ର ଡକେଇ ଆଣିବାକୁ ସେ ଚାହେଁ ନାହିଁ ।

 

–ତମେ କାହିଁକି ବ୍ୟସ୍ତ ହେଇ ବୋଉଙ୍କ ଡକେଇ ଆଣିବ ? ବାପା ଥାଉ ଥାଉ ବୋଉ ଆସି ଅଧିକା କ’ଣ କରିବେ ? ଏଣିକି ଆମେ କିଛି ନ କହିଲେ ଗଲା ।

 

–ସେ ରାତିରେ ଘରକୁ ଆସନ୍ତୁ କି ବାହାରେ ରହନ୍ତୁ ।

 

ମାୟା ପୀତାମ୍ୱରବାବୁଙ୍କ ବିଛଣା ଝାଡ଼ୁଥିବାବେଳେ ଟିକିଏ ବୁଝେଇଲା ଭଳି ପୀତାମ୍ବରବାବୁ କହିଲେ–ମାୟା, ତୋ ସାଙ୍ଗର ନିମନ୍ତ୍ରଣ କଥା କ’ଣ ଆଉ କାହାକୁ କହି ନଥିଲୁ କି-? ମହୀ ବଡ଼ ଦୁଃଖ କରୁଥିଲା..... ଯେତେହେଲେ ସେ ପରା ବଡ଼ ଭାଇଟା...

 

ବିଛଣା-ପରା ବନ୍ଦ ରଖି, ପୀତାମ୍ବରବାବୁଙ୍କ ମୁହଁକୁ ସିଧା ଚାହିଁ ମାୟା କହିଲା–ବଡ଼ ଭାଇ ହୁଅନ୍ତୁ କି ବଡ଼ବାପା ହୁଅନ୍ତୁ ସେ ଯଦି ଭାଉଜ କଥାରେ ପଡ଼ି ମତେ ଶାସନ କରିବାକୁ ଚାହିଁବେ, ମୁଁ କେବେହେଲେ ମାନିବି ନାହିଁ, କହିଦଉଛି ।

 

–ଛି, ଏମିତି କହିବାଟା ତୋର ଉଚିତ ହେଉନାହିଁ ମା, ସେ ପରା ତୋର ବଡ଼ ଭାଉଜ–ମୁରବୀ ପରି ।

 

ପୀତାମ୍ୱରବାବୁଙ୍କୁ କଥା ସାରିବାକୁ ନ ଦେଇ ମାୟା ଖିଙ୍କାରି ଉଠିଲା–ତମରି ମୁରବୀ ବୋଲି କହ । ମୋ ମୁରବୀ ମୁଁ ନିଜେ ।

 

ଟିକିଏ ଆଶ୍ଚର୍ଯ୍ୟ ହେଲାପରି ପୀତାମ୍ବରବାବୁ କହିଲେ–ତା’ ଉପରେ କାହିଁକି ରାଗିଛୁ ? ସେ ତତେ କିଛି କହିଛି କି ?

 

–ଦିନକୁ ଦିନ ତାଙ୍କ ମୁରବୀପଣିଆ ବଢ଼ି ବଢ଼ି ଯାଉଛି ।

 

ଆଉ କିଛି ନ କହି ପୀତାମ୍ବରବାବୁ ଚୁପ୍‌ଚାପ୍‌ ବସି ଭାବିବାକୁ ଲାଗିଲେ । ଦୁଇ ଦଳ ଭିତରେ ଏହି ଯେଉଁ ମନ ଫଟାଫଟି, ସେଇଟାକୁ ଏଠି ରୋକି ହେବ ନାହିଁ । କାରଣ ଅତି ସାଧାରଣ କଥାରେ ମଧ୍ୟ ଜଣେ ଆଉ ଜଣକୁ ଭୁଲ୍‌ ବୁଝିବା ହେଲା ଦୁନିଆର ନିୟମ । କାବେରୀକୁ ଦୋଷ ଦେଇ ହେବ ନାହିଁ । କାରଣ ମାୟା ଯେଉଁ ଧରଣର ପିଲା, ତାକୁ ପ୍ରାୟ ସମସ୍ତେ ଭୁଲ ବୁଝିବେ । ତାକୁ ସେ ନିଜେ ଭଲକରି ଚିହ୍ନିଛନ୍ତି । ତା’ଉପରେ ତାଙ୍କର ଅଗାଧ ବିଶ୍ୱାସ । ସେଥିପାଇଁ ମାୟା ଯାହା କହେ, ଯାହା କରେ କୌଣସିଥିରେ ସେ ବାଧା ଦିଅନ୍ତି ନାହିଁ ।

 

ମଶାରି ଲଗାଇଦେଇ ମାୟା ପୀତାମ୍ୱରବାବୁଙ୍କ ହାତ ଧରି ଟାଣିଲା–ବାପା, କାଲି ସକାଳେ ବସି ଭାବିବ । ଆଜି ଶୋଇବ ଯାଅ ।

 

ନିଜ ବଖରାକୁ ଫେରିଆସି ମାୟା କବାଟ ବନ୍ଦ କଲା । ନିଜର ପାଲଟା ଲୁଗା ଖଟ ଉପରେ ପଡ଼ିଛି । ତାକୁ ଚଉତାଚଉତି କରି ଅଲଗୁଣିରେ ରଖିଦେଇ ଟେବୁଲ ଉପରେ ମୁଣ୍ଡ ରଖି ଟିକିଏ ବେଳ ଆଖି ବୁଜିଲା । ତା’ପରେ ଖଣ୍ଡେ କାଗଜ ଭିଡ଼ିଆଣି ଲେଖିଲା–

 

ବୋଉ,

 

ଆଜି ହେଲା ସୋମବାର ! ବୁଧବାର ଦିନ ଏ ଚିଠି ପାଇ ତୁ ଯଦି ସାଙ୍ଗେ ସାଙ୍ଗେ ନ ଆସୁ, ତେବେ ଗୁରୁବାର ଦିନ ରାତିକି ମୁଁ ହଷ୍ଟେଲ ଚାଲିଯିବି ।

 

–ମାୟା

 

ଘରେ ଗୋଡ଼ ଦେବାମାତ୍ର ଦାଣ୍ଡଘରେ ପୀତାମ୍ୱରବାବୁଙ୍କୁ ବସିଥିବାର ଦେଖି ମହୀବୋଉ ଗୋଟିଏ ସ୍ୱସ୍ତିର ନିଶ୍ୱାସ ଛାଡ଼ିଲେ । ଏଇ ତାଙ୍କର ଘର, ହସି ହସି ପାଖକୁ ଡାକୁଚି । ପୃଥିବୀର ଯେ କୌଣସି ଐଶ୍ୱର୍ଯ୍ୟର ମୋହ ଏଇ ଘରର ମାୟା ପାଖରେ ଛୋଟ ହୋଇଯାଏ । ଏହାର ପ୍ରତ୍ୟେକଟି ଧୂଳିକଣା ନିକଟରେ ସେ ପରିଚିତ–ତା’ର ଲୁଣାମରା କାନ୍ଥ, ଭଙ୍ଗା ଦଦରା ଖିଡ଼ିକି କବାଟ, ଧୂଳିଢ଼ଙ୍କା ଜିନିଷପତ୍ର, ଆଉ.... ତାକୁ ଛୁଇଁ ଯାଉଥିବା ପବନ ସମସ୍ତେ ଯେମିତି ହସି ହସି ତାଙ୍କୁ କହୁଛନ୍ତି–ତମ ବିନା ଏ ଘରଟା ଅଚଳ ହୋଇ ପଡ଼ିଥିଲା ।

 

ମହୀବୋଉ ଗୋଡ଼ରୁ ଚଟି ଖୋଲିଲେ । ମନ ହେଲା ଯେମିତି ଏ ଘରର ମେଜିଆରେ ଚାଲିବାର ଗୋଟାଏ ସ୍ୱତନ୍ତ୍ର ମୋହ ଅଛି–କଅଁଳ ଓ ଥଣ୍ଡାର ଗୋଟାଏ ମିଶାମିଶି ଆକର୍ଷଣ । ଇଚ୍ଛା ହେଲା, ଛୋଟ ଛୁଆଙ୍କପରି ତଳେ ଗଡ଼ି ଗଡ଼ି ସେହି ଆକର୍ଷଣକୁ ପ୍ରାଣଭରି ଅନୁଭବ କରିନେବାକୁ ।

 

ମହୀବୋଉଙ୍କୁ ଫେରିଆସିବାର ଦେଖି ପତୁ, ରଞ୍ଜୁ ଧାଇଁଆସି କୁଣ୍ଢେଇ ପକାଇ ଅଳି କଲେ–ବୋଉ, ତୁ ଏତେଦିନ ରହିଲୁ, ଆମକୁ ଆଉ ପଇସା ଦେ ।

 

ଖବର ପାଇ ଜଣ ଜଣ କରି ସମସ୍ତେ ଆସି ପାଖରେ ରୁଣ୍ଡ ହେଲେ । ମହୀବୋଉ ଯେତେବେଳେ ଦେଖିଲେ ଘରେ ସମସ୍ତଙ୍କ ଦେହ ଭଲ ଅଛି ଓ ସମସ୍ତେ ବେଶ୍ ଖୁସିରେ ଅଛନ୍ତି, ତାଙ୍କର ସବୁଯାକ ରାଗ ମାୟା ଉପରକୁ ଛିଟିକି ଆସିଲା । ତାଙ୍କୁ ଏପରି ଭାବରେ ଡକାଇ ଆଣିଥିବାରୁ ଦି’ଟା ଖୁନ୍ଦା ମଧ୍ୟ ତା’ଗାଲରେ ବସାଇ ଦେଲେ । ସେ ମନେ କରିଥିଲେ ତାଙ୍କ ବିନା ଘରଟା ଅଚଳ ହୋଇ ପଡ଼ିଥିବ । କିନ୍ତୁ ସେ ଫେରିଆସି ଦେଖିଲେ ସେ ଧାରଣା ଭୁଲ । ତେଣୁ ରାଗରୁ କିଛି ଅଂଶ କାବେରୀ ଉପରେ ମଧ୍ୟ ଯାଇ ପଡ଼ିଲା ।

 

ମାୟା ଓ ପିଲାମାନେ ପିଠା ଖାଉଥିବାବେଳେ ପହଲି ଗାଁରୁ ଆଣିଥିବା ନାନାପ୍ରକାର ଆଶ୍ଚର୍ଯ୍ୟ ଜିନିଷରେ ଭରା ତା’ର ପେଡ଼ି ଖୋଲି ବସିଲା । କେତେ ରକମର ଜିନିଷ ସେଥିରେ ଅଛି–କାଇଁଚ, ଗିଲ, ଶାମୁକା, ଗେଣ୍ଡା, ସାପକାତି..... । କି ଜିନିଷ, କେଉଁଠୁ, କିପରି ଭାବରେ ପାଇଥିଲା, ତାର ଇତିହାସ ପିଲାମାନଙ୍କ ଆଗରେ ପହଲି ବଡ଼ ବଡ଼ ଆଖି କରି ବଖାଣିବାରେ ଲାଗିଥାଏ । କାବେରୀକୁ ଚୁପ୍‌ ହୋଇ ଛିଡ଼ା ହୋଇଥିବାର ଦେଖି ମହୀବୋଉ କହିଲେ– ବୋହୂ, ତୁ ଖଣ୍ଡେ ପିଠା ଖା ?

 

ଏତିକିବେଳେ କ’ଣ ରନ୍ଧା ହେବ ବୁଝିବାକୁ ଆସି ପାଖରେ ଠିଆ ହେଲା । ପିଠା ପରେ ଖାଇବ ବୋଲି କହିଦେଇ ତରକାରୀ ବରାଦ ଦେବାକୁ କାବେରୀ ଚାଲିଆସିଲା । ମହୀବୋଉ ମନ ଭିତରେ ଟିକିଏ ଘୋଷଣା ହେଲେ–ପୂଝାରୀ କ’ଣ ମନେ କରିଛି ସେ ମରିଗଲେଣି ? ସେ ସେଇଠି ବସି ଥାଉଁ ଥାଉଁ ବୋହୂ ଯିବ ରନ୍ଧାର ବରାଦ ଦେବାକୁ ?

 

ମନର ରାଗ ମନରେ ରଖି ମହୀବୋଉ ଜିନିଷପତ୍ର ରଖାରଖି କରିବାରେ ଲାଗିଲେ । ପରଦିନ ସକାଳେ କାବେରୀ ଡାଲି ଚାଉଳ କାଢ଼ୁଥିବା ବେଳେ ମହୀବୋଉ ଭଣ୍ଡାର ଘରେ ପଶିଲେ-। ଚାରିଆଡ଼େ ଥରେ ଆଖି ବୁଲେଇ ନେଇ ମନକୁ ମନ ଭଟର ଭଟର ହେବାରେ ଲାଗିଲେ–ଇସ୍‌, ଛିଃ...ଏଠି ପୁଣି ଲକ୍ଷ୍ମୀ ରହିବେ ? ଏଗୁଡ଼ାକ କାହିଁକି ଆଉ ପାଠ ପଢ଼ିଛନ୍ତି ମ ? ହଇଲୋ, ମୁଁ ଗଲାପରଠୁଁ ଏ ଆଲମାରୀ ବୋଧେ ଝଡ଼ା ହୋଇନାହିଁ ? ଚିନିକୁ ଏମିତି ବୁଣି ବୁଣି ଯାଇଛ କାହିଁକି ? ଟିକିଏ ଦେଖି ଚାହିଁ ନେଇପାର ନାହିଁ ? ହେଇଟି, ଏ ଲହୁଣୀ ଡବାରୁ କଳଙ୍କି ଉଠିଆସିଲାଣି । ତାକୁ ଟିକିଏ କାଚ ଜାଗାକୁ କାଢ଼ିପାରିଲ ନାହିଁ ? ଠେକି ଗୋଟାକଯାକ ଘିଅ ବୁହାଇଛ, ପିମ୍ପୁଡ଼ି ଧରିଲେ ଝାଡ଼ୁ ଝାଡ଼ୁ ଦିନ ଯିବ..... କାମ କରୁଛ ଯେ ଟିକିଏ ସଣ୍ଠଣା ନାହିଁ ? –ଘରଟା ଝାଟେଇ ଦବାକୁ ମହୀବୋଉ ଝାଡ଼ୁ ଖୋଜି ବସିଲେ ।

 

ରହିବା ଜାଗାରେ ଝାଡ଼ୁ ନପାଇ ମହୀବୋଉଙ୍କ ରାଗ ଷୋଳଅଣାରେ ବଢ଼ିଗଲା–କିଏ ତମକୁ ସବୁ କହେ ମୋର ଏ ଘରର ଝାଡ଼ୁ ନେଇ ଘର ଝାଡ଼ିବାକୁ ? ଘରର ଯେତେକ ଝାଡ଼ୁ ସବୁ କାହିଁ କୁଆଡ଼େ ଫୋପାଡ଼ି ଶେଷକୁ ମୋରି ଜିନିଷରେ ଆଖି ! ତମ ଜିନିଷ ତ ମୁଁ ଛୁଏଁ ନାହିଁ, ତମେ କାହିଁକି ମୋ ଜିନିଷ ଛୁଇଁବାକୁ ଯାଉଛ ?

 

ପୂଝାରୀକୁ ଡାଲି ଚାଉଳ ଦେବା ସେତିକିରେ ବନ୍ଦ ରହିଲା । ଡରରେ ଜିଭ କାମୁଡ଼ି କାବେରୀ ଝାଡ଼ୁ ଖୋଜିବାକୁ ବାହାରି ପଳାଇ ଆସିଲା ।

 

ବହୁତ ଖୋଜାଖୋଜି ପରେ ଝାଡ଼ୁ ମିଳିଲା । ଗୋଟାଏ ହାତରେ ଝାଡ଼ୁ ଓ ଅନ୍ୟ ହାତରେ କିଛି ପରିଷ୍କାର ଖବରକାଗଜ ଧରି ମହୀବୋଉ ଭିତରେ ପଶି ପ୍ରତ୍ୟେକଟା ଜିନିଷକୁ ଝାଡ଼ି ସଜେଇ ରଖିବାରେ ଲାଗିଲେ । ଦୁଆରବନ୍ଧ ବାହାରେ ଠିଆହୋଇ କାବେରୀ ସବୁ ଦେଖୁଥାଏ । ଚାଉଳ ଘୁମ ପଛଆଡ଼େ ଅନ୍ଧାରିଆ ଜାଗା ଦେଖି ମୂଷାମାନେ ତାଙ୍କ ନିଜପାଇଁ ଆଳୁ, ବଡ଼ି, କୋଳି ପ୍ରଭୃତି ସାଇତି ରଖିଥିଲେ । ଝାଡ଼ୁ ଝାଡ଼ୁ ଅଜସ୍ର ମୂଷାଲଣ୍ଡି ସହିତ ସେତକ ବାହାରି ଆସିଲା । ଛାନିଆରେ ଦି’ଟା ଅସରପା ଛାଟିପିଟି ହେଇ ପଳେଇ ଗଲେ ।

 

–ଏ କେଇଟା ଦିନ ଭିତରେ ଏଡ଼େ ସୁତୁରା ଘରଟାକୁ କେମିତି ଛେଳି ଗୁହାଳଠୁ ଆଉରି ହୀନ କରିଛନ୍ତି ଦେଖ । ହଇଲୋ, ତମେସବୁ ପରା ପାଠ ପଢ଼ିଛ ? କେଡ଼େ ସୁତୁରାପଣ ଦେଖେଇ ହୁଅ..... ଇଏ ସବୁ କ’ଣ ହେଇଚି ? ୟାକୁ ଖାଇଲେ ତମ ଦିହ ଭଲ ରହିବଟି ? ହେଃ, ଯାହା କହନ୍ତି ‘ହାଣ୍ଡିରେ ଖାଏ ନା ଗୋଡ଼ରେ ପଡ଼ିଲେ ଗାଧୋଇଯାଏ’ । ବାହାରକୁ ଦେଖେଇ ହେବେ ଆମେ ଏଡ଼ିକି ସୁତୁରୀ..... ଏଣେ ଟିକିଏ ଖାଲି ଆଖି ଆଢ଼ୁଆଳ କରିଦିଅ, ଅସନାପଣରେ ଛେପ ପକାଇବାକୁ ମନ ହବ ନାହିଁ...

 

ବେଳକୁ ବେଳ ଅଳିଆଗୁଡ଼ାକ ବଢ଼ି ବଢ଼ି ଯାଉଛି । ସେଠାରେ ଆଉ ସମୟ ରହିବା ନିରାପଦ ମନେ ନକରି କାବେରୀ ପଳେଇ ଆସିଲା ।

 

ସେହିଦିନ ଉପରବେଳା ମୋହନ ଆସି ମହୀବୋଉଙ୍କ ପାଖରେ ବସିଲା । ଏଣୁତେଣୁ ଦି’ଚାରି କଥା ପରେ ଖୁସିହୋଇ ମୋହନ କହିଲା–ବୋଉ ଦେଖ୍, ଏ ମାସରେ ତୋ ବୋହୂ କେତେ କମ୍‌ ଟଙ୍କାରେ ଘର ଚଳେଇଛି ।

 

–କମ୍ ଟଙ୍କା କ’ଣ ? ମୋର ଏ ମାସରେ ସବୁ ଜିନିଷପତ୍ର ଘରେ ଥିଲା । ଖାଲି ପରିବା ଖର୍ଚ୍ଚ ଯାହା ହେଇଥିବ ।

 

–ନାଇଁ ବୋଉ, ତୁ ଜାଣିନୁ–

 

ମୋହନକୁ କଥା ସାରିବାକୁ ନ ଦେଇ ହଠାତ୍‌ ରାଗିଯାଇ ମହୀବୋଉ କହିଲେ– ଆଉ କ’ଣ ମୁଁ ଟଙ୍କାଗୁରାକ ଖାଇ ଦଉଥିଲି ?

 

ଟିକିଏ ବ୍ୟସ୍ତ ହୋଇ ମୋହନ କହିଲା–ଆରେ ମୁଁ କ’ଣ ସେ କଥା କହିଲି ? ତୁ ଚଳାଉଥିଲାବେଳେ ଚାକର ପୂଝାରୀଙ୍କର ଯେଉଁ ହାତ ସଫେଇ ହେଉଥିଲା, ସେତକର ବାଟ ସେ ପୂରା ବନ୍ଦ କରିଦେଲା । ବୁଝିଲୁ ନା ? କୋଉ ଜିନିଷଟା ନିଜ ହାତରେ ନେବାକୁ ତାଙ୍କୁ ଛାଡ଼େ ନାହିଁ-। ସବୁବେଳେ ଭଣ୍ଡାରଘର ଚାବି ପାଖେ ପାଖେ ରଖିଥାଏ । ତତେ ଯେମିତି ସହଜରେ ଫାଙ୍କିମାରି ସେମାନେ ଏଇଟା ସେଇଟା ନେଇ ଯାଉଥିଲେ, ସେତକ ଆଉ ହେଇପାରିଲା ନାହିଁ ।

 

–ହଁ, ରେ ପୁଅ, ଆମେ ମୂର୍ଖଲୋକ । ଆମକୁ ଫାଙ୍କି ଦେଇ ନେଇ ଯାଉଥିବେ..... ଭଲ କଥା, ଅଳ୍ପରେ ଯଦି ଚଳେଇ ହଉଛି ତେବେ ବୋହୂ ଚଳାଉ । ଘରର ପଇସା ଘରେ ରହିବ ।

 

–ଏହେଁ, ମୁଁ କ’ଣ କହିଲି ବୋହୂ ଚଳେଇବ ବୋଲି ? ତୁ ତ କଥାରେ ଓଲଟା ଅର୍ଥ ବାହାର କରିବୁ ।

 

–ମଲା, ଓଲଟା କ’ଣ ସିଧା କ’ଣ ? ସେ ତ ମୋ ହାଳିକି ବେଶି ପଢ଼ିଛି । ଭଲ ଚଳେଇ ପାରିବ । ମୋର ବି ଛୁଟି । ସେ ଝିନ୍‌ଝଟ ମୋତେ ଭଲ ଲାଗୁ ନଥିଲା..... ଏଣିକି ପୁଅ ଝିଅ ବାହା କଲି । ସେମାନେ ଚଳେଇବାଟା ସୁନ୍ଦର ଦୁଶିବ–ଆମେ ବୁଢ଼ୀଦିନେ ଆଉ ଗୋଟାଏ କ’ଣ ଚାବି ଧରି ବୁଲିବୁ ।

 

–ବୋଉ, ମୁଁ ଠିକ୍‌ ଜାଣିଛି ପରା ତୁ ରାଗିବୁ । ମୋହନ ମହୀବୋଉଙ୍କୁ ବୁଝେଇବାକୁ ଯାଇ ଥଙ୍ଗ ଥଙ୍ଗ ହେଲା ।

 

–ନାଇଁମ ରାଗିବି କାହିଁକି ? ମହୀବୋଉ କଥାକୁ ଏକରକମ ଆଡ଼େଇ ଦେଇ ଚାଲିଗଲେ । ମୋହନ ବୁଝିଲା ମହୀବୋଉ ଋଷିଲେଣି ।

 

ସେହିଦିନ ସଞ୍ଜବେଳେ ମାୟା ବୁଲିସାରି ଫେରିବା ପରେ ମହୀବୋଉ ମାୟା ପଢ଼ା ପାଖକୁ ଗଲେ । ଏଣୁତେଣୁ ଦି’ଚାରିଟା ଖବର ପଚାରିବା ପରେ ହଠାତ୍‌ ମନେ ପଡ଼ିଗଲା ପରି କହିଲେ–ତୁ ଏତେ ରାତିରେ ଘରକୁ ଫେରୁଛୁ, ଲୋକେ କ’ଣ କହିବେ ?

 

–ଲୋକେ କ’ଣ ମୋ ଶ୍ୱଶୁର ନା ଦେଢ଼ଶୁର ମ ?

–ଆହା । ଶ୍ୱଶୁର ଦେଢ଼ଶୁର ହେଇଥିଲେ ତ ଖାଲି ଲୁଚି ପକାନ୍ତୁ !

–ଜାଣିଛୁ ତ, ଆଉ କହୁଛୁ କାହିଁକି ?

 

ମହୀବୋଉ ଆଉ କିଛି କହିଲେ ନାହିଁ, ସେ ଜାଣନ୍ତି ଆଉ ଟିକିଏ କିଛି କହିଲେ ମାୟା ଜିଦି କରି ଆହୁରି ଦୁଗୁଣେଇ ହେବ । ତେଣୁ କଥା ବାଁରେଇବାକୁ ମହୀବୋଉ ଚାରିଟାବେଳେ ଘଟିଥିବା ଘଟଣାସବୁ କହି ବସିଲେ । ସବୁ ଶୁଣି ମାୟା ପ୍ରଥମେ ମହୀବୋଉଙ୍କୁ ଥୋଡ଼ାଏ ଶୋଧି ଦେଇଗଲା–ତା’ର ସେହି ଏକା ଧମକ–କାବେରୀ ଘର ଚଳେଇଲେ ସେ ସିଧା ହଷ୍ଟେଲରେ ଯାଇ ରହିବ । ଏତିକିବେଳେ ଦୂରରୁ ମୋହନକୁ ଆସୁଥିବାର ଦେଖିପାରି ମହୀବୋଉ ସେଠୁ ଉଠି ଚାଲିଗଲେ ।

 

ସେହିଦିନଠାରୁ ମହୀବୋଉ ଚାବିକୁ ନିଜ ପାଖରେ ନ ରଖି କାବେରୀ ପାଖରେ ରଖିଦେଇଯାନ୍ତି । କିଛି ଦେବାର ଦରକାର ପଡ଼ିଲେ କାବେରୀକୁ କହିଦିଅନ୍ତି । କାବେରୀ ସବୁ ଶୁଣେ । ଆଉ ମନେ ମନେ ଖୁବ୍‌ ହସେ । ଦୁଇଜଣଙ୍କ କଳିରେ ତାରି ଲାଭ ହେଇଛି । ଉପରେ ଉପରେ ବେଶ୍ ମଜାରେ ପାର ହୋଇଗଲା । ଏଣିକି ମାଆ ପୁଅଙ୍କର କଳି ଚାଲିବ ଆଉ ତାର ଖାଲି ଆଖିରୁ ଲୁହ ଝରେଇଲେ ସୁରୁଖୁରୁରେ କାମ ଗଡ଼ି ଚାଲିବ ।

 

ସକାଳୁ ଉଠି ମହୀବୋଉ ଭଣ୍ଡାରଘର ଝାଡ଼ିବାକୁ ଭିତରେ ଆଉ ପଶନ୍ତି ନାହିଁ । ପୂଝାରୀ ଜିନିଷ ମାଗିଲେ ଆଉ ତରବରହୋଇ ଉଠି ଆସନ୍ତି ନାହିଁ । ସବୁବେଳେ ସେହି ପଦେ କଥା–ବୋହୂକୁ ମାଗୁନ ? ମୁଁ କ’ଣ ଜୀବନଯାକ ତମ ପାଖରେ ଚଳେଇବାକୁ ବନ୍ଧା ପଡ଼ିଥିବି ? ମୁଁ ମଲେ ତ’ ପୁଣି ସେ ଚଳେଇବ ।

 

ସମସ୍ତେ ମନେ କରନ୍ତି ଏହି ବୟସରେ ମହୀବୋଉଙ୍କର ବିଶ୍ରାମ ନେବା ଦରକାର । କିନ୍ତୁ ମୁରବୀପଣ କରି କରି ଯାହାର ଦିହକ ବିତିଗଲା, ସେ କ’ଣ ସତରେ କେବେ ଚାହେଁ କୋଡ଼ିଏ ପିଚିଶି ବର୍ଷର ଗୋଟିଏ ଝିଅ ଆସି ତା’ଉପରେ ମୁରବୀ ହେବ ? ସେ ନିଜର ବୋହୂ ହେଉ ପଛକେ–ପୀତାମ୍ୱରବାବୁ ସବୁ ଜାଣିଲେ । ମହୀବୋଉଙ୍କ ମନରେ ଯେଉଁ ଆଘାତ ଆସିଛି ସେତକ ସେ ନିଜ ଭିତରେ ଅନୁଭବ କଲେ । ଚାକିରିରୁ ପେନ୍‌ସନ୍‌ ନେଲା ଲୋକର ନିଜର ଯୋଗ୍ୟତା ବିଷୟରେ ପୂରା ସଚେତ ଥିଲେ ମଧ୍ୟ ସରକାର ଯେମିତି ତାକୁ ଅକାମି କହି ରଦ୍ଦି କରିଦିଏ ସେମିତି ମହୀବୋଉ ଘର ଚଳାଇବା ବିଷୟରେ ନିଜକୁ ପୂରା ସମର୍ଥ ମନେ କରୁଥିବାବେଳେ ମୋହନ ଆଖିରେ ଅସମର୍ଥ ବୋଲି ଜଣାପଡ଼ିଲେ ।

 

ଏକୁଟିଆ ବସିଥିଲାବେଳେ ମହୀବୋଉ ନିଜ କଥା ଭାବି ଆଖିରୁ ଲୁହ ଗଡ଼ାନ୍ତି ।

 

କଥା ଲୁଚି ରହେ ନାହିଁ । କାନକୁ କାନ ହୋଇ ଚାରିଆଡ଼େ ବ୍ୟାପିଯାଏ । ଭିକା ମୁହଁରୁ ସବୁ କଥା ଶୁଣି ସତ ମିଛ ପରଖିବାକୁ ଦିନେ ଯଦୁବୋଉ ବୁଲି ଆସିଲେ ।

 

ଖୋଳି ତାଡ଼ି ସବୁ ଶୁଣିସାରି ମୁହଁ ନେଫେଡ଼ି କହିଲେ–ଆଲୋ, ତୁ କାଇଁକି ଚାବି ଛାଡ଼ିବାକୁ ଗଲୁ ? ଏ ଯୁଗ ହେଲା ସେଇଆ । ସଭିଏଁ କହିପୋଛି କାମ ହାସଲ କରିନେବେ । ଯେ ସରଳିଆ ସେ ଉପରକୁ ଆଁ କରି ପଡ଼ି ରହିଥିବେ ।

–ହଅ କରନ୍ତୁ । ସେମାନଙ୍କ ପାଇଁ ମୁଁ ଖଟୁଥିଲି । ଏବେ ସେମାନେ ନିଜେ ନିଜ ପାଇଁ କରିବେ । କ’ଣ ହେଇଗଲା ?’’

–ଭଲ କଥା କହୁଛୁ ! ଆଲୋ, ଘର ଚଳେଇବାଟା ବଡ଼ ନୁହେଁ, ସେଇ ଯେ ତୋ’ରି ହାତରେ ଚାବି ନେନ୍ଥାଟା ଥିଲା, ସେତିକି ତତେ ନେଇ ସମସ୍ତଙ୍କ ମୁଣ୍ଡରେ ବସେଇ ଦେଇଥିଲା । ଏଣିକି ଘରକୁ ଗଲା–ଆଇଲା ଲୋକେ, ଚାକରବାକର ତୋ’ହାତ-ଟେକାକୁ ଆଉ ଚାହିଁ ରହିବେ ? ତାଙ୍କର ତୋ ଠେଇଁ ଆଉ କି କାମ ରହିଲା ?

ସବୁ ଶୁଣି ଗୋଟାଏ ନିଶ୍ୱାସ ଛାଡ଼ି ମହୀବୋଉ କହିଲେ–ହଅ, ମୋର ସେଥିରେ କିଛି ଦୁଃଖ ନାହିଁ । ମତେ ସେ ମୁଣ୍ଡରେ ବସାଇବାରୁ କ’ଣ ମିଳିବ ? ମୋ ପିଲାଏ ଭଲରେ ରହିଲେ ହେଲା ।

–ହୁଁ, ମା’ ଦବାନବା ଆଉ ଭାଉଜ ଦବାନବା ସମାନ ନୁହେଁ ଲୋ ମହୀବୋଉ ! ମା’ ହାତରୁ ପେଜ ତୋରାଣି ମନ୍ଦାଏ ପିଇଲେ ପେଟ ପୂରିଯାଏ । ଆଉ ଭାଉଜ ହାତରୁ ନଡ଼ୁ ମିଠେଇ ପେଟେ ଖାଇଲେ ବି ପେଟ ପୂରେ ନାହିଁ କି ମନ ବୁଝେ ନାହିଁ....

ଏତିକିବେଳେ କୁନାଠାରୁ ଯଦୁବୋଉଙ୍କ ଆସିବା ଖବର ପାଇ କାବେରୀ ଆସି ପହଞ୍ଚିଲା । ମହୀବୋଉଙ୍କ ପାଖରେ ଯଦୁବୋଉଙ୍କୁ ଏପରି ଭାବରେ ଚକାମାରି ବସି ହଲୁଥିବାର ଦେଖି ସେମାନଙ୍କ ଭିତରେ ପଡ଼ିଥିବା କଥାବାର୍ତ୍ତା ସେ ଠଉରାଇ ନେଲା, କିନ୍ତୁ କିଛି ନ ଜାଣିଲା ପରି ଖଣ୍ଡେ ଦୂରରେ ଗୁଆ ଭାଙ୍ଗି ବସିଲା ।

କାବେରୀକୁ କିଛି ବେଳ ଚାହିଁ ଛେପ ଢୋକି ଯଦୁବୋଉ ଆରମ୍ଭ କଲେ–ଏଣିକି ଘରର ଭାର ନେଲ, ଶାଶୁଙ୍କ ପରି ଘର ଚଳେଇବା ଶିଖ । ତମେ ସବୁ ଆଜିକାଲିର ପିଲାଏ ତ ଯେଝା ହାତରେ ଯେ ଚଉଦ ପାଆ..... ଓଳିଆରୁ ଗଜା । ତମକୁ ପୁଣି କିଏ କାମ ଶିଖେଇବ ? ହେଲେ ନୂଆ ପୁରୁଣା ଅଛି । ଯେତେହେଲେ ତମେ ହେଲ ନୂଆ ।

–ଆପଣ ଟିକିଏ ବୋଉଙ୍କୁ ବୁଝେଇ ଦିଅନ୍ତୁ । ଆମେ ଯେତେ କହିଲେ ବି ସେ ଶୁଣୁନାହାନ୍ତି । ସେ ଚଳାଉଥିଲା ବେଳେ କେଡ଼େ ସୁରୁଖୁରୁରେ ଘର ଚଳୁଥିଲା..... ଏଇ କେଇଟା ଦିନରେ ତ ମୋ ମୁଣ୍ଡ ଘୂରେଇ ଗଲାଣି । ଖାଲି ବାଧ୍ୟରେ ନେବା କଥା ।

ଅର୍ଥପୂର୍ଣ୍ଣ ହସ ହସି ଯଦୁବୋଉ କହିଲେ–ସାହସ ବାନ୍ଧି ଘର ଚଳେଇବାକୁ ବସିଚ..... ଆରମ୍ଭରୁ ଏମିତି କେମିତି ଚଳିବ ? ମତେ କହୁଛୁ ଯେ, ମୁଁ ଗୋଟାଏ ତାକୁ କ’ଣ ବୁଝେଇବି ? ସେ ଥାଉ ଥାଉ ତୋର ଚଳେଇବାଟା କେଡ଼େ ଯେ ଅସୁନ୍ଦର ଦିଶୁଚି, ସେ କ’ଣ ନିଜେ ସେତକ ବୁଝୁ ନାହିଁ ଭାବିଛୁ ?

ଯଦୁବୋଉଙ୍କୁ ଟିକିଏ ଠେଲି ଦେଇ ମହୀବୋଉ କହିଲେ–ଦେ ଉଠ ମ..... ଯିଏ ହେଲେ ତ ଜଣେ ଚଳେଇଲେ ହେଲା..... କାହା ଅଭାବରେ କ’ଣ କିଛି ବାକି ପଡ଼ିଯାଉଛି ? ମୁଁ ନଥିଲେ ପୁଣି କିଏ କରୁଥାନ୍ତା ? ସେଇମାନେ କରନ୍ତେ ତ ?

ଅନ୍ୟ ଉପାୟ ନ ପାଇ କାବେରୀ ସୁଁ ସୁଁ ହୋଇ କାନ୍ଦିବାରେ ଲାଗିଲା– ବୋଉ, ମୁଁ ସତରେ କହୁଛି, ଆପଣ ଘର ଚଳେଇଲାବେଳେ ମୁଁ ଯେତେ ଶାନ୍ତି ପାଉଥିଲି ଏହିକ୍ଷଣି ତା’ର କାଣିଚାଏ ବି ପାଉ ନାହିଁ... ।

–ଆଲୋ, କାନ୍ଦୁଛୁ କାହିଁକି ? ଏମିତି ଖାଲି ତୋ ଶାଶୁ ଆଣ୍ଟ ବାନ୍ଧି ବସିଚି, ଆଉ ତୁଇ ଏକା କାନ୍ଦି କାନ୍ଦି ରହୁଚୁ ! ମୁହଁ ହଲେଇ ଯଦୁବୋଉ କହିଲେ ।

–ମୁଁ ଆଉ କ’ଣ କରିବି ଭଲା ? ସିଏ ତ ସବୁବେଳେ ଚାବି ଆଣି ମୋରି ଟେବୁଲ ଉପରେ ରଖି ଦେଉଛନ୍ତି । ଆଉ କ’ଣ ମୁଁ ଫୋପାଡ଼ି ଦିଅନ୍ତି ?

–ହଁ, ତୁ ବି ଚାବି ନେଇ ତା’ ପାଖରେ ଫୋପାଡ଼ି ଦେଇ ଆସନ୍ତୁ । ସେତକ କ’ଣ ପାରୁନାଇଁ ? ସିଏ ତତେ ଦି’ଥର ଚାବି ଦେଲେ ତୁ ଚାରିଥର ଦିଅନ୍ତୁ । ଏମିତି ଖାଲି ତୋ ଆଣ୍ଟରୁ ତା ଆଣ୍ଟ ବଳି ପଡ଼ିଛି ! ମୁହଁ ହଲେଇ ହଲେଇ ଯଦୁବୋଉ କହି ଚାଲିଛନ୍ତି, ପାଟିରେ ବାଟୁଳି ବାଜୁ ନାହିଁ । ମହୀବୋଉ ଯଦୁବୋଉଙ୍କ ପାଟିରେ ହାତ ଦେଇ କଥା ବନ୍ଦ କରାଇଦେଲେ–ଥାଉ ମ ଅପା..... ତାକୁ କାହିଁକି କହୁଚ ? ମୋ’ ନିଜ ନପାରିଲା ପଣରୁ ମୁଁ ଦେଇଛି..... ସେ ଚାବି ମୋର ଦରକାର ନାହିଁ ।

ଯଦୁବୋଉ କାବେରୀ ମୁହଁକୁ ଚାହିଁଲେ–‘‘ଶାଗ ଖରଡ଼ିଲି ପତର ଜଳେଇ, ମଝିରେ ରହିଲା କଞ୍ଚା, ଦାନ୍ତକାଠି ଘିନିକ ମାଡ଼ ମାଇଲୁ, ପିଠିରେ ରହିଲା ସଞ୍ଚା’’....

 

କଥାର ମରମ ବୁଝି କାବେରୀ ସାଙ୍ଗେ ସାଙ୍ଗେ ଉଠିଯାଇ, ଚାବି ନେନ୍ଥାଟା ଆଣି ମହୀବୋଉଙ୍କ ପାଖରେ ରଖିଦେଲା । ଆଲୋ ଇଏ କି କଥା ? କ’ଣ ଫୁଲେଇ ହଉଚୁ ? ମହୀବୋଉ ଚାବି ନେନ୍ଥାଟା ପେଲିଦେଲେ ।

–ନାଇଁ, ଆପଣ ରଖନ୍ତୁ । କାବେରୀ ମୁହଁ ଘୋଡ଼େଇ କାନ୍ଦିବାରେ ଲାଗିଲା ।

–ଏତିକିବେଳେ ଆଣି ଦବାର ଥିଲା ? ମୁହଁ ଛାଟି ଯଦୁବୋଉ କହିଲେ । ଆଲୋ, କହୁଛି ବୋଲି ମତେ ଗାଳିଦବୁ ନାଇଁ । ତମେ ବୋହୂଯାକ ନିଜ କାମତକ ଖାଲି ବାଗରେ କରିଜାଣ-

ଯଦୁବୋଉଙ୍କ କଥା ଶୁଣି କାବେରୀ ଟିକିଏ ଶଙ୍କିଯାଇ କହିଲା–କ’ଣ କଲି ?

ଚିଡ଼ିଯାଇ ଯଦୁବୋଉ ଉତ୍ତର ଦେଲେ–କିଛି ନାଇଁ । ଆଉ କିଛି ନ କହି ଯଦୁବୋଉ ସିଧା ଯିବାକୁ ଉଠି ପଡ଼ିଲେ ।

–ଆରେ ଆରେ ଇଏ କି କଥା ? ପାନ ନେଇନା..... ଟିକିଏ ରୁହ । ଯଦୁବୋଉଙ୍କ ହାତକୁ ଧରି ପକାଇ ମହୀବୋଉ ଅଟକାଇ ଦେଲେ ।

ଯଦୁବୋଉ କିନ୍ତୁ ବସିଲେ ନାହିଁ । ସେମିତି ଠିଆ ଠିଆ ପାନ ନେଇ ଘରକୁ ଚାଲିଗଲେ-

କାବେରୀ ସେଠୁ ଆସି କ’ଣ କରିବ କିଛି ବୁଝିପାରିଲା ନାହିଁ । ଯଦୁବୋଉଙ୍କର କଥାଗୁଡ଼ାକ ଆସି ଥରକୁ ଥର କାନରେ ବାଜିଲା । କେଡ଼େ ତେଜରେ କଥାଗୁଡ଼ାକ କହିଦେଇଗଲା-। କାବେରୀର ରାଗ ହେଲା । କାହିଁକି ସେ ଅନ୍ୟମାନଙ୍କଠାରୁ ଏତେ ଟାଣ ଟାଣ କଥା ସହିବ ? ସେ କ’ଣ ଘର ଚଳାଇବା ପାଇଁ କାହା ପାଖରେ ନେହୁରା ହେଉଥିଲା ?

ମୋହନ ଅଫିସରୁ ଫେରିଲା । ପାଖକୁ ଯାଇ କାନ୍ଦ କାନ୍ଦ ହୋଇ କାବେରୀ କହିଲା– ତମ ଚାବି ମୁଁ ବୋଉଙ୍କୁ ଫେରେଇ ଦେଇଛି । ଏଣିକି ସେ ଦେଲେ ତମେ ରଖିବ । ମୋର ସେ ଚାବି ସଉକି ଦରକାର ନାହିଁ କି ବାର ଲୋକଙ୍କଠୁ ବାର କଥା ଶୁଣିବା ବି ଦରକାର ନାହିଁ ।

–କିଏ କ’ଣ କହିଲା କି ?

–ସେଇ ତମ ଯଦୁବୋଉ..... ଆହୁରି କେତେ କିଏ ସମସ୍ତଙ୍କ ନାଁ କ’ଣ ମୁଁ ମନେ ରଖି ବସିଛି ?

–ସେ ତ ସେମିତିକା ପାଗଳ ମଣିଷ, ଯାହା ମନକୁ ଆସିବ କହିଦେଇ ଯିବେ । ତମେ ବି ମୁହେଁ ମୁହେଁ ବତେଇ ଦେଲ ନାହିଁ ?

–ଆଉ କ’ଣ । କିଛି ନ ଜାଣୁନୁ ତ ଏତେ କହୁଛନ୍ତି, କିଛି କହିଲେ ଆଉ ବାକି ରଖିବେ-? କାବେରୀ ବସି ଗାଣୁ ଗାଣୁ ହେବାରେ ଲାଗିଲା । ଏହାରି ଭିତରେ ଚାରିମାସ ବିତିଗଲାଣି । କାବେରୀ ହିସାବ–ଖାତା ମେଲାଇ ଦେଖିଲା ପ୍ରକୃତରେ ତାର ଧାରଣା ଭୁଲ । ଖର୍ଚ୍ଚ ଯେତିକି କମିଛି, ତାର ଦୁଇଗୁଣ ପରିଶ୍ରମ ପଡ଼ୁଛି । ମହୀବୋଉଙ୍କର ଅନୁପସ୍ଥିତିରେ ଯେତିକି ଖର୍ଚ୍ଚ ହେଉଥିଲା ତାହା ପ୍ରକୃତରେ ସବୁମାସର ମାପକାଠି ନୁହେଁ । ଆହୁରି ମଧ୍ୟ କାବେରୀ ନିଜ ହାତକୁ ଖର୍ଚ୍ଚ ନେବାଦ୍ୱାରା ତାକୁ ଘରର ଅନ୍ୟମାନଙ୍କ ମନନେଇ ଚଳିବାକୁ ହେଉଛି । ଆଉ ମନ ନେବାକୁ ହେଲେ ଖର୍ଚ୍ଚ ରୋକି ହେବ ନାହିଁ । ଦୁଇଟାଯାକ କେବେହେଲେ ଏକାସାଙ୍ଗରେ ଚାଲିପାରିବ ନାହିଁ ।

ଦିନକୁ ଦିନ ମନର ସ୍ପୃହା କମି ଆସୁଛି । ଆହୁରି ମଧ୍ୟ ସେ ବୁଝିଲାଣି ଯେ, ଏତେ ପରିଶ୍ରମ କରି ଟଙ୍କା ସଞ୍ଚିବାରେ କୌଣସି ଲାଭ ନାହିଁ । ମହୁମାଛି ମହୁ ସଞ୍ଚିଲାପରି ଯେତେ ଯାହା ଟଙ୍କା ସବୁ ଏହି ହାଇଁ ସାର୍ତ୍ତିଆ ଘର ପଛରେ ଖର୍ଚ୍ଚ ହୋଇଯାଉଛି । ତେବେ ସେ ଖର୍ଚ୍ଚକୁ ଜଗିବ କାହାପାଇଁ ? ମୋହନର ପଇସା ଏମିତି ଅନ୍ୟ ପଛରେ ଉଡ଼ିଯିବାକୁ କାହିଁକି ବା ସେ ଛାଡ଼ିଦେବ ? ତା’ର କ’ଣ ନିଜର ଭବିଷ୍ୟତ ନାହିଁ ? ବହୁତ ଭାବି ଭାବି ଶେଷରେ ସେ ଠିକ୍ କଲା ଯେ ଅନ୍ୟ ଘର କରିବା ଛଡ଼ା, ଏ ଖର୍ଚ୍ଚକୁ ବନ୍ଦ କରିବାର ଆଉ ଅନ୍ୟ ଉପାୟ ନାହିଁ ।

ମହୀବୋଉ କାବେରୀର ପରିବର୍ତ୍ତନ ଲକ୍ଷ୍ୟ କଲେ । ଦିନକୁ ଦିନ ତାର କାମ ଶୀଥିଳ ପଡ଼ି ଆସୁଛି । ଖଟରେ ଗଡ଼ି ଗଡ଼ି ଅଧେ ସମୟ କଟୁଛି ? କିନ୍ତୁ ଆଗପରି ସେ ତାକୁ ଆଉ ଆକଟନ୍ତି ନାହିଁ । ସୁବିଧା ଦେଖି ମଝିରେ ମଝିରେ କାବେରୀ ମୋହନକୁ ଜଣାଇଦିଏ ଯେ ତାକୁ ଏ ଘର ଭଲ ଲାଗୁନାହିଁ । ଯେତେ ଯାହା କଲେ ବି ଏ ଘରେ ତାକୁ ଶାନ୍ତି ମିଳୁନାହିଁ । ଏହି ଘର ଚଳାଇବା ଯୋଗୁଁ ବାର ଲୋକେ ତାକୁ ବାରକଥା କହୁଛନ୍ତି ।

ମୋହନ ମନରେ କାବେରୀ ପ୍ରତି ସହାନୁଭୂତି ଆସେ । ମୋହନ ପାଇଁ ସେ ଏ ଘରକୁ ଆସିଛି । ତା’ ମନ ଅଶାନ୍ତି ପାଇଁ ମୋହନ ଦାୟୀ । ଆଉ ତାକୁ ଯଦି ଘରଲୋକେ ଏମିତି ହଇରାଣ କରିବେ ତେବେ ସେ କେମିତି କରି ଏ ଘରେ ରହିବ ? କାବେରୀର ଅଭିମାନ ଯେ ତା ଖବର କେହି ବୁଝୁନାହାନ୍ତି । ତେଣୁ ସେ ବା କାହିଁକି ଅନ୍ୟମାନଙ୍କ ପାଇଁ ଏତେ ଖଟିବାକୁ ଯିବ ? ଫଳରେ କାବେରୀକୁ ବୁଝେଇବାକୁ ଯାଇ ମୋହନ ଯେତେବେଳେ ଅଲଗା ଘର କରିବା କଥା ମନକୁ ଆଣେ, ସେତେବେଳେ ସାନ ସାନ ଭାଇଭଉଣୀଙ୍କ କଥା ପ୍ରଥମେ ମନରେ ଆସି ବାଟ ଓଗାଳେ । ପୀତାମ୍ୱରବାବୁଙ୍କ ବୟସ ଖସିଲାଣି । ମହୀବୋଉ ବୁଢ଼ୀ ହେଲେଣି । ସେମାନଙ୍କୁ ଏକୁଟିଆ କାହା ପାଖରେ ସେ ଛାଡ଼ି କରି ଯିବ ? କାବେରୀର କିନ୍ତୁ ସେ ଆଡ଼କୁ ଦୃଷ୍ଟି ନହିଁ । ସେ ଖାଲି ବୁଝେ ସେମାନେ ଦୁଇଜଣ ଓ ତାଙ୍କର ଟଙ୍କା ।

ଏହାରି ଭିତରେ ଗୋଟାଏ ବର୍ଷ ଗଡ଼ିଯାଇଛି । ପୀତାମ୍ୱରବାବୁଙ୍କର ସଂସାର ବାହାରକୁ ଆଗପରି ଥିଲେ ହେଁ, ଘୂଣଧରା ବାଉଁଶ ପରି ଭିତରେ ଭିତରେ ପୋଲା ହୋଇ ଆସୁଛି । ଚିନ୍ତାରେ ଦିନକୁ ଦିନ ମହୀବୋଉ ଭାଙ୍ଗି ପଡ଼ୁଛନ୍ତି । ପିଲାଗୁଡ଼ାକ ଏଯାଏ ସ୍କୁଲ ଟପିନାହାନ୍ତି । ମାୟାର ବାହାଘର ଠିକଣା ହୋଇ ପାରୁନାହିଁ । ଯେତେ ଯୁଆଡ଼ୁ ପ୍ରସ୍ତାବ ଆସିଲା, ମାୟା ସବୁ ଭାଙ୍ଗିଲା । କିଏ କହୁଛି ଝିଅଟା ରାହାବଳୀ, କିଏ କହୁଛି କାଣ୍ଡୋଇ ଆଉ କିଏ କହୁଛି ମୁହଁବଢ଼ିଆ । ମହୀବୋଉଙ୍କ କାନକୁ ସବୁକଥା ଆସେ । ସବୁ ପୁଣି ସେ ନିଜ କପାଳରେ ହାତ ମାରନ୍ତି ।

କାବେରୀ ଚାହେଁ ପୀତାମ୍ୱରବାବୁ ବଞ୍ଚି ଥାଉଁ ଥାଉଁ କେମିତି ମାୟାର ବାହାଘର ହୋଇଯାଉ । ସେଥିପାଇଁ ସେ ମୋହନକୁ ବାରମ୍ୱାର ମନେ ପକାଇ ଦିଏ ଯେ ଦିନକୁ ଦିନ ପୀତାମ୍ୱରବାବୁଙ୍କର ବୟସ ଖସୁଛି । ମୁଣ୍ଡ ଉପରେ ଚାରି ଚାରିଟା ପିଲାଙ୍କ ଭାର । ଆଗରୁ ଗୋଟି ଗୋଟି କରି ନ ଖସାଇଲେ ପଛରେ ହଇରାଣ ହେବା କଥା । ମୋହନ ସବୁ ବୁଝେ । କିନ୍ତୁ ତା’ ହାତରେ କ’ଣ ଅଛି ?

ଦିନେ ସଞ୍ଜବେଳିଆ ମହୀବୋଉ ପୀତାମ୍ୱରବାବୁଙ୍କ ପାଖରେ ବସି କଥା ହେଉଛନ୍ତି, ଏତିକିବେଳେ ମୋହନ ସେମାନଙ୍କ ଆଗରେ ମାୟା ପାଇଁ ଆସିଥିବା ଗୋଟିଏ ବାହାଘର ପ୍ରସ୍ତାବ କଥା ଉଠାଇଲା । ପାତ୍ରଟି ଓକିଲାତି କରୁଛି, ଭଲ ଛାତ୍ର । ଗାଁରେ ତାଙ୍କର ଜମିବାଡ଼ି ମଧ୍ୟ ଅଛି ।

ପାତ୍ର ‘ଓକିଲ’ ଶୁଣିବାମାତ୍ରେ ମହୀବୋଉଙ୍କ ମୁହଁ ଶୁଖିଗଲା । ପ୍ରଥମରୁ ଯଦି କିଏ ଏ ପ୍ରସ୍ତାବ ଆଣିଥାନ୍ତା, ମହୀବୋଉ ତାକୁ ସାଙ୍ଗେ ସାଙ୍ଗେ ମନା କରି ଦେଇଥାନ୍ତେ । କିନ୍ତୁ ବର୍ତ୍ତମାନ ଆଉ ସେ ଅବସ୍ଥା ନାହିଁ..... ଯେତେସବୁ ବଡ଼ ଘରୁ ପ୍ରସଙ୍ଗ ଆସିଲା, ଗୋଟି ଗୋଟି କରି ମାୟା ସବୁ ଭାଙ୍ଗିଛି । ଏହିକ୍ଷଣି ସେ ନିଜେ ଭୋଗିବ ନାହିଁ ତ ଆଉ କିଏ ଭୋଗିବ ? ମହୀବୋଉ ଗୁମ୍‌ମାରି ବସି ରହିଲେ ।

ନିସ୍ପୃହ ଗଳାରେ ପୀତାମ୍ୱରବାବୁ ପଚାରିଲେ–ଓକିଲ ! ଆଜିକାଲି ଓକିଲମାନଙ୍କର ଆଉ ଆଦର ଅଛି ?

ସାମାନ୍ୟ ଅଧୈର୍ଯ୍ୟ ହେଲାପରି ମୋହନ କହିଲା–ଓକିଲ ହେଲେ କ’ଣ ଖରାପ ହେଲା-? ସେମାନଙ୍କ ଭିତରେ ତ ପୁଣି ଭଲ ରୋଜଗାର କରିବାବାଲା କେତେ ବାହାରୁଛନ୍ତି । ଆଉ ସେ ଯେ ସବୁଦିନେ ଓକିଲ ହୋଇ ରହିଥିବ, ତାର କିଛି ଧରାବନ୍ଧା ଅଛି ?

ମହୀବୋଉ ଆଉ ଚୁପ୍‌ ହୋଇ ରହିପାରିଲେ ନାହିଁ, କହିଲେ–ଓକିଲ ହେଇଛି ଯେତେବେଳେ, ଆଉ କୁଆଡ଼େ ଯିବ ?

ବୁଝେଇଲା ପରି ମୋହନ କହିଲା–ଏଇ ଦେଖୁନୁ, ଆଜିକାଲି ହଜାର ରକମର ଚାକିରି ବାହାରୁଛି । ଭଲ ଛାତ୍ର ପୁଣି ବୟସ କମ୍‌, ତା ଭାଗ୍ୟରେ ଥିଲେ ସେ ଉଠିଯିବ ନାହିଁ ? ବାପା ଆପଣ କିଛି କହୁ ନାହାନ୍ତି ଯେ ? ମୋହନ ପୀତାମ୍ବରବାବୁଙ୍କ ମୁହଁକୁ ଚାହିଁଲା ।

 

–ମୁଁ ଆଉ କ’ଣ କହିବି ? ତମେମାନେ ଯାହା ଭଲ ଭାବୁଛ, କର, କିନ୍ତୁ ମୁଁ ଭାବୁଛି ପ୍ରସ୍ତାବ ଠିକଣା କରିବା ପୂର୍ବରୁ ମାୟାର ରାଜି ଅଛି କି ନାହିଁ ଜାଣିବା ଦରକାର–ସିଗାରେଟ୍‌ରେ ନିଆଁ ଧରାଉ ଧରାଉ ପୀତାମ୍ୱରବାବୁ କହିଲେ ।

–ତା’ ନିଜ ବାହାଘର କଥା ଯେତେବେଳେ, ତାକୁ ତ ନିଶ୍ଚୟ ପଚରା ଯିବ..... କିନ୍ତୁ ଆପଣ ତାକୁ ଟିକିଏ ନ ବୁଝେଇଲେ ସେ କ’ଣ ରାଜି ହେବ ? ଆପଣଙ୍କ ଛଡ଼ା ସେ ତ ଆଉ କାହାରି କଥା ଶୁଣିବ ନାହିଁ ।

‘‘ଭାଇ ! ଭାଇ !! ତମକୁ ଜଣେ ଲୋକ ଡାକୁଛନ୍ତି ଏଡ଼୍‌ଡ଼େ ଏଡ଼୍‌ଡ଼େ ନିଶ ଅଛି’’ କହିକହିକା ଧଇଁସଇଁ ହେଇ ପହଲି ପହଞ୍ଚିଲା ।

ମୋହନ ଉଠିଗଲା । ମହୀବୋଉ ପୀତାମ୍ୱରବାବୁଙ୍କ ମୁହଁକୁ ଚାହିଁଲେ–ଯିଏ ଯାହା ହାଣ୍ଡିରେ ଚାଉଳ ପକେଇଥିବ, ସେଇଠିକି ଯିବ । ମିଛଟାରେ ଆମେ ଖାଲି ବାଡ଼େଇ କଚାଡ଼ି ହଉଚୁ-

–ଯାହା କହିଲ ! ମଣିଷ ହାତରେ କିଛି ନାହିଁ..... ଆମେ ସିନା ଜନ୍ମ ଦେଇଛେଁ, ସେମାନେ ତାଙ୍କର ଭାଗ୍ୟ ନେଇ ଆସିଛନ୍ତି । ଗୋଟାଏ ଗହୀରିଆ ‘ହଁ’ ମାରି ମହୀବୋଉ ଚୁପ୍‌ଚାପ୍‌ ବସି ରହିଲେ ।

ଦୁଇ ଦଳ ମଧ୍ୟରେ ପ୍ରସ୍ତାବ ଆଗେଇଲା । ଦେବା ନେବାର କଥା ଛିଡ଼ିଯିବା ପରେ ବୋହୂ ଦେଖା ପାଇଁ ଗୋଟିଏ ଦିନ ଠିକଣା ହେଲା ।

ମାୟାକୁ ଦେଖିବାକୁ ଲୋକ ଆସିବେ । ସକାଳୁ ମହୀବୋଉ ଥରକୁ ଥର ବିକଳ ହୋଇ ମାୟା ମୁହଁକୁ ଚାହିଁଛନ୍ତି..... ଟୋକୀଟା ଜମା କଥା ଶୁଣୁନାହିଁ..... ଆଜି କ’ଣ କରିବ କିଏ ଜାଣେ ? ତାକୁ ଭଲ ଲୁଗା ଖଣ୍ଡେ ପନ୍ଧିବାକୁ କହିଲେ– ଦୋଷ । ଯାହା ବା ପିନ୍ଧିଥିବ ପାଲଟି ପକାଇ ଆହୁରି ଖରାପ ପିନ୍ଧିବ । କ’ଣ କରିବେ କିଛି ବୁଝି ନପାରି ମହୀବୋଉ ବଡ଼ ଅଡ଼ୁଆରେ ପଡ଼ିଲେ ।

ଦିନ ଏଗାରଟା ବେଳ । ମୁଣ୍ଡବାଳକୁ ଟାଙ୍କିଟୁଙ୍କି, ମନ୍ଥରା ପରି ଗୋଟାଏ ଗଣ୍ଠି ପକାଇ, ଅଣ୍ଟାରେ ଲୁଗାକୁ ଭିଡ଼ିଦେଇ ମାୟା ପହଲିର ହାତ ଧରି ଟାଣି ଟାଣି ପୀତାମ୍ୱରବାବୁଙ୍କ ପାଖକୁ ନେଉଥିଲା । ତାର ଗୋଟିଏ ନୂଆ ବହିର ପୃଷ୍ଠାରେ ପହଲି ନିଜର ନାଁ ଲେଖି ଦେଇଛି । ଏତିକିବେଳେ ସେ ଦେଖିଲା ଧୋତି ପିନ୍ଧି ଗୋରା ଡେଙ୍ଗା ହୋଇ ପଚାଶ ପଞ୍ଚାବନ ବର୍ଷର ସ୍ତ୍ରୀଲୋକଟିଏ ଭିତରକୁ ଆସୁଛି । ଦେହରେ ଖଣ୍ଡେ ମଠା ଚାଦର । କପାଳରେ ତିଳକ କଟା । ମାୟା ଜାଣେ ସେ କିଏ । ତଥାପି ନ ଚିହ୍ନିଲା ପରି ଚାଲି ଯାଉ ଯାଉ ତାଙ୍କ ଆଡ଼କୁ ଚାହିଁ ସାମାନ୍ୟ ହସିଲା ।

ମୁରୁକି ହସି, ସନ୍ଦିଗ୍ଧ ଆଖିରେ ମାୟାକୁ ଚାହିଁ ସ୍ତ୍ରୀଲୋକଟି ମନେ ମନେ ଭାବିଲେ–ଏଇ ହବ ପରା । ପୁଣି ମନରେ ସନ୍ଦେହ ଆସିଲା । ଆଗରୁ ଶୁଣିଥିଲେ ପାତ୍ରୀ ବାପର ଗୋଟିଏ ବୋଲି ଝିଅ ଆଉ ଖୁବ୍‌ ଗୋରା । ପୁଣି ମନରେ କଲେ ସେ ନିଶ୍ଚେ ଆଜି ଭଲ ଗହଣାଗାଣ୍ଠି ଳୁଗାପଟା ପିନ୍ଧି ତାଙ୍କୁ ଅପେକ୍ଷା କରିଥିବ । ଆଉ ଏ ଝୁଅଟା ବୋଧହୁଏ ତାଙ୍କ କୁଟୁମ୍ବର କିଏ ହେବ କି କ’ଣ..... ସବୁ ଜାଣିଛି..... ନଇଲେ ଏମିତି ଚିହ୍ନିଲା ପରି ହସନ୍ତା କାହିଁକି ?

ଚାରି ଛଅ ଖୋଜ ବାଟ ଯାଇ ମାୟା ଫେରି ଚହିଁଲା–ସ୍ତ୍ରୀ ଲୋକଟି ସେଇଠି ଠିଆ ହୋଇ ତା’ରି ଆଡ଼େ ଚାହିଁଛନ୍ତି ।

କାବେରୀଠାରୁ ଖବର ପାଇ ମହୀବୋଉ ପାଛୋଟି ନେବାକୁ ଆସିଲେ–ନମସ୍କାର ।

ପ୍ରତି ନମସ୍କାର ଜଣାଇ ଆଗନ୍ତୁକା ତାଙ୍କ ସାଙ୍ଗରେ ଭିତରକୁ ଗଲେ ।

 

ଅଧଘଣ୍ଟାଏ ବିତିଗଲାଣି–ମାୟାର ଜମା ଦେଖା ନାହିଁ । ପାଖ ପଡ଼ିଶାଙ୍କ ଘରେ ଦେଖି ଆସିବା ପାଇଁ ଭିକାକୁ ପଠାଇ ଦେଇ ମହୀବୋଉ ଖାଲି ଏଠି ସେଠି ହେଉଥାଆନ୍ତି । ମହୀବୋଉଙ୍କ କଥାଭାଷାରୁ ସ୍ତ୍ରୀଲୋକଟି ବୁଝିଲେ ପହିଲେ ଯାହାକୁ ସେ ଦେଖିଥିଲେ ସେହି ହେଉଛି ପାତ୍ରୀ । ଯେତେସବୁ ପ୍ରସ୍ତାବ ଆସୁଛି ନାନା ପ୍ରକାର ଫିକର କାଢ଼ି ସେ ଭାଙ୍ଗିଦେଉଛି ।

 

ଅଧଘଣ୍ଟାଏ ପରେ ମାୟା ଫେରି ଦେଖିଲା ଘରଯାକ ସମସ୍ତେ ତା ଉପରେ ଖପ୍‌ପା ହୋଇ ବସିଛନ୍ତି । ମହୀବୋଉଙ୍କ ଡାକରେ ସେ ଆସି ପାଖରେ ବସିଲା

 

–ଓଠରୁ ତାର ହସଗୁଡ଼ାକ ଯେମିତି ଗଳି ପଡ଼ୁଥାଏ । ଟିକିଏ ବେଳ ଭଲକରି ଚାହିଁବା ପରେ ଆଗନ୍ତୁକା ପଚାରିଲେ,

 

–ତମରି ନାଁ ମାୟା ?

 

–କାହିଁକି, ବିଶ୍ୱାସ ହେଉ ନାହିଁ ? ହେଇଟି ଦେଖନ୍ତୁ । ନିଜର ନାଁ ଲେଖା ହୋଇଥିବା ମୁଦିଟି ଆଙ୍ଗୁଠିରୁ କାଢ଼ି ଆଣି ମାୟା ତାଙ୍କର ଆଖି ଆଗରେ ଧରିଲା ।

 

ମହୀବୋଉ ଜିଭ କାମୁଡ଼ିଲେ । ଆଗନ୍ତୁକା ମହୀବୋଉଙ୍କୁ ଚାହିଁ ପ୍ରଶ୍ନ କଲେ–କ’ଣ ସବୁ କାମଦାମ ଶିଖେଇଛନ୍ତି ?

 

ମହୀବୋଉ କିଛି କହିବା ପୂର୍ବରୁ ମାୟା ବାହାରିପଡ଼ି ନିଜର ବଢ଼ାଇଥିବା ନଖ ଦେଖାଇ କହିଲା–ମାଉସୀ, କାମ କଲେ ଏ ନଖ ଘୋରି ହୋଇଯିବ ନାହିଁ ? ମୁଁ ଖାଲି ବୁଲି ଜାଣେ.....

 

–ମାୟା !! ମହୀବୋଉ ଆଖି ଦେଖାଇ ଆକଟିଲେ ।

–ହଉ ତେବେ ମୁଁ ଯାଉଛି, ତୁ ସେ ଆଖି ଦେଖା ବନ୍ଦ କର । ମାୟା ଉଠି ଚାଲିଗଲା ।

 

ମହୀବୋଉ ଆଶା ଛାଡ଼ିଦେଇ ବସିଲେ–ସତରେ କ’ଣ ଆଉ ହବ ! ଏମିତି କଥା ଶୁଣିଲେ ଯିଏ ହେଲେ ବି ବାହାଘର ଭାଙ୍ଗି ଦିଅନ୍ତା । କିନ୍ତୁ ଫଳ ହେଲା ଓଲଟା । ପ୍ରଥମରୁ ମାୟାକୁ ଦେଖି ଭଦ୍ରମହିଳାଙ୍କୁ କାହିଁକି କେଜାଣି ଭାରି ଭଲ ଲାଗିଥିଲା । ବେଶଭୂଷାରୁ ମଣିଷର ଚାଲିଚଳନ ଜଣାପଡ଼ିଯାଏ । ତେଣୁ ବାହାଘର ଭାଙ୍ଗିବା ପାଇଁ ମାୟାର ଯେଉଁ ବେଶଭୂଷା, ସେତକ ତାଙ୍କ ଆଖିକି ଅସୁନ୍ଦର ଦିଶିଲା ନାହିଁ । ସେ ଜାଣନ୍ତି ଗରଜିଲା ମେଘ ବରଷେ ନାହିଁ ।

 

ପ୍ରକୃତରେ ସେ କିଛି ଭୁଲ ଭାବି ନାହାନ୍ତି । ଜଣେ ଜଣେ ମଣିଷଙ୍କୁ ପ୍ରଥମରୁ ଦେଖିଲେ ହଠାତ୍‌ ଭଲ ଲାଗେ । ଆଉ ଜଣ ଜଣଙ୍କୁ ପ୍ରଥମେ ଖରାପ ଲାଗେ । ଅଧିକାଂଶ ସ୍ଥଳରେ ଦେଖାଯାଏ ପ୍ରଥମଥର ଧାରଣା ହିଁ ଠିକ୍‌ ।

 

ବିଦା ହେଲାବେଳେ ମହୀବୋଉଙ୍କୁ ସେ କହିଗଲେ–ସବୁ ଭଲ ଯେ ହେଲେ ଟିକିଏ ମୁହଁଖୋର..... ହଅ, ମୋର ବି ସେମିତି ଗୋଟିଏ ବୋହୂ ଦରକାର..... ଘରକୁ ଏକାଟିଆ ମଣିଷ, ମୁହଁ ନଥିଲେ ସମସ୍ତେ ଭୁତେଇ ଭାତେଇ ଖାଇଯିବେ ।

 

ମହୀବୋଉଙ୍କ ମୁହଁରେ ପ୍ରଥମେ ଟିକିଏ ହସ ଖେଳିଗଲା, କିନ୍ତୁ ଠିକ୍‌ ତାର ପରମୁହୂର୍ତ୍ତରେ ଭିତରର କୋହ ସେ ହସକୁ ଲୁଚେଇ ଦେଲା । ଏଇ ତାଙ୍କର ଗୋଟିଏ ବୋଲି ଝିଅ-। ବଡ଼ଘରେ ବନ୍ଧୁ ବାନ୍ଧିବାକୁ ସେ କାଜେଣି କେତେ କଳ୍ପନା କରିଥିଲେ । ସେ ସବୁ କୁଆଡ଼େ ଯାଇ ଶେଷରେ ଆସି ଏଇଠି ପହଞ୍ଚିଲେ । ଏହି ଝିଅକୁ ପାରି କରିଦେବାକୁ ସେ କେଜାଣି କେତେ ଧନ୍ଦି ହେଇଛନ୍ତି..... ଆଉ ଆଜି ପାରି କରିବାକୁ ଯାଇ ତାଙ୍କ ଆଖିରେ ଲୁହ ଆସୁଛି ।

 

ବାହାଘର ଦିନ ପାଖେଇ ଆସିଲା । ମାୟା ବାହାହେଇ ଯାଉନାହିଁ ଯେ ପୀତାମ୍ୱରବାବୁଙ୍କ ଘର ଉପରେ ଯେମିତି ଚଇତାଳି ଝଡ଼ ବହିଯାଉଛି ! ଆଗ ବର୍ଷର ଛପର ଆସ୍ଥାନ ଧରିଥିଲା । ସେ ଆଜି ଏଠୁ ସେଠୁ ଉଡ଼ିଗଲାଣି । ଘର ଭିତରକୁ ଖରା ପଶି ଆସିବ । ବାହାଘରର ଉତ୍ସବ ଭିତରେ ମାୟା ଚାଲିଯିବ ।

 

–ଇଏ କି ଅଭିଆଣ କଥା ଲୋ ମା । ବାହାଝୁଅ ଆଖିରେ ଟୋପାଏ ପାଣି ନାହିଁ !! ହଅ, କାହିଁକି ଲୁହ ଗଡ଼େଇବେ ? ବାହା ହବାକୁ ତ ଗୋଡ଼ ଟେକି ବସିଥିଲେ..... । ଝିଅ ଦେଖିସାରି ଫେରିଯାଉଥିବା ସ୍ତ୍ରୀଲୋକମାନଙ୍କ ଭିତରୁ ଜଣେ ମୁହଁମୋଡ଼ି କହିଲା ।

 

ମାୟାର ବାହାଘର ସରିଯାଇଛି । ଆଉ ଅଳ୍ପ କେଇଘଣ୍ଟା ପରେ ସେ ବିଦା ହୋଇଯିବ । ମହୀବୋଉଙ୍କ ଆଖିରୁ ଧାରାଶ୍ରାବଣ ଛୁଟିଛି ।

 

ଘର ଭିତରେ ଲୋକଗହଳି–ଗୋଡ଼ ବୁଲେଇବାକୁ ଜାଗା ନାହିଁ । ତା’ରି ଭିତରେ ଥରକୁ ଥର ମାୟାକୁ ଭିଡ଼ିଧରି, କାବେରୀ ଅସରାଏ କରି ଲୁହ ଢାଳି ଦେଇ ଯାଉଛି । ଜଣକର ନିଖୁଣ ମୁହଁର ସଜଳ ଆଖି ପାଖରେ ଅନ୍ୟଟିର ହଳଦୀ ଗରଗର ମୁହଁର ହିଂସ୍ର ଚାହାଣି । ଦେଖଣାହାରୀଙ୍କ ମୁହଁରେ ପ୍ରଂଶସା–ଆହା, ଏମିତି ଭାଉଜଟିଏ ମିଳିବ ନାହିଁ.... କେଡ଼େ ଅଲିଅଳରେ ନଣନ୍ଦଟିକୁ ବଢ଼େଇଥିଲେ... ଦେଖୁନୁ, ଝୁଅଟା ବିଦା ହେଇ ଯାଉଚି ଯେ ତା ଆଖିରେ ଟୋପାଏ ପାଣି ନାହିଁ, ଏଣେ ଇଏ ଲୁହରେ ଭାସି ଯାଉଚି !

 

ନିରୋଳାରେ କିଛି କହିବା ପାଇଁ ମହୀବୋଉ ମାୟାର ହାତ ଧରି ଅନ୍ୟ ଘରକୁ ନେଇଗଲେ । ତାକୁ ଖଟ ଉପରେ ବସେଇ ଦେଇ, ପାଖରେ ବସି ଟିକିଏ ଇତସ୍ତତଃ ହୋଇ ମହୀବୋଉ ଆରମ୍ଭ କଲେ–‘‘ବର୍ଷେ ଛ’ମାସ ବୋହୂପଣିଆ କରିବୁ ମା... ସବୁଦିନେ କରିବାକୁ ତତେ କେହି କହୁନାହାନ୍ତି... ଶାଶୁ ଶ୍ୱଶୁରଙ୍କ ପାଦସେବା କରିବୁ, ବନ୍ଧୁବାନ୍ଧବଙ୍କୁ ନିଜର କରି ଦେଖିବୁ, ସାନମାନଙ୍କୁ ଆଦର କରିବୁ... ସେଇ ତ ହେଲା ତୋ ଘର..... ମୋ ମୁଣ୍ଡ ଛୁଇଁ କହ, କରିବୁ ତ ? ତୁ ଚାଲିଗଲେ ତୋ’ରି କଥା ଭାବି ଭାବି ମୁଁ ମନରେ ଶାନ୍ତି ପାଇବି ନାହିଁ..... ।’’ ମଝିରେ ମଝିରେ କଥା ବନ୍ଦ ରଖି, ପଣତ କାନିରେ ଆଖି ପୋଛି ମହୀବୋଉ ଅତି ନିଃସହାୟ ଭାବରେ ଚାହୁଁଥାନ୍ତି ଝିଅର ମୁହଁକୁ–ତା’ଠୁ ପଦେ ନିର୍ଭର ଜବାବ ଶୁଣିବାକୁ, ଯେମିତିକି ଝିଅ ତୁଣ୍ଡର ପଦେ କଥା ଉପରେ ତାଙ୍କର ବଳକା ଜୀବନର ସୁଖଶାନ୍ତି ଝୁଲୁଚି !

 

ଖଟ ଉପରେ ସାମନାସାମନି ଦୁଇଟି ନାରୀ ବସିଥିଲେ–ମା ଆଉ ଝିଅ । ହାତରେ ହାତ ଛୁଇଁଛି, ଆଖିରେ ଆଖି ମିଶିଛି, ମନକୁ ମନ ଛୁଇଁଛି..... ତଥାପି ଦିହିଙ୍କ ଭିତରେ ଥିଲା ଅସୀମର ବ୍ୟବଧାନ । ଜଣକ ଆଖିରେ ନିଃସହାୟ ଭାବ, ଅନ୍ୟର ଆଖିରେ ବିଦ୍ରୋହ ।

 

ମାୟା ଚାହିଁ ଚାହିଁ ମହୀବୋଉଙ୍କୁ ଦେଖିଲା–ଏଇ ତା’ର ମା, ତା’ର ଚିରଦିନର ଅତି ଆଦରର ‘ବୋଉ’... କେତେ ଦୁଃଖକଷ୍ଟ ସହିଛି, କେତେ ଅଳିଝଳି ସହିଛି କିନ୍ତୁ ତା’ର ହେତୁ ହେଲା ଦିନୁ ସେ କେବେହେଲେ ବୋଉକୁ ଆଜିପରି ଏଡ଼େ ଅସହାୟ, ଦୁର୍ବଳ, ହୋଇ ପଡ଼ିବାର ତ ଦେଖି ନାହିଁ ? ତାତିଲା ଘିଅରେ ହାତ ବୁଡ଼ିଗଲେ କି ପନିକିରେ ହାତ କଟିଗଲେ ଯେ ହସି ହସି ‘କିଛି ହୋଇନାହିଁ’, କହି ସେହି ହାତରେ କାମ କରିଯାଏ, ସେଇ ମା ଆଜି ତା’ରି ସାମନାରେ ବସି ଆଖିରୁ ଲୁହ ଢାଳୁଛି । ବୋଉର ଏ ଦୁଃଖ ଯେ, ନିଜ ପାଇଁ ନୁହେଁ, ତାହା ମାୟା ଜାଣେ । ନିଜପାଇଁ ହୋଇଥିଲେ ମୁହୂର୍ତ୍ତେ ଡେରି ନକରି, ନିଜର ଗହଣାଗାଣ୍ଠି ଖୋଲି ପକାଇ ସେ କହିଥାନ୍ତା–‘‘ଏଇ ଦେଖ୍, ବୋଉ, ମୁଁ ତୋର ସେଇ ଆଗର ଅଲିଆଡ଼ି ଝିଅ ମାୟା–ତୋ’ରି ପାଖରେ ଅଛି’’ କିନ୍ତୁ ତାଙ୍କର ଦୁଃଖ ଯେ ତା’ରି ପାଇଁ..... ଶାଶୁଘରେ ତା’ରି ବ୍ୟବହାର ଉପରେ ନିର୍ଭର କରୁଛି ବାପଘରର ନିନ୍ଦା ଓ ପ୍ରସଂଶା । ହଠାତ୍‌ ମାୟାର ମନେ ହେଲା ମହୀବୋଉଙ୍କୁ ଆଜିଯାଏ ସେ କିଛି ଦେଇପାରି ନାହିଁ । ତା’ ପାଇଁ ଜୀବନସାରା ଯେଉଁ ମା ଏତେ କରିଆସିଛି, ଆଜି ବିଦାୟ ନେବା ଆଗରୁ ସେହି ମା’ର ମନରେ ଅଧିକ ଆଘାତ ଦେବାକୁ ତାକୁ କେମିତି ବାଧିଲା । ମନରେ ତାର ଦ୍ୱନ୍ଦ୍ୱ–କ’ଣ ସେ କରିବ ? ଦାନ୍ତ ମଝିରେ ତଳ ଓଠ କାମୁଡ଼ି ମାୟା ଟିକିଏ ବେଳ ଭାବିଲା–ମୁହଁରେ ତା’ର କଳା ବଉଦର ଛାଇ, ଶୁଖିଲା ଆଖିରେ ବିଜୁଳିର ଝଲକ ।

 

–ଆଚ୍ଛା, କଥା ଦେଲି କରିବି ।

ଜବାବ ଶୁଣି ମହୀବୋଉ ପାତଳ ଓଠରେ ହସର ଆଲୁଅ ଖେଳିଗଲା ।

 

–ଆଉ କ’ଣ ଚାହୁଁ ? ଗର୍ଜି ଉଠି ମାୟା ମହୀବୋଉଙ୍କ ମୁହଁକୁ ଚାହିଁଲା । ଜୋତା ପାଲିସ କରିବି, ଅଇଁଠା ଖାଇବି..... ଚାହୁଁ ଚାହୁଁ ହଠାତ୍‌ ମେଘ ଫାଟି ଅଜାଡ଼ି ହୋଇପଡ଼ିଲା ।

 

ଲୁହ ଦେଖି ଉପର ମୁହଁରେ ଦୁଃଖ କଲେ ବି ମହୀବୋଉ ମନ ଭିତରେ ସାନ୍ତ୍ୱନା ପାଇଲେ । ମନରେ ତାଙ୍କର ସନ୍ଦେହ–ମାୟା କଣ ସତରେ ତା’ର କଥା ରଖିବ । ତା’ ଆଖିରୁ ଲୁହ ପୋଛି ଦେଉ ଦେଉ ମହୀବୋଉ ନାନା ପ୍ରକାର ସାନ୍ତ୍ୱନା ଦେବାରେ ଲାଗିଲେ ।

 

ଦୁଆର ମୁହଁରେ କାବେରୀ ମୁହଁ ଦିଶିଲା । ଆଖି ପୋଛି ମହୀବୋଉ ଉଠିଗଲେ । ଭିତରକୁ ଆସି କାବେରୀ ପାଖରେ ବସିଲା । ଏଇ ମାୟା–ଖରା ତାତି ପରି ତାକୁ କେବଳ ଜାଳିପୋଡ଼ି ଆସିଛି, କିନ୍ତୁ ଆଜି ବିଦାୟ ବେଳେ ଲିଭିଲା ସୂର୍ଯ୍ୟପରି ସେ କୋମଳ ଓ କମନୀୟ । କାବେରୀର ଇଚ୍ଛା ହେଲା କହିବାକୁ–‘‘ମତେ କ୍ଷମା କର ମାୟା.... ତମକୁ ମୁଁ ଭୁଲ ବୁଝିଥିଲି ।’’

 

ବାହାରେ ଗାଡ଼ିକୁ ଜିନିଷପତ୍ର ବୁହା ଚାଲିଛି । ଏକାଟିଆ ଗୋଟିଏ ଘରେ ମୁଣ୍ଡରେ ହାତ ରଖି ପୀତାମ୍ୱରବାବୁ ତଳକୁ ଚାହିଁ ବସିଛନ୍ତି । ଏତିକିବେଳେ ମାୟା ଆସି ଦୁଲ୍ କରି ତାଙ୍କ ଗୋଡ଼ ଉପରେ ପଡ଼ିଲା–ଦେହସାରା ତା’ର ଥର ଥର ହୋଇ ଥରୁଚି । ହାତ ଧରି ଉଠେଇ ଆଣି, ପାଖରେ ବସାଇ, ପୀତାମ୍ୱରବାବୁ ତାର ମୁଣ୍ଡ ଆଉଁସି ଦେବାରେ ଲାଗିଲେ । କ’ଣ କହିବାକୁ ଯେମିତି ତାଙ୍କ ଓଠଟା ଥରି ଉଠୁଥାଏ, ଆଖି ଝାପ୍‌ସା ହୋଇ ଆସୁଥାଏ । ବହୁତ କଷ୍ଟରେ ନିଜକୁ ସମ୍ଭାଳି ନେଇ, ଗଳା ଝାଡ଼ି ପୀତାମ୍ୱରବାବୁ ଆରମ୍ଭ କଲେ–‘ମା...’ ଆଖିକୁ ପାଣି ଆସିଯାଇ ତଣ୍ଟିର କଥାକୁ ଅଧବାଟରେ ରୋକି ଦେଲା । ଟିକିଏ ବେଳ ଅପେକ୍ଷା କରି ପୀତାମ୍ୱରବାବୁ ପୁଣି କହିଲେ–ତୁ ମୋ’ରି ଝିଅ, ଏକଥା ଯେମିତି ଭୁଲିବୁ ନାହିଁ । ତୁ ସୁଖରେ ଅଛୁ ଜାଣିଲେ ମୁଁ ମନରେ ଶାନ୍ତି ପାଇବି-

 

କିଛି ନ କହି ମାୟା କେବଳ ଫୁଲି ଫୁଲି କାନ୍ଦିବାରେ ଲାଗିଲା । ତାକୁ ଶୀଘ୍ର ଅନ୍ୟମାନଙ୍କ ଜିମା କରିଦେଇ ପୀତାମ୍ୱରବାବୁ ଆଖି ଲୁହ ଲୁଚେଇବାକୁ ବାହାରି ପଳାଇଗଲେ ।

 

ଶାଶୁଘରେ ଅଳ୍ପ କେଇ ଘଣ୍ଟାର ପରିଚୟ । କାହାରି କାହାରି ସାଥିରେ ପଦେ ଅଧେ କଥାଭାଷା । ମୁହଁର ଭାବଭଙ୍ଗୀରୁ ମାୟା ମୋଟାମୋଟି ଭାବରେ ଠଉରେଇ ନେଲା କିଏ କି ଧରଣର ମଣିଷ ।

 

ଗୋଟିଏ ବଖରା ଭିତରେ ଛୁଆପିଲା, ମା ହୋଇ ଗଦାଏ ମଣିଷ ଶୋଇବାକୁ ଆସିଲେ-। ତା’ରି ଭିତରେ ଟିକିଏ କର–ଆଡ଼ିଆ ଦେଖି ମାୟା ପାଇଁ ଶୋଇବାକୁ ଜାଗା କରିଦେଇ ମାୟାର ଶାଶୁ ଚାଲିଗଲେ । ମାୟା ହାତଘଡ଼ି ଦେଖିଲା–ଆଉ ଟିକିଏ ବେଳରେ ଦୁଇଟା ବାଜିବ । ହଠାତ୍‌ ସେହି ଘଡ଼ିର କାଚ ଉପରେ ଯେମିତି ପୀତାମ୍ୱରବାବୁଙ୍କ ଘରଟା ଭାସି ଉଠିଲା...। ବିଛଣାରେ ଶୋଇ ପିତାମ୍ୱରବାବୁ ନିଦରେ ଘୁଙ୍ଗୁଡ଼ି ମାରୁଛନ୍ତି..... ମହୀବୋଉ ଅଧା ନିଦରୁ ଉଠି, ହାତରେ ଖଣ୍ଡେ ପାନ ଧରି ତାରି ଶାଶୁଘରକୁ ଚାହିଁ ରହିଛନ୍ତି... ସ୍ୱପ୍ନରେ ପହଲି କାନ୍ଦୁଛି–ଆରେ ମୋ ପିଜୁଳି ଦେ । ମାୟା ଆଖି ବୁଜିବାକୁ ଚେଷ୍ଟା କଲା ।

 

ରାତି ଚାରିଟା । ଜଣେ କିଏ ମାୟାକୁ ହଲେଇ ଦେଲେ–ବୋହୂ, ଏ ବୋହୂ.... ରାତି ପାହିଯିବ, ଗୋଧୋଇ ଆସିବ ଯାଅ ।

 

ମାୟା ଆଖିମେଲି ଚାହିଁଲା । ହାତରେ ମିଞ୍ଜି ମିଞ୍ଜି ବତୀଟାଏ ଧରି ଦରବୁଢ଼ୀ ସ୍ତ୍ରୀଲୋକ ଜଣେ ତାରି ପାଖରେ ଠିଆହୋଇ ଡାକୁଛନ୍ତି । ପ୍ରଥମେ ତା’ର ମନେପଡ଼ିଲା ନିଜ ବିଛଣା କଥା, ମଶାରି ନାହିଁ–ଏମିତି କ’ଣ ? ଆଖି ମଳି ମଳି ପୁଣିଥରେ ଚାରିଆଡ଼କୁ ଚାହିଁଲା.... ଏ ଘରଦ୍ୱାର, ଏ ଲୋକମାନଙ୍କୁ ସେ ଚିହ୍ନେ ନାହିଁ, ସବୁ ତାକୁ ନୂଆ ଦିଶିଲା.. ତେବେ କେଉଁଠି ଆସି ସେ ଶୋଇପଡ଼ିଛି ? ବିଛଣାକୁ ଯିବାପାଇଁ ତରବର ହୋଇ ମାୟା ଉଠି ବସିଲା.....ଚାଉଁ କରି ମନେ ପଡ଼ିଗଲା ତା’ର ବାହାଘର କଥା । ରାତିରେ ଖଡ଼ ଖଡ଼ ଶବ୍ଦ ଶୁଣି ନିଦ ଭାଙ୍ଗିଗଲେ ଚୋର ଆସିଛି ବୋଲି ଭାବି ମନ ଯେମିତି ନିସ୍ତେଜ ହୋଇଯାଏ, ବାହାଘର କଥା ମନକୁ ଆସିବା ମାତ୍ରେ ମାୟାର ଦେହଟା ସେମିତି ଅବଶ ହୋଇଆସିଲା ।

 

–ଏ ବୋହୂ, ଗୋଧୋଇ ଯାଅ.... ଲୋକବାକ ଉଠିପଡ଼ିବେ ।

–ଯାଉଛି ।

 

ମାୟାକୁ ଆଣି ଅଗଣାରେ ଛାଡ଼ିଦେଇ ସ୍ତ୍ରୀଲୋକଟି ବତୀ ନେଇ ଘରକୁ ପଶିଲେ ଢାଳ ଆଣିବାକୁ ।

 

ଆକାଶରେ ମେଘ ଢାଙ୍କିଛି । ବାହାରେ ଅନ୍ଧାର । ମାୟାର ଭିତରଟା ବି ଅନ୍ଧାର । ସେହି ଅନ୍ଧାର ଭିତରେ ସେ ଦେଖିଲା ତାର ଭବିଷ୍ୟତ ଯେମିତି ପୋତି ହୋଇପଡ଼ୁଛି ।

 

ଦାନ୍ତ ଘଷିସାରି ମାୟା ଛିଡ଼ାହୋଇ ଭାବୁଥିଲା ନିଜ କଥା । ପାହାନ୍ତି ପବନର ମହକରେ ମନ ତା’ର ଭାସିଯାଉଥିଲା ନିଜ ଘରକୁ..... ସମସ୍ତେ ଆରାମରେ ଶୋଇଥିବେ, ଆଉ ସେ ନିଜେ ?

 

ଭାବନାରେ ବାଧା ଦେଇ ସେହି ସ୍ତ୍ରୀଲୋକଟି ପୁଣି ଆସି କହିଲେ–ଆଉ ଠିଆଟା ହେଲୁ କାହିଁକି ? ଗାଧୋଇ ପଡ଼ ।

 

ରାଗରେ ମାୟା ଥରେ ତାଙ୍କ ଆଡ଼କୁ ଚାହିଁଲା । ପାଟିରୁ ବାହାରି ଆସୁଥିଲା ଏତେ ରାତିରେ ମୁଁ ଗାଧାଏ ନାହିଁ । ତମେ ନିଜେ ଗାଧୋଇଲଣି ? ଏତେ ମଣିଷ ତ ଅଛନ୍ତି, ସେମାନଙ୍କୁ କହୁନା ? କିନ୍ତୁ ଠିକ୍‌ ସେତିକିବେଳେ ମନ ଭିତରୁ କିଏ ଯେମିତି ଆସି ତା’ର ହାତ ଧରିଲା–ଶୁଖିଲା ମୁହଁ, ଲୁହଭରା ଆଖିରେ ସନ୍ଦିଗ୍ଧ ଚାହାଣୀ । ଆଉ କାନରେ ଶୁଭିଲା ଅନୁନୟଭରା କଥା କେଇପଦ ‘ବର୍ଷେ ଛ’ ମାସ ବୋହୂପଣିଆ କରିବୁ ମା...’

 

କଳ୍ପନାରେ ମେଲି ଆସିଥିବା ବୋଉର ହାତଟାକୁ ଛିଞ୍ଚାଡ଼ି ଦେଇ, ତା’ରି ଆଖିରେ ଆଖି ରଖି ମାୟାର ଆତ୍ମା ଚିତ୍କାର କରିଉଠିଲା–ତୁ.... ତୁ ମତେ ଛାରଖାର କରିଦେଲୁ । ମତେ କ’ଣ ତୁ ଚିହ୍ନି ନଥିଲୁ ? କାହିଁକି ଆଣି ଏଠି ପୂରେଇଲୁ ? ମୁଁ ତୋର କି କ୍ଷତି କରିଥିଲି ?

 

ଆଖିରୁ ଲୁହପୋଛି ସ୍ତ୍ରୀଲୋକଟି ପୁଣି ଯେମିତି କହିଲା–ତୁ ମତେ କଥା ଦେଇଥିଲୁ..... ତୁ ଚାଲିଗଲୁ, ମତେ ଚାହିଁବାକୁ ଏଠି ଆଉ କେହି ନାହିଁ..... ତୋରି କଥା, ତୋରି କାମ ଉପରେ ମୁଁ ବଞ୍ଚିରହିବି..... । ବିରକ୍ତିରେ ମାୟା କୂଅମୂଳକୁ ଗଲା ।

 

ମାୟା ବିଦା ହୋଇଯିବା ପରେ ପୀତାମ୍ୱରବାବୁଙ୍କ ଘରେ ବହୁତ ପରିବର୍ତ୍ତନ ଆସିଯାଇଛି । ପୀତାମ୍ବରବାବୁଙ୍କ ମନ ଭଲ ନାହିଁ । ଖାଇଲାବେଳେ, ବସିଲାବେଳେ ଝିଅ କଥା ମନେ ପଡ଼େ । ମହୀବୋଉ କାମ ମଝିରେ ମାୟା କଥା ମନେ ପକାଇ ଆଖିରୁ ଲୁହ ଗଡ଼ାନ୍ତି । ତାଙ୍କ କାନ୍ଦ ଦେଖି ସାନ ପିଲାମାନେ ମଧ୍ୟ ବେଳେବେଳେ ମୁହଁ ଶୁଖେଇ ବୁଲନ୍ତି ।

 

କାବେରୀ ଚିନ୍ତା ବେଶି ବଢ଼ିଯାଇଛି । ମାୟାର ବାହାଘରରେ ପୀତାମ୍ୱର ବାବୁ ଖୁବ୍‌ ଖୋଲା ହାତରେ ଟଙ୍କା ଖର୍ଚ୍ଚ କରି ପକାଇଛନ୍ତି । ମୁଣ୍ଡ ଉପରେ ତିନି ତିନିଟା ଛୁଆଙ୍କର ଭାର । ପୀତାମ୍ୱରବାବୁଙ୍କ ବୟସ ହୋଇଗଲାଣି । ସମସ୍ତଙ୍କ ବୋଝ ଦିନେ ସେହି ମୋହନ ଉପରେ ଆସି ପଡ଼ିବ । ସେହିକଥା ଅନେକଥର ମୋହନକୁ ଚେତେଇ ଦେଲାଣି, କିନ୍ତୁ ମୋହନର ସେ ଆଡ଼କୁ ନଜର ନାହିଁ । ତା’ ଉପରେ ପୁଣି ମହୀବୋଉ ପାଳିକୁ ପାଳି ଲମ୍ୱା ଚଉଡ଼ା ଭାର ସଜାଡ଼ି ଝିଅ ଘରକୁ ପେଲିବାରେ ଲାଗିଛନ୍ତି । କାବେରୀ କଥା ପ୍ରସଙ୍ଗରେ ମୋହନକୁ କେତେଥର ସେହି ବିଷୟ କହିଛି–କୋଉ ବଡ଼ଲୋକ ଘର ହେଇଛନ୍ତି ଯେ ଏତେ ଭାରଥୋର ସଜଡ଼ା ହେଉଛି ? ତମେ ବୋଉଙ୍କୁ କହୁନ କାହିଁକି ? ଟଙ୍କା ଖର୍ଚ୍ଚ କରିଗଲେ ସେଇ ତମକୁ ତ ପୁଣି ଶୁଝିବାକୁ ହେବ । ଗୋଟିଏ ଝିଅପାଇଁ ଯଦି ଏତେ ଟଙ୍କା ଖର୍ଚ୍ଚ ହୁଏ, ଅନ୍ୟ ପିଲାଙ୍କ ପାଇଁ କଅଣ ରହିବ ?

 

ମୋହନ ସବୁ ଶୁଣେ । କିନ୍ତୁ ମହୀବୋଉଙ୍କୁ ସେ କ’ଣ ବା କହିବ ? ମା’ର ମନ । ସବୁ ମାଆମାନେ ନିଜ ଝିଅମାନଙ୍କ ପାଇଁ ଏମିତି ହାତ ଖୋଲି ଖର୍ଚ୍ଚ କରିବାକୁ ଚାହାଁନ୍ତି । ତାଙ୍କୁ ସେତେବେଳେ ମନା କରିବା ଅର୍ଥ ଘରେ ଅଶାନ୍ତି ବଢ଼ାଇବା ଛଡ଼ା ଆଉ କିଛି ନୁହେଁ । ଏହି ଦିଆନିଆ ଯେମିତି ବଡ଼ଲୋକି ମାପିବାର ଗୋଟାଏ ମାପକାଠି । କାବେରୀ ନିଜେ ମହୀବୋଉଙ୍କ ସ୍ଥାନରେ ଥିଲେ ଠିକ୍ ସେଇଆ କରିଥାନ୍ତା । ତେଣୁ ସେ କାବେରୀକୁ ବୁଝାଇବ ନା ମହୀବୋଉଙ୍କୁ ଯାଇ କହିବ, କିଛି ଠିକଣା କରିପାରେ ନାହିଁ ।

 

କାବେରୀ ଦେଖିଲା ମୋହନ ଆଗରେ ଫେରାଦ ହୋଇ ଖର୍ଚ୍ଚ ରୋକି ହେବ ନାହିଁ । ତେଣୁ ସେ ତା ସାଥିରେ ଗୋଟାଏ ନୂଆ ଧରଣର ଚୁକ୍ତି କଲା । ଏଣିକି ମୋହନ ଦରମାରୁ ଅଧେ ତା’ର ଆଉ ଅଧେ ମୋହନର । ଦିହେଁ ଦିହିଙ୍କ ଭାଗ ନିଜ ଇଚ୍ଛା ଅନୁସାରେ ଖର୍ଚ୍ଚ କରିବେ । କେହି କାହାକୁ କିଛି ବାଧା ଦେଇପାରିବେ ନାହିଁ । ମୋହନ ଖୁସି ହେଲା ଯେ ଏଣିକି କାବେରୀ ଟଙ୍କା ପଇସା ବିଷୟ ନେଇ ତାକୁ ଆଉ ବ୍ୟସ୍ତ କରିବ ନାହିଁ । କାବେରୀ ଖୁସି ହେଲା ଯେ ଏହି ନୂଆ ଉପାୟରେ ମୋହନ ମୋଡ଼ିମାଡ଼ି ହୋଇ ବାଟକୁ ଆସିବ । କିଛି ନହେଲେ ଅନ୍ତତଃ କାବେରୀ ନିଜ ଟଙ୍କାତକ ନିଜ ଭବିଷ୍ୟତ ପାଇଁ ତ ରଖିପାରିବ ?

 

ବାହାଘର କେବେଠାରୁ ସରିଲାଣି, ତଥାପି ବୋହୂ ଦେଖା ସରିନାହିଁ । ମାୟା ଶାଶୁଙ୍କର ଗୋଡ଼ ଆଉ ତଳେ ଲାଗୁନାହିଁ । ବୋହୂ ଦେଖିବାପାଇଁ ଗଲା–ଅଇଲା ମାଇପେ ତାଙ୍କ ଘରକୁ ପଶି ଆସନ୍ତି ।

 

–କିଲୋ, କୁଆଡ଼େ ଗଡ଼ି ପଡ଼ିଲ ? ବସ ବସ । ଗୋଡ଼ ଉପରେ ଗୋଡ଼ ପକେଇ, ଖଣ୍ଡିଆ ଚୌକିରେ ଝୁଲୁଝୁଲୁ ହସି ହସି ମାୟା ଶାଶୁ ପଚାରନ୍ତି ।

 

–ତମ ବୋହୂକୁ ଟିକିଏ ଦେଖିବାକୁ ଆସିଚୁ ।

–ହେ ବୋହୂ ! ମାୟା ଶାଶୁ ସେଇଠୁ ଥାଇ ମାୟା ଉଦ୍ଦେଶ୍ୟରେ ଡାକ ଛାଡ଼ନ୍ତି ।

 

ମୁଣ୍ଡରେ ଲୁଗା ଦେଇ ମାୟା ଆସି ପାଖରେ ଛିଡ଼ା ହୁଏ । ଗର୍ବରେ ଟିକିଏ ହସି ମାୟା ଶାଶୁ କହନ୍ତି–ବୋହୂ ଦେଖିବାକୁ କହୁଥିଲ ପରା ? ଦେଖ ।

 

ମାୟା ଶାଶୁଙ୍କ ପାଟିରୁ କଥା ନ ସରୁଣୁ ଆସିଥିବା ସ୍ତ୍ରୀଲୋକମାନେ ଥରେ ବୋହୂ ମୁହଁକୁ ଚାହିଁଦେଇ, ଗହଣା ଦରାଣ୍ଡିବାରେ ଲାଗିଯାନ୍ତି ।

 

–ବୋପା ଯାହା ଗହଣାଗାଣ୍ଠି ଦେଇଥିଲା, ବୋହୂତ ଆମର ଆଜିଠୁ ପେଡ଼ିରେ ପୂରେଇ ତାଲା ଦେଲେଣି–ତାଙ୍କର ଝୁଅ ପିନ୍ଧିବେ ବୋଲି..... ଆଉ ତମେସବୁ କଣ ଗହଣା ଖୋଜୁଛ ! ଏମାନେ ସବୁ ପରା ହେଲେ ସାଇବାଣୀ......ଗୋଡ଼ରେ ନାଇବେ ନାଇଁ, ନାକରେ ନାଇବେ ନାଇଁ..... ମା’ ତାର ନାକରେ ସହିତେ ଫୋଡ଼ଟାଏ କରିଚି ଯେ ଝିଅ ପିନ୍ଧିବେ ! ଆମ ବେଳ କଥା ଦେଖ..... ହାତରେ ଏଇ ମୋଟ ମୋଟ ଖଡ଼ୁ..... ବେକରେ, କାନରେ ନଦିଦେଇ ବସିଥିଲୁ..... ଯିଏ ଦେଖୁଥିଲା, ଗହଣାଦେଖି ତାର ପେଟ ପୂରିଯାଉଥିଲା..... ଆଉ ଏମାନେ ଖାଲି କଲମ ହଲାଇଲାବାଲା ।

 

–ବୋହୂ କ’ଣ ଭଉତୁ ପଢ଼ିଚନ୍ତି ପରା ? କଣ ବେ’ ପାସ୍‌ କରିଚନ୍ତି ।

 

–ହଅ ‘ଆଏ’ ପାସ୍‌ କରିଚି..... ତାଙ୍କ ମନ ଥିଲା ପଢ଼ିବାକୁ..... ମୁଁ ମନା କଲି..... କଅଣ ମିଳିବ ସେ ବେ’ ମେ’ ପାଆସରୁ ? କୋଉ ମିସଲକୁ ଯିବେ । ଘର ଚଳିଲେ ହେଲା..... ପୁଅର ମନ ପାଠପଢ଼ା ଝୁଅ ବାହାହବ..... ସାଙ୍ଗସାଥି ପଢ଼ୁଆ ଝୁଅ ବିଭା ହେଇଚନ୍ତି ଦେଖି ତା ମନ ବି ସକସକ ହେଲା..... ତା’ ଯୋର ତ ଏଇଠିକି କଢ଼ଉଛି, ଆଉ କୋଉଠି ହବ ?

 

–ପୁଅ ବାଛିଚନ୍ତି ପରା ?

–ପୁଅ ଗୋଟାଏ କ’ଣ ବାଛିବ ମ ?

–ନାଇଁ, ପୁଅ ପସନ୍ଦ କରିଚନ୍ତି ନା ତମେ ଠିକଣା କଲ ?

 

–ଆମ ବଛା କନିଆଁ ପରା ତାଙ୍କ ମନକୁ ଆଇଲା ନାଇଁ..... ହେଇ ଶକତ ଡେଙ୍ଗାହେଇ, ମୋଟାମାଟି ହେଇ..... ଦେଖି ଦେଲେ ମାଇପିଟାଏ ପରି ମନେ ହବ..... ଆଉ ଇଏ–’ କଥା ଶେଷ ନ କରି ମାୟା ଶାଶୁ ମୁହଁ ବୁଲେଇ ନେଇ ପୁଣି କହନ୍ତି–ତା’ ଆଗରେ ଫୁଙ୍କିଦେଲେ ଟଳି ପଡ଼ିବେ । ହେଲେ ତା’ ବରନ ଟିକିଏ ମଇଳା..... ନଇଲେ ଦବାନବା ସବୁଥିରେ ୟାଙ୍କ ଚାହି କେତେ ଫରକ ପଡ଼ିଥାନ୍ତା ।

 

–ଇଏ ତ କେଡ଼େ ସୁନ୍ଦରିଆଟିଏ.....

 

–ହଅ, ସୁନ୍ଦରପଣକୁ କଣ ଘୋରିବାଟି ପିଇବୁ ? ଧନଦରବ, ଜିନିଷପତ୍ର ଆଣିଥିଲେ ସିନା ବଡ଼ କଥା ।

 

–ତମ ବୋହୂତ ସବୁଆଡ଼ୁ ଭଲ..... ପାଠ ପଢ଼ିଚି, ସୁନ୍ଦର..... ଦବାନବା ଭଲ କରିଚନ୍ତି ବୋଲି ଲୋକେ ବି କହୁଛନ୍ତି ।

 

–ହାଁ, ସେଇ ଦବାନବା କଥା ପେଇଁ ତ ମୁଁ ଅଡ଼ି ବସିଥିଲି..... ନଇଲେ ମୋ ପୁଅକୁ କଣ ପାତ୍ରୀ ଅଭାବ ଥିଲେ ? ୟା’ଠଉଁ ଆଉରି ସୁନ୍ଦର ପ୍ରସ୍ତାବ ଆସିଥିଲା, ମୁଁ କାଟି ଦେଇଥିଲି..... ପାଞ୍ଚଟି ହଜାର ଟଙ୍କା ଆମର ଦାବୀ ଥିଲା । ସେଥିରୁ କେତେ କଟିକାଟି ଚାରି ହଜାରରେ ରହିଲା..... ତାକୁ ବି କ’ଣ ସହଜରେ ଦେଇଥାନ୍ତେ କି ? ଯେମିତି ହାତଗଣ୍ଠି ପଡ଼ିବା ହେଲା, ଆମ ଦେଢ଼ଶୁର ସାଆନ୍ତେ କ’ଣ କଲେ କି, କହିଲେ ‘‘ଟିକେ ଥୟ ଧର, ଥୟ ଧର... ଏଇ ଦବାନବା କଥାଟା କଅଣ ଥିଲା, ଆଗ ଟିକେ ହେଇଯାଉ’’–ସେଇଠୁ ତ ଝୁଅଘର ‘ହାଉଁ’ ‘ହାଉଁ’ ହେଇ ଉଠିଲେ..... ଟଙ୍କା କଥା ଠିକଣା କରି ଗୋଟାଏ କିଛି ବୁଝାସୁଝା ନ ହେଲେ ହାତଗଣ୍ଠି ପଡ଼ିବ ନାହିଁ..... ତେଣେ ଲଗନ ଗଡ଼ି ଯାଉଥାଏ । ସେତେବେଳେ ଆମର ସମୁଦିଏ ଉଠି କହିଲେ–କେଡ଼େ କଥାଟାଏ କହୁଚ ! ଆମେ ଝୁଅ ଦେଇ କ’ଣ ତମ ଟଙ୍କାଟା ଏମିତି ଫାଙ୍କିଦବୁ ? ଆମେ ତ କୁଆଡ଼େ ଆଉ ମରିହଜି ଯାଉନୁ ? ସେଠୁ ଦଶ ଲୋକଙ୍କ ଆଗରେ କଥାଟା ମୁକାବିଲା ହେଇଯାଇ ହାତଗଣ୍ଠି ପଡ଼ିଲା ।

 

କଥା ଶୁଣି ଜଣେ ଦି’ଜଣ ମାୟା ମୁହଁକୁ ଚାହିଁଲେ, ମାୟା ଶାଶୁ ତାହା ଲକ୍ଷ୍ୟ କରି କହନ୍ତି–ଏ ବୋହୂ ସାଆନ୍ତାଣୀଙ୍କର କଣ କମି ଗୁଣ କି ? ଟଙ୍କା କଥା ପଡ଼ୁ ପଡ଼ୁ ପରା ବେଦୀରୁ ଉଠିଯିବାକୁ ବାହାରିଥିଲେ... ଆଲୋ ସେ ଟଙ୍କା କଣ ଆମେ ନେଇକରି ସରଗକୁ ଯିବୁ ? ସେଇ ତାଙ୍କରି ପେଇଁ କହିବା କଥା... ସେତେବେଳେ ନ କହିଥିଲେ ପଛରେ କ’ଣ ଆଉ ଦେଇଥାନ୍ତେ ? କହୁନ ?

 

ଆସିଥିବା ସ୍ତ୍ରୀଲୋକମାନେ ମୁଣ୍ଡ ହଲେଇ ମତ ଦିଅନ୍ତି– ଯା’ ହଉ, ତମ ଦେଢ଼ଶୁରେ ଭଲ ଫିକରଟିଏ ବାହାର କଲେ ।

 

–ସିଏ କି ଫିକର କଲାବାଲା ମ ? ଯିବା ଆଗରୁ ତାଙ୍କୁ ବାର ବାର କରି ମୁଁ ଏତକ କହିଥିଲି ନା, ନଇଲେ ସେ ଗବ ଗୋବର ମୁଣ୍ଡରୁ ଏତେ ବୁଦ୍ଧି ବାହାରିଥାନ୍ତା ? ମାୟା ଶାଶୁ ମନ ଖୁସିରେ ଥୋଡ଼ାଏ ହସି ଦିଅନ୍ତି ।

 

–ବୁଢ଼ୀଙ୍କର ଯୋଉ କଥା ! ଦେଢ଼ଶୁରଙ୍କୁ କହୁଛନ୍ତି ଗୋବର ମୁଣ୍ଡ । ଆଉ ତମରି ଖାଲି ତାଙ୍କ ହାଳିକି ବେଶି ବୁଦ୍ଧି ଅଛି ।

 

–ତାଙ୍କ ବୁଦ୍ଧି କଥା କାହିଁକି କହୁଚ ? ଗାଈଟାଏ କିଣିବାକୁ ଗଲେ ଯେ..... ବୁଢ଼ୀ ଗାଈଟାଏ, ଦାନ୍ତପଡ଼ି ପାକୁଆ ହେଲାଣି..... ପାଟିରେ ହାତ ପୂରେଇ ଆଉରି କହୁଚନ୍ତି–ପିଲା ଗାଈଟାଏ, କଳରେ ଦାନ୍ତ ଉଠିନାଇଁ । କଥା ଶୁଣି ଘରଟା ହସରେ ଫାଟି ପଡ଼େ ।

 

–ଯାହା ହଉ, ଭଲ ଘରେ ବନ୍ଧୁ କଲ ।

 

–ହଁ । ଟଙ୍କା ସୁନା ସବୁ ଦେଇଛନ୍ତି ଯେ, ହେଲେ ବୋହୂକୁ କାମ ଶିଖେଇ ନାହାନ୍ତି... ଆଉ ସେ ଝିଅ ? ଯାହାକୁ ମୁଁ ବାଛିଥିଲି, ଏଇ ପିଠା କର କହିଲେ ହାଣ୍ଡିଏ କରି ସାଥେ ସାଥେ ଥୋଇ ଦବ, ଆଜି କେହି ନାହାନ୍ତି ବୋଲେ ଘରଟା ଯାକର କାମ ଏକା ଏକା ଉଠେଇ ନବ ।

 

–ଇଏ କରିବେ ନାଇଁକି ! ପିଠିରେ ପଇଲେ ବଳେ କରିବେ ।

 

–ହଁ ସେଇ କଥା । ଆମର ବଳବଅସ ଏଥର ଗଲା... ଇଏ କରିବେ ନାଇଁ ତ ଆଉ କିଏ କରିବ ? ସେଇଥିପାଇଁ ମୁଁ ଗୋଟିଏ ମଜଭୁତିଆ ବୋହୂ ଖୋଜୁଥିଲି..... ଯା ଯା, ବୋହୂ ପାନ ନେଇ ଆ..... ମନରୁ କାଢ଼ି ସିନା କାମ କରିବ । ଏଗୁରାକ ଆଉ ବତେଇବ କିଏ ? ଗଲା ଅଇଲା ଲୋକ କ’ଣ ତମ ହାତ ଟେକା ପାନକୁ ଅନେଇ ବସିଥିବେ ? ମାୟାକୁ ଚାହିଁ ମାୟା ଶାଶୁ କହିଲେ-

 

–ଥାଉ ମ, ପାନ କଣ ହବ ।

ମାୟା ପାନ ଆଣିବାକୁ ଉଠିଗଲା ।

 

ଶାଶୁଙ୍କର ଏ ଗୁଣକୁ ମାୟା ଚିଡ଼େ । ଯଦି ମନରୁ କାଢ଼ି ସେ କାହାକୁ ପାନ ଭାଙ୍ଗି ଦିଏ, ତେବେ ଶାଶୁ ପଛରେ କହିବେ–ତୋ ବାପା ବେଶି ଧନ ଦେଇଛି କିଲୋ ବୋହୂ ? ପର ପିଛାରେ ଏମିତି ଉଡ଼େଇ ଦଉଚୁ ? ଆମେସବୁ କାହିଁକି ଅଛୁ ? କେଇଟା ଦିନର ବୋହୂ ତୁ ହେଲୁ ଯେ, ଆଳାପ ଜମେଇ, ଭାବ ବଢ଼େଇ ପାନ ବାଣ୍ଟି ବସୁଛୁ ? ତେଣୁ ମାୟା ମନକୁ ମନ ଆଉ କାମ ନକରି ଶାଶୁ କହିବା ପର୍ଯ୍ୟନ୍ତ ଅପେକ୍ଷା କରେ ।

 

ସେ ଦିନ ଲକ୍ଷ୍ମୀପୂଜା । ମାୟାର ଜଣେ ଦୂର ସମ୍ପର୍କିୀୟା ଭିଣେଇ ଘରକୁ ଆସିଥାନ୍ତି । ମାୟାର ଶାଶୁ ମାୟାକୁ ଡାକି ଦେଇ ବାରିଆଡ଼କୁ ଚାଲିଗଲା । ପାଖ ଚୌକିରେ ବସି ମାୟା ଭଉଣୀ ଓ ତା’ ପିଲାପିଲିଙ୍କ କଥା ପଚାରୁଥିଲା । ଏତିକିବେଳେ ଶାଶୁ ଫେରିଆସିଲେ । ବୋହୂକୁ ସେଠାରେ ବସିଥିବାର ଦେଖି ତାଙ୍କର ଆଖି ଜଳି ଉଠିଲା । ତାକୁ ଭିତରକୁ ଡାକିନେଇ କହିଲେ–ଏ ବୋହୂ, ଇଏ ସାଇବ ଘର ହେଇ ନାହିଁ । ଚୌକି ଟେବୁଲରେ ବସି ମୁହଁମୁହିଁ ହେଇ ଜୋଇଁଟା ସାଥିରେ ଗପ କ’ଣ ଯୋଡ଼ୁଛୁ ? ତୋ ମୁହଁକୁ ଯଦି ନାଜ ଥା’ନ୍ତା ।

 

ମାୟାର ପାଟିରୁ କଥା ବାହାରି ଆସୁଥିଲା । କିନ୍ତୁ କିଛି ନ କହି ସେ ଚୁପ୍‌ହୋଇ ରହିଲା-

 

ମାୟାର ସ୍ୱାମୀ ଶଶିଭୂଷଣ ସବୁ ଶୁଣି କେବଳ ଏତିକି କହିଲେ–ବୋଉ ସେମିତିକା ମଣିଷ । ତା କଥାକୁ ଧରିବ ନାଇଁ । ସେ ପୁରୁଣାକାଳିଆ ଲୋକ କିନା ।

 

ଶଶିଭୂଷଣ ତାଙ୍କର ମା’କୁ ଭଲରୂପେ ଚିହ୍ନନ୍ତି । ବିଧବା ମାଆର ମନରେ ଦୁଃଖ ଦେବାକୁ ସେ ଚାହାନ୍ତି ନାହିଁ ।

 

ଏଣିକି ମାୟା ଶାଶୁଙ୍କ କାମ ହାଲୁକା ପଡ଼ିଆସୁଛି । ଅନେକ କାମ ବୋହୂ ଉଠେଇ ନିଏ-। କାମ ନ କଲେ ମଧ୍ୟ ମାୟା ଶାଶୁ କହିପୋଛି ତାରି ହାତରେ କରାଇ ନିଅନ୍ତି । ବୋହୂର କାମ ଦେଖି ସାହିପଡ଼ିଶାରୁ କେହି କେହି ପ୍ରଶଂସା କରନ୍ତି–ଗୁଣର ପିଲାଟିଏ । ଶାଶୁର ଭାଗ୍ୟ ଭଲ-

 

ସବୁ ଶୁଣି ମାୟାଶାଶୁ କହନ୍ତି–କରିବ ନାଇଁ ତ ହବ କେମିତି ? ଆମେ ପିଲାଦିନେ ଏତେ ଅୟସରେ ବଢ଼ି ତ ପୁଣି ଏତେ କାମ କଲୁ ! ଆଉ ଇଏ ଦି’ଅକ୍ଷର ପଢ଼ିଚନ୍ତି ବୋଲି କ’ଣ ସରଗକୁ ଉଠିଯିବେ ?

 

ବଡ଼ି ସକାଳୁ ଉଠିବା ମାୟାର ଅଭ୍ୟାସରେ ପଡ଼ିଗଲାଣି । ଯଦିବା କୌଣସି ଦିନ ଟିକିଏ ଡେରି ହୋଇଯାଏ ତେବେ ଶାଶୁଙ୍କ ପାଟିରେ ଘର କମ୍ପିଯାଏ–କି ଘର ଝିଅ କିଲୋ ତୁ ? କଅଣ ରଜା ସାଇବ ଘରୁ ଆସିଚୁ ? ମୁଁ ବୁଢ଼ୀ ମଣିଷଟା ଏତେ କାମ କରୁଚି ଆଉ ଖରା ପଡ଼ିଲେ ଯାଇଁ ତମର ପହଡ଼ ଭାଙ୍ଗିବ ! ଏଡ଼େ ଅୟସରେ ବଢ଼ ନାଇଁ ମ ଚେର ମୂଳ ନାଗିଯିବ ଏଇକ୍ଷଣି ବୁଲିବା କଥା କୁହ ଦି’ଖେପା ମାରି ଦାଣ୍ଡରେ ଠିଆ ହବ, କାମ ବେଳକୁ ଯେତକ ମଠ ।

 

ଶାଶୁ ଯେତେବେଳେ ଭଟର ଭଟର ହେବା ଆରମ୍ଭ କରନ୍ତି ମାୟା ହୁଏତ ସେ ଜାଗା ଛାଡ଼ି ଚାଲିଯାଏ ନ ହେଲେ ନ ଶୁଣିବାର ଚେଷ୍ଟା କରେ । ସେ ଜାଣେ ସବୁ କଥା ଶୁଣିଲେ ତା ପାଟିରୁ ଦି’ପଦ ବାହାରିଯିବ । ତେଣୁ ସବୁଠୁ ଭଲ ବାଟ ହଉଛି ସେ ଯାହା କହୁଛନ୍ତି ତାକୁ ନ ଶୁଣିବା-

 

ବାପଘରର ଅଲିଅଳ ପଣ ଆଉ ନାହିଁ । ଦିନକୁ ଦିନ ମାୟାର ସ୍ୱାସ୍ଥ୍ୟ ଭାଙ୍ଗିପଡ଼ୁଛି । ମାୟା ଶାଶୁ କହନ୍ତି ଯେ ବୋହୂଟା ଦେହରେ ବାଡ଼ୁଅ ସହିଲା ନାଇଁ । ସେଥିପାଇଁ ତା ଦେହ ଝଡ଼ିଯାଉଛି ।

 

ଆଗଦିନ ରାତିରୁ ମାୟାକୁ ଜର । ସର୍ଦ୍ଦି କାଶରେ ମୁହଁଟା ଫଣଫଣିଆ ଦିଶୁଛି । ମୁଣ୍ଡଟା ଭାରୀ ଭାରୀ ଲାଗୁଛି । ଦେହ ଛେଚିକୁଟି ହେଉଛି । ସକାଳୁ ପଦାକୁ ନ ଆସି ଶୋଇବା ଘରେ ମୁଣ୍ଡରେ ହାତ ଦେଇ ମାୟା ବସି ରହିଲା । ଜଣ ଜଣ କରି ଘରଲୋକ ସମସ୍ତେ ମନେ ପଡ଼ୁଛନ୍ତି ।

 

ପୂଜା ସାରି ମାୟା ଶାଶୁ ରୋଷେଇ ଘରକୁ ଗଲେ । ଚୁଲିରେ ଲୁଣ୍ଡା ପଡ଼ିନାହିଁ । ବେଳ ଆସି ସାତଟା ହେଲାଣି । ସବୁଦିନେ ଏତେବେଳକୁ ମାୟା ଚା କରି ସମସ୍ତଙ୍କୁ ଦେଇ ସାରିଥାଏ ଓ ତାଙ୍କ ପାଇଁ କେଟ୍‌ଲିରେ ପୂରେଇ ଚୁଲି ମୁଣ୍ଡରେ ରଖି ଦେଇଥାଏ । ପୂଜା ସାରି ଚା’ପାଣି ଟିକକ ନ ଶୋଷିଲେ ତାଙ୍କୁ ଭଲ ଲାଗେ ନାହିଁ ।

 

ସେଦିନ ପୂଜାସାରି କେଟ୍‌ଲିଟାକୁ ବାସନାମଜା ଜାଗାରେ ରଖିଥିବାର ଦେଖି ତାଙ୍କ ପିତ୍ତ ଉପରକୁ ଉଠିଗଲା । ‘ଆଲୋ ହେ ବୋହୂ’ ବୋଲି ଗୋଟିଏ କୁହାଟ ଛାଡ଼ି ସେ ଘର ବାହାର ଦି’ ଚାରିଥର ଖୋଜି ଦେଇଗଲେ । ପାଟି ଶୁଣି ମାୟା ନିଜ ବଖରାରୁ ବାହାରି ଆସିଲା ।

 

–ଏତେବେଳଯାଏ କ’ଣ କରୁଥିଲ ମ ? କଣ ପିଲାଛୁଆ ନେଞ୍ଜେରା ଅଛି ଯେ ରାତି ଅନିଦ୍ରା ରହି ଏତେବେଳକେ ଉଠୁଛ ?

 

–ନାଇଁ, ମୋ ଦେହଟା ଟିକିଏ କେମିତି ଲାଗୁଛି ।

 

ମାୟା ମୁହଁକୁ ଚାହିଁ ମାୟା ଶାଶୁଙ୍କ ମନ ଟିକିଏ ତରଳିଗଲା । ସତରେ ମୁହଁଟା ଗୋଟାଏ କେମିତିକା ଦିଶୁଛି । ତଥାପି ନିଜ ପେଟରେ ଟୋପାଏ ଚା’ପଡ଼ି ନାହିଁ । ତାଙ୍କୁ ଘରବାହାର ସବୁ ଅନ୍ଧାର ଦିଶୁଚି । ଚାଲି ଯାଉ ଯାଉ କହିଲେ–ଯାଏଁ ଲୋ ମା..... ଚା’ପାଣି ଟିକିଏ କରବି । ତେଣେ ଗଦାଏ କାମ ବାକି ପଡ଼ିଛି ।

 

ରନ୍ଧା ଘରେ ଚୁଲି ଲଗେଇବାକୁ ଯାଇ ମାୟାଶାଶୁଙ୍କ ପାଟି ଶୁଭିଲା । –ଧେତ୍‌ତେରିକା ମଣିଷର ସ୍ୱଭାବ..... ଏ ଚା’ ଟିକକ ପାଇଁ କେତେ ହୀନିମାନ ମୁଁ ସହୁଚି ଟି ! କେତେଥର ପଣ କଲିଣି ଏଣିକି ଆଉ ଏତେ ପର ହାତଟେକାକୁ ଚାହିଁ ରହିବି ନାଇଁ..... ଏତେଦିନ ହେଲା ନିଜ ହାତରେ ତିଆରି କରି ଖାଇ ଖାଇ ବୁଢ଼ୀ ହେଲି ଆଉ ଏ ଦିନେ ପୁଣି ହାତରେ କର ଖାଅ..... ଏ ପୁରରୁ ମଣିଷ ଆଉ କୋଉ ପୁରକୁ ହେଲେ ଚାଲିଯାଆନ୍ତା କି !

 

ମାୟା କାନରେ ଗୋଟି ଗୋଟି ହେଇ ସବୁ କଥା ପଡ଼ିଲା,–ସକାଳୁ ପାଟି ଆରମ୍ଭ ହେଲାଣି । ଆଜି ଦିନଯାକ ଏମିତି ପାଟି ଚାଲିବ । ଶାଶୁ ଭାବନ୍ତି ବୋହୂ ଗୋଟାଏ ମେସିନ୍‌ । ଆଉ ମେସିନ୍‌ ପରି ଚବିଶ ଚଣ୍ଟା ଖଟିବା ହେଲା ତାର କାମ । ତାର ପୁଣି ଗୋଟାଏ ଦେହମୁଣ୍ଡ କ’ଣ ?

 

ପାଟିଶୁଣି ବିରକ୍ତ ହେଇ ମାୟା ରୋଷେଇ ଘରକୁ ଯାଇ କହିଲା–ମତେ ଟିକିଏ ଗଙ୍ଗା ପାଣି ଦିଅନ୍ତୁ । ମୁଁ ଛିଞ୍ଚି ହେଇ ପଡ଼ି ଚା’ ବସେଇ ଦେବି, ଆପଣ ବିଶ୍ରାମ କରିବେ ଯାଆନ୍ତୁ ।

 

–କାଇଁକି ବା ଗଙ୍ଗା ପାଣି ଏତେ ଖୋଜା ପଡ଼ିଛି ? ଏଇ ଟିକିଏ ଦିହ ଖରାପକୁ ଡରି ନ ଗାଧୋଇ ତମେସବୁ ଏମିତି ଭୋଗୁଛ..... ଆମ ବେଳେ ଆମକୁ ସନିପାତ୍‌ ଧଇଲେ ବି ଗୁରୁବାର ଦିନ ମୁଣ୍ଡରେ ପାଣି ପଡ଼ି ମୁଣ୍ଡ ଶୁଖୁଥିଲା–ଆମେ ସବୁ କେତେ ବେମାରିରେ ମରି ଯାଉଥିଲୁ ?

 

ମାୟା ଦେହରେ ରାଗ ଚହଟିଲା । ଶାଶୁଙ୍କୁ ସେ କେବେହେଲେ ଜବାବ ଦିଏ ନାହିଁ । ଅତି ବେଶି ରାଗିଲେ ତାର ଦାନ୍ତ ଚିପି ହୋଇଯାଏ, ଘୃଣାରେ ଆଖି ଛୋଟ ଛୋଟ ହୋଇଯାଏ । ସେଦିନ ସହଜରେ ତାର ଦେହ ଭଲ ଲାଗୁ ନଥିଲା । ତା’ଉପରେ ପୁଣି ଶାଶୁଙ୍କର ଏ ତୋଡ଼ ଶୁଣି ମୁହଁ ବୁଲେଇ ସେ ସିଧା ଶୋଇବାକୁ ଚାଲି ଆସିଲା । ମନରେ ରାଗ–ଯେତେ ଯାହା ହେଉ ପଛକେ ସେ ଆଜି କିଛି କାମ କରିବ ନାହିଁ । ସେମିତି ଶୋଇ ରହିଥିବ, ଉଠିବ ନାହିଁ ।

 

ମା’ର ପାଟି ଶୁଣି ଶଶିଭୂଷଣ ଦାଣ୍ଡଘରୁ ନିଜ କାମ ଛାଡ଼ି ଉଠି ଆସିଲେ– ମା ।

 

ଓଃ..... ମତେ ଆଉ କେହି ଡାକ ନାହିଁ..... ତୋ ମା’ ମରିଗଲାଣି..... ଏ ଗୁଣ୍ଡ ମୁଣ୍ଡ ଚୁଲିରେ ଓଦାକାଠ ଏଯାଏଁ ଧରିବାକୁ ନାଇଁ..... ଅଳପେଇସା କାଠବାଲା ଖାଲି ପଇସା ଗଣି ନଉଛନ୍ତି । ଯୋଉ କାଠ ଦଉଚନ୍ତି, ଚୁପୁଡ଼ି ଦେଲେ ପାଣି ଗଳି ପଡ଼ିବ..... ଏଣେ ନିଆଁନଗାଙ୍କ ଘର ଦେଖ, ଶୁଖିଲା ଠାଉ ଠାଉ କାଠ ବସି ଜାଳୁଥିବେ..... ଏଥିରେ ଏଗୁଡ଼ାଙ୍କ ହାତରେ ପଇସା ରହିବ ନାଇଁ ତ ଆଉ କାହା ହାତରେ ରହିବ ?

 

ନିଜ ଘରେ ବସି, ସବୁ ଶୁଣି ମାୟା ମନେ ମନେ ହସିଲା । ଶାଶୁ ଆଜି ଓଦାକାଠ ହାବୁଡ଼ରେ ପଡ଼ିଛନ୍ତି । ନିତି ସକାଳେ ଗୋବର ପାଣି ସିଞ୍ଚୁ ସିଞ୍ଚୁ ଅଧେ କାଠକୁ ସେଇ ଓଦା କରନ୍ତି ଆଉ ଓଦା କାଠ ଶୀଘ୍ର ନିଆଁ ନ ଧରିଲେ ମାୟାକୁ ଦି’ପଦ ଶୁଣେଇ ଦିଅନ୍ତି–‘‘କାମ ଶିଖିନ ବୋଲି ଏମିତି ହୀନିମାନ ହଉଚ । ଆମ ହାତରେ କ୍ଷଣୁଟାକୁ ଚୁଲି ନାଗିଯିବ ।’’

 

–ମା, ଆଜି ତୋର କଣ ହେଉଛି କି ଏମିତି ବଜର ବଜର ହେଉଛୁ ? ଟିକିଏ ବେଳ ଚୁପ ରହି ଶଶିଭୂଷଣ ପଚାରିଲେ ।

 

–ଖାଲି ତ ତୋ’ରି ମାଆର ପାଟି ବଜର ବଜର ହଉଚି ! ଆଜି ତୋ ମା’ର ପାଟି ବଜର ବଜର ନ ହେଲେ, ତମ ହାତ ପାଟିକୁ ଖପର ଖପର ହେଇ ଡେଇଁବ କେମିତି ?

 

–ମାୟା କାହିଁ ? ତାକୁ ପରା ଜର..... ହେଇଛି..... ।

 

–କିଜାଣି ସେ ମାଇଆ ଫାଇଆ ମୁଁ ଜାଣି ନାଇଁ..... ଚୁଲିମୁଣ୍ଡ କଥା କିଛି ପଚାରୁଚୁ ଯଦି କହ, ବତେଇ ଦେବି..... ଚା’ ପାଣି ଟୋପାଏ ପେଇଁ ମଣିଷ ଆଚ୍ଛା ନାକ ପାଣି ପୋଛୁଚି ହୋ ! ମାୟା ଶାଶୁ ରାଗିଯାଇ ଫୁଙ୍କ–ନଳାରେ ଚୁଲିକୁ ଭୁଷାଏ ଦେଲେ ଯେ ଚୁଲିରୁ ପୁଳାଏ ମାଟି ଖସି ପଡ଼ିଲା । ତା’ପରେ ଚୁଲି ଉପରୁ କେଟ୍‌ଲିଟାକୁ ଆଣି ତଳେ କଚିଦେଇ ରାଗରେ ଦୁମୁ ଦୁମୁ ହୋଇ ଚାଲିଗଲେ ।

 

–ଚା’ ମଗେଇ ଦେବି ? ଶଶିଭୂଷଣ ପଚାରିଲେ ।

 

–ମୋର ଚା’ ଖିଆ ନହେଲେ ନାହିଁ..... ଖାଇବା ପାଇଁ ଏତେ ଗୋଟାଏ କିଏ ପଉଜେଇ ହବ ହୋ ?

 

ଶଶିଭୂଷଣ ଚାକରକୁ ଡାକି ବାହାର ଚୁଲିରେ ସେମାନଙ୍କ ପାଇଁ ଚା’ କରିବାର ବରାଦ ଦେଲେ । ଚା’ ହେଲା । ସେଇ ଚା’ ରେ ଦି’ଟା ତୁଳସୀପତ୍ର ପକେଇ ଶୁଦ୍ଧ କରି ମାୟା ଶାଶୁ ପିଇଦେଲେ । ଦେହ ତାଜା ହେଇଗଲା । ମୁଣ୍ଡଟା ବି ଥଣ୍ଡା ଲାଗିଲା ।

 

ଶଶିଭୂଷଣ ଫେରିଗଲେ ମାୟା ପାଖକୁ । ଦେହରୁ ମୁଣ୍ଡଯାଏ ଚାଦର ତଳେ ଢାଙ୍କି ହେଇ ମାୟା ଶୋଇଛି । ମୁଣ୍ଡରୁ ଚାଦରଟା ଖସାଇ ଆଣି ଶଶିଭୂଷଣ ମୁଣ୍ଡ ଚିପି ଦବାରେ ଲାଗିଲେ-। ଟିକିଏ ବେଳ ଚିପିବା ପରେ ମାୟାକୁ କ’ଣ କହିବାପାଇଁ ତା’ ମୁହଁକୁ ଚାହିଁ ଦେଖିଲେ ମୁଦା ଆଖିରୁ ଧାର ଧାର ପାଣି ଗଡ଼ି ପଡ଼ୁଛି ।

 

ପାଞ୍ଚଦିନ ହେଲାଣି ଜର ଛାଡ଼ିବାକୁ ନାହିଁ । ଶଶିଭୂଷଣ ଚିନ୍ତିତ ହୋଇପଡ଼ିଲେଣି, କିନ୍ତୁ ମାୟାଶାଶୁଙ୍କର ସେହି ଏକା କୈଫିୟତ–ଏଗୁଡ଼ା ଅପଥ୍ୟର ଜର..... ଗାଧୁଆ ପାଧୁଆର ନାଁ ଗନ୍ଧ ନାହିଁ... ଦିନ ରାତି ଖାଲି ପାଟିରେ ସେଇ ଥରମିଟର ଯନ୍ତ୍ର ଗେଞ୍ଜି ଦେଇ କାଢ଼ିଆଣି ଜର ଜର ହଉଚ... ଆମକୁ ଜର ହେଲେ ଆମ ଦିହରେ ଦିହରେ ମରୁଥିଲା–କେହି ଜାଣୁ ନଥିଲେ..... ସେତେବେଳେ ଦେଖୁଥିଲେ କ’ଣ ଦେଢ଼ଶ’, ଦି’ଶ ଉଠୁ ନଥାନ୍ତା ? ସେଗୁରାକ ଯେତିକି ଦେଖିବ ମନକୁ ସେତିକି ବାଧିବ..... ମୋ ସାନକୁହା ମାନ । ସେଗୁରାକ ଆଉ ଦେଖ ନାଇଁ–ଛାଡ଼ିଦିଅ । ଦେଖିବ ଜର ବଳେ ଛାଡ଼ିଯିବ ।

 

ସାଗୁ ବାର୍ଲି ଖାଇ ଖାଇ ମାୟାର ଅରୁଚି ଆସିଗଲାଣି । ବିଛଣାରେ ପଡ଼ି ପଡ଼ି ସେ ଚିଡ଼ା ଧରିଗଲାଣି । ଘରଲୋକ ଥିଲେ ରାଗଟା ଶୁଝେଇ ଦେଉଥାନ୍ତା । ଶଶିଭୂଷଣ କାମରୁ ଫେରିବାଯାଏ ଶାଶୁ ତା’ଖବର ବୁଝନ୍ତି । ତେଣିକି ପୁଅ ଫେରିଲେ ସେ ନିଶ୍ଚିନ୍ତ । ଗଲା ଅଇଲା ଲୋକଙ୍କ ଆଗରେ କହନ୍ତି–ପୁଅ ଘରେ ଥିଲାବେଳେ ଯାହା ହେବାର ହେଉଥାଉ ପଛକେ, ପୁଅ ନଥିଲାବେଳେ ବୋହୂର କୁଆଡ଼ୁ କିଛି ହେଇଯିବ ତ’ ପୁଣି ମୋରି ଉପରେ ଦୋଷ ଆସିବ..... କିଛି ନ ହେଲାକୁ କହିଦେବେ–ସେଇ ଶାଶୁଟା କ’ଣ ଦେଇ ଦେଇଥିବ ତ !

 

କଥା ଶୁଣି ଲୋକେ ହସନ୍ତି–ଶାଶୁ ତ ନିଜର ମାଆ ପରି, ସେ ଗୋଟାଏ କଅଣ କରିପାରିବେ ମ ? ତମର ଯୋଉ କଥା !

 

–କାହିଁକି ଆଉ ସେ କଥାଗୁଡ଼ାକ କହୁଚ ? ଶାଶୁ ଯିଏ ଶତୁରୁ ସିଏ..... ହେଇଟି ମୋ ବେଳ କଥା କହୁଚି, ମୋ ବେମାରୀ ବେଳେ ଶାଶୁ ଦବା ଜିନିଷ ପରା ଖାଲି ଠାକୁରଙ୍କୁ ମନେ ମନେ ସୁମରଣା କରି ଢୋକିଦିଏ–ଅବା ଓଷଦି ମୋଷଦି ମିଶେଇ ଥିବେ । ଢେବା ଢେବା ଆଖି କରି ଫୁସ୍‌ ଫୁସ୍‌ ସ୍ୱରରେ ମାୟା ଶାଶୁ କହନ୍ତି ।

 

ଶୁଣୁଥିବା ଲୋକେ ମନେ ମନେ ହସନ୍ତି–ସେ ବୁଢ଼ୀ ଯେମିତି ହୁଣ୍ଡି ମଣିଷ ଥିଲା, ସେ ପୁଣି ୟାଙ୍କୁ ବିଷ ଦେଇ ପକାଉଥିଲା !

 

ମାୟାର ଜର ଛାଡ଼ିଲା । ଦୁର୍ବଳ ମୁହଁରେ ଆଖିଗୁଡ଼ାକ ପହଁରିଲା ପରି ଦିଶୁଚି । ବୋହୂ ରୋଗରୁ ଉଠିବା ସାଙ୍ଗେ ସାଙ୍ଗେ ମାୟାଶାଶୁଙ୍କ କାମ ମଧ୍ୟ ଦିନକୁ ଦିନ କମିବାରେ ଲାଗିଲା । ଆଗପରି ସେ ପୁଣି ଘର ଘର ବୁଲିବାରେ ଲାଗିଲେ । ସବୁଠି ତାଙ୍କର ସେହି ଏକା ଗପ–ବୋହୂଟା ଲାଗି ଆଜିଯାଏ ଘରୁ ଗୋଡ଼ କାଢ଼ି ହଉ ନଥିଲା..... ସତରେ ଜରଟା କେଡ଼େ ଘାଏଁ ଘାରିଦେଲା ତାକୁ–ଦେଢ଼ପା’ ଚାଉଳର ବୋହୂଟା ନହକୁଚିଟି ପଡ଼ି ! ମୋର ଅଧେ ପଇସା ତା’ରି ଓଷଦ ପିଛାରେ ଉଡ଼ିଗଲା..... ବେମାରୀଟା ତାକୁ ଭାଙ୍ଗିଦେଲା..... ବେମାରୀ କେବେହେଲେ ଆମକୁ ଏଡ଼େ ଆତାଥା କରିପାରିବ ନାଇଁ । ଆମେ ପିଲାଦିନୁ ଖାଲି ଘିଅ, ସର ଖାଇ ବଢ଼ିଥିଲୁ... ଏଗୁଡ଼ା ଖାଲି ଭେଜିଟେବୁଲ ଖାଇ ଫୁଲିଚନ୍ତି ନା ଆଉ କ’ଣ ? ଫୁଲୁଚନ୍ତି ଯେଡ଼ିକି ବେଗି, ଝଡ଼ୁଚନ୍ତି ସେଡ଼ିକି ବେଗି ।

 

ବାହାରେ ମାୟାଶାଶୁ ବୋହୂର ପ୍ରଂଶସା କରନ୍ତି । ଶୁଣିଲା ଲୋକେ ବିଶ୍ୱାସ କରନ୍ତି–ଯେଉଁ ବୋହୂ ତାଙ୍କ ଭଳି ଲୋକ ପାଖରେ ଚଳିପାରିଲା, ସେ କେବେହେଲେ ଖରାପ ହୋଇ ନପାରେ । ତଥାପି ବେଳେବେଳେ ସେମାନଙ୍କ ମନରେ ସନ୍ଦେହ ଆସେ । କାରଣ ଗଲା ଅଇଲା ଝିଅ ବୋହୂଙ୍କ ସାଥିରେ ମାୟା କେବେହେଲେ ସାଙ୍ଗ ସରିସାଙ୍କ ପରି ବସି ମନ ଖୋଲି ଦି’ଟା କଥା କହେ ନାହିଁ । ତା’ର ହସ, କଥା–ସବୁ ଯେମିତି ଉପର ଠାଉରିଆ ।

 

ଦିନେ ମାୟା ରାନ୍ଧୁଥିବା ବେଳେ ପଡ଼ିଶାର ଦୁଇଜଣ ସ୍ତ୍ରୀଲୋକ ଘରକୁ ପଶିଲେ । ଅଗଣାରେ ପନିକି ପକାଇ ମାୟାଶାଶୁ ମାଛ କାଟୁଥିଲେ । ଚୁଲିମୁଣ୍ଡରେ ବୋହୂକୁ ଦେଖିପାରି ଟୁସିବୋଉ ସିଧା ଚାଲିଲେ ରୋଷେଇ ଘରକୁ–ପଢ଼ୁଆ ବୋହୂ କେମିତି ରାନ୍ଧୁଛି ଦେଖିବେ । ଟିକିଏ ବେଳ ଦୁଆର ମୁହଁରେ ଛିଡ଼ାହୋଇ, ଫେରି ଆସୁ ଆସୁ ବଡ଼ପାଟିରେ ଶୁଣେଇ, କହିଲେ–ତମ ବୋହୂର ଭଲ ସଣ୍ଠଣା କାମ..... ଘରଟି କେଡ଼େ ସଫାସୁତୁରା ରଖିଚି ।

 

–ମୋ ଦିହରେ ଅସନା ମସନା ଯାଏ ନାଇଁ..... କେତେ ଗାଳି ଦେଇ ଦେଇ ସେତକ ତାକୁ ଶିଖେଇଚି ନା ! ଗାଳିଖାଇବ ନାଇଁତ କାମ ଶିଖିବ କେମିତି ?

 

ମାୟା ଶାଶୁଙ୍କ କଥା ଶୁଣି ହୁଣ୍ଡୀବୋଉ ଟୁସିବୋଉଙ୍କୁ ଚାହିଁ କହିଲେ–ଶୁଣ୍‌ଲୋ ଟୁସିବୋଉ, ୟାଙ୍କ ବୋହୂ ଏଡ଼େ ବଡ଼ଲୋକର ଝିଅ ହେଇ, ଏତେ କଲେଜି ପାଠ ସାରିକରି ବି ଏତେ ଗାଳିମନ୍ଦ ସହି ଶାଶୁ ବୋଲ ମାନି ଚଳୁଚି..... ଆଉ ତୋ ବୋହୂ ୟାଙ୍କ କୋଉ ଗୁଣକୁ ସରି ଯେ ତାକୁ ଇନ୍ଦ୍ର ଚନ୍ଦ୍ର ଦିଶୁ ନାଇଁ ?

 

–ଆଉ ଯାହା କରୁ ପଛକେ, ମୋ ବୋହୂ କେବେହେଲେ ମେତେ ଜବାବ ଦିଏ ନାଇଁ । ମାଛ ଧୋଉ ଧୋଉ ମାୟାଶାଶୁ କହିଲେ ।

 

–କେମିତି ଦବ ? ସେ ପରା କଥା ଅଛି ‘‘ଓଳି ଗୁଣେ କୋଳି, ପଲମ ଗୁଣେ ସରୁ ଚକୁଳି, ଦଉଥା ପିଠଉ ଗୋଳି’’ ଯେମିତି ମଞ୍ଜି ସେମିତି ଗଛ..... ବାପା ମା ପିଲାଦିନରୁ ସେମିତି ଶିକ୍ଷିଆ ଦେଇଚନ୍ତି ।

 

ମାଛକୁ ମାୟା ପାଖରେ ରଖିଦେଇ, ଟୋପାଏ ସୋରିଷତେଲ ହାତ ପାପୁଲିରେ ଘଷୁ ଘଷୁ ମାୟାଶାଶୁ ହୁଣ୍ଡୀବୋଉଙ୍କୁ ଚାହିଁ ପଚାରିଲେ–ତମର ରୋଷେଇବାସ କଣ ଏଡ଼େ ବେଗି ସରିଗଲା ?

 

–ହଁ, ଆଜି ପୁଅ ଗାଁକୁ ଗଲା ଯେ ସଅଳ ସଅଳ ସାରିଦେଲି ।

–କ’ଣ ସବୁ ତରକାରୀ କରିଥିଲ ?

 

–ଏଇ ଖଡ଼ା ବଡ଼ି ରାଇ ହେଇଥିଲା । ବିଲେଇତି ଆଳୁ, ସଜନାଛୁଇଁ, ବାଇଗଣ ମିଶି ଗୋଟା ତରକାରୀ, ଓଉ ଆମ୍ବିଳ । ଆଜି ତ ରଇବାର, ଆମ ଘରେ ମାଛ ପଶିବ ନାଇଁ...

 

କଥା ଅଧା ହେଇଚି ତେଣେ ପୋଷା ଶୁଆର ପାଟି ଶୁଭିଲା । ‘ବିଲେଇ ଆସୁଥିବ’ କହି ମାୟାଶାଶୁ ଡାକିନେଇ ଚାଲିଗଲେ ।

 

ମୋହନ କ୍ୱାର୍ଟର ପାଇଛି । ଖବରଟା ବିଜୁଳି ବେଗରେ ପୀତାମ୍ବରବାବୁଙ୍କ ଘର ଭିତରେ ବ୍ୟାପିଗଲା ।

 

ସବୁ ଶୁଣି ପୀତାମ୍ୱରବାବୁ କହିଲେ–ତୋର ଯାହା ସୁବିଧା ହେଉଛି କର ।

ସେହି କଥା ଭିତରୁ ମୋହନ ବୁଝିଲା ତା’ର ଏହି ଯିବାଟା ପୀତାମ୍ୱରବାବୁ ପସନ୍ଦ କରୁନାହାନ୍ତି ।

 

ମହୀବୋଉ କହିଲେ–ଆରେ, ଘରଟା ଥାଉ ଥାଉ ସେ ପର ଜାଗାଟାରେ ଯାଇ କାଇଁକି ପଡ଼ିବୁ ? ନିଜ ଘରଠୁ ଭଡ଼ାଘର କଣ କେବେହେଲେ ଭଲ ଲାଗିବ ?

 

–ଦେହପାଇଁ ବାଧ୍ୟହୋଇ ଯିବା କଥା । ଭଲ ଖରାପ କିଏ ଦେଖୁଛି ? ସୁବିଧାଟା ଥରେ ଛାଡ଼ିଦେଲେ ଆଉ ମିଳିବ ନାହିଁ ।

 

–ତା’ବୋଲି କଣ ଯାହା ଆଣି ଗୋଟାଏ ଯୁଟେଇ ଦେବେ, ସେଥିରେ ରହିଯିବୁ ?

 

–ପରେ ଦେଖିବା କ’ଣ ହେଉଛି । ଭାବିଲା ପରି ହୋଇ ମୋହନ ଉଠିଗଲା । ମନରେ ତାର ଦ୍ୱନ୍ଦ୍ୱ–ଗୋଟାଏ ପଟେ କାବେରୀ ଓ ଅନ୍ୟପଟେ ଘରର ସମସ୍ତେ ତାକୁ ଟାଣୁଛନ୍ତି ।

 

ମହୀବୋଉଙ୍କୁ ଶୁଖିଲା ମୁହଁରେ ବୁଲୁଥିବାର ଦେଖିଲେ, କାବେରୀ ସବୁକଥା ବୁଝାଇବାକୁ ଚେଷ୍ଟା କରେ । କେମିତି ସବୁଦିନେ ସାଇକେଲରେ ଯିବା ଆସିବା କରିବାଦ୍ୱାରା ମୋହନକୁ ଅସୁବିଧା ପଡ଼ୁଛି, ଖାଇସାରି ପୁଣି ଏତେ ବାଟ ଗଲାବେଳକୁ ତାକୁ ହାଲିଆ ଲାଗୁଛି । ପାଖରେ ରହିଲେ ତାଙ୍କର ସୁବିଧା ହେବ । ସବୁ କହିସାରି କାବେରୀ ଶେଷରେ କହେ ସେ କେମିତି ମୋହନକୁ ଘର ଛାଡ଼ି ନଯିବାପାଇଁ ବାରମ୍ୱାର ବୁଝାଇବା ସତ୍ତ୍ୱେ ମୋହନ କେମିତି ଶୁଣୁନାହିଁ ଇତ୍ୟାଦି କହୁ କହୁ କାବେରୀ ଆଖିରେ ପାଣି ଆସିଯାଏ ।

 

କାବେରୀ ଆଖିରେ ଲୁହ ଦେଖି ମହୀବୋଉ ଲୁହ ଗଡ଼ାନ୍ତି । ମନେ ମନେ ଭାବନ୍ତି–ଛୁଆ ଦି’ଟା ଯାଇ କୋଉ ଅପନ୍ତରିଆ ଜାଗାରେ ପଡ଼ିବେ..... ତାଙ୍କ ଭଲମନ୍ଦକୁ ଚାହିଁବାକୁ ସେଠି ଆଉ କେହି ନାହାନ୍ତି ।

 

ମୋହନ ନୂଆ ଘରକୁ ଯିବାଯାଏ କାବେରୀ ମୁହଁରେ ସେଇ ଏକା କଥା–ବୋଉ, ମୁଁ କେମିତି ଯାଇ ସେଠି ଏକା ରହିବି ? ମତେ ଭାରୀ ଖରାପ ଲାଗୁଛି..... ତାଙ୍କୁ ଏ କଥା କହିଲେ, ସେ ମୋ ଉପରେ ଖାଲି ଚିଡ଼ୁଛନ୍ତି... ଆପଣ ଟିକିଏ ତାଙ୍କୁ ବୁଝେଇ କରି କହିଲେ ସେ କ’ଣ ଶୁଣିବେ ନାହିଁ ?

 

ମହୀବୋଉ ସବୁ ଶୁଣି ପୀତାମ୍ୱରବାବୁଙ୍କ ପାଖରେ ଫେରାଦ ହୁଅନ୍ତି । ପୀତାମ୍ୱରବାବୁ ପଦେ କଥାରେ ସବୁ ଆଡ଼େଇ ଦିଅନ୍ତି–ତାଙ୍କ କଥା ସେମାନେ ଜାଣନ୍ତି..... ତମେ କାହିଁକି ଅକାରଣେ ବ୍ୟସ୍ତ ହେଉଛ ?

 

କାହାଠାରୁ କୌଣସି ପ୍ରକାର ସାହାଯ୍ୟ ନପାଇ ମହୀବୋଉ ଖାଲି କାନ୍ଦିବାରେ ଲାଗନ୍ତି-

 

ଶାଶୁଘରେ ନିଜର ମନ ଭୁଲାଇବାକୁ ସମୟ ପାଇଲେ ମାୟା ଖଣ୍ଡେ ଖଣ୍ଡେ ବହି ଧରି ବସେ–ସେଇ ଯେମିତି ତା’ର ଏକମାତ୍ର ସାଥି-ମନ ଗହୀରର ଦୁଃଖ ବୁଝି ଆଖି ନହମାକେ ତା’ର ଭାରୀ ମନଟା ପୁଣି ହାଲକା କରିଦିଏ ।

 

ଦିନେ ସକାଳେ ରୋଷେଇଘରକୁ ପଶିଆସି ମାୟାଶାଶୁ ସାପ ଦେଖିଲା ପରି ଚମକି ପଡ଼ିଲେ–ବୋହୂ ହାତରେ ଗୋଟାଏ ମୋଟା ବହି । ମାୟାର ସେ ଆଡ଼କୁ ନଜର ନାହିଁ । ଏକ ମନରେ ପଢ଼ି ଚାଲିଛି । କାଠର ନିଆଁ ଜଳି ଜଳି ଚୁଲି ବାହାରକୁ ଚାଲିଆସିଲାଣି ।

 

–ବୋହୂ ! ସେଇଟା କ’ଣ କି ?

ଚମକିପଡ଼ି ମାୟା ଚାହିଁ ଦେଖିଲା ଶାଶୁ ପଚାରୁଛନ୍ତି ।

 

–ନାଇଁ, ଗୋଟାଏ ଗପ ବହି । ବହିଟା ରଖିଦେଇ ମାୟା ଚୁଲି ପାଖକୁ ଯାଇ, ଜାଳଟା ଭିତରକୁ ପେଲିଦେଲା ।

 

–ଘର ଗୋଟିକ ମଣିଷ ସେ ଭାତ ଖାଇବେ .. ତେଣେ ଜାଉ ହେଲା କି ନାଗିଗଲା, ତାକୁ ନ ଅନାଇ ବହିକୁ ଦେଖିଲେ କାହାର ପେଟ ପୂରିବ ?

 

–ନାଇଁ, ମୁଁ ପରା ଏଇଠି ବସିଛି...

–ପଢ଼ୁଥିଲ ପରା ?

–ହଁ ଯେ....

 

ଟିକିଏ ବିରକ୍ତ ହେଲାପରି ମାୟାଶାଶୁ କହିଲେ–ଦେଖ, ବାହାସାହା ହେଲ, ଏଣିକି ଆଉ ସେ କିଲାସ ପାଠରେ ମନ ଦିଅ ନାଇଁ... ତମେ ପଢ଼ିଲେ ପୁଅର ଦିହପା’ କୁ ଦେଖିବ କିଏ ?

 

ମାୟାକୁ କୌଣସି ଜବାବ ନ ଦେବାର ଦେଖି, ମାୟାଶାଶୁ ମନକୁ ମନ ଭଟର ଭଟର ହେଇ ଚାଲିଗଲେ । ମାୟା ଜାଣେ ସେ କିଛି ଭୁଲ କହିନାହାନ୍ତି । ସମସ୍ତେ ନିଜ ନିଜର ସ୍ୱାର୍ଥ ଦେଖନ୍ତି । ସେଥିରେ ଆଞ୍ଚ ଆସିଲେ ଯିଏ ହେଲେ ପଦେ କହିବ । ସେମାନେ ବୋହୂ କରିଛନ୍ତି । ବୋହୂ ଘରକାମ, ପୁଅର କାମ ନକରି ବସି ପାଠ ପଢ଼ିବ କାହିଁକି ? ପୁଣି ଶାଶୁଙ୍କ ମନରେ ଡର, କାଳେ ବୋହୂ ତାଙ୍କ ପୁଅଠୁ ବେଶି ପଢ଼ି ପକାଇବ । ମାୟା ମନ ଭିତରେ ହସିଲା । କିଛି କାମ ନଥିଲେ ଚୁଲି ମୁହଁକୁ ଚାହିଁ ପଛକେ ବସି ରହିବ, କିନ୍ତୁ ବହି ଧରିଲେ ଦୋଷ ।

 

ତା’ର ମନେ ପଡ଼ିଲା ବାପଘରର କଥା । ସେଠି ଦିନେ ଅଧେ ରାନ୍ଧିବାକୁ ପଡ଼ିଲେ କେମିତି ବ୍ୟସ୍ତ ହେଇ ଉଠୁଥିଲା..... ଆଉ ଏଠି ? ରାନ୍ଧିବାକୁ ଯାଇ ହାତରେ ଫୋଟକା ହେଲେ, ସେଥିପାଇଁ ସେ ଆଖିରୁ ଲୁହ ଗଡ଼ାଇ ନାହିଁ । ସେ ଜାଣେ ଏଠି ଆଖି ଲୁହର କୌଣସି ମୂଲ୍ୟ ନାହିଁ-। ତା’ ଉପରେ ପୁଣି ଶାଶୁଙ୍କର ଟାହୁଲି କଥା–ଗେଲବସରରେ ଝୁଅ ବଢ଼ିଥିଲେ, ହେଲେ ହାଣ୍ଡି ନଧରି ଯିବେ କୁଆଡ଼େ ? ସେ ସବୁ ଶୁଣେ, କିନ୍ତୁ ମୁହଁ ଖୋଲି କିଛି କହେ ନାହିଁ । ଶାଶୁଙ୍କର ଦିନକାଳ ସରିଛି । ଯେତେ ଯାହା କଲେ ବି କୌଣସିଥିରେ ସେ ସନ୍ତୁଷ୍ଟ ହେବେ ନାହିଁ । ସେଥିପାଇଁ ତାଙ୍କଠାରୁ ଗାଳି ଶୁଣିଲାବେଳେ ସେ ଅବଜ୍ଞାରେ ହସି ହସି କଥାଟାକୁ ଆଡ଼େଇ ଦିଏ ।

 

 

ନୂଆ ଘରକୁ ଯିବା ପରଦିନ କାବେରୀ ଶାଶୁଘରକୁ ବୁଲି ଆସିଲା । ରନ୍ଧାଘରେ ମହୀବୋଉ ପିଲାମାନଙ୍କ ପାଇଁ ଜଳଖିଆ କରୁଥିଲେ । ତାଙ୍କରି ପାଖରେ ଗୋଟିଏ ଲମ୍ୱା ଚଉଡ଼ା ମୁଣ୍ଡିଆ ମାରି କାବେରୀ କହିଲା–ବୋଉ, ଆପଣ ଉଠନ୍ତୁ, ମୁଁ କରିଦେବି ।

 

ମୁଣ୍ଡିଆ ପାଇ ମହୀବୋଉ ଖୁସିଟାଏ ହେଇଗଲେ–ନାଇଁ ବା ତୁ ବସ..... କେତେ ଜିନିଷ ଯେ, ମୁଁ ସାଙ୍ଗେ ସାଙ୍ଗେ କରିଦେବି ନାଇଁ କି ?... ଆଉ... ସେ ଘରଟା କେମିତି ଲାଗୁଛି ? ମହୀବୋଉ ହସି କାବେରୀ ମୁହଁକୁ ଚାହିଁଲେ ।

 

–ମତେ ସେ ଘରେ ମୋଟେ ଭଲ ଲାଗୁନାହିଁ..... ସେଠି ରହିଲେ କ’ଣ ହେଲା, ମନ ସବୁବେଳେ ଆସି ଏଇଠି । ମୁହଁ ଶୁଖେଇ କାବେରୀ କହିଲା ।

 

କାବେରୀର ସେ ସ୍ୱରରେ ମହୀବୋଉ ତା ମୁହଁକୁ ଚାହିଁଲେ–ଯେତେହେଲେ ଏଇଟା ହେଲା ନିଜ ଘର । ସବୁବେଳେ ପିଲାଛୁଆଙ୍କ ପାଟି । ଏ ଗହଳି ଜାଗାରୁ ଯାଇ ଅପନ୍ତରିଆଟାରେ ପଡ଼ିଲେ ଭଲ ଲାଗିବ କେଉଁଠୁ ? ରହିଥା, ମୁଁ ମହୀକୁ କହେଁ–

 

କଥାରେ ବାଧାଦେଇ କାବେରୀ କହିଲା–ନାଇଁ ବୋଉ, ସେମିତି କହିଲେ ମୋ ଉପରେ ସେ ରାଗିଯିବେ..... ମତେ କେତେ କରି ମନା କରିଥିଲେ ଏସବୁ ତମ ଆଗରେ କହିବାପାଇଁ..... ସେଇଟା ଭାରୀ ଗହଳି ଜାଗା, ବହୁତ ଲୋକାବାକ ଅଛନ୍ତି–ଡାକିଲେ ଶୁଣିବେ... କିନ୍ତୁ ମତେ କାହିଁକି କିଛି ଭଲ ଲାଗୁନାହିଁ ।

 

–ତୁ ଏମିତି ଦି’ଆଡ଼କୁ କହିଲେ ମୁଁ କ’ଣ କରିବି ?

–ମୁଁ କହୁଥିଲି କ’ଣ କି... ତମେ ବି ଚାଲନ୍ତ.....

–ମୁଁ ଗଲେ ଘରଯାକର ସମସ୍ତେ ବାହାରିବେ । ପୁଣି ଏ ଘର ତ ଅଛି !

 

–ହଁ, ତା’ ବି ଗୋଟିଏ କଥା..... ପୁଣି ସେ ଘରଟା ଏଡ଼େ ଛୋଟ ଯେ ଦି’ଜଣରୁ ଚାରିଜଣ ମଣିଷ ସେଠି ଚଳିବା କଷ୍ଟ ।

 

କଥାବାର୍ତ୍ତା ସରିଲା । କିଛି ସମୟ ଏପାଖ ସେପାଖ ହୋଇ କାବେରୀ ଘରକୁ ଯିବାକୁ ବାହାରିଲା... ଘର ତେଣେ ଏକା ପଡ଼ିଛି । ମହୀବୋଉ ଆଉ ଅଟକେଇ ରଖିପାରିଲେ ନାହିଁ ।

 

ପ୍ରକୃତରେ ଦେଖିବାକୁ ଗଲେ ଶାଶୁଘରଟା କାବେରୀକୁ ଯେତିକି ନିଜର ମନେ ହୋଇ ନଥିଲା, ଏ ନୂଆଘର ତା’ର ନିଜର ନହେଲେ ମଧ୍ୟ ବେଶି ଆପଣାର ମନେ ହେଲା । ପ୍ରତିଦିନ ଘର ସଜାଡ଼ି, ସବୁ ଜିନିଷ ଠିକ୍‌ ଜାଗାରେ ସଜାଡ଼ି ରଖିବା ତାର ଯେପରି ନିୟମିତ କାମ ହେଇପଡ଼ିଲା । କାମ କଲାବେଳେ ମନରେ ସ୍ପୃହା ଆସେ, କାମ କରିବାକୁ ପାଦ ଛନ୍ଦି ହୁଏ ନାହିଁ, ହାତ ଆପେ ଆପେ ଉଠିଯାଏ–ସବୁ ନିଜର, ନିଜେ ନ ଦେଖିଲେ ଆଉ ଦେଖିବ କିଏ ? ମନରେ ଆସେ–‘ମୋ ଘର, ମୁଁ ମାଲିକ’–ଏଠି ଶାସନର ଲଗାମ କାହିଁ କି ଓଜନିଆ ମନର ଅବସାଦ ନାହିଁ ।

 

ଅଳ୍ପ କେଇଟା ଦିନ ଭିତରେ ସେ ଚାରିଆଡ଼େ ଅନେକ ଚିହ୍ନା ପରିଚୟ କରାଇ ନେଲାଣି-। ମୋହନ ନ ଥିଲାବେଳେ ସେ ଲୋକଙ୍କ ଘରକୁ ବୁଲିଯାଏ କିମ୍ୱା କେହି ଜଣେ ଆସି ପହଞ୍ଚିଯାଆନ୍ତି । ଶାଶୁଘରର ସେ ବନ୍ଦୀ ଜୀବନ ଆଉ ନାହିଁ । ସୁଖରେ ଦିନଗୁଡ଼ାକ ପାଣି ପରି ଗଡ଼ିଯାଉଛି ।

 

କାବେରୀର ଏହି ପରିବର୍ତ୍ତନ ମୋହନ ଲକ୍ଷ୍ୟ କରେ । ତାକୁ ସୁଖୀ କରିପାରିଛି ଭାବି ମୋହନ ମନରେ ଶାନ୍ତି ଆସେ ।

 

ଖରାବେଳ । ମହୀବୋଉଙ୍କୁ ନିଦ ହେଲା ନାହିଁ । ବିଛଣାରେ ପଡ଼ି ଟିକିଏ ସମୟ ଗଡ଼ପଡ଼ ହେଇ ଉଠିଆସିଲେ–ମାୟା ପାଖକୁ ଖଣ୍ଡେ ଚିଠି ଲେଖିବାକୁ ହେବ । ମନରେ ରାଗ ହେଲା । ତାଙ୍କର ତିନି ଚାରିଖଣ୍ଡ ଚିଠିର ଉତ୍ତର ସେ ଦି’ଧାଡ଼ିରେ ସାରିଦିଏ–‘‘ମୁଁ ଭଲ ଅଛି । ମୋ ପାଇଁ ତୁ ବ୍ୟସ୍ତ ହେବୁ ନାହିଁ ।’’ ଟୋକୀଟା ବୁଝେ ନାହିଁ । ମା’ର ମନ ଛୁଆ ପଛରେ କେମିତି ଦିନରାତି ଘୁରୂଥାଏ । ମାୟା ଭଲ ଅଛି ବୋଲି ଯେତେ ଲେଖିଲେ ମଧ୍ୟ ସେ ବିଶ୍ୱାସ କରିପାରନ୍ତି ନାହିଁ ।

 

ମହୀବୋଉ କାଗଜ କଲମ ଧରି ଖଟ ଉପରେ ସଜାଡ଼ି ହୋଇ ବସିଲେ । କ’ଣ ବା ଲେଖିବେ ? ମଣିଷ ମୁହଁରେ ଯେତେ କଥା କହିଯାଏ, ଚିଠିରେ ତା’ର କାଣିଚାଏ ହେଲେ ଲେଖିପାରେ ନାହିଁ । ଏତିକିବେଳେ ବାହାର କବାଟ ଖଡ଼ଖଡ଼ ଶୁଭିଲା । ଚିଠିଲେଖା ବନ୍ଦରଖି ମହୀବୋଉ କବାଟ ଖୋଲି ଦେଖିଲେ ଦାଣ୍ଡରେ ଯଦୁବୋଉ ଛିଡ଼ା ହୋଇଛନ୍ତି । ସାଙ୍ଗେ ସାଙ୍ଗେ ମୁହଁରେ ହସ ଖେଳିଗଲା । କାବେରୀ ଚାଲିଯିବେ ପରଠୁ ଏଇ ଖରାବେଳଟା ତାଙ୍କୁ ବଡ଼ ଏକାଟିଆ ଲାଗେ । ଛୁଆଖାଇ ବିଲେଇ ପରି ସେ ଖାଲି ଏପଟ ସେପଟ ହେଉଥାନ୍ତି ।

 

ଘରଭିତରେ ଯଦୁବୋଉଙ୍କୁ ବସେଇ ଦେଇ ମହୀବୋଉ ଖଟ ଉପରୁ କାଗଜ କଲମ ଆଣି ପହଲି ବହି ଥାକରେ ରଖୁ ରଖୁ କହିଲେ–ମାୟା ପାଖକୁ ଖଣ୍ଡେ ଚିଠି ଚିଠି ଲେଖିବାକୁ ଯାଉଥିଲି ଯେ ତମେ ଆସିଗଲ ।

 

ମାୟା ନାଁ ଶୁଣି ଯଦୁବୋଉ ଆଗ ବଳିପଡ଼ି କହିଲେ– ତୋ ଝୁଅ ତ କ’ଣ ଭାରୀ ଘର କରୁଚି !

 

–କିଏ କହୁଥିଲା ?

 

–ଆଲୋ, ମତେ କୋଉ ଖବର ଅଛପା ଅଛି ? ତୋ ଝୁଅ କୋଉଠି କ’ଣ କରୁଛି ମତେ ଜଣା ନାହିଁ ନା ତୋ ବୋହୂ କୋଉଠି କ’ଣ କହୁଛି ମତେ ଜଣା ନାହିଁ ?

 

–କ’ଣ ସବୁ ଶୁଣୁଥିଲ ମାୟା କଥା ?

 

–କ’ଣ ଆଉ ଶୁଣିବି ? ଭଲ ବୋହୂ ହେଇଚି, ପ୍ରଶଂସା ଶୁଣୁଛି–ଏଇଆ ତ ! ଆଉ କ’ଣ-? ଉତ୍ସାହ ନଥିଲା ପରି ଯଦୁବୋଉ କହିଲେ ।

 

ମହୀବୋଉ ବିଶ୍ୱାସ କରିପାରିଲେ ନାହିଁ । ଯେତେ ଲୋକ ଆସନ୍ତି ସମସ୍ତଙ୍କର ମୁହଁରୁ ସେହି ଏକା କଥା ଶୁଣନ୍ତି । ତାଙ୍କର ମନେହୁଏ ଯେମିତି କି ସମସ୍ତେ ଥଟ୍ଟା କରୁଛନ୍ତି । ମାୟା ଯେ ଏତେ ବଦଳିବ, ଏ କଥା ସେ କେବେହେଲେ ଭାବି ନଥିଲେ ।

 

ମହୀବୋଉଙ୍କୁ ଚୁପ୍‌ ରହିବାର ଦେଖି ଯଦୁବୋଉ କହିଲେ–ଆଉ, ତୋ ବୋହୂ ଖବର କ’ଣ ?

 

–ଖବର ଆଉ କିଛି ନାହିଁ । ସେ ତ ତାଙ୍କର ଗଲେ ।

 

–ହଁ, ଭଲ ହେଲା । ସେ ତାଙ୍କର ମନଇଚ୍ଛା ଏଣିକି ବୁଲାବୁଲି କରିବେ..... ଏଠି ସେତକ ହେଇପାରୁ ନଥିଲା ।

 

–ନାଇଁ ମ ! ତାର କଣ ଯିବାକୁ ଇଚ୍ଛା ଥିଲା କି ? ଖାଲି ମହୀ ତାକୁ ଟାଣିଓଟାରି ନେଇଚି ନା ! ସେ ପରା ଆସି ମତେ ଡାକୁଥିଲା ତା’ ପାଖରେ ରହିବାପାଇଁ–ତାକୁ ଏକୁଟିଆ ଲାଗୁଛି ବୋଲି ! ଖାଲି ମହୀର ଅସୁବିଧା ଯୋଗୁଁ–

 

–ଆହା ! ‘‘ମୁଁ କଅଣ କରିବିଟି ! ହାଣ୍ଡି ଭିତରେ ପିହାଣଟାଏ ମୁଁ ଚମକି ପଡ଼ିବିଟି !’’ ସକ ସକ ହେଇ ତ ଅଲଗା ଘରକୁ ଗଲେ, ସେଠି ଏକୁଟିଆ ନାଗିବ ନାଇଁ ତ ଆଉ କ’ଣ ଦୋକୁଟିଆ ନାଗିବ ? ପୁଅର ସୁବିଧା ହଉ କି ଅସୁବିଧା ହଉ, ଅଲଗା ରହିଲେ ତାଙ୍କର ଭଲ..... ଆଲୋ, ସେ ପରା ଆଗରୁ କଥା ଅଛି ‘‘ଜାଆ ଜେଉଳାରେ ଘର, କି ଥାଇଁ କରିବେ ଶାଶୁ ଶ୍ୱଶୁର ? ବଞ୍ଚନ୍ତୁ ମୋହରି ବର ।’’

 

ମହୀବୋଉଙ୍କୁ ଚପ୍ ରହିବାର ଦେଖି ଯଦୁବୋଉ ପୁଣି ଆରମ୍ଭ କଲେ–ଆଗରୁ ସେଇ ପେଞ୍ଚ କରି ଚାବିମୁଠା ହାତକୁ ନେଇଥିଲେ । ସେଥିରୁ ଯେଉଁଠୁ ଅସୁବିଧା ହେଲା, ପଇସାକଉଡ଼ି ବେଶି ଖର୍ଚ୍ଚ ହେବାର ଦେଖିଲେ, କହିଲେ ‘‘ଦେ କଉଡ଼ି ଖା ପିଠା, ଏଥିପାଇଁ କିଆଁ ଦାନ୍ତ ନିକୁଟା ?’’ ଏକାଥରକେ ତ ଅଲଗା ହୋଇଗଲେ ଯାଏ, ଏତେ ହାତଗୋଡ଼ ଧରା କାହିଁକି ?

 

ମୁହଁ ଶୁଖେଇ ମହୀବୋଉ ଖାଲି ‘ହୁଁ’ ଟିଏ ମାରିଲେ । ଶେଷ କଥାଗୁଡ଼ାକ ତାଙ୍କ ମନକୁ ବାଧିଲା । ପୀତାମ୍ୱରବାବୁଙ୍କ ଅବସ୍ଥା ଯଦି ସ୍ୱଚ୍ଛଳ ଥା’ନ୍ତା ତେବେ ସେ ଏ କଥାକୁ ଖାତିର କରି ନଥାନ୍ତେ କିନ୍ତୁ ମୋହନର ସାହାଯ୍ୟ ଉପରେ ଯେତେବେଳେ ତାଙ୍କୁ ଚଳିବାକୁ ହେଉଛି, ଏଇଟା ତାଙ୍କୁ ବାଧିବାର କଥା ।

 

–ତୋ’ରି ବୋହୂ ତ ନିଜେ ଦାଣ୍ଡରେ ହାଟରେ କହି ବୁଲୁଛି–ସିଏ ନଣନ୍ଦର ବାହାର ଖର୍ଚ୍ଚ ଉଠେଇଚି ।

 

ମହୀବୋଉଙ୍କର ମନର ରାଗ ହଠାତ୍‌ ବାହାରକୁ ଆତ୍ମପ୍ରକାଶ କଲା ।

 

–ଖାଲି ଅଜାଡ଼ି ପକେଇଥିବ ! ବେଙ୍କ୍‌ରେ ମାୟା ନାଁରେ ଯୋଉ ଟଙ୍କା ଥିଲା, ସେଇଥିରେ ତ ମାୟାବାପା କାମ ଉଠେଇଲେ ।

 

–ତୁ କହିଲେ ଖାଲି ହେଇଯିବ ? ମହୀ କ’ଣ ଖର୍ଚ୍ଚ କରିଥିବ ବୋଲି ସେ କହୁଚି ନା ଆଉ କ’ଣ ମନରୁ କହୁଚି ?

 

–ଭାଇଟା ହେଇ ଆଉ କ’ଣ ଖର୍ଚ୍ଚ କରନ୍ତା ନାହିଁ ! ସିଏ ନିଜେ ଭାଉଜଟା ହୋଇ ଯାହା ନଣନ୍ଦକୁ ଖାଲି ଅଜଡ଼ି ପକେଇଚି ! ଏଇ ପାନପତର ପରି ଝିଆଣିଆ କାମର ହାରଟାଏ ଦେଇଛି ଯେ ଦେଢ଼ଭରି ଭିତରେ ଜିନିଷ ହବ..... ଆଉ ଦାଣ୍ଡରେ କେମିତି ଏଗୁଡ଼ା ଧେଣ୍ଡୁରା ବଜେଇ ହଉଛି-? ‘‘ଯେ ଯାହାପାଇଁ ଯାହା କରୁଥାଏ ସେ କି ନାଗରା ଦେଇ ବୁଲୁଥାଏ ?’’ ରାଗରେ ମହୀବୋଉ ଆଖିକି ପାଣି ଆସିଲା ।

 

–ଆଲୋ, ତାଙ୍କଠେଇଁ ସବୁ ସମ୍ଭବ..... ସଙ୍ଗାତ କ’ଣ ଆଉ ନ ଜାଣି ଏଗୁଡ଼ାଙ୍କୁ ନାଗସାପ କହିଥିଲା ? ସେ ଠିକ୍ ଚିହ୍ନିଛି ।

 

ଏସବୁ ବିଷୟରେ ଅଧିକା ଚର୍ଚ୍ଚା କରିବାକୁ ମହୀବୋଉଙ୍କୁ ଆଉ ଭଲ ଲାଗୁ ନଥିଲା । ଯଦୁବୋଉଙ୍କ ସାଥିରେ ଦେଖାହେଲେ ମନଟା ତାଙ୍କର ମଝିରେ ମଝିରେ ଏମିତି ଖରାପ ହେଇଯାଏ । ଆଖି ଲୁହ ଲୁଚାଇବାକୁ, କାମର ବାହାନା କରି ଉଠି ଯାଉ ଯାଉ ମହୀବୋଉ କହିଲେ–ପିଲାମାନଙ୍କର ଆସିବାବେଳେ ହେଇଗଲାଣି । ମୁଁ ଯାଉଛି ଜଳଖିଆ କରିବି... ତମେ ଆସ ରୋଷେଇ ଘରେ ବସିବ ।

 

ହାଇମାରି ଯଦୁବୋଉ ଉଠିଲେ– ନାଇଁ ଲୋ, ମୁଁ ଆଉ ବସିପାରିବି ନାଇଁ... ବେଳ ହୋଇଗଲାଣି ।

 

ଯଦୁବୋଉଙ୍କୁ ଦାଣ୍ଡଦୁଆରେ ବଳେଇ ଦେଇ ଆସି ମହୀବୋଉ ଖଟରେ ଶୋଇଲେ । ମନଟା କୁହୁଳି କୁହୁଳି ଉଠୁଛି । ଏଇଥର କାବେରୀ ଆସିଲେ ଭଲକରି ଦି’ପଦ ତାକୁ ଶୁଣେଇ ଦେବେ । କେମିତି କରି କ’ଣ ସବୁ କହିବେ ଶୋଇ ଶୋଇ ସେ ଚିନ୍ତା କରିବାରେ ଲାଗିଲେ ।

 

ମାୟା ଶାଶୁଙ୍କ ଦେହ ଭଲ ନାହିଁ–ପେଟରେ ଘା’ ହୋଇଛି । ଆଗପରି ସେ ଆଉ ରାତି ଅନ୍ଧାରରୁ ଉଠି ପୂଜାଘରେ ଯାଇ ଆସନ ମାଡ଼ି ବସନ୍ତି ନାହିଁ । ବର୍ଷେ ହେଲାଣି ତାଙ୍କର ଏହି ପେଟମରା ରୋଗ ବାହାରିଛି । ଏବେ ସେଇଟା କେମିତି ବଢ଼ିଯାଇଛି । ଦିନକୁ ଦିନ ସେ ବିଛଣା ଧରୁଛନ୍ତି । ଏବେ ବିଛଣାରେ ପଡ଼ିବା ଦିନଠାରୁ ତାଙ୍କର ଗୋଟିଏ ନୂଆ ରକମର ଭୟ ଆସିଯାଇଛି-। କାରଣ ଅକାରଣରେ ମାୟାକୁ ଡାକି ପାଖରେ ବସାଇ କେତେ ଭଲମନ୍ଦ କଥା ବୁଝେଇ ଯା’ନ୍ତି–ମୋ ବର ଥିଲେ ମୋ ଶାଶୁ ଶ୍ୱଶୁରଙ୍କର ଗୋଟିଏ ଆଖି ! ଶଶି ସେମିତି ମୋର ଗୋଟିଏ ଆଖି । ତୁ ବୋହୂ ତା ପେଇଁ ନଗା ରହିଲୁ । ମୋ ଦିନକାଳ ସରି ଆସିଲା । ଏଣିକି ମରିହଜି ଯିବି । ତମେ ଏ ଘର ଦେଖାଶୁଣା କରିବ ।

 

ମାୟା ସବୁ ଶୁଣି ତାଙ୍କୁ ନାନା ପ୍ରକାରେ ସାନ୍ତ୍ୱନା ଦିଏ । ସେହି ସାନ୍ତ୍ୱନା ଟିକକ ଶୁଣିବା ପାଇଁ ଯେମିତି କି ସେ ଥରକୁ ଥର ସେହି ଏକା କଥା କହନ୍ତି । ମଣିଷ ଯେତେ ବୁଢ଼ା ହେଉ, ଯେଡ଼େ ବଡ଼ ବେମାରିରେ ପଡ଼ୁ ପଛକେ, ସେ କେବେହେଲେ ମରିବାକୁ ଖୋଜେ ନାହିଁ ।

 

ମାୟାଶାଶୁ ବିଛଣା ଧରିବା ଦିନଠାରୁ ଭାଗବତ ଶୁଣିବା ଆରମ୍ଭ କରିଛନ୍ତି । ସେହି ଭାଗବତ ଶୁଣୁଶୁଣୁ ଯଦି ଜୀବନ ଯାଏ ତେବେ ସେ ମୋକ୍ଷ ପାଇଯିବେ ବୋଲି ତାଙ୍କର ବିଶ୍ୱାସ । ଭାଗବତ ଶୁଣେଇବାକୁ ପୁଅର ବେଳ ନାହିଁ । ତେଣୁ ସକାଳେ ସଞ୍ଜେ ସମୟ ଦେଖି ମାୟା ତାଙ୍କୁ ଯେତେଦୂର ପାରେ ଶୁଣେଇ ଦିଏ । ନିଜର ଖିଆପିଆ ଛାଡ଼ି ବୋହୂକୁ ତାଙ୍କରି ସେବା କରୁଥିବାର ଦେଖି ମାୟାଶାଶୁ ତଟସ୍ଥ ହୋଇଯାନ୍ତି–ଏଇ ବୋହୂ, ଯାହାକୁ ସେ ମୁହଁ ଉପରେ ପଦେ ଆଦରର କଥା କହିନାହାନ୍ତି, ସେ ପୁଣି ଏତେ ସେବା କରିବ, ସେ ଭାବି ନଥିଲେ ।

 

ଶଶିଭୂଷଣ ମା’ର ଅବସ୍ଥା ଦେଖି ଚିନ୍ତିତ ହୋଇପଡ଼ିଲେ । ଡାକ୍ତର କହୁଛନ୍ତି ରଞ୍ଜନରଶ୍ମୀ ଦେଇ ପରୀକ୍ଷା କଳା ପରେ ଔଷଧ ଦେବେ । ଏଣେ ପାଖରେ ପଇସା ନାହିଁ, ତେଣେ ଚିକିତ୍ସା ନ କଲେ ନ ଚଳେ । ତାଙ୍କୁ ଚାରିଆଡ଼େ ଅନ୍ଧାର ଦିଶୁଛି ।

 

ସଞ୍ଜ ଗଡ଼ି ଆସୁଛି । ମାୟା ଚଉରାମୂଳେ ସଳିତାଟିଏ ଜାଳିଦେଇ ଉଠିଆସିଲା ବେଳକୁ ପଛରୁ ଶଶିଭୂଷଣ ଡାକିଲେ–ମାୟା...

 

ବୁଲିପଡ଼ି ମାୟା ଫେରି ଚାହିଁଲା । ଶଶିଭୂଷଣ ଛିଡ଼ା ହୋଇଛନ୍ତି ।

 

–ଆଉ ଟଙ୍କା ନାହିଁ ମାୟା ! ଧାର ଉଧାର ମିଳିବାର ବି ଆଶା ନାହିଁ–ସମସ୍ତେ ଫେରେଇ ଦେଲେ । କାତର ସ୍ୱରରେ ଶଶିଭୂଷଣ କହିଲେ ।

 

–ଆଜି ପର୍ଯ୍ୟନ୍ତ ଯେତେ ଖର୍ଚ୍ଚ ହେଉଥିଲା ସେ ଟଙ୍କା କୋଉଠୁ ଆଣିଲ ?

 

–ସେ ମଧ୍ୟ ଉଧାର ଟଙ୍କା । ଏଇ ଦଶଦିନ ତଳେ ରାମବାବୁଙ୍କ ପାଖରେ ଜମି ବନ୍ଧା ଦେଇ ତିନିଶହ ଟଙ୍କା ଆଣିଥିଲି । ତାଙ୍କର ଆମ ଅବସ୍ଥା ଉପରେ ଆସ୍ଥା ନାହିଁ । ତେଣୁ ଆଉ ମିଳିବା ଆଶା ମଧ୍ୟ ନାହିଁ ।

 

ଦିନର ଆଲୁଅ ଲିଭିଗଲାଣି । ରାତିର ଅନ୍ଧାର ମାଡ଼ି ମାଡ଼ି ଆସୁଛି । ସେହି ମୁହଁ ଅନ୍ଧାରବେଳେ ଦିହେଁ ଦିହିଁଙ୍କ ମୁହଁ ସ୍ପଷ୍ଟ ଦେଖିପାରୁ ନଥିଲେ ମଧ୍ୟ ପରସ୍ପରର ମନର କଥା ଯେମିତି ବୁଝିପାରୁଥିଲେ । ଅଳ୍ପ ଦୂରରେ ଚଉରାମୂଳେ ସଳିତାଟା ଦପ୍‌ କରି ଜଳିଉଠି ଲିଭିଗଲା । ମାୟା ଦୀର୍ଘନିଶ୍ୱାସ ଛାଡ଼ିଲା ।

 

–କ’ଣ କରିବା ? ଚିକିତ୍ସା ଯେ ଅଧା ହୋଇଛି–ଶଶିଭୂଷଣ ମାୟା ମୁହଁକୁ ଚାହିଁଲେ ।

–ମୋ ପାଖରୁ ଟଙ୍କା ନେବ ? ମାୟା ଚାହିଁଲା ତାଙ୍କ ମୁହଁକୁ ।

ଟିକିଏ ଚମକି ପଡ଼ିଲା ପରି ଶଶିଭୂଷଣ ପୁଣି ପଚାରିଲେ–କ’ଣ କହିଲ ?

–ଟଙ୍କା ଦରକାର ବେଳେ ମତେ ନ ଜଣେଇ ଅନ୍ୟକୁ କାହିଁକି ମାଗି ବୁଲୁଛ ?

–ତମେ କୋଉଠୁ ଟଙ୍କା ଆଣିବ ?

ଟିକି, କ୍ଷୀଣ ହସ ହସି ମାୟା କହିଲା–ଗହଣା ଦେଇ ।

 

ଗହଣା କଥା ଶୁଣି ଶଶିଭୂଷଣ ଟିକିଏ ଗମ୍ଭୀର ହୋଇଗଲେ । ତାଙ୍କର ନିଃସ୍ୱ ଜୀବନରେ ମାୟାର ଗହଣା କେଇଖଣ୍ଡି ଏକମାତ୍ର ଧନ । ତାକୁ ବି କଣ ନେବାକୁ ପଡ଼ିବ ? ତା’ ଗହଣା ବିକିବାରେ ତାଙ୍କର କ’ଣ ଅଧିକାର ଅଛି ?

 

ଏତିକିବେଳେ ମାୟାଶାଶୁଙ୍କ ଡାକ ଶୁଭିଲା–ଭାଗବତ ପଢ଼ିବାକୁ ଡାକୁଛନ୍ତି । ତରତର ହୋଇ ମାୟା ଚାଲିଗଲା ଓ ଶଶିଭୂଷଣ ଅନ୍ୟମନସ୍କ ଭାବରେ ସେହି ଚଉରାମୂଳେ ବୁଲିବାକୁ ଲାଗିଲେ ।

 

ପରଦିନ ସକାଳୁ ମାୟା ନିଜର ଗହଣାବାକ୍ସ ଖୋଲିଲା । ଗୋଟି ଗୋଟି କରି ଗହଣା ହାତରେ ଧରି ଦେଖୁଥାଏ । ଆଖି ଆଗରେ ଅତୀତ ଭାସିଯାଉଛି । ବାହାଘରବେଳେ ଯେଉଁ ଚାରିହଜାର ଟଙ୍କା ଏମାନେ ପାଇଥିଲେ ତହିଁରୁ ଦୁଇହଜାର କରଜ ସୁଝାରେ ଯାଇଛି ଓ ବଳକା ଦୁଇହଜାର ଜମି କିଣା ହୋଇଛି । ଏହି ଗହଣା କେତେ ନିନ୍ଦା ପ୍ରଶଂସା ଶୁଣିଛି । ଆଜି ତାକୁ ଲଗାହେବ ଆଉ ଗୋଟାଏ କାମରେ । ଟଙ୍କା ପାଇଁ ସମସ୍ତେ ଗହଣା ଚାହାନ୍ତି । ଏଇ ଗହଣାର ମୂଲ ଯଦି ମାଟିବୋଝ ସାଙ୍ଗରେ କଣ୍ଠି ହୁଅନ୍ତା ତେବେ ୟାକୁ ପିନ୍ଧନ୍ତା କିଏ ?

 

ମାୟା ହାତରେ ଦି’ଟା ବଡ଼ ବଡ଼ ହାର ଦେଖି ଶଶିଭୂଷଣ ମାୟା ମୁହଁକୁ ଚାହିଁଲେ–ତମର ଦୁଃଖ ହେଉନାହିଁ ?

 

–ମୁଁ ତ ଖୁସିରେ ଦେଉଛି । ଆଉ ଥରେ କ’ଣ ବାହା ହେବି ଯେ ରଖିଥିବି ?

–କିନ୍ତୁ ଆଉଥରେ ତମପାଇଁ ଗଢ଼ି ଦେବାକୁ ମୋର ଶକ୍ତି ନାହିଁ ।

–ତା ମୁଁ ଜାଣିଛି । ମାୟା ହସିଲା ।

–କ’ଣ ଜାଣିଛ ? ସନ୍ଦିଗ୍ଧ ଆଖିରେ ଶଶିଭୂଷଣ ମାୟା ମୁହଁକୁ ଚାହିଁଲେ ।

–ଜାଣିଛି, ତମର ରୋଜଗାର କମ୍‌ । ମାୟା ସେମିତି ହସିଥାଏ ।

 

ଶଶିଭୂଷଣଙ୍କର ପୌରୁଷରେ ବାଧା ଆସିଲା । କହିଲେ–ଓ ! ସେଥିପାଇଁ ଦୟା କରୁଛ-! ନା, ଏ ଗହଣା ମୋର ଦରକାର ନାହିଁ ।

 

–ମୁଁ ତମପାଇଁ ଦଉନାହିଁ–ମା’ଙ୍କ ପାଇଁ ଦଉଚି । ତମକୁ ନେବାକୁ ହେବ । ମାୟା ବାକ୍‍ସ ରଖିଦେଇ ସେ ଜାଗା ଛାଡ଼ି ଚାଲିଗଲା ।

 

–ହାର ଦି’ଟା ହାତରେ ଧରି ଦେଖୁ ଦେଖୁ ଶଶିଭୂଷଣ ଗୋଟାଏ ଗହୀରିଆ ନିଶ୍ୱାସ ଛାଡ଼ିଲେ ।

 

ଖରାବେଳ ସବୁ କାମ ସାରି ମାୟା ଟିକିଏ ଗଡ଼ପଡ଼ ହେବାକୁ ଯାଉଥିଲା, ଏତିକିବେଳେ ଚାକର ଟୋକା ଦୁଇଖଣ୍ଡ ଚିଠି ଆଣି ତା’ ହାତରେ ଦେଲା ।

 

ପ୍ରଥମ ଚିଠିଟି କାବେରୀ ପାଖରୁ ଆସିଛି–ଚିଠି ଉପରେ ତାର ନୂଆ ଘରର ଠିକଣା । ଆଉଥରେ ଠିକଣାଟା ଭଲକରି ଦେଖିନେଇ ମାୟା ଚିଠିଟା ଖୋଲିଲା । ଚାରି ପୃଷ୍ଠାର ଚିଠି–କେମିତି କାମ କରି କରି ତାକୁ ନିଶ୍ୱାସ ମାରିବାକୁ ତର ହେଉନାହିଁ, ଶାଶୁଘର ଲୋକେ ସବୁବେଳେ ମନେ ପଡ଼ୁଛନ୍ତି ଓ ଶେଷରେ, କିପରି ଭାଗ୍ୟ ଖରାପ ଥିଲେ ମଣିଷ ନିଜ ଲୋକଙ୍କଠାରୁ ଏମିତି ଦୂରେଇ ହୋଇ ଅଲଗା ଘର କରେ ଇତ୍ୟାଦି କେତେ କ’ଣ । ଚିଠିରେ ସାହିତ୍ୟ ଓ ଦର୍ଶନର ଛଟା ଦେଖି ମାୟା ମନେ ମନେ ହସିଲା ।

 

ତରତରରେ ମାୟା ଅନ୍ୟ ଚିଠିଟା ଖୋଲିଲା । ପ୍ରତାପ ଲେଖିଛି, ‘‘ବାପାଙ୍କ ଦେହ ବହୁତ ଖରାପ । ତତେ ଦେଖିବାକୁ ଖୋଜୁଛନ୍ତି । ବୋଉ ଖାଲି କାନ୍ଦୁଛି..... ।’’ ମାୟା ଆଉ ପଢ଼ିପାରିଲା ନାହିଁ । ଆଖିକୁ ତା’ର ପାଣି ଆସି ଅକ୍ଷରଗୁଡ଼ାକ ଜାଲଜାଲୁଆ କରିଦେଲା । ଚିଠିଟି ଧରି ସେ ସେମିତି ବସି ରହିଲା । ଏଣେ ବୁନ୍ଦା ବୁନ୍ଦା ଲୁହ ଚିଠିଟାକୁ ବିଲିବିଲା କରିଦେଲାଣି–ସେ ଆଡ଼କୁ ତାର ଖିଆଲ ନାହିଁ ।

 

ଆଖି ଆଗରେ ପୀତାମ୍ୱରବାବୁଙ୍କ ମୁହଁ । ଯେମିତି ଥରକୁଥର ଆଖି ମେଲି କେବଳ ତାକୁ ହିଁ ଖୋଜୁଛନ୍ତି ।

 

ପାଖ ବଖରାରୁ ମାୟାଶାଶୁ କୁନ୍ଥାକୁ ଛପେଇ ପୀତାମ୍ୱରବାବୁଙ୍କ ସ୍ୱର ଭାସି ଆସୁଛି–ମାୟା..... ମାୟା..... ମୋର ଆଉ ବେଶିଦିନ ନାହିଁ..... ଶୀଘ୍ର ଆ ।

 

ବ୍ୟସ୍ତ ହୋଇ ଉଠିପଡ଼ି ମାୟା ଘର ଭିତରେ ପାଗଳଙ୍କ ପରି ଏପାଖ ସେପାଖ ହେବାରେ ଲାଗିଲା । ଯେ କୌଣସିମତେ ତାକୁ ଯିବାକୁ ହିଁ ହେବ । ପୀତାମ୍ୱରବାବୁ ତା’ରି ବାଟ ଚାହିଁ ବସିଥିବେ..... ସେ ନ ଗଲେ କିଏ ଆଉ ତାଙ୍କ ସେବା କରିବ? ମନ ଉପରେ ପୀତାମ୍ୱରବାବୁଙ୍କର ଗୋଟି ଗୋଟି ହେଇ କଥା କାମ ଚଳଚ୍ଚିତ୍ର ପରି ଭାସି ଯାଉଛି । ଏତିକିବେଳେ ପାଖ ବଖରାରୁ ଶାଶୁଙ୍କ ଚିତ୍କାର ଶୁଭିଲା । ମନେ ପଡ଼ିଗଲା–ଏଠି ବି ରୋଗୀ । କ’ଣ ସେ କରିବ ? ତା’ର ନିଶ୍ୱାସ ରୁଦ୍ଧ ହୋଇ ଆସିଲା–ମନେ ହେଲା ଯେମିତି ସମସ୍ତେ ଏକା ସାଙ୍ଗରେ ଆସି ତା ତଣ୍ଟି ଚିପି ଧରୁଛନ୍ତି । ଗୋଟାଏ ଅସ୍ପଷ୍ଟ ଚିତ୍କାର କରି ମାୟା ଖଟ ଉପରେ ବସିପଡ଼ିଲା ।

 

ବାପଘର ଛାଡ଼ି ଆସିଛି ତ । ଏଣିକି ସେଇ ପୁରୁଣା ବାପଘରେ ସେ ହେବ କୁଣିଆ । ଉପରେ ଯେତେ ନିର୍ଭର ଥିଲେ ବି ସେ ତ ଘରର ଲୋକ ନୁହେଁ–ତାର ଶାଶୁଘର ହେଲା ଘର । ଶାଶୁଙ୍କ ଦେହ ଖରାପ–ବୋହୂ କରି ଆଣିଥିଲେ, ଶେଷ ବେଳରେ ଟିକିଏ ସେବାଯତ୍ନ ପାଇବେ ବୋଲି । ସେ ତାଙ୍କୁ କେମିତି ଛାଡ଼ିଯିବ ?

 

ଆଉ ବାପଘର– ସେ କ’ଣ ତା’ରି ଘର ନୁହେଁ ? ଭାଇମାନଙ୍କ ସାଙ୍ଗରେ ଜଣେ ହେଇ ସେ’ବି ଚଳିଥିଲା..... ବାପା ତାକୁ କେତେ ଖୋଜୁଥିବେ–ଝୁରି ହେଉଥିବେ । ସେ ନ ଗଲେ ତାଙ୍କ ମନରେ, ବୋଉ ମନରେ ଆଉ ନିଜ ମନରେ ବି କଣ ଅଲିଭା ଦୁଃଖ ରହିଯିବ ନାହିଁ ? ନା, ନା, ସେ ଯିବ । ବାପାଙ୍କ ପ୍ରତି ତା’ର ପ୍ରଥମ କର୍ତ୍ତବ୍ୟ ।

 

ଶାଶୁଙ୍କ ଦୁର୍ବଳ ଡାକ ଶୁଣି ମାୟା ଉଠି ଆସିଲା–ଏଇଠି ବସିଥା ବୋହୂ.... କେତେବେଳେ ଏ ଜୀବ ଛାଡ଼ିଯିବ..... ତମମାନଙ୍କୁ ଡାକିବାକୁ, କହିବାକୁ କ’ଣ ଭରସା ପାଉଛି ?

 

ମାୟାର ଦୁଇ ଆଖିରୁ ଛଳ ଛଳ ପାଣି ଗଡ଼ି ଆସୁଥିଲା । କର୍ତ୍ତବ୍ୟ ପାଳିବାକୁ ଚେଷ୍ଟା କରି ସୁଦ୍ଧା ସେ ବାଟ ପାଉନାହିଁ । ଦୁଇଆଡ଼େ ଡୋର ଲାଗିଛି । ଗୋଟାକୁ ନ ଛିଣ୍ଡାଇଲେ ନ ଚଳେ-

 

କାହାକୁ ଛିଣ୍ଡାଇବ ? କିଏ ତା ପାଖରେ ବଡ଼ ?

Image